spot_img
Home Blog Page 781

ରାତି ଅଧରେ ସମ୍ବୋଧନ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ କହିଲେ..

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ୯ ଆତଙ୍କୀ ଆଡ୍ଡା ଉପରେ ହମଲା କରାଯାଇଛି । ଭାରତୀୟ ସେନା ପାକିସ୍ତାନର ୯ ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଛି । ସେପଟେ ଅଧ ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ । ସେ କହିଛନ୍ତି କି, ପାକିସ୍ତାନ ଉପରେ ଆକ୍ରମଣ କରିଥିବା ଭାରତକୁ କଡ଼ା ଜବାବ ଦେବୁ । ପ୍ରତିଟି ରକ୍ତବୁନ୍ଦାର ଜବାବ ଦିଆଯିବ । ଦେଶର ସୁରକ୍ଷା ପାଇଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢ଼ିବୁ । ଭାରତକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦାବି କରିଛନ୍ତି ଯେ ପାକିସ୍ତାନ ବାୟୁସେନା ଏବଂ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଭାରତର ଆକ୍ରମଣର ଜବାବ ଦେଇଥିଲେ ଏବଂ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକୁ ଆଗକୁ ବଢ଼ିବାରୁ ରୋକିଥିଲେ। ଶାହବାଜଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେ ପାକିସ୍ତାନର ଲୋକଙ୍କୁ କହିବାକୁ ଚାହୁଁଛନ୍ତି ଯେ ସେମାନେ ଭାରତର କ୍ଷେପଣାସ୍ତ୍ର ବିରୁଦ୍ଧରେ ଜୋରଦାର ଲଢ଼ିଛନ୍ତି, ଯଦିଓ ଭାରତ ପାକିସ୍ତାନର ଘରେ ପଶି ଶିକ୍ଷା ଦେଇଛି । ଯାହାକି ସାରା ବିଶ୍ବବାସୀ ଦେଖିଛନ୍ତି ।  କିନ୍ତୁ ଏପରି ପରିସ୍ଥିତିରେ ଶାହବାଜ ନିଜ ପରାଜୟକୁ ସ୍ୱୀକାର କରିବା ପରିବର୍ତ୍ତେ କେବଳ ପାକିସ୍ତାନର ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଇପାରେ ।

ପାକିସ୍ତାନରେ ହେବ କି ଭାରତର ଦ୍ଵିତୀୟ ଏୟାର ଷ୍ଟ୍ରାଇକ ?

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ହେବ କି ଭାରତର ଦ୍ଵିତୀୟ ଏୟାରଷ୍ଟ୍ରାଇକ। କାରଣ ଆଉ ବାକି ଅଛି ୧୨ ଆତଙ୍କୀ ଠିକଣା। ପୂର୍ବରୁ ଚିହ୍ନଟ ହୋଇଥିବା ୨୧ ଆତଙ୍କୀ ଠିକଣା ମଧ୍ୟରୁ ଅପରେସନ ସିନ୍ଦୂରରେ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ଵଂସ କରିଛି ଭାରତୀୟ ସେନା। ଏବେବି ଆହୁରି ୧୨ ଆତଙ୍କୀ ଆଡ୍ଡାରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରହିଛି। ପୂର୍ବରୁ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ହୋଇଥିଲା ପ୍ରଥମ ଆକ୍ରମଣ। ପାକିସ୍ତାନର ୪ ଟାର୍ଗେଟ ସହ ପାକିସ୍ତାନ ଅଧୀକୃତ କାଶ୍ମୀର ୫ଟି ସ୍ଥାନରେ ଲକ୍ଷ୍ୟଭେଦୀ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ସେନା। ଆତଙ୍କୀଙ୍କ ମୁଖିଆ ହାଫିଜ ସୟିଦଠାରୂ ଆରମ୍ଭ କରି ମାସୁଦ ଆଝାର ପର୍ଯ୍ୟନ୍ତ ଆତଙ୍କୀକୁ ଟାର୍ଗେଟ କରିବାକୁ ଏଥିରେ ସାମିଲ  କରାଯାଇଛି। ୩ ଦଶନ୍ଧିରୁ ଅଧିକ ହେବ ହାଫିଜ ଓ ମାସୁଦ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇ ଭାରତରେ ଆକ୍ରମଣ କରି ଆସୁଛନ୍ତି। ସୋମବାର ରାତିରେ  ସୱାଇ କ୍ଯାମ୍ପ, ବିଲାର କ୍ଯାମ୍ପ, ଗୁଲପୁର, କୋଟଲି, ବର୍ଣ୍ଣାନା, ସରଜଲ, ମୁରିଦକେ ଏବଂ ବାହାବଲପୁରରେ ଆକ୍ରମଣ କରିଥିଲା ଭାରତୀୟ ସେନା। ଏହା ପରେ ମଧ୍ୟ ଆଉ ୧୨ଟି ଆତଙ୍କବାଦୀ ଆଡ୍ଡା ଆଛି ଯାହା ଭାରତ ପାଇଁ ବିପଦ ସାଜିଛି। ପ୍ରଥମ ଆକ୍ରମଣରେ ୨୫ ମିନିଟ ଧରି ଅପରେସନ ସିନ୍ଦୂରରେ ଭାରତୀୟ ସେନା ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଛି। ପାକିସ୍ତାନ ଏବଂ ପାକ ଅଧୀକୃତ କାଶ୍ମୀରରେ ଥିବା ଲଞ୍ଚପ୍ୟାଡ୍ ଏବଂ ତାଲିମକେନ୍ଦ୍ର ଗୁଡିକୁ ଟାର୍ଗଟ କରି ଧ୍ଵଂସ କରିଥିଲା ଭାରତୀୟ ସେନା।

