spot_img
Home Blog Page 75

ଫାଶୀ ଦଣ୍ଡ ପାଇଛନ୍ତି ବିଶ୍ବର ଏହି ୧୦ ଜଣ ଶକ୍ତିଶାଳୀ ନେତା: ପରବର୍ତ୍ତୀ ନମ୍ବର ଶେଖ ହସୀନା ?

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଅନ୍ତର୍ଜାତୀୟ କ୍ରିମିନାଲ ଟ୍ରିବ୍ୟୁନାଲ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ହସୀନା ଭାରତରେ ରହୁଥିବା ବେଳେ ଭାରତ ସରକାର ତାଙ୍କୁ ପ୍ରତ୍ୟର୍ପଣ କରିବାର ସମ୍ଭାବନା କମ୍ ରହିଛି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ହସୀନା ପକ୍ଷପାତୀ ବୋଲି କହିବା ସହ ମୋହମ୍ମଦ ୟୁନୁସଙ୍କ ପ୍ରଶାସନ ଉପରେ ବହୁ ପ୍ରକାରର ଅଭିଯୋଗ ଲଗାଇଛନ୍ତି । ବାଂଲାଦେଶୀ କୋର୍ଟ ହସୀନାଙ୍କୁ ୧୪୦୦ ଲୋକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ବିଶ୍ବର ଇତିହାସ ଯଦି ଦେଖିବା, ତେବେ ଫାଶୀ ଦଣ୍ଡାଦେଶ ପାଇବାରେ ହସୀନା ପ୍ରଥମ ନେତା ନୁହନ୍ତି । କ୍ଷମତାର ସଂଘର୍ଷକୁ ନେଇ ବିଦ୍ରୋହ ଓ ସୈନା ଦ୍ବାରା ବେଆଇନ ଭାବେ କ୍ଷମତା କବଜା କାରଣରୁ ଅନେକ ନେତାଙ୍କୁ ଫାଶୀ ଦଣ୍ଡ ହୋଇଛି । ଏହି ନିଷ୍ପତ୍ତି କେବେ ନ୍ୟାୟିକ ପ୍ରକ୍ରିୟା ଜରିଆରେ କରାଯାଇଥିଲା ତ, ଆଉ କେବେ ସୈନ୍ୟ ଶାସନ ବା କବଜା କରିଥିବା ଶକ୍ତି ଦ୍ବାରା କରାଯାଇଥିଲା । ବିଶ୍ବର ଏପରି ୧୦ ଜଣ ଶକ୍ତିଶାଳୀ ନେତାଙ୍କୁ ଫାଶୀ ଦଣ୍ଡ ହୋଇସାରିଛି ।

(୧) ସଦ୍ଦାମ ହୁସୈନ-ଇରାକର ଶକ୍ତିଶାଳୀ ତାନଶାହ

ଇରାକର ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ ହୁସୈନ ଆଧୁନିକ ଇତିହାସରେ ଫାଶୀ ଦିଆଯାଇଥିବା ସବୁଠାରୁ ପ୍ରସିଦ୍ଧ ନେତାଙ୍କ ମଧ୍ୟରେ ଜଣେ । ୧୯୮୦ ଓ ୧୯୯୦ ଦଶକରେ ସେ ଇରାକରେ ଶାସନ କରିଥିଲେ । ତାଙ୍କ ଉପରେ କ୍ରୁରତାର ଅନେକ ଆରୋପ ଲାଗିଥିଲା । ୨୦୦୩ରେ ଆମେରିକା ଇରାକ ଉପରେ ଆକ୍ରମଣ କରିବା ପରେ ତାଙ୍କୁ ଧରିନେଇଥିଲା ଓ ଦୁଜେଲ ହତ୍ୟାକାଣ୍ଡ ପାଇଁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦୦୬ ଡିସେମ୍ବର ୩୦ରେ ତାଙ୍କୁ ଫାଶୀ ଦିଆଯାଇଥିଲା ।

(୨) ଜୁଲଫିକର ଅଲୀ ଭୁଟ୍ଟୋ- ପାକିସ୍ତାନ ରାଜନୀତିର ସବୁଠାରୁ ବିବାଦୀୟ ନିଷ୍ପତ୍ତି

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ୧୯୭୯ରେ ଫାଶୀ ଦିଆଯାଇଥିଲା । ତାହା ପାକିସ୍ତାନର ଇତିହାସରେ ସବୁଠାରୁ ବିବାଦୀୟ ନିଷ୍ପତ୍ତି ଥିଲା । ଭୁଟ୍ଟୋଙ୍କ ଫାଶୀକୁ ଆଜି ବି ପାକିସ୍ତାନରେ ଚର୍ଚ୍ଚା ହେଉଛି । ଭୁଟ୍ଟୋଙ୍କୁ ପାକିସ୍ତାନର ଗରତାନ୍ତ୍ରିକ ରାଜନୀତିରେ ସ୍ତମ୍ଭ କୁହାଯାଉଥିଲା । ମାତ୍ର ଜେନେରାଲ ଜିୟା-ଉଲ-ହକଙ୍କ ସୈନ୍ୟ ଶାସନ ତାଙ୍କୁ ଜଣେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା ଓ ଫାଶୀ ଦଣ୍ଡ ଦେଇଥିଲା । ଭୁଟ୍ଟୋଙ୍କ ଫାଶୀକୁ ରୋକିବା ପାଇଁ ଅନେକ ଦେଶ ଅପିଲ କରିଥିଲେ, ମାତ୍ର ଜିୟା ଉଲ ହକ କାହା କଥା ଶୁଣିନଥିଲେ ।

