spot_img
Home Blog Page 7603

ପିଆଜର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଏମିତି ବିତଣ୍ଡା ଯୁକ୍ତି କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପିଆଜ ଦରକୁ ନେଇ ହଟଚମଟ । କିନ୍ତୁ, ଅର୍ଥମନ୍ତ୍ରୀ କହୁଛନ୍ତି ମୁଁ ଖାଉନି ପିଆଜ । ମୁଁ ଏମିତି ଏକ ପରିବାରରୁ ଆସିଛି ଯେଉଁଠି ଖାଦ୍ୟରେ ପିଆଜ କିଛି ମାନେ ରଖେନି । ଲୋକସଭାରେ ଏମିତି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Courtesy- LSTV

ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ପିଆଜ ପ୍ରଶ୍ନର ଉତ୍ତରରେ ନିର୍ମଳା କହିଛନ୍ତି, ମୁଁ କି ମୋର ପରିବାର ପିଆଜ ଖାଆନ୍ତିନି । କେବଳ ପିଆଜ ନୁହେଁ ଏମିତିକି ଅଦା ଖାଅନ୍ତିନି ବୋଲି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି । ପିଆଜର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି । ଏପରିକି ଦେଶରୁ ପିଆଜର ରପ୍ତାନୀ ଉପରେ କଟକଣା ଲଗାଯାଇଛି ।

ଦେଖନ୍ତୁ ପିଆଜ ଉପରେ ସଂସଦରେ କଣ କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଦେଶର ଅନେକ ସ୍ଥାନରେ ପିଆଜର କେଛି ପିଛା ଦର ୧୦୦ ଟଙ୍କା ଟପିଥିବା ବେଳେ ଅର୍ଥମନ୍ତ୍ରୀଙ୍କ ;ଓନିଅନ୍’ ଥିଓରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଆଳୁ ଓ ପିଆଜକୁ ଗଣା ଯାଉଥିଲେ ହେଁ ସରକାର ଉତ୍ପାଦନ, ବଜାର ଓ ଦର ନିୟନ୍ତ୍ରଣ ଉପରେ ଠୋସ୍ ପଦକ୍ଷେପ ନେଉନାହାନ୍ତି । ଫଳରେ ଦର ସେଞ୍ଚୁରୀ ମାରିଥିବା ବେଳେ ବିଦେଶରୁ ପିଆଜ ଆମଦାନୀ କରିବାକୁ ସରକାର ବାଧ୍ୟ ହୋଇଛନ୍ତି ।

ଜେଲରୁ ବାହାରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ କଣ କହିଲେ ଚିଦାମ୍ବରମ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଉପରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଆକ୍ରମଣ । ଜେଲରୁ ଜାମିନରେ ଆସିବାର ଦିନକ ପରେ ମୋଦି ସରକାର ଉପରେ ଖୁବ୍ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଚିଦାମ୍ବରମ ସମାଲୋଚନା କରିଛନ୍ତି ।

ଲଗାତାର ଖସୁଛି ଜିଡିପି

ଦେଶର ଅର୍ଥବ୍ୟବସ୍ଥା ବିଗିଡ଼ି ଯାଇଛି । ସରକାର ସମାଧାନର ବାଟ ଖୋଜୁ ନାହାଁନ୍ତି । ନୋଟବନ୍ଦୀ, ଜିଏସଟି ଓ ଟ୍ୟାକ୍ସ ଟେରରିଜିମ ପାଇଁ ଦେଶର ଅର୍ଥନୀତି ପଛକୁ ଠେଲି ହୋଇଯାଇଛି । ‘ଅଚ୍ଛେଦିନ’ର ନାରା ଦେଇଥିବା ସରକାର ‘ବୁରେଦିନ’ ନେଇ ଆସିଛି । ବିଗତ ୬ ମାସରେ ଦେଶର ଅଭିବୃଦ୍ଧି ହାର ୮ ପ୍ରତିଶତରୁ ୪.୫ ପ୍ରତିଶତକୁ ଖସି ଆସିଛି ।

କେମିତିକା ‘ଅଚ୍ଛେଦିନ’ ?

