spot_img
Home Blog Page 939

ଯାତ୍ରା ଜଗତରେ ଥମୁନି ବିବାଦ; ସୋନାଲି ପଣ୍ଡାଙ୍କ ବିରୋଧରେ ସ୍ଵାମୀଙ୍କ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ:  ଯାତ୍ରା ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁଙ୍କ ନା ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ହିରୋଇନ୍ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର । ସୋନାଲିଙ୍କୁ ଜୋର୍ ଜବରଦସ୍ତ ରଖା ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ ଆଉ ପୁଅକୁ ଭେଟିବା ପାଇଁ ଦେଉ ନାହାନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ତୁଳସୀ ମାଲିକ ବୋଲି କହିଛନ୍ତି ଶ୍ରୀକ୍ଷେତ୍ର।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ସୋନାଲିଙ୍କ ପ୍ରକୃତ ନାଁ କାଗଜି। କେବଳ ମୋ ସ୍ତ୍ରୀ ନୁହେଁ ଅନେକ କଳାକାରଙ୍କୁ ବ୍ଲାକମେଲ କରୁଛନ୍ତି। ମୁଁ ତୁଳସୀରେ ମ୍ୟାନେଜର ଥିବା ବେଳେ ପତ୍ନୀ ତୁଳସୀରେ ଏଣ୍ଟ୍ରି କରିଥିଲା। କିଛି ବର୍ଷ ପରେ ପତ୍ନୀଙ୍କୁ ଲୋଭ ଦେଖାଇ ଯାତ୍ରା ମାଲିକ ନାଣ୍ଡୁ ବାବୁ ମୋଠାରୁ ତାକୁ ଛଡେଇ ନେଲେ। ଏପରିକି ଜୀବନରେ ମାରି ଦେବାକୁ ଧମକ ଦେଲେ। ଜୀବନ ଭୟରେ ରାତାରାତି ଲୁଚିକି ପଳେଇ ଆସିଲି। ଗୋଟେ ପୁଅ ଠାରୁ ଗୋଟେ ମାଆକୁ ଛଡେଇ ନେଇଛନ୍ତି ମାଲିକ। ପୁଅ, ସ୍ୱାମୀ ଓ ପରିବାର ସୁରକ୍ଷା କାରଣରୁ ସୋନାଲି ମୁହଁ ଖୋଲୁନାହାନ୍ତି। ସୋନାଲିଙ୍କୁ ନେଇ ନାଣ୍ଡୁ ବାବୁଙ୍କ ଘରେ ବିବାଦ ସୃଷ୍ଟି ହୋଇଛି। ୧୦ ବର୍ଷ ହେଲା ଭୟରେ ଥିଲି। ଏଥର ଆଇନର ଆଶ୍ରୟ ନେବି। ଏବେ ବି ମୋ ସ୍ତ୍ରୀକୁ ମୁଁ ଆପଣେଇ ନେବି। ମୋ ପୁଅ ମୁହଁକୁ ଚାହିଁ ସବୁ କିଛି ଭୁଲିଯିବି ବୋଲି ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ଫୋନରେ କହିଛନ୍ତି ।

ସେପଟେ ସୋନାଲି ନିଜ ସ୍ଵାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। କହିଛନ୍ତି, ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନାହିଁ। ତୁଳସୀ ଗଣନାଟ୍ୟ ମାଲିକ ମତେ ଝିଅ କରିଛନ୍ତି। ମୋର ଅସୁବିଧା ସମୟରେ ମତେ ସାହାଯ୍ୟ କରିଛନ୍ତି। ମୋ ସ୍ବାମୀ ବହୁ ଝିଅ ମାନଙ୍କ ସହ କଥା ହୁଅନ୍ତି। ଏମିତିକି ସେ ଆଉ ଏକ ବିବାହ ମଧ୍ୟ କରିଛନ୍ତି। ମୁଁ କୌଣସି ମାନସିକ ନିର୍ଯ୍ୟାତନାର ଶିକାର ହୋଇନି। ମୋ ଇଚ୍ଛାରେ ତୁଳସୀ ଗଣନାଟ୍ୟରେ ରହିଛି। ସ୍ବାମୀଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ସେ ଏତେ ବର୍ଷ ହେଲାଣି କେଉଁଠି ଥିଲେ ବୋଲି ସୋନାଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ତୁଳସୀ ଗଣନାଟ୍ୟରେ କାମ କରୁ ନଥିଲେ। ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି। ତାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ।