ଦ୍ବିତୀୟ ଦିନରେ ଜମ୍ମୁ-କାଶ୍ମୀରର କୁପଓ୍ବାଡାରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼, କଡ଼ା ଜବାବ ଦେଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରୁଛି ପାକିସ୍ତାନ । ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନରେ ଛାନିଆ ପଶି ଯାଇଛି । ସେପଟେ ଜାମ୍ମୁ-କାଶ୍ମୀରର କୁପଓ୍ବାଡାରେ ଦ୍ବିତୀୟ ଦିନରେ ମଧ୍ୟରାତ୍ରରେ ଗୁଳିମାଡ଼ କରାଯାଇଥିବାବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି । ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ଜାରି ରହିଛି ଗୁଳିମାଡ଼ । କିନ୍ତୁ ଏହାର ଉଚିତ ଜବାବ ଦେଉଛି ଭାରତୀୟ ସେନା ।

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ:  ଅପରେସନ ସିନ୍ଦୂର ପରେ ପାକିସ୍ତାନର ହଲଚଲ। କେତେବେଳେ କି କଣ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ସୀମାନ୍ତବର୍ତ୍ତୀ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ଗୃହମନ୍ତ୍ରୀ। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନାରେ ସମ୍ପୃକ୍ତ ରାଜ୍ୟମାନେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ଖାଦ୍ୟ, ଔଷଧ ସାମଗ୍ରୀ ମହଜୁଦ ରଖିବା ସହ ହସ୍ପିଟାଲ, ଅଗ୍ନିଶମ, ଜନସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ ସେସବୁ ଅଂଚଳରେ ଦେଶ ବିରୋଧୀ କୌଣସି ମିଥ୍ୟା ଗୁଜବ ଓ ଅପପ୍ରଚାର ଉପରେ ସତର୍କ ଦୃଷ୍ଟି ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ। ଯେଉଁ ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ଥିବେ ସେମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ସେନା, ଅର୍ଦ୍ଧସାମରିକ ବାହିନୀ ସହିତ ସ୍ଥାନୀୟ ପ୍ରଶାସନ ମଧ୍ୟରେ କିଭଳି ସମନ୍ଵୟ ରକ୍ଷା ହୋଇପାରିବ ସେଥିପ୍ରତି ରାଜ୍ୟମାନେ ଦୃଷ୍ଟି ଦେବେ।

