spot_img
Home Blog Page 953

ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର : ପିତ୍ରାଳୟରେ ବୁଢୀ ଠାକୁରାଣୀ । ଦୁଇବର୍ଷ ପରେ ବାପା ଘରକୁ ଆସିଲେ ମାଆ । ଦେଶୀ ବେହେରା ସାହିର ଅସ୍ଥାୟୀ ମନ୍ଦିରରେ ମାଆ ସାଆନ୍ତାଣୀ । ଦର୍ଶନ ପାଇଁ ସକାଳୁ ସକାଳୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ବିଳମ୍ବିତ ରାତିରେ ଦେଶୀ ବେହେରା ଦମ୍ପତି ଚାଙ୍ଗୁଡ଼ିରେ ଇଟମଳା ଫୁଲ ନେଇ ବିଶାଳ ପଟୁଆରରେ ବାହାରିଥିଲେ ମାଆଙ୍କ ମନ୍ଦିର । ଶଙ୍ଖ, ଘଣ୍ଟ, ଢୋଲ, ଚାଙ୍ଗୁ ବାଦ୍ୟରେ ଦୁଲୁକିଥିଲା ପରିବେଶ । ଚଣ୍ଡୀପାଠ, ଦିଗବନ୍ଦନ, ଆଳତୀ, ମନ୍ତ୍ରଣା ପରେ ମାଆଙ୍କୁ ଅର୍ପଣ କରାଯାଇଥିଲା ଫୁଲ । କିଛି ସମୟ ପରେ ପିତ୍ରାଳୟ ଆସିବାକୁ ମଥାରୁ ଫୁଲ ଖସାଇ ସମ୍ମତି ଜଣାଇଥିଲେ ମାଆ । ଦେଶୀ ବେହେରାଙ୍କ ହାତକୁ ଆଜ୍ଞାମାଳ ଆସିବା ପରେ ଏହାକୁ ନେଇ ସାହିକୁ ଫେରିଥିଲେ ଦମ୍ପତି ।

ରାଜାଗୁର୍ଜି, ବଡ଼ବଜାର, ଖାସ୍ପା ସାହି ଓ କାଞ୍ଜି ବେହେରା ସାହି ଦେଇ ମାଆଙ୍କ ଚାଙ୍ଗୁଡ଼ି ଦେଶୀ ବେହେରା ସ୍ଥିତ ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲା । ସାହିର ମହିଳାମାନେ ରାସ୍ତାରେ ଗୋବର ପାଣିରେ ଲିପା ପୋଛା କରି ବିଭିନ୍ନ ଝୋଟି ଦେଇ ମାଆଙ୍କୁ ସ୍ବାଗତ କରିଥିଲେ । ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ମାଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଏହା ପରେ ବିଦ୍ଧିବଦ୍ଧ ଭାବେ ଆରମ୍ଭ ହୋଇଛି ଯାତ୍ରା । ଶୁକ୍ରବାର ମାଆଙ୍କ ବିଶ୍ରାମ ପରେ ଶନିବାରଠାରୁ ମାଆ ନଗର ପରିକ୍ରମରେ ବାହାରିବେ । ମୁଖ୍ୟ ଘଟ ସହ ୯ଟି ଘଟ ପ୍ରତିଦିନ ବିଭିନ୍ନ ସାହି ପରିକ୍ରମା କରିବ । ମାଆ ଏଠାରେ ଦୀର୍ଘ ୨୫ ଦିନ ଅବସ୍ଥାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି ।

ଉଦଘାଟନ ଅପେକ୍ଷାରେ ଦୁଇ ଦୁଇଟି ସ୍ପୋର୍ଟସ କମ୍ପ୍ଲେକ୍ସ, ଅଭ୍ୟାସ ପାଇଁ ସୁଯୋଗ ପାଉନାହାନ୍ତି ଖେଳାଳି

