spot_img
Home Blog Page 848

ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ, ନୋଟାମ ଜାରି କଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ। ପାକିସ୍ତାନ ସୀମାରେ କରିବ ସମରାଭ୍ୟାସ। ଏଥିପାଇଁ ନୋଟାମ ଜାରି କଲା ଭାରତ। ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଏହି ନୋଟାମ୍ ଜାରି କରାଯାଇଛି। ପାଇଲଟ, ଏୟାରମ୍ୟାନ, ବିମାନ ଚଳାଚଳ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଏହି ନୋଟାମ ଜାରି କରାଯାଇଛି। କାଲିର ସମରାଭ୍ୟାସ ପାଇଁ  ପ୍ରସ୍ତୁତ ରହିବାକୁ ପାଇଲଟଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଏହା ସହିତ ପରିସ୍ଥିତି ନେଇ ପାଇଲଟଙ୍କୁ ଅବଗତ କରାଯାଇଛି। ବାୟୁସେନା ସମରାଭ୍ୟାସ ହେବ ବୋଲି ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ଆସନ୍ତାକାଲିର ଏହି ବାୟୁସେନାର ଅଭ୍ୟାସରେ ରାଫେଲ, ମିରାଜ, ସୁଖୋଇ-୩୦ ପରି ଯୁଦ୍ଧ ବିମାନ ଭାଗ ନେବେ।

କାଲି ହଟିଥିଲା, ଆଜି ଦିଘା ମନ୍ଦିରରେ ପୁଣି ଲାଗିଲା ଜଗନ୍ନାଥ ଧାମର ସ୍ଥାୟୀ ଫଳକ

ଦିଘା/ପୁରୀ : କାଲି ହଟିଥିଲା ଜଗନ୍ନାଥ ଧାମ ଫଳକ। ଆଜି ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ସ୍ଥାୟୀ ଫଳକ। ଜିଦରେ ଅଟଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମମର ପରିଚୟ ଦେବା ନେଇ ଥମୁନି ବିବାଦ। ମମତାଙ୍କ ଏପରି ନିଷ୍ପତ୍ତି ଏବେ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ପଶ୍ଚିମବଙ୍ଗରୁ ଆରମ୍ଭ କରି ସାରା ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପ୍ରିଲ ୩୦ରେ ଦିଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଥର୍ମେୋକୁଲର ଅସ୍ଥାୟୀ ଭାବେ ଧାମ ଫଳକ ଓ ସେଲଫି ପଏଣ୍ଟ ଲଗାଇଥିଲା ଟେଣ୍ଟ ସଂସ୍ଥା। ପ୍ରତିଷ୍ଠା ଉତ୍ସବ ସରିବା ପରେ ଅସ୍ଥାୟୀ ଫଳକ କାଢ଼ି  ନେଲା ଟେଣ୍ଟ ମାଲିକ। ଫଳକ ହଟିବା ପରେ ବିଜେପି ନେତା ଅମିଲ ମାଲବ୍ୟ ଫଟୋ ସହିତ ଏକ୍ସରେ ପୋଷ୍ଟ କରିବା ପରେ ଏହି ଖବର ଚାରିଆଡ଼େ ଭାଇରାଲ ହୋଇଥିଲା। ପରେ ରାତାରାତି ପଶ୍ଚିମବଙ୍ଗ ସରକାର ମନ୍ଦିର ସାମନାରେ ଜଗନ୍ନାଥ ଧାମ ଲେଖାଥିବା ଫଳକ ଲଗାଇ ଦେଇଛନ୍ତି। ଏହା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାୟୀ ସେଲଫି ପଏଣ୍ଟ ପାଇଁ ବ୍ୟବସ୍ଥା କରୁଛନ୍ତି।

ପଶ୍ଚିମବଙ୍ଗ ସରକାରଙ୍କ ଏପରି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ। ଦିଘାରେ ଜଗନ୍ନାଥ ମନ୍ଦିର ହେଉ ଆପତ୍ତି ନାହିଁ। କିନ୍ତୁ କେବେ ବି ଏହା ଧାମ ବୋଲି ପରିଚୟ ସୃଷ୍ଟି କରାନଯାଉ। ଖୋଦ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଭାରତର ୪ ଧାମରୁ ପୁରୀ ଶ୍ରୀକ୍ଷେତ୍ର ଗୋଟିଏ ବୋଲି ମାନ୍ୟତା ଦେଇଥିଲେ। ଏହା ଯୁଗଯୁଗରୁ ପରିଚୟ ପାଇ ଆସିଛି। ଭାରତରେ ଅନେକ  ଜଗନ୍ନାଥ ମନ୍ଦିର ରହିଛି, କିନ୍ତୁ ଶ୍ରୀମନ୍ଦିର ଗୋଟିଏ। ସେହିପରି ଯେତେ ଯେଉଁଠି ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି, ତାକୁ କେଉଁଠି ବି ଶ୍ରୀମନ୍ଦିର ଆଖ୍ୟା ଦିଆଯାଉନି। ଦିଘା ମନ୍ଦିରରେ ଜଗନ୍ନାଥ ଧାମ ଫଳକ ଲଗାଇବାକୁ ନେଇ ପୁରୀରେ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଗତକାଲି ଏହି ଧାମ ପ୍ରସଙ୍ଗକୁ ନେଇ ଗଜପତି ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ଦିଘାକୁ ଧାମ କୁହାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଆଇନ ମନ୍ତ୍ରୀ କହିଥିଲେ, ଆଇନ ପଦକ୍ଷେପ ନିଆଯିବ। ଏଭଳି ସ୍ଥିତିରେ ଓଡ଼ିଶା ସରକାର ଓ ପଶ୍ଚିମବଙ୍ଗ ସରକାର ଏହାର ସମାଧାନ ପାଇଁ କଣ ବାଟ ବାହାର କରୁଛନ୍ତି, ତାକୁ ସମସ୍ତଙ୍କ ଅପେକ୍ଷା।

