ନାଗରିକତା ସଂଶୋଧନ ବିଲକୁ ନେଇ ଆଜି ପରୀକ୍ଷା ଦେବେ ମୋଦି ସରକାର
ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭା ପାଳି । ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ । ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ବିଲକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିବେ । ବିଲ୍ ଆଗତ ଉପରେ ପ୍ରାୟ ୬ ଘଣ୍ଟା ଧରି ସଦନରେ ଚର୍ଚ୍ଚା ହେବ । ତେବେ, ବିଲକୁ ନେଇ ଆଜି ଗୃହ ସରଗରମ ରହିପାରେ ।

ରାଜ୍ୟସଭାରେ ଏନଡିଏ ପାଖେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନାହାନ୍ତି । ବିଜେପି ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି । ବିଲକୁ ବିରୋଧ କରୁଥିବା କଂଗ୍ରେସ, ଟିଏମସି ଓ ସମାଜବାଦୀ ପାର୍ଟି ମଧ୍ୟ ହ୍ୱିପ୍ ଜାରି କରିଛି ସାଂସଦମାନଙ୍କୁ ।
ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ
ଜେଡିୟୁ, ଶିବସେନା, ବିଜେଡି ଆଦି ଦଳ ଲୋକସଭାରେ ବିଲକୁ ସମର୍ଥନ କରିଥିଲେ । କିନ୍ତୁ, ରାଜ୍ୟସଭାରେ ସମର୍ଥନ ଦେବା ପାଇଁ ଶିବସେନା ସର୍ତ୍ତ ରଖିଛି । ଯାହାକି ବିଜେପି ପାଇଁ ଚିନ୍ତା ବଢ଼ାଇ ଦେଇଛି ।
ରାଜ୍ୟସଭାରେ ଅସଲ ପରୀକ୍ଷା, ଆଞ୍ଚଳିକ ଦଳଙ୍କ ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ

ଦରକାର ୧୨୧ ଭୋଟ୍
ରାଜ୍ୟସଭାରେ ମୋଟ୍ ସଦସ୍ୟ ସଂଖ୍ୟା ୨୪୫ । ଏବେ ୫ଟି ସିଟ୍ ଖାଲି ପଡ଼ିଛି । ଫଳରେ ଏବେର ସଂଖ୍ୟା ହେଉଛି ୧୪୦ । ତେଣୁ, ସଦନର ସମସ୍ତ ସଦସ୍ୟ ମତଦାନ କଲେ ବହୁମତ ୧୨୧ ହେବ ।
ବିଜେପି ପାଖରେ ୧୨୭ ସଦସ୍ୟ
ରାଜ୍ୟସଭାରେ ବିଲ୍ ପାସ୍ ପାଇଁ ଆବଶ୍ୟକ ଠାରୁ ଏନଡିଏ ପାଖରେ ଅଧିକ ସାଂସଦ ଅଛନ୍ତି । ତା ଛଡ଼ା ଅନ୍ୟ କିଛି ଆଞ୍ଚଳିକ ଦଳ ମଧ୍ୟ ବିଲକୁ ସହଯୋଗ କରୁଛନ୍ତି । ରାଜ୍ୟସଭାରେ ବିଜେପିର ୮୩, ଜେଡିୟୁର ୬, ଏଆଇଡିଏମକେ ୧୧, ବିଜେଡି ୭, ଏସଏଡି ୩, ଆରପିଆଇ ୧, ଏଲଜେପି ୧, ୱାଇଏସଆର୍ କଂଗ୍ରେସ ୨, ଟିଡିପି ୨, ଏଜିପି ୧, ବିପିଏଫ ୧, ଏନପିଏଫ ୧, ଏସଡିଏଫ ୧, ୩ ଜଣ ନିର୍ବାଚିତ ସଦସ୍ୟ, ନିର୍ଦ୍ଦଳୀୟ ଏବଂ ଅନ୍ୟ ୪ ସଦସ୍ୟଙ୍କୁ ମିଶାଇଲେ ସଂଖ୍ୟା ୧୨୭ ହେଉଛି । ଯେଉଁମାନେ ବିଲ୍ ସପକ୍ଷରେ ଭୋଟ କରିପାରନ୍ତି । ଅନ୍ୟପଟେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ପାଖେ ୧୧୩ ଜଣ ସାଂସଦ ରାଜ୍ୟସଭାରେ ରହିଛନ୍ତି ।
