spot_img
Home Blog Page 813

ଇସ୍ରୋର ୧୦୧ ମିଶନ ଲଞ୍ଚ ପାଇଁ କାଉଣ୍ଟଡାଉନ ଆରମ୍ଭ, ଉତକ୍ଷେପଣ ହେବ ଇଓଏସ-୦୯ ଉପଗ୍ରହ

ନନ୍ଦିଘୋଷ ବ୍ୟୁରୋ: ମହାକାଶରେ ପୁଣି କମାଲ କରିବାକୁ ଯାଉଛି ଇସ୍ରୋ । ଏଥିପାଇଁ ଆରମ୍ଭ ହୋଇସାରିଛି ୨୨ ଘଣ୍ଟିଆ କାଉଣ୍ଟ ଡାଉନ । ଅସନ୍ତାକାଲି ୧୮ ତାରିଖରେ ଶ୍ରୀହରିକୋଟା ସ୍ଥିତ ଅନ୍ତରିକ୍ଷ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ଼ରୁ ଏହାର ଉଦକ୍ଷେପଣ କରାଯିବ । ପିଏସଏଲଭି –ସି୬୧ରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ (ଇଓଏସ-୦୯) ଉତକ୍ଷେପଣ କରିବ ଇସ୍ରୋ ।

ରବିବାର ଭୋର  ୫ଟା ୫୯ ମିନିଟରେ ଏହାର ଉତକ୍ଷେପଣ କରାଯିବ । ଶନିବାର ସକାଳ ୭ଟା ୫୯ ମିନିଟରୁ ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ଏହି ଉପଗ୍ରହ ଯେକୌଣସି ପରିସ୍ଥିତିରେ ପୃଥିବୀର ହାଇ ରିଜୋଲ୍ୟୁସନ ଫଟୋ ନେବାକୁ ସକ୍ଷମ । ଏହା ଇସ୍ରୋର ୧୦୧ ତମ ମିଶନ ହୋଇଥିବା ବେଳେ ପିଏସଏଲଭିର ୬୩ତମ ମିଶନ ହେବ ।

ଉପଗ୍ରହ ଦ୍ବାରା ୨୪ ଘଣ୍ଟା ଉଠା ଯାଉଥିବା ଫଟୋରୁ କୃଷି, ଜଙ୍ଗଲ ଉପରେ ନଜର ରଖିବା, ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖିବା, ଅର୍ବାନ ପ୍ଲାନିଂ ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ ନଜର ରଖାଯାଇପାରିବ । ପ୍ରାୟ ୧୬.୯୬.୨୪ କିଲୋଗ୍ରେମର ଇଓଏସ-୦୯ ଉପଗ୍ରହ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ସମୂହରେ ସାମିଲ ହେବ । ମିଶନର ଉଦ୍ଦେଶ୍ୟ ହେଉଛି, ସାରା ଦେଶରେ ହେଉଥିବା ଘଟଣାର ତଥ୍ୟ ସଂଗ୍ରହ କରିବା ।

ପୁରୀ ମେଡିକାଲ ଶିଶୁ ବିଭାଗ ୱାର୍ଡରେ ବୁଲୁଛି କୁକୁର

ପୁରୀ: ପୁରୀ ମେଡିକାଲ ଶିଶୁ ବିଭାଗ ୱାର୍ଡରେ ରାତିରେ ବୁଲୁଛି କୁକୁର । କୁକୁର ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ବେଦନଶୀଳ ନବଜାତ ଶିଶୁ ବିଭାଗ ୱାର୍ଡରେ କୁକୁର ଚଳ ପ୍ରଚଳକୁ ନେଇ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ତେବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ତଥା କାର୍ଯ୍ୟରେ ଥିବା ସୁରକ୍ଷା କର୍ମୀ ଓ ୱାର୍ଡ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ଦାୟିତ୍ଵରେ ଥିଲେ ମଧ୍ୟ କୁକୁର ବୁଲିବାକୁ ନେଇ ସାଧାରଣରେ ସମାଲୋଚନା କରାଯାଇଛି ।