(୩) ମୋହମ୍ମଦ ଜବୀବୁଲ୍ଲାହ- ତାଲିବାନଙ୍କ ହାତରେ ମିଳିଲା କ୍ରୁତ ମୃତ୍ୟୁ

ଆଫଗାନିସ୍ତାନର ପୂର୍ବ ରାଷ୍ଟ୍ରପତି ମୋହମ୍ମଦ ନଜୀବୁଲ୍ଲାହଙ୍କୁ ୧୯୯୬ରେ ତାଲିବାନ ଫାଶୀରେ ଝୁଲାଇଥିଲା । ଫାଶୀ ଦିନ ପୂର୍ବରୁ ତାଲିବାନ ତାଙ୍କ ସହ ଭୟଙ୍କର କ୍ରୁରତା କରିଥିଲା । ତାଙ୍କୁ ସାର୍ବଜନିକ ଭାବେ ଫାଶୀରେ ଝୁଲାଇ ଥିଲା । ଏହା ଆଫଗାନ ଇତିହାସର ସବୁଠାରୁ ଭୟଙ୍କର ନିଷ୍ପତ୍ତି ଓ ତାଲିବାନ ଶାସନର କଠୋର ଦିନକୁ ମନେ ପକାଇଥାଏ ।

(୪) ଇମରେ ନାଗୀ- ସୋଭିୟତ ସଂଘ ବିପକ୍ଷରେ ଠିଆ ହେବାର ସଜ୍ଜା

୧୯୫୬ରେ ହଙ୍ଗେରିୟନ କ୍ରାନ୍ତିରେ ପ୍ରଧାନମନ୍ତ୍ରୀ ଇମରେ ନାଗୀଙ୍କ ନାମ ସ୍ବତନ୍ତ୍ରତା ଓ ଲୋକତନ୍ତ୍ରର ସ୍ବର ରୂପେ ସାରା ଦୁନିଆରେ ଛାଇ ଯାଇଥିଲା । ସେ ସୋଭିୟତ ସଂଘ ବିପକ୍ଷରେ ବିଦ୍ରୋହର ନେତୃତ୍ବ ନେଇଥିଲେ । ମାତ୍ର କ୍ରାନ୍ତି ବିଫଳ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତା’ପରେ ୧୯୫୮ରେ ଗୁପ୍ତ ମୁକଦ୍ଦମା ଚଳାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଓ ଫାଶୀ ଦିଆଯାଇଥିଲା । ଦଶକ ପରେ ତାଙ୍କୁ ରାଷ୍ଟ୍ରନାୟକ ଘୋଷିତ କରାଯାଇଥିଲା । ୧୯୮୯ରେ ତାଙ୍କର ପାର୍ଥିବ ଅବଶେଷକୁ ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଥିଲା ।

(୫) ଡେଡନ କିମାଥୀ, କେନିଆ

ଡେଡନ କିମାଥୀ ମାଓ ମାଓ ଆନ୍ଦୋଳନର ନେତା ଥିଲେ । ସେ ୧୯୫୦ ଦଶକରେ କେନିଆରେ ବ୍ରିଟିଶ ଔପନିବେଶିକ ଶାସନ ବିରୋଧରେ ଲଢ଼ିଥିଲେ । ୧୯୫୩ରେ ସେ ବ୍ରିଟିଶ ଜେଲରୁ ଫେରାର ହେବାର ତୁରନ୍ତ ପରେ କେନିଆ ରକ୍ଷା ପରିଷଦ ଗଠନ କରିଥିଲେ । ଦୀର୍ଘ ସମୟ ଧରି ବିଦ୍ରୋହ ଚାଲିବା ପରେ କିମାଥୀଙ୍କୁ ବ୍ରଟିଶ ଔପନିବେଶିକ ପୋଲିସକର୍ମୀ ଇୟାନ ହେଣ୍ଡରସନ ଧରିନେଇଥିଲେ ଓ ମୁଖ୍ୟ ନ୍ୟାୟାଧୀଶ ଓ’କନର ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥଇଲେ । ୧୯୫୭ ଫେବୃଆରୀ ୧୮ରେ ତାଙ୍କୁ ଫାଶୀ ଦିଆଯାଇଥିଲା । କେନିଆ ଲୋକଙ୍କ ସ୍ବାଧିନତାର ଲଢ଼େଇରେ ତାଙ୍କର ଦୃଢ଼ ସଂକଳ୍ପ ପାଇଁ ତାଙ୍କୁ ଆଜି ବି ସ୍ମରଣ କରାଯାଇଥାଏ ।

(୬) ହିଦେକୀ ତାଜୋ- ଜାପାର ଯୁଦ୍ଧକାଳୀନ ପ୍ରଧାନମନ୍ତ୍ରୀଙ୍କ ଅନ୍ତ

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନର ପ୍ରଧାନମନ୍ତ୍ରୀ ଜେନେରାଲ ହିଦେକୀ ତୋଜୋଙ୍କୁ ଯୁଦ୍ଧ ଅପରାଧ, ମାନବତା ବିପକ୍ଷରେ ଅପରାଧ ଓ ଆକ୍ରାମକ ସୈନ୍ୟ ଅଭିଯାନ ଚଳାଇବା ନେଇ ଦୋଷୀ କରାଯାଇଥିଲା । ଟୋକ୍ୟୋ ଟ୍ରାୟଲ୍ସ ପରେ ୧୯୪୮ରେ ତାଙ୍କୁ ଫାଶୀ ଦିଆଯାଇଥିଲା । ତାଜୋ ବିଶ୍ବ ଇତିହାସର ସେହି ନେତାଙ୍କ ମଧ୍ୟରେ ଜଣେ, ଯେ କି ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଓ ଭୟାନକ ବିନାଶ ପାଇଁ ଦାୟୀ ।

