spot_img
Home Blog Page 891

ଶ୍ରୀମନ୍ଦିର ମେଘନାଦ ପାଚେରୀ ଐତିହ୍ୟ କୀର୍ତ୍ତି ଭାଙ୍ଗିବା ପ୍ରସଙ୍ଗକୁ ନେଇ ଏଏସଆଇର କଡ଼ା ଚେତାବନୀ

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ମେଘନାଦ ପାଚେରୀରେ ଥିବା ଐତିହ୍ୟ କୀର୍ତ୍ତିରାଜି ମଗର ମୁଣ୍ଡ ଭଙ୍ଗା ଯିବାକୁ ନେଇ ସୃଷ୍ଟି ହୋଇଛି ବିବାଦ । ପ୍ରାଚୀରର ବହୁ ପୁରାତନ କୀର୍ତ୍ତିରାଜିକୁ ଭାଙ୍ଗି ସେଠାରେ ଏକ ବଡ଼ ପାଇପ ସଂଯୋଗ କରାଯାଇଥିବା ଘଟଣାରୁ ନେଇ ସେବାୟତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଘଟଣାକୁ ନେଇ ବର୍ଷିଛି ଏଏସଆଇ । ଏହା ବହୁତ ବଡ଼ ଭୁଲ ଓ ଏହାଦ୍ବାରା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇପାରେ । ତେଣୁ ଯିଏ ଏହା କରିଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ।

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀର ରହିଥିବା ଏକ ମଗର ମୁଖକୁ ଭଙ୍ଗାଯାଇଥିବା ନଜରକୁ ଆସିଛି l ଏହି ମଗର ମୁଖ ଦେଇ ପୂର୍ବରୁ ଶ୍ରୀମନ୍ଦିର ଭିତରୁ ବର୍ଯ୍ୟ ଜଳ ନିଷ୍କାସନ ହେଉଥିଲା । ହେଲେ ଏହାକୁ ଭାଙ୍ଗି ଏଠାରେ ପାଇପ ସଂଯୋଗ କରାଯାଇଛି । ଯାହାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ଘଟଣାକୁ ସହଜରେ ହଜମ କରି ପାରୁ ନାହାନ୍ତି ବୁଦ୍ଧିଜୀବୀ ।

ସେପଟେ ଘଟଣାକୁ ନେଇ ବର୍ଷିଛି ଏଏସଆଇ । ଏହା ବହୁତ ବଡ଼ ଭୁଲ ଓ ଯିଏ ଏହା କରିଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ASI ସୁପରିଣ୍ଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ । ଏହା ଭାଙ୍ଗିବା ପୂର୍ବରୁ ଏଏସଆଇକୁ ଜଣାଯାଇ ନାହିଁ କିମ୍ୱା ଖବର ମଧ୍ୟ ଦିଆଯାଇ ନାହିଁ । ସାଇଟ ଇନଚାର୍ଜ ଏସବୁ ଦେଖିବା ପରେ ଅବଗତ କରାଇଛନ୍ତି ଓ ଭାଙ୍ଗିବାର ଫଟୋ ଦେଇଛନ୍ତି । ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ମନ୍ଦିରର କେଉଁଠି ପାଇପ ଲାଇନ ନେଲେଣି ତ କେଉଁଠି ଘର କରିଦେଲେଣି । ଷ୍ଟ୍ରକ୍ଚରକୁ ବାଧା ଦେବା କଥା ନୁହେଁ । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ।

ଶ୍ରୀମନ୍ଦିର ଭିତରରେ ଥିବା ବର୍ଜ୍ୟ ଜଳ ନିଷ୍କାସନ ସୁଧାରିବା ଲକ୍ଷ୍ୟରେ କୀର୍ତ୍ତିରାଜି ନଷ୍ଟ କରିବା ଦ୍ବାରା ମନ୍ଦିର ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି ।

ନାହିଁ ନାହିଁରେ ଚାଲିଛି କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟଟନ ବିଭାଗ: ଭୂତକୋଠି ପାଲଟିଛି ୩ଟି କାର୍ଯ୍ୟାଳୟ