ଆଉ ପାଦେ ଆଗେଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ନନ୍ଦିଘୋଷ ବ୍ୟୁରୋ : ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ କ୍ଷମତା ନେଇ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଆଉ ପାଦେ ଆଗେଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଆଜି ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ଓ ରେଜିଷ୍ଟ୍ରାରମାନଙ୍କ ବୈଠକ ଡାକିଛନ୍ତି ଷ୍ଟାଲିନ । ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣବତ୍ତା ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂକ୍ରାନ୍ତ ଯେଉଁ ବିଲ ପୁନର୍ବାର ଗୃହୀତ ହୋଇଥିବ ଏବଂ ତାହା ରାଷ୍ଟ୍ରପତିଙ୍କ ନିକଟରେ ପଡ଼ି ରହିଥିବା ସେହି ବିଲଗୁଡିକ ଅନୁମୋଦିତ ହୋଇଛି ବୋଲି ଧରିନିଆଯିବ ବୋଲି ଗତ ସପ୍ତାହରେ ଐତିହାସିକ ରାୟରେ କହିଥିଲେ ସୁପ୍ରିମକୋର୍ଟ ।

ବିଶ୍ବବିଦ୍ୟାଳୟ ସମ୍ପର୍କିତ ୧୦ଟି ବିଲକୁ ବିନା ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରୀରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଆଇନରେ ପରିଣତ କରିଥିଲେ । ବୈଠକର ନିଷ୍କର୍ଷ ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଲାଗି ଅନୁଦାନ ପ୍ରସଙ୍ଗରେ ଆସନ୍ତା ଏପ୍ରିଲ ୨୪ରେ ବିଧାନସଭାରେ ଆଲୋଚନା ହେବ । ସେପଟେ ରାଜ୍ୟପାଳ ଆର.ଏନ. ରବିଙ୍କ ଦ୍ବାରା ନିଯୁକ୍ତ କୁଳପତିମାନେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନିବେ ବୋଲି ସୂଚନା ମିଳିଛି ।

ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍। ମୋଟ ୮ଟି ଜାଗାରେ ଚାଲିଛି ଚଢ଼ାଉ । ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚାଲିଛି ରେଡ୍। ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ ଗଂଦିଆରେ ରେଡ୍ କରୁଛି ଭିଜିଲାନ୍ସ ।

ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡରେ ଥିବା ଦୁଇ ଝିଅଙ୍କ ଘରେ ବି ଚାଲିଛି ରେଡ୍। ଅଧିକ ତଦନ୍ତ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ୍।

ବିଜୁ ବାବୁଙ୍କୁ ଅପମାନ: ଚପାଇ ଦେବାକୁ ପୋଲିସର ଚେଷ୍ଟା

ପାଟଣାଗଡ଼: ପାଟଣାଗଡ଼ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛି ପୋଲିସ। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ମଧ୍ୟ ତାକୁ ମାନସିକ ବିକାରଗ୍ରସ୍ତ କହୁଛି। କିନ୍ତୁ ତାକୁ କିଏ ଉସୁକାଇଥିଲା, ପୁରା ଷଡ଼ଯନ୍ତ୍ର ପଛରେ କିଏ ଅଛି, ତାକୁ ଖୋଜୁନି ପୋଲିସ। ପୁରା ଘଟଣାର ଖଳନାୟକ କିଏ, କାହିଁକି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବାକୁ ସେ ଷଡ଼ଯନ୍ତ୍ର କରିଥିଲା, କିଏ କିଏ ଏହି ଷଡ଼ଯନ୍ତ୍ରରେ ସାମିଲ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁନି। ଯିଏ ଧରାପଡ଼ିଛି, ତାକୁ ମାନସିକ ବିକାରଗ୍ରସ୍ତ କହି ଘଟଣାକୁ ଚପାଇ ଦେବାକୁ ନାଟକ କରୁଛି ପୋଲିସ।

