ଦିଗପହଣ୍ଡି: ଉଗ୍ର ହେଲା ସ୍ବାମୀ ସ୍ତ୍ରୀ କଳି । ସ୍ବାମୀର ବୋମାମାଡ଼ରେ ଉଡିଗଲା ତିନି ଘରର ଛପର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିିଲ୍ଲା ଦିଗପହଣ୍ଡି ଥାନା କୁଶପଡା ଗାଁରେ। ଏହି ଗାଁରେ ସୁରେନ୍ଦ୍ର ଦୋରା ଏବଂ ତାଙ୍କ ସ୍ତ୍ରୀ ଭଡା ଘରେ ରହି ଆସୁଥିଲେ । କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ସୁରେନ୍ଦ୍ର ସ୍ତ୍ରୀକୁ ବମ ପକାଇ ଉଡେଇ ଦେବାକୁ ଧମକ ଦେଉଥିଲେ । ସ୍ତ୍ରୀ ଘରେ ନଥିବା ବେଳେ ସ୍ଵାମୀ ଘର ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ରେ ବାବୁ ସାହୁ, ଅନିଲ ସାହୁ ଓ ଦଣ୍ଡପାଣି ସାହୁଙ୍କ ତିନିଟି ଘର ଭାଙ୍ଗିଯାଇଛି । ଘରର ଛାତ ଉଡି ଯାଇଥିବା ବେଳେ ପଡୋଶୀଙ୍କ କାନ୍ଥ ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରକୁ ଅଟକ ରଖି ତଦନ୍ତ ଚଳାଇଛି ।.
ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ଓ୍ବାକଫ୍ ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣା
ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ଘୋଷଣା କରିନ୍ତି । ସଂଖ୍ୟାଲଘୁ ଲୋକମାନଙ୍କର ସମ୍ପତ୍ତିକୁ ରକ୍ଷା କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି ତାହାକୁ ’ଡିଭାଇଡ୍ ଏଣ୍ଡ ରୁଲ’ ବୋଲି ମମତା କହିଛନ୍ତି । ଗତକାଲି କୋଲକତାରେ ଜୈନ ସମ୍ପ୍ରଦାୟଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟରେ ଓ୍ବାକଫ ସଂଶୋଧନ ଆଇନ ଲାଗୁ ହେବ ନାହିଁ ବୋଲି ମମତା ସ୍ପଷ୍ଟ ଭାବେ କହିଛନ୍ତି ।
ଖ୍ୟାଲଘୁ ଓ ସେମାନଙ୍କର ସମ୍ପତ୍ତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧ ବୋଲି ମମତା କହିଛନ୍ତି । ସଭାରେ ସମ୍ବୋଧିତ କରି ମମତା କହିଛନ୍ତି, ମୁଁ ଜାଣିଛି ଆପଣମାନେ ଓ୍ବାକଫ ଆଇନକୁ ନେଇ ବେଶ୍ ଦୁଃଖିତ । ମାତ୍ର ’ବାଣ୍ଟ ଓ ରାଜ କର’ ନୀତିକୁ ଗୁରୁତ୍ବ ଦେଉଥିବା କୌଣସି କାର୍ଯ୍ୟକୁ ହେବାକୁ ଦିଆଯିବନି ବୋଲି ମମତା କହିଛନ୍ତି । ଆପଣମାନେ ବାଂଲାଦେଶର ସ୍ଥିତି ଦେଖନ୍ତୁ, ସେଠାରେ କ’ଣ ହେଉଛି । ଏପରି ସମୟରେ ଏହି ବିଧେୟକକୁ ପାରିତ କିବା ଅନୁଚିତ ବୋଲି ସେ କହିଛନ୍ତି ।
ଯାଇଥିଲେ ଦାଦନ ଖଟିବାକୁ, ଶବ ହୋଇ ଫେରିଲେ ୨୦ ବର୍ଷୀୟ ଯୁବକ