କେନ୍ଦ୍ରାପଡ଼ା: ନାହିଁ ନାହିଁରେ ଚାଲିଛି କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟଟନ ବିଭାଗ । ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଭୂତକୋଠି ପାଲଟିଛି ପର୍ଯ୍ୟଟନ ବିଭାଗର ୩ଟି କାର୍ଯ୍ୟାଳୟ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଉଭୟ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା କଥା ବୁଝୁଥିବାରୁ ଏପରି ସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡାରେ ସ୍ଥାଣୁ ପାଲଟିଛି ଜିଲ୍ଲା ପର୍ଯ୍ୟଟନ ବିଭାଗ । ସ୍ଥିତି ଏଭଳି ହୋଇଛି କି ଗୋପଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟର ତଦାରଖ କରୁଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିଭିନ୍ନ ସମୟରେ ଅଫିସ ଫାଙ୍କା ପଡୁଥିବାରୁ ସେଠାରେ ଅନ୍ୟ କିଛି ବିଭାଗର କାର୍ଯ୍ୟାଳୟ ଖୋଲି ଦିଆଗଲାଣି । ସେହିଭଳି ଶ୍ୟାମସୁନ୍ଦରପୁରଠାରେ ନିର୍ମାଣ ହୋଇଥିବା କୋଠାର ରକ୍ଷଣାବେକ୍ଷଣ ଅଭାବରୁ ତାହା ଭୂତକୋଠି ପାଲଟିଛି । ନୂଆ ବସଷ୍ଟାଣ୍ଡଠାରେ ଥିବା ଘର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତାବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସଦର ମହକୁମାରେ ୨ଟି ପାନ୍ଥ ନିବାସ ମଧ୍ୟ ନିର୍ମାଣ କରାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ୟାମଗୁଡିଆଠାରେ ରହିଛି । ଯାହାର ଚତୁପାର୍ଶ୍ଵରେ ପାଣି ଜମି ରହିଥିବା ବେଳେ କୋଠାଟି ଗଛଲତାରେ ଲୁଚି ଗଲାଣି । ସେହିପରି ଅନ୍ୟ ଏକ ଅତିଥି ଭବନ ପୌରାଞ୍ଚଳ ଅନ୍ତର୍ଗତ ଚାଟରାପାଟଣାରେ ରହିଛି । ନିର୍ମାଣ ହେଲା ପରଠାରୁ କୋଠାଟିରେ ତାଲା ପଡିଛି । ଏମିତି ସ୍ଥିତିରେ ଜିଲ୍ଲା ପର୍ଯ୍ୟଟନ ବିଭାଗର ଦୁରାବସ୍ଥା ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ମୃତ ସ୍ବାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କରି ମହିଳା ପୁଣି ପିନ୍ଧିଲେ ଶଙ୍ଖା, ସିନ୍ଦୁର

ରାୟଗଡା: ମୁନିଗୁଡା ସଦରରେ ଦେଖିବାକୁ ମିଳିଛି ଜଣେ ସ୍ତ୍ରୀଙ୍କ ସ୍ୱାମୀ ପ୍ରତି ଥିବା ଅନାବିଳ ଶାଶ୍ଵତ ଓ ଚିରନ୍ତନ ପ୍ରେମର ଉଦାହରଣ । କୋଲକାତାରେ ମୃତ ସ୍ବାମୀଙ୍କ ସିଲିକନ୍ ପ୍ରତିମୂର୍ତ୍ତି ତିଆରି କରି ନିଜ ଘରେ କଲେ ସ୍ଥାପନା । ପୁନର୍ବାର ହିନ୍ଦୁ ରୀତିନୀତି ଅନୁଯାୟୀ ପିନ୍ଧିଲେ ଶଙ୍ଖା ସିନ୍ଦୁର ।

୨୦୦୧ରେ କୋଲକାତାରେ ସାଗରୀକା ରାୟ ଓ ସମୀର ରାୟଙ୍କ ବୈଦିକ ରୀତିନୀତି ଅନୁଯାୟୀ  ବାହାଘର ହୋଇଥିଲା । ଦୀର୍ଘ ୨୨ ବର୍ଷ ପରେ ବି ସ୍ବାମୀ ସ୍ତ୍ରୀଙ୍କ ପ୍ରେମ ଟିକେ ବି ମଳିନ ପଡ଼ି ନଥିଲା।  ପରିବାରର  ଦୁଇ ପିଲାଙ୍କ ଦାୟିତ୍ୱ ସହ ଖୁସିରେ ସଂସାର ରଥ ଗଡି ଚଳିଥିଲା । ଗତ ଦୁଇ ବର୍ଷ ହେବ ଏକ ସାଧାରଣ ରୋଗରେ ପଡି ସ୍ୱାମୀ ସମୀର ରାୟଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଭାଙ୍ଗି ପଡିଥିଲେ ସାଗରୀକା । ସ୍ବାମୀଙ୍କ ମୃତ୍ୟୁକୁ ସେ ଗ୍ରହଣ କରିପାରି ନଥିଲେ । ହେଲେ ଜଣେ ପୁଅ ଆଉ ଜଣେ ଝିଅ ର ମାଆ ହିସାବରେ ତାଙ୍କ ଉପରେ ଥିଲା ଅନେକ ଦାୟିତ୍ୱର ବୋଝ । ହାତରୁ ଭାଙ୍ଗିଯାଇଥିବା ଶଙ୍ଖା ଓ ସିନ୍ଦୁର ଧାରଣ କରି ଜଣେ ସଧବା ମାତୃଶକ୍ତି ବନିଥିଲେ ସାଗରିକା । କଲିକତାରେ ସ୍ବାମୀଙ୍କ ସିଲିକନ୍ ପ୍ରତିମୂର୍ତ୍ତି ତିଆରି କରି ମୁନିଗୁଡା ବାସଭବନରେ ସ୍ଥାପନା କରି, ପୁରୋହିତଙ୍କ ଉପସ୍ଥିତିରେ ହୋମ ଯଜ୍ଞ ସହ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରି ପୁନର୍ବାର ହିନ୍ଦୁ ରୀତିନୀତି ଅନୁଯାୟୀ ଶଙ୍ଖା ସିନ୍ଦୁର ଧାରଣ କରିଛନ୍ତି ।

