ବ୍ରିଜଭୂଷଣ ଜେଲ୍ ନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ: ଆନ୍ଦୋଳନରତ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ସମସ୍ୟା ଆଗକୁ ବଢ଼ିପାରେ । ବ୍ରିଜଭୂଷଣଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନ କରୁଛନ୍ତି । ବିଭିନ୍ନ ରାଜନୈତିକ ଦଳ ସହ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ଅନ୍ୟପକ୍ଷରେ ବିଜେପି ସମର୍ଥିତ କିଛି ନେତା କୁସ୍ତିଯୋଦ୍ଧାଙ୍କ ଧାରଣାକୁ ମିଛ ବୋଲି କହୁଛନ୍ତି ।

ଏମିତି କି ଗତକାଲି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପିଟି ଉଶା ମଧ୍ୟ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଥିଲେ । କୁସ୍ତିଯୋଦ୍ଧାଙ୍କ କହିବା କଥା ଆମେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତିଛୁ । ଦେଶର ସମ୍ମାନ ପାଇଁ ଆମେ ସବୁକିଛି କରିଛୁ । ହେଲେ ଜଣେ ନାବାଳିକା ସମତେ ୭ ଜଣଙ୍କ ସହ ବ୍ରିଜଭୂଷଣ ଯେଉଁ ଯୌନ ନିର୍ଯାତନା କରିଛନ୍ତି ତାଙ୍କୁ ଦଣ୍ଡ ମିଳିବା ଆବଶ୍ୟକ । ଆଗକୁ ଯେପରି କ୍ରୀଡ଼ା କ୍ଷେତ୍ରରେ କେହି ଶୋଷଣର ଶିକାର ନହୁନ୍ତି ।

ସରକାର ଆମ ଗୁହାରୀ ଶୁଣି ନ୍ୟାୟ ପ୍ରଦାନ କରନ୍ତୁ । ଅନ୍ୟପକ୍ଷରେ ସରକାର ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାର କୁସ୍ତିଯୋଦ୍ଧାଙ୍କ ଦାବିକୁ ମାନି ନେଇଛନ୍ତି । ଶୁକ୍ରବାର ସଲିସିଟର ଜେନେରାଲ ଏନେଇ ସୂଚନା ସୁପ୍ରିମକୋର୍ଟରେ ଦେଇଛନ୍ତି । ଏହାରି ମଧ୍ୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଯେ ବ୍ରିଜଭୂଷଣଙ୍କୁ ସମସ୍ତ ପଦରୁ ହଟାଯାଉ ଏବଂ ଜେଲ ପଠାଯାଉ ।

ସାମ୍ବାଦିକ ସମ୍ମିଳନୀ କରି କୁସ୍ତିଯୋଦ୍ଧାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେମାନଙ୍କ ଧାରଣା ଏବେ ସମାପ୍ତ ହେବ ନାହିଁ । ସୂଚନାଥାଉକି, ଏପର୍ଯ୍ୟନ୍ତ ସୁଦ୍ଧା କୁହାଯାଉଥିଲା ଯେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ କୁସ୍ତିଯୋଦ୍ଧାମାନେ ଧାରଣା ସମାପ୍ତ କରିଦେବେ କିନ୍ତୁ ଏପରି କରିବାକୁ ସେମାନେ ସ୍ପଷ୍ଟ ମନା କରିଦେଇଛନ୍ତି । ବିନେଶ ଫୋଗାଟ କହିଛନ୍ତି ଯେ, ଆମକୁ ସୁପ୍ରିମକୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।

ବ୍ରିଜବୂଷଣଙ୍କୁ ସମସ୍ତ ପଦରୁ ହଟାଯାଉ । ସେ ନିଜ ପଦର ଦୁରୁପଯୋଗ କରିପାରନ୍ତି । ଆମେ କୌଣସି ବି କମିଟି ବା କମିଟିର ସଦସ୍ୟଙ୍କ ଉପରେ ଭରସା ନାହିଁ । ଏ ଲଢେଇ କେବଳ ଏଫଆଇଆର ପର୍ଯ୍ୟନ୍ତ ସୀମିତ ନୁହେଁ ବ୍ରିଜ ଭୂଷଣଙ୍କୁ ଦଣ୍ଡ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । ବ୍ରିଜଭୂଷଣଙ୍କୁ ଜେଲକୁ ପଠାଯାଉ ।