ନନ୍ଦିଘୋଷ ବ୍ୟୁରୋ : ଡାଲି, ତେଲ, ଚିନି ମହଙ୍ଗା। ମହଙ୍ଗା ଖାଦ୍ୟ । ମହଙ୍ଗା ଯାତ୍ରା ଖର୍ଚ୍ଚ। ପୂଜା ସିଜିନ ଆରମ୍ଭରୁ ମହଙ୍ଗା ହେବାକୁ ଯାଉଛି ଟିଭି, ୱାସିଂ ମେସିନ, ଏସି, ମାଇକ୍ରୋ ଓଭେନ ଦର। ଏସବୁ ବୈଦୁତିକ ସାମଗ୍ରୀ ଦର ବଢ଼ିବ ଆସନ୍ତା ପହିଲାରୁ। ବିଭିନ୍ନ କମ୍ପାନି ଏବେଠୁ ଡିଲରମାନଙ୍କୁ ଜଣାଇସାରିଲେଣି। ଏ ସବୁ ସାମଗ୍ରୀ ଉପରେ ୫ରୁ ୮ ପ୍ରତିଶତ ଦର ବୃଦ୍ଧି ଘଟିବା ନେଇ ସୂଚନା ମିଳିଛି। ଯାହାକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ। ପୂଜା ଆସିଲେ ବିଭିନ୍ନ ସାମଗ୍ରୀ ଉପରେ ଡିକାଉଣ୍ଟ ମିଳେ। ଗରିବ, ନିମ୍ନ ମଧ୍ଯବିତ୍ତ ଚାହିଁ ବସିଥାନ୍ତି ପୂଜା ଆସିଲେ ଘର ପାଇଁ ଏସବୁ ଜିନିଷ ଟିକିଏ ଶସ୍ତାରେ କିଣିବେ। ହେଲେ ଏ ବର୍ଷ ଗ୍ରାହକଙ୍କ ଏହି ଆଶା ମଉଳିବାକୁ ଯାଉଛି। ସେପଟେ ଦରବୃଦ୍ଧି ହେଲେ ପୂଜା ସିଜିନରେ ବ୍ୟବସାୟୀଙ୍କ କାରବାର ଉପରେ ପ୍ରଭାବ ପଡ଼ିବା ନେଇ ଆଶଙ୍କା ବ୍ଯକ୍ତି କରିଛନ୍ତି ଡିଲର। ଦରବୃଦ୍ଧି ଯୋଗୁ EMIରେ ସାମଗ୍ରୀ କିଣୁଥିବା ଗ୍ରାହକ ବି ଅଧିକ ପ୍ରଭାବିତ ହେବେ। ଚଳିତ ବର୍ଷ ଇଲେକ୍ଟ୍ରୋନିକସ ସାମଗ୍ରୀ ଦରବୃଦ୍ଧି ନୂଆ କଥା ନୁହେଁ। ଗତ ୯ ମାସ ଭିତରେ ତିନି ଥର ବୈଦୁତିକ ସାମଗ୍ରୀ ଦର ବଢ଼ିଲାଣି। ଯାହାକୁ ନେଇ ଗ୍ରାହକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତମ୍ବା, ଆଲୁମିନିୟମ, ଷ୍ଟିଲ୍ ଏବଂ ଅଶୋଧିତ ତୈଳ ଉତ୍ପାଦନ ଭଳି ପ୍ରମୁଖ ଇନପୁଟ୍ ଗୁଡ଼ିକର ଦରବୃଦ୍ଧି ଘଟିଛି। ଏହାସହ ଚୀନ୍ ତାଇବାନ ଓ ମଧ୍ଯପ୍ରାଚ୍ଯ ଦେଶରୁ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଇନପୁଟ ସମୟରେ ବିଳମ୍ବ ଏକ୍ସଚେଞ୍ଜ ରେଟ୍ ବୃଦ୍ଧି ଓ ଇନପୁଟ ମୂଲ୍ୟ ବୃଦ୍ଧି ଯୋଗୁ ବାରମ୍ବାର ଏଭଳି ଦର ବୃଦ୍ଧିର କାରଣ ବୋଲି ମତ ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ। ଦରବୃଦ୍ଧି ଯୋଗୁ ରେପୋ ରେଟ୍ ବୃଦ୍ଧି , ଗ୍ରାହକଙ୍କ ଉପରେ EMI ବୃଦ୍ଧିର ପ୍ରଭାବ ପଡ଼ିଛି।
ରାଉରକେଲା ଷ୍ଟେସନରେ ଟିକେଟ୍ ଦଲାଲି, ଜଣେ ଗିରଫ
ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ରେଲୱେ ଷ୍ଟେସନରେ ଯାତ୍ରୀଙ୍କୁ ଟିକଟ ମିଳୁନଥିବା ବେଳେ ଦଲାଲଙ୍କ କବଜାକୁ ଟ୍ରେନ ଟିକେଟ ଯାଉଥିବା ଅଭିଯୋଗ ହେଉଛି । ଟ୍ରେନ ଟିକେଟ ଦଲାଲି କରୁଥିବା ଅଭିଯୋଗରେ ଜଣେ ଟିକଟ ଦଲାଲଙ୍କୁ ଗିରଫ କରିଛି RPF । ସାଧାରଣ ଯାତ୍ରୀମାନଙ୍କୁ କନଫର୍ମ ଟ୍ରେନ ଟିକେଟ ମିଳୁନଥିବା ବେଳେ ଦଲାଲଙ୍କୁ କିପରି ଟ୍ରେନ ଟିକେଟ ମିଳି ଯାଉଛି ସେନେଇ RPF ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ରାଉରକେଲା ସହରରେ ଅନେକ ଦଲାଲ ରେଲୱେ ବିଭାଗର କିଛି କର୍ମଚାରୀଙ୍କ ସହଯୋଗରେ ଅଧିକ ଟଙ୍କା ନେଇ କନଫର୍ମ ଟିକେଟ କରି ଦେଉଥିବାରୁ ସମସ୍ତ ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ରାଉରକେଲା ରେଲୱେ ଷ୍ଟେସନ ସହିତ ଚକ୍ରଧରପୁର ରେଲୱେ ଡିଭିଜନରେ ରେଲୱେ ଟିକେଟ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ସହଯୋଗରେ ଦଲାଲମାନେ ଟ୍ରେନ ଟିକେଟ ହାତେଇଵାରେ ସକ୍ଷମ ହେଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଅଧିକ ଟଙ୍କା ନେଇ ତତ୍କାଳ ଟ୍ରେନ ଟିକେଟ କରୁଥିବା ସମୟରେ RPF ଗିରଫ କରିଥିବା ଗିରଫ ହେଵା ପରେ ତରୁଣ କୁମାର ଉପାଧ୍ୟାୟ ସ୍ଵିକାର କରିଛନ୍ତି ।
ନରେନ୍ଦ୍ର ସାହୁ ଅପହରଣ ମାମଲା: ଦେଢ଼ମାସ ପରେ ବି ୬ ଅଭିଯୁକ୍ତଙ୍କ ପତ୍ତା ନାହିଁ
ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ଦେଢ଼ମାସ ପରେ ବି ପୋଲିସ ହାତ ଖାଲି। ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆହୁରି ୬ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଅନ୍ୟପଟେ ଦୁଇଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ସାହୁଙ୍କୁ ଜେରା କରାଯାଇଥିଲେ ମଧ୍ୟ ଟଙ୍କା ଉଧାରି ସମ୍ପର୍କିତ କଥାକୁ ଛାଡ଼ି ଅନ୍ୟ କୌଣସି ସୂଚନା ଦେଉନଥିବା ଜଣାପଡ଼ିଛି। ଏହି ହାଇପ୍ରୋଫାଇଲ ଅପହରଣ ମାମଲାରେ ପୋଲିସ କ୍ଷିତିଶ ସାହୁ, ତାଙ୍କ ସବ୍-ଇନ୍ସପେକ୍ଟର ଭଉଣୀ ସ୍ନେହାମଞ୍ଜରୀ ସାହୁ, ଭୁବନେଶ୍ୱରର କ୍ରାଇମ୍ ରିପୋର୍ଟର ସଞ୍ଜୟ ଜେନା ଏବଂ ବଲାଙ୍ଗୀର ତୁଳସୀନଗରର ସଞ୍ଜିତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅପହରଣ ଘଟଣାରେ ସମ୍ପୃକ୍ତ ଆହୁରି ୬ ଜଣ ଏବେବି ଫେରାର ଥିବାବେଳେ ଖୁବ୍ଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅପହରଣର ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ନରେନ୍ଦ୍ର ସାହୁଙ୍କୁ ଉଦ୍ଧାର କରିଥିଲା ପୋଲିସ। ଏହାସହ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳର କ୍ଷିତିଶ ସାହୁଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କ ଭଉଣୀ ସ୍ନେହାମଞ୍ଜରୀ ସାହୁ, କ୍ରାଇମ୍ ରିପୋର୍ଟର ସଞ୍ଜୟ ଜେନା ଏବଂ ସହଯୋଗୀ ସଞ୍ଜିତ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ପ୍ରଥମେ ଅପହରଣ ପଛରେ ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ଥିବା ନେଇ ତତ୍କାଳୀନ ଉତ୍ତରାଞ୍ଚଳ ଆଇଜି ଏବଂ ବଲାଙ୍ଗୀର ଏସ୍ପି ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ନିଜ ବୟାନରେ ପରିବର୍ତ୍ତନ କରି ନରେନ୍ଦ୍ରଙ୍କୁ ଅପହରଣ କରି ମୁଣ୍ଡଜାମିନ ବାବଦରେ ୫୦ ଲକ୍ଷ ଟଙ୍କା ଦାବି କରାଯାଇଥିବା କହିଥିଲା। ଘଟଣାରେ ବ୍ୟବହୃତ କ୍ଷିତିଶଙ୍କ କାର୍, ପିସ୍ତଲ ଓ ୬ଟି ଗୁଳି ସହ ଗିରଫ ଅଭିଯୁକ୍ତମାନଙ୍କ ମୋବାଇଲ ଜବତ କରିଛି ପୋଲିସ। ତେବେ ନରେନ୍ଦ୍ର ସାହୁଙ୍କ ମୋବାଇଲ ଏବେ କେଉଁଠି, ସେନେଇ ପୋଲିସ ଏପର୍ଯ୍ୟନ୍ତ କୌଣସି ସୁରାକ ପାଇନାହିଁ। ଫେରାର ଅଭିଯୁକ୍ତଙ୍କୁ ଧରିବା ସହ ମାମଲାର ଅନ୍ୟାନ୍ୟ ଦିଗର ତଦନ୍ତ ଜାରି ରହିଛି।
NDPS କେସ୍ରେ ଓଡ଼ିଶାର କନଭିକ୍ସନ ହାର ୨୫%, ଚିନ୍ତାରେ ପୋଲିସ
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ନଗଣ୍ୟ NDPS କେସରେ ଦଣ୍ଡବିଧାନ । ସାରା ଦେଶରେ ଦଣ୍ଡବିଧାନ ହାରରେ ଆଗରେ ପଞ୍ଜାବ । ୨୫ ପ୍ରତିଶତ ହାରରେ ସଂଘର୍ଷ କରୁଛି ଓଡ଼ିଶା । ତ୍ରୁଟିପୂର୍ଣ୍ଣ ତଦନ୍ତ ଓ ଅନଭିଜ୍ଞ ତଦନ୍ତକାରୀ ଅଧିକାରୀଙ୍କୁ ଦାୟୀ କଲେ ବିଶେଷଜ୍ଞ ।୨୦୨୯ ସୁଦ୍ଧା ପୋଲିସ ଦେଖୁଛି ନିଶାମୁକ୍ତ ଓଡ଼ିଶାର ସ୍ୱପ୍ନ । ଅନ୍ୟପଟେ ଓଡ଼ିଶାର ଦଣ୍ଡବିଧାନ ହାରକୁ ନେଇ ବଢିଛି ଚିନ୍ତା। NDPS କେସରେ ୮୯ ପ୍ରତିଶତ ଦଣ୍ଡବିଧାନ ସହ ପଞ୍ଜାବ ସାରା ଦେଶରେ ଆଗରେ ରହିଥିବା ବେଳେ ଓଡ଼ିଶାର ଦଣ୍ଡବିଧାନ ହାର ୨୫ ରୁ ୩୦ ପ୍ରତିଶତ ମଧ୍ୟରେ ରହିଛି । ଯାହାକୁ ବଢାଇବାକୁ ଅଣ୍ଟା ଭିଡ଼ିଛି ଓଡିଶା ପୋଲିସ । ତଦନ୍ତକାରୀ ଅଧିକାରୀ ସମ୍ପୃକ୍ତ କେସ୍ ରେ ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଯଦି ଏ କ୍ଷେତ୍ରରେ ଦୁଇ ମାସ ମଧ୍ୟରେ ଚାର୍ଜସିଟ ଦାଖଲ ନହୁଏ ଓ ଅଭିଯୁକ୍ତ ଅନାୟାସରେ ଜାମିନ ପାଇଯାଏ, ତେବେ ସମ୍ପୃକ୍ତ ଆଇଓ ଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ସେପଟେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସରକାରୀ ଓକିଲ । ନିଶା ବେପାର ଓ ନିଶା ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ସେମାନଙ୍କୁ ଗିରଫ ସହ ନିଶା ସାମଗ୍ରୀ ନଷ୍ଟ କରାଯାଉଛି । ମାଫିଆଙ୍କ ସମ୍ପତ୍ତି ବ୍ୟାଜପ୍ତି ହେଉଛି । ୨୦୨୪ ଅଗଷ୍ଟ ରୁ ୨୦୨୬ ଜୁଲାଇ ମଧ୍ୟରେ ଏନଡିପିଏସ ଆଇନ ଅଧୀନରେ ୪ହଜାର ୮୯୨ ଟି ମାମଲା ରୁଜୁ କରାଯାଇଛି । ୫ ହଜାର ୩୭୬ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ୬୪ ହଜାର ଏକର ରୁ ଅଧିକ ଚାଷ ନଷ୍ଟ କରାଯାଇଛି । ୨ ହଜାର କୋଟି ଟଙ୍କାର ଗଞ୍ଜେଇ, ୫୭ କୋଟି ଟଙ୍କାର ବ୍ରାଉନସୁଗର ମଧ୍ୟ ଜବତ ହୋଇଛି । ଗୋଟିଏ ପଟେ ଇନ୍ଫୋର୍ସମେଣ୍ଟ ବଢ଼ୁଥିଲେ ସୁଦ୍ଧା କନଭିକ୍ସନ ହାର ବଢୁନାହିଁ । ଦୁର୍ବଳ ତଦନ୍ତ ଓ ଅନଭିଜ୍ଞ ତଦନ୍ତକାରୀ ଅଧିକାରୀଙ୍କୁ ଏଥପାଇଁ ଦାୟୀ କରିଛନ୍ତି ବିଶେଷଜ୍ଞ । ଏହାସହ ସାକ୍ଷୀଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ଅଭାବରୁ କୋର୍ଟରେ ବୟାନ ବଦଳୁଛି । ଏ ଦିଗରେ ଗୁରୁତ୍ୱାରୋପ ହେଲେ ତଦନ୍ତ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇପାରିବ ।
ଗରିବଙ୍କ ଚାଉଳ ଜଙ୍ଗଲରେ, ତଦନ୍ତ ଦାବି
କେନ୍ଦୁଝର : ଜଙ୍ଗଲରେ ପଡ଼ିଛି ବସ୍ତାବସ୍ତା ଚାଉଳ ଓ ରାସନକାର୍ଡ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ଆଦର୍ଶ ବିଦ୍ୟାଳୟ ଓ ଗ୍ରିଡ ଷ୍ଟେସନ ପଛପଟ ଜଙ୍ଗଲରେ ପଡ଼ିଛି ଚାଉଳ । କେହି ଜଣେ ଫିଙ୍ଗି ଦେଇଥିବା ଜଣାପଡୁଛି । ତେବେ ଗରିବ ଖଟିଖିଆ ମାନଙ୍କ ପେଟକୁ ଦାନା ଦେବା ସରକାର ଚାଉଳ ଯୋଗାଇ ଦେଉଛନ୍ତି । ହେଲେ ଏତେ ମାତ୍ରାରେ ଚାଉଳ କିଏ ଓ କାହିଁକି ଜଙ୍ଗଲରେ ଫୋପାଡ଼ିଲା ? ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଅଞ୍ଚଳବାସୀ କହିଛନ୍ତି । ଅନ୍ୟପଟେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଚମ୍ପୁଆ ACSO ।
ଲଘୁଚାପରେ ଛାରଖାର ହେନ୍ତାଳ ବଣ, ମରୁଛନ୍ତି ଶହ ଶହ ପକ୍ଷୀଛୁଆ
ନନ୍ଦିଘୋଷ ବ୍ୟୁରୋ : ଭାଙ୍ଗି ପଡ଼ିଛି ଶହ ଶହ ପକ୍ଷୀଙ୍କ ବସା । କାନ୍ଦୁଛି ହେନ୍ତାଳ ବଣ । କାନ୍ଦୁଛନ୍ତି ହଜାର ହଜାର ପକ୍ଷୀଙ୍କ ମା’ । ଅଥଚ ନିଘୋଡ଼ ନିଦରେ ବନବିଭାଗ । ଯେଉଁଠି ବର୍ଷ ତମାମ ଦେଶୀୟ ଓ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଲାଗି ରହିଥାଏ । ଆଜି ସେହି ବଣ ଶ୍ମଶାନ ପାଲଟିଛି । ଗୋଟିଏ ରାତିର ଲଘୁଚାପ ବର୍ଷା ଓ ପବନ ସବୁ କିଛି ଛାରଖାର କରିଦେଇଛି । ପବନର ବେଗ ସହି ନପାରି ଶହ ଶହ ଛୁଆ ମା’ କୋଳରୁ ଖସି ପଡ଼ିଛନ୍ତି । ନଦୀରେ ପଡ଼ି ଛଟପଟ ହୋଇ ମରୁଛନ୍ତି । ହେଲେ ପକ୍ଷୀଙ୍କ ସୁରକ୍ଷା କଥା ଭୁଲି ଯାଇଛି ବନବିଭାଗ । ଜଣେ ବି କର୍ମଚାରୀ ଆସୁନାହାଁନ୍ତି କି କାଠି ଥୋଇ ନାହାଁନ୍ତି । ହେନ୍ତାଳ ବଣରେ ବର୍ଷ ତମାମ ଦେଶୀ ଧଳା ଓ କଳା ବଗ, ମାଛରଙ୍କା, ପାଣିକୁଆ ବସା ବାନ୍ଧି ରହିଥାନ୍ତି । ସେପ୍ଟେମ୍ବର ଅକ୍ଟୋବର ଆସିଲେ ଏହି ବଣକୁ ସୁଦୁର ସାଇବେରିଆ, ମଧ୍ୟ ଏସିଆ, ୟୁରୋପରୁ ହଜାର ବିଦେଶୀ ପକ୍ଷୀ ଉଡି ଆସନ୍ତି । ପକ୍ଷୀ ମାନଙ୍କ କୋଳାହଳରେ ମୁଖରିତ ହୁଏ ପୁରା ପରିବେଶ । ପ୍ରତିଦିନ ଶହ ଶହ ବାଟୋଇ, ପକ୍ଷୀ ପ୍ରେମୀ, ଫଟୋଗ୍ରାଫର ଏଠାକୁ ଦୌଡି ଆସନ୍ତି । ତେଣୁ ତୁରନ୍ତ ଏହି ବଣକୁ ବର୍ଡ ସାଂକଚୁଆରୀ ମାନ୍ୟତା ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।
୨୦ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ଖାଲରେ ହନ୍ତସନ୍ତ ଯାତ୍ରୀ
ନନ୍ଦିଘୋଷ ବ୍ୟୁରୋ : ରାଜପଥ ପାଲଟିଛି ମୃତ୍ୟୁପଥ । ପାଦେ ପାଦେ ବିପଦ । ମରଣଯନ୍ତା ପାଲଟିଛି ୨୦ ନମ୍ବର ଜାତୀୟ ରାଜପଥ । କେନ୍ଦୁଝର ଜିଲ୍ଲା ରିମୁଳି- ଚମ୍ପୁଆ ୧୫ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଆଣ୍ଠୁଏ ଲେଖାଏଁ ଖାଲ ଯୋଗୁଁ ଦୈନିକ ଘଟୁଛି ଛୋଟ ବଡ଼ ଦୁର୍ଘଟଣା । ରାସ୍ତା ଜାମ ବି ହେଉଛି । ରାସ୍ତା ପ୍ରଶସ୍ତି କରଣ ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ଶୁଣୁନାହାନ୍ତି NHAI କର୍ତ୍ତୃପକ୍ଷ । ୧୯୯୭/୯୮ ମସିହାରେ ରିମୁଳି- ଚମ୍ପୁଆ ରୋଡକୁ ମିଳିଛି ରାଜପଥ ମାନ୍ୟତା । ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଭାରିଯାନ ଚଳାଚଳ କରୁଛି । ହେଲେ ନା ହେଉଛି ରାସ୍ତା ମରାମତି ନା ସଂପ୍ରସାରଣ । ଫଳରେ ଜର୍ଜରିତ ହୋଇପଡ଼ିଛି ଚମ୍ପୁଆ ଉପଖଣ୍ଡର ଲାଇଫଲାଇନ । ଭାରିଯାନ ଚଳାଚଳ ପାଇଁ ରାସ୍ତା ଜାମ ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଛି । ସମସ୍ୟା ସଂପର୍କରେ କ୍ୟାମେରା ଆଗରେ ମୁହଁ ଖୋଲୁ ନାହାନ୍ତି ଅଧିକାରୀ ।
ଧାନ କିଆରିରେ ଚକଡ଼ା ଆତଙ୍କ, ଶୁଖିଯାଉଛି ଫସଲ; ଚିନ୍ତାରେ ଚାଷୀ
ନୂଆପଡା : ଚାଷୀଙ୍କୁ ଘାରିଛି ଚକଡ଼ା ଚିନ୍ତା । ଧାନ କିଆରିରୁ କିଆରିକୁ ମାଡ଼ିଚାଲିଛନ୍ତି ଚକଡ଼ା ପୋକ । କାମ କରୁନି କୀଟନାଶକ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକରେ ଚକଡ଼ା ପୋକ ଚାଷୀଙ୍କ ନିଦ ହଜାଇ ଦେଇଛି । ଏକର ଏକର ଜମିରେ ପୋକ ଲାଗିବାରୁ ଧାନ ଗଛ ପ୍ରଥମେ ଲାଲ ଓ ପରେ ଶୁଖିଯାଇ ନଷ୍ଟ ହୋଇଯାଉଛି । ଫଳରେ ଧାର କରଜ କରିଥିବା ଚାଷୀ କିପରି ଋଣ ସୁଝିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି । କିପରି କରିବେ ପରିବାର ପ୍ରତିପୋଷଣ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଚାଷୀ ନିଜ ଚାଷକୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କୀଟନାଶକ ସିଞ୍ଚନ କରୁଛନ୍ତି । ହେଲେ ତାହା କାମ କରୁନି । ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଶହ ଉତ୍ତାପ ବୃଦ୍ଧି ଯୋଗୁଁ ଚାଷରେ ପୋକ ଲାଗୁଛନ୍ତି । ବିଭାଗର ଏକ ଟିମ କ୍ଷେତ୍ର ପରିଦର୍ଶନ କରି ପଦକ୍ଷେପ ନେଉଥିବା କହିଛନ୍ତି କୃଷି ଅଧିକାରୀ ।
ହେଇଯାନ୍ତୁ ସାବଧାନ! ଆପଣଙ୍କ IDରେ ଖୋଲିପାରେ ଫେକ୍ ଆକାଉଣ୍ଟ
ନନ୍ଦିଘୋଷ ବ୍ୟୁରୋ : ଦୁଇଜଣ ଆନ୍ତଃରାଜ୍ୟ ସାଇଵର ଠକଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଫେକ ଆକାଉଣ୍ଟ୍ ଖୋଲି କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ବେକାର ଯୁବକ ମାନଙ୍କ ବିଭିନ୍ନ ବ୍ୟକ୍ତିଗତ ପରିଚୟ ପତ୍ର ଜରିଆରେ ସିମ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ୍ ଖୋଲିବା ପରେ ଓ କ୍ରୟ କରିବା ପରେ ଏହି ଏକାଉଣ୍ଟ୍ ହାତେଇ ସାଇବର ଠକ ମାନେ କୋଟି କୋଟି ଟଙ୍କା ଠକେଇ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜ୍ୟରେ ୨୧ ଟି ଫେକ ଆକାଉଣ୍ଟ୍ ଵିକ୍ରି ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ବୌଦ୍ଧରେ ମାମୁଁ-ଭଣଜାଙ୍କ ଉପରେ ଗୁଳିମାଡ଼, ଜଙ୍ଘରେ ଗୁଳି ବାଜି ମାମୁଁ ଆହତ; ପୂର୍ବ ଶତ୍ରୁତା ସନ୍ଦେହ
ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ଵସରି ପଞ୍ଚାୟତର ସାନଝାରମୁଣ୍ଡା ମେଟାକାନି ଛକରେ ଗୁଳିକାଣ୍ଡ l ବିଳମ୍ବିତ ରାତିରେ ଔଷଧ କିଣିବା ପାଇଁ ବଡଝାରମୁଣ୍ଡା ଗାଁରୁ ପଲସାଗୋରାକୁ ବାଇକ ଯୋଗେ ମାମୁଁ ଭଣଜା ଆସୁଥିବାବେଳେ ଗୁଳିମାଡ଼। ଜଣେ ଦୁର୍ବୁତ୍ତ ଗୁଳି କରିଥିବା ବେଳେ ମାମୁଁ ଲବ କହଁରଙ୍କ ଜଙ୍ଘରେ ବାଜିଛି ଗୁଳି। ଆହତ ଲବଙ୍କୁ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶୁ ଚିକିତ୍ସା କରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଫାଇରିଂ ହୋଇଥିବା ସନ୍ଦେହ କରାଯାଉଛି। କଣ୍ଟାମାଳ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