ବିଜେଡି କହିଛି, ବିଜୁ ବାବୁଙ୍କ ଅପମାନକୁ ବରଦାସ୍ତ କରାଯିବନି। ଯିଏ ବି ଏହା ପଛରେ ଅଛି ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏହି ଘଟଣାରେ ସାରା ରାଜ୍ୟରେ ତେଜୁଛି ଅସନ୍ତୋଷ । ପୁରୀରୁ ବାଲେଶ୍ବର, ଗଞ୍ଜାମରୁ ଗଜପତି, ମୟୂରଭଞ୍ଜରୁ ଜଗତସିଂହପୁର ସବୁଠି ବିରୋଧ ପ୍ରଦର୍ଶନ କରିଥିଲା ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେବଳ ଓଡିଶାର ଜନନେତା ନୁହନ୍ତି ଅନ୍ତର୍ଜାତୀୟ ସ୍ତରରେ ସେ ଜଣେ ଅତ୍ୟନ୍ତ ସମ୍ମାନସ୍ପଦ ରାଜ ନେତା । ପରିତାପର ବିଷୟ ଓଡିଶାରେ ବିଜେପି ଶାସନକୁ ଆସିବା ଦିନ ଠାରୁ ଏହି ମହାନାୟକଙ୍କ ପ୍ରତି ଅପମାନ ଜନକ କାର୍ଯ୍ୟ ହୋଇଚାଲିଛି । ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା । ଯେଉଁମାନେ ଏହି ହୀନ କାର୍ଯ୍ୟ କରୁଛନ୍ତି ସେମାନେ ପରୋକ୍ଷରେ ଓଡିଶାକୁ ବଦନାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ଏପରି ଘଟଣାରେ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ସହିତ ଯେପରି ଆଗକୁ ଏହା ନଘଟିବ ସେ ନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଶିଖୋପୁରରେ ଜମି ଚୁକ୍ତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲା: ଆଜି ପୁଣି ED ରେ ହାଜର ହେବେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ହରିୟାଣା ଶିଖୋପୁରରେ ଜମି ଚୁକ୍ତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲା। ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଉଦ୍ୟୋଗପତି ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା। ଗତକାଲି ଦୀର୍ଘ ସମୟ ଧରି ଜେରାର ସମ୍ମୁଖୀନ ହୋଇଥିଲେ ବ୍ଯବସାୟୀ। ଇଡି କାର୍ଯ୍ୟାଳୟକୁ ଯିବା ବାଟରେ ସେ ସମନକୁ ବିଜେପି ଦ୍ୱାରା ରାଜନୈତିକ ପ୍ରତିଶୋଧ ବୋଲି କହିଥିଲେ। ଏପ୍ରିଲ ୮ ତାରିଖରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ସାକ୍ଷ୍ୟ ଦେଇ ନଥିଲେ। ଏହି  ମାମଲାରେ ତାଙ୍କୁ ୧୫ ଥର ସମନ ଜାରି ହୋଇଛି। ପ୍ରତିଥର ତାଙ୍କୁ ୧୦ ଘଣ୍ଟାର ଜେରା କରାଯାଉଛି। ଏହି ମାମଲାରେ ୨୩ ହଜାରରୁ ଅଧିକ ନଥି ସଂଗ୍ରହ କରାଯାଇଛି ବୋଲି ରବର୍ଟ କହିଛନ୍ତି ।

୨୦୦୭ ମସିହାରେ ହରିୟାଣା ଗୁରୁଗାଁଓସ୍ଥିତ ଶିଖୋପୁର ଗ୍ରାମରେ ଭଦ୍ରାଙ୍କ କମ୍ପାନୀ ସ୍କାଏଲାଇଟ ହସ୍ପିଟାଲିଟି ୩ ଏକର ଜମି କିଣିଥିଲା। ସେତେବେଳେ ତାହାର ମୂଲ୍ୟ ଥିଲା ସାଢେ ୭ କୋଟି। ଏହି ଜମିରେ ଏକ କମର୍ସିଆଲ କଲୋନୀ ନିର୍ମାଣ କରିବା ଲାଗି କମ୍ପାନୀକୁ ଚିଠି କରିଥିଲା ହରିୟାଣା ଟାଉନ ପ୍ଲାନିଂ ବିଭାଗ। ୨୦୦୮ରେ ଏହି ଜମିକୁ ଡିଏଲଏଫରୁ ୫୮ କୋଟି ଟଙ୍କାରେ ବିକିବା ଲାଗି ଏକ ଚୁକ୍ତି ହୋଇଥିଲା। ଭଦ୍ରା ନିର୍ଦ୍ଦେଶକ ଥିବା ଏକ କମ୍ପାନୀ ସ୍କାଏଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ୨୦୦୭ ମସିହାରେ ହରିୟାଣାର ଗୁରୁଗ୍ରାମରେ ଓଁକାରେଶ୍ୱର ପ୍ରପର୍ଟିଜ୍ ନାମକ ଏକ ଫାର୍ମରୁ ୭.୫ କୋଟି ଟଙ୍କାରେ ୩ ଏକର ଜମି କିଣିଥିଲା।