(୭) ନିକୋଲା ଚାଉଶେସ୍କୁ- ରୋମାନିଆର ତାନାଶାହଙ୍କ ଅଚାନକ ପତ୍ତନ

ରୋମାନିଆର ରାଷ୍ଟ୍ରପତି ନିକୋଲା ଚାଉଶେସ୍କୁଙ୍କୁ ୧୯୮୯ କ୍ରାନ୍ତି ସମୟରେ ଗିରଫ କରାଯାଇଥିଲା । ତାଙ୍କ ପତ୍ନୀ ଏଲେନାଙ୍କ ସହ ସୈନ୍ୟ ଅଦାଲତରେ ତାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଣି ହୋଇଥିଲା । କ୍ରିସମସ ଦିନ ତାଙ୍କୁ ଗୁଳି କରାଯାଇଥିଲା । ୟୁରୋପରେ ଫାୟାରିଂ ସ୍କ୍ବାଡ ମଧ୍ୟ ‘ଫାଶୀ’ର ଶ୍ରେଣୀରେ ଆସିଥାଏ, ସେଥିପାଇଁ ଏହାକୁ ଫାଶୀ ଦଣ୍ଡ କୁହାଯାଏ । ଚାଉଶେସ୍କୁଙ୍କ ପତ୍ତନ ପୂର୍ବ ୟୁରୋପରେ ସାମ୍ୟବାଦୀ ଶାସନର ଅନ୍ତର ରାସ୍ତା ଖୋଲିଥିଲା ।

(୮) ମକୁସୂଦ ବିନା ଅବଦୁଲ ଅଜୀଜ- ସାଉଦୀ ଅରବର ରାଜକୁମାର

୧୯୭୫ରେ ସାଉଦୀ ଅରବର ରାଜକୁମାର ମକଦୂଦ ବିନା ଅବଦୁଲ ଅଜୀଜଙ୍କୁ ଏକ ପ୍ରେମ-ସମ୍ବନ୍ଧ ସହ ଜଡ଼ିତ ବିବାଦୀୟ ଘଟଣା ପାଇଁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ସାର୍ବଜନିକ ଭାବେ ତାଙ୍କର ମୁଣ୍ଡକାଟ କରାଯାଇଥିଲା । ତାଙ୍କର ମାମଲା ଅନ୍ତରାଷ୍ଟ୍ରୀୟ ସ୍ତରରେ କିଛି ମାସ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା ଓ ଶାହୀ ପରିବାର ଭିତରେ ଅନୁଶାସନ ଓ କାନୁନର କଠୋରତାର ପ୍ରତୀକ ହୋଇଥିଲା ।

(୯) ନିକୋଲସ ମୋରୋଜୋଭ- ରୋମାନିଆର ପ୍ରଧାନମନ୍ତ୍ରୀ

ରୋମାନିଆର ପ୍ରଧାନମନ୍ତ୍ରୀ ନିକୋଲସ ମୋରୋଜୋଭଙ୍କୁ ୧୯୪୦ରେ ଫାଶୀ ଦିଆଯାଇଥିଲା । ତାଙ୍କ ବିରୋଧରେ ସୈନ୍ୟ ବିଦ୍ରୋହ, ରାଜନୀତିକ ଷଡ଼ଯନ୍ତ୍ର ଓ ରାଷ୍ଟ୍ରର ସୁରକ୍ଷାକୁ ବିପଦରେ ପକାଇବା ପରି ଅଭିଯୋଗ ଲାଗିଥିଲା । କ୍ଷମତା ସଂଘର୍ଷ ଓ ସୈନ୍ୟ ଅସ୍ଥିରତା ମଧ୍ୟରେ ଏକ ତତ୍କାଳ ମୁକଦ୍ଦମା ପରେ ତାଙ୍କୁ ଫାଶୀ ଦିଆଯାଇଥିଲା । ଏହି ଘଟଣା ରୋମାନିଆର ରାଜନୀତିର ଅତ୍ୟଧିକ ଉଥଲ-ପୁଥଲର ପ୍ରତୀକ ସୃଷ୍ଟି କରିଥିଲା ।

(୧୦) ହୋସ୍ନୀ ଜୈମ- ସିରିଆର ରାଷ୍ଟ୍ରପତି

ସିରିଆର ରାଷ୍ଟ୍ରପତି ହୋସ୍ନୀ ଜୈମଙ୍କୁ ୧୯୪୯ରେ ଫାଶୀ ଦିଆଯାଇଥିଲା । ସୈନ୍ୟ କ୍ଷମତା କବଜା କରିବା ଦ୍ବାରା ସେ କ୍ଷମତାକୁ ଆସିଥିଲେ । ମାତ୍ର ମାତ୍ର ୪ ମାସରେ ସେ ପୁଣି ଏକ ସୈନ୍ୟ କ୍ଷମତା କବଜା କରିବାର ଶିକାର ହୋଇଥିଲେ । ନୂଆ ସୈନ୍ୟ ଶାସନ ତାଙ୍କୁ ଦେଶଦ୍ରାହ ଓ କ୍ଷମତାର ଦୁରୁପଯୋଗ ଅଭିଯୋଗରେ ଫାଶୀ ଦେଇଥିଲା । ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଡିସେମ୍ବର ୯ରେ ବାରବାଟୀରେ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚ : ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି

କଟକ : କଟକରେ ଦର୍ଶକ ଦେଖିବେ ଫଟାଫଟ କ୍ରିକେଟର ମଜା । ଡିସେମ୍ବର ୯ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ଯାଚ । ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ଯାଚ କଟକରେ ଖେଳାଯିବ । ଏଥିପାଇଁ ବିସିସିଆଇ ପୂର୍ବରୁ ଘୋଷଣା କରିସାରିଥିବାବେଳେ ଏନେଇ ପ୍ରସ୍ତୁତ ହୋଇଛି ଓସିଏ । ଏଥିପାଇଁ ଡିସେମ୍ବର ୧ ତାରିଖରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ପରେ ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଆଫଲାଇନ୍ ଜରିଆରେ ଟିକେଟ ବିକ୍ରି କରାଯିବ । ସେହିଭଳି ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଣ୍ଟରରେ ମିଳିବ ଟିକେଟ । ମୋଟ ୬ ଟି ଟିକେଟ କାଉଣ୍ଟର ରେ ଟିକେଟ ବିକ୍ରି କରାଯିବ। ତେବେ କେତେ ସଂଖ୍ୟାରେ ଟିକେଟ ବିକ୍ରି ହେବ ତାହା ଏ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ । ସେପଟେ ପାର୍କିଂ, ପିଇବା ପାଣି, ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଟଏଲେଟ୍ ଭଲ ବ୍ୟବସ୍ଥା କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।

ଖୋଲିବ ବନ୍ଧୁକ ମାଫିଆ ସିଣ୍ଡିକେଟ ପଛର ସତ, ରିମାଣ୍ଡରେ ଆସିବେ ଦୁଇ ବନ୍ଧୁକ ବେପାରୀ

ଭୁବନେଶ୍ୱର : ବିହାରୀ ମାଫିଆଙ୍କୁ ଧରିବାକୁ ବିହାର ଗଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ରିମାଣ୍ଡରେ ଆସି ମାଫିଆ କହିବେ ସିଣ୍ଡିକେଟ ପଛର ସତ । ପୋଲିସ ହାତରେ କାର୍ବାଇନ ଓ ମାଉଜର ଗରାଖଙ୍କ ଲିଷ୍ଟ । ଭୁବନେଶ୍ୱର ଷ୍ଟେସନ ଆଉ ମାତ୍ର ୫ ଶହ ମିଟର । ଟ୍ରେନ ସ୍ଲୋ ହେବା କ୍ଷଣି ଠିକ ଏହି ଜାଗାରେ ଡେଇଁ ପଡ଼ି ଚମ୍ପଟ ମାରିବାକୁ ବସିଥିଲେ ବିହାରୀ ବନ୍ଧୁକ ମାଫିଆ ଦିବ୍ୟାନ୍ସୁ କୁମାର ଓ ଚନ୍ଦନ କୁମାର । କିନ୍ତୁ ପୂର୍ବରୁ ପିଛା କରୁଥିବା ସ୍ପେଶାଲ କ୍ରାଇମ ୟୁନିଟ, ମାଳିସାହି ଯିବା ବାଟରେ ଗତ ଶନିବାର ଅଭିଯୁକ୍ତଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ଜବତ ହୋଇଥିଲା କାର୍ବାଇନ ସହ ୫ଟି ସେମି ଅଟୋମେଟିକ ପିସ୍ତଲ ଓ ଗୁଳି । ଏବେ ସେହି ୨ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି ଟିମ । ସେପଟେ ବନ୍ଧୁକ ନେଟୱର୍କ ସମ୍ଭାଳୁଥିବା ମାଷ୍ଟରମାଇଣ୍ଡକୁ କାବୁ କରିବା ପାଇଁ ବିହାର ଗସ୍ତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଗତ ୮ ମାସରେ ୮ ଜଣ ବନ୍ଧୁକ ମାଫିଆଙ୍କୁ ଧରିବା ସହ ୨୫ ବନ୍ଧୁକ ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ ।

ସାରା ରାଜ୍ୟରୁ ମିଳିଥିବା ତଥ୍ୟ ମୁତାବକ ଓଡିଶା ପୋଲିସ ଦ୍ୱାରା ୨୦୨୩ ଓ ୨୦୨୪ ରେ ୫ଶହ ରୁ ଅଧିକ ବନ୍ଧୁକ, ୨୦୨୨ରେ ୯୩ ଟି, ୨୦୨୧ରେ ୩୪୫ ଟି , ୨୦୨୦ରେ ଟି ବନ୍ଧୁକ ଜବତ ହୋଇଛି । କମିଶନରେଟ ପୋଲିସ ତଥ୍ୟ ଗତ ୩ ବର୍ଷରେ କମିଶନରେଟ ପୋଲିସ ଜବତ କଲାଣି ପାଖାପାଖି ୨୫୦ ବନ୍ଧୁକ କରିଛି । ବିହାର, ଝାଡଖଣ୍ଡ ସହ ୟୁପି ବନ୍ଧୁକର ଡିମାଣ୍ଡ ଓଡ଼ିଶାରେ ବଢୁଥିବା ଦେଖାଯାଉଛି । ଆରପିଏଫ କୁ ଚକମା ଦେବାକୁ ଯାଇ ଟ୍ରେନରେ ବ୍ୟାଗ ଭିତରେ ଲୁଚାଇ ଚାଲିଛି ବନ୍ଧୁକ କାରବାର । ସେପଟେ ମାଷ୍ଟର ମାଇଣ୍ଡ ଧରାପଡିବା ପରେ ପୁରା ମେସିନ ସିଣ୍ଡିକେଟର ଗୁମର ଖୋଲିବ ବୋଲି ସୂଚନା ଦେଇଛନ୍ତି କମିଶନର । କିନ୍ତୁ ଏସବୁ କମିଶନରେଟ ପୋଲିସ ପାଇଁ ନିହାତି ଚାଲେଞ୍ଜିଂ ହେବ ବୋଲି କହିଛନ୍ତି ବିଶେଷଜ୍ଞ। ନିଶା ସିଣ୍ଡିକେଟ, ବାଲି ଘାଟ, ଲଘୁ ଖଣିଜ ଲୁଟ, ଦେହ ବେପାର ଭଳି ଅନୈତିକ କାମ ପାଇଁ ଅଣ୍ଟାରେ ମାଉଜର ଖୋସି ବୁଲୁଛନ୍ତି ଯୁବପିଢି । ଯାହାକି ଏବେ ପୋଲିସ ପାଇଁ ପାଲଟିଛି ଚିନ୍ତାର କାରଣ ।

କେବେ ସମାଧାନ ହେବ ପୁରୀବାସୀଙ୍କ ଭିଟାମାଟି ସମସ୍ୟା ?