କଟକ : ଖତ ଖାଉଛି କୋଟି କୋଟି ଟଙ୍କାର ସରଞ୍ଜାମ । ଉଦଘାଟନ ଅପେକ୍ଷାରେ ଦୁଇଟି ସ୍ପୋର୍ଟ୍ସ କମ୍ପ୍ଲେକ୍ସ । ଅଭ୍ଯାସ ପାଇଁ ଖେଳାଳିଙ୍କୁ ମିଳୁନି ସୁଯୋଗ । କଟକ ମହାନଦୀ ପଠାରେ ନିର୍ମିତ ଏସସିବି ସାମ୍ପ୍ରସାରଣରେ ସ୍ଥାନାନ୍ତର ହୋଇଥିବା ବୋଷ ଓ ଏସସିବି ବଡ଼ ମେଡିକାଲ ଖେଳ ପଡିଆ । ନିର୍ମାଣ କାର୍ଯ୍ୟ ଆଜିକୁ ଦୀର୍ଘଦିନ ହେବ ସମ୍ପୂର୍ଣ୍ଣ ହୋଇ ନପାରି ପଡ଼ି ରହିଛି । ଫଳରେ ଜିଲ୍ଲାରେ ଖେଳାଳିମାନେ ଅଭ୍ଯାସ ପାଇଁ ଉପଯୁକ୍ତ ଭିତ୍ତିଭୂମି ପାଇପାରୁ ନଥିବା ଅଭିଯୋଗ ହୋଇଛି । ଦୀର୍ଘଦିନ ହେଲା ପଡି ରହିବାରୁ ଖେଳ ଉପକରଣ ମଧ୍ଯ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରୀଡ଼ାବିତ ।

୨୦୨୨ରେ ପୂର୍ବ ସରକାର ଏହି ଦୁଇଟି ଅତ୍ୟଧୁନିକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ତିଆରି କରିଥିଲେ । ଏଥିପାଇଁ ୨ କୋଟି ୫୭ ଲକ୍ଷ ଖର୍ଚ୍ଚ ହୋଇଥିଲା । ଏହି ପ୍ରକଳ୍ପ ୨୦୨୫ରେ ସମ୍ପୂର୍ଣ୍ଣ ହୋଇଥିଲା । ଦୁଇଟି କ୍ରିକେଟ ଗ୍ରାଉଣ୍ଡ, ଦୁଇଟି ଫୁଟବଲ ଗ୍ରାଉଣ୍ଡ ସହିତ ଟେବୁଲ ଟେନିସ ଆଦି ଗ୍ରାଉଣ୍ଡ ରହିଛି । କ୍ରିକେଟ ଅଭ୍ୟାସ ପାଇଁ ୪ ଟି ପିଚ ନିର୍ମାଣ ହୋଇଛି । ପାର୍କିଂ ବ୍ୟବସ୍ଥା ସାଙ୍ଗକୁ ଦର୍ଶକ ପାଇଁ ମଧ୍ୟ ପାର୍କିଂ ସୁବିଧା ଓ ୩୦ ଫୁଟ ରୋଡ଼ କରାଯାଇଛି । ସେପଟେ ବୋଷର କାମ ସାରିଥିବା ବେଳେ ଏସସିବିର କିଛି କାମ ବାକି ରହିଛି । ମେ ମାସ ସୁଦ୍ଧା ଏହି ଦୁଇଟି ଖେଳପଡିଆ ଉଦଘାଟନ କରିବା ସହିତ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁରୀ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଶେଷ

ପୁରୀ : ପୁରୀ ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ଯତା । ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବା ସହ ପର୍ଯ୍ୟଟନର ହେବ ଅଭିବୃଦ୍ଧି । ବିଶ୍ବର ରଥଯାତ୍ରା ପାଳନ ନେଇ ଉଠୁଥିବା ଦ୍ବନ୍ଦ୍ବର ହେବ ସମାଧାନ । ସଫଳତାର ସହ ପ୍ରଥମ ସୋପାନ ପାର । ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ଇନଟାଞ୍ଜିବଲ କଲଚୁରା ହେରିଟେଜ୍ ଅଫ ହ୍ୟୁମାନିଟି ମାନ୍ଯତା ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି । ୟୁନେସ୍କୋ ମାନ୍ୟତା ପାଇଁ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଐତିହ୍ଯ ତାଲିକାଭୁକ୍ତ ହେବାକୁ ଥିବାବେଳେ ରଥଯାତ୍ରା ବିଧିବଦ୍ଧ ଭାବେ ତାଲିକାଭୁକ୍ତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକଣା ସମୟରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଗଜପତି ମହାରାଜା ଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ କମ୍ ଅବଧି ମଧ୍ଯରେ ସମସ୍ତ ପ୍ରସ୍ତୁତି ହୋଇଥିଲା । ସେବାୟତମାନେ ମଧ୍ଯ ଏଥିପାଇଁ ସହଯୋଗ ପ୍ରଦାନ କରିଥିଲେ । ଏଥିପାଇଁ ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି ଜିଲ୍ଲାପାଳ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପ୍ରୟାସକୁ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ପ୍ରଶିଦ୍ଧ ଘୋଷଯାତ୍ରା । ୟୁନେସ୍କୋ ମାନ୍ୟତା ମିଳିଲେ ବିଦେଶରେ ରଥଯାତ୍ରା ପାଳନ ନେଇ ଦ୍ଵନ୍ଦ ଦୁରୀଭୂତ ହେବା ସହ ରଥଯାତ୍ରାର ମହିମା ସମ୍ପର୍କରେ ଜଗନ୍ନାଥ ପ୍ରେମୀ ଭଲଭାବେ ଅବଗତ ହୋଇପାରିବେ । ଶ୍ରୀକ୍ଷେତ୍ରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ବଢିବା ସହ ପର୍ଯ୍ୟଟନର ଅଭିବୃଦ୍ଧି ମଧ୍ୟ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ୟୁନେସ୍କୋର ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ରଥଯାତ୍ରାକୁ ନେଇ ସମସ୍ତ ତଥ୍ୟ ସଂଗ୍ରହ ପରେ ମାନ୍ୟତା ନେଇ ବିଧିବଦ୍ଧ ପ୍ରକାଶ କରାଯିବ ।

ରାଜଧାନୀ ବାଙ୍କୁଆଳ ନଦୀ ବନ୍ଧ ନିକଟ ନିକାଞ୍ଚନ ସ୍ଥାନରେ ଡବଲ ଏନକାଉଣ୍ଟର

ଭୁବନେଶ୍ବର : କ୍ରିମିନାଲଙ୍କୁ କମିଶନରଙ୍କ କଡ଼ା ସନ୍ଦେଶ । ଅପରାଧୀଙ୍କ ଆକ୍ସନକୁ ଡିସିପିଙ୍କ ରିଆକ୍ସନ । ଗୁଳିର ମୁହଁତୋଡ ଜବାବ ଦେଲା ପୋଲିସ୍ । ନିର୍ଜନ ରାତିରେ ନିକାଞ୍ଚନ ସ୍ଥାନରେ ଡବଲ ଏନକାଉଣ୍ଟର ।ହାର୍ଡକୋର କ୍ରିମିନାଲ ସୋନୁ ଯାଦବ ଓ ମନୀଷ ଯାଦବ । ଘର ବିହାରର କଟିଆର । ମାର୍ଚ୍ଚ ୨୦ ରେ ଭୁବନେଶ୍ୱର ଆସିଥିଲେ। ଆସିବା ପରେ ରସୁଲଗଡ଼ ଓ ବଡଗଡ଼ ଅଞ୍ଚଳରୁ ସେହି ରାତିରେ ଲୁଟି ନେଇଥିଲେ ସୁନା ଚେନ୍ । ୪ଟି କେସ ପରେ ପୁରୀ ଚାଲି ଯାଇଥିଲେ। ପୁଣି ଥରେ ଗୁରୁବାର ଦିନ ବାଙ୍କୁଆଳ ନଦୀ ବନ୍ଧ ନିକଟରେ ପହଁଚି ଆଉ ଏକ ଲୁଟ ପାଇଁ ପ୍ଲାନ କରୁଥିବା ବେଳେ ଖବର ପାଇ କ୍ରାଇମ ସ୍ପଟରେ ପହଁଚି ଘାଇଲା କରିଦେଇଥିଲା ସ୍ପେଶାଲ ସ୍କ୍ବାଡ । ତୁରନ୍ତ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ହସ୍ପିଟାଲରେ ପହଞ୍ଚିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କ୍ରାଇମ ସ୍ପଟରେ ପଡିଥିବା ଦୁଇ ବନ୍ଧୁକ, ଗୁଳି, ଲୁଟରେ ବ୍ୟବହୃତ ବ୍ୟାଗ ଓ କଳା ରଙ୍ଗର ପଲସର ଗାଡିକୁ ଜବତ କରାଯାଇଛି । ଘଟଣାସ୍ଥଳରେ ଛାନଭିନ କରିଛି ସାଇଣ୍ଟିଫିକ ଟିମ । ଭଲକରି ଦେଖନ୍ତୁ ଏହି ଗାଡି ନମ୍ବରକୁ । କାଲି ରାତି ପ୍ରାୟ ୧୦ ଟା ପରେ ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ ନଦୀ ପଠାରେ ଏନକାଉଣ୍ଟର ହୋଇଥିବା ବେଳେ ଅପରାହ୍ନରେ ଏହି ଗାଡି ଆଚାର୍ଯ୍ୟ ବିହାର ଛକ ଅତିକ୍ରମ କରିଛି । ବିନା ହେଲମେଟ ଯୋଗୁଁ ଗାଡ଼ିରେ ୧ ହଜାର ଟଙ୍କାର ଫାଇନ କଟିଛି । ତେବେ ଏହି ଗାଡି ମଧ୍ୟ, ଚୋରା ବୋଲି ଜଣାପଡିଛି । ସବୁଠାରୁ ବଡ଼କଥା ଏନକାଉଣ୍ଟରର ୨ ଘଣ୍ଟା ପୂର୍ବରୁ କେଶୁରା ଛକରୁ ଶହେ ଗ୍ରାମରୁ ଉର୍ଦ୍ଧ ଏକ ଚେନ ଲୁଟ ହୋଇଛି । ଅଭିଯୁକ୍ତଙ୍କ ଏହି କେସରେ ସମ୍ପୃକ୍ତି ନେଇ ତନାଘନା ଆରମ୍ଭ କରିଛି ପୋଲିସ ।  ଗତ ୩ ମାସ ଭିତରେ ୩ ଟି ଏନକାଉଣ୍ଟର କରିଛି ଭୁବନେଶ୍ୱର ପୋଲିସ । ୪ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଘାଇଲା କରାଯାଇଛି । ଅନ୍ୟରାଜ୍ୟ ପୋଲିସ ଲିଙ୍କରେ ସ୍ପେଶାଲ ସ୍କ୍ବାଡ ରହିବା ସହ ସେମାନଙ୍କ ଡାଟାବେସକୁ ସ୍କାନରକୁ ନେଇଛି ।

