spot_img
Home Blog Page 882

ଆଜି ପବିତ୍ର ରାମନବମୀ, ଉତ୍ସବମୁଖର ସାରା ଦେଶ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ରାମନବମୀ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ରାମନବମୀକୁ ଧୁମଧାମରେ ପାଳନ ପାଇଁ ସାରା ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟରେ ଆଜି ବିରାଟ ମହୋତ୍ସବର ଆୟୋଜନ ହେଉଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।ଏହା ସହିତ ଦିଲ୍ଲୀ, ହରିଦ୍ବାରା, ନାଗପୁର, ଅହମ୍ମଦାବାଦରେ ଥିବା ବିଭିନ୍ନ ରାମ ମନ୍ଦିରରେ ମଧ୍ୟ ଧୁମଧାମରେ ପାଳନ କରାଯାଉଛି ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ। ସେହିପରି ଓଡ଼ିଶାରେ ରାମନବମୀ ଧୁମଧାମରେ ପାଳନ କରାଯାଉଛି । ବିଶେଷକରି ଭୁବନେଶ୍ବର, ଭଦ୍ରକ, ସମ୍ବଲପୁର ଓ ନୟାଗଡ଼ରେ ରାମନବମୀ ପାଳନ ଉପରେ ରହିଛି ସମସ୍ତଙ୍କ ନଜର। ସମ୍ୱେଦନଶୀଳ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ରାମ ନବମୀ ପାଳନ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି।

ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍

ନନ୍ଦିଘୋଷ ବ୍ୟୁରୋ: ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍ ୨୦୨୫ । ଏହି ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି  । ରାଷ୍ଟ୍ରପତିଙ୍କ ଅନୁମୋଦନ ପୂର୍ବରୁ ୱାକଫ ବିଲ୍ ଉଭୟ ଗୃହରେ ଗୃହୀତ ହୋଇଥିଲା । ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି, ‘ସଂସଦ ଦ୍ୱାରା ଗୃହୀତ ୱାକଫ ସଂଶୋଧନ ଆଇନ ୫ ଏପ୍ରିଲ,୨୦୨୫ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଛି ଏବଂ ସାଧାରଣ ସୂଚନା ପାଇଁ ଏହା ପ୍ରକାଶିତ ହେଉଛି  ।

ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରବଳ ହଟ୍ଟଗୋଳ ପରେ ଶୁକ୍ରବାର ସକାଳେ ରାଜ୍ୟସଭାରେ ୱାକଫ୍ (ସଂଶୋଧନ) ବିଲ୍ ଗୃହୀତ ହୋଇଥିଲା। ରାଜ୍ୟସଭାରେ ପ୍ରାୟ ୧୪ ଘଣ୍ଟା ଧରି ବିଲ୍ ଉପରେ ଆଲୋଚନା ହୋଇଥିଲା ଏବଂ ସପକ୍ଷରେ ୧୨୮ ଏବଂ ବିପକ୍ଷରେ 95 ଭୋଟ ପଡ଼ିଥିଲା, ଯାହା ପରେ ଏହା ଗୃହୀତ ହୋଇଥିଲା। ପୂର୍ବରୁ, ଲୋକସଭା ପ୍ରାୟ 12 ଘଣ୍ଟାର ବିତର୍କ ପରେ ଏହାକୁ ଅନୁମୋଦନ କରିଥିଲା, ଯେଉଁଥିରେ 288 ଭୋଟ ସପକ୍ଷରେ ଏବଂ 232 ଭୋଟ ବିପକ୍ଷରେ ପଡ଼ିଥିଲା।

ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିଥିଲେ

ଉଭୟ ଗୃହରେ ବିଲ୍ ଉପରେ ଆଲୋଚନା ସମୟରେ, ବିରୋଧୀ ଦଳଗୁଡ଼ିକ ଦ୍ୱାରା କଡ଼ା ଆପତ୍ତି ଉଠିଥିଲା, ଯେଉଁମାନେ ବିଲ୍‌ଟିକୁ ମୁସଲିମ ବିରୋଧୀ ଏବଂ ଅସାମ୍ବିଧାନିକ ବୋଲି କହିଥିଲେ, ଯେତେବେଳେ ସରକାର ପ୍ରତିକ୍ରିୟା ଦେଇଥିଲେ ଯେ ଏହି ଐତିହାସିକ ସଂସ୍କାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଲାଭ ଦେବ। ୱାକଫ ସମ୍ପତ୍ତିର ପରିଚାଳନାରେ ସ୍ୱଚ୍ଛତା ସୁନିଶ୍ଚିତ କରାଯିବ।