ପୁରୀ : କେବେ ତୁଟିବ ଶ୍ରୀକ୍ଷେତ୍ରବାସୀଙ୍କ ଜମିଜମା ଦ୍ବନ୍ଦ୍ବ । ବ୍ଯାପକ ଆନ୍ଦୋଳନ ସତ୍ତ୍ବ ଦୂର ହେଉନି ସମସ୍ଯା । ୟୁନିଫର୍ମ ପଲିସି ଓ ଆଇନ ସଂଶୋଧନ ଆଳରେ ଗଡୁଛି ସମୟ । ଜମି ମାଫିଆଙ୍କୁ ପରୋକ୍ଷରେ ସହାୟତା ମିଳୁଥିବା ଅଭିଯୋଗ । ପୁରୀ ବର୍ଷ ବର୍ଷ ଧରି ରହି ଆସୁଛନ୍ତି ଲୋକେ । ମ୍ୟୁନିସପାଲଟି ଓ ଦେବୋତ୍ତର ସହ ରାଜସ୍ୱ ବିଭାଗ ଅଧୀନରେ ରହିଛି ଜମି । ଅନେକ ବର୍ଷ ଧରି ମହାପ୍ରଭୁଙ୍କ ଜମିରେ ବସବାସ କରୁଛନ୍ତି ସାଧାରଣ ଲୋକେ । ଏହାକୁ ସେମାନଙ୍କ ନାଁରେ କରିବାକୁ ଦୀର୍ଘ ଦୁଇ ଦଶନ୍ଧି ହେଲା ଚାଲିଛି କସରତ । ୟୁନିଫର୍ମ ପଲିସି ଆଇନର ସଂଶୋଧନ ନେଇ ରାସ୍ତା ବାହାରିଥିବା ସତ୍ତ୍ବେ ଏହାକୁ କାର୍ଯ୍ଯକାରୀ କରାଯାଉ ନାହିଁ । ସେପଟେ ସରକାରୀ ଓ ଶ୍ରୀମନ୍ଦିର ଜମିରେ ମାଫିଆ ଓ ଜମି ଦଲାଲ କୋଟିକୋଟି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ନିଜ ନାମରେ ହୋଇପାରୁ ନଥିବାରୁ ଜରୁରୀ ପରିସ୍ଥିତିରେ ଜାଗା ବନ୍ଧକ କିମ୍ବା ବିକ୍ରି କରିପାରୁ ନାହାନ୍ତି ଲୋକେ । ଭିଟାମାଟି ସମସ୍ୟା ଦୂର କରିବା ନେଇ ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ବିଭିନ୍ନ ବିଭାଗକୁ ନେଇ ବୈଠକ ପରେ ବୈଠକ ହୋଇଛି । ପୁରୀ ଜିଲ୍ଲା ଓ ସହରର ଜମି ଜମା ସମସ୍ୟା ଏକ ଜଟିଳ ରାଜସ୍ୱ ସମସ୍ୟା ହୋଇଥିବାବେଳେ ଏହାର ଏକ ସ୍ଥାୟୀ ସମାଧାନର ଆବଶ୍ଯକତା ରହିଛି । ଲୋକଙ୍କ ସମସ୍ଯାକୁ ଦୃଷ୍ଟିରେ ରଖି ସରକାର ଏକ ସମାଧାର ସୂତ୍ର ବାହାର କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । ସରକାର ଓଡ଼ିଶାରେ ଗୋଟିଏ ରାଜସ୍ୱ ଆଇନ ଓଡିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଲାଗୁ କରିବା ନେଇ ବ୍ୟବସ୍ଥା କରୁଥିବାବେଳେ ସେହି ବ୍ୟବସ୍ଥାରେ ପୁରୀବାସୀଙ୍କ ସମସ୍ୟା କେତେ ସମଧାନ ହେବ ସେନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ।

ଗଞ୍ଜାମରେ କର୍ମଚାରୀ ବଦଳି ନୀତି ଲାଗୁ ହେଉନଥିବା ଅଭିଯୋଗ

ବ୍ରହ୍ମପୁର :  ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି ସରକାରୀ ବାବୁ । ବଂଶଗତ ଭାବେ ଗୋଟିଏ ସ୍ଥାନରେ ଚାକିରୀ କରୁଥିବାରୁ ରହୁନି ଭୟ । ଗଞ୍ଜାମରେ ଲାଗୁ ହେଉନି ବଦଳି ନିୟମ । ଉପରିସ୍ଥ ଅଧିକାରୀଙ୍କ ପୃଷ୍ଠପୋଷକତାରେ ଦେଖାଉଛନ୍ତି ହାକିମଗିରି । ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିଥିବା ସରକାରୀ କର୍ମଚାରୀଙ୍କୁ ବଦଳି କରିବାକୁ ନିୟମ ରହିଛି । ହେଲେ ଗଞ୍ଜାମ ଜିଲ୍ଲାରେ ଏହି ନିୟମ ଲାଗୁ ହେଉନି । କିଛି କର୍ମଚାରୀ ୧୦ରୁ ଅଧିକ ବର୍ଷ ଗୋଟିଏ କାର୍ଯ୍ୟାଳୟରେ ଗୋଟିଏ ଚୌକିରେ ବସିଛନ୍ତି । କାମ କରିବା ତ ଦୂରର କଥା ଲୋକଙ୍କ ଭଲ ବ୍ଯବହାର ମିଳୁ ନଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଜିଲ୍ଲାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଦିନକୁ ଦିନ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ବିଭାଗରେ କିରାଣି ଓ କର୍ମଚାରୀ ବର୍ଷବର୍ଷ ଧରି ଗାଦି ମାଡି ବସିଥିବାରୁ  ଫାଇଦା ଉଠାଇ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ଦୁର୍ନୀତି ବିରୋଧ ଧରେ ସଚେତନତା ପାଇଁ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି । ଅନେକ ସମୟରେ ଦୁର୍ନୀତିଖୋର ଅଧିକାରୀ ଏବଂ କର୍ମଚାରୀ ଦୁର୍ନୀତି ନିବାରଣ ଅଧିକାରୀଙ୍କ ହାବୁଡ଼ରେ ପଡୁଥିନବା ବେଳେ ଏବେ ବି ଅନେକ ଦୁର୍ନୀତି ନିବାରଣ ବିଭାଗ ନଜରରେ ଅଛନ୍ତି । ଜିଲ୍ଲାର ବ୍ଳକ ଠାରୁ ଆରମ୍ଭ କରି ତହସିଲ, ପରିବହନ, ଯୋଗାଣ, ମତ୍ସ୍ୟ ଓ ପଶୁ ସମ୍ପଦ, ବନ, କୃଷି ଓ ଉଦ୍ୟାନ ପରି ସବୁ ବୁଭାଗରେ ବର୍ଷ ବର୍ଷ ଧରି କର୍ମଚାରୀଙ୍କ ହେଉନି ବଦଳି । ଏପଟେ ସରକାର ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବାକୁ ସ୍ୱପ୍ନ ଦେଖୁଥିବବା ବେଳେ ଆଇନ ଫାଙ୍କରେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି କର୍ମଚାରୀ ।କ୍ୟାଡର ରୁଲ ଅନୁଯାୟୀ ବଦଳି ନୀତି କାର୍ଯ୍ୟକାରୀ କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

