spot_img
Home Blog Page 784

ପ୍ରତିଶୋଧ ନେଲା ଭାରତ : ୯ଟି ଆତଙ୍କବାଦୀ ଆଡ୍ଡାରେ ୩୦୦ ଆତଙ୍କାବାଦୀ ନିପାତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର। ମଧ୍ୟରାତ୍ରୀ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଏୟାରରେଡ। ଶେଷରେ ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡିକ ବିରୁଦ୍ଧରେ ପ୍ରତିଶୋଧ ନେଇଛି ଭାରତ । ଏହି ଆକ୍ରମଣରେ ପାକିସ୍ତାନର ୭ଟି ସହରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତ । ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ଭାରତର ଏୟାର ଷ୍ଟ୍ରାଇକରେ ୩୦୦ ଆତଙ୍କାବାଦୀ ନିପାତ ହୋଇଛନ୍ତି  ।  ଭାରତର ବାଲାକୋଟ ଏୟାରଷ୍ଟ୍ରାଇକରେ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି ।

ପହଲଗାଓଁ ଆକ୍ରମଣର ୧୫ ଦିନ ମଧ୍ୟରେ ଭାରତ ପକ୍ଷରୁ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଯାହାର ନାଁ ‘ଅପରେସନ ସିନ୍ଦୂର’ ଦିଆଯାଇଛି ।  ଏହି ନାମ ମହିଳାମାନଙ୍କ ଉତ୍ସର୍ଗୀକୃତ ଯେଉଁ ମାନଙ୍କ ସ୍ୱାମୀକୁ ଏପ୍ରିଲ ୨୨ ତାରିଖରେ ପହଲଗାଓଁରେ ଆତଙ୍କବାଦୀ ମାନେ ହତ୍ୟା କରିଥିଲେ । ପାକିସ୍ତାନ ISPR ନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀଙ୍କ ସୂଚନା ଅନୁଯାୟୀ ଭାରତ ମୋଟ ୨୪ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ଅନ୍ୟପଟେ ଗଣମାଧ୍ୟମ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତିସାରା ଅପରେସନ୍ ସିନ୍ଦୂର ଉପରେ ନଜର ରଖିଥିଲେ ।

 

ଧୋକା ଦେଲା ଚାଇନା ମାଲ, ଭାରତ ପ୍ରହାର ଆଗରେ କାମ ଦେଲାନି ଚାଇନା ଏୟାର ଡିଫେନ୍ସ ସିଷ୍ଟମ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ପଞ୍ଜାବ ପ୍ରଦେଶ ଏବଂ ପିଓକେରେ ଏୟାର ଷ୍ଟ୍ରାଇକ କରିବା ପରେ ପାକିସ୍ତାନର ରାଡାରର କାର୍ଯ୍ୟକ୍ଷମତାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠୁଛି । ପାକିସ୍ତାନର ଚୀନ ଏୟାର ଡିଫେନ୍ସ ରାଡାର ପୁଣି ଥରେ ବିଫଳ ହେବାର ଖବର ସାମ୍ନାକୁ ଆସିଛି। ଚୀନ ରାଡାରକୁ ଭାରତୀୟ ଆକ୍ରମଣର ଖବର ମଧ୍ୟ ମିଳିନାହିଁ। ଏହା ପୂର୍ବରୁ ଯେତେବେଳେ ବ୍ରହ୍ମୋସ ଭୁଲରେ ଫାୟାର ହୋଇଥିଲା, ସେତେବେଳେ ମଧ୍ୟ ପାକିସ୍ତାନୀ ରାଡାର ତାହା ଧରି ପାରିନଥିଲା। ଜଣାଇ ଦେଉଛୁ ଯେ ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମଧ୍ୟ ପାକିସ୍ତାନୀ ରାଡାରକୁ କିଛି ଜଣାପଡ଼ି ନଥିଲା।