ସୁପ୍ରିମକୋର୍ଟରେ ୪ଟି ଆବେଦନ ଦାଖଲ

ଶନିବାର ଦିନ, ଏହି ଆଇନର ବ୍ୟବସ୍ଥା କାର୍ଯ୍ୟକାରୀ କରିବା କିମ୍ବା କାର୍ଯ୍ୟକାରୀ କରିବା ଉପରେ ରୋକ ​​ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆଉ ଦୁଇଟି ଆବେଦନ ଦାଖଲ କରାଯାଇଥିଲା। ଗୋଟିଏ ଆବେଦନ ଦିଲ୍ଲୀର ଆମ ଆଦମୀ ପାର୍ଟିର ବିଧାୟକ ଏବଂ ୱାକଫରେ ଘୋଟାଲା ଏବଂ ଆତ୍ମସାତ ଅଭିଯୋଗରେ ଅଭିଯୁକ୍ତ ଅମାନତୁଲ୍ଲା ଖାନଙ୍କ ଦ୍ୱାରା ଦାଖଲ କରାଯାଇଛି, ଅନ୍ୟଟି ଆବେଦନ ଆସୋସିଏସନ ଫର୍ ଦି ପ୍ରୋଟେକ୍ସନ ଇନ୍ ଦି ମ୍ୟାଟର୍ସ ଅଫ୍ ସିଭିଲ ରାଇଟ୍ସ ନାମକ ଏକ ସଂଗଠନ ଦ୍ୱାରା ଦାଖଲ କରାଯାଇଛି । ଶୁକ୍ରବାର ପୂର୍ବରୁ କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ ଏବଂ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ଅଧ୍ୟକ୍ଷ ଅସଦୁଦ୍ଦିନ୍ ଓୱେସି ସୁପ୍ରିମକୋର୍ଟରେ ୱାକଫ୍ (ସଂଶୋଧନ) ବିଲ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି।

ଜାଭେଦଙ୍କ ଆବେଦନରେ ଅଭିଯୋଗ ଥିଲା ଯେ ଏହି ବିଲ୍ ୱାକଫ ସମ୍ପତ୍ତି ଏବଂ ସେଗୁଡ଼ିକର ପରିଚାଳନା ଉପରେ ମନଇଚ୍ଛା କଟକଣା ଲାଗୁ କରିଛି, ଯାହା ଦ୍ୱାରା ମୁସଲିମ ସମ୍ପ୍ରଦାୟର ଧାର୍ମିକ ସ୍ୱାୟତ୍ତତାକୁ କ୍ଷୁର୍ଣ୍ଣ କରୁଛି ।

 

ଅନୁଗୁଳରେ ପୋଲିସର ଏନକାଉଣ୍ଟର,କୁଖ୍ୟାତ ଅପରାଧି କ୍ଷୀରୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି

ଅନୁଗୁଳ: ଅନୁଗୁଳରେ ପୋଲିସର ଏନକାଉଣ୍ଟର।ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ଅପରାଧୀକୁ ପୋଲିସର ଏନକାଉଣ୍ଟର। କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛି। ବିଳମ୍ବିତ ରାତିରେ ଛେଣ୍ଡିପଦା ପୋଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟାଉନ ଥାନା ଅଧୀନରେ ଆସୁଥିବା କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚାକୁ କ୍ଷୀରୋଦ ପଶି ଯାଇଥିଲା। କ୍ଷୀରୋଦ ନାୟକ ଧରିବା ପାଇଁ ଛେଣ୍ଡିପଦା, ଅନୁଗୁଳ ଟାଉନ ପୋଲିସ ସହ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କ୍ଷୀରୋଦ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ପୋଲିସର ପାଲଟା ଜବାବରେ କ୍ଷୀରୋଦର ଡାହାଣ ଗୋଡ଼ରେ ବାଜିଛି ଗୁଳି। ପୋଲିସ ଗୁରୁତର ଅବସ୍ଥାରେ କ୍ଷୀରୋଦକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। କ୍ଷୀରୋଦର ଘର ଛେଣ୍ଡିପଦା ଅଞ୍ଚଳ ଗୋଲାଗାଡ଼ିଆରେ ବୋଲି ଜଣାପଡିଛି। କ୍ଷୀରୋଦ ନାମରେ ଅନୁଗୁଳ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାରେ ଅନେକ ମାମଲା ରହିଥିବା ଜଣାପଡିଛି

ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀରାମଙ୍କ ଜନ୍ମ ଉତ୍ସବ

ନନ୍ଦିଘୋଷ ବ୍ୟୁରୋ:  ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ଶ୍ରୀରାମ ନବମୀ। ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀରାମ ଜନ୍ମ ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପ ଧାରଣ କରି ଶ୍ରୀରାମଙ୍କୁ ଜନ୍ମଦେବାର ବିଧି ରହିଛି। ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ତଥା ଗତକାଲି ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥିଲା। ଆଜି ନବମୀରେ ଠାକୁର ମାନଙ୍କର ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ଜନ୍ମନୀତି ଅନୁଷ୍ଠିତ ହେବ। ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିବେ। ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯିବ। ଅନ୍ୟପଟରେ ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି | ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ ମହାପ୍ରସାଦ ନେଇ ଏକ ପ୍ରତିନିଧି ଦଳ କଟକ ଅଭିମୁଖେ ଯାତ୍ରା କରିବେ| କଟକ ଖପୁରିଆ ସ୍ଥିତ କରତକଳରେ ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ। ତିନଟି ଧଉରା କାଠକୁ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି। ଗତ ସରସ୍ବତୀ ପୂଜାରେ ରଥକାଠ ପୂଜାର୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି।

ଭୁବନେଶ୍ବର ଉତ୍ତରା ଛକରେ ଓଲଟିଲା ଟୁରିଷ୍ଟ ବସ୍, ୧୫ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ବର:  ଭୁବନେଶ୍ବର ଉତ୍ତରା ଛକରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଟୁରିଷ୍ଟ ବସ ଓଲଟିବାରୁ ଜଣଙ୍କ ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତମାନେ ବାଂଲାଦେଶ ନାଗରିକ ହୋଇଥିବା ବେଳେ ବସରେ ପ୍ରାୟ ୭୦ ଜଣ ଯାତ୍ରୀ ରହିଥିଲେ । ସମସ୍ତ ଯାତ୍ରୀ କାଶୀ ବିଶ୍ବନାଥ ଦର୍ଶନ ସାରି ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ରାଜଧାନୀରୁ ASO ନିଖୋଜ: ଲୋକସେବା ଭବନରୁ ଡ୍ୟୁଟି ସାରି ଫେରି ନଥିବା ଅଭିଯୋଗ

ଭୁବନେଶ୍ବର: ରାଜଧାନୀରୁ ASO ନିଖୋଜ । ASO ପ୍ରକାଶ କୁମାର ସାହୁ ନିଖୋଜ । ଲୋକସେବା ଭବନରୁ ଡ୍ୟୁଟି ସାରି ଫେରି ନଥିବା ଅଭିଯୋଗ । ଗତକାଲି ଡ୍ୟୁଟି ସାରିବା ପରେ ଆଉ ଘରକୁ ଫେରିନଥିବା ନେଇ ଭରତପୁର ଥାନାରେ ଏତଲା ଦେଲେ ସମ୍ପର୍କୀୟ ଭାଇ । ମୋବାଇଲ ନମ୍ବର ସ୍ଵିଚଅଫ ରହିଥିବା ଜଣାଇଲେ ପରିବାର । ପ୍ରକାଶ ପୂର୍ତ୍ତ ବିଭାଗର କର୍ମଚାରୀ ।

ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ପ୍ରସ୍ତୁତି ଆରମ୍ଭ

ସମ୍ବଲପୁର: ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳତବର୍ଷ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ଓ ରାମ ନବମୀ ଶୋଭାଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ସୁରକ୍ଷା ନେଇ ପୋଲିସକୁ ବ୍ୟାପକ କସରତ କରିବାକୁ ପଡ଼ିଛି । ଲଗାତର ଫ୍ଲାକମାର୍ଚ୍ଚ କରାଯାଇ ସଚେତନ କରାଯାଇଥିବାବେଳେ ଯେଉଁ ରାସ୍ତା ଦେଇ ଶୋଭଯାତ୍ରା ଯିବ, ସେସବୁ ରାସ୍ତାକୁ ତନ୍ନ ତନ୍ନ କରି ଚେକିଂ କରାଯାଉଛି ।