ହାସ୍ୟ ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟାନ କଲା ଯାତ୍ରା ମାଲିକ ସଂଘ

ଭୁବନେଶ୍ବର : ହାସ୍ୟ ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟାନ କଲା ଯାତ୍ରା ମାଲିକ ସଂଘ । ଭୁବନେଶ୍ବରରେ ଯାତ୍ରା ମାଲିକ ସଂଘର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ସମୟ ଧରି ଆଲୋଚନା ପରେ ଯାତ୍ରା ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ତୁଳସୀ ଗଣନାଟ୍ୟର ମାଲିକଙ୍କ ସହ ଚୁକ୍ତି ଟଙ୍କା ନେଇ ପରବର୍ତ୍ତି ସମୟରେ ତାଙ୍କୁ ଦୁର୍ବବ୍ୟବହାର କରିବା ଓ ଥାନାରେ ମାମଲା କରିବା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ମହଙ୍ଗା ପଡିଛି । ଆସନ୍ତା ଶୁକ୍ରବାର ପୀୟୂଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ମାଲିକ ସଂଘର ବୈଠକ ହେବ । ପରବର୍ତ୍ତି ସମୟରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଜଣାପଡିବ । ପିୟୁସ ଅସୁସ୍ଥ ଥିବା ତାଙ୍କ ବାପା ଯାତ୍ରା ସଂଘ ଜଣାଇଛନ୍ତି । ତେଣୁ ଆସନ୍ତା ସପ୍ତାହରେ ହେବାକୁ ଥିବା ବୈଠକରେ ଯୋଗଦେବେ ପୀୟୂଷ । ଭୁବନେଶ୍ବରରେ ବିବାଦକୁ ନେଇ ଯାତ୍ରା ମାଲିକ ସଂଘର ବୈଠକ ବସିଥିଲା । ତେବେ ବୈଠକରେ ଏନେଇ ସବିଶେଷ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମାଲିକ ସଂଘ ସଭାପତି ଭରତ ଭୂଷଣ ଦେଓ । ସେପଟେ ପୀୟୂଷଙ୍କ ବାପା ହରିଶଙ୍କର ତ୍ରିପାଠୀ ଯାତ୍ରା ମାଲିକ ସଂଘର ସଭାପତିଙ୍କୁ ଲେଖିଥିବା ଚିଠିରେ ଜଣାଇଛନ୍ତି ଯେ ତାଙ୍କ ପୁଅ ଆର୍ଥିକ ଓ ପାରିବାରିକ ସମସ୍ୟା ପାଇଁ ଘରେ ରହିବେ । ଅପେରା ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ପାର୍ଟି ବିବାଦରେ ସମସ୍ତେ ସମସ୍ତଙ୍କ କଥା କହିଲେ, ହେଲେ କେହି ତାଙ୍କ କଥା ଶୁଣିଲେ ନାହିଁ । ତାଙ୍କ ପରିବାର ନିଷ୍ପତ୍ତି ଅନୁଯାୟୀ ପୀୟୂଷ ୨୦୨୫-୨୬ରେ ଘରେ ରହିବେ । ତେଣୁ ଦୁଇଟି ଯାକ ଯାତ୍ରା ପାର୍ଟି ମାଲିକ ଦେଇଥିବା ଅଗ୍ରୀମ ଫେରାଇ ନେବାକୁ ସଂଘର ସଭାପତିଙ୍କୁ ଅନୁରୋଧ କରିଛନ୍ତି ପୀୟୂଷଙ୍କ ବାପା । ସେପଟେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା ।

