spot_img
Home Blog Page 967

ଚାଷୀ ନେତା ଅକ୍ଷୟ କୁମାରଙ୍କୁ ଭେଟିଲା ବିଜେଡି ଟିମ

ନନ୍ଦିଘୋଷ ବ୍ୟୁରୋ: ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ନେତା ଅକ୍ଷୟ କୁମାରଙ୍କୁ ଭେଟିଲା ବିଜେଡି ଟିମ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ଅତନୁ ସବ୍ୟସାଚୀ, ପ୍ରଶାନ୍ତ ମୁଦୁଲି, ପ୍ରଫୁଲ ସାମଲ ଓ ପ୍ରତାପ ଜେନା ଅକ୍ଷୟ କୁମାରଙ୍କୁ ଭେଟିଛନ୍ତି । ଏହା ସହ ଅନେକ କୃଷକ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତିି ବିଜେଡିର ବରିଷ୍ଠ ନେତାମାନେ। ଧାନ ମଣ୍ଡିରେ ହେଉଥିବା କଟଣୀ ଛଟଣୀକୁ ବିରୋଧ କରି ଦୀର୍ଘ ୨୫ ଦିନ ହେଲାଣି ଧାରଣାରେ ବସିଛନ୍ତି ଚାଷୀ ନେତା ଅକ୍ଷୟ କୁମାର । ତାଙ୍କୁ ବିଜେଡି ଟିମ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ କଟଣୀ ଛଟଣୀ ବିରୋଧରେ ସ୍ୱର ଉଠାଇବାକୁ ପ୍ରତିଶୃତି ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଚାଷୀ ଏବଂ ଚାଷ ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବା ବୋଲି ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ସେପଟେ ଚାଷୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଅକ୍ଷୟ କୁମାର ।.

ବିଶୃଙ୍ଖଳାର ସୀମା ଟପିଲା ବିଜେପି, ବିରୋଧୀ ବିଧାୟକଙ୍କୁ ଠେଲାପେଲା, ଧସ୍ତାଧସ୍ତି , ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସର ଆହୋରାତ୍ର ଧାରଣା

ନନ୍ଦିଘୋଷ ବ୍ୟୁରୋ:   ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ
                           ବିଶୃଙ୍ଖଳାର ସୀମା ଟପିଲା ବିଜେପି
                           କଲର ଧରିଲେ, ଅସଭ୍ୟ ଭାଷାରେ କଲେ ଗାଳିଗୁଲଜ
                           ବିଜେପି ଯେଉଁଠି, ଦାଦାଗିରି ଓ ଗୁଣ୍ଡାଗିରି ସେଇଠି
ବିଧାନସଭାରେ ସୃଷ୍ଟି ହୋଇଛି ଅଶୋଭନୀୟ ସ୍ଥିତି । ପ୍ରଶ୍ନୋତ୍ତର ବେଳେ ହାତାହାତି ହେଲେ ଶାସକ ଓ ବିରୋଧୀ ବିଧାୟକ । ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ପ୍ରତିବାଦ କରୁଥିଲା ବିଜେଡି । ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରୁଥିଲା କଂଗ୍ରେସ । ଠିକ ଏତିକି ବେଳେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ରଙ୍କ ପାଖକୁ ଯାଇ ହାତ ଯୋଡି ପ୍ରତିବାଦ କରୁଥିବା କଂଗ୍ରେସ ସଦସ୍ୟଙ୍କୁ ମାଡ଼ ମାରିବାକୁ ଧାଇଁ ଆସିଲେ ବିଜେପି ସଦସ୍ୟ। ଆରମ୍ଭ ହେଲା ହାତାହାତି ପରିସ୍ଥିତି। ସ୍ଥିତି ଏପରି ହେଲା ଯେ, କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କଲର ଧରିବାକୁ ପଛାଇ ନଥିଲେ ଜୟ ନାରାୟଣ। ତା ସାଙ୍ଗକୁ ଅଶୋକ ମହାନ୍ତି ଓ ରାଜନ ଏକାଙ୍କ ଧକ୍କା ମରା ଭିଜୁଆଲ ସମସ୍ତଙ୍କୁ ଆଚମ୍ବିତ କରିଥିଲା। ବିଜେପି ଯେଉଁଠି, ଦାଦାଗିରି ଓ ଗୁଣ୍ଡାଗିରି ସେଇଠି । ଧକ୍କା ମରାରୁ ଠେଲାପେଲା, ହାତ ଉଠାଇବାରୁ ପାଟିତୁଣ୍ଡ ପରି ବିଶୃଙ୍ଖଳିତ ଆଚରଣକୁ ପ୍ରଥମ ଥର ପାଇଁ ଦେଖିଲା ଓଡ଼ିଶା। ବିରୋଧୀଙ୍କୁ ପ୍ରତିହତ କରିବାର କାମ ଯେଉଁଠି ମାର୍ଶାଲ ଓ ତାଙ୍କ ଟିମର, ସେଠାରେ କିନ୍ତୁ ବିଜେପି ସଦସ୍ୟ ମାର୍ଶାଲ ସାଜି ବିରୋଧୀଙ୍କୁ କଲେ ଆକ୍ରମଣ। ଏପରି ହିଂସାତ୍ମକ ଆଚରଣ କରିବାକୁ ସରକାରୀ ଦଳକୁ ଅନୁମତି ଦେଲା କିଏ ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତ ମାଡ଼ ମାରିବାକୁ ପ୍ରବର୍ତ୍ତାଇବା ଦୃଶ୍ୟ ରାଜ୍ୟକୁ ନିନ୍ଦିତ କରିଛି। ହେଲେ ବିଜେପିର ଦାଦାଗିରିକୁ କଂଗ୍ରେସ ଡରିବ ନାହିଁ ବୋଲି ରୋକଠୋକ ଚେତାଇ ଦେଇଛନ୍ତି ତାରା ବାହିନୀପତି। ସେହିପରି ସରକାରୀ ଦଳ ବିଧାନସଭା ଇତିହାସର ଏକ କଳା ଦିବସ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ତିନି ଦିନ ହେଲାଣି ଚାଲି ପାରୁନି ବିଧାନସଭା। ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦେଖା ସାକ୍ଷାତ ମିଳୁନି। କିନ୍ତୁ ଗୃହରେ ପ୍ରତିବାଦ ବେଳେ ସରକାରୀ ଦଳ ଯେପରି ଗୁଣ୍ଡାରାଜ ଚଳାଇଲା, ତାକୁ ନିନ୍ଦା କରିଛନ୍ତି ବିରୋଧୀ। ହାତ ଯୋଡି ନଗର ଉନ୍ନୟନ ମନ୍ତ୍ରୀଙ୍କ ଆଗରେ ଗୁହାରି ହୋଇଥିବା କଂଗ୍ରେସ ସଦସ୍ୟ ଯେ ହାତ ଯୋଡ଼ା ବଦଳରେ ବିଜେପି ବିଧାୟକଙ୍କ ହାତାହାତିର ସମ୍ମୁଖୀନ ହେବେ, ତାହା ବିରଳ ଘଟଣା। ସେପଟେ କିନ୍ତୁ ଦୋଷ ଛଡ଼ାଇବାକୁ ଯାଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ବିରୋଧୀ ତାଙ୍କ କଥା ଶୁଣିଲେନି।