ଉପରେ ଡ୍ରୋନ ଓ ତଳେ ମେଟାଲ ଡିଟେକ୍ଟର । ତନ୍ନ ତନ୍ନ କରି ଯାଞ୍ଚ କରୁଛି ପୋଲିସ୍ । ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ସଜାଗ ଟିମ୍ । ସମ୍ବଲପୁର ଶୋଭାଯାତ୍ରା ରାସ୍ତାରେ ତନଖି କଡ଼ାକଡ଼ି । ଚଳିତବର୍ଷ ପ୍ରଥମ ଥର ପାଇଁ ଉଭୟ ହନୁମାନ ଜୟନ୍ତୀ ଓ ଶ୍ରୀରାମ ନବମୀ ଶୋଭାଯାତ୍ରା ଗୋଟିଏ ଦିନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । ସହର ସାରା ଫୋର୍ସ ମୁତୟନ କରାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ, ଏସପି, ମହାନଗର ନିଗମର କମିଶନର ରାତି ତମାମ ବୁଲି ସ୍ଥିତି ଯାଞ୍ଚ କରୁଛନ୍ତି l ସହରର ବିଭିନ୍ନ ସ୍ଥାନରେ ଡଗ୍ ସ୍କ୍ବାଡ ଓ ବମ୍ ସ୍କ୍ବାଡ ନିୟୋଜିତ ରହି ଟିକିନିଖି ଯାଞ୍ଚ କରୁଛନ୍ତି ।

ସମୟ କମ ଥିବାରୁ ସଭିଏଁ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ହନୁମାନ ଜୟନ୍ତୀ ବାଇକ୍ ରାଲି ଶୋଭାଯାତ୍ରା ଧନୁପାଲିରୁ ବାହାରିବାକୁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ଶ୍ରୀରାମ ନବମୀ ଶୋଭାଯାତ୍ରା କ୍ଷେତରାଜପୁର ରେଳ ଷ୍ଟେସନ ନିକଟରୁ ବାହାରିବ । ତେଣୁ ଯେଉଁ ମାର୍ଗ ଦେଇ ଶୋଭାଯାତ୍ରା ଯିବ, ସେହି ରାସ୍ତାରେ କଡା ନଜର ରଖିଛି ପୋଲିସ ଓ ଜିଲ୍ଲା ପ୍ରଶାସନ । ଦୁଇବର୍ଷ ଆଗରୁ ହୋଇଥିବା ବିଶୃଙ୍ଖଳା କିଭଳି ଚଳିତବର୍ଷ ପୁନରାବୃତ୍ତି ନହେବ ସେନେଇ ଚାଲିଛି ଘନଘନ ବୈଠକ ।

ପାରଦର୍ଶୀ ପୋର୍ଟାଲରେ ପଞ୍ଜିକୃତ ହେଲେ ନାହିଁ ଅଧା ସ୍କୁଲ, ଗରିବ ପିଲାଙ୍କୁ ଭଣ୍ଡାଇ ଦେଲେ

ଭୁବନେଶ୍ବର: ପ୍ରତିଶ୍ରୁତି ଦେଇ ଗରିବ ପିଲାଙ୍କୁ ଭଣ୍ଡାଇ ଦେଲେ । ସମୟ ସରିଗଲା କିନ୍ତୁ ଅଧା ସ୍କୁଲ ପାରଦର୍ଶୀ ପୋର୍ଟାଲରେ ପଞ୍ଜିକୃତ ହେଲେ ନାହିଁ । ସବୁ ନିୟମକୁ ଫୁ’ କରି ଉଡାଇ ଦେଲେ ଘରୋଇ ସ୍କୁଲ । ମୁଣ୍ଡପାତି ସମର୍ଥନ ଦେଇ ଦେଲେ ସରକାର, ଯାହାକୁ ନେଇ ଅଭିଭାବକ ଓ ରାଜ୍ୟବାସୀଙ୍କ ମନରେ ଅସନ୍ତୋଷର ନିଆଁ ଜଳିବା ଆରମ୍ଭ କରିଛି । ଶିକ୍ଷା ଅଧିକାର ଆଇନ ବଳରେ ଘରୋଇ ସ୍କୁଲରେ ୨୫ ପ୍ରତିଶତ ସିଟରେ ଗରିବ ପିଲାଙ୍କୁ ମାଗଣା ଶିକ୍ଷା ଦେବାର ବ୍ୟବସ୍ଥା ରହିଛି । ହେଲେ ଏହାକୁ କିଭଳି ଖୋଲାଖୋଲି ଉଲ୍ଲଂଘନ କରାଗଲା ବୋଲି ପ୍ରଶ୍ନ କରିଛି ଅଭିଭାବକ ସଂଘ ।

