spot_img
Home Blog Page 949

ନକଲି ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ମାନସ

ଭୁବନେଶ୍ବର : ଚାକିରି ନକଲି କିନ୍ତୁ ଠାଣି ପୁରା ଅସଲି । ନକଲି ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ଭଦ୍ରକ ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତି । ଭାଇରାଲ ହୋଇଛି ଫଟୋ ଓ କିଛି ଡକ୍ୟୁମେଣ୍ଟ । ନନ୍ଦିଘୋଷ ଟିଭି ହାତରେ ଲାଗିଥିବା ଏହି ଏକ୍ସକ୍ଲୁସିଭ ଫଟୋ ଓ ଗୃହ ବିଭାଗର ପ୍ରମୋସନ ଲେଟର କୁ ଭଲକରି ଦେଖନ୍ତୁ । ଡେପୁଟି ଏସପି ଭାବେ କୁଆଡେ ହୋଇଥିଲା ମାନସ ସେନାପତିର ପ୍ରମୋସନ। ଏହି ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ । ତେବେ ଏହି ନୋଟିଫିକେସନ ର ସତ୍ୟତା ବର୍ତ୍ତମାନ ତଦନ୍ତ ସାପେକ୍ଷ । ସେପଟେ ଫେସବୁକ ଓ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋ ଗୁଡିକୁ ନଜର ପକାନ୍ତୁ । ଡିସିପି ଅଫିସ ସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ଏହି ନକଲି ପୋଲିସ ନିଜକୁ ଅସଲି ବୋଲି ପ୍ରମାଣ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ ।

ରବିବାର ରାତି ୧୨ ଟା ୩୦ ବେଳେ ସହିଦନଗର ଥାନା IDBI ବ୍ୟାଙ୍କ ଆଗରେ ଚେକିଂ ଚାଲିଥିବା ବେଳେ ଏକ ବ୍ଲୁ ରଙ୍ଗର ସୁଇଫ୍ଟ କାରରେ ଧରାପଡିଥିଲେ ମାନସ ସେନାପତି ଓ ଆଶିଷ ସ୍ୱାଇଁ । ଗାଡି ଚେକିଂ ବେଳେ ମିଳିଥିଲା ପୋଲିସ ପୋଷାକ, ଜୋତା, ବେଲ୍ଟ, ଟୋପି, ବ୍ୟାଜ ଓ କିଛି ଷ୍ଟାମ୍ପ । ବରିଷ୍ଠ ଅଧିକାରୀଙ୍କ ସାଇନ ମରାଯାଇଥିବା କିଛି ଆପଏଣ୍ଟମେଣ୍ଟ ଲେଟର । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କାର ଡାସବୋର୍ଡ ରୁ ମିଳିଥିଲା ୧ ଲକ୍ଷ ୯୭ ହଜାର ଟଙ୍କା । ଯାହାକି ଅବିକଳ ଅସଲି ପରି ଦେଖାଯାଉଥିବା ନକଲି ନୋଟ ।

ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ, ସୁରକ୍ଷା ନେଇ ଚିନ୍ତାରେ ଲୋକେ

କଟକ : ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ । ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । କଟକ ବାଦାମବାଡ଼ି ବିକାଶ ନଗରରେ ଆପାର୍ଟମେଣ୍ଟରେ ପଶି ଲୁଟ୍ । ବ୍ଯବସାୟୀଙ୍କୁ ଆକ୍ରମଣ କରି ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଆପାର୍ଟମେଣ୍ଟ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ମାଲଗୋଦାମ ବ୍ୟବସ୍ୟାୟୀ ନିରଞ୍ଜନ ଗୋୟାଙ୍କା ନିଜର ବ୍ୟବସାୟ ସାରି ଘରକୁ ଫେରିବା ସମୟରେ ୨ ଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିଲେ । ଆପାର୍ଟମେଣ୍ଟରେ ପଶିବା ପରେ ବନ୍ଧୁକ ଦେଖାଇବା ସହ ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ୫ ଲକ୍ଷ ଟଙ୍କା । ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ଯବସାୟୀ ଓ ତାଙ୍କ ଡ଼୍ରାଇଭର ଆହତ ହୋଇଛନ୍ତି । ତେବେ ପୂର୍ବରୁ ମଧ୍ୟ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିବା କହିଛନ୍ତି ବ୍ଯବସାୟୀ ।

