spot_img
Home Blog Page 868

ଏନଆଇଏ ରିମାଣ୍ଡରେ ତହବୁର ରାଣା, ମୁମ୍ଵାଇ ଆକ୍ରମଣ ନେଇ ଘାଣ୍ଟିବ ସଂସ୍ଥା

ନନ୍ଦିଘୋଷ ବ୍ୟୁରୋ: ଏନଆଇଏ ରିିମାଣ୍ଡରେ ଆତଙ୍କବାଦୀ ତହବୁର ରାଣା। ୧୮ ଦିନର ରିମାଣ୍ଡରେ ନେଇଛି ଏନଆଇଏ। ଏହି ୧୮ ଦିନରେ 26/11 ମୁମ୍ବାଇ ଆତଙ୍କବାଦୀ ହମଲାର ଷଡ଼ଯନ୍ତ୍ରକାରୀ ତହବୁର ରାଣାକୁ ଜେରା କରାଯିବ। ବିଶେଷ କରି ଏହି ଆକ୍ରମଣ ଘଟଣାରେ ପାକିସ୍ତାନର ଲିଙ୍କ୍ ନେଇ ତଥ୍ୟ ଓଗାରିବ ଏନଆଇଏ। ଭାରତରେ ଅବତରଣ କରିବା ମାତ୍ରେ ତହବୁର ରାଣାକୁ ଗିରଫ କରାଯାଇଥିଲା ଏବଂ କୋର୍ଟରେ ହାଜର କରଯାଇଥିଲା। ରାଣା କେଉଁ କେଉଁ ସ୍ଥାନକୁ ଓ କାହା ନିକଟକୁ ଇ-ମେଲ ପଠାଇଛି, ଅନ୍ୟତମ ଷଡ଼ଯନ୍ତ୍ରକାରୀ ଡେଭିଡ କୋଲମାନ ହେଡଲି ସହ ସମ୍ପର୍କ ଓ ପାକିସ୍ତାନ ସେନା ଅଫିସରଙ୍କ ଭୂମିକା ସମ୍ପର୍କରେ ଜେରା କରାଯିବ। ୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲାର ଷଡ଼ଯନ୍ତ୍ରକାରୀ ତହବୁର ରାଣା ଆମେରିକାରୁ ଏକ ସ୍ବତନ୍ତ୍ର ବିମାନରେ ଆସିବା ପରେ ତାକୁ ଗିରଫ କରିଥିଲା ଏନଆଇଏ।ପରେ ତାକୁ ନିଜ ହେପାଜତକୁ ନେବା ଲାଗି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆବେଦନ କରିବ । ତା ନାଁରେ ଯେଉଁ ମାମଲା ହେବ, ତାର ବିଚାର ପ୍ରକ୍ରିୟା ପାଇଁ ନରେନ୍ଦ୍ର ମାନ୍ ଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଛି। ସେପଟେ ତହବୁରଙ୍କୁ ପ୍ରତିନିଧିତ୍ବ କରିବେ ଦିଲ୍ଲୀ ଲିଗାଲ ସର୍ଭିସ ଅଥରିଟିର ଆଇନଜୀବୀ ପୀୟୂଷ ସଚ୍ଚଦେବ।
ରାଣାର ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି ଏନଆଇଏର ୧୨ ସଦସ୍ୟ। ସେମାନଙ୍କ ମଧ୍ଯରେ ଅଛନ୍ତି ଡିଜି ଏନଆଇଏ ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଓ ଡିଆଇଜି ଜୟ ରାୟ। ଜେରା ସମୟରେ ରାଣା ମୁମ୍ବାଇ ଆଟାକ ଘଟଣାର ସବିଶେଷ ତଥ୍ୟ ଓଗାରିବ।
୨୦୦୮ ନଭେମ୍ବର ୨୬ ରେ ୧୦ ଲସ୍କର ଆତଙ୍କବାଦୀ ମୁମ୍ବାଇର ୧୨ଟି ସ୍ଥାନରେ ଆଖିବୁଜା ହମଲା କରିଥିଲେ। ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆତଙ୍କବାଦୀ ଅଜମଲ କସାବକୁ ଧରାଯାଇଥିଲା ଏବଂ ତାକୁ ୨୦୧୨ରେ ପୁଣେ କାରାଗାରରେ ଫାଶୀ ଦିଆଯାଇଥିଲା।
ରାଣାର ବିଚାର ସ୍ବଚ୍ଛ ଉପାୟରେ କରାଯାଉ ବୋଲି ଦାବି କରିଛି ନୂଆଦିଲ୍ଲୀ ବାର୍ ଆସୋସିଏସନ। ସେପଟେ ପଦାକୁ ଆସିଛି ପାକିସ୍ତୀନୀ ଆମେରିକୀୟ ଡାଭିଡ କୋଲିଆନ ହେଡଲି ଓ ରାଣା ମଧ୍ଯରେ ହୋଇଥିବା କଥାବାର୍ତ୍ତାର କ୍ରୋନୋଲୋଜି। ୨୦୦୬ ସେପ୍ବେମ୍ବର ୧୪ରେ ହେଡଲି ପ୍ରଥମ ଥର ଲାଗି ଭାରତ ଆସିବା ସହ ରାଣାକୁ ୩୨ ଥର ଫୋନ କରିଥିଲା। 26/11 ଆକ୍ରମଣ ପୂର୍ବରୁ ରାଣା ସହ ହେଡଲି ମୋଟ ୨୩୧ ଥର ଫୋନରେ କଥା ହୋଇଥିଲା ବୋଲି ସୂଚନା ମିଳିଛି। ରାଣା ବିରୋଧରେ ଲାଗିଛି ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା ୟୁଏପିଏ।