ଯଦି ବାର୍ଷିକ ବିକାଶ ଦର ୫ ପ୍ରତିଶତ ରୁହେ, ତେବେ ଆମେ ସୌଭାଗ୍ୟଶାଳୀ ଭାବୁ । ଦେଶର ବଡ଼ ଅର୍ଥନୀତିଜ୍ଞ ଡ. ଅରବିନ୍ଦ ସୁବ୍ରଣ୍ୟନ ୫ ପ୍ରତିଶତକୁ ନେଇ ଚେତାବନୀ ଦେଇଥିଲେ । କିନ୍ତୁ, ବର୍ତ୍ତମାନର ସ୍ଥିତି ତା’ଠାରୁ ଆହୁରି ସଙ୍ଗୀନ । ପିଏମ୍ ମୋଦି ସବୁବେଳେ ଏହି ପ୍ରସଙ୍ଗରେ ଚୁପ୍ ରହୁଛନ୍ତି । ମନ୍ତ୍ରୀମାନଙ୍କୁ ମିଛ କହିବାକୁ ଅନୁମତି ଦେଇଛନ୍ତି ।

ସତ ଉଗାଳୁଛି ସଂଖ୍ୟା

ଦେଶର ସବୁ ସେକ୍ଟରରେ ସ୍ଥିତି କହୁଛି ଅର୍ଥନୀତି ତଳମୁହାଁ । ଜିଡିପି ତଳମୁହାଁ, ବିଭିନ୍ନ ଉଦ୍ୟୋଗର ଅବସ୍ଥା ଖରାପ । ବେରୋଜଗାରୀ ବଢ଼ି ବଢ଼ି ଚାଲିଛି । ପିଆଜର ଦର ୧୦୦ ଟପିଛି ।.

କଶ୍ମୀର ପାଇଁ କୋହ

ଜେଲରୁ ବାହାରିବା ପରେ କଶ୍ମୀରର ୭୫ ଲୋକଙ୍କ ପାଇଁ ପି.ଚିଦାମ୍ବରମ ପ୍ରାର୍ଥନା କରିଛନ୍ତି । ଯେଉଁମାନେ ଗତ ଅଗଷ୍ଟ ୪ରୁ ଜେଲରେ ଅଛନ୍ତି । ଯଦି ଆମେ ଆମ ସ୍ୱାଧୀନତା କଥା କହୁଛୁ ତେବେ, ସେମାନଙ୍କ ସ୍ୱାଧୀନତାର ଲଢେଇ ଲଢ଼ିବା ଦରକାର ।

‘ମୋ ପୋଥି ପୂରା ପବିତ୍ର’

ମନ୍ତ୍ରୀ ଭାବେ ମୋ ରେକର୍ଡ ସମ୍ପୂର୍ଣ୍ଣ ଭଲ । ମୋ ସହିତ କାମ କରିଥିବା ଅଧିକାରୀ, ସମ୍ପର୍କରେ ଆସିଥିବା ଶିଳ୍ପପତି, ସାମ୍ବାଦିକ ଏହି ସମ୍ପର୍କରେ ଭଲଭାବେ ଜାଣିଛନ୍ତି ।

କାହିଁକି ଆତ୍ମହତ୍ୟା କଲେ ଭୁବନେଶ୍ୱର ୟୁକୋ ବ୍ୟାଙ୍କର ମହିଳା ସିନିୟର ମ୍ୟାନେଜର ରଞ୍ଜିତା ? କାହିଁକି ଭୁବନେଶ୍ୱର ଆସିଥିଲେ ତାଙ୍କ ବାପା ମା’ ?

ଭୁବନେଶ୍ୱର : ପୁଣି ପ୍ରେମ ନେଲା ଜୀବନ। ଭୁବନେଶ୍ୱର ୟୁକୋ ବ୍ୟାଙ୍କର ମହିଳା ସିନିୟର ମ୍ୟାନେଜର ଆର. ରଞ୍ଜିତା ରାଓଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଭଡ଼ାଘରୁ ଉଦ୍ଧାର କରାଯାଇଛି। ଭୋର ସାଢେ ୪ଟାରୁ ୫ଟା ମଧ୍ୟରେ ସେ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ତାଙ୍କ ବାପା ଓ ମାଆ ଗଣମାଧ୍ୟମକୁ କହିଛନ୍ତି। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପ୍ରେମରେ ଧୋକା କାରଣରୁ ରଞ୍ଜିତା ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ସନ୍ଦେହ କରାଯାଉଛି। ରଞ୍ଜିତା ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଭଲ ପାଉଥିଲେ । ତେବେ ତାଙ୍କ ସହ ବିବାହ ନେଇ ସମସ୍ୟା ରହିଥିଲା ବୋଲି ଚର୍ଚ୍ଚା ହେଉଛି। ରଞ୍ଜିତାଙ୍କ ଘର ନବରଙ୍ଗପୁରରେ । ତାଙ୍କ ବାପା ନବରଙ୍ଗପୁର ପୌର ପରିଷଦର ଜଣେ ପୂର୍ବତନ କର୍ମଚାରୀ। ରଞ୍ଜିତାଙ୍କ ବଡ଼ ଭଉଣୀ ବିବାହ ପରେ ବେଙ୍ଗାଳୁରୁରେ ରହୁଛନ୍ତି । କିଛିଦିନ ଧରି ରଞ୍ଜିତା ମାନସିକ ବିଷାଦରେ ଥିଲେ। ଏକଥା ଜାଣିବା ପରେ ୧୫ ଦିନ ତଳେ ରଞ୍ଜିତାଙ୍କ ମାଆ ନବରଙ୍ଗପୁରରୁ ଭୁବନେଶ୍ୱର ଆସି ତାଙ୍କ ପାଖରେ ରହୁଥିଲେ । ୨ଦିନ ତଳେ ବାପା ମଧ୍ୟ ତାଙ୍କ ପାଖକୁ ଆସିଥିଲେ।

ପ୍ରେମରେ ବିଫଳତା ଯୋଗୁ ରଞ୍ଜିତା ଅବସାଦରେ ରହୁଥିବା ତାଙ୍କ ବାପାମାଆ ଜାଣିଥିଲେ ମଧ୍ୟ ରଞ୍ଜିତା କାହାକୁ ଭଲ ପାଉଥିଲେ ସେସଂପର୍କରେ ସେମାନଙ୍କ ପାଖରେ କୌଣସି ଖବର ନାହିଁ । ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ରଞ୍ଜିତା ନିଜେ ଶୋଉଥିବା ଘରେ ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିବା ବେଳେ ଭୀଷଣ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ରଞ୍ଜିତାଙ୍କ ବାପା ତାଙ୍କ ଶୋଇବା ଘରକୁ ଯାଇ ରଞ୍ଜିତାଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ । ରଞ୍ଜିତାଙ୍କ ମାଆ ମଧ୍ୟ ଦୌଡ଼ି ଯାଇ ରଞ୍ଜିତାଙ୍କ ଆଶୁ ଚିକିତ୍ସା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେତେବେଳକୁ ରଞ୍ଜିତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

https://nandighoshatv.comwomen-banker-suicide/

ଗତ ୨ମାସ ମଧ୍ୟରେ ପ୍ରେମରେ ଧୋକା ଯୋଗୁ ଏହା ରାଜଧାନୀରେ ଦ୍ୱିତୀୟ ଆତ୍ମହତ୍ୟା ଘଟଣା। ଗତ ଅକ୍ଟୋବର ମାସରେ ଧଉଳି ଥାନା ଅଞ୍ଚଳର ଇନ୍ଦିରା କଲୋନୀରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ସମାନ ଢଙ୍ଗରେ ଆତ୍ମହତ୍ୟା କରିଥିଲେ। ଦୀପାଳିଙ୍କ ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମିକଙ୍କ ହାତ ଥିବା ପୋଲିସ ସନ୍ଦେହ କରିବା ସହ ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଦୀପାଳୀ ମୃତ୍ୟୁ ଘଟଣାରେ ଫେରାର ଅଛି ପ୍ରେମିକ । ପୋଲିସ ତଦନ୍ତ ଜାରି ରହିଛି ।

ବାରବାଟୀରେ ଦିନିକିଆ ମ୍ୟାଚ୍‌ ପାଇଁ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆଜିଠାରୁ ବାରବାଟୀରେ ଦିନିକିଆ କ୍ରିକେଟ୍ ମ୍ୟାଚ୍‌ ପାଇଁ ଅନଲାଇନରେ ବିକ୍ରି ହେବ ଟିକେଟ୍‌ । ଏଥିପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ପାଖାପାଖି ୯ ହଜାର ଟିକେଟ୍‌ ଅନଲାଇନରେ ବିକ୍ରି ହେବ ବୋଲି ସୂଚନା ରହିଛି ।