ଜଳ ପ୍ରଦୂଷଣରୁ କ୍ୟାନସର ଆଶଙ୍କା, ନଦୀ ଜଳ ବ୍ୟବହାର କରୁଥିବା ସହରବାସୀଙ୍କ ପ୍ରତି ବଡ଼ ବିପଦ

କଟକ/ଭୁବନେଶ୍ବର : ଓଡ଼ିଶାର ପ୍ରମୁଖ ସହରରେ ବଢିବାରେ ଲାଗିଛି କ୍ୟାନସର ରିସ୍କ । ଭୁବନେଶ୍ବର, କଟକ, ରାଉରକେଲା ଓ ବ୍ରହ୍ମପୁର ପରି ସହରବାସୀଙ୍କ ପାଇଁ କ୍ୟାନସର ଆଶଙ୍କା ଅଧିକ। ICMR ର ଏକ ସର୍ଭେରୁ ଜଣାପଡ଼ିଛି, ଦୂଷିତ ଜଳାଶୟ ନିକଟରେ ରହୁଥିବା ଲୋକଙ୍କ ପାଇଁ ବଡ଼ ବିପଦ । ଶିଳ୍ପ ସଂସ୍ଥାର ଦୂଷିତ ବର୍ଜ୍ୟ ବସ୍ତୁ, ଖଣିରୁ ବାହାରୁଥିବା ବିଷାକ୍ତ ସାମଗ୍ରୀ ଓ ଠିକ ଭାବେ ଟ୍ରିଟମେଣ୍ଟ ହେଉନଥିବା ସ୍ବେରେଜର ବର୍ଜ୍ୟ ଏଥିପାଇଁ ମୁଖ୍ୟତଃ ଦାୟୀ । ଏସବୁ ବର୍ଜ୍ୟବସ୍ତୁ ମହାନଦୀ, କୁଆଖାଇ, କାଠଯୋଡ଼ି, ଦୟା, ବ୍ରାହ୍ମଣୀ, ଋଷିକୁଲ୍ୟା ନଦୀରେ ମିଶୁଥିବାରୁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବଡ଼ ବିପଦ ଭାବେ ଉଭା ହୋଇଛି । ଲଗାତର ଭାବେ ପ୍ରଦୂଷିତ ନଦୀ ଜଳ ବ୍ୟବହାର କରୁଥିବାରୁ ଗଲ୍ ବ୍ଲାଡର କ୍ୟାନସର ହୋଇପାରେ ବୋଲି ସତର୍କ କରିଦେଇଛି ସର୍ଭେ।

ସବୁଠାରୁ ସମ୍ବେଦନଶୀଳ କଥା ହେଉଛି ଶିଳ୍ପସଂସ୍ଥାରୁ ବାହାରୁଥିବା ହେଭି ମେଟାଲ ଅଂଶକୁ ଠିକ ପରିଚାଳନା କରାଯାଉନାହିଁ । ଆଲୁମିନିୟମ, ଆର୍ସେନିକ୍, ଲିଡ୍ ଓ କାଡମିୟମ ପରି ଧାତୁର ବର୍ଜ୍ୟ ପାଣିରେ ମିଶୁଥିବାରୁ ସ୍ବାସ୍ଥ୍ୟ ପାଇଁ ବଡ଼ ବିପଦ ହେବ ବୋଲି ସତର୍କବାଣୀ ଶୁଣାଇଛି ଏହି ସର୍ଭେ । ଏକ ପରିସଂଖ୍ୟାନରୁ ଜଣାପଡ଼ିଛି, ୫ ବର୍ଷ ମଧ୍ୟରେ ଓଡ଼ିଶାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୧.୫ ପ୍ରତିଶତ ବୃଦ୍ଧିପାଇଛି । ପୂର୍ବରୁ ଖାଦ୍ୟ, ପାନୀୟ ଓ ଅନ୍ୟ କାରକକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ଏବେ ଜଳ ପ୍ରଦୂଷଣରୁ କ୍ୟାନସର ଆଶଙ୍କା ଉଦବେଗ ବଢ଼ାଇ ଦେଇଛି। ICMRର ଏହି ସର୍ଭେ ପରେ ସରକାର ସଚେତନ ହୋଇ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ପ୍ରଦୂଷଣ  ନିୟନ୍ତ୍ରଣ ସହିତ ନିରାପଦ ଓ୍ବାଟର ମ୍ୟାନେଜମେଣ୍ଟକୁ ଫୋକସ୍ ନ କଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବ ଏଥିଲେ ଦ୍ବିମତ ନାହିଁ ।