ଥାନାର ମାତ୍ର ୫ ଶହ ମିଟର ଦୂରରେ ଏଭଳି କାଣ୍ଡ ଘଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୁତ୍ତ । ଏହି ଘଟଣା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ଆପାର୍ଟମେଣ୍ଟବାସୀ । ସେପଟେ ଡିସିପିଙ୍କ ନେତୃତ୍ବରେ ୩ଟି ଥାନାର ଆଇଆଇସି ସହ ସ୍ପେଶାଲ ସ୍କ୍ୱାଡ ଘଟଣାର ଖୋଳତାଡ ଆରମ୍ଭ କରିଛି । ଆପାର୍ଟମେଣ୍ଟରେ ଲୋକଙ୍କୁ ପଚରାଉଚରା କରିବା ସହ ରାସ୍ତାର ସିସିଟିଭି ଯାଞ୍ଚ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

ବାଲେଶ୍ବର ସହରରେ ମାତିଛନ୍ତି ଅପରାଧୀ, କଥାକଥାରେ ବୁଲୁଛି ଖଣ୍ଡା

ବାଲେଶ୍ବର : ପୂଜା ପୂର୍ବରୁ ବିଗୁଡୁଛି ଆଇନଶୃଙ୍ଖଳା । କଥାକଥାକେ ବୁଲୁଛି ଖଣ୍ଡା । ଚିନ୍ତାରେ ବାଲେଶ୍ବରବାସୀ । ଶାନ୍ତି କମିଟି ବୈଠକରେ ଆଲୋଚନା କଲା ପ୍ରଶାସନ । କ୍ରାଇମ ଦମନ ପାଇଁ ଆକ୍ସନ ମୋଡରେ ପୋଲିସ୍ । ନିୟନ୍ତ୍ରଣକୁ ଆସୁନି ବାଲେଶ୍ବରର ଆଇନ ଶୃଙ୍ଖଳା । ଶ୍ରୀଜଙ୍ଗ ଓ ବସଷ୍ଟାଣ୍ଡ ଘଟଣାକୁ ୫ ଦିନ ନ ବିତୁଣୁ ପୁଣି ୪ଟି ସ୍ଥାନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଚାନ୍ଦିପୁର ଥାନା ଅନ୍ତର୍ଗତ ନିଧିପଡ଼ା ଅଞ୍ଚଳରେ ଚିଙ୍ଗୁଡ଼ି ଜାଆଁଳା ଗାଡିକୁ କେନ୍ଦ୍ରକରି ହୋଇଛି ହଣାକଟା । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଗୁରୁତର, ବାଲେଶ୍ଵର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ୬ ଦୃର୍ବୁତ୍ତ ଦୁଇଟି ବାଇକରେ ଆସି ସାହାଜୀପାଟଣା ଗାଁରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆଗକୁ ରାମନବମୀ ଓ ଇଦ୍ ଆସୁଥିବାରୁ ଅପରାଧୀଙ୍କ ହଲ୍ଲାବୋଲ ସହରବାସୀଙ୍କୁ ଚିନ୍ତାରେ ପକାଇଛି ।

ଶାନ୍ତି ଶୃଙ୍ଖଳାର ସହ ଉତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଶାନ୍ତି କମିଟି ବୈଠକ ଡାକି ଆଲୋଚନା କରିଛି । ରାମନବମୀ, ଇଦ ଭଳି ପର୍ବରେ ଭାଇଚାରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ବିଗୁଡ଼ୁଥିବା ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସପି । ଉତ୍ସବ ପୂର୍ବରୁ ଗୁଇନ୍ଦା ବିଭାଗକୁ ସକ୍ରିୟ ରଖିବା ସହ ଅପରାଧୀଙ୍କ ଉପରେ ନଜର ରଖିବାକୁ ଦାବି କରିଛନ୍ତି ସହରବାସୀ ।

