spot_img
Home Blog Page 750

ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ !

ନନ୍ଦିଘୋଷ ବ୍ୟୁରୋ : ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ସୂଚନା। ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ। ପ୍ରାୟ ୨ ବର୍ଷ ପରେ ଷ୍ଟାରଲିଙ୍କଙ୍କୁ ମିଳିଛି ଗ୍ରୀନ ସିଗନାଲ। ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ହେଉଛି ତୃତୀୟ। ପୂର୍ବରୁ ୟୁଟଲସାଟର ୱାନୱେବ ଓ ରିଲାଏନ୍ସ ଜିଓକୁ ମିଳିଥିଲା ଅନୁମତି। କେନ୍ଦ୍ର ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ଏହି ଅନୁମୋଦନ ମିଳିଛି। ଏହି ଅନୁମୋଦନ ଯୋଗୁ ସାଟେଲାଇଟ ନେଟୱର୍କ ଜରିଆରେ ଭାରତରେ ହାଇସ୍ପିଡ ଇଣ୍ଟରନେଟ ଉପଲବ୍ଧ ହେବ। ୨୦୨୨ରୁ ଏହି ଲାଇସେନ୍ସ ଲାଗି ପ୍ରକ୍ରିୟା ଚାଲିଥିଲା। ହେଲେ ସମ୍ଭବ ହୋଇ ନଥିଲା। ଜାତୀୟ ନିରାପତ୍ତା କାରଣରୁ ଷ୍ଟାରଲିଙ୍କକୁ ଅନୁମୋଦନ ମିଳିବା ବିଳମ୍ବ ହୋଇଥିଲା। ବର୍ତ୍ତମାନ ଆମାଜନର ସାଟେଲାଇଟ ପ୍ରୋଜେକ୍ଟ କୁଇପର ଅନୁମୋଦନ ଅପେକ୍ଷାରେ ରହିଥିବା ସୂଚନା ମିଳିଛି। ଷ୍ଟାରଲିଙ୍କ ଯୋଗୁ ଦୁର୍ଗମ ଓ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସହଜରେ ଉପଲବ୍ଧ ହେବ।

ଆସନ୍ତୁ ନଜର ପକାଇବା ଷ୍ଟାରଲିଙ୍କ୍ କଣ

-ଭାରତର ଡିଜିଟାଲ ଲ୍ୟାଣ୍ଡସ୍କେପକୁ ବଦଳାଇବ ଷ୍ଟାରଲିଙ୍କ

-ସାଟେଲାଇଟଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ଯୋଗାଇବ ଷ୍ଟାରଲିଙ୍କ

-ରିଲାଏନ୍ସ ଜିଓ ଓ ୱାନୱେପ ପରି କାମ କରିବ ଷ୍ଟାରଲିଙ୍କ

-ମସ୍କଙ୍କ ଏରୋସ୍ପେସ କମ୍ପାନୀ ସ୍ପେସ ଏକ୍ସର ସହଯୋଗୀ କମ୍ପାନୀ ଷ୍ଟାରଲିଙ୍କ

-ଫାଇବର ଅପ୍ଟିକ୍ସ ଓ ଟାୱାରର ଆବଶ୍ଯକ ପଡିବନି

-ବର୍ତ୍ତମାନ ମହାକାଶରେ ଘୂରୁଛନ୍ତି ୬ ହଜାରରୁ ଅଧିକ ସାଟେଲାଇଟ

-୨୦୨୭ ସୁଦ୍ଧା ଏହି ସଂଖ୍ୟା ପହଞ୍ଚିବ ୪୨ ହଜାରରେ

-୫୦ରୁ ୨୫୦ Mbps ହାଇସ୍ପିଡ ଇଣ୍ଟରନେଟ ସୁବିଧା ଦେବ ଷ୍ଟାରଲିଙ୍କ

-ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପରି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଷ୍ଟାରଲିଙ୍କ