ଓଡିଶାର ବରପୁତ୍ର ବିଜୁ ବାବୁଙ୍କୁ ସମ୍ମାନ ଦେବ ଋଷ, ଗର୍ବିତ ହେବେ ଓଡ଼ିଆ

ଭୁବନେଶ୍ବର : ବିଜୁଙ୍କୁ ଝୁରୁଛି ବିଶ୍ବ । ପୁଣି ଋଷ ଦେବ ସମ୍ମାନ। କିନ୍ତୁ ବିଜୁଙ୍କୁ ନେଇ ହୀନ ରାଜନୀତି କରୁଛି ବିଜେପି । ବରପୁତ୍ରଙ୍କୁ ଅସମ୍ମାନ କରି ଲୋକଙ୍କ ଦ୍ବାରା ହେଉଛି ନିନ୍ଦିତ । ବିଜୁଙ୍କ ପାଇଁ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ । ବିଜୁଙ୍କ ସାହସକୁ ପୁଣି ସମ୍ମାନିତ କରିବ ଋଷ । ଚଳିତ ମାସ ୯ ତାରିଖରେ ବିଶ୍ବଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ଏହି ଅବସରରେ ବିଜୁ ବାବୁଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛି ଋଷ । ୭ ତାରିଖର ସକାଳେ ଏଥିପାଇଁ ଆୟୋଜିତ ହୋଇଛି ଉତ୍ସବ । ସମ୍ମାନ ଗ୍ରହଣ କରିବେ ସୁପୁତ୍ର ନବୀନ ପଟ୍ଟନାୟକ । ଏହାକୁ ନେଇ ବେଶ ଖୁସି ଜାହିର କଲେଣି ବିଜୁ ପ୍ରେମୀ ଓ ବିଜେଡି ନେତା । ବିଜୁବାବୁ ଋଷ ଏମ୍ବାସି ହାଉସରେ ସମ୍ମାନିତ ହେବେ । ଏହା ପ୍ରତ୍ୟେକ ଓଡିଆ ଓ ଭାରତୀୟଙ୍କ ପାଇଁ ଗର୍ବର କଥା ବୋଲି ବିଜେଡି କହିଛି । ବିଜେଡି ବିଧାୟକମାନେ ଯୁକ୍ତି ବାଢିଛନ୍ତି ଏପରି ପ୍ରବାଦ ପୁରୁଷ ଆଉ ଓଡିଶାରେ ଜନ୍ମହେବେ ନାହିଁ । ଯେଉଁମାନେ ବିଜୁ ପଟ୍ଟନାୟକଙ୍କ ଛବିକୁ ମଳିନ କରିବାକୁ ପ୍ରୟାସ କରୁଛନ୍ତି ସେମାନେ ଲୋକଙ୍କ ଦ୍ବାରା ନିନ୍ଦିତ ହେଉଛନ୍ତି । ଯେଉଁଦଳ ଏପରି ହୀନ ରାଜନୀତି କରୁଛି କ୍ଷମତା ଓ ଅହଂକାର ଲୋଭରେ ଲୋକେ ତାହାର ଜବାବ ଦେବେ ବୋଲି ଓଡିଶାର ବରିଷ୍ଠ ରାଜନେତାମାନେ କହିଛନ୍ତି ।

ନବ ଓଡ଼ିଶା ନିର୍ମାଣର ବିନ୍ଧାଣୀ ବିଜୁବାବୁଙ୍କ ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ମହାପ୍ରୟାଣ ପରେ ତାଙ୍କ ମର ଶରୀରରେ ତିନୋଟି ଦେଶର ଜାତୀୟ ପତାକା ଘୋଡା ଯାଇଥିଲା । ଏପରି ଏକ ସ୍ବାଧୀନତା ସଂଗ୍ରାମୀଙ୍କ ନାଁକୁ ନେଇ ଶାସକ ବିଜେପି ଯେପରି ହୀନ ରାଜନୀତି କରୁଛି ତାହାକୁ କେହି ଗ୍ରହଣ କରିବେ ନାହିଁ । ଏହାର କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ସାରଦା ନାୟକ ଓ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ । ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି ବିଜୁବାବୁ ଷ୍ଟେଟସମ୍ୟାନ । ତାଙ୍କୁ ଅସମ୍ମାନ କରାନଯିବା ଦରକାର । ବିଜୁବାବୁଙ୍କ ସାହସ, କୌଶଳ ଏବଂ ବୁଦ୍ଧିମତ୍ତାକୁ ଦେଶ ଓ ବିଶ୍ବ ସମ୍ମାନ ଦେଇ ମହାନ ପୁରୁଷଙ୍କୁ ଝୁରିଛି । ଏପରି ସ୍ଥଳରେ ଓଡିଶାରେ ବିଜେପି ସରକାର ଯେପରି ବିଜୁଙ୍କ ନାଁ ଓ ଚିହ୍ନକୁ ଲିଭାଇଦେବାକୁ ଅପଚେଷ୍ଟା କରୁଛି ତାହାକୁ ସବୁ ମହଲରୁ ନିନ୍ଦା କରାଯାଉଛି ।