କାଲି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ନାନ ଭାରତ-ଗୋପବନ୍ଧୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଆସନ୍ତାକାଲି ଶୁଭାରମ୍ଭ ହେବ ଆୟୁଷ୍ନାନ ଭାରତ-ଗୋପବନ୍ଧୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏଥି ସହିତ ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ବୟୋବନ୍ଦନା କାର୍ଡ ମଧ୍ୟ ଲାଗୁ କରାଯିବ । ଏସବୁ ଯୋଜନାର ଶୁଭାରମ୍ଭ ପାଇଁ କଟକ ତଳ ବାଲିଯାତ୍ରା ପଡ଼ିଆରେ ଏକ ବିରାଟ ଜନସଭାର ଆୟୋଜନ କରାଯାଇଛି ।

ଅପରାହ୍ନ ୨ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ଏହି ସଭାରେ ୨୦ ହଜାରରୁ ଅଧିକ ହିତାଧିକାରୀ ଯୋଗ ଦେବେ । ଏନେଇ ଆଜି ବାଲିଯାତ୍ରା ପଡିଆରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । କଟକ ଜିଲ୍ଲାପାଳ ଏବଂ ଡିସିପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଲିଙ୍ଗିପୁର ସ୍ନେହା ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ସୈତାନ ସିକ୍ୟୁରିଟି ଗାର୍ଡର ସାଂଘାତିକ କାରନାମା

ନନ୍ଦିଘୋଷ ବ୍ୟୁରୋ: ପ୍ରେମର କରୁଣ ପରିଣତି । ପ୍ରେମିକ ସାଜିଲା ଖୁନି ଆସାମୀ । ମାରିଲା ପରେ ମୃତଦେହକୁ ଲିଙ୍ଗିପୁର ଦୟା ନଦୀ କୂଳରେ ଫିଙ୍ଗିଲା । ଦୁଇ ମାସରୁ ଅଧିକ ସମୟର ତନାଘନା ପରେ ଧରାହେଲା ଜହ୍ଲାଦ । ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ କଲା ଖଣ୍ଡଗିରି ଥାନା ପୋଲିସ ।

ସୈତାନ ସିକ୍ୟୁରିଟି ଗାର୍ଡର ସାଙ୍ଘାତିକ କାରନାମା । ସ୍ନେହାର ସ୍ନେହ ଟିକିଏ ମିଳିଲାନି ବୋଲି ଚିପି ଦେଲା ତଣ୍ଟି । ଅଡୁଆ ସୂତାରୁ ଖିଅ କାଢ଼ିଲେ ଖଣ୍ଡଗିରି ଆଇଆଇସି । କାହାଣୀଟି ଯେତିକି ସଙ୍ଗୀନ, ପୋଲିସ ପାଇଁ ମଧ୍ୟ ଥିଲା ସେତିକି ଚ୍ୟାଲେଞ୍ଜିଙ୍ଗ । ପ୍ରଥମେ ଅପମୃତ୍ୟୁ ମାମଲା, ତଦନ୍ତ ପରେ ଜଣାପଡ଼ିଲା ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଜାନୁଆରୀ ୨୮ ତାରିଖରେ ଧଉଳି ଥାନା ଲିଙ୍ଗିପୁର ମେଳନ ପଡିଆ ନିକଟରୁ ମିଳିଥିଲା ଗଳିତ ମୃତଦେହ । ସାଇଣ୍ଟିଫିକ ଟିମ ଯାଇ ସରଜମିନ ତଦନ୍ତ କରିଥିଲା । ପରେ ଗଳିତ ମୃତଦେହର ପରିଚୟ ଜାଣିବା ପାଇଁ ତନାଘନା ଚାଲିଥିଲା । ସବୁ ଥାନାକୁ ପରିଚୟ ଖୋଜିବାକୁ କୁହାଯାଇଥିଲା । ଜାନୁଆରୀ ୧୦ରେ ଖଣ୍ଡଗିରି ଥାନାରେ ଏକ ମିସିଙ୍ଗ ରିପୋର୍ଟ ହୋଇଥିଲା । ପରିବାର ଲୋକଙ୍କୁ ଯୋଗାଯୋଗ ପରେ ବି ଚିହ୍ନଟ କରିବା ମୁସ୍କିଲ ଥିଲା । ସ୍ନେହା ବେହେରା ନିଖୋଜ ନେଇ, ରିପୋର୍ଟ କରିଥିଲେ ତାଙ୍କ ଭଉଣୀ । ସ୍ନେହାଙ୍କ ଘର କନ୍ଧମାଳ । ସେ ବରମୁଣ୍ଡା ରୁଚିକା ମାର୍କେଟ ନିକଟରେ ରହୁଥିଲେ । ମୋବାଇଲ ନମ୍ବରରୁ ଖୋଳତାଡ଼ ପରେ ଜଣାପଡିଲା ଯେ, ସେ ଜଣେ ସିକ୍ୟୁରିଟି ଗାର୍ଡ ସହ ପ୍ରେମ ସମ୍ପର୍କରେ ଥିଲେ । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଚନ୍ଦନ ପରିଡା ସହ ସେହିଦିନ ଧଉଳି ବୁଲିବାକୁ ଯାଇଥିଲେ ମୃତ ଯୁବତୀ ସ୍ନେହା ବେହେରା ।

ତଥ୍ୟ ପ୍ରମାଣ ଏକାଠି କରିବା ପରେ, ପ୍ରେମ ସମ୍ପର୍କ ପଦାକୁ ଆସିଥିଲା । ଆଉ ପ୍ରେମ ଯେ ପାପରେ ପରିଣତ ହୋଇଥିଲା, ସେ ନେଇ ପର୍ଦ୍ଦାଫାସ ମଧ୍ୟ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା କରିବା ପରେ, ସେହି ସ୍ଥାନ ଛାଡି ପଳେଇବା ସହ ଚାକିରି ଛାଡି ଫେରାର ଥିଲା । ଠିକ ଏହି ସମୟରେ ତଦନ୍ତକୁ ବାଟବଣା କରିବା ପାଇଁ ମୃତଦେହ ପାଖରେ ଚନ୍ଦନପୁର ଥାନା ଅଞ୍ଚଳର ମିଟୁ ପରିଡ଼ା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ପରିଶୋଧ ନେବାକୁ ଯାଇ ରମେଶ ନାମକ ଜଣେ ବ୍ୟକ୍ତିର ଆଧାର କାର୍ଡ ଓ ଏକ ମିଛ ସୁଇସାଇଟ ନୋଟ କ୍ରାଇମସିନରେ ଫୋପାଡ଼ି ଦେଇଥିଲା । ମିଟୁ ବିବାହ କରିବାକୁ ଚାଁହୁଥିବା ଯୁବତୀଙ୍କୁ ରମେଶ ବିବାହ କରିବାରୁ ଏହି ରାଗ ସୁଝାଇବାକୁ ଷଡ଼ଯନ୍ତ୍ର କରିଥିବା ପୁଲିସ ଜାଣିବାକୁ ପାଇଥିଲା ।