କୁକୁରଟିକୁ ବାରମ୍ବାର ଘଉଡ଼ାଇବା ସତ୍ୱେ ସେ ୱାର୍ଡ ଭିତରକୁ ପଳାଇଆସୁଥିବା ଦେଖିବାକୁ ମିଳିଛି। ପରେ ବାଧ୍ୟ ହୋଇ ଦ୍ୱାର ବନ୍ଦ କରାଯିବା ପରେ କୁକୁର ଆଉ ଆସି ନ ଥିଲା । ମାତ୍ର ସକାଳ ସମୟରେ କୁକୁରଟି ହସ୍ପିଟାଲର ତଳ ମହାଲରେ ବୁଲୁଥିବା ଦୃଶ୍ୟମାନ ହୋଇଥିବା ସତ୍ୱେ କର୍ତ୍ତୃପକ୍ଷଙ୍କ ଏ ନେଇ ନିଘା ନ ଥିବା ଭଳି ମନେ ହୋଇଥିଲା ।

ମହାପ୍ରସାଦକୁ ଅସମ୍ମାନ; ଚପଲ ପିନ୍ଧି ମହାପ୍ରସାଦ ଗ୍ରହଣ

ପୁରୀ: ମହାପ୍ରସାଦକୁ ଅସମ୍ମାନ। ପୁରୀର ଏକ ତାରକା ହୋଟେଲ ଡାଇନିଂରେ ଚପଲ ପିନ୍ଧି ବସି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବାର ଦେଖାଦେଇଛି। ଏହା ମହାପ୍ରସାଦକୁ ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି। କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ଶ୍ରୀଜିଉଙ୍କ ମହାପ୍ରସାଦକୁ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ମତ ପ୍ରକାଶ ପାଇଛି। ଡାଇନିଂ ଟେବୁଲରେ ବସି ଖାଉଥିବା ପର୍ଯ୍ୟଟକ ହେଉଛନ୍ତି ଓଡ଼ିଆ ।

ଜଣେ ଓଡ଼ିଆ ହୋଇ କିପରି ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଅସମ୍ମାନ କଲେ ତାହା ଏବେ ଚର୍ଚ୍ଚା ବିଷୟ ପାଲଟିଥିବା ବେଳେ ମହାପ୍ରସାଦ ପରସୁଥିବା ଜଣେ ବ୍ରାହ୍ମଣ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜଣେ ଓଡ଼ିଆ ହୋଇ ମହାପ୍ରସାଦକୁ ଅସମ୍ମାନ କରୁଥିବା ନେଇ ସାଧାରଣରେ ନିନ୍ଦା କରାଯାଇଛି ।

ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ, ପଲିଥିନ ଓ ପ୍ୟାକିଂ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ସକାଳ ସାଢେ ୧୦ଟାରେ ହଠାତ କାରଖାନାର ତଳ ମହଲାରୁ ଏକ ତାର ଜଳି ଯାଇ ଉପର ମହଲାକୁ ମାଡି ଯାଇଥିଲା। ତୁରନ୍ତ କାରଖାନାରେ ଥିବା କର୍ମଶାଳାମାନେ ବାହାରକୁ ପଳାଇ ଆସିଥିଲେ। ଚାହୁଁ ଚାହୁଁ ଉପର ମହଲାରେ ଥିବା ଯନ୍ତ୍ରାଂଶ, ପଲିଥିନ, ପ୍ୟାକିଂ ସାମଗ୍ରୀ ହୁତୁ ହୁତୁ ହୋଇ ଜଳିଥିଲା। ଖବର ପାଇ ତିନିଟି ଦମକଳବାହିନୀ ଆସି ନିଆଁ ଲିଭା କାମରେ ଲାଗି ପଡିଥିଲେ। ପ୍ରାୟ ଦୁଇ ଘଣ୍ଟାର ଅପରେସନ ପରେ ନିଆଁ ଓ ଧୁଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଜଣାପଡିଥିଲେ ସୁଦ୍ଧା କାରଣ ଓ କ୍ଷୟକ୍ଷତି ସଂପର୍କରେ ତଦନ୍ତରୁ ସ୍ପଷ୍ଟ ଚିତ୍ର ମିଳିବ।