ଝାରସୁଗୁଡ଼ା: ଦାଦନ ଖଟିବାକୁ ଯାଇ ପୁଣି ଗଲା ଜଣେ ଯୁବକଙ୍କ ଜୀବନ। ରୋଜଗାର ପାଇଁ ଯାଇଥିଲେ ଆଉ ଶବ ହୋଇ ଫେରିଲେ। ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରୁ ଆସିଛି ଏଭଳି ଦୁଃଖଦ ଖବର। କାମ ଅଭାବ ଯୋଗୁଁ ସୁରଟକୁ କାମ କରିବାକୁ ଯାଇଥିଲେ ମାଳିଡ଼ିହିର ୨୦ ବର୍ଷିୟ କରଣ ନେଗି। ଗତ ସୋମବାର ଦିନ ଗୁଜରାଟର ସୁରଟ ଠାରେ କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଗାଁକୁ ନେଇ ସାଥି ଶ୍ରମିକ ମାନେ ଆସୁଛନ୍ତି । ଦାଦନ ଖଟିବାକୁ ଯାଇ ମୃତ୍ୟୁ ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ୪ ମାସ ତଳେ ସୁରଟ ଯାଇଥିଲେ କରଣ।
ଜଣେ ଠିକାଦାରଙ୍କ ଅଧିନରେ ଚିଙ୍ଗୁଡ଼ି ଚାଷ କାର୍ଯ୍ୟରେ ସେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ॥ ଗତ ସୋମବାର ଦିନ କାମ କରୁଥିବା ବେଳେ ଏକ ଫ୍ୟାନରୁ ତାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା । ତାଙ୍କୁ ସହକର୍ମୀ ମାନେ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଝାରସୁଗୁଡ଼ା DLO ଅଫିସରେ ମୃତଦେହ ପହଂଚିଛି । ପରେ ତାଙ୍କ ଘରକୁ ନିଆଯିବ ବୋଲି ସୂଚନା ମିଳିଛି।
ରାଉରକେଲାରେ ଡବଲ ମର୍ଡର: ୬ ଜଣଙ୍କୁ ଅଟକ ରଖିଛି ପୋଲିସ
ରାଉରକେଲା: ରାଉରକେଲା ଛେଣ୍ଡ ଭିଏସଏସ ମାର୍କେଟ ନିକଟରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ଛୁରାମାଡ କରି ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପୋଲିସ। ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ମୃତଦେହ ରଖାଯାଇଥିବା ବେଳେ ଆଜି ବ୍ୟବଚ୍ଛେଦ କରାଯିଵ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଛେଣ୍ଡ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଛେଣ୍ଡ କଲୋନୀରେ ଗତ ରାତିରେ ରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଯୁବକଙ୍କୁ ଛୁରାମାଡ ହୋଇଥିଲା। ଖବର ପାଇ ଶୋଭାଯାତ୍ରାରେ ଯାଉଥିବା ପୋଲିସ ଓ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି କିଛି ଆକ୍ରମଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ୬ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି। ଗତ ରାତିରେ ରାଉରକେଲା ସହରରେ ଦୁଇଟି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି।