ମିଛ କହି ସାଧାରଣ ଲୋକଙ୍କୁ ଭୂତାଉଥିଲେ । ଏବେ ଗରିବ ଛାତ୍ରଛାତ୍ରୀଙ୍କୁ ବି ଭଣ୍ଡାଇ ଦେଲେ ସରକାର । ପ୍ରତିଶ୍ରୁତି ଦେଇ ପାଠପଢ଼ାରୁ ବଞ୍ଚିତ କଲେ । ଆରଟିଇ ଅଧୀନରେ ଘରୋଇ ସ୍କୁଲରେ ଆଡ଼ମିଶନ ପାଇଁ କରାଯାଇଥିବା ପାରଦର୍ଶୀ ପୋର୍ଟାଲରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଓଡ଼ିଶାରେ ୭ ହଜାରରୁ ଅଧିକ ଘରୋଇ ସ୍କୁଲ ରହିଛି । ଗତ ସରକାରଙ୍କ ଇଛାଶକ୍ତି ବଳରେ ୬ ହଜାରରୁ ଅଧିକ ସ୍କୁଲ ପାରଦର୍ଶୀ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ବେଳେ ୪୦ ହଜାରରୁ ଅଧିକ ପିଲା ପାଠ ପଢିଥିଲେ । ଏ ସରକାରରେ କିନ୍ତୁ ଦାବି ସତ୍ତ୍ୱେ ମଧ୍ୟ ମାତ୍ର ୩୬୦୦ ସ୍କୁଲ ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି । ଯେଉଁ ସ୍କୁଲଗୁଡିକ ୩/୪ ବର୍ଷ ଧରି ପୋର୍ଟାଲରେ ପଢ଼ାଉଛନ୍ତି ସେମାନଙ୍କୁ ଅଟୋରେଜିଷ୍ଟ୍ରେସନ କରିବା ପାଇଁ ଦାବି କରିଥିଲା ଅଭିଭାବକ ମହାସଂଘ । କିନ୍ତୁ ସରକାର ଏହା କଲେ ନାହିଁ । ତେଣୁ ଗରିବ ପିଲାଙ୍କୁ ଘରୋଇ ସ୍କୁଲରେ ପାଠ ପଢ଼ାଇବାକୁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ ହୋଇଛି । ପୋର୍ଟାଲରେ ସ୍କୁଲଗୁଡିକର ପଞ୍ଜିକରଣର ଶେଷ ତାରିଖ ଥିଲା ମାର୍ଚ୍ଚ ୩୧ । କିନ୍ତୁ ଏ ଯାଏଁ ପ୍ରମୁଖ ସ୍କୁଲ ପଞ୍ଜିକୃତ ହେଲେ ନାହିଁ । ଏପରିକି ଏଯାଏଁ ୨୩  ହଜାର ୭୦୦ ପିଲା ପାରଦର୍ଶୀ ପୋର୍ଟାଲରେ ଆବେଦନ କରିଛନ୍ତି । ସେଥିରୁ ବହୁତ ପିଲା ଆଡମିଶନରୁ କଟିଯିବେ । ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି ଅଭିଭାବକ ମହାସଂଘ । ତିନି ଚାରିଦିନ ଭିତରେ ସରକାର ନ ଚେତିଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛି ଅଭିଭାବକ ମହାସଂଘ ।

ସେପଟେ ଶିକ୍ଷା ଅଧିକାର ଦିଗରେ କାର୍ଯ୍ୟ କରୁଥିବା ସଂଗଠନ ଓ ଓଡ଼ିଶା ସିଟିଜେନସ ଫୋରମ ମଧ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଅନ୍ୟାୟ ବୋଲି କହିଛନ୍ତି । ନିୟମ ଅନୁଯାୟୀ ସବୁ ପିଲା କିଭଳି ଆଡମିସନ ପାଇବେ ସେ ଦାୟିତ୍ୱ ସରକାରଙ୍କର । କିନ୍ତୁ ଘରୋଇ ସ୍କୁଲଗୁଡିକ ନିୟମକୁ ଭାଙ୍ଗୁଥିବା ବେଳେ ସରକାର କାହିଁକି ନିରବଦ୍ରଷ୍ଟା ବୋଲି ପ୍ରଶ୍ନ ଉଠିଛି । ଏପରିକି ରାଜ୍ୟର ବିଜେପି ସରକାର ସବୁ ପ୍ରସଙ୍ଗରେ କାହିଁକି ସ୍ଥାଣୁ ପାଲଟିଛନ୍ତି ବୋଲି ପ୍ରଶ୍ନ କରିଛି ସିଟିଜେନସ ଫୋରମ ।

ଆରଟିଇ ଅଧୀନରେ ସବୁ ପିଲାଙ୍କୁ ସମାନ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆଇନ ରହିଥିବା ବେଳେ ଆର୍ଥିକ ବ୍ୟବସ୍ଥା ମଧ୍ୟ ରହିଛି । ଏପରିକି ଏହା ଅଧୀନରେ ପିଲାଙ୍କୁ ଡ୍ରେସ, ଜୋତା ଓ ବହିପତ୍ର ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଗୋଟିଏ ପଟେ ଆଡମିଶନ ନ ଦେବାର ଚକ୍ରାନ୍ତ ସହ ଆରପଟେ ଆଡମିଶନ ନେଉଥିବା ପିଲାଙ୍କୁ ମଧ୍ୟ ନ୍ୟାୟ ମିଳୁନାହିଁ । ଯାହାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି ।

କଂଗ୍ରେସର ହେବ ନବକଳେବର: ଶୀଘ୍ର ନୂଆ ଟିମ୍ ଗଢ଼ିବେ ଭକ୍ତ

ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସ ଗଢ଼ିବେ ନୂଆ ଟିମ । ଅହମ୍ମଦାବାଦରେ ଏଆଇସିସି ବୈଠକ ପରେ ଏହି ନୂଆ ଟିମ୍ ଘୋଷଣା କରାଯିବ। ଜିଲ୍ଲାସ୍ତରରୁ ପିସିସି ଯାଏଁ ହେବ ନବକଳେବର` ଭକ୍ତ ଦାସଙ୍କ ନୂଆ ଟିମରେ କିଏ କିଏ ସ୍ଥାନ ପାଇବେ ? କିଏ ବାଦ୍ ପଡ଼ିବ ? କାହାକୁ ମିଳିବ ଗୁରୁତ୍ଵ ଦାୟିତ୍ଵ, ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହେଲାଣି । ଆଉ ଏହାକୁ ନେଇ କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି ।

ଭକ୍ତ ଦାସ ପିସିସି ସଭାପତି ହେବା ପରଠୁ ଜୋସରେ ଓଡ଼ିଶା କଂଗ୍ରେସ । ସଂଗଠନ ଚଳଚଞ୍ଚଳ, ନେତା ଓ କର୍ମୀ ଉତ୍ସାହିତ । ସମସ୍ତଙ୍କୁ ସାଙ୍ଗରେ ନେଇ ଭକ୍ତ ଦଳକୁ ନୂଆ ଦିଶା ଦେବାକୁ ଚେଷ୍ଟା କରୁଛନ୍ତି । ଯେମିତି ଦଳ ପୁଣି ଥରେ କ୍ଷମତାକୁ ଫେରିବ, ସେଥିପାଇଁ ଚାଲିଛି ଜୋରଦାର କସରତ। ଏହି କ୍ରମରେ ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବାକୁ ପିସିସି ସଭାପତି ଅଣ୍ଟା ଭିଡ଼ିଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ବି ଆସୁଛି । ବଡ଼ ମ୍ୟାଚ ପୂର୍ବରୁ ଦଳର ଶକ୍ତି ପରୀକ୍ଷା କରିବା ପାଇଁ ଏହି ଦୁଇ ନିର୍ବାଚନ ଉପଯୁକ୍ତ ମଞ୍ଚ । ତା’ ଆଗରୁ ଦଳକୁ ପ୍ରସ୍ତୁତ କରିବାକୁ ପଡ଼ିବ । ସେଥିପାଇଁ ନୂଆ ଟିମ୍ ଗଠନ କରିବାକୁ ଯାଉଛନ୍ତି ଭକ୍ତ । ଆସନ୍ତା ୧୧ ତାରିଖରେ ଅହମ୍ମଦାବାଦରେ ଏଆଇସିସି ବୈଠକ ହେବ । ଏହି ବୈଠକରେ କଂଗ୍ରେସର ଶୀର୍ଷ ନେତୃତ୍ଵ ସହିତ ଆଲୋଚନା କରି ଭକ୍ତ ଦାସ ନୂଆ ଟିମ୍ ଗଠନ କରିବେ ।

