spot_img
Home Blog Page 857

ଚାଲବାଜ୍ ମହିଳାଙ୍କ ଚାଲାକି ଦେଖି ତାଜୁବ ପୋଲିସ, ଖାକି ପିନ୍ଧି ପୋଲିସ ବେଶରେ ପୋଲିସକୁ ଦେଉଥିଲା ଚକମା

କେନ୍ଦୁଝର: ବନ୍ଧୁ ସାଜିଲା ବଇରୀ । ସୋସିଆଲ ମିଡ଼ିଆ ବନ୍ଧୁତ୍ୱ ହେଲା କାଳ । ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ । ବନ୍ଧୁତା ଆଳରେ ଠକେଇ କରୁଥିବା ଠକଙ୍କ ଠାରୁ ଦୂରେଇ ରୁହନ୍ତୁ । ପ୍ରଥମେ ନିଜର ଦାରିଦ୍ର୍ୟ ଓ ସ୍ୱାସ୍ଥ୍ୟ ଗତ ଅସୁବିଧା ଜଣାଇ ଟଙ୍କା ଟଙ୍କା ନେଉଛନ୍ତି ଓ ପରେ ଟଙ୍କା ମାଗିଲେ ଧମକ ଦେଉଛନ୍ତି ।

ଚାଲବାଜ୍ ମହିଳାଙ୍କ ଚାଲାକି ଦେଖି ତାଜୁବ ପୋଲିସ । ଖାକି ପିନ୍ଧି ପୋଲିସ ବେଶରେ ପୋଲିସକୁ ଦେଉଥିଲା ଚକମା । କେନ୍ଦୁଝରରୁ କରିତକର୍ମା ମହିଳାକୁ ବାନ୍ଧିଲା କମିଶନରେଟ ପୋଲିସ। ଏଭଳି ଏକ ଘଟଣାରେ ସାଇବର ଥାନା ପୋଲିସ ସଂଯୁକ୍ତା ଭୂୟାଁକୁ ଗିରଫ କରିଛି । ଫେସବୁକରେ ବନ୍ଧୁତା ଯୋଗୁଁ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରର ବିଷ୍ଣୁ ପ୍ରସାଦ ମୁଦୁଲି ୮ ଲକ୍ଷ ୭୫ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଯାହାକୁ ନେଇ ସାଇବର ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ନଶୁଣିବାରୁ ଗତ ଶୁକ୍ରବାର ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାରବର୍ଗ। ଠକ ମହିଳା ଜଣଙ୍କ ପ୍ରୋଫାଇରେ ପୋଲିସ ଆଇଆଇସିଙ୍କ ଫଟୋ ରଖି ଠକେଇ କରୁଥିବା ଜାଣିବାକୁ ପାଇଛି ପୋଲିସ।

ପୋଲିସର ସୂଚନା ମୁତାବକ ଜାନୁଆରୀ ୨୭ ତାରିଖ ଦିନ ସାଇବର ଥାନାରେ ଏନେଇ ଏତଲା ହୋଇଥିଲା। କରିତକର୍ମା ମହିଳା ଜଣଙ୍କ ନିଜକୁ କେନ୍ଦୁଝର ଟାଉନ ଥାନା ଅଧିକାରୀ କହୁଥିଲେ। ଏପରିକି ବାରମ୍ବାର ଟଙ୍କା ମାଗି ଫୋନ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ସେପଟେ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଜଣେ ପୋଲିସ କନଷ୍ଟେବଳ ବୋଲି ଜାଣିବା ପରେ କମିଶନରେଟ ପୋଲିସର ଅକଲ ଗୁଡୁମ ହୋଇଛି । ତେବେ ମହିଳା ଜଣଙ୍କୁ ରିମାଣ୍ଡରେ ଆଣିବା ପରେ ସେ ଏହିଭଳି ଆଉ କାହାକୁ ଠକିଛନ୍ତି କି ନାହିଁ ସେ ନେଇ ଅଧିକ ତଥ୍ୟ ମିଳିବ ବୋଲି କହିଛନ୍ତି ଏସିପି।

ଲାଗିଛି ଷ୍ଟାଣ୍ଡପୋଷ୍ଟ, ଆସୁନି ପାଣି: ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ

କେନ୍ଦୁଝର: ପ୍ରତି ଘର ଆଗରେ ଲାଗିଛି ଷ୍ଟାଣ୍ଡପୋଷ୍ଟ, ହେଲେ ପାଣି ନାହିଁ। ଯେଉଁ ତିନୋଟି ନଳକୂପ ରହିଛି ସେଥିରୁ ଦୁଇଟି ଅଚଳ। ଗୋଟିଏରୁ ବାହାରୁଛି ଗୋଳିଆ ପାଣି। ଜଳକଷ୍ଟ ଭୋଗୁଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଳକ ସୁନାପଶି ପଞ୍ଚାୟତ ସରାଶପଶି ନୂଆସାହି ଲୋକେ। ଗାଁରେ ତିନୋଟି ନଳକୂପ ଥିବାବେଳେ ସେଥିମଧ୍ଯରୁ ଦୁଇଟି ନଳକୂପ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି । ଗୋଟିଏ ନଳକୂପରୁ ଗୋଳିଆ ପାଣି ବାହାରୁଛି। ବାଧ୍ଯହୋଇ ଲାଲ ପାଣି ପିଇ ଜୀବନ ବିତାଉଛନ୍ତି ୫୦ ରୁ ଅଧିକ ପରିବାର। ନଳକୂଅ ମରାମତି ସହିତ ସାହିକୁ ପାଇପ ପାଣି ଯେlଗାଇଦେବାକୁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ଦ୍ଵାରସ୍ଥ ହୋଇଛନ୍ତି। ହେଲେ କେହି ଗୁରୁତ୍ଵ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ନୂଆସାହିର ପାଖ ଗାଁ ମିରିଗିସିଗାଂ ଠାରେ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ଏଠାରୁ ସାରା ଜିଲ୍ଲାକୁ ପାଣି ଯୋଗାଇ ଦିଆଯାଉଛି l ମାତ୍ର ନୂଆସାହିକୁ ପାଣି ପହଞ୍ଚିପାରୁନି। ଗାଁ କୁ ଆସୁଥିବା ପାଣି ଗାଁ ପାଖ ନାଳରେ ଅନବରତ ଭାସି ଯାଉଥିବାରୁ ସାହିକୁ ପାଣି ପହଞ୍ଚି ପାରୁନାହିଁ। ବାଧ୍ୟହୋଇ ଗୋଳିଆ ପାଣି ପିଉଛନ୍ତି ଲୋକେ। ଅନ୍ୟପଟେ ସହକାରୀ ଯନ୍ତ୍ରୀ କହିଛନ୍ତି । ଗାଁ ଲେlକ ପାଣି ଟ୍ୟାପ ଖେlଲା ରଖୁଥିବାରୁ ନୂଆ ସାହିକୁ ପାଣି ପହଞ୍ଚି ପାରୁନାହିଁ । ଶୀଘ୍ର ଏହାର ସମାଧାନ କରି ସାହିକୁ ପାଣି ଯୋଗାଇ ଦିଆଯିବ।

ତେବେ ଲୋକଙ୍କ ପାଣି ସମସ୍ଯାର କେବେ ସମାଧାନ ହେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଶ୍ଵଶୁର ଘରେ ବୋମା ମାଡ଼ ଅଭିଯୋଗରେ ଜ୍ଵାଇଁ ଗିରଫ

କଟକ: ନରସିଂହପୁର ମୁସଲିମ ବସ୍ତିରେ ପୁଣି ଥରେ ଶ୍ଵଶୁର ଘରକୁ ବୋମାମାଡ଼ କରିବାକୁ ଆସିଥିବା ଜ୍ବାଇଁ ଅବଦୁଲ ମନସୁରକୁ ଗିରଫ କରିଛି ନରସିଂହପୁର ପୋଲିସ୍। ଚାରିଟି ଅଫୁଟା ବୋମା ଜବତ ହୋଇଛି।

