ନନ୍ଦିଘୋଷ ବ୍ୟୁରୋ: ସୋମବାର ଖେଳାଯାଇଥିବା ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ କମାଲ କରିଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ରସିଂ ଧୋନୀ । ୧୧ ବଲରୁ ୨୬ ରନର ପାଳି ଖେଳିଥିଲେ । ତେବେ ଏହା ବଳରେ ଦଳ ସହଜରେ ବିଜୟ ହାସଲ କରିପାରିଛି । ଲଗାତାର ପରାଜୟ ବରଣ କରୁଥିବା ଧୋନୀଙ୍କ ଟିମ ଶେଷରେ ବିଜୟ ହାସଲ କରିଛି । ଦଳକୁ ବିଜୟ ପାଇଁ 30 ବଲରୁ 55 ରନ ଆବଶ୍ୟକ ଥିବା ବେଳେ CSK ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିଜକୁ ଆସିଥିଲେ। କିନ୍ତୁ ଏହା ପରେ ଧୋନି ଏପରି ଏକ ଇନିଂସ ଖେଳିଲେ ଯେ ମ୍ୟାଚ୍ର ଗତି ବଦଳିଗଲା। ସେ ମାତ୍ର ୧୧ ବଲ୍ରେ ୪ ଚୌକା ଏବଂ ୧ ଛକା ସହାୟତାରେ ୨୬ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ଧୋନି ଗୋଟିଏ ହାତରେ ଏକମାତ୍ର ଛକା ମାରିଥିଲେ। ସେ ପ୍ରଭାବଶାଳୀ ଖେଳାଳି ଶିବମ ସିଂହଙ୍କ ସହିତ ମିଶି ୨୭ ବଲ୍ ରେ ୫୬ ରନ୍ ର ଭାଗୀଦାରି କରିଥିଲେ। ଶିବମ ସିଂହ ୩୭ ବଲ୍ରେ ୨ଟି ଛକା ଏବଂ ୩ଟି ଚୌକା ସହାୟତାରେ ୪୩ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ଏହା ୭ ମ୍ୟାଚ୍ ମଧ୍ୟରେ CSKର ଦ୍ୱିତୀୟ ବିଜୟ। କିନ୍ତୁ ସେ ଏବେ ବି ପଏଣ୍ଟ ଟେବୁଲର ସବୁଠାରୁ ତଳେ ଅଛନ୍ତି। ପଏଣ୍ଟ ଟେବୁଲରେ LSG ଦଳ ଚତୁର୍ଥ ସ୍ଥାନରେ ଅଛି।
ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା : ୩ ବାଇକ ଆରୋହୀ ମୃତ
ନନ୍ଦିଘୋଷ ବ୍ୟୁରୋ: ରାମ ନବମୀ ଯାତ୍ରା ହେଲା ଶେଷ ଯାତ୍ରା। ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୁନ୍ଦରଗଡ଼ ବଡ଼ଗାଁ ବିଜୁ ଏକପ୍ରେସୱେ ଭୋଇପାଲି ନିକଟରେ ଦୁର୍ଘଟଣା।ଭୋର ୩ଟା ସମୟରେ ଘଟିଥିଲା ଏ ଦୁର୍ଘଟଣା।ଭାରସାମ୍ୟ ହରାଇ ରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକ। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନସୁନ୍ଦର ସା ଓ ଚନ୍ଦନ ଲୁହାର। ସମସ୍ତେ ବଡ଼ଗାଁ ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଘଟଣା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ବଡ଼ ଗାଁ ମେଡିକାଲରେ ରଖିଛି।
ତହବୁର ରାଣାକୁ NIA ଜେରାର ଆଜି ପଞ୍ଚମ ଦିନ