କଳା ତାଲିକାଭୁକ୍ତ କମ୍ପାନୀକୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା

ସୁନ୍ଦରଗଡ଼ରୁ / ଭୁବନେଶ୍ବର : ସୁନ୍ଦରଗଡ଼ରେ ଫେଲ, କଳାହାଣ୍ଡିରେ ପାସ୍। ୩୦ କୋଟି ଟଙ୍କାର କାମ କରିବାରେ ବିଫଳ କମ୍ପାନୀକୁ ୩ହଜାର ୬୪୨ କୋଟି ଟଙ୍କାର ଉପହାର। ରାଜ୍ୟ ସରକାରଙ୍କ ଅଜବ ନୀତିକୁ ବିରୋଧୀଙ୍କ ସମାଲୋଚନା। ଜିଲ୍ଲା ଖଣିଜ ପାଣ୍ଠି ୩୦କୋଟି ଟଙ୍କା ଦେଇଥିଲା ସୁନ୍ଦରଗଡ଼ର ବିଜୁଳି ବନ୍ଧ ପୋଖରୀରେ ସୌନ୍ଦର୍ଯ୍ୟକରଣ ଯୋଜନା ପାଇଁ। କାମର ଦାୟିତ୍ବ ନେଇଥିଲା କେନ୍ଦ୍ର ସରକାରଙ୍କ ପିଏସୟୁ ଓ୍ବାଟର ଏଣ୍ଡ ପାଓ୍ବାର କର୍ପୋରେସନ ବା ଓ୍ବାପକସ୍। ହେଲେ କମ୍ପାନୀ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିପାରିଲା ନାହିଁ। କାମ କରିପାରିନଥିବାରୁ ରାଜ୍ୟ ସରକାର ଏହି କମ୍ପାନୀକୁ କଳାତାଲିକା ଭୁକ୍ତ କରିଦେଲେ। ଅଗଷ୍ଟ ୨୦୨୪ରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାସଭାରେ ଏଭଳି ତଥ୍ୟ ରଖିଥିଲେ। ହେଲେ ଏହି ଅପାରଗ କମ୍ପାନୀକୁ ଶକ୍ତି ବିଭାଗ ଏବେ ୩ହଜାର ୬୪୨ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛି। କଳାହାଣ୍ଡିର ମୁଖିଗୁଡ଼ା ଡ଼୍ୟାମ ଓ ଅପର ଇନ୍ଦ୍ରାବତୀ ଡ଼୍ୟାମ ମଧ୍ୟରେ ପମ୍ପଡ଼୍ ଷ୍ଟୋରେଜ ପ୍ରକଳ୍ପ ଜରିଆରେ ୬୦୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯେଉଁ କମ୍ପାନୀ ୩୦ କୋଟିର ବିଜୁଳି ବନ୍ଧ ପୋଖରୀ ଉନ୍ନତିକରଣ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହେଲା, ସେହି କମ୍ପାନୀ କିପରି ୩ ହଜାର ୬୪୨ କୋଟି ଟଙ୍କାର ବିଜୁଳି ଉତ୍ପାଦନ ପ୍ରକଳ୍ପ କାମ କରିବ, ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ସରକାରଙ୍କ ଗୋଟିଏ ବିଭାଗ ଦ୍ବାରା କଳା ତାଲିକାଭୁକ୍ତ ହୋଇଥିବା କମ୍ପାନୀ ଆଉ ଗୋଟିଏ ବିଭାଗରେ କିପରି ବିଶ୍ବାସଯୋଗ୍ୟ ହୋଇପାରୁଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏପରିକି ଏହି କମ୍ପାନୀକୁ ପମ୍ପଡ଼୍ ଷ୍ଟୋରେଜ ପ୍ରକଳ୍ପରୁ ଦୂରେଇ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ମଧ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଛି। ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ୧୦ ମାସ ତଳେ ସରକାର ପାଇଁ ଖରାପ କାମ କରୁଥିବା କମ୍ପାନୀ ଏବେ ସରକାରଙ୍କ ଗେହ୍ଲାପୁଅ ସାଜିଛି। ୩୦କୋଟି ଟଙ୍କାର କାମ କରିବାରେ ଅସମର୍ଥ କମ୍ପାନୀକୁ ସରକାର ସାଢେ ୩ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଟେକିଦେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

ବିଜେପି ସରକାରର ବର୍ଷକ ଭିତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ଭୁବନେଶ୍ବର : ଅବହେଳା, ଅଣଦେଖା, ସରକାରଙ୍କ ସ୍ଥାଣୁତା । ବିଜେପି ସରକାରର ବର୍ଷକ ଭିତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି । ଯେଉଁ ସରକାରୀ ଡାକ୍ତରଖାନା ଜୀବନ ବଞ୍ଚାଉଥିଲା ଆଜି କାହିଁକି ସେଠାକୁ ଯିବାକୁ ରୋଗୀ ଡରିଲେଣି? ବର୍ଷିଲା ବିଜେଡି । ତଦନ୍ତ ଆଳ ଦେଖାଇଲା ବିଜେପି ।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକସନ ନେଇଛି ୬ଜଣଙ୍କ ଜୀବନ।  ଚିକିତ୍ସା ଅବହେଳାରୁ ନୟାଗଡ଼ ଓ କନ୍ଧମାଳରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଡାକ୍ତରଖାନାରେ ରୋଗୀ ସୁସ୍ଥ ହେବା ବଦଳରେ ଜୀବନ ପାଉନାହାନ୍ତି । ବିଜେପି କ୍ଷମତାକୁ ଆସିବା ପରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଆୟୁଷ୍ମାନ କାର୍ଡ଼ରେ ନାନା ଅସୁବିଧା ଥିବାରୁ ଲୋକମାନେ ହସ୍ପିଟାଲରେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଗରିବଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ  ନବୀନ ପଟ୍ଟନାୟକ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ବ୍ୟବସ୍ଥା ଦେଇଥିଲେ । ବିଏସ୍‌କେଓ୍ବାଇ କାର୍ଡ଼ ସହାୟତାରେ ବଡ ବଡ ଘରୋଇ ହସ୍ପିଟାଲରେ ଚିକିତ୍ସା ମିଳୁଥିଲା।  ବିଜେପି ଏ ବ୍ୟବସ୍ଥା ବଦଳାଇଦେଲା । ଏବେ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ବିଜେପି କହିଛି ରୋଗୀ ମୃତ୍ୟୁର ତଦନ୍ତ ଚାଲିଛି ।

ସେପଟେ କୋରାପୁଟରେ ୬ଜଣଙ୍କ ଜୀବନ ଯିବାନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ନୈତିକତା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଦଳୀୟ ବିଧାୟକ । ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ।

ଧାନ ନେଇ ଅନ୍ନଦାତାଙ୍କୁ ଠକିଦେଲା ବିଜେପି ସରକାର, ବାରମ୍ବାର ଦୌଡ଼ିବା ପରେ ବି ମିଳୁନି ଟଙ୍କା

ଭୁବନେଶ୍ବର : ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି ସରକାର। ଧାନ ନେଇ ଅନ୍ନଦାତାଙ୍କୁ ଠକିଦେଲେ। ଧାନ ବିକା ଟଙ୍କା କେବେ ଦେବେ ସରକାର ? ଏ ପ୍ରଶ୍ନ ପଚାରି ନବରଙ୍ଗପୁରରୁ ରାଜଧାନୀକୁ ୫୦୦ରୁ ଅଧିକ କିଲୋମିଟର ଛୁଟି ଆସିଛନ୍ତି ଚାଷୀ। ନବରଙ୍ଗପୁର ରାଇଘର ଧାନ ମଣ୍ଡିରୁ ୩୪୪ ଜଣ ଚାଷୀଙ୍କୁ ଧାନର ବିକ୍ରୟ ବାବଦରେ ପ୍ରାପ୍ୟ ମିଳି ପାରିନାହିଁ। ଏହି ଚାଷୀଙ୍କ ପାଖରୁ ୧୪ ହଜାର ୨୫୨ କୁଇଣ୍ଟାଲ ଧାନ କିଣା ଯାଇଥିଲା। ଧାନ ବିକ୍ରି ବାବଦକୁ ୪ କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କା ଚାଷୀଙ୍କୁ ଦେଇ ନାହାନ୍ତି ସରକାର। ୪ ମାସ ଧରି ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଗୁହାରୀ କରୁଥିଲେ ବି ସେମାନଙ୍କୁ ଦିଆଯାଉ ନାହିଁ ଟଙ୍କା। ଏହାର ପ୍ରତିବାଦରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି ଚାଷୀ। ଧାନବସ୍ତା ଓ ପ୍ଲା କାର୍ଡ ଧରି ବିଜେପି ସରକାରକୁ ନିଜର ପ୍ରାପ୍ୟ ମାଗିଛନ୍ତି ନବରଙ୍ଗପୁର ରାଇଘରର ଚାଷୀ।

ସେପଟେ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲାର ଦୁଇ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ଓ ରମେଶ ମାଝୀ । ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାରୁ ୨୫ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଛି। ସେହି ଧାନ ଏବେ କେଉଁଠି ଅଛି। ଚାଷୀଙ୍କ ଧାନ କିଣା ଟଙ୍କା ପ୍ରଦାନ କରାଯାଇନଥିବାରୁ ସରକାରଙ୍କ ବିରୋଧରେ ସ୍ବର ତୀବ୍ର କରିଛି ବିଜେଡି। ଯଦି ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ନମିଳେ, ତେବେ ଅହୋରାତ୍ର ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ସେପଟେ ଖୋଦ ଯୋଗାଣ ମନ୍ତ୍ରୀ ମଧ୍ୟ ଚାଷୀଙ୍କୁ ଟଙ୍କା ମିଳିନଥିବା କଥାକୁ ସ୍ବୀକାର କରିଛନ୍ତି। ସରକାରୀ ଅଧିକାରୀ ଭୁଲ କରିଥିବାରୁ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ଚାଷୀ। ଧାନ ବିକ୍ରି ବେଳେ କଟନି ଛଟନି ଯୋଗୁ ହନ୍ତସନ୍ତ ହୋଇଛନ୍ତି ଅନ୍ନଦାତା। ଏତେ ପରେ ବି ସରକାର ଚାଷୀଙ୍କ ଠାରୁ ଧାନ କିଣି ପ୍ରାପ୍ୟ ନଦେବାକୁ ନେଇ ତୀବ୍ର ହୋଇଛି ପ୍ରତିବାଦ। ଯାହାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିଛି ବିଜେଡି।

କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର : ବିଜେପି ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଟିଆ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ  । ସେ କହିଛନ୍ତି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି ବିଜେପି ସରକାର । କୋଟିଆ ପ୍ରସଙ୍ଗରେ ଲୋକଙ୍କୁ ଠକିବା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ସୀମା ବିବାଦ ଉପରେ ପଦୁଟିଏ କହୁନାହାନ୍ତି। ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି। ତଥାପି ସମାଧାନ ହେଉନାହିଁ । ପୂର୍ବ ବିଜେଡି ସରକାର ସମୟରେ କୋଟିଆ ପଞ୍ଚାୟତକୁ ୧୬୪ କୋଟି ଟଙ୍କାର ଭେଟି ଦିଆଯାଇଥିଲା । ସବୁଠି ରାସ୍ତା, ପାଣି ଓ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିଲା । କୋଟିଆବାସୀଙ୍କୁ ବିଏସକେୱାଇ କାର୍ଡ ଦିଆଯାଇଥିଲା । କୋଟିଆରେ ଲୋକଙ୍କୁ ନିଯୁକ୍ତି ଦେବା ସହ ନବୀନଙ୍କ ସମୟରେ ନକ୍ସଲମାନଙ୍କୁ ଦମନ କରିବା ଓ ପର୍ଯ୍ୟଟନର ବିକାଶ କରାଯାଇଥିଲା । ଏବେ ରାଜସ୍ୱ ମନ୍ତ୍ରୀ କହୁଛନ୍ତି, ସେଠି ଚାଷୀମାନଙ୍କୁ ମାର୍କେଟ ଆକ୍ସେସ ଦେବେ। ପ୍ରଥମେ ସୀମା ବିବାଦର ସମାଧାନ କରନ୍ତୁ। ପାର୍ଲାମେଣ୍ଟରେ ଏ ପ୍ରସଙ୍ଗ ଉଠାନ୍ତୁ। କୋଟିଆର ଚାଷୀଙ୍କୁ ଉପେକ୍ଷା କରାଯାଉଛି । କୋଟିଆ ଲାଗି ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀ କ’ଣ? ବୋଲି ପ୍ରଶ୍ନ କରିଛି ବିଜେଡି ।

ଖରା ବର୍ଷାକୁ ନାହିଁ ଖାତିର, ଶ୍ରୀ ଜଗନ୍ନାଥଙ୍କ ସେବାରେ ମହାରଣା ଓ ଭୋଇ ସେବାୟତ

ପୁରୀ : ଖରା ବର୍ଷାକୁ ନାହିଁ ଖାତିର । ସବୁ ଭୁଲି ଶ୍ରୀ ଜଗନ୍ନାଥଙ୍କ ସେବାରେ ମହାରଣା ଓ ଭୋଇ ସେବାୟତ ।  ଠକ ଠକ ଶବ୍ଦ ଚଳ ଚଞ୍ଚଳ ହୋଇ ଉଠୁଛି ରଥ ଖଳା । ସରିଛି ତିନି ରଥର ସମସ୍ତ ୪୨ ଗୋଟି ଚକ ସହ ଅଖ ଯୋଖା। ଏବେ ଚକ ମାନଙ୍କରେ ମେଣ୍ଡି ଲଗାଯାଇଛି । ଏହା ପରେ ତିନି ରଥ ରେ ପାଞ୍ଚ ଦଣ୍ଡା ପକାଯାଇଥିଲା । ଭୋଇ ସେବକ ମାନେ ଏହି ପାଞ୍ଚ ଦଣ୍ଡା ପକାଇଥିଲେ । ଦଣ୍ଡା ପଡିବା ପରେ ରଥରେ ପାର୍ଶ୍ୱ ମୁହାଁଣ୍ଟ ମଧ୍ୟ ଲଗାଯାଇଛି। ଶୃଙ୍ଖଳିତ ଭାବେ ରଥ ନିର୍ମାଣ ଜାରି ରହିଥିବା ମହାରଣା ଓ ଭୋଇ ସେବକ ମାନେ ମତ ପ୍ରକାଶ କରିଛନ୍ତି।

ଆସନ୍ତା ୧୧ ତାରିଖରେ ଦେବ ସ୍ନାନ ପୁର୍ଣିମା । ବିଧି ଅନୁସାରେ ସ୍ନାନ ପୁର୍ଣିମା ସୁଦ୍ଧା ତିନି ରଥରେ ଚାରି ନାହାକା ଉଠାଯିବ। ରଥଖଳାରେ ଚାରି ନାହାକା ନିର୍ମାଣ ହୋଇସାରିଛି । ଦଣ୍ଡା କଣ୍ଟା ବାଡ଼ିଆ ଯିବା ପରେ ଗରଗରା ପକାଯାଇ ଗରଗରା କଣ୍ଟା ମଧ୍ୟ ବାଡ଼ିଆ ଯିବ। ଏହା ପରେ ଗୟଳ ମୋଡ଼ ଦିଆଯିବା ସହ ଚାରି ନାହାକା ଉଠାଯିବ ବୋଲି ମହାରଣା ମତ ରଖିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଶ୍ରୀକ୍ଷେତ୍ର ଆଗାମୀ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ପଡ଼ିଛି।

ଚିନ୍ତା ଦେଇଗଲା ଲଘୁଚାପ ବର୍ଷା, ସମ୍ବଲପୁର ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ଅଭିଯୋଗ

ସମ୍ବଲପୁର : ଚିନ୍ତା ଦେଇଗଲା ଲଘୁଚାପ ବର୍ଷା । ସମ୍ବଲପୁର ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ଅଭିଯୋଗ । ଜିଲ୍ଲାର ସମସ୍ତ ୯ ଟି ଯାକ ବ୍ଲକର ଚାଷୀଙ୍କ ନିଦ ହଜିଯାଇଛି । ଭଲଭାବେ ଦେଖନ୍ତୁ କିଭଳି ସୁନାର ଫସଲ ମାଟିରେ ଲୋଟିଛି ।  ପାଣିରେ ଭିଜି ଧାନ ଗଜା ହୋଇଗଲାଣି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ବର୍ଷକର ଗୁଜୁରାଣ କିଭଳି ମେଣ୍ଟାଇବ ଚିନ୍ତାରେ ରହିଛି । ସରକାର ଅତିଶୀଘ୍ର ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି ଚାଷୀ ।

ଖୁବ୍ ଶୀଘ୍ର କୃଷି ଅଧିକାରୀ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିବେ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କିନ୍ତୁ ଏହାରି ଭିତରେ ୫ ଦିନ ବିତିଗଲାଣି । ହେଲେ କାହାରି ଦେଖାନଥିବା ଚାଷୀ ଅଭିଯୋଗ କରିଛି l  ବିଜେପି ସରକାର କେବଳ କଥା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ଚାଷୀ ଅଭିଯୋଗ କରିଛନ୍ତି l ସବୁଠାରୁ ବଡ଼କଥା ହେଲା ଗଜା ହୋଇଥିବା ଧାନ ଧରି ମିଲ ଆଗରେ ଦିନ ଦିନ ଅପକ୍ଷେ କରିରହିଛନ୍ତି ଚାଷୀ । ହେଲେ ଭିଜା ଧାନ ନେବାକୁ ମିଲ ମାଲିକ ମନା କରିଥିବା ଅଭିଯୋଗ ହୋଇଛି ।

RG ଗ୍ରୁପର ରାଜ ଖତମ, ପୋଲିସ କବଜାରେ ଗ୍ୟାଙ୍ଗ ମୁଖ୍ୟ ରାକେଶ

ବାଲେଶ୍ବର : RG ଗ୍ରୁପର ରାଜ ଖତମ । ପୋଲିସ କବଜାରେ ଗ୍ୟାଙ୍ଗ ମୁଖ୍ୟ ରାକେଶ । ବାଲେଶ୍ବରରେ ୬ ମାସ ଧରି ଗ୍ୟାଙ୍ଗ ଚଳାଇଥିଲା ଆତଙ୍କରାଜ । ଅପରାଧୀଙ୍କ ନାଁ ଶୁଣିଲେ ଭୟରେ ଥରିଉଠୁଥିଲେ ଲୋକେ । ସଦର ବ୍ଲକ , ବସ୍ତା , ରେମୁଣାରେ ବିଶେଷ କରି ଆକ୍ଟିଭ ଥିଲା RG ଗ୍ରୁପ ।  ମୁଖ୍ୟ ଟାର୍ଗେଟରେ ଥିଲା ୧୬ ଓ ୬୦ ନମ୍ବର ଜାତୀୟ ରାଜପଥ।  ଏକ ବଡ଼ ଡକାୟତ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୋଲିସ।  ବାଲେଶ୍ଵରରେ ସକ୍ରିୟ ମାଫିଆ ଗ୍ୟାଙ୍ଗର ମୁଖ୍ୟ ରାକେଶ ସହ  ୪ ଜଣ ସଦସ୍ୟଙ୍କୁ ଗଙ୍ଗା ରାମ ପଡିଆ ଅଞ୍ଚଳରୁ  ଗିରଫ କରାଯାଇଛି  । ଗ୍ୟାଙ୍ଗ ଚାନ୍ଦିପୁର, ଫୁଲାଡ଼ି, ବସ୍ତା , ସଦର  ଓ ଜାତୀୟ ରାଜପଥ ସକ୍ରିୟ ଥିଲେ ।

ମାଫିଆ ଗିରି , ଡକାୟତି , ସମ୍ପତ୍ତି ଲୁଟ ,ବଟି ଆଦାୟ ମାମଲାରେ ଏହି ଗ୍ରୁପ  ସଂପୃକ୍ତ ରହିଥିଲେ ।  ଏହି ଗ୍ୟାଙ୍ଗ ନାଁରେ  ୨୦ରୁ ଅଧିକ ମାମଲା ରହିଛି । ଅଭିଯୁକ୍ତଙ୍କ ନିକଟରୁ ୬ ଟି ପିସ୍ତଲ , ୬ ଟି ଜୀବନ୍ତ ଗୁଳି , ଗୋଟିଏ ଖୋକା , ୩ ଟି କେଟ୍ରେଜ୍ , ଗୋଟିଏ ଖଣ୍ଡା, ୫ ଟି ମୋବାଇଲ ଓ ୬୦ ହଜାର ଟଙ୍କା ଓ ମୋଟର ସାଇକେଲ ଜବତ ହୋଇଛି ।

RG ଗ୍ରୁପ ରାକେଶ ଓ ସହଯୋଗୀ ପୂର୍ବରୁ ବାଲେଶ୍ୱରରେ ସକ୍ରିୟ ଥିବା ପାପା ପଣ୍ଡା ଗ୍ୟାଙ୍ଗର ସଦସ୍ୟ ଥିଲେ । ପରବର୍ତ୍ତୀ ସମୟରେ ପାପା ପଣ୍ଡା ଗ୍ରୁପ ରୁ ଏମାନେ ଓହରି ଯାଇଥିଲେ । ଗତ ୬ ମାସ ତଳେ ଜେଲରୁ ବାହାରିବା ପରେ କିଛି ସହଯୋଗୀଙ୍କୁ ଧରି ରାକେଶ କରିଥିଲା RG ଗ୍ୟାଙ୍ଗ ।  ଏହି ଗ୍ୟାଙ୍ଗ ଗଠନ ପରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଆତଙ୍କ ଖେଳାଇ ଚାଲିଥିଲେ । ସେପଟେ ଏମାନଙ୍କ ନିକଟରେ ଏତେ ପରିମାଣରେ ବନ୍ଧୁକ ଓ ଗୁଳି କେଉଁଠୁ ଆସିଲା ତାର ତଦନ୍ତ ଆରମ୍ଭ କରାଯାଇଥିବା ବଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ବିରୋଧୀ ଦଳରେ ଥିବା ବେଳେ ବିଜେପି ଦେଇଥିଲା ପ୍ରତିଶ୍ରୁତି, ସରକାରକୁ ଆସିବା ପରେ ପ୍ରତାରଣା ଅଭିଯୋଗ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଗୋଟେ କଥା, ସରକାରକୁ ଆସିବା ପରେ ଆଉ ଗୋଟିଏ କଥା । ଏବେ ବିଜେପି ସରକାରଙ୍କ କାନରେ ପଡୁନି ଶିକ୍ଷକଙ୍କ ଆକୁଳ ଚିତ୍କାର ।  ସେତେବେଳେ ବିଜେପି ବିରୋଧୀ ଦଳରେ ଥିଲା, ଏବେ ରାଜ୍ଯରେ ଡବଲ ଇଞ୍ଜିନ ସରକାର । ସମସ୍ତ ପ୍ରତିଶୃତି ପୂରଣ କରିବା ପାଇଁ ସକ୍ଷମ ଥାଇ ମଧ୍ୟ ଶିକ୍ଷକଙ୍କ ଦାବି ପୂରଣ ହେଉନାହିଁ । ଫଳରେ ଏବେ ଗାନ୍ଧୀ ମାର୍ଗରେ କନିଷ୍ଠ ଶିକ୍ଷକଙ୍କ ଗର୍ଜନ କରିଛନ୍ତି । ଡବଲ ଇଞ୍ଜିନ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ପଟେ ନିଯୁକ୍ତି ପତ୍ର ବଣ୍ଟନ, ଆଉ ଗୋଟିଏ ପଟେ ଶିକ୍ଷକଙ୍କୁ ହତାସ କରାଯାଉଥିବା ଅଭିଯୋଗ ହୋଇଛି । ଖରା ଓ ଗୁଳିଗୁଳିଙ୍କୁ ଖାତିର ନ କରି ପ୍ରତିବାଦ କରିଛନ୍ତି ଶିକ୍ଷକ । କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଚାକିରି ଓ NEP ଆଧାରରେ  ବାଲବାଟିକାରେ କନିଷ୍ଠ ଶିକ୍ଷକ ଓ ଶିକ୍ଷଯତ୍ରୀ ମାନଙ୍କୁ ବୋଝ ନ ଦେଇ ନୂଆ ନିଯୁକ୍ତି ଦେବାକୁ ଦାବି ହୋଇଛି।

ଉତ୍ତରପ୍ରଦେଶ ଭଳି କେତେକ ରାଜ୍ୟରେ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉଥିବା ବେଳେ ଓଡ଼ିଶାରେ ଏବେ ମଧ୍ୟ ଯୋଜନଭିତ୍ତୀକ ପ୍ରଥାର ପ୍ରଚଳନ ଚାଲିଛି। ହିମାଚଳରେ ପ୍ରାଥମିକ ଶିକ୍ଷକମାନଙ୍କର ଦରମା ସବୁଠାରୁ ଅଧିକ ୫୯,୭୭୦ ଟଙ୍କା ରହିଥିବା ବେଳେ ଓଡିଶାରେ ସର୍ବନିମ୍ନ ୧୬୦୦୦ ଟଙ୍କା । ତାଲିମ୍ ସମୟରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ବୋର୍ଡ ପରୀକ୍ଷା ଦେବା ପରେ ପୁନଶ୍ଚ ଦୁଇ ଦୁଇଟି ପ୍ରବେଶିକା ଜରିଆରେ ବର୍ତ୍ତମାନ ନିଯୁକ୍ତି ଦିଆଯାଉଛି।ସେପଟେ ସମୟ ଅନୁସାରେ ସମସ୍ୟାର ସମାଧାନ ହେବ । ବ୍ୟତିବ୍ୟସ୍ତ ହୋଇ ସ୍କୁଲ ବନ୍ଦ କରି ରାଜରାସ୍ତାରେ ନ ବସିବା ପାଇଁ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ । ବୋଝ ଉପରେ ଲଳିତା ବିଡା ପରି ପୁଣି ଶିଶୁବାଟିକା ପରି ଏକ ଶ୍ରେଣୀକୁ ଆଣି ଯୋଡି ଦେଇ ତାର ସମସ୍ତ ଭାର ପ୍ରାଥମିକ ଶିକ୍ଷକଙ୍କ ଉପରେ ଲଦି ଦେଇଛନ୍ତି। ହେଲେ ଏହି ଶ୍ରେଣୀରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷକ ଆବଶ୍ୟକ ବୋଲି ଅନୁଭୂତ ହେଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି  ଶିକ୍ଷକ ।

ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା, ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଗୌରବ ହରାଇଲାଣି ଗଞ୍ଜାମ । ଦିନକୁ ଦିନ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ।  ଦୁଇ ଦୁଇଟି ହତ୍ୟାକାଣ୍ଡକୁ ୨୪ ଘଣ୍ଟା ନପୁରୁଣୁ ଏବେ ଆସିଛି ଦୁଷ୍କର୍ମ ଅଭିଯୋଗ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଭିଆଉଛନ୍ତି ଅପରାଧୀ  । ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଇଜଣ ନାବାଳିକା ଏକ ଶୁଭକାର୍ଯ୍ୟରେ ଯାଇଥିବା ବେଳେ ୪ ଜଣ ଯୁବକ ସେମାନଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭାବନୀୟ ଘଟଣା ଘଟାଇ ସ୍ଥାନୀୟ ଅଞ୍ଚଳରୁ ଫେରାର ହୋଇଯାଇଛନ୍ତି ୪ ଯୁବକ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ସେପଟେ ଦୁଇ ନାବାଳିକାଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀ ମଇନା କରାଯାଇଥିବା ବେଳେ ଷ୍ଟେଟମେଣ୍ଟ ନିଆଯାଇଛି l

ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି ।ସେମାନଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି l ଅଭିଯୁକ୍ତ ମାନେ ଦୁଇଟି ବାଇକରେ ଦୁଇ ନାବାଳିକାଙ୍କୁ ନେଇ ଗଣ ଦୁଷ୍କର୍ମ କରିଥିବା ଜଣାପଡିଛି । ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ । ପୂର୍ବ ସରକାର ସମୟରେ ଶାନ୍ତ ଥିବା ଗଞ୍ଜାମ ଜିଲ୍ଲା ପୁଣି ଅଶାନ୍ତ ହେଉଛି । ପୋଲିସର ଢିଲା ପଣିଆ ଯୋଗୁ ଏଭଳି ଅପରାଧ ନିୟନ୍ତ୍ରଣ ବାହାକୁ ଚାଲିଯାଇଥିବା  ଅଭିଯୋଗ ହୋଇଛି ।