ଗୁଣୁପୁର: ଅଳ୍ପକେ ବର୍ତ୍ତିଗଲା ଲୋକଙ୍କ ଜୀବନ । ରାସ୍ତା ଉପରେ ତାଣ୍ଡବ ପୂର୍ବରୁ ଲୌହଦାନବକୁ ରୋକିଦେଲା ଗାର୍ଡୱାଲ । ଗତକାଲି ବିଳମ୍ବିତ ରାତିରେ ଗୁଣୁପୁର ଷ୍ଟେସନରେ ବଡ଼ ଅଘଟଣ ଅଳ୍ପକେ ଅଟକି ଯାଇଛି । ପୁରୀ-ଗୁଣୁପୁର ଫାଷ୍ଟ ପାସେଞ୍ଜର ରାତି ପ୍ରାୟ ୧୦ଟା ୩୦ରେ ଗୁଣୁପୁର ଷ୍ଟେସନରେ ପହଞ୍ଚିଥିଲା । ଇଞ୍ଜିନ୍ ପରିବର୍ତ୍ତନ କରି ଟ୍ରେନ୍ ଯାତ୍ରୀଙ୍କୁ ନେଇ ବାହାରିଥାନ୍ତା ପଲାସା ।
ହେଲେ, ତା ପୂର୍ବରୁ ଘଟିଗଲା ବଡ଼ ଅଘଟଣ । ଇଞ୍ଜିନ୍ ପରିବର୍ତ୍ତନ ବେଳେ ଇଞ୍ଜିନଟି ଆଗକୁ ମାଡ଼ି ଯାଇ ରାସ୍ତା ନିକଟ ଗାର୍ଡ ୱାଲକୁ ଧକ୍କା ଦେଇଥିଲା । ଫଳରେ ଗାର୍ଡ ୱାଲଟି ଭାଙ୍ଗି ଯାଇଛି । ତେବେ, ଇଞ୍ଜିନର ବେଗ ମନ୍ଥର ଥିବାରୁ ଡ୍ରାଇଭର ଅଟକାଇବାରେ ସମର୍ଥ ହୋଇଥିଲେ । ଇଞ୍ଜିନ୍ ଗାର୍ଡ ୱାଲରେ ଧକ୍କା ହେବା ପରେ ଅଟକି ନଥିଲେ । ରାସ୍ତା ଉପର ଦୋକାନକୁ ମାଡ଼ି ଯାଇଥାନ୍ତା ।
ଭାଙ୍ଗି ଯାଇଥିବା ଗାର୍ଡ ୱାଲରୁ ରାସ୍ତାର ଦୂରତା ମାତ୍ର ୧୦ ମିଟର । ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳ କରେ । ବହୁ ଦୋକାନ ମଧ୍ୟ ରହିଛି । ଇଞ୍ଜିନଟି ରାସ୍ତାଉପରକୁ ମାଡ଼ି ଯାଇଥିଲେ ଧନ ସହିତ ଜୀବନ ମଧ୍ୟ କ୍ଷୟ ହୋଇଥାନ୍ତା । ଗାର୍ଡ ୱାଲକୁ ଧକ୍କା ଦେବା ପରେ ଇଞ୍ଜିନର କିଛି ଅଂଶ ଭାଙ୍ଗି ଯାଇଛି ।
ଅନ୍ୟ ଏକ ଇଞ୍ଜିନ୍ ଆସି ଟ୍ରେନଟିକୁ ପଲାସା ଅଭିମୁଖେ ନେଇ ଯାତ୍ରା କରିଥିଲା । ଘଟଣାରେ ରେଳବାଇ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଜି ଏକ ଉଚ୍ଚସ୍ତରୀୟ ଟିମ୍ ତଦନ୍ତ ପାଇଁ ଆସିବ ।
ବର୍ତ୍ତିଗଲା ବଡ଼ ବିପଦ, ୧୦ ସେକେଣ୍ଡ ଯାଇଥିଲେ ରାସ୍ତାଉପରେ ଖେଳିଥାନ୍ତା ମୃତ୍ୟୁ ତାଣ୍ଡବ !
ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ କଟକର ନେତାଜୀ ମ୍ୟୁଜିୟମରେ ପୁଷ୍ପ ମାଲ୍ୟା ଅର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଆଜି ଦେଶର ଦୁଇ ମହାନ ବରପୁତ୍ରଙ୍କ ଜୟନ୍ତୀ । ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେଉଛି । କଟକରେ ନେତାଜୀ ମ୍ୟୁଜିୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଗୋଟିଏ ସମୟରେ ସମଗ୍ର ବିଶ୍ୱର ଶ୍ରଦ୍ଧା ଆଉ ସମ୍ମାନ ସାଉଁଟି ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ଓଡ଼ିଶା ଆଉ କଟକ ମାଟିର ପୁଅ। ଜୀବନର ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ୧୬ ବର୍ଷ ବିତାଇଥିଲେ ଏହି କଟକର ମାଟି, ପାଣି, ପବନରେ । ୧୮୯୭, ଜାନୁଆରି ୨୩ରେ କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ଭୂମିଷ୍ଠ ସୁଭାଷଙ୍କ ଶୈଶବ ଓ କିଶୋର ଅବସ୍ଥାର ମୂକସାକ୍ଷୀ ଏହି ସହର । ଷ୍ଟିୱାର୍ଟ ସ୍କୁଲ (ପ୍ରୋଟେଷ୍ଟାଣ୍ଟ ୟୁରୋପିୟାନ୍ ସ୍କୁଲ), ରେଭେନ୍ସା କଲିଜିଏଟ୍ ସ୍କୁଲ ରହିଛି ନେତାଜୀଙ୍କ ମେଧା ଆଉ ପ୍ରତିଭାର ସାକ୍ଷୀ । ବଙ୍ଗାଳୀସାହି ରାମକୃଷ୍ଣ କୁଟୀର, ପୁରୀଘାଟ ରହାସବିହାରୀ ମଠ, ଓଡ଼ିଆବଜାର ସଚ୍ଚିଦାନନ୍ଦ ମଠ, ଯାଜପୁର ମହାମାରୀ ସମୟରେ ସେବା ନେତାଜୀଙ୍କ ସେବାପରାୟଣତା ଭଳି ଅନେକ ଘଟଣାର ସ୍ମୃତି ସଜାଡି ରଖିଛି କଟକ ଆଉ ଓଡ଼ିଶା ମାଟି ।

ସୁରେନ୍ଦେର ସାଏଙ୍କ ବୀରତ୍ୱଗାଥା ମଧ୍ୟ କହିଲେ ନସରେ । ସେ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଥିବା ବରଗାଁରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ମୃତ୍ୟୁପରେ ସେ ତାଙ୍କ କାକାଙ୍କ ତତ୍ୱାବଧାନରେ ଘୋଡାଚଢା, ଖଣ୍ଡା ଓ ତୀର ଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ଭାରତରେ ସେ ଜଣେ ଅଗ୍ରଣୀ ସ୍ୱାଧିନତା ସଂଗ୍ରାମୀ ଥିଲେ । ଇଂଗ୍ରେଜ ମାନଙ୍କ ବିରୋଧରେ ଆନ୍ଦୋଳନ କରି ସେ ତାଙ୍କ ଜୀବନର ମୋଟ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ ଶାସକ ଓ ସୈନ୍ୟବାହିନୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲେ । ଇଂରେଜମାନଙ୍କୁ କଡା ଜବାବ ଦେବାପାଇଁ ୭ ଅକ୍ଟୋବର ୧୮୫୭ରେ ବାରଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ୱାସଘାତକତାର ଶିକାର ହୋଇ ସେ ବନ୍ଦୀ ହୋଇଥିଲେ ଓ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ମଧ୍ୟପ୍ରଦେଶର ଅସୁରଗଡ ଦୁର୍ଗରେ ହିଁ ତାଙ୍କର ପରଲୋକ ହୋଇଥିଲା ।

ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟା ଅର୍ପଣ କରିବେ । ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । କଟକ ଗସ୍ତ ପୂର୍ବରୁ ବିଧାନସଭା ପରିସରରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବେ ନବୀନ । ଇଂରେଜ ଶାସନ ବିରୋଧରେ ଲଢିଥିବା ଏହି ଦୁଇ ବୀର ପୁରୁଷଙ୍କୁ ଜୟନ୍ତୀ ଅବସରରେ ତାଙ୍କୁ ମନେ ପକାଉଛି ସାରା ଦେଶ ।
କଟକ: ବାଦାମବାଡ଼ିର ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଅଗ୍ନିକାଣ୍ଡ । ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।
କଟକ: ବାଦାମବାଡ଼ିର ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଅଗ୍ନିକାଣ୍ଡ । ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।
ପୁରୀ: ଆଜିଠୁ ମେରାଇନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ମିଳନୀ । ୨ ଦିନ ଧରି ସମ୍ମିଳନୀ ଚାଲିବ । ଯୋଗଦେବେ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ।
ପୁରୀ: ଆଜିଠୁ ମେରାଇନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ମିଳନୀ । ୨ ଦିନ ଧରି ସମ୍ମିଳନୀ ଚାଲିବ । ଯୋଗଦେବେ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ।
ସାହସି ବାଳିକାଙ୍କ ବିଦ୍ୟାଳୟରେ ହେବ ବାତ୍ୟା ଆଶ୍ରୟସ୍ଥଳୀ: ୧ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜାତୀୟ ସାହସିକତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ କେନ୍ଦ୍ରାପଡ଼ା ଜିଲ୍ଲାର ସବିତା ଗିରି ଓ ପୂର୍ଣ୍ଣିମା ଗିରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଇ ଭଉଣୀଙ୍କ ସାହସିକତାର ପ୍ରଶଂସା କରି ସେମାନେ ପଢୁଥିବା ହାଇସ୍କୁଲରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ୧କୋଟି ୨୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ଏହାର କାମ ଆରମ୍ଭ କରିବାକୁ ମୁଖ୍ୟମୁନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ଣ୍ଣିମା ଓ ସବିତା ଏହାର ଭିତ୍ତିପ୍ରସ୍ତର ଦେବେ ବୋଲି ନିଷ୍ପତ୍ତି ହୋଇଛି । କେନ୍ଦ୍ରାପଡ଼ାର ନିପାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣାରେ ଏହି ଦୁଇ ଭଉଣୀ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ଏଥିପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମନିତ କରିସାରିଛନ୍ତି ।
ନକଲି ଓ୍ୱେବସାଇଟ୍ ଖୋଲି ଲୁଟୁଥିଲେ କୋଟି କୋଟି ଟଙ୍କା: ଓ୍ୱାର୍ଣ୍ଣିଂ ମେଲ୍ ଜାରି କଲା IRCTC
ଭୁବନେଶ୍ୱର: ବେଆଇନ ଇ-ଟିକେଟିଂ ରାକେଟର ପର୍ଦ୍ଦାଫାସ କରିଛି ରେଳବାଇ ସୁରକ୍ଷା ବାହିନୀ । ନକଲି ଓ୍ୱେବସାଇଟ୍ ଖୋଲି ଲୋକଙ୍କୁ ଠକୁଥିଲେ । ଏହା ପରେ ରେଳବାଇ ପକ୍ଷରୁ ତାହାର ପଞ୍ଜିକୃତ ଗ୍ରାହଙ୍କୁ ଜାରି କରାଯାଇଛି ଓ୍ୱାର୍ଣ୍ଣିଂ ମେଲ୍ ।

ଯେଉଁଥିରେ ଏଭଳି ନକଲି ଓ୍ୱେବସାଇଟ୍ ସମ୍ପର୍କରେ ଅବଗତ କରାଯାଇଛି । ମେଲ୍ରେ କୁହାଯାଇଛି www.irctctour.com ନାଁରେ ଆଇଆରସିଟିସିର ଏକ ଅବିକଳ ନକଲ ଓ୍ୱେବସାଇଟ୍ ଖୋଲଯାଇଛି । ଯେଉଁଥିରେ ଲୋକଙ୍କୁ ବିଭିନ୍ନ ଟୁର୍ ପ୍ୟାକେଜ ଅଫର୍ କରାଯାଉଛି । ସେଥିରେ ନେଣ ଦେଣ କରୁଥିବା ଯାତ୍ରୀଙ୍କୁ ନକଲି ଟିକଟ୍ ଦେବା ସହ ସେମାନଙ୍କୁ ଠକୁଥିବା କୁହାଯାଇଛି । ଏଥିସହ ଏହି ନକଲି ଓ୍ୱେବସାଇଟ୍ ନାଁରେ ଆଇଆରସିଟିସି ପକ୍ଷରୁ ଅଫିସିଆଲ୍ ଅଭିଯୋଗ ମଧ୍ୟ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ କାଲି ଏହି ବଡ଼ ଧରଣ ବେଆଇନ୍ ଇ-ଟିକେଟିଂ ରାକେଟ୍ର ପର୍ଦ୍ଦାଫାସ କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଆରପିଏଫ୍ ଡିଜି ଅରୁଣ କୁମାର ସାହୁ । ଏହି ମାଷ୍ଟର ମାଇଣ୍ଡ ଗୁଲାମ ମୁସ୍ତାଫାକୁ ଗିରଫ କରି ପଚରାଉଚରା କରୁଛି ଆରପିଏଫ୍ । ଗିରଫ ଅଭିଯୁକ୍ତ ଝାଡଖଣ୍ଡର ଏକ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଏଭଳି ଜାଲିଆତି କରି ମାସିକ ପ୍ରାୟ ୧୦ରୁ ୧୫ କୋଟି ଆୟ କରୁଥିବା ପଚରାଉଚରା ବେଳେ ଆରପିଏଫ୍ ଜାଣିବାକୁ ପାଇଛି । ଏହି ଟଙ୍କାକୁ ମନି ଲର୍ଣ୍ଡିଂ ଓ ଟେରର୍ ଫଣ୍ଡିରେ ବ୍ୟବହାର କରୁଥିବା ସୂଚନା ରହିଛି । ତା’ ପାଖରୁ ଏଏନ୍ଏମ୍ଏସ୍ ନାମକ ସପ୍ଟଓ୍ୱେୟାର ଏବଂ ୨ଟି ଲାପଟପ୍ ଜବତ କରାଯାଇଛି । ଏଥିସହ ୫୬୩ ଆଇଆରସିଟିସି ଆଇଡି, ୨୪୦୦ ଏସ୍ବିଆଇ ଏବଂ ୬୦୦ ଗ୍ରାମୀଣ ବ୍ୟାଙ୍କର ଖାତା ଜବତ କରିଛି ଆରପିଏଫ୍ । ୨୦୧୯ରେ ଉତ୍ତରପ୍ରଦେଶର ଏକ ବିଦ୍ୟାଳୟରେ ଘଟିଥିବା ଏକ ବିସ୍ଫୋରଣ ମାମଲାରେ ସାମିଲ ଥିବା ମଧ୍ୟ ଜଣାପଡ଼ିଛି ।
ମୃତ୍ୟୁର ଆଭାସ ପାଇସାରିଥିଲେ ନିର୍ଭୟା ! ବାପା-ମାଆଙ୍କୁ ଡାକି କହିଥିଲେ କିଛି ଏମିତି କଥା
ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ୧ ଫେବୃୟାରୀ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଫେବୃଆରୀ ୨୨ରେ ଫାଶୀ ଦେବାନେଇ ଡେଥ୍ ୱାରେଣ୍ଟ ଜାରି କରିଥିଲେ ମାନ୍ୟବର କୋର୍ଟ । ଡେଥ୍ ୱାରେଣ୍ଟ ଜାରି ହେବା ପରେ ମୁକେଶଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ହୋଇଥିଲେ ରାଜକ୍ଷମା ଆବେଦନ । ରାଷ୍ଟ୍ରପତିଙ୍କ ପକ୍ଷରୁ ଆବେଦନ ଖାରଜ ପରେ ନୂଆ ଡେଥି ୱାରେଣ୍ଟ ଜାରି କରିଥିଲେ କୋର୍ଟ । ଏଥି ମଧ୍ୟରେ ଘଟଣା ସମୟରେ ନାବାଳକ ଥିବା ନେଇ ପୱନ ଗୁପ୍ତାଙ୍କ ତରଫରୁ ହୋଇଥିବା ଦଲିଲକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଏହାପରେ ଜାନୁଆରୀ ୨୨ ବଦଳରେ ଫେବ୍ରୁଆରୀ ୧ ତାରିଖରେ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବାକୁ ନିଷ୍ପତି ନିଆଯାଇଥିଲା । ନୂଆ ତାରିଖ ଘୋଷଣା କରିଥିଲେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ରାଜକ୍ଷମାକୁ ଖାରଜ କରିବା ପରେ ସାଧାରଣତଃ ଆଇନ ଅନୁସାରେ ଦୋଷୀକୁ ମାନସିକ ସ୍ଥରରେ ଦୃଢ ହେବା ପାଇଁ କିଛି ସମୟ ଦିଆଯାଇଥାଏ । ତେଣୁ ଫାଶୀ ତାରିଖକୁ ୨୨ରୁ ୧କୁ ଘୁଞ୍ଚାଇ ଦିଆଯାଇଥିଲା । ଏହିପରି ଆବେଦନ ଅନ୍ୟ ୩ ଜଣ ଦୋଷୀ ଆଉ କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଥିଲା । ତେବେ ବର୍ତ୍ତମାନ ଏହି ଦୋଷୀ ମାନେ ଦିନ ଗଡ଼ାଇବାକୁ ଅନ୍ୟ କେଉଁ ବିକଳ୍ପ ଆପଣାଉଛନ୍ତି ତାହା ଦେଖିବା ବାକି ରହିଲା ।

