ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର କରାଚୀ ବନ୍ଦରରେ ପ୍ରାୟ ସାତ ମାସ ଧରି ଫସି ରହିଛନ୍ତି ୬ ଜଣ ଭାରତୀୟ ନାବିକ। ଏକ ଇରାନୀ ଜାହାଜ କମ୍ପାନୀ ଓ କରାଚୀ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଯୋଗୁଁ ଜାହାଜଟି ଅଟକି ରହିଛି। ଫଳରେ ନାବିକମାନେ ଦୁର୍ଦ୍ଦଶା ଭୋଗୁଥିବା ପରିବାର ଅଭିଯୋଗ କରିଛନ୍ତି। ଫସିଥିବା ନାବିକଙ୍କ ମଧ୍ୟରେ ଉତ୍ତରପ୍ରଦେଶର ପ୍ରୟାଗରାଜର ବିନୀତ କିଶୋର ମିଶ୍ର ମଧ୍ୟ ଅଛନ୍ତି।
ପରିବାରର ସୂଚନା ଅନୁଯାୟୀ, ୧୭ ଏପ୍ରିଲ ୨୦୨୬ରୁ ଜାହାଜଟି କରାଚୀ ବନ୍ଦରରେ ଅଟକି ରହିଛି। ଜାହାଜର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିବା ବେଳେ ମୋବାଇଲ୍ ନେଟୱାର୍କ ମଧ୍ୟ ଠିକ୍ ଭାବେ କାମ କରୁନାହିଁ। ଏହାସହ ୬ ଜଣ ଭାରତୀୟ ନାବିକଙ୍କ ପାସପୋର୍ଟ ଓ ସିବୁକ୍ ଜବତ କରାଯାଇଥିବା ଅଭିଯୋଗ ହୋଇଛି। ବିନୀତଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ତାଙ୍କୁ ଭାରତ ଫେରିବାକୁ ଅନୁମତି ମିଳୁନାହିଁ।
ବିନୀତ ଗତ ୧୦ ବର୍ଷ ଧରି ମର୍ଚ୍ଚାଣ୍ଟ ନେଭିରେ କାମ କରୁଛନ୍ତି। ସେ ୨୫ ଫେବୃଆରୀ ୨୦୨୬ରେ ଏକ ଇରାନୀ ଜାହାଜ କମ୍ପାନୀରେ ଯୋଗ ଦେଇଥିଲେ। ଏହାପରେ ଓମାନରୁ ଜାହାଜରେ ଯାତ୍ରା ଆରମ୍ଭ କରିଥିଲେ। ଏପ୍ରିଲ ୧୭ରେ ଜାହାଜଟି କରାଚୀରେ ପହଞ୍ଚିବା ପରେ କମ୍ପାନୀ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବିବାଦ ଯୋଗୁଁ ଅଟକି ରହିଥିଲା।

ଅନ୍ୟପକ୍ଷରେ, ବିନୀତଙ୍କ ପତ୍ନୀ ନେହା ମିଶ୍ର, ଦୁଇ ଛୋଟ ପିଲା ଓ ଅବସରପ୍ରାପ୍ତ ସେନା ଅଧିକାରୀ ପିତା ଲଳିତ କିଶୋର ମିଶ୍ର ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଖରାପ ନେଟୱାର୍କ ଯୋଗୁଁ ପରିବାର ଲୋକେ ତାଙ୍କ ସହ ପ୍ରତିଦିନ କଥା ହୋଇପାରୁ ନାହାନ୍ତି। ଅନେକ ସମୟରେ ମାତ୍ର କିଛି ମିନିଟ୍ କଥା ହୋଇପାରୁଥିବାରୁ ପରିବାର ଚିନ୍ତାରେ ରହିଛି।
ଏହି ଘଟଣାରେ ପରିବାର ପକ୍ଷରୁ ପାକିସ୍ତାନରେ ଥିବା ଭାରତୀୟ କୂଟନୈତିକ ମିଶନ ସହ ଯୋଗାଯୋଗ କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବୈଦେଶିକ ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରି ୬ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କରାଯାଇଛି। ସହାୟତାର ଆଶ୍ୱାସନା ମିଳିଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନାହିଁ। କମ୍ପାନୀ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବିବାଦରେ ୬ ଜଣ ଭାରତୀୟ ନାବିକ କେତେଦିନ ଆଉ ଫସି ରହିବେ, ତାହାକୁ ନେଇ ପରିବାର ଚିନ୍ତା ପ୍ରକାଶ କରିଛି।

