spot_img
Home Blog Page 925

ଚିଙ୍ଗୁଡ଼ି ଜାଆଁଳା ଗାଡିକୁ କେନ୍ଦ୍ର କରି ବାଲେଶ୍ବରରେ ହଣାକଟା

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ବାଲେଶ୍ୱର । କଥା କଥାରେ ବୁଲୁଛି ଖଣ୍ଡା ତରବାର । ଚିଙ୍ଗୁଡ଼ି ଜାଆଁଳା ଗାଡିକୁ କେନ୍ଦ୍ର କରି ହଣାକଟା ହୋଇଛି । ଦୁବୃତ୍ତଙ୍କ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନିଧିପଡ଼ା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇରେ ଆସି ହାଣିଛନ୍ତି । ଚିଙ୍ଗୁଡ଼ି ଜାଆଁଳା ଗାଡି ଚାଲାଣ ବେଳେ ଚାନ୍ଦା ଉଠାଇବାକୁ ନେଇ ଆକ୍ରମଣ ଅଭିଯୋଗ ହୋଇଛି । ସେହିପରି ବାଲେଶ୍ୱର ରେମୁଣା ଥାନା ସାହାଜୀପାଟଣା ଗାଁରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ୩ଜଣ ଦୁର୍ବୃତ୍ତ ବାଇକରେ ଆସି  ଯୁବକଙ୍କ ହାତକୁ ହାଣିଛନ୍ତି। ଯୁବକ ଜଣକ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ମେଡିକାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ରେମୁଣା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବା ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ପ୍ରତ୍ୟେକ ହସ୍ପିଟାଲରେ ଡେଡିକେଟେଡ଼ ବେଡ଼ ସହ କୁଲିଙ୍ଗ ବ୍ୟବସ୍ଥା ରଖାଯାଇଛି । ଲୋକଙ୍କ ପାଇଁ ସ୍ୱତନ୍ତ୍ର ଆଡ଼ଭାଇଜରି ଜାରି ହୋଇଛି । ଟାଣ ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ । ବାହାରକୁ ଗଲେ ମୁଣ୍ଡରେ ଓଦା ଗାମୁଛା ପକାଇବା ସହ ପ୍ରଚୁର ପାଣି ପିଇବା, ସାଙ୍ଗରେ ଛତା ନେବାକୁ ପରାମର୍ଶ । ରୋଗୀ ଲୋକ ଖରାରେ ନ ବହାରିବାକୁ ପରାମର୍ଶ । ବାହାରେ କାମ କରୁଥିଲେ ଅଂଶୁଘାତର କିଛି ଲକ୍ଷଣ ଦେଖାଦେଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛାଇକୁ ଆଣି ଥଣ୍ଡା ପାଣିରେ ପୋଛିବା ସହ ପାଣି ପିଇବାକୁ ଦେଇ ତୁରନ୍ତ ହସ୍ପିଟାଲ ଆଣିବାକୁ ପରାମର୍ଶ । ଏବର୍ଷ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଆକଳନକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗର କଡା ନଜର ରହିଛି । ଇଣ୍ଟିଗ୍ରେଟେଡ଼ ହେଲଥ ରେସପନ୍ସ ସିଷ୍ଟମରେ ସବୁ ବ୍ଲକରେ ରାପିଡ ଆକ୍ସନ ଟିମ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ଏହି ଟିମ ବିଭିନ୍ନ ସ୍ଥାନକୁ ଯିବ । ଏହାକୁ ମନିଟର କରାଯାଉଛି । ଏହାସହିତ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଭାବେ ଜଳଛତ୍ର ଖୋଲାଯାଉଥିବାରୁ ଜଳଛତ୍ରରେ ସ୍ୱଚ୍ଛ ପାନୀୟ ଜଳ ରଖି ପିଇବାକୁ ଦେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ହାଇଜେନିକ ମେଥଡ଼ରେ ପାଣି ଦେବାକୁ ପରାମର୍ଶ । ଏସବୁ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ସମ୍ଭାବ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି ନିର୍ଦେଶନାମା ଜାରି କରାଯାଇଛି ବୋଲି ସୂଚନା ଦେଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।..

ଅନିଶ୍ଚିତତା ଭିତରେ କ୍ଯାପିଟାଲ ରିଜିୟନ ରିଙ୍ଗ ରୋଡ ପ୍ରକଳ୍ପ

ନନ୍ଦିଘୋଷ ବ୍ୟୁରୋ: ଆଗରୁ ଟେଣ୍ଡର ତାରିଖ ଘୁଞ୍ଚୁଥିଲା । ଏବେ ଜନଶୁଣାଣି ତାରିଖ ବି ଘୁଞ୍ଚିଲାଣି । ପୁଣି ଥରେ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ ଭାଗ୍ୟ ସରକାରୀ ପ୍ରକ୍ରିୟାରେ ଅଟକିଛି । ପ୍ରାଶାସନିକ ମଞ୍ଜୁରି କେବେ ମିଳିବ ଦୂର କଥା  ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ସିଆର୍ଆର୍ ଭାଗ୍ୟ । ଅଭିଯୋଗ ହୋଇଛି କେରଳ, ହରିୟାଣାଠାରୁ ଓଡ଼ିଶା କ୍ଷେତ୍ର ଓ ଜନସଂଖ୍ୟାରେ ୪ ଗୁଣ ଅଧିକ ହୋଇ ବି ଜାତୀୟ ରାଜପଥ ବାବଦରେ କମ୍ ଟଙ୍କା ପାଉଛି । କେବଳ ପରିକଳ୍ପନା ନେଇ ବାହାବା ଗୋଟାଉଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ହୋଇଛି ।

ଅନିଶ୍ଚିତତା ଭିତରେ କି କ୍ୟାପିଟାଲ ରିଜିୟନ୍ ରିଙ୍ଗ ରୋଡ ଭାଗ୍ୟ ? ଟେଣ୍ଡର ତାରିଖ ଘୁଞ୍ଚୁଥିଲା । ଏବେ ଘୁଞ୍ଚିଲାଣି ଜନଶୁଣାଣି ତାରିଖ । ସେପଟେ କେରଳ ଓ ହରିୟାଣା ଭଳି ଓଡ଼ିଶାରୁ ୪ ଗୁଣ ଛୋଟ ରାଜ୍ୟ ଏନ୍ଏଚ୍ ବିକାଶ ବାବଦରେ ଡବଲ ଅର୍ଥ ପାଉଛନ୍ତି । ଭୁବନେଶ୍ବର, କଟକ, ଖୋର୍ଦ୍ଧା ସମେତ ସହରକୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ଦୀର୍ଘ ବର୍ଷ ତଳେ ପରିକଳ୍ପନା ହୋଇଥିବା ସିଆର୍ଆର୍ । ହେଲେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ମଞ୍ଜୁରି ପାଇପାରିଲାନି । ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍କୀ ପର୍ଯ୍ୟନ୍ତ ଜନଶୁଣାଣି ଶେଷ ତାରିଖ ଧାର୍ଯ୍ୟ ହୋଇଥିବା ୨୦୨୫ ଏପ୍ରିଲ ୫ ତାରିଖ । ଏବେ ପୁଣି ବଢିଲା ଏପ୍ରିଲ ୨୧ ତାରିଖକୁ । ସେପଟେ ମାର୍ଚ୍ଚ ୨୦ ତାରିଖ ଟେଣ୍ଡର ଆହ୍ବାନର ଶେଷ ତାରିଖ ଧାର୍ଯ୍ୟ କରିଥିଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଏବେ ଆସନ୍ତାମାସ ୨୪ ତାରିଖକୁ ବୃଦ୍ଧି କରାଯାଇଛି । କ୍ଯାପିଟାଲ ରିଜିୟନ ରିଙ୍ଗ ରୋଡ ବାସ୍ତବ ରୂପ ନେବା ପାଇଁ କେତେ ଦିନ ଚାଲିବ ସରକାରୀ ପ୍ରକ୍ରିୟା ବୋଲି ପ୍ରଶ୍ନ ଉଠିଛି ।

ସହରକୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ହେଲେ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡର ଆବଶ୍ୟକତା ରହିଛି । ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିର୍ମାଣ କରିବେ ସିନା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏ ନେଇ କେନ୍ଦ୍ର ପାଖରେ ବାରମ୍ବାର ଜୋର ଦାବି ରଖିବା ଦରକାର । କାମ ତ୍ବାରାନ୍ବିତ କରିବାକୁ ହେଲେ ପଦୁଟିଏ କହିଦେଲେ ଚଳିନନି । ରାଜ୍ୟରେ ଏବେ ଡବଲ୍ ଇଞ୍ଜିନ ସରକାର । ଲୋକେ ଆଶା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଯେପରି ଘୋଷଣା କରିଥିଲେ ସେତିକି ବେଗରେ କାମ ଆରମ୍ଭ ହେବା କଥା । କିନ୍ତୁ ସେସବୁ ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇ ରହିଛି । ରାଜ୍ୟ ସରକାର ବି କେବଳ ଆଶା ଦେଖାଇଚାଲିଛନ୍ତି । କେବେ ପୂରା ହେବ ଜନଶୁଣାଣି ? କେବେ ପାଇବ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ? ଏ ସବୁ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥାଙ୍କ ଆଗରେ ରାଜ୍ୟ ସରକାର ତତ୍ପରତା ନ ଦେଖାଇଲେ କୌଣସିଟିରେ ଅଗ୍ରଗତି ହେବନି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଗରୁ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ଜନଶୁଣାଣି ନ ସରିଛି ଏବଂ ପରିବେଶ ମଞ୍ଜୁରୀ ନ ମିଳିଛି ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ମଞ୍ଜୁରୀ ମିଳିବନି ।

ସରକାରଙ୍କ ତଣ୍ଟିରେ କଣ୍ଟା ସାଜିଛି ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କେଳେଙ୍କାରୀ

ନନ୍ଦିଘୋଷ ବ୍ୟୁରୋ: ପାର୍ଟ ପ୍ଲଟ କେଳେଙ୍କାରୀ ବିଜେପି ସରକାର ପାଇଁ ତଣ୍ଟିରେ କଣ୍ଟା ସଦୃଶ ହୋଇଛି । ନା ଢୋକି ପାରୁଛନ୍ତି ନା ବାହାର କରିପାରୁଛନ୍ତି । ବେଆଇନ ଭାବେ ପାର୍ଟ ପ୍ଲଟ ପଞ୍ଜୀକରଣ କରି ୯ଜଣ ସବ ରେଜିଷ୍ଟ୍ରାର ଏବେ ସରକାରଙ୍କ ସ୍କାନରରେ। ସବ ରେଜିଷ୍ଟ୍ରାରଙ୍କୁ ବେଆଇନ ପଞ୍ଜୀକରଣ ତଥ୍ୟ ମାଗିଲେ ବି ମିଳୁନାହିଁ। ଆଇଜିଆର୍ ଓ ରାଜସ୍ବ ବିଭାଗ ଭୂମିକା ବି ସନ୍ଦେହ ଘେରରେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ମାମଲାରେ ମୁଣ୍ଡ ପୂରାଇଥିଲେ ବି ମୁକୁଳିବାର ବାଟ ଖୋଜାଚାଲିଛି । ଖଣ୍ଡଗିରି ଡିଏସ୍ଆର୍ ନିଲମ୍ବିତ ହୋଇଥିବା ବେଳେ ଆଉ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଯୋଜନା କରୁଛନ୍ତି । ହେଲେ ଏସବୁ ଭିତରେ ପାର୍ଟ ପ୍ଲଟ ପଞ୍ଜୀକରଣର ବାଟ ଫିଟୁନାହିଁ। ତର୍ଜମା ବାହାନାରେ କେବଳ ସମୟ ଗଡ଼ିଚାଲିଛି।

ସାରା ରାଜ୍ୟରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କେଳେଙ୍କାରୀ । ସରକାରଙ୍କ ସ୍କାନରରେ କଟକ-ଖୋର୍ଦ୍ଧା-ଅନୁଗୁଳ-ଗଞ୍ଜାମ ଜିଲ୍ଲାର ସବ ରେଜିଷ୍ଟ୍ରାର। ବିବାଦରୁ ମୁକୁଳିବା ପାଇଁ ସରକାର ପାଦେ ଆଗକୁ ଯାଇ ପୁଣି ପଛକୁ ଦୁଇ ପାଦ ଫେରୁଛନ୍ତି। ଦୁର୍ନୀତିମୁକ୍ତ ରାଜସ୍ବ ପ୍ରଶାସନ କେବଳ ସ୍ଲୋଗାନ ପାଲଟିଛି। ଓରେରା ଆକ୍ଟର ଧାରା ୩ ଏବଂ ଓଡ଼ିଶା ଡେଭେଲପମେଣ୍ଟ ଆକ୍ଟର ଧାରା ୧୫ ଅନୁସାରେ ପାର୍ଟ ପ୍ଲଟ ବିକ୍ରି ପାଇଁ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅନୁମତି ଜରୁରୀ । ଯେଉଁ ପାର୍ଟ ପ୍ଲଟରେ ଲେ-ଆଉଟ ଥିବ, ତାହା ଅନୁମୋଦିତ ହେବ। ଯେଉଁଥିରେ ଲେ-ଆଉଟ ପ୍ଲାନ ନଥିବ, ତାହା ପଞ୍ଜୀକରଣ ହେବନାହିଁ। ହେଲେ ରାଜ୍ୟର ବିଭିନ୍ନ ସବ ରେଜିଷ୍ଟ୍ରରମାନେ ଏହାକୁ ଅଣଦେଖା କରି ବେଆଇନ ଭାବେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଛନ୍ତି । ୧୯ ଫେବୃଆରୀ, ୨୦୨୫ରେ କିଛି ଲୋକ ଆଇଜିଆରଙ୍କ ପାଖରେ ଏନେଇ ଲିଖିତ ଅଭିଯୋଗ କଲେ। ୨୫ ଫେବୃଆରୀ, ୨୦୨୫ରେ ଭୁବନେଶ୍ବର ଏଡିଏମ୍ ଡିସେମ୍ବର ଓ ଜାନୁଆରୀ ମାସର ତଥ୍ୟ ଦେବାକୁ ଖୋର୍ଦ୍ଧା ରେଜିଷ୍ଟ୍ରାରଙ୍କୁ ଚିଠି କଲେ । ୧୦ ମାର୍ଚ୍ଚ, ୨୦୨୫ରେ ଆଇଜିଆର ୫୫ଟି ବେଆଇନ ଦଲିଲ ବାବଦରେ ତଥ୍ୟ ଦେବାକୁ ଖୋର୍ଦ୍ଧା ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଲେ। ହେଲେ ଏଯାଏଁ କିଛି ଉତ୍ତର ମିଳିଲା ନାହିଁ। ଏହାକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ।

କେବଳ ଖୋର୍ଦ୍ଧା ନୁହେଁ, ଅନୁଗୁଳ, ଗଞ୍ଜାମ, ବାରଙ୍ଗରେ ବି ହୋଇଛି ବେଆଇନ ପାର୍ଟ ପ୍ଲଟ ବିକ୍ରି। ଆଇଜିଆର୍ ବାରଙ୍ଗ ଓ ଖୋର୍ଦ୍ଧା ସବ ରେଜିଷ୍ଟ୍ରରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବେଳେ ଗଞ୍ଜାମ ଓ ଅନୁଗୁଳ ସବ ରେଜିଷ୍ଟ୍ରରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏସବୁ ସତ୍ତ୍ବେ ପାର୍ଟ ପ୍ଲଟ ବିକ୍ରି ପାଇଁ ବାଟ ଫିଟିନାହିଁ। ରାଜସ୍ବ ବିଭାଗ ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ତର୍ଜମା ଚାଲିଛି, ହେଲେ କିଛି ନିଷ୍ପତ୍ତି ହୋଇନାହିଁ। ପାର୍ଟ ପ୍ଲଟ କେଳେଙ୍କାରୀରେ ଖଣ୍ଡଗିରିର ପୂର୍ବ ରେଜିଷ୍ଟ୍ରର ବିଶ୍ବଜିତ ପ୍ରଧାନ ନିଲମ୍ବନ ହେବା ପରେ ପାର୍ଟ ପ୍ଲଟ ଉପରେ ରୋକ୍ ଲାଗିଛି। ଯେଉଁ ପାର୍ଟ ପ୍ଲଟରେ ଲେ-ଆଉଟ ଥିବ, ତାହା ପଞ୍ଜୀକରଣ ଯୋଗ୍ୟ।

ପାର୍ଟ ପ୍ଲଟ କେଳେଙ୍କାରୀରେ ୯ଜଣ ସବ ରେଜିଷ୍ଟ୍ରାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଫାଇଲ ଯାଇଥିବା ଚର୍ଚ୍ଚା ହେଉଛି। ହେଲେ ପ୍ରଶ୍ନ ଉଠୁଛି, ବେଆଇନ କାରବାର କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ? ଆଇଜିଆର ଓ ରାଜସ୍ବ ବିଭାଗର ଭୂମିକାକୁ ନେଇ ବି ଚର୍ଚ୍ଚା ହେଉଥିବା ବେଳେ ପାର୍ଟ ପ୍ଲଟ କିଣାବିକା ପାଇଁ ସରକାର କେବେ ନିଷ୍ପତ୍ତି ନେବେ, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ସମ୍ବଲପୁରରେ ଜଳସାଥୀଙ୍କ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁରରେ ଜଳସାଥୀଙ୍କ ଆନ୍ଦୋଳନ । ବିଶେଷ କରି କିଭଳି ରାଜ୍ୟର ସମସ୍ତ  ସହରର ସହରବାସୀ ପିଇବା ପାଣି ଟିକେ ପାଇବେ ସେଥିପାଇଁ ପୂର୍ବତନ ବିଜେଡି ସରକାର ମିଶନ ଶକ୍ତି ମାଆ ମାନଙ୍କୁ ନେଇ ଆରମ୍ଭ କରିଥିଲେ ଜଳସାଥୀ କାର୍ଯ୍ୟକ୍ରମ । କିନ୍ତୁ ବର୍ତ୍ତମାନ ସେମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହାର ପ୍ରତିବାଦ କରି ଆଜି ସମ୍ବଲପୁର ସହରର ମହିଳା ଥାନା ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଆରଡିସି କାର୍ଯ୍ୟାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଜଳସାଥୀ ମହାସଂଘର ପରାମର୍ଶଦାତା ସୁଦର୍ଶନ ଛୋଟରାୟଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଜଳସାଥୀ ମାନେ ଯୋଗ ଦେଇଥିଲେ । ବିଶେଷ କରି ଚାକିରୀକୁ ସ୍ଥାୟୀ କରିବା ସହ କାମ କରିବା ପାଇଁ ବିଭିନ୍ନ ଭତ୍ତା ଦାବି କରିଛି ସଂଘ ।.

ପଡ଼ୋଶୀ ରାଜ୍ଯର ଦାଦାଗିରି ଯୋଗୁଁ ଗତବର୍ଷ ତୁଳନାରେ ଦୁଇଫୁଟ କମିଲାଣି ହୀରାକୁଦ ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ: ଶୁଖିଲାଣି ଚିରସ୍ରୋତା ମହାନଦୀ । ପଡ଼ୋଶୀ ଛତିଶଗଡ଼ ଦାଦାଗିରି ଯୋଗୁଁ ସଂକଟରେ ଓଡ଼ିଶାର ଲାଇଫଲାଇନ୍ । ପାଣି ପାଇଁ ନଦୀକୂଳିଆ ଲୋକଙ୍କ ଶୁଣିବାକୁ ମିଳିଲାଣି ହାହାକାର । ହେଲେ ଟ୍ରିବ୍ଯୁନାଲ ଗଠନ କରିଦେଇ ଚୁପ ଡବଲ ଇଞ୍ଜିନ ସରକାର । ମାର୍ଚ୍ଚ ମାସରୁ ହୀରାକୁଦର ଜଳସ୍ତର ଦେଖି ଛାନିଆ ଲୋକେ । ଅଣ ମୌସୁମୀ ସମୟରେ ଉପରମୁଣ୍ଡରୁ ପାଣି ଆସୁ ନଥିବାରୁ ଗତବର୍ଷ ଅପେକ୍ଷା ଦୁଇଫୁଟ କମିଲାଣି ଜଳଭଣ୍ଡାରର ଜଳସ୍ତର । ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ହୋଇଛି ଦାବି ।

