କାହିଁକି ଆତ୍ମହତ୍ୟା କଲେ ଭୁବନେଶ୍ୱର ୟୁକୋ ବ୍ୟାଙ୍କର ମହିଳା ସିନିୟର ମ୍ୟାନେଜର ରଞ୍ଜିତା ? କାହିଁକି ଭୁବନେଶ୍ୱର ଆସିଥିଲେ ତାଙ୍କ ବାପା ମା’ ?

1 min read

ଭୁବନେଶ୍ୱର : ପୁଣି ପ୍ରେମ ନେଲା ଜୀବନ। ଭୁବନେଶ୍ୱର ୟୁକୋ ବ୍ୟାଙ୍କର ମହିଳା ସିନିୟର ମ୍ୟାନେଜର ଆର. ରଞ୍ଜିତା ରାଓଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଭଡ଼ାଘରୁ ଉଦ୍ଧାର କରାଯାଇଛି। ଭୋର ସାଢେ ୪ଟାରୁ ୫ଟା ମଧ୍ୟରେ ସେ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ତାଙ୍କ ବାପା ଓ ମାଆ ଗଣମାଧ୍ୟମକୁ କହିଛନ୍ତି। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପ୍ରେମରେ ଧୋକା କାରଣରୁ ରଞ୍ଜିତା ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ସନ୍ଦେହ କରାଯାଉଛି। ରଞ୍ଜିତା ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଭଲ ପାଉଥିଲେ । ତେବେ ତାଙ୍କ ସହ ବିବାହ ନେଇ ସମସ୍ୟା ରହିଥିଲା ବୋଲି ଚର୍ଚ୍ଚା ହେଉଛି। ରଞ୍ଜିତାଙ୍କ ଘର ନବରଙ୍ଗପୁରରେ । ତାଙ୍କ ବାପା ନବରଙ୍ଗପୁର ପୌର ପରିଷଦର ଜଣେ ପୂର୍ବତନ କର୍ମଚାରୀ। ରଞ୍ଜିତାଙ୍କ ବଡ଼ ଭଉଣୀ ବିବାହ ପରେ ବେଙ୍ଗାଳୁରୁରେ ରହୁଛନ୍ତି । କିଛିଦିନ ଧରି ରଞ୍ଜିତା ମାନସିକ ବିଷାଦରେ ଥିଲେ। ଏକଥା ଜାଣିବା ପରେ ୧୫ ଦିନ ତଳେ ରଞ୍ଜିତାଙ୍କ ମାଆ ନବରଙ୍ଗପୁରରୁ ଭୁବନେଶ୍ୱର ଆସି ତାଙ୍କ ପାଖରେ ରହୁଥିଲେ । ୨ଦିନ ତଳେ ବାପା ମଧ୍ୟ ତାଙ୍କ ପାଖକୁ ଆସିଥିଲେ।

ପ୍ରେମରେ ବିଫଳତା ଯୋଗୁ ରଞ୍ଜିତା ଅବସାଦରେ ରହୁଥିବା ତାଙ୍କ ବାପାମାଆ ଜାଣିଥିଲେ ମଧ୍ୟ ରଞ୍ଜିତା କାହାକୁ ଭଲ ପାଉଥିଲେ ସେସଂପର୍କରେ ସେମାନଙ୍କ ପାଖରେ କୌଣସି ଖବର ନାହିଁ । ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ରଞ୍ଜିତା ନିଜେ ଶୋଉଥିବା ଘରେ ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିବା ବେଳେ ଭୀଷଣ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ରଞ୍ଜିତାଙ୍କ ବାପା ତାଙ୍କ ଶୋଇବା ଘରକୁ ଯାଇ ରଞ୍ଜିତାଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ । ରଞ୍ଜିତାଙ୍କ ମାଆ ମଧ୍ୟ ଦୌଡ଼ି ଯାଇ ରଞ୍ଜିତାଙ୍କ ଆଶୁ ଚିକିତ୍ସା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେତେବେଳକୁ ରଞ୍ଜିତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

https://nandighoshatv.comwomen-banker-suicide/

ଗତ ୨ମାସ ମଧ୍ୟରେ ପ୍ରେମରେ ଧୋକା ଯୋଗୁ ଏହା ରାଜଧାନୀରେ ଦ୍ୱିତୀୟ ଆତ୍ମହତ୍ୟା ଘଟଣା। ଗତ ଅକ୍ଟୋବର ମାସରେ ଧଉଳି ଥାନା ଅଞ୍ଚଳର ଇନ୍ଦିରା କଲୋନୀରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ସମାନ ଢଙ୍ଗରେ ଆତ୍ମହତ୍ୟା କରିଥିଲେ। ଦୀପାଳିଙ୍କ ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମିକଙ୍କ ହାତ ଥିବା ପୋଲିସ ସନ୍ଦେହ କରିବା ସହ ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଦୀପାଳୀ ମୃତ୍ୟୁ ଘଟଣାରେ ଫେରାର ଅଛି ପ୍ରେମିକ । ପୋଲିସ ତଦନ୍ତ ଜାରି ରହିଛି ।

Leave a Reply