ବାଲାକୋଟ ପରେ ପାକିସ୍ତାନ ଭୟଭୀତ ହୋଇଥିଲା

ବାଲାକୋଟରେ ଭାରତୀୟ ବାୟୁସେନାର ଷ୍ଟ୍ରାଇକ ପରେ ଏପରି ଭୟ ସୃଷ୍ଟି ହୋଇଥିଲା ଯେ ତୁରନ୍ତ ଏୟାର ଡିଫେନ୍ସ ସିଷ୍ଟମ କିଣିବାରେ ଲାଗି ପଡ଼ିଥିଲା। ଚୀନ ତାର ବନ୍ଧୁ ପାକିସ୍ତାନକୁ ବିଶ୍ବର ସବୁଠାରୁ ଆଧୁନିକ ଅସ୍ତ୍ର ନାମରେ ଏୟାର ଡିଫେନ୍ସ ସିଷ୍ଟମ ଦେଇଥିଲା। କିନ୍ତୁ ତାହା କାମ କରି ପାରିନଥିଲା। ଏଥିରେ ୯ଟି LY-80 LOMADS ସିଷ୍ଟମ ମଧ୍ୟ ଦିଆଯାଇଥିଲା। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଭୁଲରେ ଫାୟାର ହୋଇଥିବା ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ। ୯ ମାର୍ଚ୍ଚ ୨୦୨୨ରେ ଅମ୍ବାଲାରୁ ମିସାଇଲ ଫାୟାର ହୋଇଥିଲା, ଯାହା ପ୍ରାୟ ୧୦୦ କିଲୋମିଟର ଦୂରତା ଭାରତୀୟ ସୀମା ଅତିକ୍ରମ କରି ୧୦୫ କିଲୋମିଟର ଅଧିକ ଦୂରରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଖାନେୱାଲର ମିଆଁ ଚନ୍ନୁରେ ପଡ଼ିଥିଲା। ପାକିସ୍ତାନକୁ ଏହାର କୌଣସି ଖବର ମିଳି ନଥିଲା। ଦିନକ ପରେ ପାକିସ୍ତାନ ସେନା ଏହା ଉପରେ ବ୍ରିଫିଂ କରି ସୂଚନା ଦେଇଥିଲା।

୯ଟି ସିଷ୍ଟମରେ ୩୮୮ ତ୍ରୁଟି

୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପାକିସ୍ତାନର ଚିନ୍ତା ଆହୁରି ବଢ଼ିଯାଇଥିଲା। ଉଦାହରଣ ସ୍ବରୂପ, ପାକିସ୍ତାନ ୨୦୧୪ରେ ଚୀନରୁ ୯ଟି LY-80 LOMADS ଏୟାର ଡିଫେନ୍ସ ସିଷ୍ଟମ କିଣିଥିଲା। ଏହି ସିଷ୍ଟମ ଆସିବା ପରେ ପାକିସ୍ତାନର ଚିନ୍ତା ଆହୁରି ବଢ଼ିଗଲା। କାରଣ ଚୀନରୁ ଆସିଥିବା ସିଷ୍ଟମରେ ଏତେ ତ୍ରୁଟି ଦେଖାଗଲା ଯେ ତାର ହୋସ ଉଡ଼ିଯାଇଥିଲା । ପାକିସ୍ତାନ ଚୀନକୁ ଏକ ତ୍ରୁଟି ତାଲିକା ପଠାଇଥିଲା। ମୋଟ ୩୮୮ଟି ଭିନ୍ନ ତ୍ରୁଟି ଏହି ତାଲିକାରେ ଅନ୍ତର୍ଭୁକ୍ତ ଥିଲା। ଏଥିରୁ ୧୦୩ଟି ନୂଆ ତ୍ରୁଟି ଥିଲା ଏବଂ ୨୮୫ଟି ତ୍ରୁଟି ପୂର୍ବରୁ ଚୀନକୁ ପଠାଯାଇଥିଲା। ଏଥିରୁ ୨୫୫ଟି ତ୍ରୁଟି ଏପରି ଥିଲା ଯେ ପାକିସ୍ତାନ ସେନାକୁ ଚୀନ ଆଗରେ ମିନତି କରିବାକୁ ପଡ଼ିଥିଲା।

ଚୀନ ୨୦୧୯ରେ ୬ଟି ଏୟାର ଡିଫେନ୍ସ ସିଷ୍ଟମ ହସ୍ତାନ୍ତର କରିଥିଲା

ଏୟାର ଡିଫେନ୍ସ ସିଷ୍ଟମକୁ ଚୀନ ୨୦୧୫-୨୦୧୬ରେ ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ୬ଟି ସିଷ୍ଟମ ୨୦୧୯ରେ ପାକିସ୍ତାନକୁ ଦିଆଯାଇଥିଲା। ଗୁପ୍ତଚର ରିପୋର୍ଟ ଅନୁସାରେ, ଏହି ୬ଟି ସିଷ୍ଟମ ମଧ୍ୟରୁ ୩ଟି ୯୬ LOMAD ରେଜିମେଣ୍ଟରେ ଅନ୍ତର୍ଭୁକ୍ତ ହୋଇଥିଲା, ଯେଉଁଥିରେ ସବୁଠାରୁ ଅଧିକ ତ୍ରୁଟି ଦେଖାଗଲା। ଏହାକୁ ଏପର୍ଯ୍ୟନ୍ତ ସଂଶୋଧନ କରାଯାଇ ପାରିନାହିଁ। ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି ସ୍ପେୟାର ପାର୍ଟସର ଅଭାବ ଏବଂ ଟେକ୍ନିକାଲ ସହାୟତା ଟିମର ଅନୁପସ୍ଥିତି। ପାକିସ୍ତାନକୁ ମୋଟ ୯ଟି ସିଷ୍ଟମ ହସ୍ତାନ୍ତର କରାଯାଇଛି।