ମୃତପ୍ରାୟ ଓଡ଼ିଶାର ଜୀବନରେଖା । ମାର୍ଚ୍ଚରେ ଶୁଖିଲାଣି ଚିରସ୍ରୋତା ମହାନଦୀ । ଅଣ ମୌସୁମୀରେ ଉପରମୁଣ୍ଡରୁ ଆସୁନି ପାଣି । ପଡ଼ୋଶୀ ରାଜ୍ଯର ଦାଦାଗିରିର ଫଳ ଭୋଗୁଛନ୍ତି ରାଜ୍ଯବାସୀ । ହୀରାକୁଦରେ ଗତବର୍ଷ ଅପେକ୍ଷା ଦୁଇଫୁଟ କମିଛି ଜଳସ୍ତର । ଡବଲ ଇଞ୍ଜିନ ସରକାରର ନୀରବତା ନେଇ ଉଠିଲା ପ୍ରଶ୍ନ । ଗତବର୍ଷ ଏହି ସମୟରେ ହୀରାକୁଦ ଜଳସ୍ତର ୬୧୮.୬୯ ଫୁଟ ଥିବାବେଳେ ଚଳିତବର୍ଷ ୬୧୬.୭୧ ଫୁଟକୁ ଖସି ଆସିଛି l ଛତିଶଗଡ଼ ସମସ୍ତ ଗେଟ୍ ବନ୍ଦ କରିଦେଇଥିବାରୁ ମାତ୍ର ୭୨୩ ଘନଫୁଟ ଜଳ ଜଳ ଭଣ୍ଡାରକୁ ପ୍ରବେଶ କରୁଛି । ସେପଟେ ବର୍ତ୍ତମାନ ୧୦ ହଜାର ଘନଫୁଟ ଆବଶ୍ୟକ ରହିଥିବା ବେଳେ ଏତେ କମ ପାଣିକୁ ନେଇ ବଢୁଛି ଚିନ୍ତା । ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଉଠିଛି ଦାବି ।

ତେବେ ଗୋଟିଏ ପଟେ ମହାନଦୀର ସମସ୍ତ ଧାର ଶୁଖି ଯାଇଥିବାବେଳେ ଅନ୍ୟପଟେ ଛତିଶ ଗଡ଼ରେ ଲହଡ଼ି ମାରୁଛି ପାଣି l ଭଲଭାବେ ଦେଖନ୍ତୁ ଗୋଟିଏ ପରେ ଲହଡ଼ି ମାରୁଛି ପାଣି ଅନ୍ୟପଟେ ପଥରର ପାହାଡ । ମହାନଦୀ ତ୍ରିବ୍ୟୁନାଲ ଦେଇଥିବା ସମସ୍ତ ଗାଇଡ ଲାଇନକୁ ନମାନି ଛତିଶଗଡ଼ ପାଣି ଅଟକାଉଛି । ପୂର୍ବ ମୁଖ୍ୟମନ୍ତ୍ରୀ ସବୁବେଳେ ପାଣି ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ କିନ୍ତୁ । ବର୍ତ୍ତମାନ ସରକାର ଟ୍ରିବ୍ଯୁନାଲ ଗଠନ କରି ଚୁପ ବସିଛନ୍ତି । ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଓଡ଼ିଶା ଏକ ବଡ଼ ସଂକଟର ସାମ୍ନା କରିବା ଏକପ୍ରକାର ନିଶ୍ଚିତ ।

ମାର୍ଚ୍ଚରୁ ଶୁଖିଗଲାଣି ଗଞ୍ଜାମର ଲାଇଫଲାଇନ୍

ନନ୍ଦିଘୋଷ ବ୍ୟୁରୋ: ସମାଧି ନେବକି ରୁଷିକୁଲ୍ୟା ନଦୀ । ମାର୍ଚ୍ଚରୁ ଶୁଖିଗଲାଣି ଗଞ୍ଜାମର ଲାଇଫଲାଇନ । ମରୁଭୂମି ପରି ଲାଗୁଛି ନଦୀଗର୍ଭ । ଅନାବନା ଘାସରେ ପୂରା ନଈ ପୂରି ରହିଥିବା ବେଳେ ଲୋକଙ୍କୁ ଘାରିଛି ପାଣି ଚିନ୍ତା । ଏପଟେ ମାଫିଆମାନେ ନଦୀରୁ ଅନବରତ ବାଲି ଚୋରି କରିନେଉଥିଲେ ମଧ୍ଯ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ।

ମାର୍ଚ୍ଚରୁ ଶୁଖିଗଲାଣି ରୁଷିକୁଲ୍ଯା ନଦୀ । ଯେଉଁଠି ଦେଖିଲେ ବାଲି ହିଁ ବାଲି । ମରୁଭୂମି ପରି ଲାଗୁଛି ନଦୀଗର୍ଭ । ଖରାଦିନ ଆସିଲେ ଗଂଜାମ ବାସୀଙ୍କ ଶୋଷ ଦୂରକରିବାରେ ସାହା ହେଉଥିଲା ରୁଷିକୁଲ୍ଯା । ଏହାର ଜଳ ଉପରେ ନିର୍ଭର କରୁଥିଲେ ନଦୀକୂଳିଆ ବାସୀ । ପିଇବା ପାଣି ଠାରୁ ଆରମ୍ଭ କରି ଜଳସେଚନ ପଯ୍ୟନ୍ତ ସବୁ କିଛି ସମସ୍ୟା ଦୂର କରୁଥିଲା । ହେଲେ ଏବେ ଏହି ନଦୀ ଶୁଷ୍କ ଅବସ୍ଥାରେ । ନଦୀର ଗୋଟିଏ ପାର୍ଶ୍ଵ ଦେଇ କେବଳ ପାଣି ପ୍ରବାହିତ ହୋଇଛି । ତାହା ମଧ୍ୟ କେଉଁ ସମୟରେ ସୁଖିଯିବ କିଏ କହିବ । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ ।

ଜାନିବିଲି ଆନିକଟ ନିକଟରେ ଏକ ମେଗା ଜଳ ପ୍ରକଳ୍ପ କରାଯାଇଛି । ଏହି ପ୍ରକଳ୍ପ ଦ୍ବାରା ପାଣି ବାହାରକୁ ଛଡାଯାଉଥିବା ବେଳେ ନଦୀରେ ପାଣି ଛଡାଯାଉନାହିଁ । ସେହିପରି ସୋରଡା ପିପଲ ପଙ୍ଗା ନିକଟରେ ରୁଷିକୁଲ୍ଯା ନଦୀ ଉପରେ ଜଳକୁ ଅଟକାଇ ପୁଣି ଏକ ପ୍ରକଳ୍ପ କରିବା ପାଇଁ ଶୁଭ ଦିଆଯାଇଛି । ତେଣୁ ଏହି ଦୁଇ ପ୍ରକଳ୍ପ ଫଳରେ ନଦୀରେ ପ୍ରବାହିତ ଜଳ କମୁଛି ବୋଲି ନଇକୁଳିଆ ବାସି ଅଭିଯୋଗ କରିଛନ୍ତି । ଏହା ବ୍ୟତିତ ନଦୀରୁ ଅନବରତ ବାଲି ମାଫିଆ ମାନେ ବାଲି ଚୋରି କରିନେଉଛନ୍ତି । ସ୍ଥାନୀୟ ପ୍ରଶାସନ ସେମାନଙ୍କ ହାତ ବାରସି ସାଯିବା ଫଳରେ ଗଂଜାମର ଲାଇଫ ଲାଇନ୍ ଏବେ ବିପଦରେ ବୋଲି ମତ ପାଇଛି ।

ବିଶ୍ବାବସୁ ଶବର ସମାଜ ପ୍ରତିଷ୍ଠାନ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତିଙ୍କ ଉଦବେଗ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ କାଳିଆପଲ୍ଲୀ ସ୍ଥିତ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହନଦୀ ଓ କୁସୁମୀ ନଦୀକୂଳରେ ଅବସ୍ଥିତ ବିଶ୍ବାବସୁ ପୀଠ ଅତ୍ୟନ୍ତ ଆଧ୍ୟାତ୍ମିକ । ବିଶ୍ବାବସୁ ଥିଲେ ନୀଳମାଧମଙ୍କ ପ୍ରଥମ ପୂଜକ । ଏହାକୁ ମହାପ୍ରଭୁଙ୍କ ଆଦିପୀଠ ବୋଲି କୁହାଯାଏ । କିମ୍ବଦନ୍ତି କହେ କାଳିଆପଲ୍ଲୀ ବିଶ୍ବାବସୁଙ୍କ ବାସସ୍ଥଳୀ । ଏଠାରେ ବିଶ୍ବାବସୁଙ୍କ ଘରର କୌଣସି ଚିହ୍ନବର୍ଣ୍ଣ ନାହିଁ । କନା ପଡିଛି କର୍ପୁର ଉଡିଗଲା ପରି ଏକ ଶିଆଳି ଲଟା ଅନାବନା ହୋଇ ପଡିରହିଛି । ଆଦିବାସୀମାନେ ସବୁବେଳେ ବୃକ୍ଷତଲାକୁ ପୂଜା କରିଥାନ୍ତି । ଏହିସ୍ଥାନକୁ ଯେତିକି ଗୁରୁତ୍ବ ଦିଆଯିବା କଥା ସେତିକି ଗୁରୁତ୍ବ ମିଳିନାହିଁ । ଏହିସ୍ଥାନକୁ ଅବହେଳା କରିବା ନିଜ ମାକୁ ଅବହେଳା କରିବା ଭଳି । ଏହି ଅଞ୍ଚଳର ବିକାଶ ଆମ ସମସ୍ତଙ୍କ ଦାୟିତ୍ବ । ଏହା ହୋଇପାରିଲେ ଆଦି ସେବକ ବିଶ୍ବାବସୁ ଓ ଶବର ସମାଜକୁ ଶ୍ରେଷ୍ଠ ସମ୍ମାନ ବୋଲି ସେ କହିଥିଲେ । ଶବର ସମାଜ ଗାଁ ଗାଁରେ ବିଶ୍ବଶାନ୍ତି ମହାଯଜ୍ଞ କରିବା ଅତ୍ୟନ୍ତ ଗୌରବର କଥା । କିନ୍ତୁ ଯେଉଁଠି ଯଜ୍ଞ ହେଉଥିଲା ତାହା ଅତ୍ୟନ୍ତ ଅବହେଳିତ ହୋଇ ରହିଛି । ଏହାର ଉନ୍ନତିକରଣ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଏହି ପୀଠ ମହାପ୍ରଭୁ ଜଗନ୍ନାଥ ଏବଂ ଆଧ୍ୟାତ୍ମିକ ଭାବ ସହ ଜଡିତ ହୋଇଥିବାରୁ ଏହାକୁ ଏକ ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ମହାମହିମ । କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢୀ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ, ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଏବଂ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ସଭାପତି ଏବଂ ସମ୍ପାଦକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଲୋକଙ୍କ ଝାଳବୁହା ଧନରେ କରୁଥିଲେ ଅଏସ : ବନ୍ଧାହେଲା ଠକ ବିଲଡର