https://nandighoshatv.comregional-parties-may-play-a-key-role-to-pass-the-citizenship-bill-in-rs/
ମହାରାଷ୍ଟ୍ରର ଦୁର୍ଦ୍ଦାନ୍ତ ଅପରାଧୀକୁ କଟକରେ ଗୁଳି
କଟକ: କଟକରେ ପୁଣି ଏନକାଉଣ୍ଟର । ନରାଜରେ ଦୁର୍ଦ୍ଦ।ନ୍ତ ଡକାୟତ ବବୁଲ ଓରଫ ସଚ୍ଚିନ ପାୱାରକୁ ଗୁଳି । ପୋଲିସକୁ ଚକମା ଦେଇ ଖସିଯିବା ବେଳେ ଚୌଦ୍ୱାର ପୋଲିସ ଏନକାଉଣ୍ଟର କରିଛି । ବବୁଲର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ୩ ଟି ଖୋକା ଜବତ କରିଛି ପୋଲିସ ।
ଦୁଇ ଦିନ ତଳେ ଡକାୟତି ମାମଲାରେ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇଥିଲା । ଭୋରରୁ ତାକୁ ଧରିବାକୁ ପୋଲିସ ଚଢାଉ କରିଥିଲା । ପୁଣିଥରେ ଗୁଳିମାଡ଼ କରି ଖସି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ଚୌଦ୍ୱାର ପୋଲିସ ଏନକାଉଣ୍ଟର କରିଛି । ବବଲୁ ୪ ରାଉଣ୍ଡ ଗୁଳିମାଡ଼ କରିଥିବା ବେଳେ ପୋଲିସ ୨ ରାଉଣ୍ଡ ଗୁଳିମାଡ଼ କରିଛି । ଗୁଳି ବିନିମୟରେ ଜଣେ ଏଏସଆଇଙ୍କ ସମେତ ୩ ପୋଲିସ ମଧ୍ୟ ଆହତ ହୋଇଛନ୍ତି ।
ଆନ୍ତଃରାଜ୍ୟ ଡକାୟତିରେ ତାର ହାତ ଥିବା ପୋଲିସ ସୂଚନା ଦେଇଛି । ବବଲୁର ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ କଟକରେ ଗ୍ୟାଙ୍ଗ ଗଢି ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟପାଟ୍ ଚଳାଇଥିଲା । ବବୁଲ ନାମରେ ବ୍ରହ୍ମପୁର, କଟକ, ରାଉରକେଲା, ତାଳଚେର, ଅନୁଗୁଳ, ବାରପିଦାରେ ଡକାୟତି ମାମଲା ରହିଛି । କଟକରେ ଅଧିକ ଅପରାଧିକ ମାମଲା ରହିଛି । ପୋଲିସ ସୂଚନା ଅନୁସାରେ ଗତ ୯ ତାରିଖରେ ୧୧ ଜଣ ଡକାୟତ ଚୌଦ୍ୱାର ଅଞ୍ଚଳରୁ ଏକ ସୁନା ଦୋକାନରୁ ଲୁଟ୍ କରିବାକୁ ଯୋଜନା କରିଥିଲେ । ଖବର ପାଇ ଚୋଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ଚଢାଉ କରି ୮ ଜଣଙ୍କୁ ଗିରଫ କରିଥିଲା । ପୂର୍ବରୁ କଟକ କମିଶନରେଟ ପୋଲିସର ଜୋନ-୧ ପୋଲିସ ୫ଟି ଏନକାଉଣ୍ଟର କରିଛି ।
ଷ୍ଟାଇପେଣ୍ଡ ଟଙ୍କା ଦେବାରେ ବିଳମ୍ବ କଲେ ବୋଲି ଏମିତି କଲେ ୯ମ ଶ୍ରେଣୀ ଛାତ୍ରୀ