ଭାରତୀୟ ମିସାଇଲକୁ ଟ୍ରାକ କରି ପାରୁନାହିଁ

ପାକିସ୍ତାନ ତାର ସେନାରେ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ୨୦୧୭ରେ ଆନୁଷ୍ଠାନିକ ଭାବେ ଅନ୍ତର୍ଭୁକ୍ତ କରିଥିଲା। ଦାବି କରାଯାଏ ଯେ ଏହି ସିଷ୍ଟମ ୪୦ କିଲୋମିଟର ଦୂରତାରେ ୧୫ ମିଟରରୁ ୧୮ କିଲୋମିଟର ଉଚ୍ଚତାରୁ ଆସୁଥିବା ଯେ କୌଣସି ମିସାଇଲ ବା ଫାଇଟର ଜେଟକୁ ଟାର୍ଗେଟ କରିପାରେ। ଏହି ଏୟାର ଡିଫେନ୍ସ ସିଷ୍ଟମରେ ଥିବା ରାଡାର ୧୫୦ କିଲୋମିଟର ଦୂରରୁ ଶତ୍ରୁର ମିସାଇଲ ଓ ଫାଇଟର ଜେଟକୁ ଇଣ୍ଟରସେପ୍ଟ କରିପାରେ ବୋଲି କୁହାଯାଏ। ଭାରତ ପାଖରେ ସମସ୍ତ ପ୍ରକାରର ସୁପରସୋନିକ ମିସାଇଲ, ବାଲିଷ୍ଟିକ ମିସାଇଲ ରହିଛି। ଯେତେବେଳେ ଏଗୁଡ଼ିକ ଆକାଶରେ ଥାଏ, ପାକିସ୍ତାନୀ ରାଡାର ଏଗୁଡ଼ିକୁ ଦେଖି ପାରେ ନାହିଁ। ଏଗୁଡ଼ିକର ଏତେ ତୀବ୍ର ଗତି ଯେ ଲକ୍ଷ୍ୟଭେଦ ପରେ ହିଁ ପାକିସ୍ତାନ ଆକ୍ରମଣ ହୋଇଛି ବୋଲି ଜାଣି ପାରୁଛି ।

ପ୍ରବାଦ ପୁରୁଷ ବିବୁବାବୁଙ୍କୁ ପୁଣି ସମ୍ମାନୀତ, ବିଜୁ ବାବୁଙ୍କୁ ସମ୍ମାନିତ କଲା ରୁଷ

ନନ୍ଦିଘୋଷ ବ୍ୟୁରୋ : ପ୍ରବାଦ ପୁରୁଷ ବିବୁବାବୁଙ୍କୁ ପୁଣି ସମ୍ମାନୀତ । ବିଜୁ ବାବୁଙ୍କୁ ସମ୍ମାନିତ କଲା ରୁଷ । ଋଷ ସରକାରଙ୍କୁ କୃତଜ୍ଞତା ଜଣାଇଲେ ନବୀନ ପଟ୍ଟନାୟକ । ନୂଆ ଦିଲ୍ଲୀ ରୁଷ ଦୁତାବାସରେ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୁଷର ରାଷ୍ଟ୍ରଦୂତ ଡାନିସ୍ ଆଲିପୋଭ ନବୀନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର  ଭାବରେ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ।

ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ନାଜିବାଦ ବିରୁଦ୍ଧରେ ରୁଷିଆର ବିଜୟ ଉତ୍ସବର ୮୦ ତମ ବାର୍ଷିକୀକୁ ଆଜି ମଇ ୯ ତାରିଖରେ ପାଳନ କରାଯାଇଛି। ଏହି ଅବସରରେ ଆଜି ଦିଲ୍ଲୀସ୍ଥିତ ରୁଷିଆ ଦୂତାବାସରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି ।  ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅସୀମ ସାହସିକତା ପ୍ରଦର୍ଶନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ସାମିଲ ହୋଇ ଲାଲ ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ବିଜୟ ପଥ ସୁଗମ କରିଥିଲେ । ବିଜୁବାବୁଙ୍କ ଏହି ମହାନ ଅବଦାନକୁ ସମ୍ମାନ ଜଣାଇ ଆଜି ନୂଆ ଦିଲ୍ଲୀ ରୁଷ ଦୁତାବାସରେ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ କାର୍ଯ୍ୟକ୍ରମ ରହିଛି ।