ଲିଙ୍ଗିପୁର ନଦୀପଠାର ସେହି ପରିତ୍ୟକ୍ତ ସ୍ଥାନ ପାଖକୁ ଅଭିଯୁକ୍ତ ଚନ୍ଦନ ପରିଡା ଓରଫ ମଙ୍ଗୁକୁ ନେଇ ସିନ ରିକ୍ରିଏସନ କରାଯାଇଛି । ଅଭିଯୁକ୍ତକୁ ଜେଲ ପଠାଇବା ପୂର୍ବରୁ ଜଗତସିଂହପୁର କୁଜଙ୍ଗ ଥାନାରେ ତା ନାଁରେ ଆହୁରି ୨ଟି ସଙ୍ଗୀନ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ ।

୫ ହଜାର କର୍ମୀଙ୍କ ନାଁରେ ମାମଲା କରି ବିଜେପି ସରକାରର ହିଟଲର ଶାସନର ପ୍ରମାଣ ଦେଇଛି: କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ କଂଗ୍ରେସକୁ ନିଷ୍କ୍ରିୟ କରିବା ଲାଗି ବିଜେପି ରଚିଛି ଷଡ଼ଯନ୍ତ୍ର । ପୋଲିସ ସହାୟତାରେ ମିଛ ମାମଲା ରୁଜୁ କରି ଡରାଇବାକୁ ଚାହୁଁଛି ଶାସକ ଦଳ । ଏହା ବିରୋଧରେ ଜୋରଦାର ଲଢେଇ କରିବାକୁ ଆହ୍ଵାନ ଦେଇଛି କଂଗ୍ରେସ । ଦଳର ନେତା, ବିଧାୟକ ଓ ୫ ହଜାର କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରି ସରକାର ହିଟଲର ଶାସନର ପରିଚୟ ଦେଇଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

କଂଗ୍ରେସର ୪୦ ବରିଷ୍ଠ ନେତା, ସମସ୍ତ ୧୪ ବିଧାୟକ ଓ ୫ ହଜାର କର୍ମୀଙ୍କ ବିରୋଧରେ ମାମଲା । ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜଧାନୀର ଲୋୟର ପିଏମଜି ରଣକ୍ଷେତ୍ରରେ ପରିଣତ ହୋଇଥିଲା । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ଦଙ୍ଗା, ପୋଲିସକୁ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ ଭଳି ଅଭିଯୋଗରେ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି ପୋଲିସ । ରାଜନୈତିକ ବିକ୍ଷୋଭ ବେଳେ ଏତେ ନେତା ଓ କର୍ମୀଙ୍କ ନାଁରେ ମାମଲା ରୁଜୁ କରାଯିବା ଓଡ଼ିଶା ରାଜନୀତିରେ ବିରଳ ଓ ଆଶ୍ଚର୍ଯ୍ୟଜନକ ଘଟଣା । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, କଂଗ୍ରେସର ସ୍ଵରକୁ ଚାପି ଦେବାକୁ ଓ ନିଷ୍କ୍ରିୟ କରିବାକୁ ପୋଲିସର ସହାୟତା ନେଇଛି ଶାସକ ଦଳ । ଏହା ବିରୋଧରେ କଂଗ୍ରେସ ଜୋରଦାର ଲଢ଼େଇ କରିବ । ରାଜ୍ୟରେ ହିଟଲର ଶାସନ ଚାଲିଛି ବୋଲି କଂଗ୍ରେସ ନେତା ପ୍ରକାଶ ମିଶ୍ର କହିଛନ୍ତି । ଅତ୍ୟାଚାର ବିରୋଧରେ ମୁହଁ ଖୋଲିଲେ ମାମଲା ରୁଜୁ କରୁଛି ପୋଲିସ । ଏହାକୁ ବରଦାସ୍ତ କରାଯିବନି ।

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ନାବାଳିକା ଅସୁରକ୍ଷିତ। ଏହାକୁ ପ୍ରସଙ୍ଗ କରି ଉଭୟ ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ସଂଗ୍ରାମ କରିଥିଲା । ୫ ହଜାରରୁ ଅଧିକ କର୍ମୀଙ୍କ ବିରୋଧରେ ମାମଲା ପରେ ଶାସକ ଦଳକୁ କଂଗ୍ରେସ ଟାର୍ଗେଟ କରିଥିବାରୁ ଜବାବ ଦେଇଛି ବିଜେପି । ବିଧାୟିକା ସୀମାରାଣୀ ନାୟକ କହିଛନ୍ତି, ସରକାର କାହାର ସ୍ଵର ଚାପିବାକୁ ଉଦମ୍ୟ କରୁନାହାନ୍ତି । କଂଗ୍ରେସ ବିଧାନସଭା ଆଗାରେ ବିକ୍ଷୋଭ ବେଳେ କି କାଣ୍ଡ କରିଛି ତାହା ରାଜ୍ୟବାସୀ ଦେଖିଛନ୍ତି । ଆଇନ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