ଏଣେ ନୂଆ ଟିମର ରୂପରେଖ କେମିତି ହେବ ତାହାକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ପିସିସି ସଭାପତିଙ୍କ ନୂଆ ଟିମରେ ସ୍ଥାନ ପାଇବେ ଅଧିକ ଯୁବକ । ବରିଷ୍ଠ ନେତାଙ୍କ ମାର୍ଗଦର୍ଶନରେ ସେମାନେ କାମ କରି ସଂଗଠନକୁ ଅଧିକ ଚଳଚଞ୍ଚଳ କରିବେ ।

ଭକ୍ତଙ୍କ ନୂଆ ଟିମରେ କାହାକୁ ସ୍ଥାନ ମିଳିବ, କାହାର ଦବଦବା ରହିବ, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହେଲାଣି । ୧୪ ବିଧାୟକ ଓ ଜଣେ ସାଂସଦଙ୍କୁ କେମିତି ଉପଯୋଗ କରିବେ ପିସିସି ସଭାପତି ? ମହମ୍ମଦ ମୋକିମ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ନିରଂଜନ ପଟ୍ଟନାୟକ, ଅମର ପ୍ରଧାନଙ୍କ ପରି ପୁରୁଖା ନେତାଙ୍କ ଅଭିଜ୍ଞତାକୁ କେମିତି ବ୍ୟବହାର କରାଯିବ ? ମାନସ ଚୌଧୁରୀ, ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକଙ୍କ ପରି ଯୁବ ନେତାଙ୍କୁ କେଉଁ ଗୁରୁ ଦାୟିତ୍ଵ ଦିଆଯିବ ତାକୁ ବି ଅପେକ୍ଷା କରାଯାଇଛଛି । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ  ଯୁକ୍ତି, ଲବି ନୁହେଁ ଲଢୁଆ ନେତାଙ୍କୁ ନିଜ ଟିମରେ ସାମିଲ କରିବେ ପିସିସି ସଭାପତି । ଜିଲ୍ଲାସ୍ତରରୁ ସମ୍ମିଳନୀ କରାଯାଇ ଜିଲ୍ଲା ସଭାପତି ବଛାଯିବ ବୋଲି ପିସିସି ସଭାପତି କହିଛନ୍ତି ।

୨୫ ବର୍ଷ ହେଲା ରାଜ୍ୟରେ ଶାସନ ଗାଦିରୁ ଦୂରରେ ରହିଛି କଂଗ୍ରେସ । ୨୦୧୪ ପରେ ତ ଦଳ ତୃତୀୟ ସ୍ଥାନକୁ ଖସି ଆସିଛି । ୧୩ ପ୍ରତିଶତକୁ ଖସି ଆସିଲାଣି ଦଳର ଭୋଟ ହାର । ଭକ୍ତ ଦାସଙ୍କ ଉପରେ ଭରସା ରଖି ହାଇକମାଣ୍ଡ ଦେଇଛନ୍ତି ଗୁରୁ ଦାୟିତ୍ଵ । ଫେବ୍ରୁଆରୀ ୧୧ରେ ତାଙ୍କୁ ପିସିସି ସଭାପତି କରାଯାଇଥିଲା । ୨ ମାସ ଭିତରେ କଂଗ୍ରେସ ଚଳଚଞ୍ଚଳ ହୋଇଛି, ଏକଥା ମାନିବାକୁ ପଡ଼ିବ । ଆଗକୁ ବିରାଟ ଲଲେଇ ଲଢିବାକୁ କାହାକୁ ସେ ନିଜ ଟିମରେ ରଖିବେ, କାହାକୁ କେଉଁ ଦାୟିତ୍ଵ ଦେବେ, ତାକୁ ନେଇ କଂଗ୍ରେସ ଶିବିରରେ ବେଶ୍ ଉତ୍କଣ୍ଠା ।