ପୂର୍ବ ସରକାରରେ ବି ଗୃହ ଭିତରେ ବିରୋଧୀ ଦଳ ପ୍ରତିବାଦ କରିଛନ୍ତି। ସେ ସମୟରେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ଶାସକ ଦଳର ବରିଷ୍ଠ ବିଧାୟକ ଆସି ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରନ୍ତି। ହେଲେ କେବେ ଆନ୍ଦୋଳନ ଭଣ୍ଡୁର କରିବାକୁ ବିରୋଧୀଙ୍କୁ ଆକ୍ରମଣ କରାଯାଇନାହିଁ। କିନ୍ତୁ ଏବେ ଶାସକ ବିଜେପି ବିରୋଧୀ ବିଧାୟକଙ୍କୁ ଆକ୍ରମଣ କରି ଗଣତନ୍ତ୍ରର ସବୁ ଗରିମାକୁ ଟପିଗଲେ ବୋଲି ଚର୍ଚ୍ଚା ହେଉଛି।

 

ଭକ୍ତଙ୍କ ସହ ଫଗୁ ଅବିର ଖେଳିବେ ମହାପ୍ରଭୁ, ଶ୍ରୀମନ୍ଦିରରେ ଆରମ୍ଭ ପ୍ରସ୍ତୁତି

ଦିନ କେଇଟା ପରେ ଦୋଳ ପୂର୍ଣ୍ଣିମା । ଭକ୍ତଙ୍କ ସହ ଫଗୁ ଅବିର ଖେଳିବେ ମହାପ୍ରଭୁ । ଏନେଇ ଶୀମନ୍ଦିରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଶ୍ରୀମନ୍ଦିରରେ ଦୋଳ ଉତ୍ସବ ପାରମ୍ପରିକ ଭାବରେ ପାଳନ କରାଯାଇଥାଏ । ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଫଗୁ ଓ ଅଭିର ଖେଳିଥାନ୍ତି  । ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବର୍ଣ୍ଣିତ ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କ ସଂଦର୍ଶନ ନିମନ୍ତେ ଦୋଳବେଦୀକୁ କରାଯାଉଛି ସୁ ସଜ୍ଜିତ । ଦୋଳବେଦୀ ଚତୁର୍ପାଶ୍ୱକୁ ସଫା କରାଯାଉଥିବାବେଳେ ଦୋଳବେଦି ଉପରେ ଚାନ୍ଦୁଆ ଲଗାଇବା ପାଇଁ ଲୁହା ସେଡ ଲଗାଯାଇଛି । ୧୯ ଗୋଟି ଚାନ୍ଦୁଆ ଦୋଳବେଦୀରେ ମହାପ୍ରଭୁଙ୍କ ନିମନ୍ତେ ଲଗାଯିବାକୁ ଥିବାବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚାନ୍ଦୁଆ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି  ।