ରୋଗୀଙ୍କ କାମରେ ଆସୁନି ବୁର୍ଲା ସୁପରସ୍ପେସିଆଲିଟି ହସ୍ପିଟାଲ

ସମ୍ବଲପୁର : କେବେ କାମରେ ଆସିବ ସୁପର ସ୍ପେସିଆଲିଟି ହସ୍ପିଟାଲ ?  କାମ ସରିଥିଲେ ସୁଦ୍ଧା ରୋଗୀଙ୍କ କାମରେ ଆସୁନି କୋଠା । ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ । ପ୍ରତିବାଦରେ ହସପିଟାଲ ଆଗରେ ଆନ୍ଦୋଳନ । ବୁର୍ଲା ଭିମସାର ମେଡିକାଲରେ ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ଉଦ୍ଯମ କରିଥିଲେ ପୂର୍ବ ସରକାର । ଏଥିପାଇଁ ନିର୍ମାଣ ହୋଇଛି ସୁଉଚ୍ଚ ସୁପର ସ୍ପେସିଆଲିଟି ହସ୍ପିଟାଲ । କୋଠା ତିଆରି ସରିଥିଲେ ସୁଦ୍ଧା ଏହା ଲୋକଙ୍କ କାମରେ ଆସି ପାରୁନାହିଁ । ଏହା ଉଦଘାଟିତ ହେଲେ ଅନେକ ଗରିବ ରୋଗୀ ଉପକୃତ ହୋଇ ପାରନ୍ତେ । ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ଅଭିଯୋଗ କରିଛି ବିଜେଡି ।

କୋଠାରେ ଥିବା ସବୁ ୱାର୍ଡର କାମ ସରିଗଲାଣି । ସବୁଠି ଆଇସିୟୁ ମଧ୍ୟ ଲାଗିଛି । ହେଲେ ଉଦଘାଟନ ପାଇଁ ରାଜ୍ୟ ସରକାର ତାରିଖ ପରେ ତାରିଖ ଘୁଞ୍ଚାଇ ଚାଲିଛନ୍ତି । ଯାହାକୁ ବିରୋଧ କରି ଅନ୍ଦୋଲୋନକୁ ଓହ୍ଲାଇଛି ଜିଲ୍ଲା ବିଜେଡି । ଜିଲ୍ଲା ସଭାପତି ରୋହିତ ପୂଜାରୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ମେଡ଼ିକାଲକୁ ଯାଇଥିଲା । ବର୍ତ୍ତମାନର ସରକାର ବେସରକାରୀ ମେଡିକାଲକୁ ଅନୁକମ୍ପା ଦେଖାଇ ଲକ୍ଷଲକ୍ଷ ଗରିବ ରୋଗୀଙ୍କୁ ହଇରାଣ ହେଉଛନ୍ତି ବୋଲି ଦଳ ଅଭିଯୋଗ କରିଛନ୍ତି ଉଭୟ ବିଜେଡି ଓ ଅଞ୍ଚଳବାସୀ ।