ନନ୍ଦିଘୋଷ ବ୍ୟୁରୋ: ଆତଙ୍କୀ ତହବୁର ରାଣାକୁ NIA ଜେରାର ଆଜି ପଞ୍ଚମ ଦିନ। ୨୦୦୮ ମସିହାରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ଗଭୀର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ହୁସେନ ରାଣାଙ୍କୁ ପ୍ରତିଦିନ ୮ରୁ ୧୦ ଘଣ୍ଟା ପଚରାଉଚରା କରୁଛି। ଏହି ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୩୮ ରୁ ଅଧିକ ଆହତ ହୋଇଥିଲେ। ହାଜତରେ ଥିବା ସମୟରେ ରାଣା ଏକ କଲମ, ନୋଟପ୍ୟାଡ୍ ଏବଂ ଏକ କୋରାନ ମାଗିଛି। NIA ଅଧିକାରୀମାନେ ରାଣାଙ୍କ ଡାକ୍ତରୀ ପରୀକ୍ଷା କରାଇଛନ୍ତି। ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ତାଙ୍କ ଓକିଲଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଇଛି। ରାଣା ପାକିସ୍ତାନୀ ସେନାର ଜଣେ ବରିଷ୍ଠ ଅଧିକାରୀ ଥିଲା। ପାକିସ୍ତାନରୁ କାର୍ଯ୍ୟ କରୁଥିବା କୌଣସି ଆତଙ୍କବାଦୀ ଗୋଷ୍ଠୀର ନେତା ଥିଲେ କି ନାହିଁ। ଅନ୍ୟ ଭାରତୀୟ ସହରଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବାର ଲକ୍ଷ୍ୟ ଥିଲା କି ନାହି । ଏ ସବୁ ଖୋଳତାଡ଼ କରୁଛି ଏନଆଇଏ। NIA ଭାରତର ଅନେକ ସହରକୁ ରାଣାଙ୍କ ଗସ୍ତର ମଧ୍ୟ ତଦନ୍ତ କରୁଛି। ୧୩ ରୁ ୨୧ ନଭେମ୍ବର ୨୦୦୮ ମଧ୍ୟରେ ରାଣା ପତ୍ନୀ ସମରାଜ ରାଣା ଅଖତରଙ୍କ ସହ ଭାରତରେ ଅନେକ ସହର ଗସ୍ତ କରିଥିଲା। ଉତ୍ତର ପ୍ରଦେଶର ହାପୁର, ଆଗ୍ରା ସମେତ ଦିଲ୍ଲୀ, କୋଚି, ଅହମଦାବାଦ ଏବଂ ମୁମ୍ବାଇ ଯାଇଥିଲା। ଏହି ଯାତ୍ରାଗୁଡ଼ିକ ସମାନ ଆକ୍ରମଣ ଲାଗି ଅନୁଧ୍ୟାନ କରିଥିଲା କି ନାହିଁ ତାହା ଅଧିକାରୀମାନେ ତଦନ୍ତ କରୁଛନ୍ତି। ଗତ ଶୁକ୍ରବାର କୋର୍ଟ ରାଣାଙ୍କୁ ୧୮ ଦିନିଆ ଏନଆଇଏ ହେପାଜତକୁ ପଠାଇଛନ୍ତି।
୫ ଓ୍ବିକେଟରେ ଜିତିଲା ଚେନ୍ନାଇ: ଲକ୍ଷ୍ନୌ ବିପକ୍ଷରେ କମାଲ୍ କଲେ ଧୋନୀ
ଲକ୍ଷ୍ନୌ: ଚଳିତ ସିଜିନରେ ଚେନ୍ନାଇ ସୁପରକିଙ୍ଗସର ଦୁର୍ବଳ ପ୍ରଦର୍ଶନଙ୍କୁ ନେଇ ଅଗଣିତ ଫ୍ୟାନ୍ସ ନିରାଶ ହୋଇଛନ୍ତି । ସ୍ଥିତି ଏପରି ଯେ, ଚେନ୍ନାଇ ୬ଟି ମ୍ୟାଚରୁ ୧ଟିରେ ଜିତି ପଏଣ୍ଟ ଟେବୁଲରେ ତଳେ ରହିଛି । ତେବେ ଏହା ମଧ୍ୟରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କମାଲ କାରଣରୁ ଚେନ୍ନାଇ ବିଜୟ ଟ୍ରାକକୁ ଫେରି ପାରିଛି । ଲକ୍ଷ୍ନୌ ବିପକ୍ଷରେ ୫ ଓ୍ବିକେଟରେ ବିଜୟ ହାସଲ କରିଛି ଚେନ୍ନାଇ । ଆଜି ଧୋନୀ ୧୧ଟି ବଲ ଖେଳି ୧ଟି ଛକା ଓ ୪ଟି ଚୌକା ସହାୟତାରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଶିବମ ଦୁବେ ସର୍ବାଧିକ ୪୩ ରନ୍ କରି ମଧ୍ୟ ଅପରାଜିତ ରହି ଦଳକୁ ଜିତାଇଥିଲେ ।