ଘଟଗାଁ: ଷ୍ଟାଇପେଣ୍ଡ ଟଙ୍କା ନଦେବାରୁ ଛାତ୍ରୀଙ୍କ ଆତ୍ମ ହତ୍ୟା । ଫ୍ୟାନ୍ରେ ଝୁଲି ଆତ୍ମ ହତ୍ୟା କଲେ ୯ ଶ୍ରେଣୀର ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଅର୍ଜୁନବିଲା ଗାଁରେ । ମୃତ ଛାତ୍ରୀ ଜଣକ ହେଉଛନ୍ତି ଅର୍ଜୁନବିଲା ଗାଁର ଗୋକୁଳ ସେଠୀଙ୍କ ଝିଅ ଅଲିଭା ସେଠୀ ।

ସୂଚନା ଅନୁଯାୟୀ, ଅଲିଭା ଦେହୁରୀପଶୀ ଆଶ୍ରମ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ୨ଦିନ ତଳେ ବ୍ୟାଙ୍କ୍ ଖାତାରେ ଅଲିଭାଙ୍କ ଷ୍ଟାଇଫେଣ୍ଡ ବାବଦକୁ ୨ହଜାର ଟଙ୍କା ଆସିଥିଲା । ଅଲିଭା ତାଙ୍କ ମାଆଙ୍କୁ ଏହି ଟଙ୍କା ବ୍ୟାଙ୍କ୍ରୁ ଉଠାଇ ଡ୍ରେସ୍ କିଣିବା ପାଇଁ କହିଥିଲେ । କିନ୍ତୁ ବିଲକାମ ଥିବାରୁ ପରେ କିଣିବା କହି ତାଙ୍କ ମାଆ ବିଲକୁ ଚାଲିଯାଇଥିଲେ । ଘରେ କେହି ନଥିବା ବେଳେ ଅଲିଭା ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ଅଲିଭାଙ୍କ ଭାଇ ଘରକୁ ଆସି ଅଲିଭାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ଅଲିଭାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
୭୦୮ଟଙ୍କା ଦେଇ ନିଜ ପାଇଁ ଟିକେଟ୍ କିଣିଲେ ନବୀନ
ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ -ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ। ଏହି ମ୍ୟାଚ ପାଇଁ ଅଫ୍ ଲାଇନରେ ଆସନ୍ତା ୧୯ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି।

ମୁଖ୍ୟମନ୍ତ୍ରୀ ୭୦୮ ଟଙ୍କା ଦେଇ ନିଜ ପାଇଁ ଗୋଟିଏ ଟିକେଟ୍ କିଣିଛନ୍ତି। ଓସିଏ କର୍ତ୍ତୁପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ୧୦୦୦ ଟଙ୍କା ଦେଇଥିବା ବେଳେ ଟିକେଟ୍ ବାବଦେ ୭୦୮ ଟଙ୍କା ରଖି ୨୯୨ ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଫେରାଇ ଦିଆଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଟିକେଟ୍ ଓସିଏ କର୍ତ୍ତୁପକ୍ଷଙ୍କ ଠାରୁ କିଣିଥିଲେ। ଏହି ଅବସରରେ ଓସିଏ ସଭାପତି ପଙ୍କଜ ମହାନ୍ତି, ବାରବାଟୀ ମ୍ୟାଚ ଅର୍ଗାନାଇଜିଂ କମିଟି ଚେୟାରମ୍ୟାନ୍ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