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ଝାଳବୁହା ଧନରେ କରୁଥିଲେ ଅଏସ । କୋଟି କୋଟି ଟଙ୍କା ଲୁଟି ବୁଲୁଥିଲେ ବିଦେଶ ଆଉ କିଣୁଥିଲା ଦାମୀ ଗାଡ଼ି, ଘଣ୍ଟା ଓ ସୁନା । ଫୋର-ଟ୍ବେଣ୍ଟି ବିଲଡର ଅପରାଧିକ କାରନାମା । ୫ ବର୍ଷ ହେଲା ଲୋକଙ୍କୁ ଜମି ଘର ଦେବ କହି ଭଣ୍ଡାଇ ଚାଲିଥିଲା । ଲୋକଙ୍କୁ ଦେଖା କରୁନଥିଲା ବରଂ ଧମକାଇବା ସହ ଆକ୍ରମଣର ଦେଉଥିଲା ଧମକ୍ । ଜଣେ କି ଦୁଇଜଣ ନୁହେଁ ୧୦ ରୁ ଅଧିକ ଲୋକଙ୍କ ଠାରୁ ୩ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ଖାରବେଳ ନଗର ପୋଲିସ ହାତରେ ଠକ ବିଲଡର ନରୋତ୍ତମ ମହାନ୍ତି । ନରୋତ୍ତମକୁ ସୋନପୁରରୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ମାଆ ସନ୍ତୋଷୀ ଏନକ୍ଲେଭ ନାଁରେ ରାଜଧାନୀରେ ପ୍ରପର୍ଟି ଦେବାକୁ କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ସୋର ଅଞ୍ଚଳର କିଛି ବ୍ୟକ୍ତି ଯେଉଁମାନେ ଠକେଇର ଶିକାର ହୋଇଥିଲେ ସେମାନେ ନରୋତ୍ତମ ନାଁରେ ମାମଲା ରୁଜୁ କରିଥିଲେ । ୨୦୧୯ରୁ ସେମାନଙ୍କୁ ଜମି ଓ ଘର ଦେବାକୁ କହି ଗତ ୫ ବର୍ଷ ହେଲା ଭଣ୍ଡାଇ ଚାଲିଥିଲା ନରୋତ୍ତମ । ବିଭିନ୍ନ ସମୟରେ ଭିନ୍ ଭିନ୍ନ ଆଳ ଦେଖାଇ ଲୁଚିବା ସହ ବାରମ୍ବାର ସିମ୍ ବଦଳାଉଥିଲା । ସବୁ ସମୟରେ ପୋଲିସକୁ ଖବର ଦେଉଥିଲେ ଠକାମୀର ଶିକାର ହେଉଥିବା ବ୍ୟକ୍ତି । ଲୋକଙ୍କୁ ସେ ଜମି କିମ୍ବା ଘର ଦେଉନଥିଲା ଏବଂ ସେମାନଙ୍କ ଟଙ୍କା ମଧ୍ୟ ଫେରାଉ ନଥିଲା । ଶେଷରେ ପୋଲିସ ତାକୁ ଗିରଫ କରିଛି ।