ସୂଚନା ଅନୁଯାୟୀ, ନରସିଂହପୁର ସୁଲତାନ ମହମ୍ମଦଙ୍କ ଜ୍ୱାଇଁ ଅବଦୁଲ ମନସୁର ଗତ ୬ ତାରିଖ ଦିନ କିଛି ସହଯୋଗୀଙ୍କୁ ନେଇ ଦୁଇଟି ବାଇକରେ ଚାରିଜଣ ଆସି ନରସିଂହପୁର ମୁସଲମାନ ବସ୍ତିରେ ଦୁଇଟି ବୋମା ପକାଇଥିବା ଅଭିଯୋଗ ହୋଇଥିଲା। ଫଳରେ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ପୁଣି ଥରେ ଶ୍ଵଶୁର ଘରେ ବୋମାମାଡ଼ କରିବାକୁ ଆସିଥିବା ଜ୍ବାଇଁ ଅବଦୁଲ ମନସୁରକୁ କାନପୁର ଥାନା ଅନ୍ତର୍ଗତ ବାଗଧରିଆ ନିକଟରୁ ଗିରଫ କରିଛି ନରସିଂହପୁର ପୋଲିସ। ଚାରିଟି ଅଫୁଟା ବୋମା ଜବତ କରି ନିଷ୍କ୍ରିୟ କରିଥିବା ସୂଚନା ମିଳିଛି।

ମୁର୍ଶିଦାବାଦ ଛାଡ଼ିଲେ ୫୦୦ ଲୋକ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବ୍ୟାପକ ହିଂସା ଲାଗି ରହିଛି । ହିଂସାକୁ ନେଇ ଏପର୍ଯ୍ୟନ୍ତ ପାଞ୍ଚ ଶହ ଲୋକ ମୁର୍ଶିଦାବାଦ ଛାଡ଼ି ମାଲଦାକୁ ଚାଲିଯାଇଛନ୍ତି। ପଳାୟନ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଶରଣାର୍ଥୀମାନେ ଗ୍ରାମୀଣ ମାଲଦାର ଏକ ସ୍କୁଲରେ ଆଶ୍ରୟ ନେଇଛନ୍ତି।

ପଳାୟନ ଗ୍ରାମବାସୀମାନେ ମାଲଦାର ପରଲାଲପୁର ହାଇସ୍କୁଲରେ ଆଶ୍ରୟ ନେଇଛନ୍ତି। ଏହି ସ୍କୁଲରେ ପ୍ରାୟ ୫୦୦  ଲୋକ ଆଶ୍ରୟ ନେଇଛନ୍ତି। ଏମାନଙ୍କ ମଧ୍ୟରେ ମୁଖ୍ୟତଃ ମହିଳା ଏବଂ ପିଲାମାନେ ଅନ୍ତର୍ଭୁକ୍ତ ।

ଗାଁ ଲୋକେଙ୍କ କହିବା ଅନୁଯାୟୀ, ସେମାନେ ନିଜ ଘର ଛାଡି ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ମାଲଦାରେ ପହଞ୍ଚିଥିଲେ। ଏହି ଲୋକମାନଙ୍କ ମଧ୍ୟରେ ୩ ଦିନର ନବଜାତ ଶିଶୁଠାରୁ ଆରମ୍ଭ କରି ବୟସ୍କ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି। ସ୍ଥାନୀୟ ଲୋକମାନେ ଏହି ଲୋକମାନଙ୍କୁ ଆଶ୍ରୟ ଦେଇଛନ୍ତି ଏବଂ ସେମାନଙ୍କୁ ଖାଇବାକୁ ମଧ୍ୟ ଦେଉଛନ୍ତି। ଲୋକଙ୍କ ଆସିବା ବନ୍ଦ ହୋଇନାହିଁ।

ଏହି ଶରଣାର୍ଥୀମାନେ ମାଲଦାର ଏକ ହାଇସ୍କୁଲର ଶ୍ରେଣୀଗୃହରେ ଆଶ୍ରୟ ନେଇଥିବା ବେଳେ ତାଙ୍କ ସହିତ ପିଲାମାନେ ମଧ୍ୟ ଅଛନ୍ତି। ସ୍ଥାନୀୟ ଡାକ୍ତରମାନେ ସେଠାରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି ।

ଦ୍ଵିତୀୟ ଶ୍ରେଣୀ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ଆଶ୍ରମ ବିଦ୍ୟାଳୟରୁ ଦ୍ଵିତୀୟ ଶ୍ରେଣୀ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଶାଳଖୁଣ୍ଟା ଏସଏସଡି ଆଶ୍ରମ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇବା ପାଇଁ ଯିବା ସମୟରେ ମୃତ ଛାତ୍ରୀଙ୍କ ସାଙ୍ଗ ବାହାରକୁ ପରିସ୍ରା କରିବା ନିମନ୍ତେ ଆସିଥିଲେ । ଏହି ସମୟରେ ମୃତ ଛାତ୍ରୀଙ୍କୁ ବିଦ୍ୟାଳୟ ପଛରେ ଥିବା ୩ ଫୁଟ ବାଉଁଶରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ଦେଖି ମ୍ୟାଟ୍ରୋନ୍ ଏବଂ ଅନ୍ୟମାନଙ୍କୁ ଜଣାଇଥିଲେ। ଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରି ଉଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା କି ଅଘଟଣ ତାହା ଜଣାପଡିନଥିବା ବେଳେ ୩ ଫୁଟ ଉଚ୍ଚରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ସନ୍ଦେହ ସୃଷ୍ଟି କରିଛି ।

ରାଜଧାନୀରେ ଶିଶୁ ଚୋରି ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଶିଶୁ ଚୋରି ଅଭିଯୋଗ। ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଶିଶୁ ନିଖୋଜ। ଶିଶୁ ନିଖୋଜ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି ମହିଳା। ମହିଳା ଜଣକ ଭିକ୍ଷାବୃତ୍ତି କରୁଥିଲେ। ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଶିଶୁପୁତ୍ରଟି କେଉଁଆଡେ ନିଖୋଜ ହୋଇଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ କରିଛି। ନିଖୋଜ ଶିଶୁର ମା’ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ତାଙ୍କ ପିଲାକୁ କିଏ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି କିଛି ଟଙ୍କା ପାଇଁ କେହି ତାଙ୍କ ପିଲାର ଅଙ୍ଗ ତସ୍କରୀ ପାଇଁ କିଡନାପ କରିଥିବା କଥା କହିଛନ୍ତି ପିଲାର ମା’ ।

ତହବୁର ରାଣା NIA ର ହେପାଜତରେ କେମିତି କାଟୁଛନ୍ତି ଦିନ ? ରଖୁଛି ଏହି ୩ଟି ଡିମାଣ୍ଡ୍

ନନ୍ଦିଘୋଷ ବ୍ୟୁରୋ:  ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ବର୍ତ୍ତମାନ ଦିଲ୍ଲୀରେ NIA ର ହେପାଜତରେ ଅଛି। ତେବେ ସେ ସେଠାରେ କିପରି ଦିନ ବିତାଉଛନ୍ତି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି। NIA ଜେରା ଜାରି ରଖିଥିବା ବେଳେ ତହବୁର ତଦନ୍ତରେ ସାହାର୍ଯ୍ୟ କରୁଛି କି ନାହିଁ ଏନେଇ ପ୍ରଶ୍ନ ସୃଷ୍ଟି ହୋଇଛି ?  NIAର  ସୂଚନା ଅନୁଯାୟୀ, ତହବୁରର ମନୋଭାବ ସହଯୋଗପୂର୍ଣ୍ଣ ନୁହେଁ ଏବଂ ସେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇ ଦେଉଛି । ଏହା ଉପରେ NIA ହେପାଜତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ତଦନ୍ତ ବେଳେ ତହବୁର ଏନଆଇଏକୁ ତିନୋଟି ଜିନିଷ ଦାବି କରିଛି। ସେଗୁଡିକ ହେଲା କୁରାନ, କଲମ ଏବଂ କାଗଜ । ଏନେଇ ଏନଆଇଏ ଅଧିକାରୀ ସୂଚନା ଦେଇଛି ।

