spot_img
Home Blog Page 971

ମଝି ସମୁଦ୍ରରେ ବଡ଼ ଦୁର୍ଘଟଣା, ତେଲ ଟ୍ୟାଙ୍କର ଓ ମାଲବାହୀ ଜାହାଜ ଧକ୍କା

ନନ୍ଦିଘୋଷ ବ୍ୟୁରୋ ; ଉତ୍ତର ସାଗରରେ ବଡ଼ ଦୁର୍ଘଟଣା ଘଟିଛି । ଇଷ୍ଟ ୟର୍କସାୟର ଉପକୂଳରୁ ପ୍ରାୟ ୧୦ ମାଇଲ ଦୂରରେ ତେଲ ଟ୍ୟାଙ୍କର୍ ଓ ମାଲବାହୀ ଜାହାଜ ଧକ୍କା ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଗ୍ରିମ୍ସବିରେ ୩୨ ଜଣଙ୍କୁ କୂଳକୁ ଅଣାଯାଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ତେଲ ଟ୍ୟାଙ୍କର ଓ ମାଲବାହୀ ଜାହାଜଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା ।  ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ, ଉଦ୍ଧାର କାର୍ଯ୍ୟରେ ଲାଇଫବୋଟ୍ ଏବଂ ତଟରକ୍ଷୀ ହେଲିକପ୍ଟର ନିୟୋଜିତ କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ବନ୍ଦର ମୁଖ୍ୟ ଅନୁସାରେ, ଉତ୍ତର ସାଗରରେ ଏକ ତେଲ ଟ୍ୟାଙ୍କର ଏବଂ ମାଲବାହୀ ଜାହାଜ ମଧ୍ୟରେ ଧକ୍କା ହୋଇଥିଲା।

ଜାହାଜ ଚଳାଚଳ କମ୍ପାନୀ କହିବାନୁସାରେ, ଷ୍ଟେନା ଇମାକୁଲେଟ୍ ନାମକ ଟ୍ୟାଙ୍କରରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଟ୍ୟାଙ୍କରରୁ ଘନ ଧୂଆଁ ବାହାରୁଥିବାର ଦେଖାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମୁଦ୍ରରେ ଏହା ଦ୍ୱିତୀୟ ବଡ଼ ଦୁର୍ଘଟଣା। ନିକଟରେ, ୟେମେନ ଏବଂ ଜିବୋଟି ମଧ୍ୟରେ ପ୍ରବାସୀଙ୍କୁ ନେଇ ଯାଉଥିବା ଚାରୋଟି ଡଙ୍ଗା ବୁଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୧୮୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଦୁର୍ଘଟଣାକୁ ନିଶ୍ଚିତ କରି, ଜାତିସଂଘର ଆନ୍ତର୍ଜାତୀୟ ପ୍ରବାସ ସଂଗଠନ ଏହାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ପ୍ରବାସ ପଥ ମଧ୍ୟରୁ ଗୋଟିଏ ଭାବରେ ବର୍ଣ୍ଣନା କରିଛି।