ଶ୍ରୀମନ୍ଦିରରେ ସୁନା ବେଶ ଦର୍ଶନ ନେଇ ଦୋଳ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି  । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ବେଦିକୁ ଆସିବା ପରେ ବାହାର ଓ ଭିତର ପ୍ରଦକ୍ଷଣ କରିବା ସହ ଦୋଳବେଦୀରେ ବିଜେ କରିଥାନ୍ତି  । ଏହି ସମୟରେ ଭକ୍ତମାନେ ଯେଉଁଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l ଖରାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଦୋଳବେଦି ଠାରେ ପାନୀୟ ଜଳ ବ୍ୟବସ୍ଥା ସହ ସେଡର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଦୋଳପୁର୍ଣିମା ପୂର୍ବରୁ ଆଗାମୀ ୧୩ ତାରିଖରେ ସ୍ୱତ୍ରନ୍ତ୍ର ମେଣ୍ଢା ପୋଡ଼ି ନୀତି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିରରେ ସ୍ୱତ୍ରନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି  ।

୭ ଦିନ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ସସପେଣ୍ଡ କଲେ ବାଚସ୍ପତି, ତାରା କହିଲେ..

ନନ୍ଦିଘୋଷ ବ୍ୟୁରୋ: ଶାସକ ବିରୋଧୀ ହାତାହାତି ହେଲେ । ଓଡ଼ିଶା ବିଧାନସଭା ଦେଖିଲା ଏକ କଳଙ୍କିତ ଅଧ୍ଯାୟ । ତେବେ ବାଚସ୍ପତି କେବଳ ବିରୋଧୀ ଦଳ ସଦସ୍ଯଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ତାରାପ୍ରସାଦ ବାହିନୀପତି। ୭ ଦିନ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରିଛନ୍ତି। ତାରା ବାହିନୀପତିଙ୍କ ନିଲମ୍ବନ ବିରୋଧରେ ଗୃହରେ ପ୍ରତିବାଦ କରିଛି କଂଗ୍ରେସ ଓ ବିଜେଡି। ନିଷ୍ପତ୍ତି ପ୍ରତିବାଦରେ ଗୃହକୁ ପରିତ୍ୟାଗ କରିଛି ବିଜେଡି। ଗୃହ ଭିତରେ ମୁହଁରେ କଳା ପଟି ବାନ୍ଧି କଂଗ୍ରେସ ସଦସ୍ୟ ଧାରଣାରେ ବସିଛନ୍ତି। ଏହାସହ ନିଷ୍ପତ୍ତିକୁ ବିରୋଧ କରି ଅହୋରାତ୍ର ଧାରଣା ଦେବାକୁ ଘୋଷଣା କରିଛି କଂଗ୍ରେସ। ଅନନ୍ୟପଟେ ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଏକପାଖିଆ ବୋଲି କହିଛନ୍ତି ତାରା। ତାଙ୍କୁ କେଉଁ ନିୟମରେ ସସପେଣ୍ଡ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ତାରା।

 

ରାଜଧାନୀ ଭିତରେ ପଶିଲା ହାତୀ, ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯାଉଛି ସଚେତନ

ନନ୍ଦିଘୋଷ ବ୍ୟୁରୋ:  ବାଜୁଛି ଡାକବାଜି ଯନ୍ତ୍ର । ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ଜଙ୍ଗଲ ନିକଟକୁ କେହି ଯାଆନ୍ତୁ ନାହିଁ । ଭୟଭୀତ ବି ହୁଅନ୍ତୁ ନାହିଁ । ହାତୀର ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ବନ କର୍ମଚାରୀ । ଗୋଟେ ପଟେ ବିଧାନସଭା, ଅନ୍ୟ ପଟେ ହାତୀ ଆତଙ୍କ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି । ଖୋର୍ଦ୍ଧା ପଟୁ ହାତୀ ପଲରୁ ଅଲଗା ହୋଇ ରାଜଧାନୀ ମୁହାଁ ହୋଇଛି ଦନ୍ତା । ବନ ବିଭାଗ ପାଖରେ ଖବର ପହଞ୍ଚିବା ମାତ୍ରେ ତାକୁ ସହର ଭିତରକୁ ପଶିବାକୁ ଦିଆଯାଇନାହିଁ । ସେପଟେ ଖୋର୍ଦ୍ଧା ପଟୁ ଦନ୍ତା ହାତୀ ଦୁଇଦିନ ହେବ ଆସିବା ପରଠାରୁ ତମାମ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ହାତୀଟି ଜନବସତିକୁ ପଶି ଆସୁଥିବାରୁ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ । ରାଜଧାନୀର ଏମ୍ସ ହସ୍ପିଟାଲ ପାଖରେ କାଜୁ ଜଙ୍ଗଲରେ ବଡ଼ି ଭୋରରୁ ପଶି ଥିଲା ହାତୀ । ଏବେ ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ବନ ବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ହାତୀକୁ ଘଉଡ଼ାଇବାକୁ ଚାଲିଛି ଉଦ୍ୟମ । ସେପଟେ ବଡ ବଡ ଟାୱାର ଉପରୁ ହାତୀର ଗତି ବିଧି ଉପରେ ତୀକ୍ଷ୍ନ ନଜର ରଖିଛି ବନ ବିଭାଗ  । ବାଇନାକୂଳର ସାହାଯ୍ୟରେ ଛାତ ଉପରୁ ନଜର ରଖିଛି ଟିମ୍ । ହାତୀକୁ ଚନ୍ଦକା କି ଖୋର୍ଦ୍ଧା ପଟକୁ ଫେରେଇ ନେବା ପାଇଁ ପୁରା ପ୍ରସ୍ତୁତ ବନବିଭାଗ ।

ମହୁଲ ଫୁଲ ସଂଗ୍ରହ ଆରମ୍ଭରୁ ଦେଖାଦେଲାଣି ଅଭାବୀ ବିକ୍ରି

ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲ ହେଉଛି ଆଦିବାସୀଙ୍କ ଜୀବନ ରେଖା । ଜଙ୍ଗଲରୁ ଉତ୍ପାଦିତ ହେଉଥିବା ଝୁଣା ଲାଖ ମହୁଲ, କେନ୍ଦୁ ଭଳି ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରି ଆଦିବାସୀମାନେ ପରିବାର ପ୍ରତିପୋଷଣ କରନ୍ତି । ଏବେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲୋକ ମହୁଲ ଫୁଲ ସଂଗ୍ରହ କରୁଛନ୍ତି । ହେଲେ ଫୁଲର ଅଭାବୀ ବିକ୍ରି ପାଇଁ ଦଲାଲ ମାଲାମାଲ ହେଉଥିବା ବେଳେ ଶୋଷଣର ଶିକାର ହେଉଛନ୍ତି ମହୁଲ ଫୁଲ ଗୋଟାଳି ।

ହାତରେ ରହିଛି ଡାଲା । ଆଉ ମହୁଲ ଫୁଲ ଗୋଟାଇବାରେ ଲାଗିପଡିଛନ୍ତି ମହିଳାମାନେ । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ପ୍ରତି ବର୍ଷ ମାର୍ଚ୍ଚ ମାସରେ କୋକସରା ବ୍ଲକ ସାହାଜଖୋଲ, ଗୋଲାମୁଣ୍ଡା ବ୍ଲକ ଚୁରା, ନାଗେସ ଆଦି ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆଦିବାସୀ ଅଞ୍ଚଳର ଲୋକେ ମହୁଲ ଫୁଲ ସଂଗ୍ରହ କରନ୍ତି । ଯାହାକୁ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ମହୁଲ ଫୁଲ ସଂଗ୍ରହ ଆରମ୍ଭରୁ ଅଭାବୀ ବିକ୍ରିର ଶିକାର ହେଲେଣି ଲୋକେ । ଦଲାଲ ମାନେ କିଲୋ ପିଛା ୨୦ ଟଙ୍କାରେ କିଣିନେଉଥିବା ଅଭିଯୋଗ କରିଛନ୍ତି ।

ଆଦିବାସୀ ଅଧ୍ଯୁଷିତ ଅଞ୍ଚଳର ଲୋକେ ମାର୍ଚ୍ଚ ରୁ ମେ ମାସ ପର୍ଯ୍ଯନ୍ତ ମହୁଲ ଫୁଲ ଗୋଟାଇ ପରିବାର ପ୍ରତିପୋଷଣ କରନ୍ତି । ପୂର୍ବ ସରକାରଙ୍କ ସମୟରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଜରିଆରେ ଲାଭ ଯୋଜନା ମାଧ୍ୟମରେ ଲଘୁ ବନ ଜାତ ଦ୍ରବ୍ୟ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଜରିଆରେ କ୍ରୟ କରାଯାଉଥିଲା  । ହେଲେ ନୂଆ ସରକାରରେ ମହୁଲ ଫୁଲ ସଂଗ୍ରହ ଆରମ୍ଭ ହୋଇଥିଲେ ବି ସେମିତି କିଛି ଯୋଜନା ଆରମ୍ଭ ହୋଇ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସରକାରଙ୍କ ତରଫରୁ ଧାନ , କପା ପରି ଏକ ମହୁଲ ମଣ୍ଡିର ବ୍ଯବସ୍ଥା କରାଗଲେ ଆଦିବାସୀ ମାନେ ମଣ୍ଡିରେ ଫୁଲ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଇ ପାରନ୍ତେ  ।

ଆନ୍ତଃରାଜ୍ୟ ଅପରାଧୀ ସାବଧାନ, ଅପରାଧୀଙ୍କ କେସ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର

ଭୁବନେଶ୍ବର:  ଆନ୍ତଃରାଜ୍ୟ ଅପରାଧୀ ସାବଧାନ। ରାଜ୍ୟ ବାହାର ଜେଲରୁ ନିଆଯାଉଛି କ୍ରିମିନାଲଙ୍କ ତଥ୍ୟ । ଅପରାଧୀଙ୍କ କେସ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର।ବ୍ୟାପକ ହେଉଛି ଭଡାଟିଆ ଚିହ୍ନଟ ପ୍ରକ୍ରିୟା । ଆନ୍ତଃରାଜ୍ୟ ଅପରାଧୀଙ୍କୁ ଆଉ ତ୍ରାହି ନାହିଁ । ଆଇନକୁ ହାତକୁ ନେଲେ ଏଥର ସିଧା ଏନକାଉଣ୍ଟର । ବାହାର ରାଜ୍ୟର ପୋଲିସର ସ୍ପେଶାଲ ଟିମ ଓ କମିଶନରେଟ ପୋଲିସ ମଧ୍ୟରେ ଏ ନେଇ ଆଲୋଚନା ପରେ ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ସମ୍ପର୍କରେ ତନାଘନା କରାଯାଉଛି । ନିକଟ ଅତୀତରେ ବାହାର ରାଜ୍ୟରେ ଘଟିଥିବା ଅପରାଧରେ ଅପରାଧୀଙ୍କ ଷ୍ଟାଇଲ ଅଫ ଅପରେସନ ବିଷୟରେ ତଥ୍ୟ ଏକାଠି କରାଯାଇଛି । ବିଭିନ୍ନ ଜେଲରୁ ହାର୍ଡକୋରଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏପରିକି ଓଡ଼ିଶାର କିଛି ହାର୍ଡକୋରଙ୍କ ସମ୍ପର୍କରେ ତେଲେଙ୍ଗାନା , ବିହାର, ଆନ୍ଧ୍ରପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ ସହଯୋଗର ହାତ ବଢ଼ାଇଛି କମିଶନରେଟ ପୋଲିସ । ପୋଲିସ ଆକ୍ସନକୁ ଆହୁରି ବ୍ୟାପକ କରିବା ପାଇଁ ସହର ଭିତରେ ଭଡାଟିଆ ଚିହ୍ନଟ ପ୍ରକ୍ରିୟା କୁ ମଧ୍ୟ ଜୋରଦାର କରାଯାଇଛି । ଟୁଇନ ସିଟି ପରେ, ଆଗକୁ ଏହି ଅଭିଯାନ ସାରା ଓଡ଼ିଶାରେ ବ୍ୟାପକ କରିବାକୁ ମଧ୍ୟ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

ଏୟାରଫିଲଡ଼ ଥାନା ଲବଣଗିରିରୁ ଚେନ ଝାମ୍ପି ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଦୁଇଟି ସ୍ଥାନରୁ ସାଇବର ଠକଙ୍କ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଲୁଟିଲେ । ବିବାହ ମଣ୍ଡପରୁ ମାରାଥନ ଚୋରି କରି ଘାଇଲା କଲେ । ପୁଣି ଶେଷରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲେ ଅପରାଧୀ । ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି  । ସମସ୍ତ କେସରେ ବାହାର ରାଜ୍ୟକୁ ଯାଇ ଅପରାଧୀଙ୍କୁ ଧରିଛି କମିଶନରେଟ ପୋଲିସ । ବିଗତ ଦିନରେ ଆନ୍ତଃରାଜ୍ୟ ଅପରାଧୀଙ୍କୁ ହୋଇଥିବା ୨ଟି ଏନକାଉଣ୍ଟର ହାର୍ଡକୋର ଙ୍କ ଛାତିରେ ପୁରାଇ ଦେଇଛି ଛନକା । ଆନ୍ତଃରାଜ୍ୟ ପେସାଦାର ଅପରାଧୀଙ୍କୁ ଗିରଫ ପରେ ,ସେମାନଙ୍କ ସମ୍ପତ୍ତି ବ୍ୟାଜପ୍ତି ନେଇ ମଧ୍ୟ ତ୍ୱରିତ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଆଗକୁ ଏହି ଅଭିଯାନ ଆହୁରି ବ୍ୟାପକ ହେବ ।

ଭାରତରେ ଅବୈଧ ଅନୁପ୍ରବେଶ ରୋକ୍ ଲାଗି ଆସିଲା ନୂଆ ବିଲ୍ , ପାଳନ ନ କଲେ ହେବ ୭ବର୍ଷ ଜେଲ୍

ନନ୍ଦିଘୋଷ ବ୍ୟୁରୋ:  ଅନୁପ୍ରବେଶ ଏବଂ ଅବୈଧ ପ୍ରବେଶକୁ ରୋକିବା ପାଇଁ ମଙ୍ଗଳବାର ସଂସଦ ଗୃହରେ ବିଲ୍ ଆଗତ କରାଯାଇଛି । ଅମିତ ଶାହଙ୍କ ପକ୍ଷରୁ ବିଲ୍ ଉପସ୍ଥାପନ କରିବା ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ ଏହି ବିଲ୍ କାହାକୁ ଦେଶରେ ପ୍ରବେଶ କରିବାରୁ ରୋକିବା ପାଇଁ କରାଯାଇ ନାହିଁ । ବରଂ ଏହି ବିଲର ଉଦ୍ଦେଶ୍ୟ ଯେ, ଯେକୌଣସି ବିଦେଶୀ ଭାରତ ଆସିବେ , ସମସ୍ତେ ଭାରତର ପ୍ରଚଳିତ ନିୟମର ପାଳନ କରି ଆସିବା ବାଧ୍ୟତାମୂଳକ । କଂଗ୍ରେସ ସାଂସଦ ମନୀଷ ତିଓ୍ବାରୀ ଏବଂ ଟିଏମସିର ସୌଗତ ରାୟ ଏହି ବିଲକୁ ଦୃଢ ବିରୋଧ କରିଛନ୍ତି  ।

ଏହି ବିଲର ଉଦ୍ଦେଶ୍ୟ ହେଉଛି ଭାରତର ପ୍ରବାସନ ନିୟମକୁ ଆଧୁନିକୀକରଣ ଏବଂ ସୁଦୃଢ଼ ​​କରିବା । ଏହି ବିଲ୍ କେନ୍ଦ୍ର ସରକାରଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ ଯାତ୍ରା ଡକ୍ୟୁମେଣ୍ଟ ଆବଶ୍ୟକତା ଏବଂ ଭାରତରେ ପ୍ରବେଶ କିମ୍ବା ପ୍ରସ୍ଥାନ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିଦେଶୀଙ୍କ ସହ ଜଡିତ ମାମଲାଗୁଡ଼ିକୁ ନିୟନ୍ତ୍ରଣ କରିବାର କ୍ଷମତା ପ୍ରଦାନ କରେ। ଏଥିରେ ଭିସା ଏବଂ ପଞ୍ଜୀକରଣ ଆବଶ୍ୟକତା ଏବଂ ସମ୍ପର୍କିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ।

ଦେଶ ସୁରକ୍ଷା ପାଇଁ ପ୍ରବାସନ ସମ୍ପର୍କିତ ଏହି ବିଲ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଲରେ, ଆଇନଗତ ସ୍ଥିତି ପ୍ରମାଣ କରିବାର ଦାୟିତ୍ୱ ରାଜ୍ୟ ବଦଳରେ ବ୍ୟକ୍ତି ଉପରେ ନ୍ୟସ୍ତ କରାଯାଇଛି । ଏହି ବିଲ୍ ଭାରତର ଜାତୀୟ ସୁରକ୍ଷା, ସାର୍ବଭୌମତ୍ୱ କିମ୍ବା ଅଖଣ୍ଡତା ପ୍ରତି ବିପଦ ଥିବା କୌଣସି ବିଦେଶୀ ନାଗରିକଙ୍କ ପ୍ରବେଶ କିମ୍ବା ରହିବାକୁ ସ୍ପଷ୍ଟ ଭାବରେ ରୋକ୍ ଲଗାଇଥାଏ । ଏହା ସମସ୍ତ ବିଦେଶୀଙ୍କ ପାଇଁ ଆଗମନ ସମୟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରିଥାଏ ଏବଂ ସେମାନଙ୍କର ଗତିବିଧି, ନାମ ପରିବର୍ତ୍ତନ ଏବଂ ସୁରକ୍ଷିତ କିମ୍ବା ପ୍ରତିବନ୍ଧିତ ଅଞ୍ଚଳରେ ପ୍ରବେଶକୁ କଡାକଡି ବ୍ୟାନ୍ କରିଥାଏ । ଏହା ବ୍ୟତୀତ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ନର୍ସିଂ ହୋମ ଭଳି ପ୍ରତିଷ୍ଠାନଗୁଡ଼ିକୁ ବିଦେଶୀ ନାଗରିକଙ୍କ ଉପସ୍ଥିତି ବିଷୟରେ ଇମିଗ୍ରେସନ ଅଧିକାରୀମାନଙ୍କୁ ଜଣାଇବାକୁ ପଡିବ।

ପ୍ରସ୍ତାବିତ ଆଇନରେ ପ୍ରବାସ ନିୟମ ଉଲ୍ଲଂଘନ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ବୈଧ ପାସପୋର୍ଟ କିମ୍ବା ଭିସା ବିନା ଭାରତରେ ଅବୈଧ ପ୍ରବେଶ କଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ନକଲି କାଗଜପତ୍ର ବ୍ୟବହାର କରୁଥିବା ଲୋକଙ୍କୁ ଦୁଇରୁ ସାତ ବର୍ଷ ଜେଲ୍ ଏବଂ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ  ।  ଅଧିକ ସମୟ ରହିବା, ଭିସା ସର୍ତ୍ତାବଳୀ ଉଲ୍ଲଂଘନ କରିବା କିମ୍ବା ପ୍ରତିବନ୍ଧିତ ଅଞ୍ଚଳରେ ପ୍ରବେଶ କରିବା ଭଳି ଅପରାଧ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡନୀୟ।

ଉପଯୁକ୍ତ କାଗଜପତ୍ର ବିନା ବ୍ୟକ୍ତିଙ୍କୁ ପରିବହନ କରୁଥିବା ପରିବହନକାରୀଙ୍କୁ ମଧ୍ୟ ଦାୟୀ କରାଯିବ ।  ଯଦି ସେମାନେ ଦେୟ ନ ଦିଅନ୍ତି ତେବେ ସେମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ । ଯେଉଁ କ୍ଷେତ୍ରରେ ଜଣେ ବିଦେଶୀଙ୍କୁ ପ୍ରବେଶ ମନା କରାଯାଏ, ପରିବହନକାରୀ ସେମାନଙ୍କ ତୁରନ୍ତ ପ୍ରସ୍ଥାନ ସୁନିଶ୍ଚିତ କରିବା ପାଇଁ ଦାୟୀ ରହିବେ । ଏହି ବିଲ୍ ଇମିଗ୍ରେସନ ଅଧିକାରୀମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରେ, ଯେଉଁଥିରେ ୱାରେଣ୍ଟ ବିନା ବ୍ୟକ୍ତିଙ୍କୁ ଗିରଫ କରିବାର ଅଧିକାର ରହିଛି  ।

ବିଲ୍ ଉପସ୍ଥାପନ କରିବା ସମୟରେ, ଗୃହ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବିଲ୍ ସମ୍ପୂର୍ଣ୍ଣ ସାମ୍ବିଧାନିକ ଏବଂ ଏହି ବିଷୟ ସପ୍ତମ ଅନୁସୂଚୀ ଅଧୀନରେ ଆସେ ।  ଭାରତରେ ପ୍ରବେଶ ଏବଂ ପ୍ରସ୍ଥାନକୁ ନେଇ ଏହି ବିଲ୍ ଆଗତ ହୋଇଛି  । ସେ କହିଛନ୍ତି ଯେ ଏହି ବିଲ୍ ଦେଶର ସୁରକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ   । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କାହାକୁ ରୋକିବା ପାଇଁ ଏହି ବିଲ୍ ଆଣୁନାହୁଁ ବରଂ ଏଠାକୁ ଆସୁଥିବା ଲୋକମାନେ ଭାରତର ଆଇନ ପାଳନ କରିବା ପାଇଁ ଏହି ବିଲ୍ ଆଣୁଛୁ।

ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ବିଜେଡିର ଦାବି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ଦାବି କରିଛି ବିଜେଡି । ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ପୁଣି ଥରେ ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି ବିଜେଡିର ସଂସଦୀୟ ଟିମ । ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ, ମୁନ୍ନା ଖାଁ, ସୁଲତା ଦେଓ, ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ, ନିରଂଜନ ବିଶି ନିର୍ବାଚନ କମିଶନଙ୍କୁ ପୂରା ନିର୍ବାଚନ ପ୍ରକ୍ରିୟାର ଅଡିଟ କରିବାକୁ ଦାବି କରିଛନ୍ତି । ଏଥିସହିତ ନିର୍ବାଚନ ପ୍ରକ୍ରିୟାର ବରିଷ୍ଠ ନାଗରିକଙ୍କ ଦ୍ବାରା ତଦାରଖ କରିବାକୁ ଦାବି କରିଛନ୍ତି । ସବୁ ବୁଥରେ ଭିଭିପାଟ ଚିରକୁଟ ଓ ଇଭିଏମ ଗଣତି ମଧ୍ୟରେ ତାଳମେଳ କରିବାକୁ ମଧ୍ୟ ଦାବି କରାଯାଇଛି । ଏଥିସହିତ ୩୦ ଦିନର ସମୟ ସୀମା ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ଫର୍ମ ୧୭-ସି ଯେକୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ ଫି ଦାଖଲ ପରେ ପ୍ରଦାନ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି । ଏହା ପୂର୍ବରୁ ଗତ ଡିସେମ୍ବର ୨୩ ତାରିଖରେ ବିଜେଡି ସଂସଦୀୟ ଟିମ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନରେ ହୋଇଥିବା ଅନିୟମିତତା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ରିଟର୍ଣ୍ଣିଂ ଅଫିସର ଦେଉଥିବା ତଥ୍ୟ ଓ ନିର୍ବାଚନ କମିଶନଙ୍କ ତଥ୍ୟରେ ମଧ୍ୟ  ସନ୍ଦେହଜନକ ଭାବେ ତାରତମ୍ୟ ରହିଥିଲା। ଗୋଟିଏ ଗୋଟିଏ ବୁଥରେ ମୋଟ ଭୋଟର ସଂଖ୍ୟା ଓ ପୋଲିଂ ସଂଖ୍ୟା ମଧ୍ୟରେ ତାଳମେଳ ନ ଥିଲା। ଗୋଟିଏ ଗୋଟିଏ ବୁଥରେ ଦେଖାଦେଇଥିବା ତାରତମ୍ୟ ସାମଗ୍ରିକ ଭାବେ ଉଭୟ ବିଧାନସଭା ଓ ଲୋକସଭା ଫଳାଫଳକୁ ପ୍ରଭାବିତ କରିଥିବା ବିଜେଡି ଟିମ ଆଶଙ୍କା ପ୍ରକାଶ କରିଥିଲା। ଇଭିଏମ ଓ ଭିଭିପାଟ ବ୍ୟବହାରରେ ଭୋଟିଂକୁ ନେଇ ଦେଖାଦେଇଥିବା ଏଭଳି ତାରତମ୍ୟ ପୂରା ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି କରିଛି ବୋଲି ବିଜେଡି ଅଭିଯୋଗ କରିଥିଲା।

ଚହଲଙ୍କ ନାଁ ସହ ଯୋଡ଼ା ହୋଇଥିବା RJ ମହଭାସ୍ କିଏ ? ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ଧନଶ୍ରୀଙ୍କ ସହ ଛାଡ଼ପତ୍ର ପରେ ଏବେ ଆଉ ଜଣେ ଯୁବତୀଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଛି । ତେବେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଉଭୟ ଗ୍ୟାଲେରୀରେ ନଜର ଆସିଥିଲେ । ଯାହାକୁ କ୍ୟାମେରା ମଧ୍ୟ ବାରମ୍ବାର ଫୋକସ କରୁଥିଲା । ଏହାପରଠାରୁ ଚହଲ ଏବଂ Rj ମହଭାସଙ୍କୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ତେବେ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ କି ଏହି ଯୁବତୀ କିଏ? ତେବେ ଆସନ୍ତୁ ଜାଣିବା..

ମହଭାସ ଜଣେ ରେଡିଓ ଜକିଭାବେ ବେଶ ପରିଚିତ । ଏହା ସହ ସେ ସୋସିଆଲ ମିଡିଆରେ ଜଣେ ଇନଫ୍ଲୁଏନ୍ସର ମଧ୍ୟ । ଏପରିକି ତାଙ୍କର ବହୁ ପ୍ରାଙ୍କ ଭିଡିଓମାନ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଥିବା ମହଭାସ୍ ଆଲିଗଡ଼ରେ ସ୍ନାତୋକତ୍ତର ହାସଲ କରିଛନ୍ତି । ତେବେ ବିଗବାସ୍ ୧୪ରେ ତାଙ୍କୁ ଅଫର କରାଯାଇଥିଲା । ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କେବଳ ଏତିକି ନୁହେଁ ବଲିଉଡରେ ମଧ୍ୟ ତାଙ୍କୁ ଅଭିନୟ ପାଇଁ ଅଫର ମିଳିଛି । କିନ୍ତୁ ସେ ଏହାକୁ ମଧ୍ୟ ମନା କରିଛନ୍ତି । ତେବେ ସେ ଏକ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ସେ ୩୫ ଲକ୍ଷ ଟଙ୍କାର ମାଲିକାଣୀ ହୋଇଥିବାବେଳେ ଭଲ ରୋଜଗାର ମଧ୍ୟ କରନ୍ତି । ତେବେ କୁହାଯାଉଛି କି, ଗତ ଖ୍ରୀଷ୍ଟମାସ ମହଭାସ ଚହଲଙ୍କ ସହ ମନାଇଥିଲେ । ଏହାପରଠାରୁ ଜଣା ପଡ଼ିଥିଲା କି, ସେମାନେ ଡେଟ୍ କରୁଛନ୍ତି । ତେବେ ଆଗାମୀ ଦିନରେ ଏମାନେ କଣ ବିବାହ କରିବେ କି ? ଏମିତି ପ୍ରଶ୍ନନ ଫ୍ୟାନ୍ସ ମାନେ ପ୍ରଶ୍ନ ଉଠାଇଛନ୍ତି ।