ମୂର୍ତ୍ତି ସହ ମୁଖା ପ୍ରସ୍ତୁତିରେ ଲାଗିପଡିଛନ୍ତି ନଗେନ ମହାପାତ୍ରଙ୍କ ପରିବାର

ଅନୁଗୁଳ : ବିଭିନ୍ନ ମୂର୍ତ୍ତି ସାଙ୍ଗକୁ ମୁଖା ପ୍ରସ୍ତୁତିରେ ନିମଗ୍ନ କାରିଗର । ତୁଳୀରେ ରଙ୍ଗଦେଇ ନିର୍ମାଣ କରୁଛନ୍ତି ଜୀବନ୍ତ କଳାକୃତି । ଦଣ୍ଡଯାତ୍ରାରେ ବ୍ଯବହୃତ ସାମଗ୍ରୀ ଓ ସରଞ୍ଜାମ ପ୍ରସ୍ତୁତିରେ ଲାଗିପଡିଛନ୍ତି କାରିଗର । ଦିନରାତି ଏକ କରି ସରଞ୍ଜାମ ତିଆରିରେ ଲାଗିପଡିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଲାଛବନ୍ଧ ଗାଁର ନଗେନ ମହାପାତ୍ରଙ୍କ ପରିବାର । ମା’ କାଳୀଙ୍କ ମୁଖା ସହ ଅନ୍ୟାନ୍ୟ ଚରିତ୍ର ପାଇଁ ଷଣ୍ଢ, ବାଘ, ସିଂହ, ଭାଲୁ, ଚଢ଼େୟା ମୁଖା ଓ ନାବକେଳି ପାଇଁ ଧର୍ମଡଙ୍ଗା ତିଆରି କରୁଛନ୍ତି ।

ନଗେନଙ୍କ ପରିବାର ଦଣ୍ଡ ଯାତ୍ରାରେ ବ୍ୟବହୃତ ସରଞ୍ଜାମ ପୀଢି ପରେ ପୀଢି ପ୍ରସ୍ତୁତ କରି ଆସୁଛନ୍ତି । ଘରର ମହିଳାମାନେ ମଧ୍ୟ ଏହି କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି । ନଗେନ ଓ ତାଙ୍କ ପରିବାର ମନ୍ଦିର, ମାଟି ଓ ସିମେଣ୍ଟ ମୂର୍ତି ଓ କାଗଜରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରିଥାନ୍ତି । ଦଣ୍ଡ ଯାତ୍ରା ପୂର୍ବରୁ ଗାଁ ସମତେ ଜିଲ୍ଲା ବାହାରୁ ଲୋକେ ଆସି ଏହି କଳାକୃତି ନେଇଯାଆନ୍ତି । ନଗେନଙ୍କ ଏହି କଳାକୃତି ପାଇଁ ସେ ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ପରିଚିତ ହୋଇପାରିଛନ୍ତି । ସରକାରଙ୍କ ପକ୍ଷରୁ ନଗେନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ସେ ଆହୁରି ଆଗକୁ ଯାଇପାରନ୍ତେ ।