ପାକ ସୀମାନ୍ତରୁ ଜୋରଦାର ଫାୟାରିଂ, ଭାରତ ସୀମାରୁ ଲୋକଙ୍କୁ ସ୍ଥାନାନ୍ତର

ଅପରେସନ ସିନ୍ଦୁର ପାକ୍ ଗୁଳିବର୍ଷାରୁ ରକ୍ଷା ପାଇବା ପରେ ଜାମ୍ମୁ କାଶ୍ମୀର ସୀମାନ୍ତ ଅଞ୍ଚଳ ଜନଶୂନ୍ୟ ହୋଇପଡ଼ିଛି। ଭାରତର ‘ଅପରେସନ ସିନ୍ଦୁରର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିମାଡ଼ ଏବଂ ଗୁଳିଚାଳନା କରାଯିବାରୁ ସୀମାନ୍ତବର୍ତ୍ତୀ ଅଂଚଳକୁ ଖାଲି କରାଯାଉଛି। ପୁଞ୍ଚ, ରାଜୌରୀ ଜିଲ୍ଲାରେ ଘର, ଦୋକାନକୁ ଗୁରୁତର କ୍ଷୟକ୍ଷତି ହୋଇଥିବା ଦେଖିବାକ ମିଳିଛି। କାଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ସହିତ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳିବର୍ଷା ହୋଇଛି। ଏହାକୁ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ନାଗରିକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ରାତି ଗାୋଟାଏରୁ ଗୁଳିବର୍ଷା ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଲା। ରାଜୌରୀ ଜିଲ୍ଲା ଏବଂ ଉରିରେ ମଧ୍ୟ କ୍ଷୟକ୍ଷତି ଦେଖାଯାଇଥିଲା ଘରଗୁଡ଼ିକ ପ୍ରାୟ ଭଗ୍ନାବଶେଷରେ ପରିଣତ ହୋଇଯାଇଥିଲା ଏବଂ ପ୍ରବଳ ଗୁଳିମାଡ଼ ଏବଂ ଗୁଳିମାଡ଼ରେ ଆହତ ହେବା ପରେ ଅନେକ ବାସିନ୍ଦାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ଏହାପରେ ସ୍ଥାନୀୟ ଅଂଚଳରୁ ଲୋକଙ୍କୁ ଖାଲି କରାଯାଉଛି।

ଅନ୍ଧାରରେ ଡୁବିଲା ଭାରତର ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ଅନ୍ଧାରରେ ଡୁବିଲା ଭାରତର ରାଜଧାନୀ ଦିଲ୍ଲୀ। ଯୁଦ୍ଧ ପ୍ରସ୍ତୁତି ନେଇ କରାଗଲା ବ୍ଲାକ୍ ଆଉଟ୍ ମକଡ୍ରିଲ । ରାତି ୮ ଟାରୁ ୮ଟା ୧୫ ଯାଏଁ ସମ୍ପୂର୍ଣ୍ଣ ଦିଲ୍ଲୀ ହୋଇଥିଲା ବ୍ଲାକ ଆଉଟ୍ । ୧୫ ମିନିଟ ପାଇଁ ଲିଭିଲା ରାଷ୍ଟ୍ରପତି ଭବନ, ଅକ୍ଷରଧାମ ସମେତ ରାଜଧାନୀର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ସହର ରେ ବିଦ୍ୟୁତ ବ୍ୟବସ୍ଥା ବିଚ୍ଛିନ୍ନ କରାଯାଇଥିଲା । ରାତିର ଘନ ଅନ୍ଧାରରେ ହେଲା ମକ ଡ୍ରିଲ୍ । ପୂର୍ବରୁ ଫିରୋଜପୁରରେ କରାଯାଇଥିଲା ଏପରି ବ୍ଲାକ୍ ଆଉଟ୍ ମକ୍ ଡ୍ରିଲ।

ବିଜୁ ବାବୁଙ୍କ ପାଇଁ ଭାରତ ଗର୍ବିତ; ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର ୮୦ ବର୍ଷ ପୂର୍ତ୍ତିରେ ବିଜୁଙ୍କୁ ଋଷ କଲା ସମ୍ମାନିତ

ନନ୍ଦିଘୋଷ ବ୍ୟୁରୋ: ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ଋଷ ଦୂତାବାସରେ ଉନ୍ମୋଚିତ ହୋଇଛି ସ୍ମାରକୀ ଫଳକ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ ବୋଲି ଏହି ଅବସରରେ ନବୀନ କହିଛନ୍ତି ।

ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବିଜୁବାବୁଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମର ଗାଥା ଆଜି ନୂଆଦିଲ୍ଲୀର ଋଷ ଦୂତାବାସରେ ଗୁଞ୍ଜରିତ ହୋଇଥିଲା । ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ବିଜୁବାବୁଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ଋଷିଆ ହାଉସରେ ଆୟୋଜିତ ହୋଇଥିଲା ଭବ୍ୟ ଉତ୍ସବ । ଏଥରେ ମୁଖ୍ୟ ଅତିଥି ଭାବେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଭାରତରେ ଋଷର ରାଷ୍ଟ୍ରଦୂତ ଡେନିସ ଅଲିପୋବଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଦେଶରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ ନବୀନ । ମହାନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ନବୀନ କହିଥିଲେ ଯେ ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ । ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜଣେ ପାଇଲଟ ଭାବରେ ବିଜୁବାବୁ ଅତୁଳନୀୟ ସାହସ ପ୍ରଦର୍ଶନ କରିଥିଲେ । ଷ୍ଟାଲିନ ଗ୍ରାଡ଼ରେ ଅବରୁଦ୍ଧ ଋଷର ସେନାକୁ ଅସ୍ତ୍ର ଶସ୍ତ୍ର ଯୋଗାଇ ନାଜି ବିରୁଦ୍ଧରେ ବିଜୟକୁ ସୁଗମ କରିଥିଲେ ବିଜୁ ପଟ୍ଟନାୟକ । ବିଶ୍ୱକୁ ବିପର୍ଯୟରୁ ବଞ୍ଚାଇଥିଲେ । ବିଜୁ ବାବୁଙ୍କ ଏହି ସାହସ ଓ ପ୍ରତିବଦ୍ଧତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ବୋଲି ନବୀନ କହିଥିଲେ ।

ଯେତେବେଳେ ଆତଙ୍କବାଦୀକୁ ନିପାତ କରିବା ପାଇଁ ଭାରତ ଲଢେଇ କରୁଛି , ଠିକ ସେତିକି ବେଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଦ୍ଵିତୀୟ ବିଶ୍ୱଯୁଦ୍ଧରେ ସାହସ ଶୌର୍ଯ୍ୟ ଓ ପରାକ୍ରମ ପାଇଁ ଋଷ ସମ୍ମାନ ଦିଆଯାଉଛି । ବିଜୁଙ୍କ ସହ ଏହା ଏକ ବଡ ସଂଯୋଗ ବୋଲି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଆଜି ସାରା ବିଶ୍ବ ବିଜୁଙ୍କ ବୀରତ୍ବକୁ ମନେପକାଇଛି । ସ୍ବାଧୀନତା ସଂଗ୍ରାମୀ ପାଇଁ ବିଜୁ ପଟ୍ଟନାୟକ ଯେଉଁ କାମ କରିଥିଲେ ତାହାକୁ ସମସ୍ତେ ଝୁରୁଛନ୍ତି । ବିଜୁବାବୁଙ୍କ ସାହସିକତା ଆଜି ସମସ୍ତଙ୍କ ମନରେ ସାହସ ଭରିଛି ବୋଲି ବିଧାୟକ ସାରଦା ଜେନା କହିଛନ୍ତି । ଋଷ ବିଜୁବାବୁଙ୍କୁ ସମ୍ମାନ ଦେବାରୁ ଦଳମତ ନିର୍ବିଶେଷରେ ସମସ୍ତେ ଗର୍ବିତ ମନେ କରିଛନ୍ତି ।

ପହଲଗାଓଁ ହମଲାରେ ଆତଙ୍କୀ ପୋଛିଦେଇଥିଲେ ସିନ୍ଦୂର, ମାନ ରକ୍ଷା ଲାଗି ସରକାର କଲେ ଅପରେସନ ସିନ୍ଦୂର

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ହାର୍ଟରେ ବାଜିଲା ଅପରେସନ ସିନ୍ଦୂର ଶର। ଭାରତର ପ୍ରିସିସନ ଏୟାରଷ୍ଟ୍ରାଇକରେ କ୍ଷତାକ୍ତ ପଡ଼ୋଶୀ ରାଷ୍ଟ୍ର। ଏପ୍ରିଲ ୨୨ ପହଲଗାଓଁ ଆତଙ୍କୀ ହମଲାରେ ଲିଭିଥିଲା ଭାରତୀୟ ମହିଳାଙ୍କ ସିନ୍ଦୂର। ଆଉ ସିନ୍ଦୂରର ମାନ ରକ୍ଷା ଲାଗି ରାତିଅଧିଆ ଏୟାର ଷ୍ଟ୍ରାଇକ। ସାରା ବିଶ୍ବ ଶୋଇଥିବାବେଳେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। କେବଳ ଏତିକି ନୁହେଁ ବୈଦେଶିକ ବ୍ୟାପାର ପ୍ରେସମିଟରେ ବି ସରକାର ଦେଖାଇଥିଲେ ନାରୀ ଶକ୍ତିର ଦମ। ପ୍ରେସମିଟରେ ସାମିଲ ଥିଲେ ବିଦେଶ ସଚିବ ବିକ୍ରମ ମିସ୍ରି, ୱିଙ୍ଗ କମାଣ୍ଡର ଭୂମିକା ସିଂଓ କର୍ଣ୍ଣେଲ ସୋଫିଆ କ୍ୟୁରେସି। ଇତିହାସରେ ପ୍ରଥମ ଥର ଲାଗି ପାକିସ୍ତାନର ହାର୍ଟ ଉପରେ ଷ୍ଟ୍ରାଇକ କରିଛି ଭାରତ। ହେଲେ ଇତିହାସରେ ବି ପ୍ରଥମ ଥର ଲାଗି ଭାରତୀୟ ବାୟୁସେନାର ଦୁଇ ମହିଳା ଅଧିକାରୀ କରିଛନ୍ତି ପ୍ରେସ ବ୍ରିଫିଂ।
ଏବେ ଆସନ୍ତୁ ନଜର ପକାଇବା କିଏ ଏହି ଦୁଇ ମହିଳା ଅଫିସର ଯାହାଙ୍କ ଲାଗି ସାରା ଦେଶରେ ଚର୍ଚ୍ଚା। କର୍ଣ୍ଣେଲ ସୋଫିଆ କ୍ୟୁରେସି ହେଉଛନ୍ତି ଆର୍ମିର କର୍ପ୍ସ ଅଫ ସିଗନାଲ୍ସ। ମାତ୍ର ୩୫ ବର୍ଷ ବୟସରେ ଦେଖାଇଛନ୍ତି ଅପରିସୀମ ପରାକ୍ରମ । ମଲ୍ଟି ନ୍ୟାସନାଲ ମିଲିଟାରୀ ଏକ୍ସରସାଇଜରେ ଆର୍ମି କଣ୍ଟିଜେଣ୍ଟକୁ ଲିଡ କରିବାରେ ସୋଫିଆ ହେଉଛନ୍ତି ପ୍ରଥମ ମହିଳା ଅଫିସର। ମାର୍ଚ୍ଚ ୨୦୧୬ରେ ପୁଣେରେ ଅନୁଷ୍ଠିତ ଏକ୍ସରସାଇଜରେ ସାମିଲ ହୋଇଥିଲେ ଭାରତ ସମେତ ୧୮ ରାଷ୍ଟ୍ର। ସାହସ ଓ ଶକ୍ତିର ପ୍ରତୀକ ସୋଫିଆ।
ୱିଙ୍ଗ କମାଣ୍ଡର ଭୂମିକା ସିଂ ବାୟୁସେନାରେ ଦେଖାଇଛନ୍ତି ଦମ। ଏନସିସିରେ ସାମିଲ ହେବା ସହ ଆର୍ମିରେ ଯୋଗଦେଇଥିଲେ ଭୂମିକା। ସେ ହେଲିକପ୍ଟର ପାଇଲଟ ହେବା ସହ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଭୂମିକାଙ୍କର ରହିଛି ୨, ୫୦୦ ଘଣ୍ଟା ଉଡାଣର ଅଭିଜ୍ଞତା। ଚେତକ ଓ ଚିତା ହେଲିକପ୍ଟର ଉଡାଣରେ ରହିଛି ଦକ୍ଷତା।
ଭାରତୀୟ ସେନାରେ ମହିଳାଙ୍କ ଉପସ୍ଥିତି ବଢୁଥିବା ତଥା ଲିଙ୍ଗଗତ ସମାନତାକୁ ପ୍ରାଧାନ୍ୟ ଦେଇଥିଲେ ସରକାର। ସର୍ବୋଚ୍ଚ ସ୍ତରରେ ଅର୍ଥାତ ନିରାପତ୍ତା, ଷ୍ଟ୍ରାଟେଜି ଓ ଯୋଗାଯୋଗ କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ କରାଯାଇଛି ପ୍ରତିପାଦିତ।
ଆତଙ୍କୀମାନେ ଭାରତୀୟ ପୁରୁଷଙ୍କୁ ହିଁ ଟାର୍ଗେଟ କରିଥିଲେ। ଫଳରେ ମହିଳାମାନେ ଅକାଳ ବୈଧବ୍ୟର ଶିକାର ହୋଇଥିଲେ। ଏନେଇ ଗତ ସପ୍ତାହରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବିଶେଷ ଚିନ୍ତାପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ। ପରିବାରର ଦୁଃଖକୁ ଲାଘବ କରିବା ଲାଗି ଆତଙ୍କବାଦ ବିରୋଧରେ କି କି ପଦକ୍ଷେପ ନିଆଯାଇପାରିବେ ସେନେଇ ସେନା, ନୌସେନା ଓ ବାୟୁସେନା ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏତେ ଆଲୋଚନା ପରେ ମୋଦି ନିଜେ ଅପରେସନ ସିନ୍ଦୂର ନାମକରଣ କରିଥିଲେ ।
ପହଲଗାଓଁ ହମଲାରେ କେଉଁମାନଙ୍କ ମଥାରୁ ହଜିଯାଇଥିଲା ସିନ୍ଦୂର ଯେଉଁଥିଲାଗି ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ସେମାନେ ହେଲେ ଉତ୍ତରପ୍ରଦେଶ ଶୁଭମ ଦ୍ବିବେଦୀଙ୍କ ପତ୍ନୀ ଐଶନ୍ୟା, ଗୁଜରାଟର ଶୈଳଶ କାଲାଥିଆଙ୍କ ପତ୍ନୀ ଶୀତଲ, କୋଲକାତାର ବିତାନ ଅଧିକାରୀଙ୍କ ପତ୍ନୀ ସୋହିନ, ଗୁଜରାଟର ଯତିଶଭାଇ ପରମାରଙ୍କ ପତ୍ନୀ କାଜଲବେନ, ମହାରାଷ୍ଟ୍ର ସନ୍ଦୋଷ ଜଗଦେଲଙ୍କ ପତ୍ନୀ ପ୍ରଗତି, କୋଚିର ଏନ. ରାମଚନ୍ଦ୍ରନଙ୍କ ପତ୍ନୀ ଶୀଲା, ମଧ୍ୟପ୍ରଦେଶର ସୁଶୀଲ ନାଥନିଲଙ୍କ ପତ୍ନୀ ଜେନିଫର, ପଶ୍ଚିମବଙ୍ଗର ସମୀର ଗୁହାଙ୍କ ପତ୍ନୀ ଶବୋରୀ, ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଆଇବି ଅଫିସର ମନୀଷ ରଞ୍ଜନଙ୍କ ପତ୍ନମୀ ଜୟା ମିଶ୍ର। ଏହି ମହିଳାମାନଙ୍କ ମଥାରୁ ତ ସବୁଦିନ ଲାଗି ହଜିଗଲା ସିନ୍ଦୂର ହେଲେ ଆଜିର ଅପରେସନ ସିନ୍ଦୂର ସେମାନଙ୍କୁ ଦେଇଛି ଅଦମ୍ୟ ସାହସ, ଶକ୍ତି।

