ଭୁବନେଶ୍ବର : କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ। ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କଲେ ବାଚସ୍ପତି। ତେବେ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି ବାକି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ହୋଇଛନ୍ତି ନିଲମ୍ବିତ । ସେମାନଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ବିଧାୟକମାନେ ହେଲେ ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ରାଜନ ଏକ୍କା, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଓ କାଡ୍ରାକା ଆପାଲାସ୍ବାମୀ। ପୂର୍ବରୁ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ ତାରା ବାହିନୀପତି। ନିଲମ୍ବିତ ବିଧାୟକଙ୍କୁ ଗୃହରୁ ବାହାର କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ପଏଣ୍ଟ ଅଫ ଅର୍ଡର ନ ଦେବାରୁ ଅସନ୍ତୋଷ ଜାହିର କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରାଯାଇଛି। ବାଚସ୍ପତିଙ୍କ ପୋଡିଅମ ତଳେ ଅହୋରାତ୍ର ଧାରଣା ଦେଇଛନ୍ତି କଂଗ୍ରେସ ସଦସ୍ୟ। ଆଜି ଦିନ ତମାମ ୯ ଥର ମୁଲତବି ହୋଇଥିଲା ବିଧାନସଭା। ଅନ୍ୟପଟେ ତାରା କହିଛନ୍ତି ଗଣତନ୍ତ୍ରର ହତ୍ୟା ହୋଇଛି। ଯେପର୍ଯ୍ୟନ୍ତ ନାରୀ ସୁରକ୍ଷା ପାଇଁ ଗୃହ କମିଟି ଗଠନ ନହୋଇଛି, ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ରାତି ସାରା ଧାରଣାରେ ବସିବେ ବୋଲି କହିଛନ୍ତି ତାରା ବାହିନୀପତି। ୱେଲରେ ଶୋଇବୁ, ଜବରଦସ୍ତ ଉଠାଇଲେ ପରେ ଦେଖାଯିବ ବୋଲି କହିଛି କଂଗ୍ରେସ।
ହତ୍ୟା ମାମଲା ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ବର: ହତ୍ଯା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । ତଥ୍ଯ ପ୍ରମାଣ ସହ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଭୁବନେଶ୍ବର ଏଡିଜେ କୋର୍ଟ ୨ ଏହି ରାୟ ଶୁଣାଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ଅଦାଲତ ।
୨୦୧୭ ମାର୍ଚ୍ଚ ୨ ତାରିଖ ରାତିରେ ଖୋର୍ଦ୍ଧା ଷଣ୍ଢପୁର ଅଞ୍ଚଳରେ ଅନୁପ ବେହେରାଙ୍କୁ ହତ୍ୟା କରାଯାଇଥିଲା । ଦୋକାନରେ ଶୋଇବା ପାଇଁ ଯାଉଥିବା ବେଳେ ହାଲୁ ବେହେରା, କାହ୍ନା ଓରଫ ମୃଣାଲ ବେହେରା, ଗୋପିଆ ଓରଫ ଗୋପିନାଥ ବେହେରା ଏବଂ ନାଲୁ ବେହେରା ସଂଘବଦ୍ଧ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ ।
ଲୁହାରଡ, ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୪ ଦୋଷୀ । ଗୁରୁତର ଅବସ୍ଥାରେ ଅନୂପଙ୍କୁ ପରିବାର ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷାଣ କରିଥିଲେ। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଦାନ୍ତେଓ୍ବାଡ଼ାରେ ଏନକାଉଣ୍ଟର, ୫ ନକ୍ସଲ ମୃତ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ପୁଣି ଏକ ଏନକାଉଣ୍ଟର । ନିରାପତ୍ତା ବାହିନୀ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ । ଦାନ୍ତେୱାଡା-ବିଜାପୁର ସୀମାରେ ହୋଇଥିବା ଏନକାଉଣ୍ଟରରେ ଲାଲଦୁର୍ଗ ପ୍ରତି ବଡ଼ ଧରଣର ଧକ୍କା ସୃଷ୍ଟି ହୋଇଛି ।
ନକ୍ସଲ ବିରୋଧୀ ଅପରେସନ ବେଳେ ଉଭୟ ପକ୍ଷ ମଧ୍ଯରେ ଗୁଳି ବିନିମୟ ଜାରି ରହିଥିଲା । ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଅପରସେନ । ୫ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତର ଜବତ ହୋଇଛି । ଗତ ମାର୍ଚ୍ଚ ୨୦ରେ ବିଜାପୁରରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ୩୦ ନକ୍ସଲ ନିହତ ହୋଇଥିଲେ । ଘଟଣାରେ ଜଣେ ଡିଷ୍ଟ୍ରିକ୍ଟ ରିଜର୍ଭ ଯବାନ ସହିଦ ହୋଇଥିଲେ
ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଛି ନକଲି ପୋଲିସ, ନନ୍ଦିଘୋଷ ଟିଭି ହାତରେ ଠକର ଫଟୋ