ଦିଗହରା ମୋ ପୋଖରୀ ଯୋଜନା, ପୋତିହେବାକୁ ବସିଲାଣି ପୋଖରୀ

ସମ୍ବଲପୁର : ପୂର୍ବ ସରକାର ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡିଥିଲେ । ଏସଏଚଜି ମାନଙ୍କୁ ପୋଖରୀ ଗୁଡିକର ପୁନରୁଦ୍ଧାର ଏବଂ ବ୍ୟବହାର ଉପଯୋଗୀ କରିବା ପାଇଁ ମୋ ପୋଖରୀ ଯୋଜନାରେ କାମ ଯୋଗାଇ ଦେଇଥିଲେ । ମହିଳା ମାନେ ନିଜର ପୁଞ୍ଜି ଲଗାଇ କାମକୁ ଆଗକୁ ବଢାଇଥିଲେ । ଏବେ ସରକାର ବଦଳିବା ପରେ SHG ଗ୍ରୁପର ମହିଳା ମାନେ କରିଥିବା କାମର ପ୍ରଥମ କିସ୍ତି ଟଙ୍କା ମଧ୍ୟ ପାଇନଥିବା ନେଇ ଅଭିଯୋଗ କରିଛନ୍ତି । ପ୍ରାପ୍ୟ ପାଇଁ ମହାନଗର କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ନୟାନ୍ତ ହେଲେଣି ହେଲେ ଫଳ ଶୂନ । ଫଳରେ ଚଳିତ ବର୍ଷ କାମ ଆଗକୁ ବଢିନପାରି କେଉଁଠି ମାଟିରେ ପୋଖରୀ ପୋତି ହେଲାଣି ତ କେଉଁଠି ଅଳିଆ ଗଦା ପାଲଟିଗଲାଣି ।

ସମ୍ବଲପୁର ମହାନଗରରେ ୮ଟି ପୋଖରୀ ଏହି ଯୋଜନାରେ ସାମିଲ ହୋଇ କାମ ଆରମ୍ଭ ହୋଇଛି । ପ୍ରତି ପୋଖରୀ ପାଇଁ ୪ କୋଟିରୁ ୬ କୋଟି ପର୍ଯ୍ୟନ୍ତ ଅର୍ଥ ମଂଜୁର ହୋଇଥିଲା । ପ୍ରତି SHG ମାନଙ୍କୁ ୧୫ ଲକ୍ଷ ଟଙ୍କlର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା  l କେବଳ ଦୁଇଟି ପୋଖରୀ ଛାଡିଦେଲେ ବାକି ସବୁଠି ୨୦ ପ୍ରତିଶତ ବି କାମ ହୋଇନି । ସେପଟେ ମହାନଗର ନିଗମ କମିଶନର କହିଛନ୍ତି । କାମ କରିବାକୁ SHG ମାନଙ୍କୁ ଟ୍ରେଂନି ଦିଆଯାଇଥିଲା ଆଉ ସେମାନେ ଭଲ କାମ କରିଛନ୍ତି ।  କେତେଟା ଜାଗାରେ କିଛିଟା ସମସ୍ୟା ଯୋଗୁ ତାଙ୍କର ପ୍ରାପ୍ୟ ବିଳମ୍ବ ହେଉଛି । ସେ କାମ ଗୁଡିକୁ ପୁଣିଥରେ ଆରମ୍ଭ କରିବାକୁ ଆମେ SHG ଙ୍କୁ କହିଛୁ । ବହୁତ ଜଲଦି ଏହାର ସମାଧାନ ହେବ ।ପୂର୍ବ ସରକାର SHG ମହିଳାଙ୍କୁ ସ୍ଵାବଲମ୍ବୀ କରିବାକୁ ତାଙ୍କୁ ଏହି ଯୋଜନାର ଦାୟିତ୍ଵ ଦେଇଥିଲେ । ଏବେ ଦିଗହରା ମୋ ପୋଖରୀ ଯୋଜନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଗ୍ରୀଷ୍ମ ପ୍ରବାହକୁ ଦ୍ଵିଗୁଣିତ କରୁଛି ଜଳକଷ୍ଟ, ପାଣି ପାଇଁ ଡହଳବିକଳ ଲୋକେ

କଣ୍ଟାମାଳ : ବସୁଧା ଯୋଜନାରେ ପ୍ରତ୍ଯେକ ଘର ଆଗରେ ଲାଗିଛି ଷ୍ଟାଣ୍ଡ ପୋଷ୍ଟ ଓ ପାଇପ ଲାଇନ । ହେଲେ ସେସବୁ ଅଚଳ ହୋଇପଡିଛି । ଗାଁରେ ଥିବା ଚାରିଗୋଟି ନଳକୂପ ମଧ୍ୟରୁ ଦୁଇ ଗୋଟି ଅଚଳ ହୋଇପଡିଛି । ଦୁଇ ଗୋଟି ନଳକୂପରୁ ଭଲରେ ପାଣି ବାହାରୁନାହିଁ । ଏପରି ସ୍ଥିତିରେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲରାଝୁଲି ଗାଁ ଲୋକେ । ପ୍ରତିଦିନ ସକାଳୁ ମହିଳାମାନେ ଗାଁ ଠାରୁ ଗୋଟିଏ କିଲୋମିଟର ଚାଲି ଚାଲି ଯାଇ ପାଣି ଆଣି ଚଳୁଛନ୍ତି । ତାହା ପୁଣି ଗୋଟିଏ କୂଅ ଉପରେ ଦୁଇ ହଜାର ଲୋକ ନିର୍ଭର କରୁଥିବାରୁ କୂଅ ପାଖରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ନେଇ ଲୋକେ କହିଛନ୍ତି ।

ଅଞ୍ଚଳରେ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ଥିଲେ ମଧ୍ଯ ତାହା ଅଚଳ ହୋଇପଡିଥିବାରୁ ଲୋକେ କୂଅ, ପୋଖରୀର ଦୂଷିତ ପାଣି ପିଉଛନ୍ତି । ଜଳ ସମସ୍ଯାର ସମାଧାନ ନିମନ୍ତେ ଗ୍ରାମବାସୀ ଅନେକ ଥର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଅନ୍ଯପଟେ ଏନେଇ କଣ୍ଟାମାଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚରିବାରୁ, ସେ ଖୁବଶୀଘ୍ର ପ୍ରକଳ୍ପ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ଗାଁରେ ଖୁବଶୀଘ୍ର ଜଳ ଯୋଗାଣ ପ୍ରକଳ୍ପର ମରାମତି କରାନଗଲେ ଆଗକୁ ଉତ୍କଟ ପାନୀୟ ଜଳସଙ୍କଟ ଦେଖା ଦେବାର ଆଶଙ୍କା ଦେଖାଦେଇଛି ।

ଘରୋଇ ଋଣ ପ୍ରଦାନକାରୀ ସଂସ୍ଥା ପାଲଟିଛି ମୃତ୍ୟୁର ସୌଦାଗର

ଆନନ୍ଦପୁର : ଭାରି ପଡୁଛି ଋଣ । ମୃତ୍ୟୁର କାରଣ ପାଲଟୁଛି ଘରୋଇ ଋଣ ପ୍ରଦାନକାରୀ ସଂସ୍ଥା । ଜୁଲମ ସହିନପାରି ହାରୁଛନ୍ତି ଜୀବନ । ଭାବିଥିଲେ ଋଣ ଆଣି ପନିପରିବା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବେ । ହେଲେ ଚାଷରେ କ୍ଷତି ହେବାରୁ ଋଣ ସୁଝିନପାରି ଘରୋଇ ସଂସ୍ଥାର ଜୁଲମରେ ଜୀବନ ହାରୁଛନ୍ତି ମହିଳା । ଏପରି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗାଁରେ । କିଛି ଦିନ ତଳେ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ଯ କେତେ ଜଣ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଗ୍ରାମର ଗିରିଧାରୀ ଦାସଙ୍କ ସ୍ତ୍ରୀ କୁନ୍ତଳା ଦାସ ଦୁଇଟି ଗ୍ରୁପରୁ ୧ ଲକ୍ଷ ୪୦ ହଜାର ଟଙ୍କା ଋଣ ଆଣି ଚାଷ ବାସ କରିଥିଲେ । ହେଲେ ଋଣ ପରିଶୋଧ କରିପାରି ନପାରିବାରୁ ଫାଇନାନ୍ସ ସଂସ୍ଥାର କର୍ମଚାରୀ ବାରମ୍ଵାର ଘରକୁ ଅସି ତାଗିଦ କରିବାରୁ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପରେ ତାଙ୍କର କଟକ ବଡ ମେଡିକାଲରେ ମୃତ୍ଯୁ ଘଟିଛି । ଏପରିକି ମୃତ୍ୟ ବରଣ କରିବା ଦିନ ମଧ୍ୟ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ମାନେ ଆସି ତାଙ୍କ ଘର ବାରଣ୍ଡାରେ ବସିବାରୁ ପଡ଼ୋଶୀ ମାନେ ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି କିସ୍ତି ପୈଠ କରିଥିବା କହିଛନ୍ତି।

ସେହିପରି ଅନ୍ୟ ଜଣେ ମହିଳା ଗ୍ରୁପ ଋଣ ଟଙ୍କା ପରିଶୋଧ କରି ନପାରି କିଛି ଦିନ ତଳେ ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ମଧ୍ଯ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଘରୋଇ ଫାଇନାନ୍ସ ସଂସ୍ଥାର ଋଣ ଆଦାୟ ଜୁଲମ ମହିଳା ମାନଙ୍କୁ ମାନସିକ ଆଘାତ ଦେଉଥିବା ବେଳେ ଅନେକ ପରିବାରରେ ଅଶାନ୍ତି ସୃଷ୍ଟି କରୁଛି । ଋଣ ଲଗାଣକାରୀ ସଂସ୍ଥା ଗୁଡ଼ିକ ଗ୍ରାହକଙ୍କୁ ଟଙ୍କା ଦେଲା ବେଳେ ସେମାନଙ୍କ ଆର୍ଥିକ ସ୍ଥିତି ଦେଖୁନଥିବା ଯୋଗୁଁ ଏପରି ସ୍ଥିତି ଉପୁଜୁଛି ବୋଲି ଅଭିଯୋଗ ହୋଇଛି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଋଣ ଅପବାଦରୁ ବଞ୍ଚିବାକୁ ଜୀବନ ହାରୁଥିବା ମହିଳାମାନଙ୍କ ମାନସିକ ସ୍ଥିତିରେ ସୁଧାର ଆଣିବା କ୍ଷେତ୍ରରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

ଆଜି ଠାରୁ ସମୂହ ଛୁଟିରେ ଗଲେ ଯୋଗାଣ ସହାୟକ

ଭୁବନେଶ୍ବର : ଆଜି ଠାରୁ ସମୂହ ଛୁଟିରେ ଗଲେ ଯୋଗାଣ ସହାୟକ। ରାଜ୍ୟରେ ବାଧାପ୍ରାପ୍ତ ହୋଇପାରେ PDS ସାମଗ୍ରୀ ବଣ୍ଟନ। ରାଜ୍ୟର ଅଧା ହିତାଧିକାରୀ PDS ସାମଗ୍ରୀ ପାଇଁ ହଇରାଣ ହୋଇପାରନ୍ତି। ରାଜ୍ୟରେ ୨୧ ଜିଲ୍ଲାରେ ପ୍ରାୟ ୩୫୦୦ରୁ ଅଧିକ ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ। ଯାହା ଫଳରେ ଯୋଗାଣ ସହାୟକ ନିଯୁକ୍ତ ହୋଇଥିବା ପଂଚାୟତରେ PDS ସାମଗ୍ରୀ ବଣ୍ଟନ ପୁରା ଠପ ହୋଇଯିବ। ବାରମ୍ବାର ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବାରୁ ଏଭଳି ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ। ଏ ନେଇ ଭୁବନନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସଙ୍ଘ ସଭାପତି ସଂଜୀବ କୁମାର ଦାଶ। ଦାବି ପୂରଣ ନ ହେଲେ ପୁଣି ରାଜରାସ୍ତାରେ ରାଜ୍ୟ ସରକାରଙ୍କ ବିରୁଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଙ୍ଘ ।