ଆଜି ଅପରାହ୍ନରୁ ଟିକେଟ୍‌ ବିକ୍ରୀ କରାଯିବ। କ୍ରିକେଟ୍‌ ପ୍ରେମୀ ମାନେ www.paytm.com ସାଇଟରୁ ଟିକେଟ୍‌ କିଣି ପାରିବେ । ଗୋଟିଏ ମେଲ ଆଇଡିରୁ ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ କିଣିପାରିବେ । ନକଲି ଟିକେଟ୍‌ ଛାପି ଏହାକୁ ବିକ୍ରି କରିବା ଭଳି ବିଭିନ୍ନ କଳାବଜାରୀ କାର୍ଯ୍ୟକୁ ରୋକିବା ପାଇଁ ତତ୍ପରତା ପ୍ରକାଶ କରିଛି ଓସିଏ ଓ ବିସିସିଆଇ । ତେଣୁ କିଭଳି ଏହାକୁ ରୋକା ଯାଇହେବ ସେନେଇ ସଜାଗ ରହିଛି କମିଶନରେଟ୍‌ ପୋଲିସ ।

ସେପଟେ ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ମିଳିଥିବାରୁ ଏହାକୁ କିପରି ସୁରୁଖୁରୁରେ ଆୟୋଜନ କରାଯିବ ସେ ନେଇ ରାତିଦିନ ଏକ କରିଦେଇଛି ଓସିଏ । ମ୍ୟାଚ୍‌ ପୂର୍ବରୁ ବାରବାଟୀ ଷ୍ଟାଡ଼ିୟମକୁ ନୂଆ ରୂପ ଦେବାକୁ ଓସିଏ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ଲାଗି ପଡ଼ିଛନ୍ତି ।

ବାଲେଶ୍ୱରରେ ଥାନା ବାବୁଙ୍କ ଫେକ୍ ଫର୍ମୁଲା ! ଜେଲରେ ଥିବାବେଳେ ବିଚାରାଧୀନ କଏଦୀଙ୍କ ନାଁରେ କେସ୍ ଠୁଙ୍କି ସସପେଣ୍ଡ

ବାଲେଶ୍ୱର : ସୋର ପୋଲିସର କାର୍ଯ୍ୟକଳାପ ଏବେ ସନ୍ଦେହ ଘେରରେ । କିଛି ବେଆଇନ୍ କାର୍ଯ୍ୟକୁ ନେଇ ପୋଲିସକୁ ସମାଲୋଚନା ହେବାକୁ ପଡୁଛି । କେହି କେହି ମିଛୁଆ ପୋଲିସ କହିବାକୁ ମଧ୍ୟ ପଛାଉ ନାହାନ୍ତି ।


ସୂଚନା ଅନୁସାରେ ସୋର ଥାନା ଅନ୍ତର୍ଗତ ଚିନ୍ତାମଣିପଦା ଗାଁର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ ନାୟକଙ୍କୁ ଖଇରା ଥାନା ପୋଲିସ ଚଳିତବର୍ଷ ଜାନୁଆରୀ ୧୯ ତାରିଖରେ ଗିରଫ କରିଥିଲା । ତାଙ୍କ ବିରୋଧରେ ୨/୨୦୧୯ରେ ଏକ ମାମଲା ରୁଜୁ କରାଯାଇଥିଲା । ଏହାପରେ ତାଙ୍କୁ ସୋର କୋର୍ଟକୁ ଚାଲାଣ କରାଯାଇଥିଲା । ବାଲେଶ୍ୱର ଜିଲ୍ଲା କୋର୍ଟଙ୍କ ଦ୍ୱାରା ମାର୍ଚ୍ଚ ୨୫ ତାରିଖରେ ତାଙ୍କ ଜାମିନ୍ ଆବେଦନ ଖାରଜ୍ ହୋଇଥିଲା । ଏହାପରେ ମେ ୩୦ରେ ହାଇକୋର୍ଟରେ ସେ ଜାମିନ୍ ଆବେଦନ କରିଥିଲେ । ଅଗଷ୍ଟ ୨ ତାରିଖରେ ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିବା ପରେ ସେ ଜେଲରୁ ବାହାରିଥିଲେ ।


କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଜେଲରେ ବିଚାରାଧୀନ ଥିବା ବେଳେ, ମେ ୨୩ ତାରିଖରେ ଏକ ଚୋରି ଅଭିଯୋଗରେ ରଞ୍ଜିତଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଯେତେବେଳେ କି ସୋର ଜେଲରେ ଥିଲେ ରଞ୍ଜିତ । ମେ ୨୩ରେ ୧୬ ନଂ ଜାତୀୟ ରାଜପଥ ସୋର ଥାନା ଅଧିନ ବିଦୁ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ନିକଟରୁ କିଛି ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ସୋର ପୁଲିସ ଏହି ଘଟଣାରେ ନିଜ ଆଡୁ ୨୩୭/୧୯ ଆଧାରରେ ସୋର ଥାନାରେ ଏକ ମାମଲା ଋଜୁ କରିଥିଲା । ସେହି ଚୋରୀ ମାମଲାରେ ଜେଲରେ ଥିବା ରଞ୍ଜିତଙ୍କୁ ସୋର ଥାନା ଅଧିକାରୀ ଅଭିଯୁକ୍ତଭାବେ ଦର୍ଶାଇଥିଲେ । ନଭେମ୍ବର ୧ ତାରିଖରେ ସୋର ଥାନା ଅଧିକାରୀ ପୁଣିଥରେ ରଞ୍ଜିତ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏ ଘଟଣା ପରେ ସୋର ଥାନାକୁ ଯାଇ ନିଜ ସ୍ୱାମୀଙ୍କ ସଂପର୍କରେ ପଚାରି ବୁଝିଥିଲେ ରଂଜିତଙ୍କ ସ୍ତ୍ରୀ । ସେତେବେଳେ ପୋଲିସ କହିଥିଲା ରଂଜିତଙ୍କୁ ପାଇଲେ ଖବର ଦେବେ । ଏ ସବୁ ଘଟଣା ପରେ ବହୁ ପ୍ରଶ୍ନ ସାମ୍ନାକୁ ଆସିଛି । ଜେଲରେ ଥିବା ବେଳେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିଲେ କେମିତି ରଞ୍ଜିତ ? ବାଲେଶ୍ୱର ପୋଲିସ କାହା ଚାପରେ ଏଭଳି କରିନାହିଁ ତ ? ଜଣେ ଦୋଷ ନକରି ଜେଲ୍ ଯିବା ଆମ ବ୍ୟବସ୍ଥା ପ୍ରତି ଉପହାସ ନୁହେଁ ତ ? ଘରେ ଗର୍ଭବତୀ ସ୍ତ୍ରୀ ଥିବା ସମୟରେ ସ୍ୱାମୀ ହାଇକୋର୍ଟରୁ ଜାମିନ୍ ପାଇ ଆସିଥିବାବେଳେ ପୁଣି ଥରେ ତାଙ୍କୁ ମିଛ ମାମଲାରେ ଫସାଇବା କି ପ୍ରକାରର ନିୟମ ?

ଏ ଘଟଣା ସାମ୍ନାକୁ ଆସିବା ପରେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୋର ଥାନାର ଏଏସଆଇ ତଥା ତଦନ୍ତକାରୀ ଅଧିକାରୀ ମୀନକେତନ ସିଂଙ୍କୁ ନିଲମ୍ବନ କରାଯାଇଛି ।

ୟୁକୋ ବ୍ୟାଙ୍କ୍‌ ସିନିୟର ମ୍ୟାନେଜରଙ୍କ ଆତ୍ମହତ୍ୟା, ଭଡ଼ା ଘରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଭଡ଼ାଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଏମଆଇଜି -୫୧ ଭଡ଼ା ଘରୁ ମୃତ ଦେହ ଉଦ୍ଧାର ହୋଇଛି ।  ମୃତକ ମହିଳା ଜଣକ ହେଉଛନ୍ତି ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଆର. ରଞ୍ଜିତା ରାଓ । ଫ୍ୟାନରେ ରଶି ଲଗାଇ ଝୁଲିପଡିଥିବା ଜଣାପଡିଛି ।

ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଏଠାରେ ତାଙ୍କ ବାପାମା’ଙ୍କ ସହିତ ଭଡ଼ା ଘରେ ରହୁଥିଲେ । ରଞ୍ଜିତା ୨ ବର୍ଷ ହେବ ୟୁକୋ ବ୍ୟାଙ୍କ୍‌ର ଅଶୋକ ନଗର ଶାଖାରେ କାମ କରୁଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମାନସିକ ଚାପ ଯୋଗୁଁ ଏଭଳି କରିଥିବା ଅନୁମାନ କରାଯାଉଛି । ସେପଟେ ଖଣ୍ଡଗିରି ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

 

