ନନ୍ଦିଘୋଷ ବ୍ୟୁରୋ : ହାଜିରା ନଦେଲେ ହାତରେ ପଡ଼ିବ ହାତକଡ଼ି। ଜେଲ୍ରେ କଟିପାରେ ହାର୍ଡକୋର ଅପରାଧୀଙ୍କ ରାତି। ସେପ୍ଟେମ୍ବର ଆରମ୍ଭରୁ ପ୍ରସ୍ତୁତ ହେଲାଣି ତାଲିକା। ଗଣେଶ ପୂଜାରୁ କାଳୀ ପୂଜା ଯାଏଁ ଦାଗି ଅପରାଧୀଙ୍କ ଉପରେ ରହିବ କଡ଼ା ନଜର। ଯଦି ହାଜିରା ଦେଉନାହାନ୍ତି, ତେବେ ଖୁବଶୀଘ୍ର ଆପଣଙ୍କୁ ଉଠାଇ ନେଇପାରେ ପୋଲିସ। ଏପରିକି ଦଶହରା ମଧ୍ୟ ଜେଲ୍ ହାଜତରେ କଟିପାରେ। ପୋଲିସ କମିଶନରଙ୍କ ଏଭଳି ନିର୍ଦ୍ଦେଶ ପରେ ଏବେ ଅଭ୍ୟାସଗତ ଅପରାଧୀ, ଚୋରି, ରାହାଜାନି ଓ ଗଣ୍ଡଗୋଳ ଭଳି ଅପରାଧରେ ସମ୍ପୃକ୍ତ ଦାଗିଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଛି। ଏକାଧିକ ଅପରାଧୀଙ୍କୁ ତଡ଼ିପାର କରାଯାଇଥିବା ବେଳେ ଆହୁରି ୩୦ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି। କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ NSA ମଧ୍ୟ ଲାଗୁ କରାଯାଇଛି। ରାଜ୍ୟସାରା କୁଖ୍ୟାତ ଅପରାଧୀଙ୍କୁ ଦମନ ପାଇଁ ଓଡ଼ିଶା ପୋଲିସ ଓ ସ୍ପେଶାଲ ଟାସ୍କଫୋର୍ସ କାମ କରୁଥିବା ବେଳେ ଟୁଇନ୍ ସିଟିରେ ଏହି ଅଭିଯାନକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର। କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ‘କ୍ଲିନ୍ ସୁଇପ୍ ଅପରେସନ୍’ରେ କିଛି ନିଶା ମାଫିଆଙ୍କ ନାଁ ମଧ୍ୟ ରହିଛି। ପାଉଡର ବିକି ପତିଆରା ଦେଖାଉଥିବା ମାଫିଆଙ୍କୁ ସାବାଡ଼ କରାଯିବ ବୋଲି କମିଶନର ଚେତାବନୀ ଦେଇଛନ୍ତି।
ପାର୍ବଣ ପୂର୍ବରୁ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ରୋକିବାକୁ ନିୟମିତ ଭାବେ ଚଢ଼ାଉ ଚାଲିଛି। ପାର୍ବଣ ସମୟରେ ସହରକୁ ପଶି ଦେହ ବେପାର ଚଳାଉଥିବା ଦେହଜୀବୀ ଓ ଦଲାଲଙ୍କ ଉପରେ ମଧ୍ୟ ଲଗାମ ଲଗାଯିବ। ସେହିପରି ଦାଦାବଟି କିମ୍ବା ପୂଜା ଚାନ୍ଦା ମାଗିଲେ ତୁରନ୍ତ ୧୧୨କୁ କଲ୍ କରିବାକୁ କୁହାଯାଇଛି। ଖଟି ମାନଙ୍କରେ ଉପଦ୍ରବ ବନ୍ଦ କରିବା ସହ ଡ୍ରଙ୍କ୍ ଆଣ୍ଡ୍ ଡ୍ରାଇଭ୍ ଉପରେ ମଧ୍ୟ କଡ଼ା ନଜର ରଖିବାକୁ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର।