କ୍ଷମତାରେ ରୁହନ୍ତୁ କି ବିରୋଧରେ, ନବୀନଙ୍କ ପାଇଁ ଶୃଙ୍ଖଳା ପ୍ରଥମ ପ୍ରାଥମିକତା

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଚେତାବନୀ ପରେ ପୁଣି ଥରେ ଶୃଙ୍ଖଳାକୁ ଗୁରୁତ୍ବ ଦେଇଛନ୍ତି ବିଜେଡି ନେତା । ଏକାଠି ହୋଇ ଦଳୀୟ ସଙ୍ଗଠନକୁ କିପରି ଆଗକୁ ନିଆଯିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତଙ୍କ ଫୋକସରେ ଦଳର ସାଂଗଠନିକ ନିର୍ବାଚନ । ଯାହା ଚଳିତମାସ ଶେଷ ସୁଦ୍ଧା ସରିବ । କିଏ କେଉଁ ଦାୟିତ୍ବ ନେବେ ଓ ଦଳର ଧର୍ମ ନିରପେକ୍ଷତା ନୀତିକୁ ବଜାଏ ରଖିପାରିବ, ସେ ନେଇ ନୂଆ ଉତ୍ସାହ ସହ କାମ ଆରମ୍ଭ କରିଛନ୍ତି ବରିଷ୍ଠ ଓ ଯୁବ ନେତା ।

କ୍ଷମତାରେ ରୁହନ୍ତୁ କି ବିରୋଧରେ, ନବୀନ ପଟ୍ଟନାୟକଙ୍କ ପାଇଁ ଶୃଙ୍ଖଳା ପ୍ରଥମ ପ୍ରାଥମିକତା । ଯେଉଁଥି ପାଇଁ ଦଳୀୟ ଶୃଙ୍ଖଳାକୁ ବାରମ୍ବାର ଗରୁତ୍ବ ଦେଇ ଆସୁଛନ୍ତି ନବୀନ । କିଛି ଦିନରୁ ଦଳ ଭିତରେ ଚାଲିଥିବା ସମାନ୍ତରାଳ ମେଳି ବିରୋଧରେ ନବୀନ ପାଟି ଫିଟାଇବା ପରେ ବିଜେଡି ନେତା ବି ଶୃଙ୍ଖଳାକୁ ଦେଇଛନ୍ତି ଗୁରୁତ୍ବ । ସୁପ୍ରିମୋଙ୍କ ଚେତାବନୀ ପରେ ହୋଟେଲ ମେଳିରେ ପଡିଛି ପୂର୍ଣ୍ଣଚ୍ଛେଦ । ଏଣିକି ଯାହା ଦଳୀୟ ବୈଠକ ହେବ, ସବୁ ହେବ ଶଙ୍ଖ ଭବନରେ । ଦଳୀୟ ସଙ୍ଗଠନ ଓ ଶୃଙ୍ଖଳା ପାଇଁ କିଛି ଅନୁଶାସନ ପାଳନ କରିବା ଦରକାର ବୋଲି ମାନୁଛନ୍ତି ସବୁ ନେତା । ଯେହେତୁ ସଭାପତି ଦଳର ସର୍ବେସର୍ବା, ସେ ତାଗିଦ କରିବା ସ୍ବାଭାବିକ । ସମସ୍ତେ ଏକ ମନ ଏକ ପ୍ରାଣରେ ସାଂଗଠିନକ ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇଛନ୍ତି । ସେହିପରି ଧର୍ମ ନିରପେକ୍ଷତାରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ଏହି ଆଭିମୁଖ୍ୟ ନେଇ ବିଜୁ ଜନତା ଦଳ ଗଠନ ହୋଇଥିଲା । ଧର୍ମ ନିରପେକ୍ଷତାକୁ ଆଗକୁ ନେଇ ଦଳ କିପରି ଯିବ, ତାକୁ ଏବେ ଆହୁରି ଗୁରୁତ୍ବ ଦିଆଯାଉଛି ।

ସବୁବେଳେ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ଆସିଛି ବିଜେଡି । ଯେ କୌଣସି ରାଜନୈତିକ ଦଳ ଶୃଙ୍ଖଳା ଭିତରେ କାର୍ଯ୍ୟ କଲେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବେ । ତେଣୁ ଶୃଙ୍ଖଳିତ ଭାବେ କାମ କଲେ ପୁଣି ଥରେ କ୍ଷମତାକୁ ଫେରିବେ ବୋଲି ବିଶ୍ବାସ ରଖିଛନ୍ତି ବିଜେଡି ନେତା । ଦଳ ଭିତରେ ମତାନ୍ତର ମନାନ୍ତର ଥାଏ । ଏହାକୁ ଆଗକୁ ନେଇ ଚାଲିଲେ ଦଳ ଚାଲିବ । ଏ ସବୁ କିଛି ଦଳୀୟ ଶୃଙ୍ଖଳା ଉପରେ ନିର୍ଭର କରେ ।