ଜର୍ମାନୀରେ ଦିନିକିଆ ଧର୍ମଘଟ ଯୋଗୁଁ ବିମାନ ଯାତ୍ରା ପ୍ରଭାବିତ, ୩୪୦୦ ଉଡ଼ାଣ ବାତିଲ

ନନ୍ଦିଘୋଷ ବ୍ୟୁରୋ ; ଜର୍ମାନୀର ବିମାନବନ୍ଦରର କର୍ମଚାରୀମାନେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ ଡାକରା ଦେଇଥିଲେ । ଯାହା ଫଳରେ ସୋମବାର ୧୩ଟି ପ୍ରମୁଖ ବିମାନବନ୍ଦରରେ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ଧର୍ମଘଟ ଲାଗି ପ୍ରାୟ ୫ ଲକ୍ଷ ଯାତ୍ରୀଙ୍କୁ ପ୍ରଭାବିତ ହୋଇଛନ୍ତି । ଏହି ଧର୍ମଘଟ ଫଳରେ ଜର୍ମାନୀର ୧୩ଟି ପ୍ରମୁଖ ବିମାନବନ୍ଦରରେ ୩,୪୦୦ ଉଡ଼ାଣ ବାତିଲ ହୋଇଥିଲା । ପ୍ରକୃତରେ, ଦେଶରେ ୨୫ ଲକ୍ଷ ସରକାରୀ କର୍ମଚାରୀ ଥିବା ଭର୍ଡି ୟୁନିଅନ ଦରମା ବୃଦ୍ଧି ଦାବି କରି ଏହି ଧର୍ମଘଟ ଘୋଷଣା କରିଥିଲା। ଏହି ଧର୍ମଘଟରେ ଗ୍ରାଉଣ୍ଡ ଷ୍ଟାଫ୍, ପାଇଲଟ୍ ଏବଂ କ୍ୟାବିନ କ୍ରୁ ସମେତ ଅନେକ ବିମାନ କର୍ମଚାରୀ ସାମିଲ ଅଛନ୍ତି। କର୍ମଚାରୀ ସଂଘଗୁଡ଼ିକ କହିଛନ୍ତି, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ କର୍ମକ୍ଷେତ୍ରରେ ଚାପ ଯୋଗୁଁ ଦରମା ବୃଦ୍ଧି ଜରୁରୀ।

ଧର୍ମଘଟ ଯୋଗୁଁ, ଅଧିକାଂଶ ଜର୍ମାନ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଜର୍ମାନ ସମୟ ଅନୁସାରେ, କର୍ମଚାରୀମାନଙ୍କର ଏହି ଧର୍ମଘଟ ସୋମବାରରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏହା ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ଆରମ୍ଭ ହୋଇଥିଲା।

ସିନ୍ଧୁ ନଦୀରୁ ମିଳିଲା ୮୦ ହଜାର କୋଟି ଟଙ୍କାର ସୁନା, କ’ଣ ରହିଛି ଭାରତ ସହ ସମ୍ପର୍କ ?

ନନ୍ଦିଘୋଷ ବ୍ୟୁରୋ : ଭାରତରୁ ୪୦୦ କିଲୋମିଟର ଦୂର ପାକିସ୍ତାନର ଅଟକରେ ସିନ୍ଧୁ ନଦୀ ଭିତରେ ୮୦ ହଜାର କୋଟି ଟଙ୍କାର ସୁନା ଭଣ୍ଡାର ମିଳିଛି। ପାକିସ୍ତାନ ସରକାର ଏବେ ନଦୀ ଭିତରୁ ଏହି ସୁନା ଖୋଳି ବାହାର କରିବାକୁ ବିଚାର କରୁଛନ୍ତି। ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନ ମଧ୍ୟ କୁହାଯାଏ। ବ୍ରିଟାନିକା ଅନୁଯାୟୀ, ସିନ୍ଧୁ ନଦୀର ମୋଟ ଲମ୍ବ ୩୨୦୦ କିଲୋମିଟର। ଏହା ତିବ୍ଦତରୁ ଆରମ୍ଭ ହୋଇ ଭାରତ ଏବଂ ପାକିସ୍ତାନ ଦେଇ ଗତି କରି ଆରବ ସାଗରରେ ଶେଷ ହୋଇଛି ।ରିପୋର୍ଟ ଅନୁଯାୟୀ, ଭୂତତ୍ତ୍ୱବିତମାନେ ଆକଳନ କରିଛନ୍ତି ଯେ ନଦୀ ଭିତରେ ବିପୁଳ ପରିମାଣର ସୁନା ଅଛି। ନଦୀ ଭିତରେ ମିଳୁଥିବା ସୁନାକୁ ପ୍ଲେସର ଗୋଲ୍ଡ କୁହାଯାଏ। ନଦୀରୁ ମିଳିଥିବା ସୁନା ଖଣ୍ଡଗୁଡ଼ିକ ସମତଳ କିମ୍ବା ସମ୍ପୂର୍ଣ୍ଣ ଗୋଲାକାର। ତଦନ୍ତ ସମୟରେ ଜଣାପଡିଲା ଯେ ଏହି ସୁନାର ମୂଲ୍ୟ ପ୍ରାୟ ୮୦ ହଜାର କୋଟି ଟଙ୍କା ହେବ । ପାକିସ୍ତାନ ସରକାର ଏବେ ନୀରବରେ ଏହାକୁ ହଟାଇବାରେ ନିୟୋଜିତ ଅଛନ୍ତି।

ଭାରତ ସହିତ ସିନ୍ଧୁ ନଦୀର କ’ଣ ସମ୍ପର୍କ?

ସିନ୍ଧୁ ନଦୀର ଇତିହାସ ହଜାର ହଜାର ବର୍ଷ ପୁରୁଣା। ପୃଥିବୀର ସବୁଠାରୁ ପ୍ରାଚୀନ ସଭ୍ୟତା ମଧ୍ୟରୁ ଗୋଟିଏ ହେଉଛି ସିନ୍ଧୁ ଉପତ୍ୟକା ସଭ୍ୟତା। କୁହାଯାଉଛି ହିନ୍ଦୁ ଏବଂ ହିନ୍ଦୁସ୍ତାନ ନାମରୁ ସିନ୍ଧୁ ବିସ୍ତାରିତ ନାମ ସୃଷ୍ଟି ହୋଇଛି । ଖ୍ରୀଷ୍ଟପୂର୍ବ ପ୍ରାୟ ୩୦୦ ବେଳକୁ, ଯେତେବେଳେ ଆଲେକଜାଣ୍ଡାର ଭାରତ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ, ସେ ସିନ୍ଧ ନଦୀ କୂଳରେ ଅଟକି ଯାଇଥିଲେ। ସେ  ସିନ୍ଧୁ ନଦୀ ଆରପାରିକୁ ଯାଇପାରିଲେ ନାହିଁ । ସ୍ୱାଧୀନତା ପରେ, ସିନ୍ଧୁ ନଦୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଭକ୍ତ ହୋଇଥିଲା। ସିନ୍ଧୁ ନଦୀ ଭାରତର ଲଦାଖ ଅଞ୍ଚଳ ଦେଇ ପ୍ରବାହିତ ହୁଏ। ଏହା ପିଓକେ ଦେଇ ଗିଲଗିଟ ଏବଂ ଆଟକ୍ ଆଡକୁ ଯାଇଛି । ଶ୍ୟୋକ୍, ଗିଲଗିଟ୍, ଜସ୍କର, ହୁଞ୍ଜା, ନୁବ୍ରା, ଶିଗର, ଘାଷ୍ଟିଂ ଏବଂ ଦ୍ରାସ୍ ନଦୀ ଏହାର ଶାଖା ନଦୀ। ସିନ୍ଧୁ ନଦୀର ଅଧିକାଂଶ ଜଳକୁ ପାକିସ୍ତାନ ନିୟନ୍ତ୍ରଣ କରେ। ଏହି ନଦୀ ପାକିସ୍ତାନ ପାଇଁ ଜୀବନଦାତା ଭାବରେ କାର୍ଯ୍ୟ କରେ। ସିନ୍ଧୁ ଉପତ୍ୟକାର ନିମ୍ନ ଭାଗରେ କୃଷିଜୀବୀ ଲୋକମାନେ ବାସ କରନ୍ତି, ଯେଉଁମାନେ ସିନ୍ଧୀ ଏବଂ ସମ୍ପର୍କିତ ଉପଭାଷା କହନ୍ତି।

ସିରିଆରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନରସଂହାର, ସାହାଯ୍ୟ ଲାଗି ଭାରତକୁ ଗୁହାରୀ କଲେ ସଂଖ୍ୟାଲଘୁ

