ନୂଆକରି ଚାକିରିରେ ଯୋଗ ଦେଇଥାନ୍ତେ, ବାଟରେ ପିଟିଦେଲା ହାଇଓ୍ୱା

1 min read

ଭଦ୍ରକ: ମନରେ ନୂଆ ଆଶା ନେଇ ଯୋଗ ଦେଇଥାନ୍ତେ ଚାକିରିରେ । ଅନେକ ଖୁସିର ସହ ବାହାରିଥିଲେ ଘରୁ  ।  ପ୍ରଥମେ ଭଦ୍ରକ ଏବଂ ପରେ ସେଠାରୁ ଯାଇଥାନ୍ତେ ଡ଼େଙ୍କାନାଳ  । କିନ୍ତୁ ରାସ୍ତାରେ ସବୁ କିଛି ଓଲଟ ପାଲଟ ହୋଇଗଲା । ରାସ୍ତାରେ ବୋଧେ ତାଙ୍କୁ ମରଣ ଜଗି ବସିଥିଲା । ଯାହା ପାଇଁ ଭଦ୍ରକରେ ନପହଞ୍ଚି ସିଦ୍ଧା ପହଞ୍ଚିଗଲେ ମରଣ ରାଇଜରେ । ବାଟରେ ହାଇଓ୍ୱା ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ମୃତକ ଜଣକ ହେଉଛନ୍ତି ରାଜେନ୍ଦ୍ର କୁମାର ସାହୁ । ତାଙ୍କ ଘର ଭଦ୍ରକ ବ୍ଲକ୍ ଅନ୍ତର୍ଗତ ନୂଆଶାସନ ଅଞ୍ଚଳରେ।  ଆହତ ଜଣକ ହେଉଛନ୍ତି ନିରଞ୍ଜନ ତ୍ରିପାଠୀ  ।

ସୂଚନା ଅନୁଯାୟୀ, ଆଜି ସକାଳୁ ଏହି ଦୁଇ ଜଣ ବାଇକ୍ ନେଇ ଘରୁ ବାହାରିଥିଲେ । ନୂଆ ଚାକିରିରେ ଯୋଗ ଦେଇଥାନ୍ତେ ଏକ ବେସରକାରୀ ସଂସ୍ଥାରେ । ଭଦ୍ରକରୁ ଢେଙ୍କାନାଳ ଯିବା ରାସ୍ତାରେ ହିଁ ଦୁର୍ଘଟଣା ଘଟିଥିଲା । ପ୍ରାୟ ସାଢ଼େ ୬ଟା ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଏକ ହାଇୱା ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ରାଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍କ ନିରଞ୍ଜନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

Leave a Reply