ଆଜି ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ଋଷଭ ପନ୍ତ ସର୍ବାଧିକ ୬୩ ରନ୍ ସଂଗ୍ରହ କରିଥିଲେ । ପନ୍ତ ୪୯ ବଲ୍ ଖେଳି ୪ଟି ଛକା ଓ ୪ଟି ଚୌକା ସହାୟତାରେ ଏହି ରନ୍ କରିଥିଲେ । ମିଚେଲ ମାର୍ଶ ଦ୍ବିତୀୟ ସର୍ବାଧିକ ୩୦ ରନ୍ ସଂଗ୍ରହ କରିଥିଲେ ।
ଖାକି ଲଜ୍ଜା! ରାଜଧାନୀରେ ମଦ ପିଇ ଦୋକାନୀଙ୍କୁ ମାଡ଼ ମାରିଲେ ଟ୍ରାଫିକ୍ ପୋଲିସ
ଭୁବନେଶ୍ବର: ଭୁବନେଶ୍ବର ପାଣ୍ଡରାରେ ମଦ ପିଇ ଦୋକାନୀଙ୍କୁ ମାଡ ମାରିଲେ ଟ୍ରାଫିକ୍ ପୋଲିସ। ଦୋକାନ ଭିତରେ ପଶି ଦୋକାନୀଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି ଜଣେ ଟ୍ରାଫିକ୍ ପୋଲିସ କର୍ମଚାରୀ। ଘଟଣାକୁ ନେଇ ନବନିର୍ମାଣ ଯୁବଛାତ୍ର ସଂଗଠନ ମଞ୍ଚେଶ୍ୱର ଥାନା ଆଗରେ ପ୍ରତିବାଦ କରିବ । ମାଡ଼ ମରାର ଭିଡିଓ ସିସିଟିଭିରେ କଏଦ ହୋଇଛି।
Jio ଆଣିଲା ଏକ ଶସ୍ତା ପ୍ଲାନ: ୨୦୦ରୁ କମ୍ ଟଙ୍କାରେ ମିଳୁଛି ଦୈନିକ ୧.୫ ଜିବି ଡାଟା ଓ ଅନଲିମିଟେଡ୍ କଲିଂ
ଦେଶର ଅଗ୍ରଣୀ ଟେଲିକମ୍ ସେବାପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ସର୍ବଦା ତା’ର ଅଗଣିତ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର୍ ଆଣିଥାଏ । ଏହା ମଧ୍ୟରେ ଜିଓ ଏକ ଶାନଦାର ଅଫର ଲଞ୍ଚ କରିଛି । ଏଥିରେ ଗ୍ରାହକମାନେ ମାତ୍ର ୧୯୯ ଟଙ୍କାର ରିଚାର୍ଜ କରି ଦୈନିକ ୧.୫ ଜିବି ଡାଟା ଓ ଅସୀମିତ କଲିଂ ସୁବିଧା ପାଇ ପାରିବେ । ଜିଓ ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ ଉପଲବ୍ଧ ରହିଥିବା ବେଳେ ତାହା ଅଲଗା ଅଲଗା ସେଗମେଣ୍ଟ ଓ ଫିଚର୍ସ ସହ ଆସୁଛି । ଜିଓର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ପୂରା ୧୮ ଦିନର ଭାଲିଡିଟି ମିଳିଥାଏ । ଏହି ଅବସରରେ ଗ୍ରାହକମାନେ କଲିଂ ଓ ଡାଟାର ଫାଇଦା ଉଠାଇ ପାରିବେ । ଏଥିରେ ଲୋକାଲ ଓ ଏସଟିଡି କଲ୍ ମଧ୍ୟ ସାମି ରହିଛି । ୟୁଜର୍ସ ଦୈନିକ ୧୦୦ ଏସଏମଏସକୁ ଏକ୍ସେସ କରିବାର ସୁବିଧା ପାଇବେ । ଆଜିର ଡିଜିଟାଲ ଜମାନାରେ ଇଣ୍ଟରନେଟ ସଭିଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଜିନିଷ ହୋଇଥିବାରୁ ଏହି ଶସ୍ତା ପ୍ଲାନ ଗ୍ରାହକଙ୍କୁ ନିଶ୍ଚିତ ଭାବେ ଫାଇଦା ଦେବାରେ ସହାୟକ ହେବ ।