ନୂଆକରି ଚାକିରିରେ ଯୋଗ ଦେଇଥାନ୍ତେ, ବାଟରେ ପିଟିଦେଲା ହାଇଓ୍ୱା

ଭଦ୍ରକ: ମନରେ ନୂଆ ଆଶା ନେଇ ଯୋଗ ଦେଇଥାନ୍ତେ ଚାକିରିରେ । ଅନେକ ଖୁସିର ସହ ବାହାରିଥିଲେ ଘରୁ  ।  ପ୍ରଥମେ ଭଦ୍ରକ ଏବଂ ପରେ ସେଠାରୁ ଯାଇଥାନ୍ତେ ଡ଼େଙ୍କାନାଳ  । କିନ୍ତୁ ରାସ୍ତାରେ ସବୁ କିଛି ଓଲଟ ପାଲଟ ହୋଇଗଲା । ରାସ୍ତାରେ ବୋଧେ ତାଙ୍କୁ ମରଣ ଜଗି ବସିଥିଲା । ଯାହା ପାଇଁ ଭଦ୍ରକରେ ନପହଞ୍ଚି ସିଦ୍ଧା ପହଞ୍ଚିଗଲେ ମରଣ ରାଇଜରେ । ବାଟରେ ହାଇଓ୍ୱା ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ମୃତକ ଜଣକ ହେଉଛନ୍ତି ରାଜେନ୍ଦ୍ର କୁମାର ସାହୁ । ତାଙ୍କ ଘର ଭଦ୍ରକ ବ୍ଲକ୍ ଅନ୍ତର୍ଗତ ନୂଆଶାସନ ଅଞ୍ଚଳରେ।  ଆହତ ଜଣକ ହେଉଛନ୍ତି ନିରଞ୍ଜନ ତ୍ରିପାଠୀ  ।

ସୂଚନା ଅନୁଯାୟୀ, ଆଜି ସକାଳୁ ଏହି ଦୁଇ ଜଣ ବାଇକ୍ ନେଇ ଘରୁ ବାହାରିଥିଲେ । ନୂଆ ଚାକିରିରେ ଯୋଗ ଦେଇଥାନ୍ତେ ଏକ ବେସରକାରୀ ସଂସ୍ଥାରେ । ଭଦ୍ରକରୁ ଢେଙ୍କାନାଳ ଯିବା ରାସ୍ତାରେ ହିଁ ଦୁର୍ଘଟଣା ଘଟିଥିଲା । ପ୍ରାୟ ସାଢ଼େ ୬ଟା ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଏକ ହାଇୱା ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ରାଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍କ ନିରଞ୍ଜନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

ଧାନ ଫସଲ ଜଗିଥିବା ବେଳେ ବାର୍‌ହା ଆକ୍ରମଣ, ମହିଳା ମୃତ

ପଟ୍ଟାମୁଣ୍ଡାଇ: ବାର୍‌ହା ଆକ୍ରମଣରେ ମହିଳାଙ୍କ ମୃତ । ମହିଳା ଜଣକ ହେଉଛନ୍ତି  କେନ୍ଦ୍ରାପଡ଼ା ଜିଲ୍ଲା ମହାକାପଡା ବ୍ଲକ ଅନ୍ତର୍ଗତ ଲାଞ୍ଜୁଡ଼ ପଞ୍ଚାୟତ ନରସିଂପୁର ଗାଁର ଭାରତୀ ଜେନା । ବାର୍‌ହା ଆକ୍ରମଣ କରି ମହିଳାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ନରସିଂପୁର ଅଞ୍ଚଳରେ ବାର୍‌ହା ପ୍ରାଦୁର୍ଭାବ ବଡ଼ିବାରେ ଲାଗିଛି । ଏନେଇ ଧାନ ଫସଲକୁ ବାର୍‌ହା ନଷ୍ଟ କରୁଥିବା ରୁ ମହିଳା ଓ ତାଙ୍କ ସ୍ବାମୀ  ମଞ୍ଚା କରି ଫସଲ ଜଗିଥିଲେ । କିନ୍ତୁ ଗତ କାଲି ରାତିରେ ବାର୍‌ହା ଫସଲ ନଷ୍ଟ କରୁଥିବା ସମୟରେ ତାକୁ ଘଉଡ଼ାଇବା ପାଇଁ ମହିଳା ଜଣକ ମଞ୍ଚାରୁ ତଳକୁ ଓହ୍ଲାଇଥିଲେ । ଘଉଡେଇବା ସମୟରେ ମହିଳା ବାର୍‌ହା ଆକ୍ରମଣର ଶୀକାର ହୋଇଥିଲେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।