ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦୀପାବଳି ପୂର୍ବରୁ ନିଜର କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ପୁଣି ୩ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମହଙ୍ଗା ଭତ୍ତା ବା ଡିଏ ୩ ପ୍ରତିଶତ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି। ଏହାପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବଢ଼ିଥିଲା। ଦେଶରେ ଦେଖା ଯାଇଥିବା ମହାଙ୍ଗା ମାଡ଼ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ଷକ ମଧ୍ୟରେ ଦୁଇ ଥର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ପୂର୍ବରୁ ସେମାନଙ୍କୁ ୫୮% ଡିଏ ମିଳୁଥିଲା। ଏହା ଏପ୍ରିଲରେ ୬୦% ଓ ଏବେ ୬୩% ହୋଇଯାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ।
ସରକାରଙ୍କୁ ଏଥିପାଇଁ ବାର୍ଷିକ ଅଧିକ ୧୦ ହଜାର ୧୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବର୍ଦ୍ଧିତ ମହଙ୍ଗା ଭତ୍ତା କେବଳ ବେତନଭୋଗୀ ନୁହନ୍ତି, ବରଂ ପେନସନଧାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରାୟ ୧ କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ଦେବ। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି ପାଇବାର ଅର୍ଥ ଲେଭଲ ୧ର କର୍ମଚାରୀମାନେ ଏଣିକି ୧୧,୩୪୦ ଟଙ୍କା ପାଇବେ। ୬୦% ମହଙ୍ଗା ଭତ୍ତା ହିସାବରେ ସେମାନଙ୍କୁ ୧୦,୮୦୦ ଟଙ୍କା ମିଳୁଥିଲା। ଏବେ ସେମାନେ ଅଧିକ ୫୪୦ ଟଙ୍କା ମହଙ୍ଗା ଭତ୍ତା ଆକାରରେ ପାଇବେ