ପାକିସ୍ତାନକୁ ଆମେରିକାର ଚେତାବନୀ, ଭାରତ ଉପରେ ପାଲଟା ଆକ୍ରମଣ କଥା ଚିନ୍ତା କରନାହିଁ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ହଜିଲା ନିଦ, ଆତଙ୍କବାଦୀଙ୍କ ନରସଂହାରର ପ୍ରତିଶୋଧ ନେଲା ଭାରତ । ଏୟାର ଷ୍ଟ୍ରାଇକ କରି ବଦଲା ନେଲା ଭାରତ ।  ଏୟାର ଷ୍ଟ୍ରାଇକ ପରେ ସାରା ବିଶ୍ୱକୁ ଅବଗତ କରାଇଲା ଭାରତ । ଆକ୍ରମଣ ସମ୍ପର୍କରେ ଆମେରିକା ପ୍ରତିରକ୍ଷା ଅଧିକାରୀଙ୍କୁ ମଧ୍ୟ ସୂଚନା ଦେଇଛି ଭାରତ । ଏହା ପରେ ପାକିସ୍ତାନକୁ ଏବେ ଆମେରିକା ପକ୍ଷରୁ ମଧ୍ୟ ଚେତାବନୀ ମିଳିଛି। ହ୍ୱାଇଟ୍ ହାଉସର ସରକାରୀ ସୂତ୍ର ଦାବି କରିଛନ୍ତି ଯେ, ଆମେରିକାର NSA ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନ ଭାରତର ଆକ୍ରମଣ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କଥା ଚିନ୍ତା କରିବା ଉଚିତ୍ ନୁହେଁ। ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ସାହସ କରିବା ଉଚିତ୍ ନୁହେଁ। ଏହା ସହିତ, ଭାରତ ବିଷୟରେ ରୁବିଓ କହିଛନ୍ତି ଯେ, ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଭାରତର ଅଛି। ଏବେ ଭାରତର ଏହି ଆକ୍ରମଣର ଜବାବରେ, ପାକିସ୍ତାନ କୌଣସି ଆକ୍ରମଣ ନକରିବା ଉଚିତ।

ପାକିସ୍ତାନକୁ ଆମେରିକାର ଚେତାବନୀ

ଭାରତର ଏୟାର ଷ୍ଟ୍ରାଇକ ପରେ, ପାକିସ୍ତାନ ପକ୍ଷରୁ ଭାରତକୁ ଜବାବ ଦେବା ବିଷୟରେ ଆଲୋଚନା ହେଉଛି। ଏହା ମଧ୍ୟରେ ମାର୍କୋ ରୁବିଓ ପାକିସ୍ତାନୀ NSAଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଚୁପ୍ ରହିବାକୁ କହିଛନ୍ତି  ଏବଂ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଛି ଯେ, ଭାରତର ଆକ୍ରମଣର ଜବାବ ଦେବାକୁ ଚିନ୍ତା ମଧ୍ୟ କର ନାହିଁ।

ଏହି ଆକ୍ରମଣ ପରେ, ମାର୍କୋ ରୁବିଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ପୋଷ୍ଟ କରି କହିଛନ୍ତି ଯେ, ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଉପରେ ନଜର ରଖିଛି। ଆଜି ପୂର୍ବରୁ ଦିଆଯାଇଥିବା ମନ୍ତବ୍ୟଗୁଡ଼ିକ ଆଶା ପ୍ରକାଶ କରେ ଯେ ଏହା ଶୀଘ୍ର ଶେଷ ହେବ ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏବଂ ପାକିସ୍ତାନ ଉଭୟ ନେତୃତ୍ୱଙ୍କୁ ଜଡ଼ିତ କରିବା ପାଇଁ ପ୍ରୟାସ ଜାରି ରହିବ।

ଅଧ ରାତିରେ ଅପରେସନ ; ପାକିସ୍ତାନର ନିଦ ହଜାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଭାରତର ଏୟାର ଷ୍ଟ୍ରାଇକରେ ଥରି ଉଠିଛି ପାକିସ୍ତାନ । ପହଲଗାମେ ଆତଙ୍କବାଦୀ ଆକ୍ରମଣର ମାତ୍ର ୧୪ ଦିନ ପରେ ପଡୋଶୀ ଦେଶଠାରୁ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ସଫଳ ହୋଇଛି । ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଶେଷରେ ପାକିସ୍ତାନ ଉପରେ ଆକ୍ସନ ନେଇଛି। ଭାରତ ଆଜି ସାରା ଦେଶରେ ଏକ ମକ୍ ଡ୍ରିଲ୍ କରିବାକୁ ଯାଉଥିଲା, ଏହାର ଠିକ୍ ପୂର୍ବରୁ, ପାକିସ୍ତାନର ଅନେକ ଘାଟି ଉପରେ ଆକ୍ରମଣ କରିଛି ଭାରତ। ଭାରତ ପାକିସ୍ତାନର ୯ଟି ସ୍ଥାନରେ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି। ପହଲଗାମ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏଥର ଆତଙ୍କବାଦକୁ ଏପରି ଜବାବ ଦିଆଯିବ ଯାହା କଳ୍ପନା ବାହାରେ ହେବ ଏବଂ ଆତଙ୍କବାଦୀମାନଙ୍କୁ ନିପାତ କରାଯିବ। ଏହି ଆକ୍ରମଣରେ ଭାରତ ୩୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ୍ କରିଛି।

