କେନ୍ଦ୍ରର ଗାଇଡ୍‌ ଲାଇନ୍‌, ପଞ୍ଜିକରଣ ନକଲେ ମିଳିବନି ଟିକା

ନୂଆଦିଲ୍ଲୀ: କରୋନା ଟିକା ନେବା ପୂର୍ବରୁ ଲୋକଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ । ଟିକାକରଣ ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଦେଶରେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ସରକାର ଯୋଜନା କରୁଛନ୍ତି । କରୋନା ଯୋଦ୍ଧା ଏବଂ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପ୍ରଥମେ ଟିକା ଦିଆଯିବା ନେଇ ନିଷ୍ପତି ହୋଇଛି । ପ୍ରତ୍ୟେକ ଦିନ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ । ଏଥିପାଇଁ ଓ୍ୱେବ୍‌ ସାଇଟ୍‌ ଜରିଆରେ ଲୋକଙ୍କୁ ପଞ୍ଜୀକରଣ କରିବାକୁ ପଡିବ । ପଞ୍ଜୀକରଣ ପାଇଁ ପରିଚୟପତ୍ର ନିତ୍ୟାନ୍ତ ଆବଶ୍ୟକ ।

ତେବେ ‘ଅନ୍‌ ଦ ସ୍ପଟ୍‌’ ରେଜିଷ୍ଟ୍ରେସନ ପାଇଁ କୌଣସି ସୁବିଧା ରହିବ ନାହିଁ । ପ୍ରଥମେ ୩୦ କୋଟି ଲୋକଙ୍କୁ ଟିକା ପାଇଁ ୬୦ କୋଟି ଡୋଜ୍‌ ପ୍ରସ୍ତୁତ କରାଯାଉଛି ବୋଲି ସୂଚନା ରହିଛି । ଟିକା ନେବା ପରେ ଲୋକଙ୍କୁ ଅଧାଘଣ୍ଟା ପାଇଁ ନିରୀକ୍ଷଣରେ ରଖାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପରିଚୟପତ୍ର ବାବଦରେ ଭୋଟର କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ରାସନ କାର୍ଡ ବ୍ୟବହାର କରାଯାଇପାରିବ । ବିଭିନ୍ନ ପ୍ରକାର କରୋନା ଟିକାର ମିଶ୍ରଣ ନହେବା ପାଇଁ ଗୋଟିଏ କମ୍ପାନୀର କରୋନା ଟିକାକୁ ଅନୁମତି ଦେବାଖଉ ସରକାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।

Leave a Reply