କାଳବୈଶାଖୀ ଯୋଗୁଁ ପ୍ରଭାବିତ ହୋଇଛି ତୋଷାଳି ମେଳା

ଭୁବନେଶ୍ବର : ବିଳମ୍ବ ସାଙ୍ଗକୁ ଅଦିନିଆ ବର୍ଷା । ଚିନ୍ତାରେ ତୋଷାଳି ମେଳାର ବ୍ଯବସାୟୀ । ଗତ ୧୫ ତାରିଖରୁ ଭୁବନେଶ୍ବର ଜନତା ମୈଦାନରେ ଚାଲିଛି ମେଳା । ଆସନ୍ତା ୩୧ ଯାଏଁ ଚାଲିବ ୧୯ ତାମ ତୋଷାଳି ହସ୍ତତନ୍ତ ମେଳା । ଏଥିରେ ୬୫୦ ରୁ ଅଧିାକ ଷ୍ଟଲ ଲଗିଛି । ରାଜ୍ୟରୁ ୧୫୦ଟି ଷ୍ଟଲରେ ୫୦ ଜଣ ବୁଣାକାର ସେମାନଙ୍କ କଳା ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିଛି । ଚଳିତ ବର୍ଷ ୩୦ ଲକ୍ଷ ଜନ ସମାଗମ ସହ ୨୮ କୋଟିର ବ୍ଯବସାୟ ନେଇ ଆଶା ରଖିଛି ବିଭାଗ । ହେଲେ ବିଳମ୍ବରେ ମେଳା ଆରମ୍ଭ ହେବା ଓ କାଳବୈଶାଖୀ ଜନିତ ଅଦିନିଆ ବର୍ଷା ଯୋଗୁ ବିକ୍ରିବଟା ଜମିଲା ନାହିଁ । ତେଣୁ ଲକ୍ଷ୍ୟ ପୂରଣ ନେଇ ଏକପ୍ରକାର ସନ୍ଦେର ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ମେଳାକୁ ଆସିପାରୁ ନଥିବା କହିଛନ୍ତି ଗ୍ରାହକ ।

ଚଳିତ ବର୍ଷ ଅନେକ ନୂଆ, ପୁରୁଣା ବ୍ୟବସାୟୀ ମେଳାରେ ସାମିଲ ହୋଇଛନ୍ତି । ତେବେ ବର୍ଷା ଯୋଗୁ ଖାଁ ଖାଁ ହୋଇଛି ମେଳା ପଡ଼ିଆ । ଷ୍ଟଲରେ ଘରକରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଖାଦ୍ଯର ପସରା ମେଲିଥିଲେ ସୁଦ୍ଧା ଗ୍ରାହକ ଆସୁ ନଥିବାରୁ ଚିନ୍ତାରେ ବ୍ଯବସାୟୀ । ତେବେ ମେଳାକୁ ଆଉ ୭ ଦିନ ଥିବାରୁ କିଛି ବ୍ଯବସାୟ ହେବା ଆଶା ରଖିଛନ୍ତି ବେପାରୀ । ସରକାର ବିଳମ୍ବରେ ମେଳା ପକାଇ ପ୍ରାୟ ୨୮ କୋଟିର ସାମଗ୍ରୀ ବିକ୍ରିର ଆଶା ରଖିଥିଲା ବେଳେ ପାଗ ପରିବର୍ତ୍ତନ ବ୍ୟବସାୟରେ ବାଧକ ସାଜିଛି ।

ଆନ୍ଧ୍ର ବରକୁ ଠକି ଦେଲା ଓଡ଼ିଶା କନିଆ

ଭୁବନେଶ୍ବର : ଆନ୍ଧ୍ର ବରକୁ ଠକି ଦେଲା ଓଡ଼ିଶା କନିଆ । ରେଷ୍ଟୁରାଣ୍ଟରେ ଝିଅ ଦେଖିଲେ, ନିର୍ବନ୍ଧ ଫିକ୍ସ କରି ସପିଂ କଲେ । ଆନ୍ଧ୍ର ପରମ୍ପରା ଅନୁସାରେ ଝିଅକୁ ଲୁଗାପଟା ସାଙ୍ଗକୁ ସୁନା ଓ ରୂପା ଅଳଙ୍କାର ନଗଦ ଟଙ୍କା ମଧ୍ୟ ଦେଲେ । ହେଲେ ବିବାହ କରିବା ଦିନ ଝିଅ ଓ ତାଙ୍କ ପରିବାର ମାରିଲେ ଚମ୍ପଟ । ବର ଘର ପକ୍ଷରୁ କନ୍ୟାକୁ ଦିଆଯାଇ ସୁନା ଚେନ୍ ଅଳଙ୍କାର ନେଇ ଚମ୍ପଟ ମାରିଲେ ଝିଅ ଘର ଲୋକେ । ଠକେଇର ଶିକାର ହୋଇଥିବା ଜାଣି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ପୁଅ ଘର । ତଦନ୍ତରୁ ଜଣା ପଡ଼ିଛି ଯୁବତୀ ପୂର୍ବରୁ ବିବାହ କରିଛନ୍ତି ।