କୋଭିଡ ରିଟର୍ଣ୍ଣସ! ପୁଣି ଏସିଆରେ ଘୋଟିପାରେ କୋଭିଡ ବିପଦ

ନନ୍ଦିଘୋଷ ବ୍ୟୁରୋ: ପୁଣି ଏସିଆରେ ଘୋଟିପାରେ କୋଭିଡ ବିପଦ। ହଂକଂ ଓ ସିଙ୍ଗାପୁରରେ କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାବେଳେ ଏହି ଆଶଙ୍କା ଘନୀଭୂତ ହୋଇଛି। ହଂକଂ ଓ ସିଙ୍ଗାପୁରରେ ବର୍ତ୍ତମାନ ବହୁ ସଂଖ୍ୟକ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏହା ସହ ସଂକ୍ରମଣ ସ୍ଥିତି ମଧ୍ୟ ବିଗିଡିବାରେ ଲାଗିଛି। ହଂକଂର ସ୍ବାସ୍ଥ୍ୟ ସୁରକ୍ଷା କେନ୍ଦ୍ର ମୁଖ୍ୟ ଆଲବର୍ଟ ଆଉ କହିଛନ୍ତି ବର୍ତ୍ତମାନ ହଂକଂରେ ଭାଇରସ ଉତ୍ପାତ ବଢିବାରେ ଲାଗିଛି। ପ୍ରତି ସପ୍ତାହରେ ୩୧ ଜଣ ଲୋକ ସଂକ୍ରମିତ ହୋଇଥିବା ପରିଲକ୍ଷିତ ହୋଇଛି। ଏହା ସହ ମୃତ୍ୟୁ ସଂଖ୍ଯା ବି ବଢିବାରେ ଲାଗିଛି।

ବିଶେଷ କରି ମେ ୩ରୁ ସଂକ୍ରମଣ ଅଧିକ ବଢିବାରେ ଲାଗିଛି। କିଛି ଦିନ ଧରି ହଂକଂରେ ସଂକ୍ରମଣ ବଢିବା ଯୋଗୁ ସବୁସ୍ତରରେ ଚିନ୍ତା ପ୍ରକଟ କରାଯାଇଛି। ସେପଟେ ସିଙ୍ଗାପୁରରେ ବି ସଂକ୍ରମଣ ବଢିବାରେ ଲାଗିଛି। ସପ୍ତାହରେ କୋଭିଡ ସଂକ୍ରମଣ ୨୮ ପ୍ରତିଶତ ବେଗରେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ସିଙ୍ଗାପୁରରେ ୧୪ ହଜାର ୨୦୦ ଲୋକ କୋଭିଡରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ଯା ବି ବଢିଛି ୩୦ ପ୍ରତିଶତ। ଥାଇଲାଣ୍ଡରେ କୋଭିଡ ବିପଦ ଘନୀଭୂତ ହୋଇଛି।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ସେମାନେ କୌଣସି କେଶ ରିପୋର୍ଟ କରିନାହାନ୍ତି । ତେବେ କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । ଆଲର୍ଟ ରହିବାକୁ କୁହାଯାଇଛି । କାରଣ ସିଙ୍ଗାପୁର, ଥାଇଲାଣ୍ଡ ଓ ହଙ୍ଗକଂଗରେ କେଶ ବଢ଼ିବା ସହ ମୃତ୍ୟୁ ଖବର ବି ଆସିଛି ।ଏହା ନୂଆ ଭାରିଆଣ୍ଟ ନ ହୋଇଥିଲେ ବି ଶରୀରରୁ ପ୍ରତିଷେଧକ ବା ଆଣ୍ଟି ବଡ଼ି କମିବାରୁ ଏହି ସଂକ୍ରମଣ ହୋଇଥିବା କୁହାଯାଉଛି । ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ମେଡିକାଲ କଲେଜରେ ଟେଷ୍ଟିଂ ଚାଲିଛି । ବହୁ ଦିନରୁ ପଜିଟିଭ କେଶ କିଛି ଆସିନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ସେପଟେ ଯେଉଁସବୁ ଏସିଆ ଦେଶରେ କୋଭିଡ ଦେଖା ଦେଇଛି, ସେମାନେ WHO କୁ ରିପୋର୍ଟ କରି ନାହାନ୍ତି। କୋଭିଡ ପରେ ବି ଏହାର ପ୍ରଭାବ ବହୁତ ଦିନ ଧରି ରୁହେ। ହେଲେ ଏ ନୂଆ ଭୂତାଣୁ ନେଇ ବର୍ତମାନ କିଛି କହି ହେବ ନାହିଁ ବୋଲି WHO କର୍ତ୍ତୃପକ୍ଷ କହିଛନ୍ତି।