ବିଜେପି ଓ କଂଗ୍ରେସକୁ ଘାରିଛି ସଂଗଠନ ଗଢିବା ଚିନ୍ତା

ଭୁବନେଶ୍ବର : ଦୁଇ ଜାତୀୟ ଦଳ ବିଜେପି ଓ  କଂଗ୍ରେସକୁ ଘାରିଛି ସଂଗଠନ ଗଢିବା ଚିନ୍ତା। ଶାସକ ବିଜେପି ରାଜ୍ୟ ସଭାପତି ଚୟନ କରିବାର ଡେଡଲାଇନର ଡିସେମ୍ବରରୁ ଯାଇ ମେ ରେ ପହଞ୍ଚିଲାଣୀ । ୫ ମାସ ହେବ ରାଜ୍ୟ ବିଜେପି ସଭାପତି ଚୟନ କରିପାରୁନି ଶାସକ ବିଜେପି। ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲ ନାଁ ନଆ ମୁହଁକୁ ଦଳ ଦାୟିତ୍ବ ଦେବ  ସେ ଅଙ୍କ ତୁଟୁନାହିଁ। ସଭାପତି ରେସନରେ ରାଜ୍ୟ ସଭାପତି ମନମୋହନ ସାମଲ ,ଗୋଲକ ମହାପାତ୍ର, ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାରେ ରହିଛି । ଶାସକ  ବିଜେପି ଦଳରେ ସଭାପତି ଚୟନ ନେଇ ଦଳୀୟ କନ୍ଦଳ ରହିଛି ନାଁ ଅନ୍ୟ କିଛି କାରଣ ଯୋଗୁଁ ଦଳ ସଭାପତି ଚୟନ କରିପାରୁନାହିଁ ତାହା ଏବେ  ବଡ ପ୍ରଶ୍ନବାଚୀ । ଦଳର ଦୁଇ ବରିଷ୍ଠ ବିଧାୟକ ପ୍ରକାଶ ସୋରେନ ଓ ପଦ୍ମଲୋଚନ ପଣ୍ଡା  କାହିକିଁ ରାଜ୍ୟ ସଭାପତି ଚୟନ ହୋଇପାରୁନାହିଁ ତାହାକୁ ନେଇ ଭିନ୍ନ ଭିନ୍ନ ଯୁକ୍ତି ବାଢିଛନ୍ତି ।  ଦଳରେ  ଆଶାୟୀ ଅଧିକ ଥିବାରୁ ସଭାପତି ଚୟନରେ ବିଳମ୍ବ ହେଉଥିବା କହିଛନ୍ତି ।  ଜାତୀୟ ଦଳରେ ସଭାପତି ଚୟନରେ ଟିକେ ବିଳମ୍ବ ହୁଲ ବୋଲି ବିଧାୟକମାନେ ବିତଣ୍ଡା ଯୁକ୍ତି ବାଢିଛନ୍ତି। ସଭାପତି ଚୟନ ଏମିତି ବିଜେପି ପାଇଁ ଏବେ କଣ୍ଟ ସାଜିଛି ।

ଅନ୍ୟପଟେ  ୮ମାସ ପରେ କଂଗ୍ରେସ  ଫେବୃଆରୀ ୧୧ ତାରିଖରେ ଭକ୍ତ ଦାସଙ୍କ ପିସିସି ସଭାପତି ଭାବେ ନିଯୁକ୍ତ ଦେଇଥିଲା । ଦାୟିତ୍ବ  ନେବାର ୨ ମାସ ପରେ ବି  ପିସିସି ସଭାପତି ନିଜର ନୂଆଟିମ ଗଠନ କରିପାରୁନାହାନ୍ତି । ଯାହାକୁ ନେଇ କଂଗ୍ରେସ ସଂଗଠନ ଶୀତଳ ପଡିଛି । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଲବି କି ଫାଇଲ ନୁହେଁ, ଫିଲଡ଼ରେ ଥିବା ନେତାଙ୍କୁ ସଂଗଠନର ଦାୟିତ୍ବ ଦେବେ ପିସିସି ସଭାପତି । ସେହିପରି ବିଧାୟକ ଦାଶରଥୀ ଗମାଙ୍ଗ ଓ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ କହିଛନ୍ତି ସଂଗଠନରେ କାହାକୁ ଦାୟିତ୍ବ ଦିଆଯିବ ସେନେଇ ପ୍ରକ୍ରୀୟା ଜାରୀ ରହିଛି । ପିସିସି ସଭାପତି  ସ ବୁ ଜିଲ୍ଳାରେ ସମ୍ବିଧାନ ବଂଚାଓ  ସମାବେଶ କରି ସଂଗଠନ ସ୍ଥିତିର ସମୀକ୍ଷା କରୁଛନ୍ତି । ଖୁବଶୀଘ୍ର ପିସିସି ସଭାପତି ତାଙ୍କର ନୂଆ ଟିମ ଗଠନ କରିବେ ବୋଲି ନେତାଏ କହିଛନ୍ତି । ଦୁଇ ଜାତୀୟ ଦଳରେ ସଂଗଠନ  ଟେନସନ ଲାଗି ରହିଥିବା ଦଳୀୟ କର୍ମୀ ଓ ନେତାମାନେ ନୂଆଟିମକୁ ନେଇ  ଆଶା ଓ ଆକାକ୍ଷାଂରେ ଅଛନ୍ତି ।  ନୂଆଟିମ କିପରି ହେବ ଉଭୟ ବିଜେପି ଓ କଂଗ୍ରେସରେ ତାହାକୁ ନେଇ ଓଡିଶା ଦିଲ୍ଲୀଯାଏ ଚାଲିଛି ଦୁଇ ଦଳର ଘନଘନ କସରତ । ତଥାପି ସଂଗଠନ ଅଡ଼ୁଆ ତୁଟାଇପାରୁନଥିବାରୁ ଚିନ୍ତାରେ ରହିଛନ୍ତି ଦୁଇ ଜାତୀୟ ଦଳର ଶୀର୍ଷ ନେତୃତ୍ବ । ମୁଖ୍ୟ ବିରୋଧୀ ବିଜେଡି ସଂଗଠନର ନବକଳେବର କରିବା ପରେ ଦୁଇ ଜାତୀୟ ଦଳ ପାଇଁ ଚ୍ୟାଲେଞ୍ଜ ବଢିଛି ।

୮୧ ଜଣିଆ ବ୍ରିଗେଡ ନେତୃତ୍ବରେ କାମ କରିବ ବିଜେଡି । ବରିଷ୍ଠ, ଅନୁଭବୀ ଓ ଯୁବ ନେତାଙ୍କୁ ମିଳିଛି ଗୁରୁ ଦାୟିତ୍ବ

ଭୁବନେଶ୍ବର : ନୂଆ ଟିମ୍ ନୂଆ ଉତ୍ସାହ । ରାଜ୍ୟବାସୀଙ୍କ ସେବାରେ ବିଜେଡି । ବିଜେଡିର ନବକଳେବର କରି କର୍ମୀ ଓ ନେତାଙ୍କୁ ଏହି ମେସେଜ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ବାଚନ ପରେ କ୍ଷମତା ପରିବର୍ତ୍ତନ ହେଲା । ବିଜେଡି ଭାଙ୍ଗିଯିବ ବୋଲି ସୋସିଆଲ ମିଡିଆରେ ପ୍ରଚାର ଚଳାଉଥିଲେ କୁଚକ୍ରୀ । ଏବେ ୮୧ ଜଣିଆ ଜୁମ୍ବୋ ଟିମ୍ ଗଠନ କରି ନବୀନ ଅପପ୍ରଚାରକାରୀଙ୍କୁ ଜବାବ ଦେଇଛନ୍ତି । ନବୀନଙ୍କ ନୂଆ ଟିମ୍ରେ ବରିଷ୍ଠ, ଅନୁଭବୀ ଓ ଯୁବ ନେତାଙ୍କୁ ଗୁରୁ ଦାୟିତ୍ବ ମିଳିଛି । ନୂଆ ଟିମ୍ ଗଠନ ପରେ ସମସ୍ତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସଭାପତି । ଦଳର ସଙ୍ଗଠନକୁ ତୃଣମୂଳସ୍ବରରେ ମଜଭୁତ କରିବା ସହ ଓଡ଼ିଶାବାସୀଙ୍କ ସ୍ବରସାଜି ଓଡ଼ିଆ ସ୍ବାଭିମାନର ଲଢ଼େଇକୁ ଜୋରଦାର ପାଇଁ  ଦୃଢ଼ ସଙ୍କଳ୍ପ ନେବାକୁ ଦେଇଛନ୍ତି ନିର୍ଦ୍ଦେଶ । ଦୁଇ ଦଶନ୍ଧି ପରେ ଏଥର ଗଠନ କରାଯାଇଛି ରାଜନୀତି ବ୍ୟାପାର କମିଟି । ୧୦ ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି ନବୀନ ପଟ୍ଟନାୟକ । ୨୫ ବର୍ଷ ଧରି ରାଜ୍ୟବାସୀଙ୍କୁ ସୁଶାସନ ଦେଇଥିଲେ ନବୀନ । ନୂଆ ଟିମକୁ ନେଇ ବିରୋଧୀ ଭୂମିକା ଆହୁରି ଶାଣିତ ହେବ ।  ସଂଗଠନର ପୁନର୍ବିନ୍ୟାସ ପରେ ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଥିବା ବିଜେଡି ଦାବି କରିଛି ।

ନବୀନ ପଟ୍ଟନାୟକ ସରକାର ସମୟରେ ଅନେକ ଜନକଲ୍ୟାଣକାରୀ ଯୋଜନା ହୋଇଥିଲା । କିନ୍ତୁ ୧୦ ମାସରେ ନୂଆ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି । କ୍ଷମତାକୁ ଆସିବା ପରଠୁ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରିଚାଲିଛନ୍ତି ଡବଲ ଇଞ୍ଜିନ ସରକାର । ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ବିଧାନସଭା ଭିତରେ ଓ ବାହାରେ ଦଳ ସରକାରଙ୍କୁ ଘେରିବ । ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ ଦଳ । ଭୁବନେଶ୍ବର ମୁଖ୍ୟାଳୟରୁ ଆରମ୍ଭ ହୋଇ ଜନଆନ୍ଦୋଳକୁ ବ୍ୟାପକ କରିବାକୁ ଅଣ୍ଟା ଭିଡିଲେଣି ନେତା । ବିଜୁ ଜନତା ଦଳ ରାଜ୍ୟର ପ୍ରମୁଖ ବିରୋଧୀ ଦଳ । ଲୋକଙ୍କ ସେବାରେ ଆଗରୁ ଥିଲା ଏବେ ବି ରହିଛି ଓ ଆଗକୁ ରହିବ ।