ପୋଲାଭରମ ପ୍ରକଳ୍ପ: ଶୋଇଛି ଓଡ଼ିଶା, ଧମକାଇ କ୍ଷତି ଭରଣାରେ ସଫଳ ହେଉଛି ତେଲେଙ୍ଗାନା

ନନ୍ଦିଘୋଷ ବ୍ୟୁରୋ: ଅଳ୍ପ କ୍ଷତି ସହିବାକୁ ଥିବା ତେଲେଙ୍ଗାନା ଧମକାଇ ନିଜର ହକ ହାସଲ କରୁଛି । କିନ୍ତୁ ଡବଲ ଇଞ୍ଜିନ ସରକାର ଥାଇ ଓଡିଶା ବୁଡିବାକୁ ଦିନ ଗଣୁଛି । ପୋଲାଭରମ ପ୍ରକଳ୍ପକୁ ନେଇ ଏମିତି ସାଙ୍ଘାତିକ କଥା ପଦାକୁ ଆସିଛି । ପୋଲାଭରମ ପ୍ରକଳ୍ପ ଯୋଗୁଁ ତେଲଙ୍ଗାନାର କେତେ କ୍ଷତି ହେବ ସେ ନେଇ ଏକ ସ୍ୱାଧୀନ ଷ୍ଟଡି କରାଇବାରେ ତେଲଙ୍ଗାନା ସରକାର ସଫଳ ହୋଇଛନ୍ତି । ହେଲେ ଓଡ଼ିଶା ସରକାରଙ୍କ ନୀରବ ଭୂମିକାକୁ ନେଇ ବର୍ଷିଛନ୍ତି ରାଜନୈତକ ଦଳ ଓ ବିଭିନ୍ନ ସଂଗଠନ । ବିଜେଡିର କହିବା କଥା ଏନଜିଟି ରାୟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଧାର କରି ବର୍ତ୍ତମାନ ତେଲଙ୍ଗାନା ସରକାର ଧମକାଇ କାମ ହାସଲ କରୁଛନ୍ତି, କିନ୍ତୁ ଓଡିଶା ସରକାର ଚୁପ ।

ପୋଲାଭରମ ପ୍ରକଳ୍ପକୁ ନେଇ ଶୋଇଛି ଓଡିଶା । ସେପଟେ ନିଜର କ୍ଷତି ଭରଣା ପାଇଁ ଧମକାଇ ସଫଳ ହୋଇଛି ତେଲଙ୍ଗାନା । ପ୍ରକଳ୍ପ ଯୋଗୁଁ ତେଲେଙ୍ଗାନାର କେତେ କ୍ଷତି ହେବ ସେ ନେଇ ଏକ ସ୍ୱାଧୀନ ଷ୍ଟଡି କରାଇବାରେ ତେଲେଙ୍ଗାନା ସରକାର ସଫଳ ହୋଇଛନ୍ତି । କିନ୍ତୁ ଅଧିକ କ୍ଷତି ସହିବାକୁ ଥିବା ଓଡିଶା ସରକାର ଏବେ ବି କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜଳ ବିଶେଷଜ୍ଞ । ଗ୍ରୀନ ଟ୍ରିବୁନାଲ ତେଲେଙ୍ଗାନା ସମେତ ଓଡିଶା ଓ ଛତିଶଗଡର କ୍ଷୟକ୍ଷତି ଆକଳନ ନେଇ କହିଥିଲା । ପ୍ରକଳ୍ପ ଉଚ୍ଚତା ୧୫୦ ଫୁଟ ହୋଇଥିବାରୁ ୫୦ ଲକ୍ଷ କ୍ୟୁସେକ ଫ୍ଲଡ଼ ୱାଟର ଆସିବାର ଆକଳନ ହୋଇଛି । ଓଡ଼ିଶାର ମାଲକାନଗିରିର ମୋଟୁ ନିକଟରେ ୧୯୪ ଫୁଟରୁ ଅଧିକ ପଛୁଆ ଜଳ ଆସିବ । ତେଣୁ ଏକାସାଙ୍ଗରେ କ୍ଷୟକ୍ଷତି ଆକଲନ ପାଇଁ ଓଡିଶା ସରକାର ତୁରନ୍ତ ଚାପ ପ୍ରୟୋଗ କରନ୍ତୁ ବୋଲି ଦାବି ହୋଇଛି । ଓଡ଼ିଶା ସରକାର ତୁରନ୍ତ ମ୍ୟାପିଂ କରନ୍ତୁ । ଆନ୍ଧ୍ର ସରକାର ଓ ପୋଲାଭରମ ପ୍ରକଳ୍ପ ଅଥରିଟିଙ୍କ ସହ ଆଲୋଚନା କରି ତେଲଙ୍ଗାନା ଭଳି କରନ୍ତୁ ବୋଲି ଦାବି ହୋଇଛି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଟି ଚୁପ ନ ରଖି ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଏବେ ହିଁ ଗର୍ଜନ କରନ୍ତୁ ବୋଲି ଦାବି ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନିଜେ କିଛି କରିପାରୁ ନାହାନ୍ତି । ତେଣୁ ଓଡ଼ିଶାର ସ୍ୱାର୍ଥ ପାଇଁ ଯିଏ ଗର୍ଜିବ ତାଙ୍କୁ ଦାୟିତ୍ୱ ଦିଆଯାଉ । ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି ଜଳ ବିଶେଷଜ୍ଞ । ଟ୍ରିପଲ ଇଞ୍ଜିନ ସରକାରରେ ଓଡିଶା ସରକାର ଆଡ଼ଭେଣ୍ଟଜ ପୋଜିସନରେ ରହିଛନ୍ତି । କିନ୍ତୁ ବାରମ୍ବାର ବିରୋଧୀଙ୍କ ଆନ୍ଦୋଳନ ଓ ପ୍ରତିବାଦ ସତ୍ତ୍ୱେ ରାଜ୍ୟ ବିଜେପି ସରକାର ଏବେ ବି ଚୁପ । ଏହାକୁ ନେଇ ଗର୍ଜିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ବିଜେଡିର କହିବା କଥା ଏନଜିଟି ରାୟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଧାର କରି ବର୍ତ୍ତମାନ ତେଲଙ୍ଗାନା ସରକାର ଧମକାଇ କାମ ହାସଲ କରୁଛନ୍ତି, କିନ୍ତୁ ଓଡିଶା ସରକାର ଚୁପ। ପୋଲାଭରମ ପ୍ରକଳ୍ପ ଦ୍ବାରା ଆଦିବାସୀ ଅଞ୍ଚଳ ପ୍ରଭାବିତ ହେବ । ରାଜ୍ୟବାସୀ ବିଜେପି ସରକାରକୁ କେବେ କ୍ଷମା ଦେବେ ନାହିଁ ବୋଲି କହିଛି ବିଜେଡି । ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଆମ ଜନତା ଅଧିକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଏସ ଥିଲା । ସେ କମ କହୁଥିଲେ ଓ ସବୁ କାମରେ ଦେଖାଉଥିଲେ । ଜାତୀୟ ରାଜନୀତିରେ ତାଙ୍କ କଥାର ଓଜନ ଓ ଦମଦାର ଥିଲା । କିନ୍ତୁ ଏବେ ଏଠି କେବଳ ଭାଷଣ ଚାଲିଛି ବୋଲି କହିଛି ସଂଗଠନ ।

କେନ୍ଦ୍ର ସରକାରଙ୍କୁ ଘାରିଛି ଟ୍ରେଜେରୀ ଚିନ୍ତା: ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କାରେ ଲୋକେ

ନନ୍ଦିଘୋଷ ବ୍ୟୁରୋ: ନିଜ ଟ୍ରେଜେରୀ ଭରିବେ ସିନା ଲୋକଙ୍କୁ ଟଙ୍କାଟିଏ ଛାଡ଼ିବେନି । ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଉପରେ ସ୍ବତନ୍ତ୍ର ଅତିରିକ୍ତ ଉତ୍ପାଦନ ଶୁଳ୍କ ୨ ଟଙ୍କା ବୃଦ୍ଧି କଲା କେନ୍ଦ୍ର । ସିଧା ଏହି ଅର୍ଥ କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯିବ । ହେଲେ ଲୋକେ କିନ୍ତୁ ଯେଉଁ ମହଙ୍ଗା ମାଡ଼ର ଶିକାର ହେଉଥିଲେ ସେପରି ହେଉଛନ୍ତି । ଅଶୋଧିତ ତୈଳ ଦର ଏବେ କମି ୬୩ ଡଲାରରେ ପହଞ୍ଚିଲାଣି । ଅଭିଯୋଗ ହୋଇଛି, କାଳେ ଲୋକଙ୍କ ଭିତରେ ଖୁଚୁରା ଦର କମିବା ନେଇ ଦାବି ଉଠିବ । ସେଥିପାଇଁ ବିପଣନ କମ୍ପାନୀଙ୍କ ଉପରେ ଶୁଳ୍କ ବୃଦ୍ଧି କରି ଖୁଚୁରା ଦର ଅପରିବର୍ତ୍ତିତ ରଖିଛନ୍ତି ସରକାର । ଆସନ୍ତା ଦିନରେ ଯେତେବେଳେ ଅଶୋଧିତ ତୈଳ ଦର ବଢିଯିବ ତାକୁ ବାହାନା କରି ଖୁଚୁରା ଦର ପୁଣି ବଢାଇବାକୁ ଚକ୍ରାନ୍ତ କରିଛି କେନ୍ଦ୍ର ।

ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଖସି ଖସି ୬୩ ଡଲାରରେ ପହଞ୍ଚିଲାଣି । କାଳେ ଲୋକେ ଖୁଚୁରା ତୈଳ ଦର ଶସ୍ତା କରିବାକୁ ସ୍ବର ଉଠାଇବେ, ତା’ପୂର୍ବରୁ ଗତ ସୋମବାର ସ୍ବତନ୍ତ୍ର ଉତ୍ପାଦ ଶୁଳ୍କକୁ ପେଟ୍ରୋଲ ଉପରେ ୧୧ ଟଙ୍କାରୁ ୧୩ ଟଙ୍କା ଓ ଡିଜେଲ ଉପରେ ୮ ଟଙ୍କାରୁ ୧୦ ଟଙ୍କା ବୃଦ୍ଧି କରିଦିଆଗଲା । ଏହି ଅର୍ଥ ରାଜ୍ୟ ଅଂଶ ବାବଦରେ ଡିଭିଜିବିଲ ପୁଲକୁ ନ ଯାଇ ସିଧା ଯିବ କେନ୍ଦ୍ର ସରକାରଙ୍କ ପାଣ୍ଠିକୁ । କେନ୍ଦ୍ର ସରକାର ବାର୍ଷିକ ଏପରି ଟିକସ ବାବଦରେ ପାଉଛନ୍ତି ୫ରୁ ୬ ଲକ୍ଷ କୋଟି ଟଙ୍କା । ଆମେରିକା ଟାରିଫ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ଲଗାତାର ଖସି ଚାଲିଛି । ଯେତେବେଳେ ବଢିବ, ପୁଣି ଥରେ ଏହାକୁ ଆଳ କରି ଖୁଚୁରା ଦର ବଢାଇବେ ବୋଲି ଅଭିଯୋଗ ହୋଇଛି । ଗତ ସୋମବାର ତେଲ ଉପରେ ଉତ୍ପାଦ ଶୁଳ୍କ ବଢିବାର ୫ ମିନିଟ୍ ଭିତରେ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ ୫୦ ଟଙ୍କା ବଢିଲା । LPG କ’ଣ ପେଟ୍ରୋଲିୟମ୍ ଉତ୍ପାଦନ ନୁହେଁ କି ବୋଲି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।