ଆସମର ଲୋକପ୍ରିୟ ସିଙ୍ଗର ଗାୟତ୍ରୀ ହଜାରିକାଙ୍କ ୪୪ ବର୍ଷ ବୟସରେ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି  ଆସାମର ଖୁବ୍‌ ଲୋକପ୍ରିୟ ଗାୟିକା ଗାୟତ୍ରୀ ହଜାରିକାଙ୍କର ପରଲୋକ ହୋଇଛି। ୪୪ ବର୍ଷ ବୟରେ ଗାୟତ୍ରୀଙ୍କର କଲେନ କ୍ୟାନସରରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଅପରାହ୍ନରେ ଗୌହାଟୀର ନେମକେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।

ଗାୟତ୍ରୀ ହଜାରିକା ତାଙ୍କର ଅନେକ ଗୀତ ପାଇଁ ପ୍ରସିଦ୍ଧି ହାସଲ କରିଥିଲେ । ଆସାମର ସାଂସ୍କୃତିକ ଏବଂ ସଙ୍ଗୀତମୟ ଦୃଶ୍ୟପଟର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଗାୟତ୍ରୀ ହଜାରିକା। ତାଙ୍କର ଭାବଭରା କଣ୍ଠସ୍ୱର ଏବଂ ପାରମ୍ପରିକ ଆସାମୀ ସଙ୍ଗୀତକୁ ସମସାମୟିକ ଶବ୍ଦ ସହିତ ମିଶ୍ରଣ କରିବାର ଅନନ୍ୟ କ୍ଷମତା ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବରରେ ଆସାମ ସମେତ ଦେଶର ବିଭିନ୍ନ ଆଡ଼ୁ ଶୋକ ବାର୍ତ୍ତାର ସୁଅ ଛୁଟିଛି।

ଗାୟତ୍ରୀଙ୍କର ‘ଜୋରା ପାତେ ପାତେ ଫଗୁନ୍‌ ନାମେ’ ଗୀତଟି ଆସାମ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥିଲା। ଏହି ଗୀତଟି ଶୀଘ୍ର ଆସାମୀ ସଙ୍ଗୀତର ଏକ ଆଞ୍ଚଳିକ ଗୀତ(ଆନ୍ଥେମ୍) ପାଲଟି ଯାଇଥିଲା। ଏହାପରେ ସେ ଆସାମ୍‌ରେ ଫେମସ ହୋଇଯାଇଥିଲେ। ‘ରାତି ରାତି ମୋର ଜୁନ୍’ ଏବଂ ‘ଓହର ଡୋରେ ଉଭୋତି ଆଟୋରି ଗୋଲା’ ଭଳି ଅନ୍ୟାନ୍ୟ ଲୋକପ୍ରିୟ ଗୀତରେ ତାଙ୍କର ବହୁମୁଖୀ ପ୍ରତିଭା ଝଲସି ଉଠିଥିଲା।