ଭାରତୀୟ ସେନା ପାକିସ୍ତାନର ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା। ମୁରିଦକେରେ ଥିବା ଲସ୍କର-ଏ-ତୈବାର ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ମୁଜାଫରାବାଦରେ ହିଜବୁଲ ମୁଜାହିଦ୍ଦିନର ଘାଟିକୁ ଟାର୍ଗେଟ କରାଯାଇଥିଲା। କୋଟଲିରେ ଥିବା ଆତଙ୍କୀ ଶିବିର, ଗୁଲପୁରରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍, ଭୀମ୍ବରରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍, ଚକ୍ ଆମରୁରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍ ଏବଂ ସିଆଲକୋଟରେ ଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା। ବିସ୍ଫୋରଣ ପରେ ସହରରେ ବିଦ୍ୟୁତ୍ ସଂଯୋଗ ବନ୍ଦ ହୋଇଯାଇଥିବା ଅନେକ ସ୍ଥାନୀୟ ଲୋକ କହିଛନ୍ତି। ଏହି କାରଣରୁ ମଧ୍ୟରାତ୍ରିରେ ପାକିସ୍ତାନର ରାସ୍ତାରେ ବିରାଟ ଭିଡ଼ ଜମା ହୋଇଥିଲା।

ଭାରତୀୟ ସେନା ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଘାଟି ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି। । ଅନ୍ୟପଟେ ପାକିସ୍ତାନୀ ଗଣମାଧ୍ୟମ  ଅନୁଯାୟୀ, ପାକିସ୍ତାନ ଏହି ଆକ୍ରମଣର ଉଚିତ ଜବାବ ଦେବ। ତଥାପି, ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆକ୍ରମଣ ପୂର୍ବରୁ ଭାରତୀୟ ସେନା ସୂଚନା ଦେଇଥିଲା

ଆକ୍ରମଣ ପୂର୍ବରୁ, ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘Ready to Strike, Trained to Win’ ପୋଷ୍ଟ କରାଯାଇଥିଲା। ଅର୍ଥ ସ୍ପଷ୍ଟ ଥିଲା ଯେ ପହଲଗାମ ଆକ୍ରମଣର ପ୍ରତିଶୋଧ ଆଜି ହିଁ ନିଆଯିବ। ଆକ୍ରମଣ ପରେ, ଭାରତ ସରକାର ସେନାକୁ ସମସ୍ତ କ୍ଷମତା  ଦେଇଥିଲେ, ଯେଉଁଥିପାଇଁ ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ ନିରନ୍ତର ବୈଠକ କରୁଥିଲେ।

ଏୟାର ଷ୍ଟ୍ରାଇକରେ କେଉଁ ଅସ୍ତ୍ର ବ୍ୟବହାର ?

ଅପରେସନ ସିନ୍ଦୂରକୁ ବ୍ୟକ୍ତିଗତ ମନିଟରିଂ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟ ଏୟାରସ୍ପେସରୁ ହୋଇଥିଲା ଅପରେସନ ସିନ୍ଦୂର ଆକ୍ରମଣ । SCALP କ୍ରୁଜ ମିସାଇଲ ସହ ରାଫେଲରେ ହୋଇଥିଲା ଆକ୍ରମଣ । HAMMER ପ୍ରିସିସନ ଗାଇଡେଡ ମିସାଇଲ ମାଡ଼ରେ ଧ୍ୱଂସ ହେଲା ଆତଙ୍କବାଦୀଙ୍କ ଆଡ୍ଡା । ସେନା, ନୌସେନା ଓ ବାୟୁସେନା ପକ୍ଷରୁ ହୋଇଥିଲା ମିଳିତ ଷ୍ଟ୍ରାଇକ୍ ।

 

ପାକିସ୍ତାନ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ; ମିସାଇଲ ମାଡ଼ରେ ୯ ଟେରର କ୍ୟାମ୍ପ ଧ୍ବଂସ

ନନ୍ଦିଘୋଷ ବ୍ୟୁରୋ : “ନ୍ୟାୟ ହେଲା , ଜୟ ହିନ୍ଦ୍” ।  ପହଲଗାଓଁ ଆକତଙ୍କବାଦୀ ଆକ୍ରମଣର ପ୍ରତଶୋଧ ନେଲା ଭାରତ । ଭାରତୀୟ ସେନା ପକ୍ଷରୁ ଆରମ୍ଭ ହେଲା ଅପରେସନ ‘ ସିନ୍ଦୂର ‘ । ମଧ୍ୟ ରାତ୍ରୀରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ଭାରତ। ପାକିସ୍ତାନରେ ୪ ଓ ପିଓକେରେ ୫ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଚ୍ରାଇକ  । ବହାବାଲପୂର୍, କୋଟଲି, ମୁରିଦକେ  ଓ ମୁଜାଫରାବାଦର ୯ ଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି । ବାଲିଷ୍ଟିକ ମିସାଇଲ ମାଡ଼ରେ ଧ୍ବଂସ ହେଲା ଟେରର କ୍ୟାମ୍ପ । ଏହି ଆକ୍ରମଣ ଆତଙ୍କବାଦ ବିରୋଧରେ କରାଯାଇଛି ବୋଲି କହିଛନ୍ତି ସରକାର।

ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ ସୂଚନା ମିଳିଛି। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ସେନାର ଏହି ଅପରେସନର ନାମ ରଖାଯାଇଛି ‘ସିନ୍ଦୂର’ । ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।

ପହଲଗାଓଁରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ନିହତ ହେବା ପରେ ପ୍ରଥମ ଥର ଲାଗି ଭାରତ ନେଇଛି ବଡ଼ ପଦକ୍ଷେପ। ଭାରତୀୟ ସେନା ଏବଂ ବାୟୁସେନା ମିଳିତ ଭାବରେ ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଛନ୍ତି।। ଭାରତ କେବଳ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଛି।  ପାକିସ୍ତାନର ବାହାବଲପୁର ଓ ମୁଦ୍ରିକେରେ ଭାରତ ଏୟାରରେଡ କରିଛି। ଏହି ଦୁଇ ସ୍ଥାନରେ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନର ମୁଖ୍ୟାଳୟ ରହିଛି।  ନ୍ୟାୟ ଲାଗି ଏହି ରେଡ ଉଦ୍ଦିଷ୍ଟ ବୋଲି କହିଛି ଆର୍ମି।  ସେପଟେ ଏହି ହମଲାର ଜବାବ ଦିଆଯିବ ବୋଲି ପାକିସ୍ତାନ କହିଥିବା ସୂଚନା ମିଳିଛି।

ଆସନ୍ତାକାଲି ସମ୍ମାନିତ ହେବେ ବିଜୁବାବୁ, ଉତ୍ସବରେ ଯୋଗ ଦେବା ପାଇଁ ନବୀନଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : ପୁଣି ବିଜୁବାବୁଙ୍କୁ ସମ୍ମାନ ଦେବ ଋଷ । ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତାକୁ ସ୍ମରଣ କରି ସମ୍ମାନ ଦେବାକୁ ଯାଉଛି ଶକ୍ତିଶାଳୀ ଋଷ । ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବାକୁ ଋଷ ଘୋଷଣା କରିଛି । ଚଳିତ ମାସ ୯ ତାରିଖରେ ବିଶ୍ବଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ଆସନ୍ତାକାଲି ସକାଳେ ଏଥିପାଇଁ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ଯୋଗ ଦେବାକୁ ଦିଲ୍ଲୀ ଯାଇଛନ୍ତି ବିଜେଡି ସୁପ୍ରିମୋ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୫ ମସିହାରେ ବିଜୁବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା । ଏବେ ୮୦ ବର୍ଷ ପୂର୍ତ୍ତି ଅବସରରେ ନାଜି ବିରୋଧରେ ଏକାଠି ଲଢିଥିବା ହୀରୋମାନଙ୍କୁ ଋଷ ସମ୍ମାନ ପ୍ରଦର୍ଶନ କରିବ । ଏହି ହୀରୋମାନଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ପ୍ରବାଦ ପୁରୁଷ ତଥା ଝଡ଼ର ଇଗଲ ବିଜୁ ପଟ୍ଟନାୟକ । ନାଜି ଜର୍ମାନୀ ତଥା ହିଟଲରଙ୍କ ଏକଛତ୍ରବାଦ ବିରୋଧରେ ଥିଲା ଏହି ଯୁଦ୍ଧ । ବିଶ୍ବଯୁଦ୍ଧ ସମୟରେ ବିଜୁ ବାବୁ ଇଣ୍ଡିଆନ ନାସନାଲ ଏୟାରୱେଜରେ ପାଇଲଟ ଭାବେ ଥିଲେ କାର୍ଯ୍ୟରତ । ଋଷର ରେଡ ଆର୍ମିକୁ ସହଯୋଗ ପାଇଁ ବିଜୁବାବୁଙ୍କୁ ମିଳିଥିଲା ଗୁରୁ ଦାୟିତ୍ବ । ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ବିଜୁ ପଟ୍ଟନାୟକ ଷ୍ଟାଲିନ ଗ୍ରେଡରେ ବିମାନ ଅବତରଣ କରି ଋଷର ରେଡ ଆର୍ମିକୁ ସହାୟତା କରିଥିଲେ । ଆସନ୍ତାକାଲି ସକାଳେ ଯୁଦ୍ଧରେ ସହାୟତା କରିଥିବା ହୀରୋଙ୍କର ଏକ ନାମଫଳକ ଅନାବରଣ କରିବେ ଋଷ ରାଷ୍ଟ୍ରଦୂତ । ଏହି ଫଳକରେ ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ ରହିଛି ।

ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ, ନୋଟାମ ଜାରି କଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ଭାରତୀୟ ବାୟୁସେନା କରିବ ସମରାଭ୍ୟାସ। ପାକିସ୍ତାନ ସୀମାରେ କରିବ ସମରାଭ୍ୟାସ। ଏଥିପାଇଁ ନୋଟାମ ଜାରି କଲା ଭାରତ। ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଏହି ନୋଟାମ୍ ଜାରି କରାଯାଇଛି। ପାଇଲଟ, ଏୟାରମ୍ୟାନ, ବିମାନ ଚଳାଚଳ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଏହି ନୋଟାମ ଜାରି କରାଯାଇଛି। କାଲିର ସମରାଭ୍ୟାସ ପାଇଁ  ପ୍ରସ୍ତୁତ ରହିବାକୁ ପାଇଲଟଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଏହା ସହିତ ପରିସ୍ଥିତି ନେଇ ପାଇଲଟଙ୍କୁ ଅବଗତ କରାଯାଇଛି। ବାୟୁସେନା ସମରାଭ୍ୟାସ ହେବ ବୋଲି ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ଆସନ୍ତାକାଲିର ଏହି ବାୟୁସେନାର ଅଭ୍ୟାସରେ ରାଫେଲ, ମିରାଜ, ସୁଖୋଇ-୩୦ ପରି ଯୁଦ୍ଧ ବିମାନ ଭାଗ ନେବେ।

କାଲି ହଟିଥିଲା, ଆଜି ଦିଘା ମନ୍ଦିରରେ ପୁଣି ଲାଗିଲା ଜଗନ୍ନାଥ ଧାମର ସ୍ଥାୟୀ ଫଳକ

ଦିଘା/ପୁରୀ : କାଲି ହଟିଥିଲା ଜଗନ୍ନାଥ ଧାମ ଫଳକ। ଆଜି ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ସ୍ଥାୟୀ ଫଳକ। ଜିଦରେ ଅଟଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମମର ପରିଚୟ ଦେବା ନେଇ ଥମୁନି ବିବାଦ। ମମତାଙ୍କ ଏପରି ନିଷ୍ପତ୍ତି ଏବେ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ପଶ୍ଚିମବଙ୍ଗରୁ ଆରମ୍ଭ କରି ସାରା ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପ୍ରିଲ ୩୦ରେ ଦିଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଥର୍ମେୋକୁଲର ଅସ୍ଥାୟୀ ଭାବେ ଧାମ ଫଳକ ଓ ସେଲଫି ପଏଣ୍ଟ ଲଗାଇଥିଲା ଟେଣ୍ଟ ସଂସ୍ଥା। ପ୍ରତିଷ୍ଠା ଉତ୍ସବ ସରିବା ପରେ ଅସ୍ଥାୟୀ ଫଳକ କାଢ଼ି  ନେଲା ଟେଣ୍ଟ ମାଲିକ। ଫଳକ ହଟିବା ପରେ ବିଜେପି ନେତା ଅମିଲ ମାଲବ୍ୟ ଫଟୋ ସହିତ ଏକ୍ସରେ ପୋଷ୍ଟ କରିବା ପରେ ଏହି ଖବର ଚାରିଆଡ଼େ ଭାଇରାଲ ହୋଇଥିଲା। ପରେ ରାତାରାତି ପଶ୍ଚିମବଙ୍ଗ ସରକାର ମନ୍ଦିର ସାମନାରେ ଜଗନ୍ନାଥ ଧାମ ଲେଖାଥିବା ଫଳକ ଲଗାଇ ଦେଇଛନ୍ତି। ଏହା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାୟୀ ସେଲଫି ପଏଣ୍ଟ ପାଇଁ ବ୍ୟବସ୍ଥା କରୁଛନ୍ତି।

ପଶ୍ଚିମବଙ୍ଗ ସରକାରଙ୍କ ଏପରି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ। ଦିଘାରେ ଜଗନ୍ନାଥ ମନ୍ଦିର ହେଉ ଆପତ୍ତି ନାହିଁ। କିନ୍ତୁ କେବେ ବି ଏହା ଧାମ ବୋଲି ପରିଚୟ ସୃଷ୍ଟି କରାନଯାଉ। ଖୋଦ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଭାରତର ୪ ଧାମରୁ ପୁରୀ ଶ୍ରୀକ୍ଷେତ୍ର ଗୋଟିଏ ବୋଲି ମାନ୍ୟତା ଦେଇଥିଲେ। ଏହା ଯୁଗଯୁଗରୁ ପରିଚୟ ପାଇ ଆସିଛି। ଭାରତରେ ଅନେକ  ଜଗନ୍ନାଥ ମନ୍ଦିର ରହିଛି, କିନ୍ତୁ ଶ୍ରୀମନ୍ଦିର ଗୋଟିଏ। ସେହିପରି ଯେତେ ଯେଉଁଠି ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି, ତାକୁ କେଉଁଠି ବି ଶ୍ରୀମନ୍ଦିର ଆଖ୍ୟା ଦିଆଯାଉନି। ଦିଘା ମନ୍ଦିରରେ ଜଗନ୍ନାଥ ଧାମ ଫଳକ ଲଗାଇବାକୁ ନେଇ ପୁରୀରେ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଗତକାଲି ଏହି ଧାମ ପ୍ରସଙ୍ଗକୁ ନେଇ ଗଜପତି ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ଦିଘାକୁ ଧାମ କୁହାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଆଇନ ମନ୍ତ୍ରୀ କହିଥିଲେ, ଆଇନ ପଦକ୍ଷେପ ନିଆଯିବ। ଏଭଳି ସ୍ଥିତିରେ ଓଡ଼ିଶା ସରକାର ଓ ପଶ୍ଚିମବଙ୍ଗ ସରକାର ଏହାର ସମାଧାନ ପାଇଁ କଣ ବାଟ ବାହାର କରୁଛନ୍ତି, ତାକୁ ସମସ୍ତଙ୍କ ଅପେକ୍ଷା।

ଜଳ ପ୍ରଦୂଷଣରୁ କ୍ୟାନସର ଆଶଙ୍କା, ନଦୀ ଜଳ ବ୍ୟବହାର କରୁଥିବା ସହରବାସୀଙ୍କ ପ୍ରତି ବଡ଼ ବିପଦ

କଟକ/ଭୁବନେଶ୍ବର : ଓଡ଼ିଶାର ପ୍ରମୁଖ ସହରରେ ବଢିବାରେ ଲାଗିଛି କ୍ୟାନସର ରିସ୍କ । ଭୁବନେଶ୍ବର, କଟକ, ରାଉରକେଲା ଓ ବ୍ରହ୍ମପୁର ପରି ସହରବାସୀଙ୍କ ପାଇଁ କ୍ୟାନସର ଆଶଙ୍କା ଅଧିକ। ICMR ର ଏକ ସର୍ଭେରୁ ଜଣାପଡ଼ିଛି, ଦୂଷିତ ଜଳାଶୟ ନିକଟରେ ରହୁଥିବା ଲୋକଙ୍କ ପାଇଁ ବଡ଼ ବିପଦ । ଶିଳ୍ପ ସଂସ୍ଥାର ଦୂଷିତ ବର୍ଜ୍ୟ ବସ୍ତୁ, ଖଣିରୁ ବାହାରୁଥିବା ବିଷାକ୍ତ ସାମଗ୍ରୀ ଓ ଠିକ ଭାବେ ଟ୍ରିଟମେଣ୍ଟ ହେଉନଥିବା ସ୍ବେରେଜର ବର୍ଜ୍ୟ ଏଥିପାଇଁ ମୁଖ୍ୟତଃ ଦାୟୀ । ଏସବୁ ବର୍ଜ୍ୟବସ୍ତୁ ମହାନଦୀ, କୁଆଖାଇ, କାଠଯୋଡ଼ି, ଦୟା, ବ୍ରାହ୍ମଣୀ, ଋଷିକୁଲ୍ୟା ନଦୀରେ ମିଶୁଥିବାରୁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବଡ଼ ବିପଦ ଭାବେ ଉଭା ହୋଇଛି । ଲଗାତର ଭାବେ ପ୍ରଦୂଷିତ ନଦୀ ଜଳ ବ୍ୟବହାର କରୁଥିବାରୁ ଗଲ୍ ବ୍ଲାଡର କ୍ୟାନସର ହୋଇପାରେ ବୋଲି ସତର୍କ କରିଦେଇଛି ସର୍ଭେ।

ସବୁଠାରୁ ସମ୍ବେଦନଶୀଳ କଥା ହେଉଛି ଶିଳ୍ପସଂସ୍ଥାରୁ ବାହାରୁଥିବା ହେଭି ମେଟାଲ ଅଂଶକୁ ଠିକ ପରିଚାଳନା କରାଯାଉନାହିଁ । ଆଲୁମିନିୟମ, ଆର୍ସେନିକ୍, ଲିଡ୍ ଓ କାଡମିୟମ ପରି ଧାତୁର ବର୍ଜ୍ୟ ପାଣିରେ ମିଶୁଥିବାରୁ ସ୍ବାସ୍ଥ୍ୟ ପାଇଁ ବଡ଼ ବିପଦ ହେବ ବୋଲି ସତର୍କବାଣୀ ଶୁଣାଇଛି ଏହି ସର୍ଭେ । ଏକ ପରିସଂଖ୍ୟାନରୁ ଜଣାପଡ଼ିଛି, ୫ ବର୍ଷ ମଧ୍ୟରେ ଓଡ଼ିଶାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୧.୫ ପ୍ରତିଶତ ବୃଦ୍ଧିପାଇଛି । ପୂର୍ବରୁ ଖାଦ୍ୟ, ପାନୀୟ ଓ ଅନ୍ୟ କାରକକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ଏବେ ଜଳ ପ୍ରଦୂଷଣରୁ କ୍ୟାନସର ଆଶଙ୍କା ଉଦବେଗ ବଢ଼ାଇ ଦେଇଛି। ICMRର ଏହି ସର୍ଭେ ପରେ ସରକାର ସଚେତନ ହୋଇ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ପ୍ରଦୂଷଣ  ନିୟନ୍ତ୍ରଣ ସହିତ ନିରାପଦ ଓ୍ବାଟର ମ୍ୟାନେଜମେଣ୍ଟକୁ ଫୋକସ୍ ନ କଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବ ଏଥିଲେ ଦ୍ବିମତ ନାହିଁ ।