ଆସନ୍ତାକାଲି ଠାରୁ ଓଡ଼ିଶାରେ ହେବ ସିଭିଲ ଡିଫେନ୍ସ ମକ ଡ୍ରିଲ୍

ଭୁବନେଶ୍ୱର : ବିପଦ ଆସିଲେ ବାଜିବ ସାଇରନ୍ । ସତର୍କ ହେବେ ଲୋକ । ନିଜକୁ ସୁରକ୍ଷିତ ରଖିବା ସହ ପରିବାରର ବଞ୍ଚାଇବେ ଜୀବନ । ଯୁଦ୍ଧ ହେଲେ ଏଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବ ପ୍ରଶାସନ । ସିଭିଲ ଡିଫେନ୍ସ ମକ ଡ୍ରିଲ ଦ୍ବାରା ଆଗୁଆ ଲୋକଙ୍କୁ କରାଯିବ ସଚେତନ । ଆସନ୍ତାକାଲି ଅପରାହ୍ନ ୪ ଟାରେ ୧୨ଟି ସ୍ଥାନରେ ହେବ ଏହି ସିଭିଲ ଡିଫେନ୍ସ ମକ ଡ୍ରିଲ । ଏନେଇ ଆଜି ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ତାଳଚେର ଓ ପୁରୀରେ ହେବ ସିଭିଲ ଡିଫେନ୍ସ ମକ ଡ୍ରିଲ । ତାଳଚେରରେ କାଟେଗୋରି-୧ ସ୍ଥାନ ଭାବେ ଚି଼ହ୍ନଟ ହୋଇଥିବାବେଳେ, କାଟେଗୋରି-୨ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ ଏବଂ ରାଉରକେଲା ରହିଛି । କାଟେଗୋରି-୩ରେ ଅଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର, କେନ୍ଦ୍ରାପଡ଼ା । ସାତ ଦିନ ଧରି ଚାଲିବ ଏହି ମକ୍ ଡ୍ରିଲ ।

ସିଭିଲ ଡିଫେନ୍ସ ମକ ଡ୍ରିଲ ଆରମ୍ଭ ହେଲେ ୫ମିନିଟ ଧରି ସାଇରନ ବାଜିବ । ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ଏ ପ୍ରସ୍ତୁତି କରାଯାଉଛି ।  ପ୍ରଥମେ ୫ ମିନିଟ ଧରି ଲମ୍ବା ସାଇରନ୍ ବାଜିଲେ ଶତ୍ରୁ ପକ୍ଷରୁ ଆକ୍ରମଣ ଆରମ୍ଭ ହେଲା ବୋଲି ଧରି ନେବାକୁ ହେବ । ଲୋକେ କଙ୍କ୍ରିଟ ଘରକୁ ଚାଲିଯିବେ।  ଖାଦ୍ୟ, ଜଳ, ସ୍ବାସ୍ଥ୍ୟ, ସିଭିଲ୍ ଡିଫେନ୍ସ ହାତକୁ ଚାଲିଯିବ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ସାମଗ୍ରୀ ଅଛି ତାକୁ ବି ଏଥିରେ ସାମିଲ କରାଯିବ । ଓସଡମା ସହ ମିଳିତ ଭାବରେ ପ୍ରସ୍ତୁତି ହେଉଛି ପ୍ଲାନ ।  ୧୨ଟି ଜିଲ୍ଳାର ବିପର୍ଯ୍ୟୟ ମୁକାବିଲା ବାତ୍ୟା ଆଶ୍ରୟସ୍ଥଳୀ ବି ଏଥିରେ ସାମିଲ ହେବ । ଜେନେଭା ଚୁକ୍ତି ଅନୁସାରେ ଯୁଦ୍ଧ ସମୟରେ ରେଡ୍ କ୍ରସ ଓ ଗୋଳା ବାରୁଦ ସଂରକ୍ଷଣ ସ୍ଥାନକୁ ଆକ୍ରମଣ କରାଯାଏ ନାହିଁ ।

ଭୂତକୋଠି ପାଲଟିଲାଣି ରେମୁଣା ନିୟନ୍ତ୍ରିତ ବଜାର କମିଟ କମ୍ପ୍ଲେକ୍ସ

ବାଲେଶ୍ବର : ଜଙ୍ଗଲ ଭିତରେ ଲୁଚିଲାଣି ମାର୍କେଟ କମ୍ପ୍ଲେକ୍ସ । ଲିଭିବାକୁ ବସିଲାଣି ନିୟନ୍ତ୍ରିତ ବଜାର କମିଟି ବୋର୍ଡ । ଉଠିବାକୁ ଗଲାଣି ପେଭର ବ୍ଲକ । କେଉଁଠି ଗୋବର ଗଦା ତ କେଉଁଠି ପଚପଚ କାଦୁଅ । ବାଲେଶ୍ବର ବ୍ୟବସାୟୀଙ୍କ ଉନ୍ନତି ପାଇଁ ୫ କୋଟି ୪୦ ଲକ୍ଷ ଟଙ୍କା ବ୍ଯୟରେ ଏହି ନିୟନ୍ତ୍ରିତ ବଜାର କମିଟି ତିଆରି କରିଥିଲେ ପୂର୍ବ ସରକାର । ସହରଠାରୁ ୫ କିଲୋମିଟର ଦୂର ରେମୁଣାରେ ରହିଛି ଏହି RMC କମ୍ପ୍ଲେକ୍ସ । ପୁର୍ବରୁ ୧୮ ଟି ଦୋକାନ ଘର ବ୍ୟବସାୟୀଙ୍କୁ ଦିଆ ଯାଇଥିଲା । ଭଡ଼ା ବାବଦକୁ ୬ଶହ ରୁ ୬ ଶହ ଟଙ୍କା ଜମା କରୁଥିଲେ ଦୋକାନୀ । ପରେ ୧୮ଟି ଦୋକାନ ଜାଗାରେ ୭୫ଟି ଦୋକାନ ଘର ଥିବା ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସ ତିଆରି ହେଲା । ହେଲେ ୨୦୨୩ରୁ କାମ ସରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦୋକାନ ଘର କାହାକୁ ଦିଆଯାଇ ନାହିଁ । ଫଳରେ ଭୁତକୋଠି ପାଲଟିଲାଣି ଏହି ମାର୍କେଟ କମ୍ପ୍ଲେକ୍ସ ।
ନିୟନ୍ତ୍ରିତ ବଜାର କମିଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ଷ୍ଟେଟ ଏଗ୍ରିକଲ୍ଚର ମାର୍କେଟିଂ ବୋର୍ଡର ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ କାମ ହୋଇଛି । ହେଲେ ରାଜ୍ଯ ସରକାରଙ୍କ ନିର୍ଦ୍ଧାରିତ ଦର ପାଇଁ ଆଗ୍ରହ ଦେଖାଉ ନାହାନ୍ତି ବ୍ୟବସାୟୀ । ସେପଟେ ଉପଜିଲ୍ଲାପାଳ କହିଛନ୍ତି ଦୋକାନ ଦେବାକୁ ଯୋଜନା କରାଯାଉଛି । ଯେଉଁ ଦର ନିର୍ଦ୍ଧାରିତ କରାଯାଇଛି ସେଥିରେ ଦୋକାନୀ ଅମଙ୍ଗ ହେବାରୁ ଏହାକୁ ପରିବର୍ତ୍ତନ କରି ୪ ହଜାର ୫ଶର ଟଙ୍କା ନିର୍ଦ୍ଧାରଣ କରାଯାଇଛି । କମିଟି ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ।

OPSC, OSSC ପରୀକ୍ଷାରେ ତ୍ରୁଟି ପରେ ଚିନ୍ତାରେ ଆଶାୟୀ

ଭୁବନେଶ୍ବର : ଭୁଲ କରୁଛି କମିଶନ, ଭୋଗୁଛନ୍ତି ଆଶାୟୀ । ବୟସ ଗଡୁଛି, ପରୀକ୍ଷାରେ ଆସୁନି ସ୍ବଚ୍ଛତା । ବର୍ଷ ସାରା ପରିଶ୍ରମ ହେଲେ ରେଜଲ୍ଟ ବାତିଲ । OSSC, OPSC, SSB, RI ଓ ଅମିନ ପଦବୀ ପାଇଁ ପରୀକ୍ଷାରେ ତ୍ରୁଟି ଦେଖାଦେଇଛି । OSSC ଦ୍ଵାରା କରାଯାଇଥିବା ପରୀକ୍ଷା ବାତିଲ ପରେ ଏବେ ଆଶାୟୀଙ୍କ ଭିତରେ ତୀବ୍ର ସନ୍ତୋଷ ଦେଖାଦେଇଛି । ସାଧାରଣ ନିର୍ବାଚନ ହେଲେ ବାରମ୍ବର ଭୋଟ ଗଣତି ହେଉଛି, ହେଲେ ପରୀକ୍ଷାରେ ତ୍ରୁଟି ଦେଖାଦେଲେ ତଦନ୍ତର ଆଳ ଦେଖାଇ ସରକା କାହିଁକି ସମୟ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ । ଭୁଲ ପ୍ରଶ୍ନ ପତ୍ର ଆସିବା ନେଇ ଦାୟୀ କିଏ ? ଖାମଖିଆଲି ମନୋଭାବରେ ପରୀକ୍ଷା କରୁଛନ୍ତି କି ଦାୟିତ୍ୱରେ ଥିବା ଅଧିକାରୀ ? ଜଣେ ଆଶାୟୀ ସରକାରୀ ଚାକିରୀ ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରୁଛି । କମିଶନ ପରୀକ୍ଷା ବାତିଲ କରି ପୁଣି ତାରିଖ ଘୋଷଣା କଲା ପରେ ସେମାନଙ୍କ ମନରେ ଶକ୍ତ ଧକ୍କା ଲାଗୁଛି । ସରକାରୀ ଚାକିରୀ ଆଶାରେ ପରୀକ୍ଷା ଦେଇ ଦେଇ ବୟସ ଗଡିଗଲା ସିନା ଚାକିରୀ ଖଣ୍ଡେ ମିଳି ନଥିବା ଅଭିଯୋଗ କରିଛନ୍ତି ଆଶାୟୀ ।

ପୂର୍ବ ସରକାର ସମୟରେ ୨୦୨୧-୨୪ ପର୍ଯ୍ଯନ୍ତ ଚାକିରୀର ଆବେଦନ ବୟସ ସମୀ ୩୨ରୁ ୩୮ ବର୍ଷ ବୟସ କରାଯାଇଥିଲା । ଏବେ ସରକାର ବଦଳିବା ପରେ ୩୨ ବର୍ଷ କରାଯାଇଛି । ବୟସସୀମା ବୃଦ୍ଧି ଦାବି ନେଇ ରାଜ୍ଯ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ୯ ଥର ଭେଟି ଦାବି ଜଣାଇଛନ୍ତି । ଗୋଆରେ ୪୫, ତେଲେଙ୍ଗାନାରେ ୪୬, ଆନ୍ଧ୍ରପ୍ରଦେଶରେ ୪୨, ୟୁପିରେ ୪୦, ଉତ୍ତରାଖଣ୍ଡରେ ୪୨, ହରିୟାଣାରେ ୪୨ ଓ ଲଦାଖରେ ୪୨ ବୟସ ସୀମା ରହିଛି । ୧୫ଟି ରାଜ୍ଯରେ ଥିବା ବୟସ ସୀମା ନେଇ ଅବଗତ ମଧ୍ଯ କରିଛନ୍ତି । ପୂର୍ବରୁ ବିଜେପି ସରକାର ବିରୋଧୀରେ ଥିବାବେଳେ ଚାକିରୀ ବୟସ ସୀମା ବୃଦ୍ଧି ନେଇ ଚିତ୍କାର କରୁଥିଲେ । ଏବେ ସରକାରକୁ ଆସିଲା ପରେ ନୀରବ ବୋଲି ଅଭିଯୋଗ କରିଛନ୍ତି ଆଶାୟୀ । ବାରମ୍ବାର ପରୀକ୍ଷାରେ ବିଭ୍ରାଟ ଓ ଦୁର୍ନୀତି ଖବର ସାମ୍ନାକୁ ଆସିଲେ ମଧ୍ୟ ସରକାରୀ ସ୍ତରରେ କାର୍ଯ୍ୟନୁଷ୍ଠାନ ଶୂନ । ଏବେ ଦେଖିବାର କଥା କେବେ ଆସୁଛି ପରୀକ୍ଷାରେ ସ୍ବଚ୍ଛତା ।

ଅଢେଇ ଘଣ୍ଟାର ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ୮ ମାସର ଶିଶୁପୁତ୍ର

ବ୍ରହ୍ମପୁର : ନୂଆ ଜୀବନ ପାଇଁଲା ୮ ମାସର ଶିଶୁପୁତ୍ର । ଗଳାରୁ ବାହାରିଲା ମୁଣ୍ଡ ଆକୃତିର ମାଂସ ପିଣ୍ଡୁଳା । ବ୍ରହ୍ମପୁର MKCG ଶିଶୁ ଶଲ୍ଯ ବିଭାଗର ବିରଳ ଅସ୍ତ୍ରୋପଚାର । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ନଇରୀ ଗାଁର କାହ୍ନୁ ଚରଣ ବେହେରା ଓ ରୂପା ବେହେରାଙ୍କ ୮ ମାସର ଶିଶୁପୁତ୍ର ଆଶୀର୍ବାଦ । ଜନ୍ମରୁ ସିଷ୍ଟିକ ହାଇଗ୍ରୋମା ବା ଲିମ୍ପାଟିକ ସିଷ୍ଟି ରୋଗରେ ଆକ୍ରାନ୍ତ ଥିଲା । ଗଳା ଧୀରେ ଧୀରେ ଫୁଲି ମୁଣ୍ଡ ଆକାରର ଏକ ମାଂସ ପିଣ୍ଡୁଳା ଜମାଟ ବାନ୍ଧିଥିଲା । ଫଳରେ ଶିଶୁର ନିଃଶ୍ୱାସ ନେବାରେ ସମସ୍ୟା ହେବା ସହ ଖାଇପାରୁ ନଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାକୁ MKCGରେ ଭର୍ତ୍ତି କରିଥିଲେ ପରିବାର । ପରୀକ୍ଷା ପରେ ବିଭାଗୀୟ ମୁଖ୍ୟ ମାନସ ରଞ୍ଜନ ଦାସଙ୍କ ନେତୃତ୍ବରେ କରାଯାଇଥିଲା ଅପରେସନ । ଶିଶୁଟି ଏବେ ସୁସ୍ଥ ଥିବାରୁ ଖୁସି ପ୍ରକାଶ କରିଛନ୍ତି ଦମ୍ପତି।

ଅଢେଇ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ଶିଶୁର ଗଳାରୁ ବାହାରିଛି ୧୨ ସେଣ୍ଟିମିଟରର ମାଂସ ପିଣ୍ଡୁଳା । ଜୁଗୁଲାର ଭେନକୁ ସୁରକ୍ଷିତ ରଖିବା ଡାକ୍ତରଙ୍କ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ । ଅସ୍ତ୍ରୋପଚାର ସମୟରେ କୌଣସି ଅସାବଧାନତା ଯୋଗୁଁ ଜୁଗୁଲାର ଭେନ କ୍ଷତିଗ୍ରସ୍ତ ହେଲେ ଶିଶୁଟି ବଞ୍ଚିବା କଷ୍ଟକର ହୋଇଥାନ୍ତା ବୋଲି କହିଛନ୍ତି ଡାକ୍ତର ।  ଟିମରେ ବିଭାଗର ଡାକ୍ତର ରାଜେନ୍ଦ୍ର ମିଶ୍ର, ଶ୍ରିଷ୍ଟି ବର୍ମା, ନିଶ୍ଚେତକ ବିଭାଗର ବିଷ୍ଣୁ ପ୍ରସାଦ ମହାପାତ୍ର, ବର୍ଷାରାଣୀ ବେହେରା, ନର୍ସିଂ ଅଫିସର ସ୍ଵର୍ଣ୍ଣଲତା ବେହେରା ଓ ପୂର୍ଣ୍ଣିମା ପ୍ରଧାନଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା କହିଛନ୍ତି ବିଭାର ମୁଖ୍ଯ ଡାକ୍ତର । ବିଭାଗର ଏକ ସ୍ବତନ୍ତ୍ର ଅସ୍ତ୍ରୋପଚାର ଗୃହ ନଥିବା ଯୋଗୁ ଅନେକ ଶିଶୁଙ୍କ ଅସ୍ତ୍ରୋପଚାରରୁ ବଞ୍ଚିତ ହେଉଛନ୍ତି । ତେଣୁ ଏଥିପ୍ରତି ଧ୍ଯାନ ଦେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।