ପ୍ଲେବ୍ୟାକ୍ ଗାଇବା ବ୍ୟତୀତ, ହଜାରିକା ଆସାମରେ ଲାଇଭ୍ ପ୍ରଦର୍ଶନ ପାଇଁ ଖୁବ୍ ପ୍ରସିଦ୍ଧ ଥିଲେ। ତାଙ୍କକ ଶୋ ପୂରା ଆସାମକୁ ଆକର୍ଷିତ କରିଥିଲା। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କେବଳ ଆସାମରେ ନୁହେଁ, ୱିଙ୍କ୍ ମ୍ୟୁଜିକ୍ ଏବଂ ଗାନା ଭଳି ସଂଗୀତ ଷ୍ଟ୍ରିମିଂ ପ୍ଲାଟଫର୍ମ ମାଧ୍ୟମରେ ଜାତୀୟ ସ୍ତରରେ ଖୁବ୍ ଅଧିକ ଥିଲେ।

ପୁଣି ଇସ୍କନର ମନମାନି; ମେ’ ୧୮ରେ ଲଣ୍ଡନରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ପୁଣି ଇସ୍କନର ମନମାନି । ଚଳିତ ମାସ ୧୮ ତାରିଖରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଲଣ୍ଡନରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀ ଯୋଗଦେବା ପାଇଁ ଅନଲାଇନ ମାଧ୍ୟମରେ ସୂଚନା ଦେଇଛି ଇସ୍କନ । ୟୁଟ୍ୟୁବର ଗୋବିନ୍ଦ କ୍ରୀଷ୍ଣ ଦାସ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେବା ନେଇ ମଧ୍ୟ ସୂଚନା ରହିଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ ।

ତେବେ ଏହି ଘଟଣାକୁ ନେଇ ପୁରୀରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟକରୁଥିବାକୁ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ବଲଭଦ୍ରଙ୍କ ବାଡ଼ଗ୍ରାହୀ ଏହାକୁ ତୀବ୍ର ବିରୋଧ କରିଥିବାବେଳେ ରଥଯାତ୍ରା ବନ୍ଦ କରିବା ନେଇ ସରକାର ପଦକ୍ଷେପ ନେବାକୁ ମତ ରଖିଛନ୍ତି। ଗତ ଆଡ଼ପ ମଣ୍ଡପ ବିଜେ ଦିନ ମହାପ୍ରଭୁ ଚାର ଉପରେ ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ ଆସି ନଥିବା ବେଳେ ଏପରି ଅଘଟଣ ଘଟଣା ସମ୍ମୁଖକୁ ଆସୁଥିବା ନେଇ ବଳଭଦ୍ରଙ୍କ ବାଡ଼ଗ୍ରାହୀ ମତ ରଖିଛନ୍ତି ।

ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା

ନନ୍ଦିଘୋଷ ବ୍ୟୁରୋ: ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା। ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ଫସି ଯାଇଛନ୍ତି ଲବ । ଆତ୍ମହତ୍ୟା ପାଇଁ ଲବଙ୍କୁ ଦାୟୀ କରିଛନ୍ତି ପ୍ରେମିକାଙ୍କ ପରିବାର । ତାଙ୍କ ନାଁରେ ବେଙ୍ଗାଲୁରୁର ଏଚ.ଏସ.ଆର ଲେ’ ଆଉଟ ଥାନାରେ ଏତଲା ହୋଇଛି । ଘଟଣାକୁ ୫ ଦିନ ବିତି ଯାଇଥିଲେ ବି ଲବ ହାଂସଦାଙ୍କୁ ପାଇନି ପୋଲିସ। ଦେଶ ବିଦେଶ ବୁଲି ଟ୍ରାଭେଲ ଭିଡିଓ କରି ଖୁବ୍ କମ୍ ଦିନରେ ଲବ ସାଉଁଟିଛନ୍ତି ଅନେକ ପ୍ରଶଂସା । ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ଏବେ ବିବାଦକୁ ଆସିଛନ୍ତି । ପ୍ରେମିକାଙ୍କ ମୃତ୍ୟୁ ପରେ ଫସି ଯାଇଛନ୍ତି ଲବ ହାଁସଦା । ପ୍ରେମିକା ସୋଲୋମୀ ମୁର୍ମୁଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର ।