ନନ୍ଦିଘୋଷ ବ୍ୟୁରୋ : ସିରିଆରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନରସଂହାର। ବର୍ତ୍ତମାନ ସୁଦ୍ଧ ହଜାରେରୁ ଅଧିକ ନାଗରିକଙ୍କ ମୃତ୍ୟୁେ ହୋଇସାରିଲାଣି। ସିରିଆ ସେନା ଓ ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି। ୨୦୧୧ ଗୃହଯୁଦ୍ଧ ପରେ ସିରିଆରେ ସର୍ବାଧିକ ସଂଖ୍ଯକ ସଂଖ୍ଯାଲଘୁ ଲୋକଙ୍କ ମୃତ୍ୟୁ। ଲୋକଙ୍କ ଉପରେ ଅତ୍ଯାଚାର ବଢିଚାଲିଥିବାରୁ ସାହାଯ୍ୟ ଲାଗି ଭାରତକୁ ଗୁହାରୀ କରିଛନ୍ତି ସିରିଆରେ ଥିବା ସଂଖ୍ଯାଲଘୁ ଗୋଷ୍ଠୀ। ସିରିଆ ସେନା ଓ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ୍ ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ଭୀଷଣ ସଂଘର୍ଷ ଜାରି ରହିଛି। ଏହି ହିଂସାକାଣ୍ଡରେ ହଜାରେରୁ  ଅଧିକ ଲୋକ ପ୍ରାଣ ହରାଇଛନ୍ତି।  ଦୁଇ ଦିନ ମଧ୍ୟରେ ସୁରକ୍ଷାବାହିନୀ ସହ ସଂଖ୍ୟାଲଘୁ ଅଲାଭି ମୁସଲମାନ ସମ୍ପ୍ରଦାୟର ୭୪୫ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଫାଶୀ ଦିଆଯାଇଛି। ଏହାବ୍ୟତୀତ ୧୪୮ ଜଣ ଅସଦ ସମର୍ଥକ ଯୋଦ୍ଧା ମଧ୍ୟ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଅସଦ ସମର୍ଥକଙ୍କ ଆକ୍ରମଣରେ ୧୨୫ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।ଅସଦଙ୍କ ସମର୍ଥକ ଯୋଦ୍ଧାମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପରେ ହିଂସାକାଣ୍ଡ ଘଟିଥିଲା। ସେପଟେ ଆବାସିକ ଅଂଚଳରେ ସୁରକ୍ଷା ବାହିନୀ ବୋମାମାଡ଼ କରିବା ପରେ ପରିସ୍ଥିତି ଭୟାନକ ରୂପ ନେଇଥିଲା। ସୁରକ୍ଷାବାହିନୀ କେତେକ ଅସଦ ସମର୍ଥକଙ୍କୁ ଗିରଫ କରିବାକୁ ଚେଷ୍ଟା କରିବାରୁ ସଂଘର୍ଷ ଆରମ୍ଭ ହୋଇଥିଲା। ଏହାପରେ ସରକାର ଲାଟାକିଆ ଓ ଟାର୍ଟାସରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛନ୍ତି। ଏଥିସହ ହିଂସା ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି।