ବାପା ଅଟୋ ଡ୍ରାଇଭର, ଆଇପିଏଲରେ କମାଲ କରୁଛନ୍ତି ପୁଅ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲର ସବୁଠୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସକୁ ପଡିଆ ମଝିରେ ପାଣି ପିଆଇଛନ୍ତି ଜଣେ ଅଟୋ ଡ୍ରାଇଭରଙ୍କ ପୁଅ । ରବିବାର ମ୍ୟାଚରେ ସେ ବିରୋଧୀ ଟିମର ଅଣ୍ଟା ଭାଙ୍ଗି ଦେଇଥିଲେ । ରବିବାର ଆଇପିଏଲରେ ଖେଳାଯାଇଥିଲା ମୁମ୍ବାଇ-ଚେନ୍ନାଇ ହାଇଭୋଲଟେଜ୍ ମ୍ୟାଚ୍ । ଆଉ ଏ ମ୍ୟାଚରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୨୪ ବର୍ଷୀୟ ଖେଳାଳି ବିଗ୍ନେଶ ପୁଥୁର । ବିଗ୍ନେଶ ପୁଥୁର ମୁମ୍ବାଇ-ଚେନ୍ନାଇ ମ୍ୟାଚରେ, ୩ଟି ଓ୍ୱିକେଟ୍ ନେବା ସହ କ୍ୟାପଟେନ୍ କୁଲ୍ ଧୋନୀଙ୍କର ମଧ୍ୟ ପ୍ରିୟ ପାଲଟିଯାଇଛନ୍ତି । ରବିବାର ଆଇପିଏଲର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଚେନ୍ନାଇ ସୁପର କିଙ୍ଗ୍ସ ।

ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ କରିଥିଲା ଚେନ୍ନାଇ । ଆଉ ମୁମ୍ବାଇ ଟିମ୍ ୨୦ ଓଭରରେ ୯ ଓ୍ୱିକେଟ୍ ହରେଇ କରିଥିଲା ୧୫୫ ରନ୍ । ତେବେ ଯେତେବେଳେ ଚେନ୍ନାଇ ଟିମ୍ ଏହି ୧୫୬ ରନ୍ କରିବାକୁ ପଡିଆକୁ ଓହ୍ଲେଇଥିଲା, ସେତେବେଳେ ଚେନ୍ନାଇ ଭଳି ଟିମକୁ ଚ୍ୟାଲେଞ୍ଜ ଦେଇଥିଲେ ଏହି ୨୪ ବର୍ଷୀୟ ବାମହାତୀ ସ୍ପିନର । ବିଗ୍ନେଶ ପୁଥୁର ଆରମ୍ଭରୁ ହିଁ, ଚେନ୍ନାଇ ଟିମ ଉପରେ ଭାରି ପଡିଥିଲେ । ନିଜର ପ୍ରଥମ ମ୍ୟାଚରେ ସେ କ୍ୟାପଟେନ୍ ଋତୁରାଜ ଗାଏକ୍ୱାଡଙ୍କୁ ଆଉଟ୍ କରିବା ସହିତ, ପରେ ପରେ  ନେଇଥିଲେ ଶିଭମ ଦୁବେ ଆଉ ଦୀପକ ହୁଡ୍ଡାଙ୍କ ଓ୍ୱିକେଟ୍ । ଯାହା ମୁମ୍ବାଇକୁ ଖାଲି ମ୍ୟାଚରେ ଜୀବିତ ରଖିନଥିଲା, ବରଂ ଗୋଟିଏ ସମୟରେ ବିଜୟର ଚାନ୍ସ ମଧ୍ୟ ସୃଷ୍ଟି କରିଥିଲା । ତେବେ ଶେଷରେ ମୁମ୍ବାଇ ମ୍ୟାଚ୍ ହାରିଥିଲେ ବି, ନିଜ ଦମଦାର ବୋଲିଂ ବଳରେ ସମସ୍ତଙ୍କ ହୃଦୟ ଜିତିସାରିଥିଲେ ଏହି ୟଙ୍ଗ୍ ବାମହାତୀ ସ୍ପିନର ।

ବିଗ୍ନେଶଙ୍କ ବାପା ହେଉଛନ୍ତି ଜଣେ ସାମାନ୍ୟ ଅଟୋ ଡ୍ରାଇଭର । କେରଳର ମଲପପୁରମରୁ ଆସୁଥିବା ଏହି ଖେଳାଳି, ପ୍ରଥମ ଥର ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି । ଏହା ପୂର୍ବରୁ ସେ କେରଳ ପାଇଁ ଘରୋଇ କ୍ରିକେଟ୍ ବି ଖେଳିନାହାଁନ୍ତି, ଏମିତି କି ସିନିୟର ଟିମରେ ତାଙ୍କ ଜାଗା ମଧ୍ୟ ନାହିଁ । ହେଲେ ତାହାରି ଭିତରେ କିନ୍ତୁ, ମୁମ୍ବାଇ ଟିମର ମ୍ୟାନେଜମେଣ୍ଟ ତାଙ୍କୁ କେରଳ କ୍ରିକେଟ୍ ଲିଗରୁ ଦେଖି, ଟିମକୁ ଆଣିବା ସହିତ ଏବେ ଆଇପିଏଲରେ ଦେଇଛି ଖେଳିବାର ସୁଯୋଗ । ଏଥର ଆଇପିଏଲ ଅକ୍ସନରେ ଦଳ ବିଗ୍ନେଶ ପୁଥୁରଙ୍କୁ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଦେଇ କିଣିଥିଲା । ଆଉ ଏହା ପୂର୍ବରୁ ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ସେ ଥିଲେ ମୁମ୍ବାଇର ନେଟ୍ ସ୍ପିନର । ଯେଉଁ କାରଣରୁ ଆଜି ସେ ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ଚମକିବା ଆରମ୍ଭ କରିଛନ୍ତି ।