ଓଡ଼ିଆ ନବବର୍ଷ ପୂର୍ବରୁ ସରିବ ବିଜେଡିର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ବର: ଓଡ଼ିଆ ନବବର୍ଷ ପୂର୍ବରୁ ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ସରିବ । ନୂଆ କମିଟି ସହ ଜିଲ୍ଲା ଦାୟିତ୍ବ ନେବେ ବିଜେଡି ନେତା । ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ଆସନ୍ତା ଏପ୍ରିଲ ୭ ତାରିଖରେ ଶଙ୍ଖ ଭବନରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ଏଆରଓମାନଙ୍କ ବୈଠକ ବସିବାକୁ ଯାଉଛି । ବିଜେଡି ନେତାମାନେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ସଭାପତି ଭାବେ ପାଇବାକୁ ଇଚ୍ଛା ପ୍ରକାଶ କରି ତାଙ୍କ ନେତୃତ୍ବରେ ସଂଗଠନକୁ ଆଗେଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଏନେଇ ଆସନ୍ତା ୭ ତାରିଖ ଅପରାହ୍ନ ସାଢ଼େ ୪ଟାରେ ବିଜେଡି ଡାକିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଚିଠି କରି ସେହିଦିନ ଉପସ୍ଥିତି ରହିବାକୁ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଅବଗତ କରିଛନ୍ତି । ବୈଠକରେ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଆସେମ୍ବଲି ନିର୍ବାଚନ ଅଧିକାରୀ ବା ଏଆରଓ ତାଲିକା ସହ ପୌର ଓ ପଞ୍ଚାୟତ ୱାର୍ଡ ସଭାପତି, ବ୍ଲକ ସଭାପତିମାନଙ୍କ ଫୋନ ନମ୍ବର ଏବଂ ଠିକଣା ଦାଖଲ କରିବେ । ଫେବୃଆରୀ ପ୍ରଥମ ସପ୍ତାହରେ ଡିଆରଓ ବା ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତି ହୋଇଥିଲେ । ସେମାନେ ଜିଲ୍ଲା ସଭାପତି ନିର୍ବାଚିନ ପ୍ରକ୍ରିୟା ଆଗେଇଛନ୍ତି । ଡିଆରଓ ନିଯୁକ୍ତିର ୧୦ ଦିନ ପରେ ଏଆରଓ ନିଯୁକ୍ତି ପାଇଁ ପଞ୍ଚାୟତ ଓ ପୌର ସଭାପତି ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନିଆଯାଇଛି । ବରିଷ୍ଠ ଓ ଯୁବ ବର୍ଗଙ୍କ ସମନ୍ବୟରେ ଏହି କାର୍ଯ୍ୟକ୍ରମ ସମାପନ ହେବ ।

ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପୁଣି ଥରେ ବାଛିଛନ୍ତି ବିଜେଡି ନେତା ଓ କର୍ମୀ । ତାଙ୍କୁ ପୁଣି ଥରେ ବିଜେଡି ସଭାପତି ଭାବେ ନିର୍ବାଚିତ କରିବାକୁ ଦଳ ଅଣ୍ଟା ଭିଡ଼ିଛି । ସଂଗଠନକୁ ମଜବୁତ କରିବା ପାଇଁ ସବୁଦିନ ସମୀକ୍ଷା କରାଯାଉଛି । ଜିଲ୍ଲା ସଙ୍ଗଠନ ସହ ଆଲୋଚନା କରାଯାଇ ଦକ୍ଷ ନେତାଙ୍କୁ ଜିଲ୍ଲା ସଭାପତି କରାଯିବ ।

ଗଣତାନ୍ତ୍ରିକ ପଦ୍ଧତିରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡିର କାର୍ଯ୍ୟକ୍ରମ ଚାଲିଛି । ନୂଆ ଟମକୁ ବି ଗଣତାନ୍ତ୍ରିକ ପଦ୍ଧତିରେ ଚୟନ କରି ଦଳର ସମ୍ବିଧାନ ଅନୁସାରେ କାମ କରିବାକୁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ ।