spot_img
Home Blog Page 82

ଆଜି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ନନ୍ଦିଘୋଷ ବ୍ୟୁରୋ : ଆଜି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ସକାଳ ୭.୩୦ ରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲାଯିବା ପାଇଁ ଶୁଭ ମୁହୂର୍ତ୍ତ ସ୍ଥିର ହୋଇଛି। ଭକ୍ତମାନଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଗୁଣ୍ଡିଚା ମନ୍ଦିର ଭିତରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଗତ ପରିଚାଳନା କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ ଆଜି ଖୋଲାଯିବ। ଆଜିଠାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ ଶୁଳ୍କ ଲାଗିବନାହିଁ।ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବ।କେବଳ ବରିଷ୍ଠ ନାଗରିକ ଓ ଛୋଟ ଶିଶୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ ସମ୍ପୂର୍ଣ୍ଣ ନିଶୁଳ୍କ ରହିବ। ଜୋତା ଓ ମୋବାଇଲ୍ ରଖିବା ପାଇଁ ମଧ୍ୟ ନିଶୁଳ୍କ ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେ ଗୁଣ୍ଡିଚା ମନ୍ଦିର ଦାନବାକ୍ସ ଗଣତି ପାଇଁ ସିସିଟିଭି ଲଗାଯିବା କାର୍ଯ୍ୟ ଶେଷ ହୋଇଥିବା ବେଳେ ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା କରାଯାଇଛି।

ଜାମ୍ମୁ ଓ କାଶ୍ମୀରରେ ନିରାପତ୍ତା ବାହିନୀକୁ ସଫଳତା

ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରରେ ନିରାପତ୍ତା ବାହିନୀକୁ ସଫଳତା। ଅନେକ ଆକ୍ରମଣ ଘଟଣାରେ ସାମିଲ ଥିବା ଜଣେ ତୁଙ୍ଗ ଲସ୍କର-ଏ-ତଏବା ଆତଙ୍କୀ ନିପାତ ହୋଇଛି। ଜାମ୍ମୁ ଓ କାଶ୍ମୀରର ବୁଦଗାମରେ ହୋଇଛି ଏନକାଉଣ୍ଟର। ପ୍ରାଣ ହରାଇଥିବା ଆତଙ୍କୀ ହେଉଛି ସୁଲେମାନ ଶାହ ଓରଫ ମୁସା। କେନ୍ଦ୍ରୀୟ କାଶ୍ମୀରର କୋରାଗ, ୟୁସମାର୍ଗରେ ଚାଲିଥିବା ଆର୍ମିର ସର୍ଚ୍ଚ ଅପରେସନ ବେଳେ ତାର ନିଧନ ହୋଇଛି। ଆର୍ମି ଉପରକୁ  ଆତଙ୍କୀମାନେ ଗୁଳିଚାଳନା କରିବା ପରେ ତାହାର ପାଲଟା ଜବାବ ଦେଇଥିଲେ ନିରାପତ୍ତା ବାହିନୀ। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ରେଡ ଜାରି ରହିଛି। ଗତ କିଛି ବର୍ଷ ଧରି ଜାମ୍ମୁ ଓ କାଶ୍ମୀରରେ ଅନେକ ଆତଙ୍କୀ ଘଟଣାରେ ସେ ସାମିଲ ଥିଲା। ସେପଟେ କାଠୁଆ ଜିଲ୍ଲାରେ ସେବା-୨ ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପସ୍ଥିତ ଏକ ଶିବିରରେ ଘଟିଛି ଦୁଃଖଦ ଘଟଣା। ସହକର୍ମୀଙ୍କ ଗୁଳିମାଡରେ ପ୍ରାଣ ହରାଇଛନ୍ତି କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ-CISFର ୪ ଯବାନ। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ସହକାରୀ କମାଣ୍ଡାଣ୍ଟ ରାଙ୍କର ଅଫିସର। ଅଭିଯୁକ୍ତ ତଥା CISF ହେଡ୍ କନଷ୍ଟେବଳ ଅବଧେଶ ସିଂକୁ ଗିରଫ କରାଯାଇଛି।..

ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ

ନନ୍ଦିଘୋଷ ବ୍ୟୁରୋ : ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ । ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ପ୍ରତିବାଦରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଦ୍ରୋହ କରୁଛି ସଙ୍ଗଠନ । ରାଜ୍ୟରେ ଯାତାୟାତ ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ସଙ୍ଗଠନ ନିବେଦନ କରିଛି । ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ ଏବଂ ମେଡିକାଲ ଏହି ବନ୍ଦରୁ ମୁକ୍ତ ରହିବ ।  ନବ ନିର୍ମାଣ କୃଷକ ସଙ୍ଗଠନ ପାଠ୍ୟପୁସ୍ତକ ତ୍ରୁଟି ବିବାଦକୁ ନେଇ ଲୋୟର ପିଏମଜିରେ ୪୦ ଦିନ ହେଲା ଅନଶନ କରିଆଶୁଛି । ପାଠ୍ୟପୁସ୍ତକ ତ୍ରୁଟି ସୁଧାରି ଠିକ ବହି ଏଯାଏଁ ପିଲାଙ୍କୁ ମିଳିଲା ନାହିଁ । ଷାଣ୍ମାସିକ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଆଜି ଓଡ଼ିଶା ବନ୍ଦ ଡ଼ାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ପାଠ୍ୟପୁସ୍ତକ ତ୍ରୁଟି ବିବାଦର ଆଜି ପର୍ଯ୍ୟନ୍ତ ହେଲାନି ସମାଧାନ…ପିଲାଙ୍କୁ ମିଳିଲାନି ତୃଟି ସଂଶୋଧନ ବହି…ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ… ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି… ୪୦ ଦିନ ହେଲା ଅନଶନରେ ଥିଲା ସଂଗଠନ…

କୁକୁଡ଼ା ପାଇଁ ୨ ଦିନ ଅଟକିଲା ଶବ ସଂସ୍କାର

ନନ୍ଦିଘୋଷ ବ୍ୟୁରୋ : ସାମାନ୍ୟ କୁକୁଡ଼ା ପାଇଁ ଅଟକିଲା ଶବ ସଂସ୍କାର । ଦୁଇଦିନ ଧରି ପଡ଼ିରହିଛି ମୃତଦେହ । ଆଦିବାସୀ ପରମ୍ପରାକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ତୀବ୍ର ବିବାଦ । ଯାହା ଶେଷରେ ସାମାଜିକ ବାସନ୍ଦର ରୂପ ନେଇଛି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଲୁହାମାଳିଆ ଗ୍ରାମରେ । ପରିସ୍ଥିତି ଏପରି ହୋଇଛି ଯେ, ଶେଷରେ ଶବ ସଂସ୍କାର ପାଇଁ ପୋଲିସକୁ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ପଡ଼ିଛି । ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ମହିଳାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ତଥା ଗ୍ରାମ ଶୁଦ୍ଧି ନିମନ୍ତେ ମୃତକଙ୍କ ପରିବାର ପକ୍ଷରୁ ୩ଟି କୁକୁଡ଼ା ପ୍ରଦାନ କରିବାର ନିୟମ ରହିଛି । ତେବେ ଏହାକୁ ମହିଳାଙ୍କ ପୁଅ ମାନିବାକୁ ରୋକଠୋକ୍ ମନା କରିଦେଇଥିଲେ । ପାରମ୍ପରିକ ନିୟମକୁ ଅବମାନନା କରିବା ସହ ଗାଁରେ ଆପୋସ ସମାଧାନ ବଦଳରେ ପୋଲିସ ଥାନାର ଦ୍ୱାରସ୍ଥ ହେବାରୁ ଗ୍ରାମରେ ସାମାଜିକ ବାସନ୍ଦ ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ । ଫଳରେ ଦୁଇଦିନ ଧରି ଗାଁରୁ ଶବ ଉଠିପାରି ନଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ପହଞ୍ଚି ଗ୍ରାମବାସୀ ଓ ପରିବାର ବର୍ଗଙ୍କୁ ବୁଝାସୁଝା କରି ଶବ ସଂସ୍କାର ପାଇଁ ଉଦ୍ୟମ ଜାରି କରିଛି।

ଅପହରଣ ଓ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍

ନନ୍ଦିଘୋଷ ବ୍ୟୁରୋ : ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ ପୋକ୍‌ସୋ କୋର୍ଟ ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଅଶୋକ ରାଉଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ଅଦାଲତ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ୍ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ନାବାଳିକା ଅପହରଣ ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ଅତିରିକ୍ତ ୩ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ସହ ଜୋରିମାନା ଅନାଦେୟ ଆଉ ୬ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ୨୦୨୫ ଅକ୍ଟୋବର ୧୯ ତାରିଖରେ ଏନେଇ କରଞ୍ଜିଆ ଥାନାରେ ମାମଲା ରୁଜୁ ହୋଇଥିଲା । ଅଦାଲତ ମୋଟ ୬ ଜଣ ସାକ୍ଷୀଙ୍କ ବୟାନ ଏବଂ ଉପସ୍ଥାପିତ ତଥ୍ୟ-ପ୍ରମାଣକୁ ଆଧାର କରି ଏହି ରାୟ ପ୍ରଦାନ କରିଛନ୍ତି ।

ମୋବାଇଲ ଗେମ୍‌କୁ ନେଇ ରେଭେନ୍ସାରେ ରାଗିଙ୍ଗ ଅଭିଯୋଗ

କଟକ : କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ । ମୋବାଇଲ ଗେମକୁ ନେଇ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ ହୋଇଛି । ଜଗନ୍ନାଥ ଛାତ୍ରବାସ ର ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ମନୋରଞ୍ଜନ ମାଝୀକୁ ସେହି ଛାତ୍ରାବାସର ତୃତୀୟ ବର୍ଷର କିଛି ଛାତ୍ର ରାଗିଙ୍ଗ କରିଥିବା ମନୋରଞ୍ଜନ ଅଭିଯୋଗ କରିଛନ୍ତି । ଅନଲାଇନ ମୋବଇଲ ଗେମରେ ସିନିୟର ଛାତ୍ରମାନେ ଚିଟିଙ୍ଗ କରିଥିବାରୁ ମନୋରଞ୍ଜନ ସେମାନଙ୍କୁ ବିରୋଧ କରିଥିଲେ । ଏଥିରେ ସିନିୟର ଛାତ୍ରମାନେ ରାଗିଯାଇ ମନୋରଞ୍ଜନକୁ ସେମାନଙ୍କ ହଷ୍ଟେଲ ରୁମ ପାଖକୁ ଡକାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଣ୍ଟି ରାଗିଙ୍ଗ ସେଲ ଏବଂ ପରେ ରେଭେନ୍ଶା ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଚିଫ ୱାର୍ଡେନକୁ ମେଲ କରି ଅଭିଯୋଗ କରିଛନ୍ତି । ଏ ନେଇ ରେଭେନ୍ଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଅଭିଯୋଗ ନେଇ କର୍ତ୍ତୃପକ୍ଷ ବୈଠକ କରିବେ ବୋଲି ସୂଚନା ମିଳିଛି ।

ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଶେଷ

ନନ୍ଦିଘୋଷ ବ୍ୟୁରୋ : ସୁପ୍ରିମକୋର୍ଟରେ ସରିଲା ଓଡ଼ିଶା ଡିଜିପି ଚୟନ ମାମଲାର ଶୁଣାଣି। ଓଡ଼ିଶା ସରକାରଙ୍କ ସମେତ ମାମଲାରେ ସମସ୍ତ ପକ୍ଷଙ୍କୁ ଶୁଣିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ଦୁଇଟି ଏକ୍ସ-କ୍ୟାଡର ପଦବୀରେ ଦୁଇଜଣ ଲେଭଲ-୧୬ର ଅଧିକାରୀ ଥାଉ ଥାଉ କାହିଁକି ରାଜ୍ୟ ସରକାର ଆଉ ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଏକ୍ସ-କ୍ୟାଡର ପଦବୀକୁ ଉନ୍ନୀତ କଲେ? ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କ ଆଗରେ ଉତ୍ତର ରଖିଥିଲେ। ଲେଭଲ-୧୫ର ଆଇପିଏସ ଅଧିକାରୀଙ୍କୁ ଲେଭଲ-୧୬କୁ ଉନ୍ନୀତ କରିବା ଆଇନସମ୍ମତ ଥିଲା ନା ନାହିଁ? ଆବେଦନକାରୀଙ୍କ ପକ୍ଷରୁ ଏହା ଠିକ୍ ନଥିଲା ବୋଲି ଯୁକ୍ତି ଦର୍ଶାଯାଉଥିବାବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ସରକାରଙ୍କ ସୁପାରିସ ଠିକ୍ ଥିଲା ବୋଲି ଜବାବ ଦେଇଥିଲେ। ବରିଷ୍ଠ ଆଇପିଏସ ଅଧିକାରୀ ସୁଶାନ୍ତ ନାଥଙ୍କ ସତ୍ୟନିଷ୍ଠା ପ୍ରମାଣପତ୍ର ପ୍ରତ୍ୟାହାର ପଛର କାରଣ କଣ ଥିଲା? ଏହା ଆଇନସମ୍ମତ ଥିଲା ନା ନାହିଁ? ସମସ୍ତ ଘଟଣାରେ ୟୁପିଏସସିର ରୁଲ୍‌ ୨-ଏ ଓ ୨-ବିର ଅନୁପାଳନ ହୋଇଛି କି ନାହିଁ?   ପ୍ରକାଶ ସିଂ ମାମଲାର ରାୟ ୨୦୦୬ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ଅବସ୍ଥାରେ ପ୍ରକାଶ ସିଂ ରାୟ ଆଧାରରେ ୨୦୧୮ ଓ ୨୦୧୯ରେ ପ୍ରସ୍ତୁତ ଗାଇଡଲାଇନ ଅନୁଯାୟୀ ବରିଷ୍ଠତା ଆଧାରରେ ରାଜ୍ୟ ସରକାର ଆଇପିଏସ ଅଧିକାରୀଙ୍କ ତାଲିକା ୟୁପିଏସସିକୁ ପଠାଇଥିଲେ ନା ନାହିଁ, ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ଏ ତମାମ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ ଶୁଣିଥିଲେ। ଆସନ୍ତାମାସ ୮ ତାରିଖରେ ଝାଡ଼ଖଣ୍ଡ ଡିଜିପି ଚୟନ ନେଇ ସମାନ ମାମଲାର ଶୁଣାଣି ରହିଛି। ସେହିଦିନ ଝାଡ଼ଖଣ୍ଡ ମାମଲାର ଶୁଣାଣି ପରେ ଏକସଙ୍ଗେ ରାୟ ଶୁଣାଇବେ ସୁପ୍ରିମକୋର୍ଟ।

କଲମା ବ୍ୟାରେଜରୁ ମନଇଚ୍ଛା ପାଣି ଛାଡୁଛି ଛତିଶଗଡ଼

ନନ୍ଦିଘୋଷ ବ୍ୟୁରୋ :  ଛତିଶଗଡ଼ର ମନମାନି, କଲମା ବ୍ୟାରେଜରୁ ମନଇଚ୍ଛା ପାଣି ଛାଡୁଛି, ବନ୍ୟାରେ ଭାସୁଛି ଓଡ଼ିଶା। ଚଳିତବର୍ଷ ବର୍ଷା ସହ ମହାନଦୀକୁ ଆସିଛି ଚତୁର୍ଥ ବନ୍ୟା। ଏହାକୁ ଛୋଟ ବନ୍ୟା ବୋଲି କହିଛି ଜଳ ସମ୍ପଦ ବିଭାଗ। ଯଦି ବଡ଼ ବନ୍ୟା ଆସେ, ତାହେଲେ ପୁଣି ଥରେ ଧନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି। ମୌସୁମୀରେ ସମସ୍ତ ୬୬ ଗେଟ୍ ଖୋଲି ଦେଉଛି ଛତିଶଗଡ଼। ମୁଖ୍ୟତଃ କଲମାର ଗେଟ୍ ଖୋଲିବାରୁ ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି। ରାଜ୍ୟରେ ବାରମ୍ବାର ବନ୍ୟା ଲାଗି ରହିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ମହାନଦୀ ଜଳ ପରିଚାଳନା ନେଇ ଛତିଶଗଡ଼ ସରକାର ଓଡ଼ିଶା ସହ ସମନ୍ୱୟ ରଖୁନଥିବା ଅଭିଯୋଗ ହେଉଛି। ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଶେଷ ଭାଗରେ ଥିବା କଲମା ବ୍ୟାରେଜ କେତେବେଳେ ଗେଟ୍ ବନ୍ଦ କରୁଛି ତ କେତେବେଳେ ଅଚାନକ ଗେଟ୍ ଖୋଲୁଛି। ଏ ନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କୁ ଆଗରୁ ସୂଚନା ଦେଉନାହାନ୍ତି ଛତିଶଗଡ଼ ସରକାର।

ସେପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ପ୍ରତି ତିନି ଘଣ୍ଟାରେ ଓଡ଼ିଶା ଓ ଛତିଶଗଡ଼ର ଗଜ ମିଟର ରିଡରମାନେ ନଦୀର ସ୍ଥିତି ନେଇ ତଥ୍ୟ ଆଦାନପ୍ରଦାନ କରୁଛନ୍ତି। ଏଥିପାଇଁ ଓଡ଼ିଶାର ୨୦ ଜଣ ଅଧିକାରୀ ୬ଟି ଗଜ ଷ୍ଟେସନରେ ଅଛନ୍ତି। ଅପରପକ୍ଷେ, ଛତିଶଗଡ଼ର ମନମାନିକୁ ଜଳ ସମ୍ପଦ ବିଭାଗ ଅସ୍ୱୀକାର କରିଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହେବାରୁ ସେମାନେ ଗେଟ୍ ଖୋଲି ପାଣି ଛାଡ଼ିଥିଲେ, ଯାହାର ପ୍ରଭାବ ଓଡ଼ିଶାରେ ପଡ଼ିଲା। କଲମା ଗେଟ୍ ମଧ୍ୟ ଖୋଲା ହୋଇଥିଲା। ହେଲେ ଗାଇଡଲାଇନ ଅନୁସାରେ ଛତିଶଗଡ଼ ଗେଟ୍ ଖୋଲୁଥିବା ନେଇ ଓଡ଼ିଶାର ଜଳ ସମ୍ପଦ ବିଭାଗ ସ୍ପଷ୍ଟୀକରଣ ଦେଇଛି। ଏହା ଭିତରେ ମହାନଦୀ ଜଳ ବିବାଦର ପାଖାପାଖି ୬୦ ଶୁଣାଣି ହେଲାଣି। ଅକ୍ଟୋବର ପହିଲାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ବୈଠକ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ହେଲେ ଅଂଶୀଦାରମାନଙ୍କ ମତାମତ ନିଆଯାଇନଥିବାରୁ ଆପତ୍ତି ଉଠାଇଛି ମହାନଦୀ ବଞ୍ଚାଓ ଅଭିଯାନ।

ଅଧାରୁ ବିଧାନସଭା ମୁଲତବୀ, ବିଜେପିକୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ : ଅଧାରୁ ବନ୍ଦ ହେଲା ବିଧାନସଭା। ବିଜେପି ଉପରେ ବର୍ଷିଲେ ବିରୋଧୀ । ବିଜେଡି କହିଲା ପଳାୟନପନ୍ଥୀ ଶାସକ ଦଳ । ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବ କଂଗ୍ରେସ । ବିଧାନସଭାରେ ଏମଏମଡିଆର ମୋସନ, ପାଠ୍ୟପୁସ୍ତକ ଭୁଲ ନେଇ ଶାସକ ଦଳ ପାଖରେ ନାହିଁ ଉତ୍ତର । ଗୃହରେ ଆଲୋଚନା କରିବାକୁ ଡରୁଥିବାରୁ ୪ଦିନ ଅବଧି ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ ଯାଏ ମୁଲତବୀ କରାଦିଆଯାଇଛି । ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟସ୍ବାର୍ଥ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରି ଓଡିଶାବାସୀଙ୍କୁ ଧୋକା ଦେଇ ଚାଲିଛି ।

ଏହାର ଜବାବ ମାଗିବାରୁ ବିଧାନସଭାକୁ ଅଧାରୁ ବନ୍ଦ କରିଦେଲେ ସରକାର । ସରକାରଙ୍କୁ ବିଧାନସଭା ଚାଲିବା ଭୟ ଘାରିଥିବାରୁ ଶାସକ ଦଳ ପଳାୟନପନ୍ଥୀ ସାଜିଛି ବୋଲି ବିଜେଡି ଅଭିଯୋଗ କରିଛି । ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ଥିବା ବେଳେ ୫ଦିନ ଧରି ଗୃହକୁ ଚଳାଇ ନଦେଇ ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ବିଜେଡି କହିଛି । ଏମଏମଡିଆର ଆଇନ ପ୍ରତ୍ୟାହାର ନହେବା ଯାଏ ବିଜେଡି ଲଢେଇ ଜାରି ରଖିବ ବୋଲି ଚେତାବନୀ ଦେଇଛି । ବିଧାନସଭା ୪ଦିନ ପୂର୍ବରୁ ଶେଷ ହେବା ନେଇ ଶାସକ ଦଳକୁ ନିଶାଣ କରିଛି କଂଗ୍ରେସ । ସମୟ ପୂର୍ବରୁ ବିଧାନସଭାକୁ ବନ୍ଦ କରିଦିଆଯାଇଥିବାରୁ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବ କଂଗ୍ରେସ । କାହିଁକି ରାଜ୍ୟସ୍ବାର୍ଥ ପ୍ରସଙ୍ଗକୁ ଗୃହରେ ଆଲୋଚନା କରିବାକୁ ବିଜେପି ଚାହୁଁନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରଛି । ଶାସକ ବିଜେପି ବିରୋଧୀ ଅଭିଯୋଗର ପାଲଟା ଜବାବ ଦେଇଛି ।

ଏମଏମଡିଆର ଆଇନ ବିରୋଧରେ ଇଣ୍ଡି ମେଣ୍ଟର ହଲ୍ଲାବୋଲ, ୮ରେ ଓଡ଼ିଶା ବନ୍ଦ

ନନ୍ଦିଘୋଷ ବ୍ୟୁରୋ : ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଇଣ୍ଡି ମେଣ୍ଟର ଗର୍ଜନ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି ସହ ଏସଆଇଆରରେ ରାଜନୈତିକ କରଣ ବିରୋଧରେ ଲୋୟର ପିଏମଜିରେ ହଲ୍ଲାବୋଲ। ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଇଣ୍ଡିମେଣ୍ଟର ନେତା। ଡବଲ ଇଞ୍ଜିନ ସରକାରର ଓଡ଼ିଶା ବିରୋଧୀ ଆଭିମୁଖ୍ୟ ଓ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଅକ୍ଟୋବର ୮ରେ ଓଡିଶା ବନ୍ଦ ଡାକରା ଦେଇଛି ଇଣ୍ଡି ମେଣ୍ଟ । ବନ୍ଦକୁ ସଫଳ କରିବା ପାଇଁ ଓଡ଼ିଶାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ପିସିସି ସଭାପତି। ସେହିପରି ଏମଏମଡିଆର ପ୍ରସଙ୍ଗରେ ବିଜେପି ସାଂସଦ ବାଢୁଥିବା ଯୁକ୍ତିକୁ କଡ଼ା ସମାଲୋଚନା କରିଛନ୍ତି ସିପିଆଇଏମ ବରିଷ୍ଠ ନେତା ଜନାର୍ଦ୍ଦନ ପତି। ୨୦୦୪ରେ ଯେଉଁମାନେ ଏମଏମଡିଆରକୁ ବିରୋଧ କରୁଥିଲେ, ସେମାନେ କିପରି ଏବେ ଭିନ୍ନ ଯୁକ୍ତି ବାଢୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏହି କଳା ଆଇନ ପ୍ରତ୍ୟାହାର ନହେଲେ ବିଜେପି ସରକାରକୁ ଗାଦିରୁ ହଟାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା। ।ବିଧାନସଭା ଘେରାଉ ବେଳେ ପୋଲିସ ଓ ଇଣ୍ଡି ମେଣ୍ଟ ମଧ୍ୟରେ ବେଶ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଡ୍ ଭାଙ୍ଗି ବିଧାନସଭାକୁ ଆଡକୁ କଂଗ୍ରେସ ନେତା ଓ କର୍ମୀମାନେ ମାଡି ଆସିବାରୁ ସେମାନଙ୍କୁ ଅଟାଇବାକୁ ଚେଷ୍ଟା କରିଥିଲା ପୋଲିସ। ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ସହ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନଦେବା ଯାଏ କଂଗ୍ରେସ ଚୁପ ହୋଇ ବସିବ ନାହିଁ ବୋଲି ଚେତାବନୀ ଦେଇଛି । ଯାହାର ଜବାବ ରଖିଛି ବିଜେପି।