Jio ଆଣିଲା ଦୁଇଟି ଶସ୍ତା ପ୍ଲାନ: ଦୈନିକ ୧ ଜିବି ଡାଟା ସହ ଅସୀମିତ କଲିଂ ଓ SMS ସୁବିଧା
ବର୍ତ୍ତମାନ ସମୟରେ ମୋବାଇଲ ଫୋନର ବହୁଳ ବ୍ୟବହାର ଫଳରେ ଗ୍ରାହକମାନେ ଶସ୍ତା ରିଚାର୍ଜ ପ୍ଲାନର ସନ୍ଧାନରେ ରହୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଟେଲିକମ୍ ସେବା ପ୍ରଦାନକାରୀମାନେ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ପ୍ଲାନ ସବୁ ଲଞ୍ଚ କରୁଛନ୍ତି । ତେବେ ଏହା ମଧ୍ୟରେ ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏକ ଶାନଦାର ପ୍ଲାନ ଲଞ୍ଚ କରିଛି । ଏହି ଶସ୍ତା ପ୍ଲାନରେ ଗ୍ରାହକମାନେ ଡାଟା ଓ କଲିଂ ସୁବିଧା ପାଇ ପାରିବେ । ଜିଓ ପ୍ଲାଟଫର୍ମରେ ଅନେକ ରିଚାର୍ଜ ପ୍ଲାନ ରହିଥିଲେ ହେଁ ଏହ ପ୍ଲାନକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି । ଆପଣମାନେ ଏହି ପ୍ଲାନକୁ ତୁରନ୍ତ ରିଚାର୍ଜ କରିନିଅନ୍ତୁ ।
ଏହି ପ୍ଲାନରେ ଗ୍ରାହକଙ୍କୁ ୨୦୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଏଥିରେ ୟୁଜର୍ସଙ୍କୁ ଢେର ବେନିଫିଟ୍ସ ମିଳିବ । ଏଥିରେ କଲିଂ, ଡାଟା ଓ ଏସଏମଏସ ସାମିଲ ରହିଛି । ପ୍ଲାନର ଭାଲିଡିଟୀ ୨୨ ଦିନ ପର୍ଯ୍ୟନ୍ତ ରହିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୨ ଜିବିର ଡାଟା ମିଳିବ । ଏହି ପ୍ଲାନରେ ୟୁଜର୍ସଙ୍କୁ ଅସୀମିତ କଲିଂର ସୁବିଧା ମିଳିବ । ଏଥିରେ ଲୋକାଲ ଓ ଏସଟିଡି କଲ ସାମିଲ ରହିଛି । ଗ୍ରାହକଙ୍କୁ ଦୈନିକ ୧୦୦ ଏସଏମଏସ ଏକ୍ସେସ କରିବାର ସୁବିଧା ମିଳିବ । ଜିଓର ଏହି ପ୍ରିପେଡ ପ୍ଲାନରେ ୟୁଜର୍ସଙ୍କୁ କିଛି ଏପ୍ସର କମ୍ପ୍ଲିମେଣ୍ଟାରୀ ଏକ୍ସେସ ମିଳିବ । ଏଥିରେ ଜିଓ ଟିଭି ଓ ଜିଓଏଆଇକ୍ଲାଉଡର ଏକ୍ସେସ ମିଳିବ । ଜିଓର ଅନ୍ୟ ଏ ରିଚାର୍ଜ ପ୍ଲାନ ୨୪୯ ଟଙ୍କାରେ ଆସୁଛି । ଏଥିରେ ୟୁଜର୍ସଙ୍କୁ ୨୮ ଦିନର ଭାଲିଡିଟୀ ଡେଲି ୧ ଜିବି ଡାଟା ମିଳିବ । ଏଥିସହିତ ଅନଲିମିଟେଡ କଲିଂର ସୁବିଧା ମଧ୍ୟ ମିଳିବ ।
ଦୁଇ ସୁପରପାଓ୍ବାର ମୁହାଁମୁହିଁ: ପାନାମା କେନାଲକୁ ନେଇ ଆମେରିକା-ଚୀନ ମଧ୍ୟରେ ନୂଆ ବିବାଦ ଆରମ୍ଭ