୨୬/୧୧ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ ତହବୁର ହୁସେନ ରାଣାଙ୍କୁ NIA ଲଗାତାର ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରିଛି। ଯାହା ଦ୍ଵାରା ୨୦୦୮ ମସିହାର ସମନ୍ୱିତ ଆକ୍ରମଣର ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇପାରିବ। ରାଣାଙ୍କୁ ନୂଆଦିଲ୍ଲୀର ସିଜି କମ୍ପ୍ଲେକ୍ସରେ ଥିବା ଏନଆଇଏ ମୁଖ୍ୟାଳୟରେ ଏକ ଉଚ୍ଚ-ସୁରକ୍ଷା ସେଲରେ ରଖାଯାଇଛି। ସେଠାରେ ସୁରକ୍ଷା କର୍ମୀମାନେ ଦିନରାତି ଜଗି ରହିଛନ୍ତି।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ରାଣାଙ୍କୁ ଅନ୍ୟ ଗିରଫ ବ୍ୟକ୍ତିଙ୍କ ପରି ବ୍ୟବହାର କରାଯାଉଛି। ତାଙ୍କୁ କୌଣସି ବିଶେଷ ସୁବିଧା ଦିଆଯାଉ ନାହିଁ। ତାଙ୍କ ଅନୁରୋଧ କ୍ରମେ ତାଙ୍କୁ କୋରାନର ଏକ କପି ଦିଆଯାଇଛି  । ସେ ରହୁଥିବା କୋଠରୀରେ ଦିନକୁ ପାଞ୍ଚ ଥର ନମାଜ ପଢୁଥିବାର ଦେଖାଯାଇଛି। ଜଣେ ଅଧିକାରୀ ରାଣାଙ୍କୁ ଜଣେ ଧାର୍ମିକ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ କୁରାନ ବ୍ୟତୀତ ରାଣା କଲମ ଏବଂ କାଗଜ ମାଗିଥିଲେ, ଯାହା ତାଙ୍କୁ ଦିଆଯାଇଥିଲା। ତଥାପି, ସେ ଯେପରି ନିଜ କ୍ଷତି କରିବା ପାଇଁ କଲମ ବ୍ୟବହାର ନ କରନ୍ତି ତାହା ନିଶ୍ଚିତ କରିବା ପାଇଁ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହା ବ୍ୟତୀତ ସେ ଅନ୍ୟ କୌଣସି ଦାବି କରିନାହାଁନ୍ତି ।

ଖଣି ଦୁର୍ନୀତିର CBI ତଦନ୍ତ ଦାବି କରିସାରିଛନ୍ତି ବିଜେଡି ନେତା ଯୋଗେଶ ସିଂ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଖଣି ଦୁର୍ନୀତି ପ୍ରସଙ୍ଗରେ ବିଜେଡି ନେତା ଯୋଗେଶ ସିଂଙ୍କ ପ୍ରତିକ୍ରିୟା। ସେ କହିଛନ୍ତି, ଖଣି ଦୁର୍ନୀତି ଏକ ବଡ ଦୁର୍ନୀତି। ଏହି ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିସାରିଛନ୍ତି। ଏହି ଦୁର୍ନୀତିରେ ସରକାର କର୍ମଚାରୀ ମଧ୍ୟ ସାମିଲ ରହିଛନ୍ତି। ଖଣି ଆମର ଜାତୀୟ ସମ୍ପତ୍ତି। ଏହାକୁ ଲୁଟ କରିଥିବା ଲୁଟେରାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସିବିଆଇ ତଦନ୍ତ ହେଲେ ହିଁ ପ୍ରକୃତି ଦୋଷୀ ଧରାପଡ଼ିବ। ସରକାର ଚାହୁଁଛନ୍ତି ମୂଲିଆ ଶ୍ରେଣୀର ଲୋକଙ୍କୁ ଧରି ମୁଖ୍ୟ ଅଭିଯୁକ୍ତଙ୍କୁ ଖସେଇ ଦେବାକୁ। ଯେଉଁମାନେ ହଜାର ହଜାର କୋଟି ଟଙ୍କା କମାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ଯୋଗେଶ।

ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତ ଓଡିଶା ପୋଲିସ

ଭୁବନେଶ୍ୱର: ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତ ଓଡିଶା ପୋଲିସ । ଆଇନଶୃଙ୍ଖଳା ଦାୟିତ୍ୱରେ ରହିବ ୨୦୦ ପ୍ଲାଟୁନ ଫୋର୍ସ। ସାରା ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି। ୬୫୦ ସିସିଟିଭି ଓ ୪୦ଟି ଡ୍ରୋନ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟର କରାଯାଉଛି । ସମ୍ବଲପୁରରେ ବଡ଼ ବଡ଼ LED ଓ ଡ୍ରୋନ ସାହାଯ୍ୟରେ ନିରୀକ୍ଷଣ କରାଯାଉଛି । ସାଦା ପୋଷାକରେ ପାଇଁତରା ମାରୁଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି । ଜିଲ୍ଲାପାଳ ଓ ଏସପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଧାର୍ମିକ ସ୍ଥଳ ଗୁଡିକରେ ପୋଲିସ ଦ୍ୱାରା ପିକେଟିଂ ଜାରି ରହିଛି । ସମ୍ବେଦନଶୀଳ ସ୍ଥାନରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଉପସ୍ଥିତ ରହିବେ। ଦେଶୀ ମଦ କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । ସୋସିଆଲ ମିଡିଆରେ ଗୁଜବ କରି ଜାତିଆଣ ମନ୍ତବ୍ୟ ଦେଉଥିବା ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ ହୋଇଛି ବୋଲି ଏଡିଜିପି ଲ’ ଆଣ୍ଡ ଅର୍ଡର ସଞ୍ଜୟ କୁମାର ସୂଚନା ଦେଇଛନ୍ତି।।

ବି.ଆର.ଆମ୍ବେଦକର ଜୟନ୍ତୀ ମଧ୍ୟ ଆସନ୍ତାକାଲି ଥିବାରୁ ନିଜେ ଚିଫ ସେକ୍ରେଟାରୀଙ୍କ ସହ ଡିଜିପି ଆଲୋଚନା କରିଛନ୍ତି ବୋଲି ଏଡିଜିପି ଲ’ ଆଣ୍ଡ ଅର୍ଡର ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

ଶିମିଳିପାଳ ପାଦଦେଶରେ ବୁଲୁଛି କଳାବାଘ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଗାଁ ପାଖ ଜଙ୍ଗଲରେ ବୁଲୁଛି କଳାବାଘ। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ବାରିପଦା ବନଖଣ୍ଡ ଅଧୀନ ବ୍ରାହ୍ମଣଗାଁ, ଚାକିଡି ଓ ତାଳବନ୍ଧ ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ବନବିଭାଗ ଏହାକୁ ଯାଞ୍ଚ କରୁଛି। ଶିମିଳିପାଳକୁ ବାଘ ଦେଖିବା ପାଇଁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବାବେଳେ ଶିମିଳିପାଳ ପାଦଦେଶରେ କଳା ବାଘ ଦେଖାଯିବା ଭଲ ଖବର ବୋଲି କୁହାଯାଉଛି। ଶିମିଳିପାଳ ଅଭୟାରଣ୍ୟ ସହିତ ପର୍ଯ୍ୟଟନକ୍ଷେତ୍ର ପାଇଁ ଏକ ଭଲ ଖବର ବୋଲି ଆଲୋଚନା ହେଉଛି।

ମାତ୍ର ଗତ କିଛିଦିନ ଧରି ବାଙ୍ଗିରିପୋଷି ରେଞ୍ଜରେ ଥିବା ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଚରିବାକୁ ଯାଉଥିବା ଗୃହପାଳିତ ପଶୁଙ୍କୁ ମାରି ଖାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଶିମିଳିପାଳ ଅଭୟାରଣ୍ୟ କର୍ତୃପକ୍ଷଙ୍କ ପକ୍ଷରୁ ଅଂଚଳରେ ଜନସଚେତନତା ସୃଷ୍ଟି କରାଯାଇ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଭିତରକୁ ଛାଡ଼ିବାକୁ ବାରଣ କରାଯାଉଛି। ମୃତ୍ୟୁ ହୋଇଥିବା ଗୃହପାଳିତ ପଶୁଙ୍କ ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।