ଜମିବାଡି ବିବାଦ ଓ ପୂର୍ବ ଶତୃତାକୁ କେନ୍ଦ୍ରକରି ହତ୍ୟା

ବଲାଙ୍ଗୀର : ଜମିବାଡି ବିବାଦ ଓ ପୂର୍ବ ଶତୃତାକୁ କେନ୍ଦ୍ରକରି ବଲାଙ୍ଗୀରରେ ହତ୍ୟାକାଣ୍ଡ  । ହତ୍ୟା ପରେ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ହତ୍ୟାକାରୀ  । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ରତାଖଣ୍ଡି ପଞ୍ଚାୟତ ଡୁମେରଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଘଟିଛି ହତ୍ୟାକାଣ୍ଡ । ଗତକାଲି ସନ୍ଧ୍ଯାରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ପୋଲିସ ଯୁବକଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ହେଲେ ଶତ୍ରୁଘ୍ନ ପଟେଲ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି  । ପରିବାର ଲୋକଙ୍କ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରି ସଦର ଥାନା ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛ । ବଲାଙ୍ଗୀର ରତାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡୁମେରଝରଣ ଗ୍ରାମର ଶତ୍ରୁଘ୍ନ ପଟେଲ ପେଶାରେ ଜଣେ କାଠ କାରିଗର । ସେ ଗତକାଲି ପାଟଣାଗଡ ବ୍ଲକ ଠେଲକୋଛାପର ଅଞ୍ଚଳକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନ ଥିଲେ  । ରାତିରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲ ମଧ୍ୟ ପାଇନଥିଲେ । ଠେଲକୋଛାପର ଓ ଡୁମେରଝରଣ ମଝିରେ ଥିବା ନାଲା ଭିତରେ ମୃତଦେହ ପଡିଥିବା ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ସଦର ଥାନା ପୋଲିସ, ସାଇଣ୍ଟିଫିକ୍ ଓ ସନ୍ଧାନି କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  ।

ଦୀର୍ଘ ୫୦ ବର୍ଷ ଧରି ପାମ୍ପଡ ବିକି ଚର୍ଚ୍ଚାରେ ଚକ୍ରଧର ରଣା

ଉଦଳା : ହାତରେ ରହିଛି ପାମ୍ପଡ ଡାଲା । ହସ ହସ କଣ୍ଠରେ ଡାକୁଛନ୍ତି ପାମ୍ପଡ ନେବ, ପାମ୍ପଡ । ଆଉ ତା ସହିତ କେତେବେଳେ କେମିତି ଗାଇ ଦେଉଛନ୍ତି ଗୀତ । ଏ ହେଉଛନ୍ତି ଉଦଳା ଅଞ୍ଚଳରେ ପାମ୍ପଡ ବିକ୍ରି କରୁଥିବା ପାମ୍ପଡ ମ୍ଯାନ ଚକ୍ରଧର ରଣା । ପାଦରେ ମୋଜା ସହିତ ଜୋତା, ହାପ ପ୍ୟାଣ୍ଟ ଆଉ ଦେହରେ ସବୁବେଳେ ଧଳା ସାର୍ଟଟିଏ । ଏସବୁ ଭିତରେ ବାମ ହାତରେ ଡାଲାଟିଏ ଧରି ସେଥିରେ ପାମ୍ପଡ଼ ରଖି ସବୁଦିନ ବିକ୍ରି ନିମନ୍ତେ ବାହାରି ଆସନ୍ତି ଚକ୍ରଧର । ସକାଳୁ ଚାଲି ଚାଲି ଉଦଳା ସହିତ ବିଭିନ୍ନ ଅଞ୍ଚଳରେ ବିକ୍ରି କରନ୍ତି ପାମ୍ପଡ଼ । ଦୀର୍ଘ ୫୦ ବର୍ଷରୁ ଅଧିକ ହେବ ସେ ଏହି ପାମ୍ପଡ଼ ବେପାର କରି ଆସିଛନ୍ତି । ଦିନରେ ପ୍ରାୟ ୩୦ ରୁ ୪୦ କିଲୋମିଟର ଦୂରତା ଚାଲିବା ସହିତ ବିଭିନ୍ନ ହାଟରେ ବୁଲି ପାମ୍ପଡ଼ ବିକ୍ରି କରିଥାନ୍ତି । ୫ ପଇସାରୁ ପାମ୍ପଡ଼ ବିକ୍ରି ଆରମ୍ଭ କରି ଏବେ ସେ ଗୋଟିଏ ପାମ୍ପଡ଼ ୧୦ ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । ସେହିଥିରେ ହିଁ ପରିବାର ଚଳାଇ ଆସୁଛନ୍ତି ଚକ୍ରଧର ।