ଗ୍ରୀନଲାଣ୍ଡ ପରେ ଏବେ ପାନାମା କେନାଲ ଉପରେ ଆମେରିକାର ଆଖି । ପାନାମା କେନାଲକୁ ନେଇ ଦୁଇ ସୁପରପାଓ୍ବାର ମୁହାଁମୁହିଁ। ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ଓ୍ବାର ଚାଲିଥିବାବେଳେ ବର୍ତ୍ତମାନ ଆରମ୍ଭ ହୋଇଛି ପାନାମା କେନାଲକୁ ନେଇ ବିବାଦ। କେନାଲର ପରିଚାଳନାରେ ବାଧା ସୃଷ୍ଟି ଲାଗି ଚୀନକୁ ସୁଯୋଗ ଦିଆଯିବ ନାହିଁ ବୋଲି କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ । ପାନାମା ଉପରେ ଚୀନର ଅଯଥା ହସ୍ତକ୍ଷେପର ପ୍ରତିରୋଧ କରାଯିବ ବୋଲି ସେ କହିଛନ୍ତି । ପାନାମା କେନାଲକୁ ଆମେରିକା ଶହେ ବର୍ଷ ତଳୁ ନିର୍ମାଣ କରିଥିବା ବେଳେ ଏହାକୁ ୨୯୯୯ରେ ପାନାମା ହାତରେ ଅର୍ପଣ କରିଥିଲା ।
ଟଲାଣ୍ଟିକ ଓ ପ୍ରଶାନ୍ତ ମହାସାଗରକୁ ଯୋଡୁଥିବା ପାନାମା କେନାଲରେ ଉଭୟ ମୁଣ୍ଡରେ ହଂକଂର ପାନାମା ପୋର୍ଟସ କମ୍ପାନୀ ଜାହାଜ ପରିଚାଳନା କରୁଛି । ଯାହାକି ଜାହାଜ ଜରିଆରେ ହେଉଥିବା ପରିବହନର ୫ ପ୍ରତିଶତ । ପାନାମା କେନାଲରେ ଚୀନର ପ୍ରଭାବ ହ୍ରାସ ଲାଗି ଟ୍ରମ୍ପ ପ୍ରଶାସନ ଜୋରଦାର ଉଦ୍ୟମ କରୁଛି ଏବଂ ଏହାକୁ ଜାତୀୟ ନିରାପତ୍ତା ସହ ତୁଳନା କରୁଛି । ବିଶ୍ବର ଏକ ଆଶ୍ଚର୍ଯ୍ୟ ଭାବେ ପାନାମା କେନାଲକୁ ଦର୍ଶାଇ ହେଗସେଥ କହିଛନ୍ତି- ଏହି କେନାଲକୁ ଚୀନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିପାରିବ ନାହିଁ । ଏହାକୁ ଆମେରିକା ବିରୋଧ କରିବ । ଚୀନ କବଳରୁ କେନାଲକୁ ମୁକ୍ତ କରିବା ଲାଗି ପାନାମା ରାଷ୍ଟ୍ରପତି ଜୋସ ରାଉଲ ମୁଲିନୋଙ୍କ ସହ ଆଲୋଚନା କରିଛନ୍ତି ହେଗସେଥ । କେନାଲରେ ଚୀନକୁ ସୁଯୋଗ ଦେବା ଦ୍ବାରା ପାନାମା ଓ ଆମେରିକା ପ୍ରତି ଗୁଇନ୍ଦାସ୍ତରୀୟ ବିପଦ ସୃଷ୍ଟି ହେଉଛି ବୋଲି କହିଛନ୍ତି ହେଗସେଥ ।
ସେପଟେ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି ପାନାମାସ୍ଥିତ ଚୀନ ଦୂତାବାସ । ପ୍ରଶାନ୍ତ ମହାସାଗରୀୟ ପଟରେ ବାଲବୋଆ ପୋର୍ଟ ଓ ଆଟଲାଣ୍ଟିକ ମହାସାଗର ପଟରେ ଖ୍ରୀଷ୍ଟୋବାଲ ପୋଟର ପ୍ରତିଷ୍ଠା କରିଛି ହଂକଂର ପାନାମା ପୋର୍ଟ୍ସ କମ୍ପାନୀ । ୨୯୯୭ରୁ ୨୦୨୧ ଏବଂ ୨୦୨୧ରୁ ଆଉ ୨୫ ବର୍ଷ ଯାଏ ଦୁଇ ବନ୍ଦରର ପରିଚାଳନା ଭାର ନେଇଛି କମ୍ପାନୀ । ସେପଟେ ହଂକଂର ବୃହତ କମ୍ପାନୀ ସି.କେ. ହଟଚିସନ ପାନାମା କେନାଲରେ ଥିବା ଦୁଇଟି ବନ୍ଦର ସମେତ ୪୩ଟି ବନ୍ଦରକୁ ୨୩ଟି ରାଷ୍ଟ୍ରକୁ ବିକିବା ଲାଗି ଗତ ମାର୍ଚ୍ଚରେ ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ଲାଗି ଅଧିକ ଚାଲେଞ୍ଜ ସୃଷ୍ଟି ହୋଇଛି । ୮୨ କିଲୋମିଟର ଦୀର୍ଘ ଏହି କେନାଲ ନିର୍ମାଣକୁ ୧୯୧୪ରେ ଶେଷ କରିଥିଲା ଆମେରିକା ।
ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନକୁ ୫୮ ରନରେ ପରାସ୍ତ କଲା ଗୁଜରାଟ
ଗତକାଲି ଖେଳାଯାଇଥିବା ଆଇପିଏଲର ୨୩ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏକ ହାଇ ସ୍କୋର କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ୫୩ଟି ବଲରୁ ୮୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋସ ବଟଲର ୩୬, ଶାହରୁଖ ଖାନ ୩୬ ରନ୍ ସଂଗ୍ରହ କରିଥିଲେ । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ଓ ଏମ. ଥିକସାନା ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।
୨୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୦ ହୋଇଥିବା ବେଳେ ଯଶସ୍ବୀ ଜୟସ୍ବାଲ ଓ ୧୨ ହୋଇଥିବା ବେଳେ ନୀତିଶ ରାଣାଙ୍କ ଓ୍ବିକେଟ ହରାଇଥିଲା ଦଳ । ଦଳ ପକ୍ଷରୁ ଶିମ୍ରୋନ ହିଟେମୟର ୫୨ ରନ୍ ଓ ଅଧିନାୟକ ସଞ୍ଜୁ ସାମସନ ୪୧ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଗୁଜରାଟ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରସିଦ ଖାନ ଓ ରବିଶ୍ରୀନିବାସନ ସାଇ କିଶୋର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ବରମୁଣ୍ଡା ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା: ଜଣଙ୍କର ମୃତ୍ୟୁ, ଦୁଇଜଣ ଆହତ
ଭୁବନେଶ୍ବର: ବରମୁଣ୍ଡା ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କୁକୁଡ଼ା ବୋଝେଇ ଗାଡିକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ରାତି ଅଧରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସ ଦୁର୍ଘଟଣାର ତଦନ୍ତ କରୁଥିବା ପରେ ସେହି ସ୍ଥାନରେ ପୁଣି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପିସିଆରର ଦୁଇ କର୍ମଚାରୀ ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ପୋଲିସ କମିଶନର ଓ ଡିସିପି।
୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହଉର ରାଣା ଆଜି ଭାରତରେ ପହଞ୍ଚିବ
ଆଜି ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହଉର ରାଣା। ଭାରତରେ ପହଞ୍ଚିବା ପରେ ରାଣାକୁ ପ୍ରଥମେ ଦିଲ୍ଲୀର ଏନଆଇଏ କୋର୍ଟରେ ହାଜର କରାଯିବ। ଦିଲ୍ଲୀରେ ତାକୁ ତିହାର ଜେଲରେ ରଖାଯିବ। ପରେ ତାକୁ ନିଜ ହେପାଜତକୁ ନେବା ଲାଗି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆବେଦନ କରିବ। ଏହି ସମସ୍ତ ପ୍ରକ୍ରିୟାକୁ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଅନୁଧ୍ୟାନ କରୁଛନ୍ତି। ଗତକାଲି ଏକ ସ୍ବତନ୍ତ୍ର ବିମାନରେ ଆମେରିକାରୁ ବାହାରିଥିଲା ତହଉର। ଭାରତରେ ପହଞ୍ଚିବା ମାତ୍ରେ ତାକୁ ବିଧିବଦ୍ଧ ଭାବେ ଏନଆଇଏ ଗିରଫ କରିବ। ଅଭିଯୋଗ ଅନୁସାରେ ୨୦୦୮ ନଭେମ୍ବର ୧୧ ଓ ୨୧ ମଧ୍ୟରେ ରାଣା ଦୁବାଇରୁ ମୁମ୍ବାଇ ଆସିଥିଲା।
ଦୀର୍ଘ ଦିନ ପରେ ଗତ ୨୦୨୦ ଜୁନରେ ରାଣାକୁ ବିଧିବଦ୍ଧ ଗିରଫ କରିବା ଲାଗି ଭାରତ ଆମେରିକାକୁ ଅନୁରୋଧ କରିଥିଲା। ତିନି ଦିନ ତଳେ ପ୍ରତ୍ୟର୍ପଣ ବିରୋଧରେ ରାଣାର ଆବେଦନକୁ ଆମେରିକାର ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହା ପରେ ଭାରତକୁ ଆଣିବାରେ ପଥ ପରିଷ୍କାର ହୋଇଥିଲା। ଏହା ଆଗରୁ ମାର୍ଚ୍ଚରେ ମଧ୍ୟ ତାର ଏକ ଆବେଦନକୁ ଆମେରିକାର ଏକ କୋର୍ଟ ଖାରଜ କରିଥିଲେ। ୬୪ ବର୍ଷୀୟ ତହବୁର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡା ନାଗରିକ। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ସେ ଜଣେ। ରାଣା ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାରେ ପାକିସ୍ତାନୀ ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ସାହାଯ୍ୟ କରିଥିଲା। ହେଡଲି ପୂର୍ବରୁ ଆମେରିକାରେ ସଜା କାଟୁଛି।
ରନ୍ଧନ ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ
ଭୁବନେଶ୍ୱର : ଭୁବନେଶ୍ୱରରେ ରନ୍ଧନ ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ। ଡବଲ ଇଞ୍ଜିନ ସରକାର ବିରୋଧରେ ନାରା ବାଜି। ସିଲିଣ୍ଡର କାନ୍ଧରେ ଧରି ପ୍ରତିବାଦ କରିଛି ସିପିଆଇ। ବିଜେପି ସରକାର ମହିଳା ବିରୋଧୀ ନାରାବାଜି ଦେଇଛନ୍ତି । ଦରଦାମ ନିୟନ୍ତ୍ରଣ ହୋଇ ନଥିବା ବେଳେ ଏବେ ହାଣ୍ଡିଶାଳ ଉପରେ ଆକ୍ରମଣ କରୁଛି ବିଜେପି। ସରକାରକୁ ୧୦ ମାସ ବିତିଗଲାଣି । କାହିଁକି ଦର ନ କମାଇ ଦର ବୃଦ୍ଧି କରୁଛନ୍ତି ବୋଲି ପ୍ରଶ୍ନ କରିଛି ସିପିଆଇ । ବିଜେପି ହେଉଛି ମନୁବାଦୀ ଦଳ। ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି ହେବା ଗରିବ ଲୋକଙ୍କୁ ପେଟକୁ ଲାତ ମାରିବା ସଦୃଶ। ଏବେ ଭୁବନେଶ୍ୱର ପ୍ରତିବାଦ ହୋଇଛି ଆଗାମୀ ଦିନରେ ଗାଁ ଗଣ୍ଡାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସିପିଆଇ।