ବିଦେଶରୁ ସୁନା ସ୍ମଗଲିଂ କରୁଥିବା ଅଭିନେତ୍ରୀ ରାନ୍ୟା ଆଣିଲେ ନିର୍ଯାତନା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ବିଦେଶରୁ ସୁନା ସ୍ମଗଲିଂ ଘଟଣାରେ ଅଭିନେତ୍ରୀ ରାନ୍ୟା ଗିରଫ ଘଟଣା। ତଦନ୍ତକାରୀ ସଂସ୍ଥା ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ରାନ୍ୟା ରାଓ। ତଦନ୍ତବେଳେ ଡିଆରଆଇ ଅଧିକାରୀ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ରାନ୍ୟା । ମାନସିକ ନିର୍ଯାତନା ସହ ଗାଳିକୁ ସହ୍ୟ କରିପାରିନଥିବା କହିଲେ ରାନ୍ୟା । ରାନ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ ଏ ବିଷୟରେ କହିଛନ୍ତି। ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଡିଆରଆଇର ଅଧିକାରୀମା‌ନେ ମାଡ଼ ମାରି ନାହାନ୍ତି କିନ୍ତୁ ପ୍ରଚୁର ମାତ୍ରାରେ ମାନସିକ ନିର୍ଯାତନା ଦେବା ସହିତ ଗାଳିଗୁଲଜ କରିଥିବା କହିଛନ୍ତି। ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ସୁନା ଚୋରା ଚାଲାଣ ମାମଲାରେ ଗିରଫ କରାଯାଇଛି। ଗିରଫ ପରେ ରାନ୍ୟାଙ୍କୁ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଆଜି ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ ରାନ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ ଏକଥା  କହିଥିଲେ। ରାନ୍ୟାଙ୍କ ଏଭଳି ଅଭିଯୋଗ ପରେ ଡିଆରଆଇ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି। ରାନ୍ୟାଙ୍କୁ ଯାଞ୍ଚ ସମୟରେ କୌଣସି ପ୍ରକାର ଗାଳିଗୁଲଜ କି ମାନସିକ ନିର୍ଯାତନା ଦିଆଯାଇ ନାହିଁ ବୋଲି କହିଛନ୍ତି ଅଧିକାରୀ। ଓଲଟି ସେ ଯାଞ୍ଚରେ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି। ପ୍ରମାଣ ଦେଖାଇବା ପରେ ବି ସେ ନିଜ ଦୋଷକୁ ସ୍ବୀକାର ନକରି ଅଯଥା କଥାକୁ ଓଲଟପାଲଟ କରି କହୁଛନ୍ତି ବୋଲି କହିଛନ୍ତି ଡିଆରଆଇ ଅଧିକାରୀ। ଗତବର୍ଷ ୩୦ ଥର ଦୁବାଇକୁ ଯାଇଥିଲେ ରାନ୍ୟା। ଶେଷରେ ଧରାପଡିଥିଲା ରାନ୍ୟାଙ୍କ ଗୁମର। ତାଙ୍କ ନିକଟରୁ ଜବତ ହୋଇଥିଲା ପ୍ରାୟ ୧୩ କୋଟି ଟଙ୍କାର ସୁନା। ତେଣେ ବେଙ୍ଗାଳୁରୁସ୍ଥିତ ଘରେ ରେଡ ହେବା ପରେ ମୋଟ ୧୭ କୋଟି ୨୯ ଲକ୍ଷ ଟଙ୍କା ଜବତ ହୋଇଥିଲା। ସୁନା ସ୍ମଗଲିଂ ଲାଗି ରାନ୍ୟାଙ୍କୁ କିଲୋ ପିଛା ଦିଆଯାଉଥିଲା ୧ ଲକ୍ଷ ଟଙ୍କା। ସେ ପ୍ରତିଥର ପ୍ରାୟ ୧୨/୧୩ କିଲୋ ସୁନା ଆଣୁଥିବାରୁ ଟ୍ରିପ ପିଛା ତାଙ୍କୁ ପ୍ରାୟ ୧୨-୧୩ ଲକ୍ଷ ଟଙ୍କା ମିଳୁଥିଲା। ବିମାନବନ୍ଦର କର୍ମଚାରୀଙ୍କ ଆଖିରେ ଧୂଳି ତେବା ଲାଗି ସେ ବ୍ଯବହାର କରୁଥିଲେ ମଡିଫାଏଡ ଜ୍ୟାକେଟ। ବିମାନ ବନ୍ଦରରୁ ଖସିଯିବା ଲାଗି ତାଙ୍କୁ ଜଣେ ପୋଲିସ କନଷ୍ଟେବଳ ସହାୟତା କରୁଥିଲେ। ବରିଷ୍ଠ ପୋଲିସ ଅଧିକାରୀ, ନେତା ଏହି ରାକେଟ ପଛରେ ଥିବା ସନ୍ଦେହ କରାଯାଉଛି।

ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ, ବିସ୍ତୃତ ଆଲୋଚନା ପାଇଁ ରାହୁଲ ଗାନ୍ଧିଙ୍କ ଦାବି

ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି, ସାରା ଦେଶରେ ଭୋଟର ତାଲିକା ଉପରେ ପ୍ରଶ୍ନ ଉଠିଛି। ଏହା ଉପରେ ଆଲୋଚନା ହେବା ଦରକାର। ସମସ୍ତ ବିରୋଧୀ ଦଳ ଚାହୁଁଛନ୍ତି ଆଲୋଚନା ହେଉ।କାରଣ କିଛି ଦିନ ତଳେ ଏକାଧିକ ଭୋଟର ପରିଚୟ ପତ୍ରର ସମାନ ନମ୍ଵର ଥିଲା। ଏହା ଦ୍ଵାରା ଭୋଟରେ ଜାଲିଆତି କରାଯିବାର ଆଶଙ୍କା ରହିଛି। ତାଙ୍କୁ ଟିଏମସି ମଧ୍ୟ ସମର୍ଥନ କରିଛି। ସାଂସଦ ସୌଗାତ ରାୟ କହିଛନ୍ତି, ତାଙ୍କ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ଚାହୁଁଛି। ଏ ସଂପର୍କରେ ନିର୍ବାଚନ କମିଶନଙ୍କୁ ଆଗରୁ ମଧ୍ୟ ଅବଗତ କରାଯାଇଛି। ଆସନ୍ତାକାଲି ଏ ସଂପର୍କରେ ନିର୍ବାଚନ କମିଶନଙ୍କୁ ଭେଟିବାର ଅଛି।

ଭୂପେଶ ବଘେଲଙ୍କ ଘରେ ଚଢାଉ କରିଥିବା ଇଡି ଟିମ୍ ଉପରେ ଆକ୍ରମଣ

ରାୟପୁର : ଛତିଶଗଡ଼ର ମଦ ଦୁର୍ନୀତି ମାମଲାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ତାଙ୍କ ପୁଅ ଏବଂ ଅନ୍ୟମାନଙ୍କ ଘର ଉପରେ ଚଢାଉ କରିଛି। କିନ୍ତୁ ଚଢାଉ ସମୟରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଚଢାଉ ପରେ ସେ ଘରୁ ବାହାରକୁ ଯାଉଥିବା ସମୟରେ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଇଡି ଅନୁସାରେ ଆକ୍ରମଣ ବିରୋଧରେ ଏକ ଏଫଆଇଆର ଦାଖଲ କରିବ। ଚଢାଉ ସମୟରେ, ତଦନ୍ତକାରୀ ସଂସ୍ଥା ବାଘେଲଙ୍କ ଘରୁ ପ୍ରାୟ ୩୩ ଲକ୍ଷ ଟଙ୍କା ନଗଦ, ଏକ ପେନଡ୍ରାଇଭ ଏବଂ କିଛି କାଗଜପତ୍ର ଜବତ କରିଛି । ଯାହାର ତଦନ୍ତ ଚାଲିଛି। ୧୧ ଘଣ୍ଟାର ଦୀର୍ଘ ପଚରାଉଚରା ପରେ, ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନ ଛାଡିଛି। ଏହି ସମୟରେ ଇଡିର ଡେପୁଟି ଡାଇରେକ୍ଟର ସ୍ତରୀୟ ଅଧିକାରୀଙ୍କ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଆକ୍ରମଣ ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ଇଡି କହୁଛି। ସଂସ୍ଥା ଏକ ଏଫଆଇଆର ଦାଖଲ କରିବ।

ଏହି ସମୟରେ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ଚଢାଉକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ପାର୍ଟି ଅଭିଯୋଗ କରିଛି ଯେ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କ ସାମ୍ନାରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନ ହଟାଇବା ଉଦ୍ଦେଶ୍ୟରେ ଇଡି ଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଚଢାଉ କରାଯାଇଥିଲା।