ପାମ୍ପଡ଼ ବେପାର କରିବା ସହିତ ସବୁବେଳେ ହସ ହସ ମୁହଁ ପାଇଁ ସେ ଲୋକଙ୍କ ପାଖରେ ବେଶ ଆଦୃତ। ଏହା ସହିତ ଅନେକ ସମୟରେ ଛୋଟ ପିଲାଙ୍କୁ ସେ ମାଗଣାରେ ପାମ୍ପଡ ଦେଇଦିଅନ୍ତି । ଏବେ ସେ କଲିକତାରୁ ପାମ୍ପଡ ଆଣି ବିକ୍ରି କରୁଛନ୍ତି । କେବଳ ଯେ ପାମ୍ପଡ଼ ବେପାର କରୁଛନ୍ତି ତାହା ନୁହେଁ ସ୍ୱାସ୍ଥ୍ୟ ପାଇଁ ଚାଲିବା କେତେ ଜରୁରୀ ତାହାର ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଚକ୍ରଧର।

ପିପଲପଙ୍କା ଡ୍ୟାମକୁ ତୀବ୍ର ବିରୋଧ, ପଦଯାତ୍ରା ମାଧ୍ୟମରେ କରାଯାଉଛି ସଚେତନ

ପୋଲସରା : ପିପଲପଙ୍କା ପ୍ରକଳ୍ପକୁ ତୀବ୍ର ବିରୋଧ । ପଥପ୍ରାନ୍ତ ସଭା ମାଧ୍ଯମରେ ଲୋକଙ୍କୁ କରାଯାଉଛି ସଚେତନ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ପିପଲପଙ୍କା ଠାରେ ନିର୍ମାଣ ହେବାକୁ ଯାଉଛି ପିପଲପଙ୍କା ଡ୍ଯାମ । ଯେଉଁ ପ୍ରକଳ୍ପ ମାଧ୍ୟମରେ ଋଷିକୁଲ୍ୟା ନଦୀର ଜଳକୁ ଭୂତଳ ମାଧ୍ୟମରେ ବଡ ବଡ ସହରକୁ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ହେଲେ ପ୍ରାୟ ୨୩ ଖଣ୍ଡ ଗ୍ରାମ ବିସ୍ଥାପିତ ହେବ । ଯାହାକୁ ପ୍ରତିବାଦ କରି ଋଷିକୁଲ୍ଯା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭିନ୍ନ ଭିନ୍ନ ତରିକାରେ ଚାଲିଛି ପଦଯାତ୍ରା । ଗତ ପାଞ୍ଚ ଦିନ ହେଲା ପିପଲପଙ୍କା ଠାରୁ ଏହି ପଦଯାତ୍ରା ବାହାରିଥିବା ବେଳେ ରୂଷିକୁଲ୍ୟା ନଦୀ ତଟରେ ଥିବା ଗାଁ ଗୁଡିକରେ କ୍ରିୟାନୁଷ୍ଠାନ କମିଟି ପହଁଚି ଲୋକଙ୍କୁ ସଚେତନତା କରାଇବା ସହ ବିରାଟ ଆନ୍ଦୋଳନ ପାଇଁ ବଳ ଗୋଟାଉଛନ୍ତି ।