ବିହାରର ସୋଲୋମୀ ବେଙ୍ଗାଲୁରୁରେ ଚାକିରି କରୁଥିଲେ । କିଛିବର୍ଷ ତଳେ ଲବ ହାଁସଦାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ବନ୍ଧୁତାରୁ ପରସ୍ପରକୁ ଭଲ ପାଇଥିଲେ । ଓଡ଼ିଶାଠାରୁ ଦୁବାଇ ଯାଏଁ ଉଭୟ ଅନେକ ସ୍ଥାନ ବୁଲିଥିଲେ । ବିବାହ ପାଇଁ ଏକପ୍ରକାର ନିଷ୍ପତ୍ତି ସରିଥିଲା। କିନ୍ତୁ ଲବଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ସୋଲୋମୀ ଓ ଲବଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ । ଏହାପରେ ସୋଲୋମୀଙ୍କୁ ଲବ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ସୋଲାମୀଙ୍କ ପରିବାର ଅଭିଯୋଗ କରିଛନ୍ତି । ସୋଲୋମୀ ଓ ଲବଙ୍କ ପ୍ରେମ ସମ୍ପର୍କ ବିଷୟରେ ଲବ ନିଜେ ଅନେକଥର ସ୍ୱୀକାର କରିଥିଲେ ।

ଆତ୍ମହତ୍ୟା ପୂର୍ବରୁ ଲବଙ୍କୁ ସୋଲୋମୀ ଫୋନ୍ କରିଥିଲେ । ତେବେ ସୋଲୋମୀଙ୍କ ମୃତ୍ୟୁକୁ ୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଲବଙ୍କର ଦେଖା ମିଳୁନାହିଁ । ଘଟଣାଠାରୁ ଦୂରେଇ ରହିବା ଓ ସୋସିଆଲ ମିଡିଆରେ ବି କିଛି ପୋଷ୍ଟ ନକରିବା ଲବଙ୍କ ଭୂମିକାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଛି।

ଯୁଦ୍ଧବନ୍ଦୀ ଅଦଳବଦଳ; ରୁଷ- ୟୁକ୍ରେନ ପ୍ରଥମ ଥର ଲାଗି ସିଧାସଳଖ କଥାବାର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ରୁଷ ଓ ୟୁକ୍ରେନ ମଧ୍ୟରେ ପ୍ରଥମ ଥର ଲାଗି ସିଧାସଳଖ କଥାବାର୍ତ୍ତା। ୨୦୨୨ ଯୁଦ୍ଧାରମ୍ଭ ପରଠାରୁ ପ୍ରଥମ ଥର ଲାଗି ତୁର୍କୀ ଇସ୍ତାନବୁଲରେ ମାତ୍ର ୨ ଘଣ୍ଟା ଲାଗି ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି । ତେବେ ଅସ୍ତ୍ରବିରତି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇ ପାରି ନଥିବାବେଳେ ବନ୍ଦୀ ଅଦଳବଦଳ ଲାଗି ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଦୁଇ ଦେଶ ୧ ହଜାର ଲେଖାଏ ଯୁଦ୍ଧବନ୍ଦୀଙ୍କୁ ଅଦଳବଦଳ କରିବେ। ତେବେ ଅସ୍ତ୍ରବିରତି ପ୍ରସଙ୍ଗରେ ରୁଷ ସମ୍ମତ ହୋଇ ନଥିବା କହିଛନ୍ତି ୟୁକ୍ରେନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହେରୋଇ ତିଖି ।

ସେପଟେ ଯୁଦ୍ଧବନ୍ଦୀ ଅଦଳ ବଦଳ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ରୁଷର ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଭ୍ଲାଦିମିର ମେଦିନସ୍କି। ତେଣେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ୟୁରୋପୀୟ ସମ୍ମିଳନୀରେ ଯୋଗଦେଇ ସେ ବର୍ତ୍ତମାନର ସ୍ଥିତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ପୋଲାଣ୍ଡର ନେତାଙ୍କ ସହ ଆଲୋଚନା କରିଛନ୍ତି । ରୁଷ ଯଦି ଅସ୍ତ୍ରବିରତି ଲାଗି ସମ୍ମତ ନହୁଏ ତେବେ ରୁଷ ବିରୋଧରେ କଠୋର କଟକଣା ଲାଗୁ କରାଯାଉ ବୋଲି ଦାବି କରିଛନ୍ତି ଜେଲେନସ୍କି ।

ଭାରତ-ପାକିସ୍ତାନ ବିବାଦ ପ୍ରସଙ୍ଗ: ବିଭିନ୍ନ ରାଷ୍ଟ୍ର ଗସ୍ତରେ ଯିବେ ସର୍ବଦଳୀୟ ସାଂସଦ ଟିମ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ବିବାଦ ପ୍ରସଙ୍ଗ। ଭାରତ ସପକ୍ଷରେ ସମର୍ଥନ ଯୋଗାଡ ଲାଗି ବିଶ୍ବର ବିଭିନ୍ନ ରାଷ୍ଟ୍ର ଗସ୍ତରେ ଯିବେ ୭ଜଣିଆ ଟିମ। ଏହି ଟିମରେ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ ସମେତ ଅନ୍ୟ ଦଳର ସାଂସଦ ରହିଛନ୍ତି। ଏହି ୭ଜଣଙ୍କ ନାମ ଘୋଷଣା କରିଛି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ। ଏହି ସାଂସଦମାନେ ହେଲେ, କଂଗ୍ରେସ ସାଂସଦ ଶଶୀ ଥରୁର, ବିଜେପି ସାଂସଦ ରବି ଶଙ୍କର ପ୍ରସାଦ, ବୈଜୟନ୍ତ ପଣ୍ଡା, ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମକେ ସାଂସଦ କାନିମୋଜି କରୁଣାନିଧି, ଏନସିପି ଏସପି ସାଂସଦ ସୁପ୍ରିୟା ସୁଲେ ଓ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ।

ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଅପରସେନ ସିନ୍ଦୂର ଆରମ୍ଭ ହୋଇଥିଲା ଏବଂ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ। ତେବେ ପାକିସ୍ତାନର ଆତଙ୍କୀନୀତି ବିରୋଧରେ ଭାରତକୁ ସମର୍ଥନ ଯୋଗାଡ଼ ନେଇ ଏହି ପ୍ରତିନିଧି ମଣ୍ଡଳୀ ଗଠନ ସମ୍ପର୍କରେ ଚିନ୍ତା କରିଥିଲା ଭାରତ। ଏସମ୍ପର୍କରେ କେନ୍ଦ୍ର ସଂସଦୀୟ ବ୍ଯାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି- ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ଶକ୍ତ ରହିଛି। ଆତଙ୍କବାଦ ବିରୋଧରେ ଭାରତ ସର୍ବଦା ଜିରୋ ଟଲରାନ୍ସ ନୀତି ଆପଣାଇବ। ବିଭିନ୍ନ ରାଜନୈତିକ ଦଳ ନିର୍ବିଶେଷରେ ଏହି ପ୍ରସଙ୍ଗରେ ସମସ୍ତ ଦଳ ଏକ ହୋଇଛନ୍ତି ।