ସିନ୍ଦୂରର ବଦଲା ଅପରେସନ ସିନ୍ଦୂରରେ, ଭୟରେ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣ ପରେ ଭାବିଥିଲେ ଶାନ୍ତିପ୍ରିୟ ଭାରତ କିଛି ଆକ୍ସନ ନେବନି । କିନ୍ତୁ ସରକାର ଓ ସେନାର ସବୁ ଆକଳନକୁ ପାଣିଚିଆ କରି ଭାରତ ରାତି ଅଧିଆ ପାନେ ଦେଲା ପରେ ଛାନିଆ ପାକିସ୍ତାନ। କଣ କରିବେ ବାଟ ପାଉନାହାଁନ୍ତି ସେଠାକାର ସରକାରୀ କଳ । ପାକିସ୍ତାନ ଓ ପିଓକେରେ ପଚିଶ ମିନିଟ ଧରି ଭାରତୀୟ ଏୟାରଫୋର୍ସର ଧମାଧମ ମିସାଇଲ ମାଡ ପରେ ଏବେ ଆଉ ବୁଦ୍ଧି ଦିଶୁନି । ମୁହଁ ଫୁଟାଣି ବନ୍ଦ । ଭୟରେ ବିଳିବିଳେଇଲେଣି ପାକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ । ହିନ୍ଦୁସ୍ଥାନ ସହ ଯୁଦ୍ଧରେ ମାତିବାକୁ ଡରିଲାଣି ପାକିସ୍ତାନ । ପାକ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ଅନୁମାନ କରିହେଉଛି । ସେ କହିଛନ୍ତି, ଭାରତ ଯଦି ଆଉ ଆକ୍ରମଣ ନକରେ ତାହେଲେ ପାକିସ୍ତାନ ପ୍ରତିଜବାବ ଦେବାରୁ ଓହରିଯିବ । ଅର୍ଥାତ ସେ ପରୋକ୍ଷରେ ଭାରତକୁ ନିବେଦନ କରିଛନ୍ତି ଆଉ ଆକ୍ରମଣ ନକରିବାକୁ । ଏକ ଟିଭି ଚ୍ଯାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୧୫ ଦିନ ହେଲା ପାକିସ୍ତାନ କହିଆସୁଛି ଭାରତପ୍ରତି ପାକିସ୍ତାନର କୌଣସି ଅସୂୟାଭାବ ନାହିଁ । ତଥାପି ଭାରତ ଆକ୍ରମଣ କରିଛି । ଭାରତ ଏପରି ଆକ୍ରମଣ ଜାରି ରଖିଲେ ପାକିସ୍ତାନ ପ୍ରତିଜବାବ ଦେବ । କିନ୍ତୁ ଭାରତ ଯଦି ଆକ୍ରମଣରୁ ବିରତ ରୁହେ ତାହେଲେ ପାକିସ୍ତାନ ମଧ୍ଯ ଯୁଦ୍ଧରୁ ଓହରିଯିବ ।
କାଲି ମଧ୍ଯରାତ୍ରିରେ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରର ୯ଟି ଆତଙ୍କୀ ଆଡ୍ଡା ଉପରେ ଭାରତର କ୍ଷେପଣାସ୍ତ୍ର ମାଡ କରିଛି । ଗତ ଏପ୍ରିଲ ୨୨ ତାରିଖରେ ପହଲଗାଓଁ ହମଲା ପରେ ବେଶ ସତର୍କତାର ସହ ପାକିସ୍ତାନ ଉପରେ ଆକ୍ରମଣ କରି ସିନ୍ଦୂରର ବଦଲା ଅପରେସନ ସିନ୍ଦୂରରେ ନେଇଛି ।

