spot_img
Home Blog Page 926

ଖଣି ଦୁର୍ନୀତିର CBI ତଦନ୍ତ ଦାବି କରିସାରିଛନ୍ତି ବିଜେଡି ନେତା ଯୋଗେଶ ସିଂ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଖଣି ଦୁର୍ନୀତି ପ୍ରସଙ୍ଗରେ ବିଜେଡି ନେତା ଯୋଗେଶ ସିଂଙ୍କ ପ୍ରତିକ୍ରିୟା। ସେ କହିଛନ୍ତି, ଖଣି ଦୁର୍ନୀତି ଏକ ବଡ ଦୁର୍ନୀତି। ଏହି ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିସାରିଛନ୍ତି। ଏହି ଦୁର୍ନୀତିରେ ସରକାର କର୍ମଚାରୀ ମଧ୍ୟ ସାମିଲ ରହିଛନ୍ତି। ଖଣି ଆମର ଜାତୀୟ ସମ୍ପତ୍ତି। ଏହାକୁ ଲୁଟ କରିଥିବା ଲୁଟେରାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସିବିଆଇ ତଦନ୍ତ ହେଲେ ହିଁ ପ୍ରକୃତି ଦୋଷୀ ଧରାପଡ଼ିବ। ସରକାର ଚାହୁଁଛନ୍ତି ମୂଲିଆ ଶ୍ରେଣୀର ଲୋକଙ୍କୁ ଧରି ମୁଖ୍ୟ ଅଭିଯୁକ୍ତଙ୍କୁ ଖସେଇ ଦେବାକୁ। ଯେଉଁମାନେ ହଜାର ହଜାର କୋଟି ଟଙ୍କା କମାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ଯୋଗେଶ।

ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତ ଓଡିଶା ପୋଲିସ

ଭୁବନେଶ୍ୱର: ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତ ଓଡିଶା ପୋଲିସ । ଆଇନଶୃଙ୍ଖଳା ଦାୟିତ୍ୱରେ ରହିବ ୨୦୦ ପ୍ଲାଟୁନ ଫୋର୍ସ। ସାରା ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି। ୬୫୦ ସିସିଟିଭି ଓ ୪୦ଟି ଡ୍ରୋନ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟର କରାଯାଉଛି । ସମ୍ବଲପୁରରେ ବଡ଼ ବଡ଼ LED ଓ ଡ୍ରୋନ ସାହାଯ୍ୟରେ ନିରୀକ୍ଷଣ କରାଯାଉଛି । ସାଦା ପୋଷାକରେ ପାଇଁତରା ମାରୁଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି । ଜିଲ୍ଲାପାଳ ଓ ଏସପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଧାର୍ମିକ ସ୍ଥଳ ଗୁଡିକରେ ପୋଲିସ ଦ୍ୱାରା ପିକେଟିଂ ଜାରି ରହିଛି । ସମ୍ବେଦନଶୀଳ ସ୍ଥାନରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଉପସ୍ଥିତ ରହିବେ। ଦେଶୀ ମଦ କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । ସୋସିଆଲ ମିଡିଆରେ ଗୁଜବ କରି ଜାତିଆଣ ମନ୍ତବ୍ୟ ଦେଉଥିବା ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ ହୋଇଛି ବୋଲି ଏଡିଜିପି ଲ’ ଆଣ୍ଡ ଅର୍ଡର ସଞ୍ଜୟ କୁମାର ସୂଚନା ଦେଇଛନ୍ତି।।

ବି.ଆର.ଆମ୍ବେଦକର ଜୟନ୍ତୀ ମଧ୍ୟ ଆସନ୍ତାକାଲି ଥିବାରୁ ନିଜେ ଚିଫ ସେକ୍ରେଟାରୀଙ୍କ ସହ ଡିଜିପି ଆଲୋଚନା କରିଛନ୍ତି ବୋଲି ଏଡିଜିପି ଲ’ ଆଣ୍ଡ ଅର୍ଡର ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

ଶିମିଳିପାଳ ପାଦଦେଶରେ ବୁଲୁଛି କଳାବାଘ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଗାଁ ପାଖ ଜଙ୍ଗଲରେ ବୁଲୁଛି କଳାବାଘ। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ବାରିପଦା ବନଖଣ୍ଡ ଅଧୀନ ବ୍ରାହ୍ମଣଗାଁ, ଚାକିଡି ଓ ତାଳବନ୍ଧ ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ବନବିଭାଗ ଏହାକୁ ଯାଞ୍ଚ କରୁଛି। ଶିମିଳିପାଳକୁ ବାଘ ଦେଖିବା ପାଇଁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବାବେଳେ ଶିମିଳିପାଳ ପାଦଦେଶରେ କଳା ବାଘ ଦେଖାଯିବା ଭଲ ଖବର ବୋଲି କୁହାଯାଉଛି। ଶିମିଳିପାଳ ଅଭୟାରଣ୍ୟ ସହିତ ପର୍ଯ୍ୟଟନକ୍ଷେତ୍ର ପାଇଁ ଏକ ଭଲ ଖବର ବୋଲି ଆଲୋଚନା ହେଉଛି।

ମାତ୍ର ଗତ କିଛିଦିନ ଧରି ବାଙ୍ଗିରିପୋଷି ରେଞ୍ଜରେ ଥିବା ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଚରିବାକୁ ଯାଉଥିବା ଗୃହପାଳିତ ପଶୁଙ୍କୁ ମାରି ଖାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଶିମିଳିପାଳ ଅଭୟାରଣ୍ୟ କର୍ତୃପକ୍ଷଙ୍କ ପକ୍ଷରୁ ଅଂଚଳରେ ଜନସଚେତନତା ସୃଷ୍ଟି କରାଯାଇ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଭିତରକୁ ଛାଡ଼ିବାକୁ ବାରଣ କରାଯାଉଛି। ମୃତ୍ୟୁ ହୋଇଥିବା ଗୃହପାଳିତ ପଶୁଙ୍କ ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ରାମ ନବମୀ ଅବସରରେ ଖଣ୍ଡା ବୁଲାଇଲେ ବିଜେପି ନେତା

ପୁରୀ: ରାମ ନବମୀ ଉତ୍ସବ ଅବସରରେ ପୁରୀ ଜିଲ୍ଲା କାକଟପୁର ମୁଖ୍ୟ ରାସ୍ତାରେ ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ବୁଲାଇଲେ ଖଣ୍ଡା। ବିଜେପିରୁ କାକଟପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଥିବା ବାଇଧର ମଲ୍ଲିକ ଖଣ୍ଡା ବୁଲାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ରାମ ନବମୀରେ କାକଟପୁରରେ ଶୋଭାଯାତ୍ରା ଚାଲିଥିବା ବେଳେ ବୁଲାଇଥିଲେ ଖଣ୍ଡା। ଏ ନେଇ ଲିଖିତ ଅଭିଯୋଗ କରିଛି ଯୁବ ବିଜେଡି। କାକଟପୁର ଏକ ଶାନ୍ତିପୂର୍ଣ୍ଣ ତଥା ଧାର୍ମିକ ପୀଠ।

କାକଟପୁରରେ ରହିଛି ମା’ ମଙ୍ଗଳାଙ୍କ ପୀଠ। ରାମନବମୀ ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଦିବାଲୋକରେ ଖଣ୍ଡା ବୁଲାଇବାଥିବା ଅଭିଯୋଗ ହୋଇଛି। ଏହାସହ ବିକଟାଳ ଶବ୍ଦ କରୁଥିବା ତିନୋଟି ଡିଜେ ସାଥିରେ ନେଇ ବାଣ ଫୁଟାଇ ଧାର୍ମିକ ପୀଠରେ ଅଶାନ୍ତ ପରିବେଶ ସୃଷ୍ଟି କରିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକେ ଭୟଭୀତ ଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଜୁ ଯୁବ ଜନତା ଦଳର କର୍ମୀ।

ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ହିଙ୍ଗୁଳା ଯଜ୍ଞକୁ ଯିବାବେଳେ ଆକ୍ରମଣ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗାଁରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମାଙ୍କ ଦର୍ଶନ କରିବାକୁ ଯିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଯଜ୍ଞକୁ ଯିବା ପୂର୍ବରୁ କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇଥିଲେ। ଏହାସହ କିଛି ବ୍ୟକ୍ତି ଠେଙ୍ଗାରେ ପ୍ରଣବଙ୍କ ଗାଡିକୁ ପିଟାପିଟି କରିଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ଜେନାପୁର IIC ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏହା ପରେ ପ୍ରଣବ ପୂର୍ବ ଯୋଜନା ଅନୁସାରେ ଯଜ୍ଞ ସ୍ଥଳକୁ ଯାଇ ମାଙ୍କ ଦର୍ଶନ କରି ଫେରିଥିଲେ।

ବିଜେଡି ସାଙ୍ଗଠନିକ ନିର୍ବାଚନ: ୧୬ ଜିଲ୍ଲାରେ ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଚୂଡାନ୍ତ ହେବାକୁ ଯାଉଛି । ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି । ଆଉ ୭ ଜିଲ୍ଲା ପାଇଁ ନାମାଙ୍କନ ବାକି ରହିଛି । ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଭରି ଥିବାରୁ ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ନାଁ ଘୋଷଣା କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ସୂଚନା କୁହାଯାଇଛି ।

ଦଳ ପକ୍ଷରୁ କୁହାଯାଇଛି, ଏହାପରେ ପଞ୍ଚମ ପର୍ଯ୍ୟାୟରେ ଷ୍ଟେଟ କାଉନସିଲ ଓ ଷଷ୍ଠ ପର୍ଯ୍ୟାୟରେ ଷ୍ଟେଟ ଏକଜିକ୍ୟୁଟିଭ ନିର୍ବାଚନ ହେବ । ଯେଉଁଥିରେ ରାଜ୍ୟ ସଭାପତି ନିର୍ବାଚନ ହେବ । ଏହା ପରେ ଅନ୍ୟ ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ, ପୌର ସଭାପତି ନିର୍ବାଚନ ହେବ । ଯୁବ, ଛାତ୍ର ଓ ମହିଳା ସଭାପତି ନିର୍ବାଚନ ବି ରାଜ୍ୟ ସଭାପତିଙ୍କ ଅନୁମୋଦନରେ ହେବ ।

ବେଲୁଚଙ୍କ ଉପରେ ଅତ୍ୟାଚାର, ଟରଣ୍ଟୋରେ ପାକିସ୍ତାନ ବିରୋଧୀ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ବଲୁଚିସ୍ତାନରେ ବଢୁଛି ପାକିସ୍ତାନର ଅତ୍ୟାଚାର । ଉଲ୍ଲଂଘନ ହେଉଛି ମାନବିକ ଅଧିକାର । ଲୋକଙ୍କୁ ବିନା କାରଣରେ ଗିରଫ କରାଯାଇ ଦିଆଯାଉଛି ନିର୍ଯାତନା । ଅମାନୁଷିକ ଭାବେ କରାଯାଉଛି ହତ୍ୟା । ଏମିତି କିଛି ଅଭିଯୋଗ ଆଣିଛନ୍ତି କାନାଡାରେ ବସବାସ କରୁଥିବା ବଲୁଚିସ୍ତାନ ନାଗରିକ ।

ଟରଣ୍ଟୋରେ ଆୟୋଜିତ ବିକ୍ଷୋଭ ସମାବେଶରେ ସେମାନେ କହିଛନ୍ତି, ପାକିସ୍ତାନ ସେନା ମାନବିକ ଅଧିକାରର ବ୍ୟପାକ ଉଲ୍ଲଂଘନ କରୁଛି । ଏଥିଲାଗି କାନାଡା, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାତିସଂଘ, ୟୁରୋପିଆନ ୟୁନିଅନ ହସ୍ତକ୍ଷେପ କରନ୍ତୁ । ଏହାସହ ଅନ୍ତର୍ଜାତିକ ନ୍ୟାୟାଳୟ ଏହି ମାମଲାର ବିଚାର କରୁ ବୋଲି ସେମାନେ ଦାବି କରିଛନ୍ତି । ଗତ କିଛିବର୍ଷ ଧରି ବଲୁଚିସ୍ତାନରେ ପାକିସ୍ତାନ ଆର୍ମି ପକ୍ଷରୁ ଦମନଲୀଳା ଚାଲିଛି ।

ଓ୍ବାକଫ ବିଲକୁ ନେଇ ଜଳୁଛି ମୁର୍ଶିଦାବାଦ, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ୱାକଫ ଆଇନକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବ୍ୟାପକ ହିଂସା ।  ବର୍ତ୍ତମାନ ସୁଦ୍ଧା ହିଂସାର ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଗଲାଣି ।

ରାଜ୍ୟର ସୁତି, ଧୁଲିଆନ, ସମଶେରଗଞ୍ଜ ଓ ଜାଙ୍ଗିପୁର ଅଞ୍ଚଳରେ ସ୍ଥିତି ଜଟିଳ ହୋଇଛି । ବିଭିନ୍ନ ସ୍ଥାନରେ ଏକାଠି ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି । ହିଂସାକୁ ଦମନ କରିବା ଲାଗି କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଲୋକଙ୍କ ନିରାପତ୍ତା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି । ଶାନ୍ତି ରକ୍ଷା ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ତେବେ ବିଜେପି ପକ୍ଷରୁ ହିନ୍ଦୁତ୍ବ କାର୍ଡ ଖେଳାଯାଉଥିବାରୁ ସ୍ଥିତି ଅଧିକ ସଂଗୀନ ହେବା ଆଶଙ୍କା କରାଯାଉଛି । ଗତ ଏପ୍ରିଲ ୮ତାରିଖରୁ ମୁର୍ଶିଦାବାଦରେ ଆନ୍ଦୋଳନ ଚାଲିଛି । ବିଶୃଙ୍ଖଳାକୁ ଦମନ ଲାଗି ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ରାଜୀବ କୁମାର । ହିଂସାରେ ଜଡିତ ଲୋକଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ । କେବଳ ମୁର୍ଶିଦାବାଦରେ ୩୦୦ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି ।

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ବିନା ସମ୍ମତିରେ ୧୦ଟି ଆଇନ ପାଇଁ ବିଜ୍ଞପ୍ତି ଜାରି କଲେ ତାମିଲନାଡୁ ସରକାର

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବିଧାନସଭା ଇତିହାସରେ ପ୍ରଥମ । ତାମିଲନାଡୁ ସରକାର ପ୍ରଥମ ଥର ଲାଗି ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ବିନା ସମ୍ମତିରେ ୧୦ଟି ଆଇନ ପ୍ରସଙ୍ଗରେ ବିଜ୍ଞପ୍ତି ଜାରି କରିଛନ୍ତି । ଉଭୟ ତାମିଲନାଡୁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚେତାବନୀ ଦେବା ପରେ ପରେ ବୋଲ୍ଡ ଷ୍ଟେପ ନେଇଛନ୍ତି ତାମିଲନାଡୁ ସରକାର ।

ଗତ ଏପ୍ରିଲ ୧୧ ତାରିଖରେ ରାଜ୍ୟ ସରକାର ୧୦ ଆଇନ ସମ୍ପର୍କରେ ଗେଜେଟ ଜାରି କରିଛନ୍ତି । ଏହି ବିଲଗୁଡିକ ବିଧାନସଭାରେ ଥରେ ଓ ସ୍ବତନ୍ତ୍ର ଅଧିବେଶନରେ ପୁଣି ଥରେ ଗୃହୀତ କରାଯିବା ପରେ ରାଜ୍ୟପାଳ ଆର.ଏନ. ରବିଙ୍କ ନିକଟକୁ ପଠାଯାଇଥିଲା । ମାତ୍ର ରାଜ୍ୟପାଳ ଏସବୁ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।

ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବିଧାନସଭାରେ ଏକ ବିଲ ପାସ୍ ହେବା ପରେ ତାହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଏ । ରାଜ୍ୟପାଳ ଏହାକୁ ସ୍ବୀକୃତି ଦେଇପାରନ୍ତି କିମ୍ବା ସ୍ଥଗିତ ରଖିପାରନ୍ତି । ପରିବର୍ତ୍ତନ ବା ପୁନଃସମୀକ୍ଷା ଲାଗି ବିଧାନସଭାକୁ ପଠାଇପାରନ୍ତି କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରନ୍ତି । ତେବେ ରାଜ୍ୟପାଳଙ୍କଠାରୁ ଫେରସ୍ତ ଆସିଥିବା କୌଣସି ଅପରିବର୍ତ୍ତିତ ବା ପରିବର୍ତ୍ତିତ ବିଲ୍ ପୁଣି ଥରେ ବିଧାନସଭାରେ ଗୃହୀତ ହେଲେ ଏହାକୁ ରାଜ୍ୟପାଳ ପକାଇ ରଖିପାରିବେ ନାହିଁ । ଯଦି ହାଇକୋର୍ଟ କିମ୍ବା କେନ୍ଦ୍ର ସମ୍ପର୍କିତ ବିଷୟ ଥାଏ ତେବେ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥାଏ । ହେଲେ ତାମିଲନାଡୁ କ୍ଷେତ୍ରରେ ବିଧାନସଭାରେ ପୁନଃଗୃହୀତ ହୋଇଥିବା ବିଲଗୁଡିକୁ ମଞ୍ଜୁରୀ ନଦେଇ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।