କ୍ଷମତାକୁ ଆସିବା ପରେ ବିଜେପିରେ ବଢୁଛି ଅହଙ୍କାର: ନେତାମାନେ ନିଜ ନିଜ ଭିତରେ ଲଢ଼େଇରେ ବ୍ୟସ୍ତ
ଭୁବନେଶ୍ବର: କ୍ଷମତାକୁ ଆସିବା ପରେ ବିଜେପିରେ ତୀବ୍ରରୂପ ଧାରଣ କରିଛି ଗୋଷ୍ଠୀ ବିବାଦ। ବଢ଼ିଛି ବିଜେପି ନେତାଙ୍କ ଅହଙ୍କାର। ସାଂସଦ ଓ ବିଧାୟକଙ୍କ ମଧ୍ୟରେ ନାହିଁ ସମନ୍ବୟ। ଲୋକଙ୍କ ସହ ନେତାଙ୍କ ସମ୍ପର୍କ ବି ଦୁର୍ବଳ। ଏହାକୁ ସଜାଡ଼ିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉଭୟ ସାଂସଦ ଓ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀରେ ଉଦଯାପିତ ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ନଡ୍ଡାଙ୍କ ଏପରି ତାଗିଦକୁ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ କରାଯିବ, ତାହା ଦଳୀୟ ନେତୃତ୍ବକୁ ଚିନ୍ତାରେ ପକାଇଛି। ଏପଟେ ସରକାର ଗଠନକୁ ୧୦ ମାସ ପୂରିଥିଲେ ମଧ୍ୟ, ହୋଇ ପାରୁନି ଦଳର ରାଜ୍ୟ ସଭାପତି ଚୟନ। ଦିଶାହୀନ ଭାବେ ଦଳ ଚାଲୁଥିବାରୁ ଆଶାୟୀଙ୍କ ମନରେ ସୃଷ୍ଟି ହୋଇଛି ଆଶଙ୍କା। ସଭାପତି ଚୟନ ନେଇ ପ୍ରଭାରୀ କହିଛନ୍ତି, ସବୁ କିଛି କେନ୍ଦ୍ର ଉପରେ ନିର୍ଭର କରୁଛି। କେବେ ରାଜ୍ୟ ସଭାପତି ନିର୍ବାଚନ ହେବ, ସେମାନେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେପି ନେତା।
ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ବିଜେପିରେ ସମସ୍ୟା ଅନେକ। ଦଳରେ ଗୋଷ୍ଠୀ ବିବାଦ ଉଗ୍ରରୂପ ଧାରଣ କରିଥିବାରୁ ୧୦ ମାସ ହେଲା ନିଗମ ନିଯୁକ୍ତି ହୋଇପାରୁନି। ଦଳରେ ସ୍ଥାଣୁତା ଲାଗି ରହିଥିବା ବେଳେ, ସରକାର ନିଶ୍ଚଳ ଅବସ୍ଥାରେ ରହିଛି। ନିଗମ, ବୋର୍ଡ ନିଯୁକ୍ତି ନେଇ ଘନ ଘନ ବୈଠକ ବସୁଛି, ବିଚାର ବିମର୍ଷ ବି ଚାଲିଛି। ଏଭଳି ସ୍ଥିତିରେ ଖୁବଶୀଘ୍ର ନିଷ୍ପତ୍ତି ଆସିବ ବୋଲି କହୁଛନ୍ତି ପ୍ରଭାରୀ। ପ୍ରଶିକ୍ଷଣ ଶିବିରରେ ଜନ ପ୍ରତିନିଧିଙ୍କ ଆଚାର ବ୍ୟବହାର ଉପରେ ଆଲୋଚନା କରାଯିବା ସାଙ୍ଗକୁ ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି ବାବଦରେ ଚର୍ଚ୍ଚା ହୋଇଛି। ସେହିପରି ସଠିକ ସମୟରେ ନୂଆ ସଭାପତି ବାବଦରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନମୋହନ ସାମଲ। ସଙ୍ଗଠନ ଭିତରେ ଲାଗି ରହିଛି ପତିଆରା ଲଢ଼େଇ ଓ ଅହଙ୍କାର। ନେତାଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ରାଜ୍ୟ ସଭାପତି ଚୟନ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଚାଲିଛି, ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ସେତିକି ବିଳମ୍ବିତ ହେଉଛି।
ଏପ୍ରିଲ ୧୯ ତାରିଖରେ ବିଜୁ ଜନତା ଦଳର ସଭାପତିଙ୍କ ନାଁ ଘୋଷଣା ହେବ
ଭୁବନେଶ୍ବର: ଏପ୍ରିଲ ୧୭ ସୁଦ୍ଧା ବିଜେଡି ସାଂଗଠନିକ ପଦ ଗୁଡ଼ିକ ପାଇଁ ନାମାଙ୍କନ ଦାଖଲ ଶେଷ ହେବ। ଯଦି ରାଜ୍ୟ ସଭାପତି ପାଇଁ ବି ଜଣେ ମାତ୍ର ନାମାଙ୍କନ କରିବେ, ତେବେ ଏପ୍ରିଲ ୧୯ ତାରିଖରେ ଔପଚାରିକ ଭାବେ ସଭାପତିଙ୍କ ନାଁ ଘୋଷଣା କରିବେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ । ଏଯାଏ ସହମତି ଭିତ୍ତିରେ ନାମାଙ୍କନ ଦାଖଲ ଚାଲିଛି । ଯେଉଁଠି ସହମତି ହେଉନି, ସେଠାରେ ବି ସମନ୍ଵୟ ରକ୍ଷା କରି ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନିଆଯାଉଛି। ଗତକାଲି ୧୬ ଜଣ ଜିଲ୍ଲା ସଭାପତି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ । ଆସନ୍ତାକାଲି ସୁଦ୍ଧା ସମସ୍ତ ୩୩ ସାଂଗଠନିକ ଜିଲ୍ଲାରେ ସଭାପତି ପଦ ପାଇଁ ନାମାଙ୍କନ ସରିବ। ଏହା ପରେ ପଞ୍ଚମ ପର୍ଯ୍ୟାୟରେ ଷ୍ଟେଟ କାଉନସିଲ ବଛାଯିବ । ଷଷ୍ଠ ପର୍ଯ୍ୟାୟରେ ଷ୍ଟେଟ ଏକଜିକ୍ୟୁଟିଭ ନିର୍ବାଚନ ସହ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ କରାଯିବ।
ନବମ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ସଭାପତି କରିବାକୁ ନେତାମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥର ବିରୋଧୀ ଆସନରେ ବସିଥିବା ବିଜେଡି ନବୀନଙ୍କ ନେତୃତ୍ଵରେ ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣି ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି। ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ, ପୌର ସଭାପତି ପଦ ପାଇଁ ବି ହେବ ନିର୍ବାଚନ। ରାଜ୍ୟ ସଭାପତିଙ୍କ ଅନୁମୋଦନରେ ଯୁବ, ଛାତ୍ର ଓ ମହିଳା ସାମ୍ମୁଖ୍ୟର ସଭାପତି ଚୟନ କରାଯିବ। ଦଳର ଅନ୍ୟ ପଦ ପାଇଁ ବି ନେତା ବଛା ଯିବ। ଗତ ଥର ସଂଗଠନ ସମ୍ପାଦକ ପରି ନୂତନ ପଦ ସୃଷ୍ଟି କରାଯାଇଥିଲା। ଏଥର ଦଳୀୟ ବାଏ-ଲ ସଂଶୋଧନ ହୋଇ ଆଉ ନୂତନ ପଦ ସୃଷ୍ଟି ହେବ ନା ନାହିଁ, ତାକୁ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ ।