ଅନ୍ୟପଟେ ଦିନ ଯେତିକି ଗଡ଼ି ଚାଲିଛି ନିର୍ଭୟାଙ୍କ ମା’, ବାପାଙ୍କ ମନ ସେତିକି ଅସ୍ଥିର ହେଉଛି । ଆଖିରୁ ନିଦ ହଜାଇ ଦେଇଛି ଏହି ତାରିଖ । ନିର୍ଭୟାଙ୍କ ବାପା ଏହାକୁ ନେଇ କହିଛନ୍ତି ଯେ, ଝିଅର ନିଶ୍ୱାସ ଛଡ଼ାଇ ନେଇଥିବା ଏହି ଦୋଷୀଙ୍କ ଆଳାପ ତାଙ୍କ ହୃଦୟ ସ୍ପନ୍ଦନକୁ ଦ୍ରୁତ କରାଇ ଦେଉଛି । ସେହି ରାତିର ଘଟଣା ଆଜିବି ମନେପଡ଼ । ୧୩ ଦିନ ଧରି ମୃତ୍ୟୁ ସହ ଲଢ଼େଇ କରିଥିଲା ନିର୍ଭୟା । ଶେଷରେ ହାର ମାନିଯାଇ ମୃତ୍ୟୁକୁ ସାଥି କରି ଚାଲି ଯାଇଥିଲା ପଶୁ ସଦୃଶ ଲୋକଙ୍କ ଭିଡ଼ରୁ ବହୁ ଦୂରକୁ ।

ପୁର୍ବ ଘଟଣା ଅନୁଯାୟୀ ୧୬ ଡିସେମ୍ବର, ୨୦୧୨ ରାତିରେ ୨୩ ବର୍ଷିୟା ନିର୍ଭୟାଙ୍କୁ ଚଳନ୍ତା ବସରେ ୬ ଜଣ ଦୁର୍ବୃତ୍ତ ମିଶି ଗଣଦୁଷ୍କର୍ମ କରିବା ପରେ ରାସ୍ତାକୁ ଫୋପାଡ଼ି ଦେଇଥିଲେ । ସାଙ୍ଗରେ ଥିବା ପୁରୁଷ ବନ୍ଧୁ ମଧ୍ୟ ଦୁର୍ବୃତ୍ତ ମାନଙ୍କ ଆକ୍ରମଣର ଶିକାର ହେଇଥିଲେ । ଘଟଣା ସ୍ଥଳରେ ନିର୍ଭୟା ଗୁରୁତର ଭାବେ ଆହତ ହୋଇଥିଲେ ଓ ୨୯ ଡିସେମ୍ବର ଦିନ ସିଙ୍ଗାପୁରର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିର୍ଭୟା ।
୧୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ନିର୍ଭୟା ଜୀବନ ସହ ପ୍ରତ୍ୟେକ ମୁହୁର୍ତ୍ତ ଲଢ଼ି ଚାଲିଥିଲେ । ଆଉ ସେହି ମୁହୁର୍ତ୍ତରେ ତାଙ୍କସହ ସ୍ତମ୍ଭ ପରି ଠିଆ ହୋଇଥିଲେ ତାଙ୍କ ମାଆ ବାପା । ଝିଅର ପ୍ରତିଟି ନିଶ୍ୱାସକୁ ସେଠାରେ ଅନୁଭବ କରିପାରୁଥିଲେ ସେମାନେ ।
ମୃତ୍ୟୁଦିନ ନିର୍ଭୟା ନିଜେ ତାଙ୍କ ମାଆଙ୍କୁ ଶୀଘ୍ର ଖାଇସାରି ଫେରିବାକୁ ପଠାଇ ଦେଇଥିଲେ ଆଉ ଫେରି ଆସିଲା ବେଳକୁ ଆଖି ବୁଜିସାରିଥିଲେ ନିର୍ଭୟା ।
‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
ମୃତ୍ୟୁ ନେଇ ବୋଧେ ଆଗରୁ ଜାଣିପାରିଥିଲା ନିର୍ଭୟା ଏଣୁ ସେହି ଦିନ ତାଙ୍କ ବାପାଙ୍କୁ ଡାକି Sorry କହିଥିଲା ବୋଲି କହିଛନ୍ତି ନିର୍ଭୟାଙ୍କ ମାଆ । ‘ମୁଁ ତମ ଦୁଇ ଜଣଙ୍କୁ ବହୁ କଷ୍ଟ ଦେଇ ସାରିଲିଣି’ ଏହା କହି ତାଙ୍କ ମା’ଙ୍କ ହାତ ଆଣି କୁଣ୍ଢେଇ ପକାଇଥିଲେ । ତା’ଙ୍କ ମା’ଙ୍କ କହିବାନୁସାରେ ନିର୍ଭୟା ପ୍ରତ୍ୟେକ ଦିନ ସିଙ୍ଗାପୁରରେ ନିଜ ହାତରେ କିଛି ଗୋଟେ ଗଣୁଥିବାର ସେ ଅନୁଭବ କରିଛନ୍ତି । ସତେ ଯେମିତି ସେ ମୃତ୍ୟୁ ଦିନକୁ ଗଣୁଥିଲା । ଏହା ସହ ସେ ମା’ଙ୍କୁ ସବୁବେଳେ ଆଜି କଉଦିନ ହେଲା ବୋଲି ମଧ୍ୟ ପଚାରୁଥିଲେ । ଆଉ ଶୀଘ୍ର ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରୁଥିଲେ । ଆଉ ଯେବେ ନର୍ସ ତାଙ୍କ ଦେହ ଠିକ୍ ନାହିଁ ବୋଲି କହୁଥିଲେ ସେତେବେଳେ ହତାଶ ହେଇଯାଉଥିବା ଆଶାଦେବୀ କହିଛନ୍ତି ।