ନ୍ୟାସନାଲ ହେରାଲ୍ଡ ବେଆଇନ ଅର୍ଥ କାରବାର ମାମଲା: ଇଡ଼ିର ସୋନିଆ ଓ ରାହୁଲଙ୍କ ସହ ସମ୍ପର୍କିତ ସମ୍ପତ୍ତିକୁ ଜବତ ପ୍ରକ୍ରିୟା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ ବେଆଇନ ଅର୍ଥ କାରବାର ମାମଲା । କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ସମ୍ପର୍କିତ ସମ୍ପତ୍ତିକୁ ଜବତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ସୋନିଆ ଓ ରାହୁଲଙ୍କ ମାଲିକାନାରେ ୟଙ୍ଗ ଇଣ୍ଡିଆନ ଲିମିଟେଡ ଦ୍ବାରା ଅଧିକୃତ ହୋଇଥିବା ଆସୋସିଏସେଟେଡ ଜର୍ଣ୍ଣାଲ୍ସ ଲିମିଟେଡ ବା ଏଜେଏଲର ସମ୍ପତ୍ତିକୁ ମୁମ୍ବାଇ ଓ ଲକ୍ଷ୍ମୌରେ ଠାବ କରିଛି ଇଡି ।

ଅତୀତରେ ନ୍ୟାସନାଲ ହେରାଲଡକୁ ୟଙ୍ଗ ଇଣ୍ଡିଆନ ଜରିଆରେ ପ୍ରକାଶନ କରୁଥିବା ଏଜେଏଲର ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଇଡି ଏହାର ତଦନ୍ତ କରୁଥିଲା । ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣିଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ଏଜେଏଲର ପ୍ରାୟ ୨ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆନ ବେଆଇନ ଭାବେ ଅକ୍ତିଆର କରିଥିବା ନେଇ ଅଭିଯୋଗ କରିଥିଲେ ସୁବ୍ରମଣ୍ୟମ ।

ଇଡି ଦର୍ଶାଇଛି ଯେ, ଏଜେଏଲର ପ୍ରାୟ ୯୮୮ କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରାଯାଇଛି । ୨୦୨୩ ନଭେମ୍ବରରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ମୌରେ ଥିବା ୬୬୧ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ କରିଥିଲା ଇଡି । ଏଥିରେ ଥିଲା ଏଜେଏଲର ପ୍ରାୟ ୯୦ କୋଟି ଟଙ୍କାର ସେୟାର । ମୁମ୍ବାଇସ୍ଥିତ ହେରାଲ୍ଡ ହାଉସରେ ଚାଲିଥିବା ଜିନ୍ଦଲ ସାଉଥ ଓ୍ବେଷ୍ଟ ପ୍ରୋଜେକ୍ଟସକୁ ବି ଏକ ନୋଟିସ ପଠାଯାଇଛି । ଏହାସହ ବିଲଡିଂରୁ ଆଦାୟ ହେବାକୁ ଥିବା ଭଡା ବର୍ତ୍ତମାନଠାରୁ ଇଡି ନିକଟରେ ଜମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୧୪ରେ ସୁବ୍ରମଣ୍ୟମ ସ୍ବାମୀ ଏହି ଅଭିଯୋଗ ଆଣିବା ପରେ ୨୦୨୧ରେ ଏହାର ଇଡି ତଦନ୍ତ ଆରମ୍ଭ ହୋଇଥିଲା । ୨ ହଜାର କୋଟି ଟଙ୍କାର ଏଜେଏଲର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାର ୟଙ୍ଗ ଇଣ୍ଡିଆନ ହାତେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଆଇନଗତ ବିବାଦ ମଧ୍ୟରେ ଏହାର ତଦନ୍ତ ଲାଗି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ଇଡିର ଅଭିଯୋଗ ଅନୁସାରେ ଜାଲ ଡୋନେସନ ବାବଦରେ ୧୮ କୋଟି, ଅଗ୍ରୀମ ଭଡ଼ା ବାବଦରେ ୩୮ କୋଟି ଓ ବିଜ୍ଞାପନ ବାବଦରେ ୨୯ କୋଟି ଟଙ୍କା ଆଦାୟ କରାଯାଇଛି ।