୨୫ ମିନିଟର ଅପରେସନ ସିନ୍ଦୂର; ଥରହର ହେଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ୨୫ ମିନିଟର ଅପରେସନ ସିନ୍ଦୂର । ଥରହର ହେଲା ପାକିସ୍ତାନ । ଧ୍ବଂସ ହେଲା ୯ ଆତଙ୍କୀ ଶିବିର। ପାହଲଗାଓଁ ନରସଂହାରର ଭାରତର ସଠିକ ଜବାବ। ମଙ୍ଗଳବାର ରାତି ଗୋଟିଏ ୫ ମିନିଟ । ରାତିର ଅନ୍ଧକାରକୁ ଚିରି ଗର୍ଜନ କରି ଆକାଶକୁ ଉଠିଲେ ଗୋଟିଏ ପରେ ଗୋଟିଏ ଚାରୋଟି ରାଫେଲ ଓ ଆଠଟି ସୁଖୋଇ । ନଅଟି ଆତଙ୍କୀ ଆଡ୍ଡା ଉପରେ ହୋଇଥିଲା ସଠିକ ଏୟାର ଷ୍ଟ୍ରାଇକ। ସବାଇନାଲା କ୍ୟାମ୍ପରେ ହୋଇଥିଲା ପ୍ରଥମ ଆକ୍ରମଣ। ଏହା ଥିଲା ଲସ୍କର-ଇ-ତୋଇବାର ଆତଙ୍କୀ ପ୍ରଡକ୍ସନ କ୍ୟାମ୍ପ। ସେହିପରି କୋଟଲି ଗୁଲପୁର କ୍ୟାମ୍ପରେ ଦ୍ୱିତୀୟ ଆକ୍ରମଣ ହୋଇଥିଲା। ପରେ ଭୀମବାର ବରନାଲା କ୍ୟାମ୍ପରେ ତୃତୀୟ, ସିଆଲକୋଟ ସର୍ଜଲ କ୍ୟାମ୍ପରେ ଚତୁର୍ଥ, ମହବୁନା ଜୟା କ୍ୟାମ୍ପରେ ପଞ୍ଚମ, ମୁର ଦୁକେରେ ଥିବା ମର୍କଜ ତୋଏବାରେ ଷଷ୍ଠ ଆକ୍ରମଣ ହୋଇଥିଲା । ୨୫ ମିନିଟରେ ୯ ଟି ଆତଙ୍କୀ ଆଡ୍ଡା ଧ୍ବଂସ ପାଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଅପରେସନ ସିନ୍ଦୂର ସମ୍ପର୍କରେ ସୂଚନା ଦିଆଯାଇଛି । ପହଲଗାମ ଆତଙ୍କୀ ହମଲାରେ ପାକିସ୍ତାନର ହାତ ଥିବା ନେଇ ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଏହି ଆକ୍ରମଣ ହୋଇଥିଲା। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ରାତି ଏହି ଅପରେସନ ଉପରେ ନଜର ରଖିଥିଲେ ।

୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ଟ୍ରେନିଂ ସ୍ଥଳକୁ ବି ଧ୍ବଂସ କରାଯାଇଛି। ଆଜମଲ କସାବ ଓ ଡେଭିଡ ହେଡ୍ଲି ସେଠାରେ ତାଲିମ ନେଇଥିଲା। ଏଥିସହ ମୁରିଡକେରେ ଥିବା ସେମାନଙ୍କ ଟ୍ରେନଂ ସେଣ୍ଟରକୁ ମାଟିରେ ମିଶାଇଛନ୍ତି ଭାରତୀୟ ସେନା । ପାକିସ୍ତାନର ୬ କିମି ଭିତରେ ସିଆଲକୋଟର ସର୍ଜଲ କ୍ୟାମ୍ପ୍ ବି ମାଟିରେ ମିଶିଯାଇଛି। ଏଲଓସି ଠାରୁ ୯ରୁ ୧୩ କିମି ଦୂର ଥିବା ମାର୍କାଜ ଆବ୍ବାସ, କୋଟ୍ଲି କ୍ୟାମ୍ପ୍ ନଷ୍ଟ କରାଯାଇଛି। ହେଲେ ପାକର କୌଣସି ସୈନ୍ୟ ଠିକଣାକୁ ଟାର୍ଗେଟ କରାଯାଇନି। ଅପରେସନ୍ ସିନ୍ଦୂରରେ ସାମିଲ ହୋଇଥିଲେ ୮ ସୁଖୋଇ ଓ ୪ ରାଫେଲ୍ । ଏଥିସହ ବ୍ରହ୍ମୋସ ମିସାଇଲରେ ଛାରଖାର ହୋଇଛି ଆତଙ୍କବାଦୀ ଆଡ୍ଡା । ଅପରେସନ୍ ସଫଳ ହୋଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୋସିଆଲ୍ ମିଡିଆ ପୋଷ୍ଟରେ ସେନା ପକ୍ଷରୁ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ। …

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯାହା ଅପେକ୍ଷା କରାଯାଉଥିଲା ସେୟା ହେଲା। ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି । ତିନି ସେନାର ଏହି ମିଳିତ କାର୍ଯ୍ୟାନୁଷ୍ଠାନ ସୁନିର୍ଦ୍ଦିଷ୍ଟ, ନିୟନ୍ତ୍ରିତ ଏବଂ ଅଣ-ଉତ୍ତେଜନାମୂଳକ ଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି ।