ଖୋର୍ଦ୍ଧା: ୧୮ଗ୍ରାମ ବ୍ରାଉନସୁଗର ସହ ୯ ଲକ୍ଷ ୨୮ ହଜାର ଟଙ୍କା ଜବତ । ଖୋର୍ଦ୍ଧା ଥାନା ଅନ୍ତର୍ଗତ ସ୍ୱପ୍ନେଶ୍ୱର ସାହିରୁ ଜବତ କଲା ଖୋର୍ଦ୍ଧା ପୋଲିସ । ଘଟଣାରେ ମହେନ୍ଦ୍ର ବେହେରା ନାମକ ଜମେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।
ସୁଖ ଦାମ୍ପତ୍ୟ ଜୀବନର ୩ଟି ଅମୂଲ୍ୟ ଟିପ୍ସ୍
ନିକଟରେ ସର୍ବଭାରତୀୟ ସ୍ତରରେ ବିଭିନ୍ନ ବୟସ ତଥା ବର୍ଗର ଦମ୍ପତ୍ତିଙ୍କୁ ସାମିଲ କରି ସେମାନଙ୍କ ଉପରେ ଏକ ଗବେଷଣା କରାଯାଇଥିଲା । ସେଥିରେ ୪୧%ରୁ ଅଧିକ ବ୍ୟକ୍ତିଙ୍କର ମତ ଥିଲା ଯେ, ସେମାନଙ୍କ ବୈବାହିକ ଜୀବନ ଭଲରେ ଅତିବାହିତ ହେଉନାହିଁ । ଭୁଲ୍ ବୁଝାବଣା ହିଁ ମୁଖ୍ୟ କାରଣ ଥିବା ସେମାନେ କହିଥିଲେ । ଏସବୁ ପରିସ୍ଥିତିରେ ସେମାନେ ବିଚ୍ଛେଦ ହେବା ହିଁ ଶେଷ ସମାଧାନ ବୋଲି ସେମାନେ ମାନି ନେଇଛନ୍ତି । ତେବେ କ’ଣ କ’ଣ କଲେ ନିଜ ସୁଖ ସମ୍ପର୍କକୁ ବଜାୟ ରଖି ହେବ ଜାଣନ୍ତୁ…
୧. ଦୈନନ୍ଦିନ ସୁଖ ଦାମ୍ପତ୍ୟ ସମ୍ପର୍କ ବଜାୟ ରଖିବା ପଇଁ ଅନ୍ୟ କାହାର ପରାମର୍ଶ ଶୁଣନ୍ତୁ ହେଲେ ଏହାର ପ୍ରୟୋଗ କରିବା ପୂର୍ବରୁ ବାରମ୍ବାର ଭାବିନେବା ଉଚିତ୍ ।

୨. ଝଗଡ଼ା କିମ୍ବା କଳି ହେଉଥିଲେ, ତୃତୀୟ ବ୍ୟକ୍ତିର ପ୍ରବେଶକୁ ଆଦୌ ସୁଯୋଗ ଦିଅନ୍ତୁନାହିଁ । ବରଂ ସ୍ୱାମୀ-ସ୍ତ୍ରୀ ନିରୋଳାରେ ବସି ଆଲୋଚନା କରନ୍ତୁ, ଝଗଡ଼ାର ମୂଳ କାରଣ କ’ଣ ?

୩. ସଂଖ୍ୟାଧିକ ପରିବାରରେ ପରକୀୟା ପ୍ରୀତି କାରଣରୁ ହିଁ ରୀତିମତ ଝଗଡ଼ା ହୋଇଥାଏ । ଏକ ସୁନ୍ଦର ସମ୍ପର୍କରେ ଏହି ପରକୀୟା ପ୍ରୀତି ଭୟଙ୍କର ରୂପ ନେଇ ଆସିଥାଏ । ଆପଣ ଏଭଳି ପରିସ୍ଥିତିରେ ଭାଙ୍ଗିପଡ଼ିବା ସ୍ୱାଭାବିକ, କିନ୍ତୁ ମନ ଦୃଢ଼ କରି ଆଗକୁ ବଢ଼ି ନିଜ ପରିବାରକୁ ସଜାଡ଼ି ନିଅନ୍ତୁ।
![]()
ଲକ୍ଷାଧିକ ଟଙ୍କାରେ ଝିଅକୁ ବିକିଲେ ବାପାମାଆ !
ନବରଙ୍ଗପୁର : ଝିଅ ହେଲା ବୋଝ । ୩ ଲକ୍ଷ ଟଙ୍କାରେ ଝିଅକୁ ବିକିଦେଲେ ବାପାମାଆ। ନବରଙ୍ଗପୁର ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଶେଷରେ ହରିୟାଣାରୁ ଯ଼ୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ସେମଳା ଗାଁର ଜଣେ ଯ଼ୁବତୀଙ୍କୁ ତାଙ୍କ ପରିବାର ଲୋକ ହରିଆଣାର ଜଣେ ଯ଼ୁବକଙ୍କ ସହ ଜୋବରଦସ୍ତ ବିବାହା କରାଇ ଦେଇଥିଲେ ।

ହରିୟାଣା ଯିବା ପରେ ଯ଼ୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲା ଉକ୍ତ ଯୁବକ । ମାଡ଼ ଗାଳି ଅସହ୍ୟ ହେବାରୁ ଯୁବତୀ ଘରକୁ ଫେରିଆସିବା ପାଇଁ କହିବାରୁ ତାଙ୍କ ବାପାମାଆ ତାଙ୍କୁ ୩ ଲକ୍ଷ ଟଙ୍କାରେ ବିକି ଦେଇଥିବା ଯ଼ୁବକ କହିଥିଲେ । ଏହାପରେ ଯ଼ୁବତୀ ତାଙ୍କ ଗାଁର କିଛି ଲୋକଙ୍କୁ ଜଣାଇବା ପରେ ପରେ ପୋଲିସ ସହ ଯୋଗାଯୋଗ କରିଥିଲା । ହରିୟାଣା ପୋଲିସ ସହ ଯୋଗାଯୋଗ କରି ନବରଙ୍ଗପୁର ପୋଲିସ ଯ଼ୁବତୀଙ୍କୁ ଉଦ୍ଧାର କରିଛି । ଯ଼ୁବତୀ ଏବେ ନବରଙ୍ଗପୁର ସୁଧାର ଗୃହରେ ଅଛନ୍ତି ।
ହୌସଲା-୨୦୧୯ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର: ସର୍ବଭାରତୀୟ ଚାମ୍ପିୟନ୍ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା । ହୌସଲା-୨୦୧୯ରେ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଚାମ୍ପିୟନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

୨୦୧୮ ଓ ୨୦୧୯ରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଦଳ ଚାମ୍ପିୟନ୍ ହୋଇଛି । ଦଳ ୩୦ଟି ପଦକ ହାସଲ କରିଥିବା ବେଳେ ପ୍ରତିଯୋଗୀଙ୍କୁ ନଗଦ ରାଶି ସହିତ ସମ୍ମାନ ଫଳକ ପ୍ରଦାନ କରାଯାଇଛି ।

ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫୦ହଜାର ଟଙ୍କା, ରୌପ୍ୟ ବିଜେତାଙ୍କୁ ୩୦ହଜାର ଓ କାଂସ୍ୟ ପଦକ ବିଜେତାଙ୍କୁ ୨୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଚାମ୍ପିୟନ୍ମାନଙ୍କୁ ନଗଦ ଅର୍ଥରାଶି ସହିତ ସମ୍ମାନ ଫଳକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

‘ଲିପଷ୍ଟିକ୍ ଗନ୍’ରେ ମହିଳାଙ୍କ ପାଇଁ ରହିଛି ଏମିତି ସୁବିଧା
ବନାରସ: ଦିନକୁ ଦିନ ବଢିବାରେ ଲାଗିଛି ଦୁଷ୍କର୍ମ । କଠୋର ଦଣ୍ଡ ପାଇ ବି ସୁଧୁରୁ ନାହାନ୍ତି ଅଭିଯୁକ୍ତ । ଆଉ ଏହାକୁ ଆଖି ଆଗରେ ରଖି ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଏକ ପଦକ୍ଷପ ନେଇଛନ୍ତି ବନାରସର ଯୁବକ ଶ୍ୟାମ ଚୌରାସିଆ । ସେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଗନ୍ ତିଆରି କରିଛନ୍ତି ।

ମହିଳାଙ୍କ ପ୍ରଥମ ପସନ୍ଦ ଲିପଷ୍ଟିକ୍ ହୋଇଥିବା ବେଳେ ସେ ଏହାକୁ ନେଇ ପ୍ରସ୍ତୁତ କରିଛନ୍ତି ଏକ ନୂଆ ଧରଣର ‘ଲିପଷ୍ଟିକ୍ ଗନ୍’ । ଯାହା ଅବିକଳ ଲିପ୍ଷ୍ଟିକ୍ ଭଳି ଦେଖାଯାଉଛି। ଏହାର ନାମ ‘ସ୍ମାର୍ଟ ଆଣ୍ଟି ଟିଜିଂ ଲିପଷ୍ଟିକ୍ ଗନ୍’ ରଖାଯାଇଛି। ଶ୍ୟାମ ଚୌରାସିଆ ଏହି ‘ଗନ୍ ଲିପ୍ଷ୍ଟିକ୍’କୁ ନେଇ କହନ୍ତି, ଅସୁବିଧାରେ ପଡ଼ିଥିବା ମହିଳା ଯଦି ଏହି ‘ଲିପିଷ୍ଟିକ୍ ଗନ୍’କୁ ଦବାଇବେ ସେଥିରୁ ଗୁଳି ଫୁଟିବା ଭଳି ଜୋରଦାର ଶବ୍ଦ ହେବ। ଆଉ ଏହି ଶବ୍ଦ ଏକ କିଲୋମିଟର ପର୍ଯ୍ୟନ୍ତ ଶୁଣାଯିବ, ଯାହାକୁ ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ଉକ୍ତ ମହିଳାଙ୍କ ସାହାଯ୍ୟ ପାଇଁ ପହଞ୍ଚିଯିବେ।

କେବଳ ସେତିକି ନୁହେଁ ଗନ ଦବାଇ ମାତ୍ରେ ୧୧୨କୁ, ତଥା ଏହି କଲ ହେଲପ ଲାଇନକୁ ପଳାଇବ । ଏଥିସହିତ ମହିଳା ଯେଉଁ ସ୍ଥାନରେ ଥିବେ ତାହାର ଲାଇଭ୍ ଲୋକେସନ୍ ବି ପୁଲିସ ଓ ପରିବାରଲୋକଙ୍କ ପାଖରେ ଯାଇ ପହଞ୍ଚିଯିବ। ଏହା ଦ୍ବାରା ମହିଳାଙ୍କୁ ସାହାଯ୍ୟ ମିଳି ପାରିବ।
ସ୍ଥାନୀୟ ଅଶୋକା ଇନଷ୍ଟିଚ୍ୟୁଟରେ ପାଠପଢୁଥିବା ଶ୍ୟାମ ଚୌରାସିଆଙ୍କ କହିବାନୁସାରେ, ତାଙ୍କୁ ଏହି ‘ଲିପ୍ଷ୍ଟିକ୍ ଗନ୍’ ତିଆରି କରିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିବା ସହ ଏଥିରେ ୫୦୦ରୁ ୬୦୦ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଗନ ଯେତେ ଅଧିକ ମହିଳାଙ୍କ ପାଖରେ ପହଞ୍ଚିବ, ସେମାନେ ଏହି ଛୋଟ ଜିନିଷକୁ ଆଧାର କରି ନିଜର ଆତ୍ମରକ୍ଷା କରି ପାରିବାର ଲକ୍ଷ ରଖାଯାଇଛି ।
ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟରେ ହେବ ବଂଶଧାରା ଜଳ ବିବାଦର ଅନ୍ତିମ ଶୁଣାଣି
ନୂଆଦିଲ୍ଲୀ: ମାର୍ଚ୍ଚ ୪ରେ ସୁପ୍ରିମ୍କୋର୍ଟରେ ବଂଶଧାରା ମାମଲାର ଅନ୍ତିମ ଶୁଣାଣି ହେବ । ସୁପ୍ରିମକୋର୍ଟ ଏହି ତାରିଖ ଧାର୍ଯ୍ୟ କରିଛନ୍ତି । ଟ୍ରିବ୍ୟୁନାଲ୍ରେ ଓଡ଼ିଶାକୁ ଅଣଦେଖା ନେଇ ଯୁକ୍ତି ରଖିଥିଲେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଜୟନ୍ତ ଭୂଷଣ ।

ନେରେଡି ପ୍ରକଳ୍ପର ମୂଳ ଡିଜାଇନରେ ପରିବର୍ତ୍ତନ ହୋଇଛି । ଏଣୁ ଜମି ଅଧିଗ୍ରହଣ ଦ୍ଵାରା ଓଡ଼ିଶାର କ୍ଷତି ହେବ ବୋଲି ଓକିଲ ଯୁକ୍ତି ରଖିଥିଲେ । ଜଷ୍ଟିସ ଡି. ଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲରା ଶୁଣାଣି କରୁଛନ୍ତି । ବଂଶଧାରା ଟ୍ରିବ୍ୟୁନାଲର ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସୁପ୍ରିମକୋର୍ଟ ଯାଇଛି । ଗତ ଏପ୍ରିଲ ମାସରେ ଟ୍ରିବ୍ୟୁନାଲ ରାୟ ପ୍ରକାଶ କରିଥିଲେ ।

ଯେଉଁଥିରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ରାଜ୍ୟ ଅଭିଯୋଗ କରିଥିଲା । ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ମାଣ କରାଯାଇଥିବା ନେରେଡି ପ୍ରକଳ୍ପ ପାଇଁ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ କରିବାକୁ ଓଡ଼ିଶାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡ଼ିଶା ପକ୍ଷରୁ ନେରେଡି ପ୍ରକଳ୍ପର ଡିଜାଇନ ମଗାଯାଇଥିଲେ ମଧ୍ୟ ମିଳି ନଥିଲା।

ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ଗାଡ଼ି, ୧୦ ଜଣ ଆହତ
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ଗୋଡ଼ିଖାଳ ନିକଟରେ ଗାଡ଼ି ଦୁର୍ଘଟଣା । ଶ୍ରମିକ ନେଇ ଯାଉଥିବା ଟାଟା ଏସି ଗାଡି ଓଲଟି ୧୦ ଜଣ ଆହତ ହୋଇଛନ୍ତି । ଆହତ ମାନେ ସମସ୍ତେ ଜଳେଶ୍ଵର ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଜଳେଶ୍ଵର ଥାନା ପଞ୍ଚୁଘଣ୍ଟା ରୁ ଏକ ଟାଟା ଏସିରେ ୨୦ଜଣ ଶ୍ରମିକ ମିକ୍ସଚର ମେସିନ ଲୋଡକରି ଦୃତ ଗତିରେ ଅମର୍ଦାରୋଡରେ ଆସୁଥିଲେ । ଯାହାଫଳରେ ଅଧା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଫଳରେ ଗାଡ଼ିରେ ଥିବା ୨୦ଜଣଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଦୁର୍ବୃତ୍ତଙ୍କ ଆକ୍ରମଣପରେ ଯୁବକଙ୍କର ମୃତ୍ୟୁ, ମୃତ୍ୟୁ ପୂର୍ବରୁ ଦୁର୍ବୃତ୍ତର ଉଠାଇଲେ ଫଟୋ
ଭବାନୀପାଟଣା: ମୋବାଇଲ କ୍ୟାମେରାରେ କଏଦ ହେଲା ଜୁନାଗଡ଼ ଲାଇଭ ଲୁଟର ଚିତ୍ର । ଆକ୍ରମଣ ଏବଂ ଲୁଟ ବେଳର ଫଟୋ ଉଠାଇଥିଲେ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ବଳଭଦ୍ର ନାୟକ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହି ଏକ୍ସକ୍ଲୁସିଭ ଫଟୋ ।

କଳାହାଣ୍ଡି ଜିଲ୍ଲାରେ ଘଟିଛି ଏଭଳି ନୃଶଂସ ଘଟଣା । ଜୁନାଗଡ ବୋରଗୁଡା ଜଙ୍ଗଲ ରାସ୍ତାରେ ହୋଇଥିଲା ଏହି ଲୁଟ । ଲୁଟେରାଙ୍କ ଆକ୍ରମଣରେ ବଳଭଦ୍ର ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା କ୍ଷୀତି ନାୟକ ଗୁରୁତର ହୋଇଛନ୍ତି । ଭବାନୀପାଟଣା ମେଡିକାଲାରେ ତାଙ୍କ ଚିକିତ୍ସା ଚାଲିଛି ।

ଘଟଣା ଅନୁଯାଇ ବରଗୁଡା ଗାଁର କ୍ଷିତ ନାୟକ ଏବଂ ତାଙ୍କ ପୁଅ ବଳଭଦ୍ର ନାୟକ କପା ବିକ୍ରୀର ୬ ଲକ୍ଷ ଟଙ୍କା କାଢିବା ପାଇଁ ଭବାନୀପାଟଣା ଏଚ୍ଡିଏଫ୍ସି ବ୍ୟାଙ୍କରୁ ଯାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ତାଙ୍କୁ ୩ ଦୁର୍ବୃତ୍ତ ପିଛା କରିଥିଲେ । ବୋରଗୁଡା ନିକଟ ଜଙ୍ଗଲ ରାସ୍ତାର ଅନ୍ଧାରର ସୁଯ଼ୋଗ ନେଇ ଦୁର୍ବୃତ୍ତ ମାନେ ବନ୍ଧୁକ ଏବଂ ଧାରୁଆ ଅସ୍ତ୍ରରେ ଉଭୟ ବାପା ପୁଅଙ୍କ ଉପରେ ଅକ୍ରମଣ କରିଥିଲେ ।

ଏବଂ ଦୁହିଁଙ୍କ ୬ ଲକ୍ଷ ଲୁଟ କରି ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଜୁନାଗଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ । ହେଲେ ଅବସ୍ଥା ଗରୁତର ହେବାରୁ କ୍ଷିତ ଏବଂ ବଳଭଦ୍ରଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବଳଭଦ୍ରର ମୃତ୍ୟୁ ହୋଇଥିଲା । ସେପଟେ ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି
ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ | ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ |

ପୌରାଣିକ ତଥ୍ୟ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତନ କରି ପୌଷ ପୂର୍ଣ୍ଣମୀ ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ | ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଆଜିର ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ |

ଅନ୍ୟପଟେ ଆଜି ପୌଷ ପୂର୍ଣ୍ଣମୀ ତିଥିରେ ସମୁଦ୍ର ଆଳତୀ କରାଯିବ | ଜଗତଗୁରୁ ଶଙ୍କରାଚାର୍ଯ୍ୟ ଜଗତରେ ବା ସାରା ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ନିମନ୍ତେ ଆଜି ସନ୍ଧ୍ୟାରେ ସମୁଦ୍ର ଆଳତୀ ମଧ୍ୟ କରିବେ |
ବିଭିନ୍ନ ଦାବି ନେଇ ପାରାଦୀପ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି
ପାରାଦୀପ: ପାରାଦୀପ ବନ୍ଦରର ୫ ନମ୍ବର ଗେଟ୍ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି । ପିଆଇସିଟି କମ୍ପାନୀ ପକ୍ଷରୁ ଏଠାରେ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ୨ରୁ ୩ ମାସରେ ଥରେ ଦରମା ମିଳୁଥିବା ବେଳେ ସେମାନଙ୍କ ଇପିଏଫ୍ ଓ ଇଏସ୍ଆଇ କଟୁଥିଲେ ମଧ୍ୟ ସେମାନଙ୍କୁ ଏହାର ରେକର୍ଡ ପତ୍ର ପ୍ରଦାନ କରାଯାଉନାହିଁ ।

ଫଳରେ ଶ୍ରମିକ ମାନେ ମେଡିକାଲ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଖାଲି ସେତିକି ନୁହେଁ ଯଦି କୌଣସି ଶ୍ରମିକ ଏହାର ପ୍ରତିବାଦ କରୁଛି, ତେବେ ତାଙ୍କୁ ଚାକିରୀରୁ ବାହାର କରିଦିଆଯାଉଥିବା ଅଭିଯୋଗ ହୋଇଛି ।

ଏପରିକି ଶ୍ରମିକ ମାନଙ୍କୁ ସେଫ୍ଟି ସାମଗ୍ରୀ ମଧ୍ୟ ଦିଆଯାଉନାହିଁ । ଯାହାକୁ ନେଇ ଶ୍ରମିକ ମାନେ ଆଜି ସକାଳୁ ଗେଟ ସମ୍ମୁଖରେ ଧାରଣା ଦେବା ସହିତ ପିଆଇସିଟି ବର୍ଥକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ହୋଇନି ଧାରଣା ଜାରି ରହିବ ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି।


