ସଂସଦରେ ରଦ୍ଦ ହେବ କି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ?  

ନୂଆଦିଲ୍ଲୀ: ପୁଣି ରାଜନୈତିକ ଆକ୍ରୋଶର ଶିକାର ହେଲେ କି ରାହୁଲ? ସରନେମ୍ ପାଇଁ ଦଣ୍ଡ ନା ବଡ଼ ଷଡ଼ଯନ୍ତ୍ର ! ସୁରଟରୁ ଦଣ୍ଡାଦେଶ ଦେଶରେ ହଲଚଲ୍। ୨୦୧୯ର ‘ମୋଦି ସରନେମ୍’ ମାମଲାରେ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ସୁରଟ ଜିଲ୍ଲା କୋର୍ଟ। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହି ରାୟ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି । ସୁରଟ ଜିଲ୍ଲା କୋର୍ଟଙ୍କ ଏହି ରାୟ ପରେ ସଂସଦରୁ ସଦସ୍ୟତା ପଦ ହରାଇ ପାରନ୍ତି ରାହୁଲ ଗାନ୍ଧୀ । ଲୋକସଭାରୁ ରାହୁଲ ଅଯୋଗ୍ୟ ଘୋଷଣା ହୋଇପାରନ୍ତି । ଜନ ପ୍ରତିନିଧି ଆଇନ ଅନୁସାରେ ଯଦି କୌଣସି ସଦସ୍ୟ ୨ କିମ୍ବା ୨ରୁ ଅଧିକ ସମୟ ପାଇଁ ଜେଲ ଦଣ୍ଡାଦେଶ ପାଆନ୍ତି ତେବେ ତାଙ୍କୁ ଦଣ୍ଡାଦେଶ ପର୍ଯ୍ୟନ୍ତ କିମ୍ବା ପରେ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯିବ । କିନ୍ତୁ ଏହି ଆଇନରେ ସଂସଦର ବର୍ତ୍ତମାନର ସଦସ୍ୟଙ୍କ ପାଇଁ ଅନ୍ୟ ଏକ ବ୍ୟବସ୍ଥା ରହିଛି । ସମ୍ପୃକ୍ତ ସାଂସଦଙ୍କ ଆବେଦନ ଉପରେ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବନି। ସୁରଟ ଜିଲ୍ଲା କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ତେବେ ଏହି ସବୁ ମଧ୍ୟରେ ସୁପ୍ରିମକୋର୍ଟ ଆଇନଜୀବୀ ବିନୀତ ଜିନ୍ଦଲ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ ଦାଏର କରି ରାହୁଲଙ୍କ ସଦସ୍ୟତା ରଦ୍ଦ କରିବାକୁ  ଦାବି କରିଛନ୍ତି । ସେହିପରି ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ କହିଛନ୍ତି କି ରାହୁଲ ଏହି ଦଣ୍ଡାଦେଶ ସହ ସାଂସଦ ଭାବେ ଅଯୋଗ୍ୟ ହୋଇସାରିଛନ୍ତି । ଏଥିରେ ରୋକ୍ ଲାଗିଲେ ହିଁ ରାହୁଲ ତାଙ୍କ ସଦସ୍ୟତା ପଦ ରକ୍ଷା ପାଇ ପାରିବେ ।

କ’ଣ ରହିଛି ରାହୁଲଙ୍କ ପାଖରେ ବିକଳ୍ପ ?

ରାହୁଲ ୨ ବର୍ଷ ଜେଲଦଣ୍ଡାଦେଶ ହୋଇଥିବାରୁ ସେ ସଭ୍ୟ ପଦ ହରାଇପାରନ୍ତି ବୋଲି କୁହାଯାଉଛି । ତେବେ ରାହୁଲଙ୍କୁ କୋର୍ଟଙ୍କ ପକ୍ଷରୁ ତତ୍କାଳ ୩୦ ଦିନର ଜାମିନ ପ୍ରଦାନ କରି ଆଶ୍ୱସ୍ତ କରିଛନ୍ତି । ତେବେ ଏବେ ବି ରାହୁଲଙ୍କ ପାଖରେ ସଭ୍ୟ ପଦ ରଦ୍ଦ ନହେବା ପାଇଁ ଅନେକ ଆଇନଗତ ବିକଳ୍ପ ମଧ୍ୟ ରହିଛି ।

ସିଆରପିସି ଧାରା ୩୭୪ରେ ଥିବା ବ୍ୟବସ୍ଥା ଅନୁଯାୟୁ ରାହୁଲ ଗାନ୍ଧୀ ଏହି ଦଣ୍ଡାଦେଶକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ । ଯଦି ସେସନ୍ସ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିଲାନି ତେବେ ସେସନ୍ସ କୋର୍ଟ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିହେବ । ସେହିପରି ସିଆରପିସିର ଧାରା ୩୮୯ ଅନୁଯାୟୀ ଆବେଦନକାରୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାପାଇଁ ମଧ୍ୟ ଆବେଦନ କରିପାରିବେ । ସମ୍ବିଧାନର ଧାରା ୧୩୬ ଅଧୀନରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇପାରିବେ ।