spot_img
Home Blog Page 966

ଚାମ୍ପିୟନ୍ସ ଟ୍ରଫି ପରେ ଏବେ ଗମ୍ଭୀରଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଜିତିଛି । ଭାରତୀୟ ଦଳ ବିଜୟୀ ହେବା ପରେ ଏବେ ଛୁଟୁଛି ପ୍ରଶଂସାର ସୁଅ । ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହି ବିଜୟ ପରେ ବେଶ ଖୁସି ଅଛନ୍ତି । କିନ୍ତୁ ଆଗକୁ ତାଙ୍କ ଆଗରେ ରହିଛି ଆହୁରି ଚ୍ୟାଲେଞ୍ଜ ।
ଗମ୍ଭୀରଙ୍କ ଆଗରେ ୩ ବଡ଼ ଚ୍ୟାଲେଞ୍ଜ
• ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଆଇପିଏଲ ପରେ ତୁରନ୍ତ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ଟେଷ୍ଟ ଗସ୍ତରେ ଯିବ ଟିମ ଇଣ୍ଡିଆ । ଆଇପିଏଲ ପରେ ସିଧା ସଳଖ ଇଂଲଣ୍ଡ ଯାଉଥିବାବେଳେ ବିନା ଅଭ୍ୟାସରେ ମଇଦାନକୁ ଓହ୍ଲାଇବ । ଗମ୍ଭୀରଙ୍କୁ କୌଣସି ପ୍ରସ୍ତୁତି ବିନା ଦଳକୁ ସମ୍ଭାଳିବାକୁ ପଡିବ।
• ୨୦୨୬ ଟି-୨୦ ବିଶ୍ୱକପ୍: ୨୦୨୬ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ । ଭାରତ ଏବଂ ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଥିବାବେଳେ ଘରୋଇ ମାଟିରେ ଦଳ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ । ଆଉ ବିରାଟ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ବିନା ସୂର୍ଯ୍ୟକୁମାର ଯାଦବଙ୍କ ଟିମର ପ୍ରଦର୍ଶନ କରିବ ତାହା ଗମ୍ଭୀରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।
• ୨୦୨୭ ODI ବିଶ୍ୱକପ୍: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।

ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ବକ୍ତବ୍ୟ : ସବୁଠି ବିରୋଧ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ନେଇ ଏବେ ସାରା ଓଡ଼ିଶାରେ ରାଜନୈତିକ ତୁମ୍ବି ତୋଫାନ ଦେଖିବାକୁ ମିଳିଛି । ଏକ ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଙ୍ଗୀତକୁ ଯେଉଁ ଭଳି ଅପମାନିତ କଲେ ଏବଂ ବିଧାନସଭାରେ କଂଗ୍ରେସ ଦଳର ବିଧାୟକ ତାରାବାହିନି ପତିଙ୍କୁ ହୋଇଥିବା ଅସମ୍ମାନକୁ ଦୃଢ଼ ନିନ୍ଦା କରିଛି ଆଠଗଡ଼ ଯୁବ କଂଗ୍ରେସ । ଏନେଇ ଯୁବ କଂଗ୍ରେସ ପକ୍ଷରୁ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଜେପିର ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ଦଳ  । ଯୁବ କଂଗ୍ରେସର ସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ସଦସ୍ୟ ମାନେ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ବିଜେପି ବିରୁଦ୍ଧରେ ନାରାବାଜି କରିବା ସହ ଜୟନାରାୟଣ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛି ।

ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ସ୍ପୃହଣୀୟ ନୁହେଁ: ଆଇନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ସ୍ପୃହଣୀୟ ନୁହେଁ। ବିଜେପି ବିଧାୟକଙ୍କ ମତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି- ସରକାରଙ୍କ ପକ୍ଷରୁ ଆଜି ବିଧାନସଭାରେ ସ୍ପଷ୍ଟ କରାଯାଇଛି – ବିଜେପି ବିଧାୟକଙ୍କ ମତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ସମ୍ପର୍କ ନାହିଁ।   ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ। ଏଥିପାଇଁ ଗତ ଆଠ ମାସରେ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଉଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ନିଷ୍ପତ୍ତି ବି ହୋଇଛି। ସବୁ ଅଞ୍ଚଳକୁ ବିକାଶ ଯୋଜନା ପହଂଚାଇବାକୁ କାମ ଚାଲିଛି।