ଲଗାତାର ୭୦ରୁ ୮୦ ଡଲାର ବ୍ୟାରେଲ ଥିବାବେଳେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ବମ୍ପର ଲାଭ କରିଆସୁଛନ୍ତି । ଏବେ ଯେତେବେଳେ ଦର ୬୦ରୁ ୬୫ ଡଲାର ଭିତରେ ରହୁଛି ସେତେବେଳେ କମ୍ପାନୀଙ୍କ ଲାଭ କାହିଁରେ କେତେ । କୋଭିଡ ପୂର୍ବ ସ୍ଥିତିରେ ପେଟ୍ରୋଲ ଲିଟର ଉପରେ କେନ୍ଦ୍ର ସରକାର ୨୨ ଟଙ୍କା ୯୦ ପଇସା ଓ ଡିଜେଲ ଉପରେ ୧୮.୯୦ ପଇସା ଉତ୍ପାଦ ଶୁଳ୍କ ନେଉଥିଲେ । ଏବେ ୨ ଟଙ୍କା ବଢିବା ଦ୍ବାରା ପେଟ୍ରୋଲ ଉତ୍ପାଦ ଶୁଳ୍କ ମୋଟ ୨୧ ଟଙ୍କା ୯୦ ପଇସା ଓ ଡିଜେଲ ଉପରେ କେନ୍ଦ୍ର ସରକାର ନେଉଛନ୍ତି ୧୭ ଟଙ୍କା ୮୦ ପଇସା ଉତ୍ପାଦ ଶୁଳ୍କ । ମାତ୍ର କୋଭିଡ ପୂର୍ବ ସ୍ଥିତିର ଉତ୍ପାଦ ଶୁଳ୍କ ପରିମାଣଠାରୁ ୧ ଟଙ୍କା କମ ।  ଖୋଦ ଡିଲର ଆସୋସିଏସନ୍ କହିବା କଥା । ଯଦି ଆହୁରି ଅଶୋଧିତ ତୈଳ ଦର କମିବ ତା’ହେଲେ କେନ୍ଦ୍ର ସରକାର ପୁଣିଥରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିପାରନ୍ତି, କିନ୍ତୁ ଦର ଅପରିବର୍ତ୍ତିତ ରହିବ । ଯଦି ବ୍ୟାରେଲ ୬୦ ଡଲାର ଭିତରେ ସ୍ଥିର ରହିବ ତା’ହେଲେ ଖୁଚୁର ଦାର କମିବା ପାଇଁ ପଦକ୍ଷେପ ନେଇପାରନ୍ତି ।

ଏସବୁ କଥାରୁ ଜଣାପଡ଼ୁଛି, ସାଧାରଣ ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି କରିବା ଯେପରି କେନ୍ଦ୍ର ସରକାରଙ୍କ ନୈତିକ ଦାୟିତ୍ବ ନୁହେଁ । ବିକଶିତ ଭାରତ ଦ୍ବାହି ଦେଇ ଲୋକଙ୍କୁ ଏକ ପ୍ରକାର ଶୋଷିବା ଭଳି ସ୍ଥିତି ଆଡ଼କୁ ଠେଲି ଦେଉଛନ୍ତି କେନ୍ଦ୍ର ସରକାର ?

ଚୈତ୍ର ପର୍ବ: ମାଆ ତାରିଣୀ ଓ ମାଆ ମଝି ଘରିଆଣିଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ରାୟଗଡ଼ା: କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ ଏବଂ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ପାଖରେ ଆରମ୍ଭ ହୋଇ ସାରିଛି ଚୈତ୍ର ପର୍ବ । ଦୁଇ ପୀଠରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ମାଆଙ୍କ ସୁନା ବେଶ ଦେଖିବା ପାଇଁ ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।  ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥଇବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି ମାଆ ତାରିଙ୍କ ଚୈତ୍ର ପର୍ବର ଦ୍ବିତୀୟ ଦିନ । ମାଆଙ୍କ ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ ପରେ ରୀତିକାନ୍ତିରେ ଷୋଡ଼ଶ ଉପଚାର ପୂଜା ହୋଇଥିଲା । ଏହାପରେ ସୁନା ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । ୧୯୩୬ ମସିହାରୁ ମାଆଙ୍କ ଏହି ଚଇତି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଆସୁଛି । ସାତଦିନ ଦିନ ବ୍ୟାପୀ ପାଳିତ ଏହି ପର୍ବରେ ଧାଡ଼ିରେ ଆସି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାଆଙ୍କ ସୁନାବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଛି । ୫ ଦିନ ହେବ ମାଆ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କ ଦର୍ଶନ ପାଇଁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ରାଜ୍ୟରୁ ଭକ୍ତଙ୍କ ଭିଡ଼ ଜମୁଛି । ମାଆଙ୍କ ନିକଟରେ ଶ୍ରଦ୍ଧାଳୁ ଛେଳି, କୁକୁଡ଼ା ବଳି ଦେଉଥିବା ବେଳେ ମାନସିକଧାରୀ ମୁଣ୍ଡନ କରାଉଛନ୍ତି । ମାଆଙ୍କ ଏହି ପର୍ବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନରେ ପୂଜକ କଣ୍ଟା ଦୋଳିରେ ଝୁଲିବା ସହ ନିଆଁରେ ଚାଲିବେ । ଏହାସହ ଚରୁ ବିତରଣ କରାଯିବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ରହଣି ନିମନ୍ତେ ଅସ୍ଥାୟୀ ଶିବିର, ମାଗଣା ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଛି । ରେଳ ଷ୍ଟେସନରୁ ବସ ଷ୍ଟାଣ୍ଡରୁ ନେବା ଆଣିବା ପାଇଁ ମାଗଣା ବସ୍ ସେବା ବ୍ୟବସ୍ଥା ହୋଇଛି ।

ଆସନ୍ତାକାଲି ଛେନାପୋଡ଼ ଦିବସ: କାହା ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଏ ଓ କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ଛେନାପୋଡ଼ କଥା ଆସିଲେ ସମସ୍ତଙ୍କ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ଏହି ସୁସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରୁ ସୃଷ୍ଟି । ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ତେବେ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ଓ ତାଙ୍କ ଜନ୍ମଦିନ କାହିଁକି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି ।

ରାତି ପାହିଲେ ଛେନାପୋଡ଼ ଦିବସ । ମିଠା ଦୋକାନରେ ସଜେଇ ହୋଇ ରଖଯାଇ ସାରିଛି ଭିନ୍ନ ଭିନ୍ନ ସାଇଜର ଛେନାପୋଡ଼ । ସାରା ରାଜ୍ୟରେ ଛେନାପୋଡ଼ ଦିବସକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ । ଅଳ୍ପ ହେଉ କି ବହୁତ, କାଲି ଟିକେ ଛେନାପୋଡ଼ ଘରକୁ ନେବାକୁ ସମସ୍ତେ ଅନାଇ ବସିଛନ୍ତି । ତେବେ ଜାଣିଛନ୍ତି କି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି । ଏହି ସୁସ୍ବାଦୁ ମିଠାକୁ ସ୍ବ;ଜତ ସାହୁ ହିଁ ନିଜ ହାତରେ ପ୍ରଥମ ରୂପ ଦେଇଥିଲେ । ତେଣୁ ତାଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି ।