କଖାରୁ ଚାଷ କରି ଲାଭବାନ ଚାଷୀ

ଚମ୍ପୁଆ : ଯେଉଁଆଡେ ଦେଖିବେ ସବୁଜ ବନାନୀ । କ୍ଷେତରେ ଲାଗିଛି କଖାରୁ ଗଛ । ତା ଭିତରେ ଫଳିଛି ବଡବଡ କଖାରୁ । ଆଉ ଏଭଳି ଚାଷ କରିଛନ୍ତି ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ରରୁଆଁଗେlଡା ଗାଁର ଯୁବ ଚାଷୀ ଲିକୁ ନାଏକ । ଦିନ ଥିଲା ଲିକୁ ଅନ୍ୟର ବଗିଚାରେ ମୂଲ ଲାଗୁଥିଲେ । ଏବେ ସେ ନିଜର ପନ୍ଦର ଏକର ଜମିରେ ବଇତାଳୁ ଚାଷ କରିଛନ୍ତି । ସାଢେ ଛଅ ଲକ୍ଷ ଟଙ୍କା ବିନିଯୋଗ କରି ଲିକୁ ଚାଷ କାମ ଆରମ୍ଭ କରିଥିବା ବେଳେ ତାଙ୍କୁ ଗାଁର ୩୦ ଜଣ ପିଲା ସାହାର୍ଯ୍ୟ କରୁଛନ୍ତି । ଚାଷରୁ ଭଲ ରୋଜଗାର କରିବେ ବୋଲି ଆଶା ରଖିଛନ୍ତି ଲିକୁ ।

ଚଳିତ ବର୍ଷ ଲିକୁ ଧାର କରଜ କରିବା ସହ ନିଜ ପାଣ୍ଠି ବିନିଯୋଗ କରି କଖାରୁ ଚାଷ ଆରମ୍ଭ କରିଛନ୍ତି । ଅନୁକୂଳ ପାଗ ଯୋଗୁ ଭଲ କଖାରୁ ମଧ୍ୟ ଉତ୍ପାଦନ ହେଉଛି । ଦୈନିକ ଚାଷ କାମରେ ଦଶ ଜଣଙ୍କୁ ନିୟୋଜିତ କରି ରୋଜଗାର ଯୋଗାଇ ଦେଉଛନ୍ତି । ହେଲେ ଏଯାଏଁ ତାଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରିନାହିଁ । ଉଦ୍ୟାନ ବିଭାଗ ତରଫରୁ ତାଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେଲେ ସେ ଚାଷକୁ ଆହୁରି ବ୍ୟାପକ କରିପାରନ୍ତେ ବୋଲି ଆଶା ରଖିଛନ୍ତି । ଚାକିରି ପଛରେ ନପଡି ଲିକୁ ନିଜକୁ ଜଣେ ସଫଳ ଚାଷୀ କରିପାରି ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ

ହାତୀ ପାଇଁ ରାତି ଉଜାଗର, ଗଛ ଉପରେ ମଞ୍ଚା ବାନ୍ଧି କ୍ଷେତ ଜଗୁଛନ୍ତି ଚାଷୀ

ନୀଳଗିରି : ହାତୀ ପାଇଁ ରାତି ଉଜାଗର । ଗଛ ଉପରେ ମଞ୍ଚା ବାନ୍ଧି କ୍ଷେତ ଜଗୁଛନ୍ତି ଚାଷୀ । ବାଲେଶ୍ଵର ଜିଲ୍ଲା କୁଳଡିଆ ଅଭୟାରଣ୍ୟ ପାଦଦେଶର ଗୁଡିଖୋଳା, ଖମକୁଟ, ଖୁଲିଆ, ଝୁଲପୁର ଆଦି ଅଞ୍ଚଳରେ ସନ୍ଧ୍ୟା ହେଲେ ହାତୀ ଉପଦ୍ରବ ଖେଳାଇଥାନ୍ତି । ଏବେ ଧାନ ଅମଳ ସମୟ ହୋଇଥିବାରୁ ବନବିଭାଗକୁ ଅପେକ୍ଷା ନକରି ନିଜ ବର୍ଷକର ଫସଲକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ଲୋକେ । କିଟମିଟ ଅନ୍ଧାର ରାତିରେ ହାତରେ ଟର୍ଚ୍ଚ ଧରି ଘରୁ ବାହାରି ଆସୁଛନ୍ତି । ବିଲ ପାଖ ଗଛ ଉପରେ ବାଉଁଶ, କୁଟା, ଅମରି, ପଲିଥିନ ସାହାଯ୍ୟରେ ପାଖାପାଖି ୩୦ରୁ ଅଧିକ ମଞ୍ଚାକରି ଫସଲକୁ ଅନାଇ ବସୁଛନ୍ତି । ବନ୍ୟଜନ୍ତୁଙ୍କୁ ଦେଖିବା କ୍ଷଣି ଟିଣ ଓ କାଠକୁ କାଠ ବଜାଇ ଘଉଡାଉଛନ୍ତି ।

କୁଳଡିଆ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମିଳୁନାହିଁ । ଯେଉଁଥିପାଇଁ ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ହେଉଛି ହାତୀପଲ । ଏବଂ ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ । ହାତୀ ଘଉଡାଇବା ପାଇଁ ଚାଷୀ ବାରମ୍ବାର ବନବିଭାଗ ନିକଟକୁ ଧାଉଁଛନ୍ତି ହେଲେ ଅଞ୍ଚଳରେ ବନବିଭାଗ ପକ୍ଷରୁ ପଇଁତରା ମରାଯାଉନି । ଫଳରେ ପ୍ରତ୍ୟେକ ଦିନ ଚାଷୀ ବର୍ଷକର ଆହାର ପାଇଁ ଜୀବନକୁ ବାଜି ଲଗାଇ ମଞ୍ଚା ଉପରେ ଜଗିବସୁଛନ୍ତି ।

ବାଟ ହୁଡିଛି ବିକାଶ, ବଣ ପାହାଡ଼ ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ

ଦିଗପହଣ୍ଡି : ଗାଁକୁ ନାହିଁ ରାସ୍ତା । ବାଟ ହୁଡିଛି ବିକାଶ । ବଣ ପାହାଡ଼, ଆବଡ଼ା ଖାବଡ଼ା ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ପକ୍କା ରାସ୍ତା ନଥିବାରୁ ପହଞ୍ଚିପାରୁନି ଜରୁରୀ ସେବା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଂଚାୟତର ଅନେକ ଗାଁକୁ ଆଜି ବି ରାସ୍ତା ଖଣ୍ଡିଏ ପହଞ୍ଚି ପାରିନାହିଁ । ଫଳରେ ଯମଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ପୂର୍ବ ସରକାରଙ୍କ ସମୟରେ ବୁରାତାଲରୁ ଉପର ବୁରାତାଲ ଗାଁକୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା । ରାସ୍ତା କାମ ବି ଆରମ୍ଭ ହୋଇଥିଲା । ହେଲେ ଚାରି କିଲୋମିଟର ରାସ୍ତା ନିର୍ମାଣ କରି ସଂପୃକ୍ତ ଠିକାଦାର କାମ ବନ୍ଦ କରିଦେଇଛନ୍ତି । ଅଧପନ୍ତରିଆ ରାସ୍ତା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ ।

ବୁରାତାଲ ପଞ୍ଚାୟତର ଅନେକ ଗାଁକୁ ରାସ୍ତା ଖଣ୍ଡେ ନାହିଁ । ଫଳରେ ସାମାନ୍ୟ ରୋଗ ହେଲେ ବି ରୋଗୀଙ୍କୁ ଭାର କରି ମେଡିକାଲକୁ ନେଉଛନ୍ତି ଲୋକେ । ହେଲେ ସମସ୍ୟା ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଦୁର୍ଗମ ଅଞ୍ଚଳର ଅନେକ ଗାଁକୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଛି । ଖୁବଶୀଘ୍ର କାମ ଆରମ୍ଭ ହେବ ଏବଂ ଯେଉଁ ସ୍ଥାନରେ କାମ ବନ୍ଦ ରହିଛି ସେହି କାମର ଅଗ୍ରଗତି ନେଇ କୋର୍ଟରେ ମାମଲା ପଡିଛି । କୋର୍ଟରୁ ନିର୍ଦ୍ଦେଶ ମିଳିବା ପରେ ସେହି କାମ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଏବଂ ପାତ୍ରପୁର ବିଡ଼ିଓ ।

ଦକ୍ଷିଣ ଆଫ୍ରିକା ଠାରୁ ହାରିବା ମହଙ୍ଗା ପଡ଼ିବ କି, ଟିମ୍ ଇଣ୍ଡିଆ ଖେଳିପାରିବ କି WTC ଫାଇନାଲ ?

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୩୦ ରନରେ ପରାସ୍ତ ହେବା ପରେ ଏବେ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ୨୦୨୫-୨୭ର ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନକୁ ଖସିଆସିଛି ଟିମ୍ ଇଣ୍ଡିଆ । ଏଭଳି ସ୍ଥିତିରେ ଭାରତ WTC ଫାଇନାଲ ଖେଳିବ କି ନା ସେନେଇ ଦ୍ବନ୍ଦ୍ବ ଉପୁଜିଛି । WTCର ଏହି ସାଇକଲରେ ଭାରତ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ଖେଳିସାରିଛି । ସେଥିମଧ୍ୟରୁ ୪ଟିରେ ଜିତିଥିବା ବେଳେ ୩ଟି ମ୍ୟାଚରେ ପରାଜୟର ସାମନା କରିବାକୁ ପଡ଼ିଛି ଓ ଗୋଟିଏ ଡ୍ର ରହିଛି ।

ଏବେ ଭାରତ ଆଉ ୧୦ଟି ମ୍ୟାଚ ଖେଳିବାକୁ ବାକି ରହିଛି । WTC ସାଇକଲରେ ପ୍ରତି ଟିମକୁ ବିଜୟ ପାଇଁ ୧୨ ଅଙ୍କ, ଡ୍ର ରଖିଲେ ୬ ଅଙ୍କ ଓ ପରାଜୟ ପାଇଁ କୌଣସି ଅଙ୍କ ମିଳିନଥାଏ । ଭାରତ ୮ଟି ମ୍ୟାଚ ଖେଳିବା ସହ ୫୨ ଅଙ୍କ ପାଇଛି । ଦଳର ପଏଣ୍ଟସ ପ୍ରତିଶତ ସିଷ୍ଟମ (PCT) ୫୪.୧୪% ରହିଛି । WTC ସାଇକଲ ଦେଖିଲେ, ଫାଇନାଲ ପାଇଁ ୬୪-୬୮% ପ୍ରତିଶତ PCT ପର୍ଯ୍ୟାପ୍ତ ହୋଇଥାଏ । ଏପରି ସ୍ଥିତିରେ ଭାରତକୁ ଟପ-୨ରେ ସ୍ଥାନ ପକ୍କା କରିବାକୁ ହେଲେ ଏହି ଜୀତ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼ିବ ।

ଭାରତ ଗୌହାଟୀରେର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ଟେଷ୍ଟ ଖେଳିବ । ତା’ପରେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବ । ତା’ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ । ତା’ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ଖେଳିବ । ଏହି ସବୁ ମ୍ୟାଚ ପରେ ଭାରତ ଫାଇନାଲ ଖେଳିବ କି ନା ତାହା ସ୍ପଷ୍ଟ ହୋଇଯିବ । ତେବେ ବାକିଥିବା ୧୦ଟି ମ୍ୟାଚରୁ ଭାରତକୁ ଅତିକମରେ ୭ଟି ମ୍ୟାଚ ଜିତିବାକୁ ପଡ଼ିବ । ଏହାଫଳରେ ଭାରତର ଅଙ୍କ ୧୩୬ ହୋଇଯିବ, ଜିତ ପ୍ରତିଶତ ୬୨.୯୬ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ । ସେଥିମଧ୍ୟରେ ଯଦି ଗୋଟିଏ ଡ୍ର ଯୋଡ଼ି ହୋଇଯିବ, ତେବେ ୧୪୦ ଅଙ୍କ ବା (୬୪.୮୧%) ହୋଇଯିବ । ଭାରତ ଯଦି ୮ଟି ବିଜୟ ହାସଲ କରେ ତେବେ ତା’ ଅଙ୍କ ୧୪୮ ସହ PCT ୬୮.୫୨% ହୋଇଯିବ ।

ଯଦି ଭାରତ ପରବର୍ତ୍ତୀ ମ୍ୟାଚ ଜିତିଯାଏ, ପୁଣି ଶ୍ରୀଲଙ୍କାକୁ ୨-୦ରେ ହରାଇଦିଏ, ନ୍ୟୁଜିଲାଣ୍ଡକୁ ୧-୧ରେ ଡ୍ର କରେ, ଅଷ୍ଟ୍ରେଲିଆା ବିପକ୍ଷରେ ଅତିକମରେ ୩ଟି ଜିତେ, ତେବେ ୭-୮ ସମ୍ଭବ ହୋଇପାରିବ । ମାତ୍ର ଏକ୍ଷେତ୍ରରେ ଅଧିକ ପରାଜୟ ଓ ଡ୍ର ଟିମ୍ ଇଣ୍ଡିଆର ବିପଦ ବଢ଼ାଇପାରେ ।

ଏଲନ ମସ୍କଙ୍କ ବଡ଼ ଘୋଷଣା: ଆସିଗଲା X Chat, ଏବେ WhatsApp ଓ Arattai ସହ ହେବ ମୁକାବିଲା

ବିଶ୍ବର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଏଲନ ମସ୍କ ନୂଆ ମେସେଜିଂ ସର୍ଭିସ ଲଞ୍ଚ କରିଛନ୍ତି । ଏହା ନାମ X Chat ରହିଥିବା ବେଳେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ହିଁ ଏହାକୁ ବ୍ୟବହାର କରିପାରିବେ । ଚ୍ୟାଟ ସର୍ଭିସର ୟୁଜ କରି ମେସେଜିଂ ଆପ ହ୍ବାଟସଆପ ଓ ଦେଶୀ ଆପ ଆରାଟ୍ଟାଇକୁ ଟକ୍କର ଦେବା ଲକ୍ଷ୍ୟରେ ରହିଛି ଏକ୍ସ । ଏହି ମେସେଜିଂ ସର୍ଭିସକୁ କିଛି ନୂଆ ଫିଚର୍ସ ସହିତ ଉପସ୍ଥାପନ କରାଯାଇଛି । ଏଥିରେ ଏଣ୍ଡ ଟୁ ଏଣ୍ଡ ଇନକ୍ରିପ୍ସନ, ଆଡଭାନ୍ସ ମେସେଜିଂ କଣ୍ଟ୍ରୋଲ ଓ ଅଲଗା ମେସେଜିଂ ଇନବକ୍ସ ମିଳିବ । ଏହି ଫିଚର ଆସିବା ପରେ ମଧ୍ୟ ୟୁଜର୍ସ ଡିଏମ ଓ ନ୍ୟୁ ମେସେଜିଂ ସର୍ଭିସ ଅଧୀନରେ ମିଳୁଥିବା ମେସେଜକୁ ଅଲଗା ଅଲଗା ଦେଖିପାରିବେ । ଏକ୍ସ ଏକ ପୂରା ନ୍ୟୁ କମ୍ୟୁନିକେସନ ସର୍ଭିସ ସହ ଆରମ୍ଭ ହୋଇଛି ବୋଲି ମସ୍କ କହିଛନ୍ତି । ଏନକ୍ରିପ୍ସନ ସହ ମେସେଜିଂ, ଅଡିଓ, ଭିଡିଓ ଓ ଫାଇଲ ଟ୍ରାନ୍ସଫର କରିହେବ । ଏଥିସହିତ ଖୁବଶୀଘ୍ର ଏକ୍ସ ମନି ଜାରି ହେବ ବୋଲି ସେ କହିଛନ୍ତି । ଏହା ଏକ ମନି ଟ୍ରାନ୍ସଫର ସର୍ଭିସ ହେବ । ଏକ୍ସ ମନିକୁ ଭାରତରେ ଲଞ୍ଚ କରାଯିବ କି ନାହିଁ ସେ ତାହା କହି ନାହାନ୍ତି । ଭାରତରେ ମନି ଟ୍ରାନ୍ସଫର ସୁବିଧା ପ୍ରଦାନ କରୁଥିବା ବହୁ ଆପ୍ସ ରହିଛି । ଲକ୍ସ ଚାଟକୁ ଏବେ କେବଳ iOS ଓ ଓ୍ବେବ ଭର୍ସନରେ ଲାଗୁ କରାଯାଇଛି । ଖୁବଶୀଘ୍ର ଏହାକୁ ଆଣ୍ଡ୍ରଏଡ ପାଇଁ ଜାରି କରାଯିବ ।