ସୁନ୍ଦରଗଡ଼ରେ ସକ୍ରିୟ ବାଲି ମାଫିଆ,ଦିନ ଦିପହରେ ବିଭିନ୍ନ ନଦୀରୁ ହେଉଛି ଵାଲି ଚୋରା

ନନ୍ଦିଘୋଷ ବ୍ୟୁରୋ:  ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନଦୀରୁ ଵାଲିର ଚୋରା କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ବିଶେଷ କରି ରାତି ସମୟରେ ବିଭିନ୍ନ ନଦୀରୁ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରାଯାଉଛି । ମାଫିଆମାନେ ବାଲିର ଚୋରା ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିବା ବେଳେ ସରକାର ରାଜସ୍ବ ହରାଉଥିବା ଅଭିଯୋଗ ହୋଇଛି । ଦୈନିକ ଶହ ଶହ ଟ୍ରିପ ବାଲି ଖୋଲାଖୋଲି ଭାବେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣି ଵିଭାଗ, ରାଜସ୍ଵ ଵିଭାଗ, ଜଙ୍ଗଲ ବିଭାଗ ଓ ପ୍ରଶାସନ ପକ୍ଷରୁ କେବଳ ନାମକୁ ମାତ୍ର ଚଢାଉ କରାଯାଉଛି । ରାଉରକେଲା ସହର ରେ ଗୋଟିଏ ଟ୍ରାକ୍ଟର ବାଲି 2500 ଟଙ୍କା, ଗୋଟିଏ ଡମ୍ଫର ବାଲି 8 ହଜାର ଟଙ୍କା ଓ ଗୋଟିଏ ହାଇୱା ବାଲି 15 ହଜାର ଟଙ୍କାରେ ବିକ୍ରି କରି ଵାଲି ମାଫିଆମାନେ ଲାଭବାନ ହେଉଥିବା ନିଖିଳ ଓଡିଶା ଠିକାଦାର ମହାସଂଘ, ରାଉରକେଲା ଶାଖା ସଭାପତି ଅଭିଯୋଗ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୪ ମସିହା ଏପ୍ରିଲ ମାସରୁ ୨୦୨୫ ମସିହା ଫେବ୍ରୁଆରୀ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୦ ଟି ଗାଡି ଜଵତ କରାଯାଇଥିଲା । ଏଥିରୁ ଏକ କୋଟି ୨୩ ଲକ୍ଷ ୫୮ ହଜାର ୯୦୧ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଚଳିତ ମାର୍ଚ୍ଚ ମାସରେ ୧୦ ଦିନରେ ୧୯ ଟି ଚୋରା ବାଲି ଭର୍ତ୍ତି ଗାଡି ଜଵତ କରାଯାଇଛି । ବାଲିର ଚୋରା କାରବାର ବୃଦ୍ଧି ପାଉଥିବା ଅଭିଯୋଗ ପାଇବା ପରେ ଚୋରା କାରବାର ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଷ୍ଟୁଡେଣ୍ଟସ ଏଗେନଷ୍ଟ କର୍ପୋରେସନର ଅଭିଯୋଗ: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ମାନସିକ ନିର୍ଯାତନା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ  । ଏଭଳି ଅଭିଯୋଗ କରିଛି ଷ୍ଟୁଡେଣ୍ଟସ ଏଗେନଷ୍ଟ କର୍ପୋରେସନ । ବାଟାଲିଅନ ଓ ପିଏମଟି ଡ୍ରାଇଭର ପରୀକ୍ଷାର୍ଥୀଙ୍କୁ ସରକାର ନାଲି କୋଠା ଦେଖାଉଥିବା ଅଭିଯୋଗ ହୋଇଛି । ପିଏମଟି ଡ୍ରାଇଭରଙ୍କ ପାଇଁ ଚାରିବର୍ଷ ଓ ବାଟାଲିଅନ ପରୀକ୍ଷାରେ ୬ ବର୍ଷ ବୟସସୀମା କୋହଳ ପାଇଁ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଥିଲେ । ହେଲେ ରାଜ୍ୟ ସରକାର ଏଜିଙ୍କୁ ଲଗାଇ ଏହାକୁ ଷ୍ଟେ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ଷ୍ଟୁଡେଣ୍ଟସ ଏଗେନଷ୍ଟ କର୍ପୋରେସନ । କେଶ ଜିତିବା ପରେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଅପେକ୍ଷା କରି ରହିଥିବା ବେଳେ ସରକାର ପରୀକ୍ଷାର୍ଥୀଙ୍କ ବିରୋଧରେ ହାଇକୋର୍ଟରେ ଡବଲ ବେଞ୍ଚକୁ ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି । ସରକାର ତୁରନ୍ତ ଏହି ନିଷ୍ପତ୍ତିରୁ ଓହରିବା ପାଇଁ ଦାବି ହୋଇଛି । ଦାବି ପୂରଣ ନହେଲେ ଆସନ୍ତା ୧୭ ତାରିଖରେ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଗାନ୍ଧି ମୂର୍ତ୍ତି ତଳେ ଅହୋରାତ୍ର ଧାରଣାରୁ ଓହରିଲା କଂଗ୍ରେସ, କାଲି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ନନ୍ଦିଘୋଷ ବ୍ୟୁରୋ:  ଶାସକ ବିରୋଧୀ ହାତାହାତି ହେଲେ । ଓଡ଼ିଶା ବିଧାନସଭା ଦେଖିଲା ଏକ କଳଙ୍କିତ ଅଧ୍ଯାୟ । ତେବେ ବାଚସ୍ପତି କେବଳ ବିରୋଧୀ ଦଳ ସଦସ୍ଯଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ତାରାପ୍ରସାଦ ବାହିନୀପତି। ୭ ଦିନ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରିଛନ୍ତି। ତାରା ବାହିନୀପତିଙ୍କ ନିଲମ୍ବନ ବିରୋଧରେ ଗୃହରେ ପ୍ରତିବାଦ କରିଛି କଂଗ୍ରେସ ଓ ବିଜେଡି। ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଏକପାଖିଆ ବୋଲି କହିଛନ୍ତି ତାରା। ତାଙ୍କୁ କେଉଁ ନିୟମରେ ସସପେଣ୍ଡ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ତାରା। ତେବେ ନିଲମ୍ବନ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭକ୍ତ। ବାଚସ୍ପତି ଯଦି ସର୍ବଦଳୀୟ ବୈଠକ ଡାକିଥାନ୍ତେ ତେବେ ଭଲ ହୋଇଥାନ୍ତା। ରାଜ୍ୟରେ ୪୪ ହଜାର ମହିଳା ନିଖୋଜ, ଛାତ୍ରୀ ଗର୍ଭବତୀ ହେଉଛନ୍ତି। ସରକାରରେ ବସିବା ଲୋକଙ୍କୁ ଲଜ୍ଜା ଲାଗିବା କଥା। ଗୃହ କମିଟି କରିଦେଇଥିଲେ ମହିଳା ହିଂସାରେ ସବୁ ସମାଧାନ ହୋଇପାରି ଥାନ୍ତା ବୋଲି କହିଛନ୍ତି ତାରା। ଅନ୍ୟପଟେ ପିସିସି ସଭାପତିଙ୍କ ଅନୁରୋଧ ପରେ ଅନଶନରୁ ଓହରିଛନ୍ତି କଂଗ୍ରେସ ବିଧାୟକ। ଅହୋରାତ୍ର ଆନ୍ଦୋଳନ କରିବେ ନାହିଁ। ତାରାଙ୍କୁ ନିଲମ୍ବନ ପ୍ରସଙ୍ଗରେ ଆସନ୍ତାକାଲି ଜରୁରୀ ବୈଠକ ଡାକିଛନ୍ତି ପିସିସି ସଭାପତି। ବୈଠକରେ ବରିଷ୍ଠ ନେତା ସାମିଲ ହେବା ସା ବଡ଼ ନିଷ୍ପତ୍ତି ନିଆଯାଇପାରେ।  ପରବର୍ତ୍ତି କାର୍ଯ୍ୟପନ୍ଥା କଣ ନିଆଯିବ, ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ଆସନ୍ତାକାଲି ବିଧାନସଭାକୁ ଯିବେନି କଂଗ୍ରେସ ବିଧାୟକ।

ସରିଲା ଚାମ୍ପିୟନ୍ସ ଟ୍ରଫି, ଜାଣନ୍ତୁ କାହିଁକି କ୍ଷୋଭ ପ୍ରକାଶ କଲେ ଶ୍ରେୟସ ଆୟାର

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ଶେଷ ହୋଇଥିବାବେଳେ ଭାରତ ଟ୍ରଫି ହାତେଇଛି । ସବୁଠି ଭାରତୀୟ ଦଳକୁ ପ୍ରଶଂସା କରାଯାଉଛି । ଶୁଭେଚ୍ଛା ସୁଅ ଛୁଟିଥିବାବେଳେ ଖେଳାଳିମାନେ ନିଜ ନିଜ ଘରକୁ ଯାଇଛନ୍ତି । ସେପଟେ ଏହାପରେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ଆଇପିଏଲ ଥିବାବେଳେ ଏହାକୁ ପ୍ରତିକ୍ରିୟା ରଖିଛନ୍ତି ଶ୍ରେୟସ ଆୟାର । ସେ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ଗତ ସିଜିନରେ ମୁଁ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ଦଳର ଅଧିନାୟକ ରହିଥିଲି । ମାତ୍ର ମୁଁ ଆଶା କରୁଥିବା ଗୁରୁତ୍ବ ମୋତେ ମିଳିନି । ଚଳିତ ସିଜିନରେ ଶ୍ରେୟସ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିବେ । ତାଙ୍କୁ ୨୭.୫ କୋଟିରେ କିଣିଥିବାବେଳେ ସେ ଅଧିନାୟକ ହେବେ ।

ନାଁକୁ ମାତ୍ର ଉଜ୍ଜ୍ବଳା ଯୋଜନା, ସଂସଦରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ଉଜ୍ବଳା ଯୋଜନାରେ ଗରିବ ଗ୍ରାମୀଣ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାର ମାଗଣା ଚୁଲା ଯୋଗାଦିଆଗଲା । ହେଲେ ସିଲିଣ୍ଡର ପଇସା ଦେଇପାରୁନାହାଁନ୍ତି ଗ୍ରାମୀଣ ମହିଳା । ଯେଉଁଥିପାଇଁ ଉଜ୍ଜଳା ଯୋଜନାରେ ଗ୍ୟାସ ଚୁଲା ମିଳିଥିଲେ ବି ଆଉ ବ୍ୟବହାର ହେଉନି । ଏନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାର ଅଗ୍ରଗତିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ସୁରେଶ ଗୋପୀଙ୍କୁ ଏକ ଲିଖିତ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାରେ ୨୦୨୫ ଜାନୁଆରୀ ସୁଦ୍ଧା ୧୦ କୋଟି ନୂଆ କନେକ୍ସନ ଦିଆଯାଇଛି । ଏହାଦ୍ବାରା ରାଜ୍ୟରେ ଏଲପିଜି ବ୍ୟବହାରକାରୀଙ୍କ ସଂଖ୍ୟା ୩୨ ପ୍ରତିଶତରୁ ୮୭ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ହିତାଧିକାରୀଙ୍କୁ ଚିହ୍ନଟ, ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ମୁଖ୍ୟ ସମସ୍ୟା ବୋଲି କେନ୍ଦ୍ର ମନ୍ତ୍ରୀ ମାନିଛନ୍ତି ।

ଚବିଶ ନିର୍ବାଚନରେ ଭୋଟ ଗଡ଼ବଡ ପ୍ରସଙ୍ଗ, ଭୋଟର ଲିଷ୍ଟ ପ୍ରସ୍ତୁତିରୁ ଭୋଟ ଗ୍ରହଣ ପର୍ଯ୍ୟନ୍ତ ପୂରା ପ୍ରକ୍ରିୟାର ହେଉ ନିରପେକ୍ଷ ଅଡିଟ

ନନ୍ଦିଘୋଷ ବ୍ୟୁରୋ:  ଗତ ସାଧାରଣ ନିର୍ବାଚନରେ ଭୋଟ ଗଡବଡ ସନ୍ଦେହ। ପୂରା ନିର୍ବାଚନ ପ୍ରକ୍ରିୟାର ହେଉ ଅଡିଟ। ଭୋଟର ଲିଷ୍ଟ ପ୍ରସ୍ତୁତିରୁ ଭୋଟ ଗ୍ରହଣ ପର୍ଯ୍ୟନ୍ତ ପୂରା ପ୍ରକ୍ରିୟାର ହେଉ ନିରପେକ୍ଷ ଅଡିଟ। ଭୋଟିଂ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ ନାଗରିକ ସଂଗଠନ । ୨୦୨୪ ସାଧାରଣ ନିର୍ବାଚନ ପରେ ଭୋଟ ଗଡବଡକୁ ନେଇ ବିଜେଡି ଉଠାଇଥିଲା ବଡ ପ୍ରଶ୍ନ । ରିଟର୍ଣ୍ଣିଂ ଅଫିସର ଦେଉଥିବା ଓ ନିର୍ବାଚନ କମିଶନଙ୍କ ତଥ୍ୟରେ ମଧ୍ୟ ସନ୍ଦେହଜନକ ଭାବେ ତାରତମ୍ୟ ରହିଥିଲା। ଗୋଟିଏ ଗୋଟିଏ ବୁଥରେ ମୋଟ ଭୋଟର ସଂଖ୍ୟା ଓ ପୋଲିଂ ସଂଖ୍ୟା ମଧ୍ୟରେ ତାଳମେଳ ନ ଥିଲା। ଗୋଟିଏ ଗୋଟିଏ ବୁଥରେ ଦେଖାଦେଇଥିବା ତାରତମ୍ୟ ସାମଗ୍ରିକ ଭାବେ ଉଭୟ ବିଧାନସଭା ଓ ଲୋକସଭା ଫଳାଫଳକୁ ପ୍ରଭାବିତ କରିଥିବା ବିଜେଡି ଟିମ ଆଶଙ୍କା ପ୍ରକାଶ କରିଥିଲା। ଇଭିଏମ ଓ ଭିଭିପାଟ ବ୍ୟବହାର ସତ୍ତ୍ବେ ଭୋଟିଂକୁ ନେଇ ଦେଖାଦେଇଥିବା ଏଭଳି ତାରତମ୍ୟ ପୂରା ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତା ଉପରେ ସନ୍ଦେହ ସୃଷ୍ଟି କରିଛି ବୋଲି ବିଜେଡି ଅଭିଯୋଗ କରିଥିଲା। ଏନେଇ ବିଜେଡିର ସାଂସଦମାନେ ଗତ ଡିସେମ୍ବର ୨୩ ତାରିଖରେ ବିଜେଡି ନିର୍ବାଚନ କମିଶନଙ୍କୁ ଭେଟି ଆପତ୍ତି ଜଣାଇଥିଲା । ପ୍ରାୟ ସାଢେ ତିନି ମାସ ପରେ ବି କୌଣସି ସ୍ପଷ୍ଟ ଉତ୍ତର ନମିଳିବାରୁ ଆଜି ପୁଣିଥରେ ବିଜେଡି କମିଶନଙ୍କୁ ଭେଟି ୫ଦଫା ଦାବିପତ୍ର ପ୍ରଦାନ କରି ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷ ଅଡିଟ ଦାବି କରିଛି ।

ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ, ମୁନ୍ନା ଖାଁ, ସୁଲତା ଦେଓ, ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ, ନିରଂଜନ ବିଶି ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ନିର୍ବାଚନ ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆଣିବାକୁ ନାଗରିକ ସଂଗଠନକୁ ସାମିଲ କମିବାକୁ ଦାବି କରିଛି ବିଜେଡି । ଏଥିସହିତ ସବୁ ବୁଥରେ ଭିଭିପାଟ ଚିରିକୁଟ ଓ ଇଭିଏମ ଗଣତି ମଧ୍ୟରେ ମେଳ କରିବାକୁ ମଧ୍ୟ ଦାବି କରାଯାଇଛି । ନିର୍ବାଚନ ସମ୍ପର୍କିତ ମାମଲା ନଥିଲେ ଫର୍ମ ୧୭-ସି ଯେକୌଣସି ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇପାରିବ ବୋଲି ନିର୍ବାଚନ କମିଶନ କହୁଥିଲେ ବି ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଦେଉନାହାଁନ୍ତି ।

ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ପ୍ରାୟ ୩୮ ହଜାର ବୁଥରେ ମତଦାନ ହୋଇଥିବା ବେଳେ ଦଳର ପ୍ରାର୍ଥୀ ଓ ଦଳ ମାତ୍ର ୪୦ଟି ବୁଥରୁ ଫର୍ମ ୧୭-ସି ପାଇପାରିଛି । ଏହି ଦାବିକୁ ନେଇ ବିଜେଡି ବାରମ୍ବାର ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି ସନ୍ତୋଷଜନକ ଉତ୍ତର ମିଳୁପାରୁନଥିବା ଅଭିଯୋଗ କରିଛି ଦଳ ।

ବିଧାନସଭାରେ ଜୟନାରାୟଣ ଝଡ଼, ଅଭିନବ ଉପାୟରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ କୁଆଡେ ଗଲେ ବୋଲି ଖୋଜିଲେ ବିଜେଡି ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଜୟ ନାରାୟଣ ଝଡ଼ । ଓଡିଶା ବିଭାଜନ ବୟାନକୁ ବିଜେଡିର ତୀବ୍ର ବିରୋଧ । ଅସ୍ମିତା କଥା କହି ରାଜ୍ୟ ସଙ୍ଗୀତକୁ ବିରୋଧ କାହିଁକି ? ଜୟ ନାରାୟଣ ଜବାବ, ମୁଁ ଯାହା କହିଛି ମୋ ଷ୍ଟାଣ୍ଡରେ ପରିବର୍ତନ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲା ବିଜେଡି । ଜୟ ନାରାୟଣଙ୍କ ଓଡିଶା ବିଭାଜନ ମନ୍ତବ୍ୟ ଓ ରାଜ୍ୟ ସଙ୍ଗୀତକୁ ଅସମ୍ମାନ ପ୍ରସଙ୍ଗରେ କମ୍ପିଛି ବିଧାନସଭା । ତୁରନ୍ତ ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ବିବୃତି ରଖିବାକୁ ବିଜେଡି ବିଧାୟକମାନେ ଦାବି କରିଛନ୍ତି । ପ୍ରଶ୍ନକାଳ ଆରମ୍ଭ କ୍ଷଣି ବିଜେଡି ଆଜି ମଧ୍ୟ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବିରୋଧ କରି ହଟ୍ଟଗୋଳ କରିଥିଲେ । ଏହାପରେ ବିଜେଡି ବିଧାୟକମାନେ ବିଧାନସଭାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀ ତଳେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ପ୍ରତିବାଦ କରିଥିଲେ । ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ବିଧାୟକଙ୍କ ବିରୋଧରେ ତୁରନ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ଏହାସହ ଅଭିନବ ଉପାୟରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ କୁଆଡେ ଗଲେ ବୋଲି ଖୋଜିଥିଲେ ବିଜେଡି ବିଧାୟକ । ମୁଖ୍ୟମନ୍ତ୍ରୀ ଚାମ୍ବର ପାଖରେ ଲଣ୍ଠନ ଧରି ଖୋଜିଥିଲେ ବିଜେଡି ବିଧାୟକ ।

ସେପଟେ ଦୁଇଦିନ ଧରି ଓଡିଶା ବିଭାଜନ ବୟାନ ଦେଇ ଜୟ ନାରାୟଣ ମିଶ୍ରଙ୍କ ବିବାଦରେ ଛନ୍ଦି ହେବା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ବିରୋଧ ପରେ ମୁହଁ ଖୋଲିଛନ୍ତି ଜୟ ନାରାୟଣ । ସେ କହିଛନ୍ତି ଯେ, ମୁଁ ଯାହା କହିଛି ମୋ ଷ୍ଟାଣ୍ଡରେ ପରିବର୍ତ୍ତନ ହେବାର ନାହିଁ  । ଉତ୍କଳ କଳିଙ୍ଗ କୋଶଳ ମିଶି ଓଡିଶା ତିଆରି ହୋଇଥିଲା ବନ୍ଦେ ଉତ୍କଳ ଜନନୀରେ କେବଳ ଉତ୍କଳର ପ୍ରଶଂସା ଅଛି । ବନ୍ଦେ ଓଡିଶା ଜନନୀ କରନ୍ତୁ ମୋର କିଛି ଆପତ୍ତି ନାହିଁ । ତିନୋଟି ଅଂଚଳ ମିଶାଇ ଓଡିଶା ପ୍ରଦେଶ କରିବେ କିନ୍ତୁ ଗୋଟେ ଅଂଚଳର ଜୟଗାନକୁ ଆପଣ ଗ୍ରହଣ କରି ପାରୁଛନ୍ତି କି ବୋଲି କହି ରାଜ୍ୟ ସଂଗୀତକୁ ବିରୋଧ କରିଥିଲେ ଜୟ । ତିରିଶ ଜିଲ୍ଲାକୁ ମିଶାଇ ଏମିତି ଗୋଟେ ସଂଗୀତ ଆସୁ ବୋଲି ଜୟ ଦାବି ଜଣାଇଛନ୍ତି । ସେପଟେ ଜୟନାରାୟଣ ପାଗଳ ହେଇଗଲେଣି ବୋଲି କହିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମୁଁ କେବେ ସମ୍ବଲପୁର ବିରୋଧୀ ନଥିଲି । ଜୟନାରାୟଣ କେବେବି ମୋତେ ଦେଶଦ୍ରୋହୀ, ଆତଙ୍କବାଦୀ କିମ୍ବା ପାକିସ୍ଥାନୀ ବୋଲି ଆକ୍ଷଏପ କରିପାରନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ମନ୍ତ୍ରୀମାନେ ସ୍ପଷ୍ଟୀକରଣ ରଖିୂବାକୁ ରଣେନ୍ଦ୍ର ଦାବି କରିଛନ୍ତି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ରାଜ୍ୟ ସଙ୍ଗୀତକୁ ଅସମ୍ମାନ ସେମାନଙ୍କ ଅହଙ୍କାରର ପରିଚୟ ।

ଯଦି ଜୟ ନାରାୟଣ ମିଶ୍ର ଉତ୍କଳ ଶବ୍ଦକୁ ଉଠାଇ ଦେବାକୁ ଦାବି କରୁଛନ୍ତି , ତେବେ ଜାତୀୟ ସଂଗୀତରୁ ଉତ୍କଳ ଉଠାଯିବ କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ନିଜ ମତ ରଖନ୍ତୁ । ସେମାନେ ଜୟ ନାରାୟଣ ମିଶ୍ରଙ୍କ କଥାକୁ ସମର୍ଥନ କରନ୍ତୁ, ନହେଲେ ରାଜ୍ୟ ସଙ୍ଗୀତକୁ ସମ୍ମାନ ଦିଅନ୍ତୁ ବୋଲି ଦୁଇ ବିରୋଧୀ ବିଧାନସଭାରେ ଦାବି କରିଛନ୍ତି ।