ସେପଟେ ଉତ୍ସବ ପାଳନ ପାଇଁ ନୟାଗଡ଼ରେ ଜୋରଦାର ପ୍ରସ୍ତୁତି ଚାଲିଛି । ଛେନାପୋଡ଼ ପ୍ରସ୍ତୁତି ପାଇଁ ପ୍ରଥମେ ଖୀରରୁ ଛେନା ସଂଗ୍ରହ କରାଯାଏ । ଏହାପରେ ଛେନାରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ ଓ ଗୁଜୁରାତି ଇତ୍ୟାଦି ମିଶାଇ ଏକ ରସପାତ୍ରରେ କଡ଼ା ନିଆଁ ଆଞ୍ଚରେ ବସାଇ ଦିଆଯାଏ । କିଛି ସମୟ ଆଞ୍ଚରେ ପୋଡ଼ି ହେଲା ପରେ ପ୍ରସ୍ତୁତ ହୋଇଥାଏ ଛେନାପୋଡ଼ । ଭାଗମାପରେ କିଛି ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।

ନୟାଗଡ଼ ଛେନାପୋଡ଼ ଏବେ ଅନେକଙ୍କ ବ୍ୟବସାୟର ମାଧ୍ୟମ ପାଲଟିଛି । ନୟାଗଡ଼ ଛେନାପୋଡ଼ର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି । ହେଲେ ଆଜିଯାଏଁ ଛେନାପୋଡ଼କୁ ଜିଆଇ ଟ୍ୟାଗ ମିଳିପାରିନାହିଁ ।

୧୯୪୭ ମସିହାରେ ସୁଦର୍ଶନ ସାହୁ ପ୍ରଥମେ ନିଜ ଗାଁ ଦଶପଲ୍ଲା ସାତପାଟଣାରୁ ଆସି ନୟାଗଡ଼ ବଜାରରେ ମିଠା ଦୋକାନଟିଏ କରିଥିଲେ । ଦିନେ ତାଙ୍କର କିଛି ଛେନା ବଳି ପଡ଼ିଥିଲା । ବଳକା ଛେନାକୁ କ’ଣ କରିବେ ଭାବୁ ଭାବୁ, ହଠାତ୍ ଗୋଟିଏ ଅଜବ ବୁଦ୍ଧି ତାଙ୍କ ମୁଣ୍ଡକୁ ଜୁଟିଥିଲା । ବିରି ପୋଡ଼ପିଠା ଭଳି ଛେନାରେ କିଛି ଚିନି ଓ ଚାଉଳ ଚୁନା ମିଶାଇ ତାହାକୁ ଚକଟି କଦଳୀପତ୍ରରେ ଗୁଡ଼ାଇ ରାତିରେ ନିଆଁ ଆଞ୍ଚରେ ବସାଇ ଦେଇଥିଲେ । ସକାଳକୁ ତାହା ବେଶ୍ ସ୍ଵାଦିଷ୍ଟ ଲାଗିବା ସହିତ ପରବର୍ତ୍ତୀ ଅବସ୍ଥାରେ ମିଠା ଜଗତରେ ମଉଡ଼ମଣି ‘ଛେନାପୋଡ଼’ ପାଲଟିଗଲା ।

ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟ । ଓଡିଶାବାସୀଙ୍କ ଗର୍ବ ଓ ଗୌରବ ପାଲଟିଥିବା ଛେନାପୋଡ଼କୁ ଜିଆଇ ଟ୍ୟାଗ ବା ଭୌଗଳିକ ସ୍ବୀକୃତି ପାଇଁ ଦାବି ହୋଇ ଆସୁଛି । ହେଲେ ଏହି ଦାବି କେବେ ପୂରଣ ହେବ ଦେଖିବାକୁ ବାକି ରହିଲା ।

ନିଜ ଭୁଲ ଲୁଚାଇବାକୁ ନବୀନଙ୍କୁ ଅପବାଦ ଭିତରକୁ ଟାଣୁଛନ୍ତି ପ୍ରଭାତ: ବିଜେଡି

ଭୁବନେଶ୍ବର: ନିଜର ଭୁଲ ଲୁଚାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ ତ୍ରିପାଠୀ । ପ୍ରଭାତ ପ୍ରଥମେ ୧୯୯୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ପରେ ଚିଟଫଣ୍ଡ ମାମଲାରେ ସେ ୨୦୧୪ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ପ୍ରଭାତ ତ୍ରିପାଠୀଙ୍କ ପୂର୍ବ ଭିଡିଓ ଦେଖାଇ ସେ ତାଙ୍କୁ ଟାର୍ଗେଟ କରିଛନ୍ତି ।  ପ୍ରଭାତ ବିଜେଡିର ସଦସ୍ୟ ନୁହଁନ୍ତି ବୋଲି କହୁଛନ୍ତି । ତେବେ କେଉଁ ପ୍ରତିକ୍ରିୟା ସତ୍ୟ ବୋଲି ପ୍ରଶ୍ନ କରିଛି ବିଜେଡି । ଜଣେ ବରିଷ୍ଠ ନେତା ଯେତେବେଳେ ମତ ରଖୁଛନ୍ତି ତାହା ତଥ୍ୟ ଆଧାରିତ ହେବା ଉଚିତ । ହାଇକୋର୍ଟଙ୍କ ଅର୍ଡରରେ ସ୍ପଷ୍ଟ ଭାବେ ଲେଖା ହୋଇଛି, କେସ ଖାରଜ ପାଇଁ ସେ କରିଥିବା ପିଟିସନକୁ ହାଇକୋର୍ଟ ଖାରଜ କରିଛନ୍ତି । ନିଜର ଭୁଲ ଲୁଚେଇବାକୁ ନବୀନଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ବୋଲି ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ଲେନିନ୍ ।