ରାଜଧାନୀ ଶିଶୁ ଅପହରଣ ଘଟଣା: ଅପହରଣକାରୀଙ୍କୁ ଧରିବାକୁ ଗଠନ ହେଲା ସ୍ପେଶାଲ ଟିମ୍
ଭୁବନେଶ୍ବର: ଅପହରଣ ନାଟକର ଖୁବଶୀଘ୍ର କ୍ଳାଇମାକ୍ସ । ମାଆ କୋଳରୁ ଛୁଆକୁ ନେଇଯିବା ପରେ ରାଜଧାନୀରେ ଚାଞ୍ଚଲ୍ୟ । ନାଁ ଜୟନ୍ତୀ ମଲ୍ଲିକ । ଶୈଳଶ୍ରୀ ବିହାର ସର୍ଟ ଷ୍ଟେ ହୋମରେ ରୁହନ୍ତି । ଦୃଷ୍ଟିବାଧିତ ହୋଇଥିବାରୁ ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରି ଚଳନ୍ତି । ସବୁଦିନ ଭଳି ରବିବାର ରାତିରେ ଆଶ୍ରୟସ୍ଥଳୀକୁ ଯିବାକୁ ବାହାରିଥିବା ବେଳେ ହଠାତ ଆସିଥିଲା କାଳ ବୈଶାଖୀ । ୬ ବର୍ଷର ଝିଅ ଓ ପାଖରେ ଥିବା ଦେଢ଼ ବର୍ଷର ପୁଅକୁ ଧରି ମନ୍ଦିର ନିକଟରେ ଆଶ୍ରୟ ନେଉଥିବା ବେଳେ ହଠାତ କେଉଁଆଡ଼େ ଚାଲିଯାଇଥିଲା କୁନିପୁଅ । ଯାହାକୁ ନେଇ ରାତି ଅଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ ମାଆ । ଭଲକରି ଦେଖନ୍ତୁ ଏହି ଏତଲା । ଦୁଃଖର ସହ କ୍ୟାମେରା ଆଗରେ କାନ୍ଦି କାନ୍ଦି ପିଲାର ଫେରି ଆସିବା ପାଇଁ ପ୍ରଭୁ ରାମଙ୍କ ପାଖରେ ସେ ପ୍ରାର୍ଥନା କରିଥିବା କହିଛନ୍ତି । ସେପଟେ ଏତଲା ପାଇବା କ୍ଷଣି ତତ୍ପର ହୋଇଉଠିଛି କମିଶନରେଟ ପୋଲିସ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ଟିମ ୪ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ଛକ ବଜାରରେ ଥିବା ସିସିଟିଭି ଯାଞ୍ଚ ଚାଲିଛି । ମନ୍ଦିର କର୍ତ୍ତୃପକ୍ଷଙ୍କୁ ପଚରାଉଚରା ହୋଇଛି ।
ସେପଟେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ତଲାସୀ କାର୍ଯ୍ୟ ଜାରି ରହିଛି । ପୁଅଟି ନିଖୋଜ ଥିବା ବେଳେ ଝିଅଟିକୁ କିଭଳି ଥଇଥାନ କରାଯିବ ସେ ନେଇ ଶିଶୁ କଲ୍ୟାଣ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମହିଳାଙ୍କ ପକ୍ଷରୁ ଯେଉଁ ଅପହରଣ ଓ ଅଙ୍ଗତସ୍କରୀ ଭଳି ସଙ୍ଗିନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି, ସେ ନେଇ ମଧ୍ୟ ପୋଲିସ ସହ ଆଲୋଚନା ସରିଛି । ସେପଟେ ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ କ୍ଲୁ ମିଳିଥିବା କହିଛନ୍ତି ଡିସିପି । ଥାନା ଗୁଡିକୁ ମଧ୍ୟ ପିଲାର ଫଟୋ ଦିଆଯାଇଛି । ତୁରନ୍ତ ପୁରା ଘଟଣାର ଖୁଲାସା ହେବ ବୋଲି ସୂଚନା ଦେଇଛନ୍ତି ଜଗମୋହନ। କିଛିଦିନ ତଳେ ବିଧାନସଭାରୁ ମିଳିଥିବା ତଥ୍ୟ ମୁତାବକ ଗତ ୮ ମାସରେ ୧୩ ହଜାରରୁ ଅଧିକ ଜଣ ନିଖୋଜ ହୋଇଛନ୍ତି । ସେମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଶିଶୁ । ଏସବୁ ଭିତରେ ରାଜଧାନୀରୁ ଶିଶୁ ଅପହରଣ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ ।
ପୁଣି ଗଡ଼ିଲା ମୁଣ୍ଡ: ୫ ଦିନରେ ୫ଟି ହତ୍ୟାକାଣ୍ଡ ଯୋଗୁଁ ଆତଙ୍କିତ ରାଉରକେଲା ସହରବାସୀ
ରାଉରକେଲା: ପୁଣି ରକ୍ତପାତ, ପୁଣି ଗଡ଼ିଲା ମୁଣ୍ଡ । ଅଣାୟତ ରାଉରକେଲାର ଆଇନ ଶୃଙ୍ଖଳା । ୫ ଦିନରେ ୫ଟି ହତ୍ୟାକାଣ୍ଡ ଯୋଗୁଁ ଆତଙ୍କିତ ସହରବାସୀ । ମାଆ ହତ୍ୟାକାରୀ ବାପାକୁ ହତ୍ୟାକଲା ପୁଅ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଭାଲୁପତ୍ରା ଗ୍ରାମରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା । ହତ୍ୟାକାରୀ ୨୨ ଵର୍ଷୀୟ ବିଷ୍ଣୁ ବର୍ମାକୁ ଗିରଫ କରିଛି ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ । ମୃତ ବାପା ୫୫ ବର୍ଷୀୟ କାନ୍ତିକୁମାର ବର୍ମା ନିଜ ପତ୍ନୀକୁ ହତ୍ୟା କରିବା କରିଥିବା ଅଭିଯୋଗରେ ୨୦୨୪ ଡ଼ିସେମ୍ବରରେ ଜେଲରୁ ଫେରିଥିଲେ । ପୁଅ ସହ ଗଣ୍ଡଗୋଳ ଯୋଗୁଁ ଉତକ୍ଷିପ୍ତ ହୋଇ ହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି ।
୫ ଦିନରେ ୫ଟି ହତ୍ୟାକାଣ୍ଡ ସହରବାସୀଙ୍କ ନିଦ ହଜାଇ ଦେଇଛି । ପୂର୍ବ ସରକାରଙ୍କ ସମୟରେ ଶାନ୍ତ ସହର ଥିବା ରାଉରକେଲାରେ ଏବେ ପ୍ରତିଦିନ ଘଟୁଛି ରକ୍ତପାତ । ଗତ ୯ ତାରିଖରେ ଭିଏସଏସ ମାର୍କେଟ ଓ ଗାନ୍ଧୀ ରୋଡ଼ରେ ଦୁଇଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ୧୧ ତାରିଖରେ ସାଙ୍ଗକୁ ସ୍କୃଡ୍ରାଇଭରରେ ଭୁସି ଦେବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି । ୧୨ ତାରିଖ ରାତିରେ ଏସଟିଆଇ ଛକ ନିକଟରେ ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବାରୁ ଅପରାଧ ବଢିଥିବା ଲୋକେ ଅଭିଯୋଗ କରିଛନ୍ତି । ମଦ କାରବାର ରୋକିବାକୁ ରାଉରକେଲା ରାସ୍ତାକଡ, ପାର୍କ ଓ ସହର ନିକଟବର୍ତ୍ତୀ ଜାତୀୟ ରାଜପଥ ଏବଂ ଢାବାରେ ଚଢାଉ କରୁଛି ପୋଲିସ୍ ।