ଭଦ୍ରକ: ଚାକିରି ନକଲି, ହେଲେ ଠାଣି ପୂରା ପୋଲିସ ବାବୁଙ୍କ ପରି । ନିଜକୁ ପୋଲିସ ବିଭାଗର ବଡ଼ ବାବୁ ଦର୍ଶାଇ ଲୋକଙ୍କୁ ଠକୁଥିବା ଏମିତି ଜଣେ ଠକର ଫଟୋ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଠକ ବାବୁ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତି । ପୋଲିସ ବୋଲି ପରିଚୟ ଦେବାର ଫଟୋ ଓ କିଛଇ ଦସ୍ତାବିଜ ଏବେ ଭାଇରାଲ ହେବାରେ ଲାଗିଛି ।
ଗୃହ ବିଭାଗର ଏକ ପ୍ରମୋସନ ଲେଟର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ମାନସ ରଞ୍ଜନ ସେନାପତିଙ୍କର କୁଆଡ଼େ ଡେପୁଟି ଏସପି ଭାବେ ପ୍ରମୋସନ ହୋଇଛି । ଏହି ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ ।
ଏହି ନୋଟିଫିକେସନର ସତ୍ୟତା ବର୍ତ୍ତମାନ ତଦନ୍ତ ସାପେକ୍ଷ । ସେପଟେ ଫେସବୁକ ଓ ଇନଷ୍ଟାଗ୍ରାମରେ ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି ଅଭିଯୁକ୍ତ । ଡିସିପି ଅଫିସ ସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ନକଲି ପୋଲିସ ଜଣଙ୍କ ନିଜକୁ ଅସଲି ବୋଲି ପ୍ରମାଣିତ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ ।
ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତିର ଲମ୍ବା ତାଲିକା ଦେଖାଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ
ଭୁବନେଶ୍ବର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ବଢ଼ି ଚାଲିଛି ନାରୀ ନିର୍ଯାତନା । ରାଜ୍ୟ ବିଜେପି ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଅପରାଧୀକ କାର୍ଯ୍ୟକଳାପ ଚରମସୀମାରେ ପହଞ୍ଚିଛି । ଏମିତି କିଛି ଅଭିଯୋଗ କରିବା ସହ ଅପରାଧ ଓ ନାରୀ ନିର୍ଯାତନାର ଲମ୍ବା ତାଲିକା ଦେଖାଇ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ୍ ।
କେନ୍ଦ୍ରାପଡ଼ା ଜିଲ୍ଲାରେ ନାବାଳିକାଙ୍କ ଆତ୍ମହତ୍ୟା । କୋରାପୁଟ ଲକ୍ଷ୍ମୀପୁରରେ ନାବାଳିକାଙ୍କୁ ଦୁଷ୍କର୍ମ । ମୟୂରଭଞ୍ଜରେ ଗଣଦୁଷ୍କର୍ମ । ମାଲକାନଗିରି ଚିତ୍ରକୋଣ୍ଡାରେ ନାବାଳିକାଙ୍କ ସନ୍ତାନ ପ୍ରସବ । ପୁରୀ ପିପିଲିରେ ବି ନାବାଳିକା ଗର୍ଭବତୀ । କେନ୍ଦୁଝରରେ ଘଟିଥିବା ହତ୍ୟାକାଣ୍ଡରେ ବିଜେପି ନେତାଙ୍କ ସମ୍ପୃକ୍ତି ରହିଛି । ରାଜ୍ୟରେ ୪୪ ହଜାର ମହିଳା ଓ ଶିଶୁ ନିଖୋଜ । ଗତ ୯ ମାସରେ ବିଜେପି ସରକାରରେ ରାଜ୍ୟର ସ୍ଥିତି ଅତି ସାଂଘାତିକ । ଆଇନଶୃଙ୍ଖଲା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏପରି ଅଭିଯୋଗର ଲମ୍ବା ତାଲିକା ଗଣାଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ।
ସେ କହିଛନ୍ତି, ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଦିବାସୀଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର । ହେଲେ ଅନ୍ୟାୟ ବିରୋଧରେ କଂଗ୍ରେସ ସଂଗ୍ରାମ ଜାରି ରଖିବ । ସେ ଦାବି କରି କହିଛନ୍ତି, ବିଧାନସଭାରେ ସର୍ବଦଳୀୟ ସମିତି ଗଢାଯାଉ । ମହିଳାଙ୍କ ଭବିଷ୍ୟତ ସୁରକ୍ଷା, ସ୍ୱାବଲମ୍ବୀ ପାଇଁ ପଦକ୍ଷେପ ନିଆଯାଉ । ସେହିପରି କଂଗ୍ରେସ ସହ ହାତାହାତି, ବିଧାୟକଙ୍କୁ ସସପେଣ୍ଡ କଲେ କଂଗ୍ରେସ ଚୁପ ରହିବନି ବୋଲି ଚେତାଇ ଦେଇଛନ୍ତି ସୁପ୍ରିୟା ।
ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ସର୍ଭେ ଆରମ୍ଭ
ରାଉରକେଲା: ରାଉରକେଲା ବିମାନବନ୍ଦରର ହେବ ସମ୍ପ୍ରସାରଣ ଓ ଉନ୍ନତିକରଣ । ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଛି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ୬ ଜଣିଆ ଟିମ ରାଉରକେଲା ବିମାନ ବନ୍ଦରରେ ପହଞ୍ଚି ସର୍ଭେ କରୁଛନ୍ତି ।
ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ରାଉରକେଲା ସହରବାସୀ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି । ରାଉରକେଲା ବିମାନ ବନ୍ଦରକୁ 4C ଲାଇସେନ୍ସ ପ୍ରଦାନ କରିବା ସହ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ, ନାଇଟ ଲାଣ୍ଡିଙ୍ଗ ସିଷ୍ଟମ କରିବା ପାଇଁ ଦାବି ହେଉଛି । ରାଉରକେଲା ସହରବାସୀଙ୍କ ବାରମ୍ବାର ଆନ୍ଦୋଳନ ଓ ଦାବି ପରେ ସର୍ଭେ କାମ ଆରମ୍ଭ ହୋଇଛି ।