ପିଲାମାନେ ବି ବାପାଙ୍କ ମୂର୍ତ୍ତି ଉପସ୍ଥିତିରେ ବେଶ ଖୁସି । ସତାଜନ୍ମର ସାଥିଙ୍କୁ ଗୋଟେ ଜନ୍ମରୁ ଅଧାରୁ ଛାଡନ୍ତେ ବା କେମିତି ସ୍ତ୍ରୀ ଜଣଙ୍କ । ଏହା ବୋଧେ ସ୍ବାମୀ ସ୍ତ୍ରୀଙ୍କର ପ୍ରକୃତ ଶାଶ୍ଵତ ଚିରନ୍ତନ ସମ୍ପର୍କ ।

ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ଡୋକ୍ରା କାରିଗରଙ୍କ ପରିବାର

ଢେଙ୍କାନାଳ: କାରିଗରଙ୍କ ଚିତ୍ରରେ ବଦଳୁଛି ଶୈଳୀ, କିନ୍ତୁ ବଦଳୁନାହିଁ କାରିଗରଙ୍କ ସ୍ଥିତି । ଢେଙ୍କାନାଳକୁ ସାରା ଦେଶ ବିଦେଶରେ ଗର୍ବିତ କରିଥିବା ଡୋକ୍ରା ଶିଳ୍ପ ଆଗକୁ ଯାଉଛି । ହେଲେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି କାରିଗର । ଏବେବି ଜରିପକା ଚାଳ ଘର ତଳେ ନିଜର କୂଳ ବବ୍ୟବସାୟକୁ ବଞ୍ଚାଇ ରଖିବା ପାଇଁ କରୁଛନ୍ତି ସଂଘର୍ଷ ।

ଚାରିଆଡେ କେବଳ ଜରିପକା ଚାଳ ଛପର ଘର । ଏ କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ । ଏ ହେଉଛି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସପ୍ତଶଯ୍ୟା ପାଦ ଦେଶରେ ଥିବା ଡୋକ୍ରା କାରିଗରଙ୍କ ଗାଁ ନୂଆଗାଁ । ଏଠାରେ ପାଖାପାଖି ୧୦୦ରୁ ଅଧିକ ଡୋକ୍ରା ପରିବାର ରହୁଛନ୍ତି । ହେଲେ ଆବାସ ଯୋଜନାରେ ଘର ଖଣ୍ଡେ ନଥିବାରୁ ଜରି ପକା ଘର ତଳେ ଅତ୍ୟନ୍ତ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । କେତେବେଳେ ଭାଟିରେ ପାଣି ପଶି ଯାଉଛି ତ କେତେବେଳେ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡ଼ୁଛି । ଆଉ ସନ୍ଧ୍ୟା ହେଲେ ଘାରୁଛି ହାତୀ ସାଙ୍ଗକୁ ସାପ ଭୟ । ଖରା ଦିନେ ପାଣି ସମସ୍ୟା କହିଲେ ନସରେ । ଆଉ ଏହାରି ଭିତରେ ନିଜର କୂଳ ବ୍ୟବସାୟକୁ ବଞ୍ଚାଇ ରଖିବା ପାଇଁ ପ୍ରକୃତି ସହ ସଂଘର୍ଷ କରୁଛନ୍ତି ଏହି କାରିଗର ପରିବାର ।

