୧୮ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ : ଆରମ୍ଭ ହେବ ’ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’

1 min read

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବରେ ଲାଗିଛି ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ବିଧାନସଭା ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି ।

ଓଡ଼ିଶାରେ ଜନଜାତି ସମ୍ପ୍ରଦାୟର ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବାକୁ ସରକାର ’ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ‘ କାର୍ଯ୍ୟକ୍ରମ ଆରମ୍ଭ କରିବେ  । ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ସାଢେ ୧୪ ଲକ୍ଷ ଜନଜାତି ପରିବାରକୁ ଚାଷ ଏବଂ ଏ ସମ୍ପର୍କିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ  ।  ଆସନ୍ତା ଆର୍ଥିକ ବର୍ଷରୁ ୨୦୨୫-୨୬ ମଧ୍ୟରେ  ୫୦୦ କୋଟି ବିନିଯୋଗ କରିବେ ସରକାର  ।  ଜନଜାତି ହିତାଧିକାରୀଙ୍କ ଆୟ ବଢାଇବାକୁ ଉନ୍ନତମାନର ମଞ୍ଜି, ସାର ଓ ଜଳସେଚନ ସୁବିଧା ସୃଷ୍ଟି କରାଯିବ  । ଏ ପ୍ରସ୍ତାବରେ କ୍ୟାବିନେଟ୍ ହଁ ମାରିଛି ।  ରାଜ୍ୟରେ କଣ୍ଟ୍ରୋଲ ଡିଲର ମାନଙ୍କର ଲାଇସେନସକୁ ବର୍ଷେ ବୃଦ୍ଧି କରାଯାଇଛି । ଯେଉଁ ଡିଲର ମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ , ସାଧାରଣ ବଣ୍ଟନ ବ୍ୟବସ୍ଥାର ପରିଚାଳନା ପାଇଁ ସେମାନଙ୍କ ଲାଇସେନ୍ସକୁ  ଆସନ୍ତା ୨୦୧୪ ମାର୍ଚ୍ଚ ୨୪ ଯାଏଁ ସରକାର ବୃଦ୍ଧି କରାଇଛନ୍ତି ।

ରାଜ୍ୟରେ ଦିନକୁ ଦିନ ସାଇବର ଠକାମୀ ସହ ଚିଟ୍ ଫଣ୍ଡରେ ଲୋକ ଠକାମୀର ଶିକାର ହେଉଛନ୍ତି । ରାଜ୍ୟରେ ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଇବା ଏବଂ ଡିବିଟି ନଗଦ ବିହୀନ କରାବାର ଓ ଡିଜିଟାଲ ବ୍ୟୟ ବ୍ୟବସ୍ଥାର ବ୍ୟାପକ ପ୍ରଚାର ପ୍ରସାର ପାଇଁ କ୍ୟାଡର ପୁର୍ନଃଗଠନ କରାଯିବ  ।  ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଦେଇଛି ସବୁଜ ସଙ୍କେତ  । ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି  ।  ମାତ୍ର ଏ ଆଇନରେ ଅନେକ ତ୍ରୁଟି ଥିବାରୁ ସରକାର ନୂଆ ନିୟମ ପ୍ରଣୟନ କରିବେ , ପ୍ରସ୍ତାବିତ ଆଇନରେ ସମସ୍ତଙ୍କ ସ୍ବାର୍ଥକୁ ଗୁରୁତ୍ବ ମିଳିବା ସହ ଆପାର୍ଟମେଣ୍ଟ ମାଲିକଙ୍କ ସମ୍ପର୍କରେ ସ୍ପଷ୍ଟ ପ୍ରାବଧାନ ରହିବ ।

ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ଅଧିକାରୀ ଓ ସହାୟକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ  । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିବା ଦ୍ବାରା ଏଣିକି ନୂଆ ବ୍ୟବସ୍ଥାରେ ପଦନ୍ମୋତି ମିଳିବ  । ବାସଗୃହ ପ୍ରକଳ୍ପ ପାଇଁ ଲିଜ୍ ସୂତ୍ରରେ ଆବଣ୍ଟିତ ଜମି ଓ ପିପିଟି ମୋଡରେ ବିକଶିତ ପ୍ରକଳ୍ପ ସହ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଏବଂ ଉନ୍ନୟନ କତୃପକ୍ଷ ସପକ୍ଷରେ ଲିଜ୍ ହୋଇଥିବା ଜମିର ଫ୍ରି ହୋଲ୍ଡ ସିତିକୁ ରୂପାନ୍ତର କରାଯିବ  । ଏହାଦ୍ବାରା ଆବଣ୍ଟନ ଗ୍ରାହୀ ମାନେ ପାଇଥିବା ଘରକୁ ଭୋଗ ଦଖଲ କରିପାରିବେ । କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ  ।

ଭାରତ ସରକାରଙ୍କ ଆଇଆରଟିଏସରୁ ମନୋଜ କୁମାର ମିଶ୍ରଙ୍କ ଇସ୍ତଫା ପରେ ତାଙ୍କୁ ରାଜ୍ୟ ସରକାର ପ୍ରମୁଖ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି  । ଏହାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିଭଳି ପଞ୍ଚାୟତରାଜ୍ ଓ ପାନୀୟଜଳ ବିଭାଗରେ ସରକାର ୩୧୪ଟି ଦ୍ବିତୀୟ ଶ୍ରେଣୀ ପଦବୀକୁ ଉଚ୍ଛେଦ କରିବେ । ୧୦୩ଟି ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପଦ ସୃଷ୍ଟି ହେବ  ।

ସେହିଭଳି ଓଡ଼ିଶା ସରକାରଙ୍କ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ  ବା ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ।  ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷଜମିକୁ ଅଣଚାଷ ଉଦ୍ଦେଶ୍ୟରେ କିସମ ପରିବର୍ତ୍ତନ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ।

ଓଡ଼ିଶା ପଞ୍ଚାୟତରାଜ୍ ଯାନ୍ତ୍ରିକସେବା ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ । ପଞ୍ଚାୟତରଜା କ୍ୟାଡରର ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡକୁ ପଦନ୍ମୋତି ମିଳିବ । ଆହୁରି ସମବାୟ ସେବାରେ କାର୍ଯ୍ୟରତ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀକୁ ସଂଗଠିତ ଓ ପଦନ୍ମୋତିକୁ ତ୍ବରାନ୍ବିତ  କରିବା ପାଇଁ ସମବାୟ ସେବା ନିୟମରେ ସଂଶୋଧିତ କରାଯିବ ।