ଚଢାଉ ପରେ ବଘେଲ କହିଥିଲେ ଯେ ମୁଁ ମୃତ୍ୟୁକୁ ଭୟ କରେ ନାହିଁ। ଭୂପେଶ ନିର୍ବାଚନ ଲଢ଼ିବାକୁ କିମ୍ବା ମୃତ୍ୟୁକୁ ଭୟ କରନ୍ତି ନାହିଁ। ଏହି ସମୟରେ ସେ ଅନେକ ବରିଷ୍ଠ ନେତାଙ୍କ ସହିଦ ହେବାର ମଧ୍ୟ ଉଲ୍ଲେଖ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବଘେଲଙ୍କ ବାସଭବନ ବାହାରେ ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଅଛନ୍ତି। ଅଧିକାରୀମାନେ ସେଠାରୁ ଚାଲିଯାଇଛନ୍ତି। ଅଧିକାରୀ ଜଣକ କାନ୍ଧରେ ଏକ ଲାପଟପ୍ ବ୍ୟାଗ୍ ଧରି ଫେରୁଥିବାର ଦେଖାଯାଇଥିଲା। ଆଜି ସକାଳେ ଦଳ ଚଢାଉ ହୋଇଥିଲା । ପୂର୍ବରୁ, ମଦ ଦୁର୍ନୀତି ମାମଲାରେ ଭୂପେଶ ବାଘେଲଙ୍କ ପୁଅ ବିରୋଧରେ ମନି ଲଣ୍ଡରିଂ ତଦନ୍ତର ଅଂଶ ସ୍ୱରୂପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଚଢାଉ କରିଥିଲା।

ଇଡି ଚଢାଉ ପରେ, ବହୁ କଂଗ୍ରେସ ନେତା ଏବଂ କର୍ମୀ ଭିଲାଇରେ ଭୂପେଶ ବଘେଲଙ୍କ ଘର ବାହାରେ ପହଞ୍ଚି ଏହା କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ବୋଲି ଦାବି କରିଥିଲେ। ପୂର୍ବରୁ, ଇଡି ଦାବି କରିଥିଲା ​​ଯେ ମଦ ଦୁର୍ନୀତି ଯୋଗୁଁ ରାଜ୍ୟର ରାଜସ୍ୱକୁ ବହୁତ କ୍ଷତି ହୋଇଛି। ଏହି କାରଣରୁ, ୨୧୦୦ କୋଟି ଟଙ୍କାରୁ ଅଧିକ ଆୟ ମଦ ସିଣ୍ଡିକେଟର ହିତାଧିକାରୀଙ୍କ ପାଖକୁ ଗଲା। ଇଡି ଅନୁଯାୟୀ, ଏହି କଥିତ ମଦ ଦୁର୍ନୀତି ୨୦୧୯ ରୁ ୨୦୨୨ ମଧ୍ୟରେ ଘଟିଥିଲା, ଯେତେବେଳେ ଭୂପେଶ ବଘେଲଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଥିଲା। ଏପର୍ଯ୍ୟନ୍ତ, ଇଡି ବିଭିନ୍ନ ଅଭିଯୁକ୍ତଙ୍କଠାରୁ ପ୍ରାୟ ୨୦୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