 

ଛତିଶଗଡ଼ରେ ପୁଣି ଏନକାଉଣ୍ଟର, ଦୁଇ ହାର୍ଡକୋର ନକ୍ସଲ ନିହତ

ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ କୋଣ୍ଡାଗାଓ ଜିଲ୍ଲାରେ ଏନକାଣ୍ଟର। ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ହାର୍ଡକୋର ମାଓବାଦୀ ନିହତ । ମୃତ ଦୁଇ ମାଓବାଦୀ ହେଉଛନ୍ତି ପୂର୍ବ ବସ୍ତର ଡିଭିଜନର DVCM ହଳଧର ଓ ACM ରାମେ । ହଳଧରଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ରାମେଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଘଟଣା ସ୍ଥଳରୁ ଗୋଟିଏ AK47 ରାଇଫଲ ସହ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁଯାୟୀ, କୋଣ୍ଡାଗାଓ ଜିଲ୍ଲାର କିଲମ ଜଙ୍ଗଲ ଭିତରେ ମାଓବାଦୀଙ୍କ ଏକ ବଡ ଟିମ ଲୁଚି ରହିଥିବା ନେଇ ପୁଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ଅପରେସନ। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଘଟଣା ସ୍ଥଳରୁ ପଳାୟନ କରିଥିବା ବେଳେ ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଚାଲିଛି। ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା, କଟକରେ ଜଳବନ୍ଦୀ ସ୍ଥିତି

ଭୁବନେଶ୍ୱର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ମାଧ୍ୟମ ଧରଣର ବର୍ଷା ହେବ । ବିଭିନ୍ନ ଜିଲ୍ଲାରେ କୁଆପଥର ଜନିତ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ରାୟଗଡା ଓ ମାଲାକନଗିରି ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ଯ ହୋଇପାରେ । ଏହାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି କେନ୍ଦ୍ର ।

ସେପଟେ ଉପକୂଳ ବର୍ତ୍ତୀ ଜିଲ୍ଲା ମାନଙ୍କରେ ବି ପ୍ରଭାବ ପଡ଼ିବ। ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାକୁ ଥିବାବେଳେ କେନ୍ଦ୍ରାପଡା, ଜଗତ୍ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ସୁନ୍ଦରଗଡ଼, ବରଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ କଟକରେ ବେହାଲା କଲା କାଳବୈଶାଖୀ। ପ୍ରବଳ ବର୍ଷା ପରେ କଟକ ସହରର ବିଭିନ୍ନ ଅଂଚଳରେ ସ୍ଥିତି ସଂଗୀନ ହୋଇଛି। ଏବେ ବି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ବିଶେଷ କରି ବକ୍ସ ଡ୍ରେନକୁ ସଂଯୋଗ କରୁଥିବା ଫ୍ରେଣ୍ଡସ କଲୋନୀ ରାସ୍ତା, କେଶରପୁର ରାସ୍ତା, ସେମିନାରୀ ଛକ ଅଂଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ହୋଇପାରୁନି ବର୍ଷା ଜଳ ନିଷ୍କାସନ। ବଡ ବଡ ଡ୍ରେନ ଜାମ ଥିବାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି।

‘ଖୁବଶୀଘ୍ର ପୂରଣ ହେବ ଏକ ହଜାର ୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ’

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଏକ ହଜାର ୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ ଖାଲି ରହିଛି । ଖୁବଶୀଘ୍ର ଏହି ପଦବୀ ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଉତ୍କଳ ବିଶ୍ବବିଦ୍ୟାଳୟ ଏମେଣ୍ଡମେଣ୍ଟ ଧାରା ୨୦୨୪ ପାଇଁ ହୋଇଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏବେ ଯେଉଁ ସଂଶୋଧନ ହୋଇଛି ଏଥିରେ ଯେଉଁ କୁଳପତିଙ୍କର ଯେଉଁ ଶଙ୍କା ଉପୁଜୁଛି ଆଜି ବୈଠକରେ ତାହାକୁ ଦୂର କରାଯାଇଛି ।

ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ ପ୍ରସଙ୍ଗରେ ମଧ୍ୟ ଆଲୋଚନ ହୋଇଛି । ଉଚ୍ଚଶିକ୍ଷା ବିଭାଗର କିଛି କମ୍ପାନୀ ସହ ମଧ୍ୟ ଆଜି MOU ହୋଇଛି । ଏହାଦ୍ବାର ଶିକ୍ଷିତ ଯୁବକ ଏବଂ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ପ୍ରସଙ୍ଗ; ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି । ହିଂସା ଘଟଣାର ତଦନ୍ତ ଏକ ସ୍ବତନ୍ତ୍ର ଟିମ୍ ଜରିଆରେ କରାଯାଉ ଏବଂ ତଦନ୍ତ ପ୍ରକ୍ରିୟାକୁ ସୁପ୍ରିମକୋର୍ଟଙ୍କ ତଦାରଖରେ କରାଯାଉ ବୋଲି ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ରାଜ୍ୟରେ ଦୁର୍ବଳ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ସରକାରଙ୍କଠାରୁ ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ ମାଗନ୍ତୁ ଏବଂ ଧନଜୀବନର ସୁରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ପିଟିସନରେ ଆବେଦନ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ହିଂସାରେ ୨୦୦ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ଦକ୍ଷିଣ ଚବିଶ ପରଗଣା, ମାଲଦା, ହୁଗୁଳି ଓ ମୁର୍ଶିଦାବାଦରେ ଅସ୍ଥିରତା ଜାରି ରହିଛି । ସଂଶୋଧିତ ଓ୍ବାକଫ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଆଇନକୁ ତୃଣମୂଳ କଂଗ୍ରେସ ସମର୍ଥନ କରୁନାହିଁ ବୋଲି ସେ କହୁଛନ୍ତି। ପୂର୍ବରୁ ରାଜ୍ୟର ଅସ୍ଥିରପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ ।

ବହୁଚର୍ଚ୍ଚିତ ଓ୍ବାକଫ ଆଇନ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଓ୍ବାକଫ ଆଇନ ମାମଲା। ଓ୍ବାକଫ ସଂଶୋଧନ ଆଇନ-୨୦୨୫ର ସାମ୍ବିଧାନିକ ବୈଧତା ପ୍ରସଙ୍ଗରେ ଦାୟର ହୋଇଥିବା ପ୍ରାୟ ୧୦ଟି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।  ପ୍ରଧାନବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଜଞ୍ଜୟ କୁମାର ଓ ଜଷ୍ଟିସ ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଏଆଇଏମଆଇଏମ ନେତା ଅସଦୁଦିନ ଓବେସୀ, ଆପ ନେତା ଅମାନତୁଲ୍ଲା ଖାଁ, ନାଗରିକ ଅଧିକାର ସୁରକ୍ଷା ମହାସଂଘ ନେତା ଅର୍ସଦ ମଦାନୀ, ଆରଜେଡି ନେତା ମନୋଜ ଝା ପ୍ରମୁଖ।

ଏହାସହ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଓ ଜମାଏତ ଉଲାମା-ଇ-ହିନ୍ଦ ପକ୍ଷରୁ ବି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ତେବେ କୌଣସି ରାୟ ଆସିବା ପୂର୍ବରୁ ସୁପ୍ରିମକୋର୍ଟରେ ଗତ ଏପ୍ରିଲ ୮ରେ କେନ୍ଦ୍ର ସରକାର ଏକ କାଭିଟ ପିଟିସନ ଦାୟର କରିଥିଲେ। କାଭିଟ ପିଟିସନର ଅର୍ଥ ହେଉଛି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ କୌଣସି ରାୟ ଦେବା ପୂର୍ବରୁ ପ୍ରତିପକ୍ଷ ଆବେଦନକାରୀଙ୍କ ଯୁକ୍ତିର ତର୍ଜମା କରିବେ । ଏପ୍ରିଲ ୩ରେ ଲୋକସଭାରେ ଓ୍ବାକଫ ସଂଶୋଧନୀ ବିଲ ୨୮୮-୨୩୨ ଭୋଟରେ ଗୃହୀତ ହୋଇଥିଲା । ଏପ୍ରିଲ ୪ରେ ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଲ ୧୨୮-୯୫ ଭୋଟରେ ପାସ୍ ହୋଇଥିଲା । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଗତ ଏପ୍ରିଲ ୮ରେ ବିଜ୍ଞପ୍ତି ଜାରି କରିଥିଲେ ସରକାର ।