ଖରା ତରାକୁ ଖାତିର ନକରି ରାତି ଦିନକୁ ଏକ କରି କ୍ରିୟାନୁଷ୍ଠାନ କମିଟି ଗାଁ ଗାଁରେ ପହଁଚି ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନତ କରାଉଛି । ଏଥିସହିତ ଆସନ୍ତା ଦିନରେ ନଦୀ କଡରେ ଥିବା ହଜାର ହଜାର ଗ୍ରାମବାସୀଙ୍କୁ ସାଥିରେ ନେଇ ଏକ ବିରାଟ ଆନ୍ଦୋଳନ ପାଇଁ ଜନସମର୍ଥନ ଗୋଟାଇବାରେ ଲାଗିଛି । ଏମିତି କି ପ୍ରକଳ୍ପ ବନ୍ଦ ନ ହେବା ପର୍ଯ୍ୟନ୍ତ ଏହିଭଳି ଭାବେ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି କମିଟିର ବରିଷ୍ଠ ସଦସ୍ୟ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ରୂପ ଧାରଣ କରିପାରେ ।

ଖରାଦିନ ଆରମ୍ଭରୁ ଜଳକଷ୍ଟ, ଶହେ ପରିବାର ପାଇଁ ଗୋଟେ ନଳକୂପ

ବଡ଼ମ୍ବା : ପାଣି ପାଇଁ ହାହାକାର । ଖରାଦିନ ଆରମ୍ଭରୁ ଜଳକଷ୍ଟ । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ଶହେ ଗୋଟି ପରିବାର । ଏ ହେଉଛି ବଡମ୍ବା ବ୍ଳକ ଖୁଣ୍ଟକଟା ପଂଚାୟତ କାଦୁଆପଡା ଗାଁର ଦୃଶ୍ଯ । ଏଠାରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି । ଗାଁକୁ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ବିଭିନ୍ନ ସ୍ଥାନରେ ଲାଗିଛି ଷ୍ଟାଣ୍ଡପୋଷ୍ଟ । ହେଲେ ସେଥିରେ ପାଣି ଆସୁନଥିବାରୁ ଲୋକମାନେ ନଳକୂପରୁ ବାହାରୁଥିବା ଗୋଳିଆ ପାଣି ପିଇ ରୋଗରେ ପଡୁଛନ୍ତି । ଗାଁରେ କାହାକୁ ଜଣ୍ଡିସ ତ କାହାକୁ କିଡୀନ ରୋଗ ତ ପୁଣି କିଏ ଚର୍ମ ରୋଗରେ ଆକ୍ରାନ୍ତ ଅଛନ୍ତି । ହେଲେ ଅନେକ ଥର ଅଭିଯୋଗ ପରେ ବି ଗାଁକୁ ପଡିଥିବା ପାଣି ପାଇପରେ ଆସୁନି ଶୁଦ୍ଧ ପାନୀୟ ଜଳ । ଏନେଇ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗାଁରେ ଥିବା ଗୋଟିଏ ନଳକୂପଟି କେତେବେଳେ ଅଚଳ ହୋଇପଡୁଛି ତ କେତେବେଳେ ଗୋଳିଆ ପାଣି ବାହାରୁଛି । ଯେତେବେଳେ ଗାଁରେ ପାଣି ସମସ୍ଯା ଅଧିକ ହୁଏ ଲୋକେ ପାଣି କିଣି ପିଇଥାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ବଡ଼ମ୍ବା ବିଡିଓ କହିଛନ୍ତି ଖୁବଶୀଘ୍ର ପିଇବା ପାଣି ଯୋଗାଇ ଦେବା ସହ ପାଣିର ମାନ ପରୀକ୍ଷା କରାଯିବ ଏବଂ ଡାକ୍ତର ଟିମ୍କୁ ପଠାଇ ଲୋକମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି ଗ୍ରାମବାସୀ ।