ଦିନ ବଦଳିବା ସହିତ ଡୋକ୍ରା କାରିଗରଙ୍କ କାରିଗରୀ ଶୈଳୀ ବଦଳିଛି । ପୂର୍ବ ସରକାରଙ୍କ ସମୟରେ ନୂତନ ଡିଜାଇନ୍ ପ୍ରସ୍ତୁତ ପାଇଁ କାରିଗରମାନଙ୍କୁ ଟ୍ରେନିଂ ଦିଆ ଯାଇଥିଲା । ଯାହା ଫଳରେ କାରିଗର ଏବେ ନୂତନ ଡିଜାଇନ୍ ଓ ଗ୍ରାହକଙ୍କ ଚାହିଦା ଅନୁଯାୟୀ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଯାହାର ବଜାରରେ ଭଲ ଚାହିଦା ଥିବା ବେଳେ ବେଶ ଦୁଇ ପଇସା କମାଉଛନ୍ତି କାରିଗର । ଏହାସହ ପୂର୍ବ ସରକାର ଜାଗା ଦେବା ସହ ପଟ୍ଟା ଦେଇଛନ୍ତି । ଏବେ ରହିବା ପାଇଁ ନୂଆ ସରକାର ଘର ଖଣ୍ଡେ ଯୋଗାଇଦେଲେ ଏହି ଶିଳ୍ପକୁ ଆହୁରି ସୁନ୍ଦର ଭାବରେ ସାରା ବିଶ୍ଵରେ ପହଞ୍ଚା ଯାଇପାରିବ ବୋଲି କହିଛନ୍ତି ଶିଳ୍ପୀ ।

ହଷ୍ଟେଲରେ ମଦ ପିଇବା କଥା ହେଡ ସାରଙ୍କୁ କହି ଦେବାରୁ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କୁ ୯ମ ଶ୍ରେଣୀ ଛାତ୍ରଙ୍କ ରାଗିଂ

ଉଦଳା: ସ୍କୁଲ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ର ପିଉଥିଲେ ମଦ । ଷଷ୍ଠ ଶ୍ରେଣୀର ଜଣେ ଛାତ୍ର ଏହା ଦେଖି ପ୍ରଧାନ ଶିକ୍ଷକଙ୍କୁ କହିବାରୁ ହୋଇଛନ୍ତି ରାଗିଂର ଶିକାର । ମଦ ପିଉଥିବା ଛାତ୍ରମାନେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଲୁହା ରଡ଼, ବେଲ୍ଟରେ ନିର୍ମାମ ଭାବେ ମାଡ଼ ମାରିବା ସହ ହାତ କାଟି ଦେଇଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ବାସିପିଠା ଏସଏସଡି ହାଇସ୍କୁଲ ହଷ୍ଟେଲରୁ ।

ଅଭିଯୋଗ ଅନୁସାରେ, ନବମ ଶ୍ରେଣୀ ଛାତ୍ରମାନେ ଲୁହା ରଡ଼ରେ ମାଡ଼ ମାରି ହାତରେ ଲୁହା ରଡ଼ ଭର୍ତ୍ତି କରି ଦେଇଥିଲେ । ବିଧା, ଗୋଇଠା ମାରିବା ସହିତ ବ୍ଲେଡରେ ହାତ କାଟିଥିଲେ । ଏପରିକି କଟା ଯାଇଥିବା ସ୍ଥାନରେ ଲୁଣ ମାରିଥିଲେ । ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଯାହାକୁ ନେଇ ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଏ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଡରିଗଲେ ସରକାର, ୩ ଦିନ ଆଗରୁ ବନ୍ଦ କରି ଦେଲେ ବିଧାନସଭା: କଂଗ୍ରେସ

ଭୁବନେଶ୍ବର: ତିନି ଦିନ ଆଗରୁ ବିଧାନସଭା ବନ୍ଦ କରାଯିବାକୁ ନେଇ ରାଜ୍ୟ ସରକାରଙ୍କ ଊପରେ ବର୍ଷିଲା କଂଗ୍ରେସ । କହିଲା, ୯ ମାସର ବିଜେପି ସରକାର ସମୟରେ ନାରୀ ନିର୍ଯାତନା ବଢିଛି । ନାବାଳିକା ଗର୍ଭବତୀ ହୋଇଛନ୍ତି । କଂଗ୍ରେସ ହାଉସ କମିଟି ଦାବି କରିବାକୁ ଦଳର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କଲେ । ସରକାର ଆଲୋଚନା କଲେ ନାହିଁ, କି ମୁଖ୍ୟମନ୍ତ୍ରୀ ଶୁଣିଲେ ନାହିଁ । ପବିତ୍ର ଗୃହରେ ବିଜେପି ବିଧାୟକ ଓ ସଂସଦୀୟ ମନ୍ତ୍ରୀ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ । ସମସ୍ତ ବିଧାୟକଙ୍କୁ ନିଲମ୍ବନ କରି କଳା ଅଧାୟ ସୃଷ୍ଟି କଲେ । ସରକାର କଂଗ୍ରେସକୁ ଡରି ୩ ଦିନ ପୂର୍ବରୁ ବିଧାନସଭା ବନ୍ଦ କରିଦେଲେ ।

ପୋଲିସ ଲଗାଇ କଂଗ୍ରେସ ବିଧାୟକଙ୍କୁ ମାଡ ମାରିବା ସହ ଅସମ୍ମାନ କଲେ । ସରକାର ପଳାୟନ ପନ୍ଥୀ ନୀତି ଆପଣାଇଲେ l ହେଲେ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ପ୍ରେସମିଟ କରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।

ସେପଟେ ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାରା କହିଛନ୍ତି, ଆମେ ଚୁପ ବସିବୁନି । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କଂଗ୍ରେସ ସଦସ୍ୟଙ୍କୁ ଗୃହରେ ପ୍ରଶ୍ନ କରିବାକୁ ଦେଲେ ନାହିଁ । କଂଗ୍ରେସ ପୋଲିସ ସହ ନୁହେଁ, ସରକାର ବିରୋଧରେ ଲଢ଼େଇ କରିବ । ପୋଲିସ ଆକ୍ରୋଶମୂଳକ କାର୍ଯାନୁଷ୍ଠାନ ନେଲେ ଦଳ ଚୁପ୍ ବସିବନି ।

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ସରକାର ନାରୀଙ୍କୁ ନ୍ୟାୟ ଦେବା ତ ଦୂରର କଥା ଗୋଟେ ହାଉସ କମିଟି ଗଠନ କରିପାରିଲେନି । ନାରୀ ସୁରକ୍ଷା ପାଇଁ ୫ ଜଣିଆ ମନ୍ତ୍ରୀ ଟିମ୍ ଗଠନ କରିପାରିଥାନ୍ତେ । ହେଲେ ସରକାର ତାହା କଲେ ନାହିଁ । ରାଜ୍ୟରେ କେତେ ନାବାଳିକା ଗର୍ଭବତୀ ହୋଇଛନ୍ତି କଂଗ୍ରେସ ସେହି ଗୋଟିଏ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛି । ରାଜ୍ୟରେ କାହିଁକି ଛୋଟ ଛୋଟ ଝିଅଙ୍କୁ ସୁରକ୍ଷା ଦିଆଯାଇ ପାରୁନି ବୋଲି ଉଦବେଗର ସହ ପ୍ରଶ୍ନ କରିଛନ୍ତି ଭକ୍ତ ।

ସୁଭଦ୍ରା ନାଁରେ ଭେଳିକି ଚାଲିଛି । ଏହି ଯୋଜନାରେ ରାଜ୍ୟ ସରକାର ଯେତେ ଟଙ୍କା ଦେଉଛନ୍ତି ଗୋଟେ ଦିନର ମିଲ ହୋଇପାରିବନି । ରାଜ୍ୟରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ କଂଗ୍ରେସ ଲଢ଼ିଛି । ଭୋଟ ସମୟରେ ମହିଳା କଥା କହି କ୍ଷମତାକୁ ଆସିଛି ବିଜେପି । ରାଜ୍ୟକୁ ଆଉ ବିଜେପି କଳଙ୍କିତ ନକରୁ ବୋଲି ପରାମର୍ଶ ଦେଇଛନ୍ତି ଭକ୍ତ । ୧୫ ତାରିଖରେ କଂଗ୍ରେସ ସବୁ ବ୍ଲକରେ ମଶାଲ ପ୍ରଦର୍ଶନ କରିବ । କଂଗ୍ରେସର ବରିଷ୍ଠ ନେତା ଜିଲ୍ଲା ଗସ୍ତ କରିବେ । ପର୍ଯ୍ୟବେକ୍ଷକମାନେ ୫ ଦିନ ଜିଲ୍ଲାରେ ରହି ୨୧ ତାରିଖ ଦିନ ସମସ୍ତ ଜିଲ୍ଲାରେ ବିଶାଳ ଶୋଭାଯାତ୍ରା କରିବେ । ବିଜେପି ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ମହିଳା ଝାଡୁ ଧରିବେ । ମହିଳାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉନାହାନ୍ତି । ମନ୍ତ୍ରୀ କି ବିଧାୟକ ରାଜ୍ୟରେ ଯେଉଁଠି ସଭା ସମିତି କରିବେ ସେଠି ଝାଡୁ ଧରି ପ୍ରତିବାଦ କରିବାକୁ ଭକ୍ତ ଆହ୍ବାନ ଦେଇଛନ୍ତି । ଝାଡୁ ଦ୍ଵାରା ବିଜେପି ନେତାଙ୍କୁ କ୍ଲିନ୍ କରନ୍ତୁ । ତା’ପରେ ସେମାନେ ସଭା କରନ୍ତୁ । ଏହାସହ ହାତ ଯୋଡ଼ି ପିସିସି ସଭାପତି ଓଡ଼ିଶାର ମହିଳାମାନଙ୍କୁ ନିବେଦନ କରି କହିଛନ୍ତି, ନିଖୋଜ ମହିଳାଙ୍କୁ କ୍ୟାଣ୍ଡେଲ ଧରି ଖୋଜନ୍ତୁ । ସବୁ ଜିଲ୍ଲାରେ ମହିଳା ସୁରକ୍ଷା ପାଇଁ ପଦଯାତ୍ରା କରିବ କଂଗ୍ରେସ । ଜିଲ୍ଲା କଂଗ୍ରେସ କର୍ମୀ ସମ୍ମିଳନୀ ହେବ । ଏ ସବୁ ପରେ ଖସଡ଼ା ପ୍ରସ୍ତୁତ କରିବ କଂଗ୍ରେସ । ତା’ପରେ ଜିଲ୍ଲା କମିଟି ଗଠନ କରାଯିବ ବୋଲି ଭକ୍ତ କହିଛନ୍ତି ।

ସେପଟେ ଜାତୀୟ ଶିକ୍ଷା ନୀତିକୁ ନେଇ ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପି ନେତାମାନେ ଯେଉଁ ଅସଭ୍ୟ ଭାଷା କହୁଛନ୍ତି ଭକ୍ତ ଦାସ ତାର ବିରୋଧ କରିଛନ୍ତି । ତେବେ ସୋନିଆ ଗାନ୍ଧୀଙ୍କୁ ଯିଏ ଅସଭ୍ୟ ଭାଷା କହିବେ ଓ ଅସମ୍ମାନ କରିବେ ତାଙ୍କୁ ଓଡ଼ିଶାରେ ବିରୋଧ କରାଯିବ ବୋଲି କହିଛନ୍ତି ଭକ୍ତ ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପରିତ୍ରାଣ ସାକ୍ଷ୍ୟ ପାଇଁ କୋର୍ଟରେ ପୁଞ୍ଜିଲାଲ

ପାଟଣାଗଡ଼: ବଲାଙ୍ଗୀରର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା।  ପରିତ୍ରାଣ ସାକ୍ଷ୍ୟ ପ୍ରଦାନ ପାଇଁ ପାଟଣାଗଡ଼ କୋର୍ଟରେ ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ମାମାଲା ସାକ୍ଷ୍ୟ ଶେଷ ହୋଇଥିବା ବେଳେ ନିଜ ପକ୍ଷରୁ ପରିତ୍ରାଣ ସାକ୍ଷ୍ୟ ଦେବା ପାଇଁ କୋର୍ଟକୁ ନିବେଦନ କରିଥିଲେ ପୁଞ୍ଜିଲାଲ । ଏନେଇ ଆଜି ସାକ୍ଷ୍ୟ ପ୍ରଦାନ ପାଇଁ ପୁଞ୍ଜିଲାଲଙ୍କୁ ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାଟଣାଗଡ଼ କୋର୍ଟକୁ କଡା ସୁରକ୍ଷା ମଧ୍ୟରେ ନିଆଯାଇଛି । ପରିତ୍ରାଣ ସାକ୍ଷ୍ୟ ପରେ ମାମାଲାର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ମାମଲାରେ ମୋଟ ୬୩ ଜଣଙ୍କ ସାକ୍ଷଗ୍ରହଣ ଶେଷ ହୋଇଛି । ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲା । ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲକୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଭାବେ ରହିଛି ।

୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ପ୍ରସଙ୍ଗ; କୋଲକାତା ହାଇକୋର୍ଟଙ୍କ ରାୟ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୫ ହଜାର ୭୫୩ ଶିକ୍ଷକ ଅଣଶିକ୍ଷକ ହରାଇବେ ଚାକିରି । ଏମାନଙ୍କ ନିଯୁକ୍ତି ରଦ୍ଦ ନେଇ କୋଲକାତା ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ପକ୍ଷରୁ ନିଯୁକ୍ତ ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲେ ହାଇକୋର୍ଟ । ଚାକିରି ଲାଗି ଟଙ୍କା କାରବାର ନେଇ ଅଭିଯୋଗ ହେବା ପରେ ମାମଲା ଯାଇଥିଲା ହାଇକୋର୍ଟ ।

ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଚୟନ ପ୍ରକ୍ରିୟାରେ ଅସାଧୁ ପ୍ରକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଟଙ୍କା ଦେଇ ଆଶାୟୀ ଚାକିରି ପାଇଥିବା ହୃଦବୋଧ କରିବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେବେ ସେତେବେଳେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ବର୍ତ୍ତମାନ ସୁଦ୍ଧା ଦରମା ବାବଦରେ ପାଇଥିବା ଅର୍ଥ ଫେରସ୍ତ କରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

୨୦୧୬ରେ ପଶ୍ଚିମବଙ୍ଗରେ ପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବେଆଇନ ଚୟନ ନେଇ ଅଭିଯୋଗ ହୋଇଥିଲା । ରାଙ୍କ ସ୍ତରରେ ଓ ଓଏମଆର ସିଟରେ ବ୍ୟାପକ ଜାଲିଆତି ହୋଇଥିବାରୁ ୨୫ ହଜାର ୭୫୩ ପ୍ରାର୍ଥୀଙ୍କ ଚୟନକୁ ରଦ୍ଦ କରିଥିଲେ ହାଇକୋର୍ଟ । ଗତବର୍ଷ ମେ’ ୭ରେ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ । ଏହାସହ ମାମଲାର ତଦନ୍ତ ସିବିଆଇ କରିବ ବୋଲି ଗ୍ରୀନ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ସମେତ ୧୨୬ଟି ଆବେଦନ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ।

ଓ୍ବାକଫ ବୋର୍ଡର ଜମି ବିକ୍ରି ହୋଇପାରିବ କି, ଏହି ସମ୍ପତ୍ତିକୁ କେଉଁଠାରେ ବ୍ୟବହାର କରାଯାଏ?

ନୂଆଦିଲ୍ଲୀ: ଓ୍ବାକଫ ସଂଶୋଧନ ବିଲ ଲୋକସଭାରେ ପାସ ହେବା ପରେ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସେଥିମଧ୍ୟରୁ ଗୋଟିଏ ବଡ଼ ପ୍ରଶ୍ନ ହେଉଛି, ଓ୍ବାକଫ ବୋର୍ଡର ଜମି କ’ଣ ବିକ୍ରି ହୋଇପାରିବ, ଏହାର ବ୍ୟବହାର କେଉଁଠାରେ ହୋଇଥାଏ? କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଏହି ବିଲକୁ ଲୋକସଭାରେ ଆଗତ କରିବା ପରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଚର୍ଚ୍ଚା ପରେ ରାତି ୨ଟାରେ ଏହା ପାସ୍ ହୋଇଥିଲା । ବିଲର ସପକ୍ଷରେ ୨୮୮ଟି ଓ ବିପକ୍ଷରେ ୨୩୨ଟି ଭୋଟ ପଡ଼ିଥିଲା । ଶାସକ ପକ୍ଷର ସାଂସଦମାନେ ଏହାକୁ ସମର୍ଥନ କରିଥିବା ବେଳେ ବିରୋଧୀ ସାଂସଦମାନେ ଏହି ସଂଶୋଧନକୁ କଡ଼ା ବିରୋଧ କରିଥିଲେ । AIMIM ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ନିଜର ମତ ରଖିବାକୁ ଯାଇ ବିଲକୁ ଚିରି ଦେଇଥିଲେ ।

ଓ୍ବାକଫର ସିଧା ଅର୍ଥ ହେଉଛି, ଓଲ୍ଲାହଙ୍କ ନାମରେ ଦାନ କରାଯାଇଥିବା କୌଣସି ସମ୍ପତ୍ତି ବା ବସ୍ତୁ, ଯାହାକୁ କେବଳ ପରୋପକାର ଉଦ୍ଦେଶ୍ୟରେ ଦାନ କରାଯାଏ । କୌଣସି ମୁସଲମାନ ନିଜର ଚଳନ୍ତି ବା ଅଚଳନ୍ତି ସମ୍ପତ୍ତିକୁ ଓ୍ବାକଫ ନାମରେ ଦାନ କରିପାରିବେ । ଯଦି ଥରେ କୌଣସି ସମ୍ପତ୍ତି ବା ଜମି ଓ୍ବାକଫ ନାମରେ କରାଯାଏ, ତେବେ ଉକ୍ତ ସମ୍ପତ୍ତି ଉପରେ ଉକ୍ତ ବ୍ୟକ୍ତିଙ୍କ ମାଲିକାନା ସମାପ୍ତ ହୋଇଯାଏ । ତାହାକୁ ପୁନର୍ବାର ଅଣ ଓ୍ବାକଫ ସମ୍ପତ୍ତିରେ ରୂପାନ୍ତରିତ କରାଯାଇ ପାରିବ ନାହିଁ । ଓ୍ବାକଫର ସମ୍ପତ୍ତିର ଦେଖାଶୁଣା ପ୍ରତି ରାଜ୍ୟରେ ଥିବା ଏକ ଓ୍ବାକଫ ବୋର୍ଡ କରିଥାଏ ।

ଦେଶରେ ମୋଟ ୩୨ଟି ଓ୍ବାକଫ ବୋର୍ଡ ରହିଥିବା ବେଳେ ୟୁପି ଓ ବିହାରରେ ଦୁଇଟି ବୋର୍ଡ ରହିଛି । ଓ୍ବାକଫର କୌଣସି ସମ୍ପତ୍ତି ନା ବିକ୍ରି କରିହେବ ନା ଲିଜରେ ଦେଇହେବ । ଓ୍ବାକଫ ବୋର୍ଡର ଜମିକୁ ମସଜିଦ ତିଆରି କରିବା, ସମାଧି ସ୍ଥଳ ତିଆରି କରିବା, ହସ୍ପିଟାଲ ଖୋଲିବା, ଗରିବଙ୍କ ଆଶ୍ରୟ ଦେବା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଓ୍ବାକଫରେ ଲୋକମାନେ ନିଜର ଚଳ-ଅଚଳ କୌଣସି ସମ୍ପତ୍ତି ଯେପରିକି ପଡ଼ିଆ, ପୁସ୍ତକ, କ୍ଷେତ, ଲାଇବ୍ରେରୀ, ଘର, କୌଣସି ବ୍ୟବହାରଯୋଗ୍ୟ ଜିନିଷ ଦାନ କରିପାରିବେ ।

ସାରା ବିଶ୍ବରେ ଚାଲିଲା ଟ୍ରମ୍ପ ଟାରିଫରାଜ୍: ପ୍ରଭାବିତ ହେବେ ଭାରତ ସମେତ ଅନେକ ରାଷ୍ଟ୍ର

ସାରା ବିଶ୍ବରେ ଚାଲିଲା ଟ୍ରମ୍ପ ଟାରିଫରାଜ୍ । ଭାରତ ସମେତ ଅଧିକାଂଶ ରାଷ୍ଟ୍ର ଉପରେ ଟାରିଫ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଭାରତରୁ ଆମଦାନୀ ଉପରେ ୨୬ ପ୍ରତିଶତ ଟାରିଫ ଲାଗୁ ହୋଇଛି । ତେବେ ଆମେରିକା ଉପରେ ବିଭିନ୍ନ ରାଷ୍ଟ୍ର ଯେତିକି ଲେଭି ଲାଗୁ କରିଛନ୍ତି ଏହି ଟାରିଫ ତାହାର ଅଧା ବୋଲି କହିଛନ୍ତି ଟ୍ରମ୍ପ । ଆମେରିକାରୁ ଆମଦାନୀ ଉପରେ ଭାରତ ୫୨ ପ୍ରତିଶତ ଟାରିଫ ଲାଗୁ କରୁଥିବାବେଳେ ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଲାଗୁ କରିଥିବା କହିଛନ୍ତି । ଆସନ୍ତା ଏପ୍ରିଲ ୫ ରାତି ୧୨ଟା ୦୧ରୁ ବେସଲାଇନ ଟାରିଫ ଓ ଏପ୍ରିଲ ୯ ରାତି ୧୨ଟା ୦୧ରୁ ପରିବର୍ଦ୍ଧିତ ଟାରିଫ ନୀତି କାର୍ଯ୍ୟକାରୀ ହେବ ।

ଯେଉଁ ରାଷ୍ଟ୍ରଗୁଡିକ ଆମେରିକା ସହ ବାଣିଜ୍ୟରେ ଅଧିକ ନିଅଣ୍ଟିଆ ସ୍ଥିତିରେ ରହିଛନ୍ତି ସେହି ରାଷ୍ଟ୍ରଗୁଡିକ ଉପରେ କମ୍ ଟାରିଫ ଅର୍ଥାତ ୧୦ରୁ ୪୯ ପ୍ରତିଶତ ଯାଏ ଟାରିଫ ଲାଗୁ ହୋଇଛି । ଏହା ସହ ଆମେରିକାରେ ଆସେମ୍ବଲ ହେଉ ନଥିବା ଅଟୋମୋବାଇଲ କ୍ଷେତ୍ରରେ ୨୫ ପ୍ରତିଶତ ଟାରିଫ ଘୋଷଣା ହୋଇଛି । ଏହା ଏପ୍ରିଲ 3ରୁ ଲାଗୁ ହେବ । ଏହି ନିଷ୍ପତ୍ତି ଯୋଗୁ ଆମେରିକାରୁ ବିଦେଶକୁ ଯାଉଥିବା ଗାଡି ଦାମ ବଢିବ । ଆମେରିକାର ଅର୍ଥନୈତିକ ସ୍ବାଧୀନତା ଲାଗି ଏହି ସବୁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଟ୍ରମ୍ପ । ଦୀର୍ଘ ୫୦ ବର୍ଷ ଧରି ଆମେରିକୀୟ କରଦାତାମାନେ ପଡିଥିବା ସଙ୍କଟରୁ ମୁକ୍ତି ପାଇବେ ବୋଲି ସେ କହିଛନ୍ତି । ନୂଆ ନୀତି ଫଳରେ ଚୀନ ଉପରେ ୩୪ ,ୟୁରୋପୀୟ ୟୁନିଅନ ଉପରେ ୨୦, ଦକ୍ଷିଣ କୋରିଆ ଉପରେ ୨୫, ଜାପାନ ଉପରେ ୨୪ ଓ ତାଇଓ୍ବାନ ଉପରେ ୩୨ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହୋଇଛି ।.