ରାଜ୍ୟରେ ବିକ୍ରି ହେଉଛି ନକଲି ଔଷଧ ଓ ନିମ୍ନମାନର ଇଞ୍ଜକସନ

ଭୁବନେଶ୍ବର ; ଲୋକଙ୍କ ବିଶ୍ଵାସରେ ବିଷ। ରାଜ୍ଯରେ ବିକ୍ରି ହେଉଛି ନକଲି ଔଷଧ। ବାହାର ରାଜ୍ୟରୁ ଓଡି଼ଶାକୁ ଆସୁଛି ନକଲି ମେଡିସିନ। ଏହା ସହିତ ବିକ୍ରି ହେଉଥିବା ଜିଙ୍କ୍  ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ବିଧାନସଭାରୁ ମିଳିଛି ଏହି ତଥ୍ୟ। ବିଧାନସଭାରେ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା, ହାଇଦ୍ରାବାଦରୁ ଓଡ଼ିଶାକୁ ଆସୁଥିଲା ନକଲି ମେଡିସିନ। ୩ ବର୍ଷରେ ୧୦୩ଟି ମେଡିସିନ ନିମ୍ନ ମାନର ବୋଲି ଧରାପଡ଼ିଛି। ଏଥିପାଇଁ ୪ ସପ୍ଲାୟରଙ୍କ ସମେତ ସେହି ସବୁ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି। ୨୦୨୨-୨୩ ରେ ୪୫ ମେଡ଼ିସିନକୁ ନିମ୍ନ ମାନର ବୋଲି ଦର୍ଶାଯାଇଥିବା ବେଳେ ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ ରେ ୨୬ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି। ବିଧାନସଭାରେ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର : ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏଥି ସହିତ ବାଚସ୍ପତିଙ୍କ ଉପରକୁ ପୋଷ୍ଟର ଫୋପାଡ଼ି ଟଙ୍କିକିଆ ଚକଲେଟ ଦେଇଥିଲେ କଂଗ୍ରେସ ବିଧାୟକ। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜ୍ୟ ସରକାର ନିଷ୍କ୍ରିୟ ଥିବା ବେଳେ ବାଚସ୍ପତି ଏଥିରେ ହସ୍ତକ୍ଷେପ କରୁନାହାଁନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ଆଜି ଦିନ ତମାମ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଛି । ଏହି ପ୍ରସଙ୍ଗରେ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲା । ପରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ଗର୍ଜନ କରିଥିଲେ। ସନ୍ଧ୍ୟାରେ ଗୃହକୁ ସ୍ବାଭାବିକ ସ୍ଥିତିକୁ ଆଣିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ ମାରିଥିଲା । କଂଗ୍ରେସ ଓ ବିଜେଡି ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ଖର୍ଚ୍ଚଦାବି ଆଲୋଚନା ପାଇଁ ବାଚସ୍ପତି ଅନୁମତି ଦେବାରୁ କଂଗ୍ରେସ ବିଧାୟକମାନେ ଅଧିକ ଉତ୍ତେଜିତ ହୋଇଥିଲେ । ପରେ କକ୍ଷତ୍ୟାଗ କରି କଂଗ୍ରେସ ବିଧାୟକମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

ଜାନୁଆରୀରେ ୧୧୧ ହତ୍ୟା, ୨୦ ଡକାୟତି ଏବଂ ଶହେରୁ ଅଧିକ ଦଙ୍ଗା

ଭୁବନେଶ୍ବର ; ରାଜ୍ୟରେ ବିଗିଡିଛି ଆଇନଶୃଙ୍ଖଳା ବ୍ୟବସ୍ଥା, ବଢିଚାଲିଛି ଅପରାଧ ସଂଖ୍ୟା । ଜାନୁଆରୀ ମାସରେ ରେକର୍ଡ ହୋଇଛି ୧୧୧ ହତ୍ୟା ମାମଲା। ସେହିପରି ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା, ୧୪୯ ସାର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ସେହିପରି ୨୦୨୪ରେ ୧୨୫୮ ହତ୍ୟା, ୩୫୬ ଡକାୟତି, ୧୭ହଜାର ୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ, ୧୦୮୨ଯୌନ ନିର୍ଯ୍ୟାତନା, ୧୮୩୯ ସାର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ବିଜେଡି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରଖିଛନ୍ତି ଲିଖିତ ଉତ୍ତର।  ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ନେତୃତ୍ଵାଧୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବିଧାୟକ ରମେଶ ବେହେରା। ସରକାର ଦେଇଥିବା ଉତ୍ତରରେ ଅଧା ସତ ଓ ଅଧା ମିଛ ରହିଛି ବୋଲି କହିଛନ୍ତି। ୨୦୨୫ ଜାନୁଆରୀ ମାସର ତଥ୍ୟ ଯାହା ଦେଇଛନ୍ତି ନୂଆ ସରକାର ଆସିବା ପରେ ତାହା ସ୍ପଷ୍ଟ କରୁଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିଯାଇଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭାଇଚାରାର ରାଜ୍ୟ କୁହାଉଥିବା ଓଡ଼ିଶା ଏଥିଲାଗି ନିନ୍ଦିତ ହେବ ବୋଲି ସେ କହିଛନ୍ତି। ସେପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ମଧ୍ୟ ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରକୁ ସମାଲୋଚନା କରିଛନ୍ତି। ପୋଲିସ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ପୋଲିସକୁ ନିର୍ଦେଶ କି କୌଣସି ଚାପ ପକାଉନାହାନ୍ତି। ଅପରାଧ ନିୟନ୍ତ୍ରଣ ନହେଲେ ସରକାର ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି କହିଛନ୍ତି ସୋଫିଆ।