ଚୋରା ଶାଳ କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

କଟକ: କଟକ ଜିଲ୍ଲା ନରସିଂହପୁର ଥାନା କମଳାଦେଇପୁର ଛକ ଠାରେ ଚୋରା ଶାଳ କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଗାଡିଟିର ଚକା ଫାଟି ଯିବାରୁ ଏଭଳି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ବଡମ୍ବା ଥାନା ରତାପାଟ ଗାଁର ୨୨ ବର୍ଷୀୟ ରାକେଶ ଶାହାଣୀ । ରାକେଶ ଜଣେ ମଜୁରିଆ ଭାବେ ସେହି ଗାଡ଼ିରେ କାମ କରୁଥିଲା ।

ରାକେଶକୁ କାନପୁର ଡାକ୍ତରଖାନା କୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପିକ ଅପ ଭ୍ୟାନରେ ୨୨ ଖଣ୍ଡ ଚୋରା ଶାଳ ଗଣ୍ଡି ଚାଲାଣ ହେଉଥିଲା । ଶାଳ କାଠର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଘଟଣାସ୍ଥଳରେ ନରସିଂହପୁର ପୋଲିସ ଓ ବନବିଭାଗ ପହଞ୍ଚି ତଦନ୍ତ କରୁଥିବା ବେଳେ ଏକ ଜେସିବି ସାହାଯ୍ୟରେ ଗାଡ଼ିଟିକୁ ନରସିଂହପୁର ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି ।

Leave a Reply