ଲୋକଙ୍କୁ ଭକୁଆ ବନାଉଛନ୍ତି ଆମାଜନ୍ ଓ ଫ୍ଳିପ୍କାର୍ଟ !: ତଦନ୍ତ ନିର୍ଦ୍ଦେଶ ଦେଲେ ସିସିଆଇ
ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ବ୍ୟବହୃତ ଇ-କମର୍ସ ଓ୍ୱେବ୍ସାଇଟ ଆମାଜାନ୍ ଓ ଫ୍ଳିପ୍କାର୍ଟ ପକ୍ଷରୁ ଦିଆଯାଉଥିବା ଡିସ୍କାଉଣ୍ଟର ହେବ ତଦନ୍ତ । ଏନେଇ ନିର୍ଦ୍ଦେଶ ଦେଇଛି କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ ବା ସିସିଆଇ ।

ଏହି ୨ ଓ୍ୱେବସାଇଟ୍ ନିର୍ଦ୍ଦିଷ୍ଟ ଭାବେ କିଛି ସେଲରଙ୍କୁ ସେମାନଙ୍କ ପ୍ରଡକ୍ଟ ବିକ୍ରି ନିମନ୍ତେ ସହଯୋଗ କରିବା ସହ ସେମାନଙ୍କ ସାମଗ୍ରୀଙ୍କୁ ଅଧିକ ପ୍ରମୋଟ୍ କରୁଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ବ୍ୟବସାୟୀ ମହାସଂଘ ପକ୍ଷରୁ ଅଭିଯୋଗ ପରେ ସିସିଆଇ ପକ୍ଷରୁ ତଦନ୍ତ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

ସିସିଆଇ ପକ୍ଷରୁ ଦିଆଯାଇଥିବା ୧୧ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶନାମାରେ ଆମାଜନ୍ ଓ ଫ୍ଳିପ୍କାର୍ଟ ଦ୍ୱାରା ୪ଟି ଆଣ୍ଟି କମ୍ପିଟିସନ୍ ପ୍ରାକ୍ଟିସ୍ ହୋଇଥିବା ଦେଖାଯାଇଛି । ଏକ୍ସକ୍ଳୁସିଭ୍ ମୋବାଇଲ୍ ଫୋନ୍ ବିକ୍ରି ବେଳେ କିଛି ନିର୍ଦ୍ଦିଷ୍ଟ ସେଲରଙ୍କୁ ପ୍ରମୋଟ କରାଯାଉଥିବା କୁହାଯାଉଛି ।
ଅପରପକ୍ଷରେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତକୁ ସ୍ୱାଗତ କରିଛି ଆମାଜନ୍ । ସେହିପରି ସିସିଆଇ ପକ୍ଷରୁ ଜାରି ନିର୍ଦ୍ଦେଶର ସମୀକ୍ଷା କରାଯାଉଥିବା କହିଛିନ୍ତି ଫ୍ଳିପ୍କାର୍ଟର ସିନିୟର ଭାଇସ୍ ପ୍ରେସିଡେଣ୍ଟ ।

ସିସିଆଇ କ’ଣ: ୨୦୦୨ରେ ସଂସଦରେ ଦି କମ୍ପିଟସନ୍ ଆକ୍ଟ-୨୦୦୨ ପାସ୍ କରାଯାଇଥିଲା । ତଦ୍ନୁଯାୟୀ ୧୪ ଅକ୍ଟୋବର ୨୦୦୩ରେ କମ୍ପିଟିସନ୍ କମିଶନ୍ ଅଫ୍ ଇଣ୍ଡିଆ ଗଠନ ହୋଇଥିଲା । ଯାହା ମାର୍କେଟରେ କମ୍ପିଟିସନ୍ ବଜାୟ ରଖିବା ନେଇ ଧ୍ୟାନ ଦେବ । ଯାହା ଦ୍ୱାରା ଦେଶର ଜନସାଧାରଣର କମରୁ କମ୍ ଦାମରେ ସେମାନଙ୍କ ଆବଶ୍ୟକ ସାମଗ୍ରୀ ପାଇପାରିବେ । ଗ୍ରାହକଙ୍କୁ ହାନି ପହଞ୍ଚାଇଲା ଭଳି ପ୍ରଡକ୍ଟକୁ ମାର୍କେଟରୁ ହଟାଇବା ଦିଗରେ ମଧ୍ୟ କାର୍ଯ୍ୟ କରେ ସିସିଆଇ ।
ହରଭଙ୍ଗାରେ ସ୍ଥାୟୀ ବିଡ଼ିଓ ନିଯ଼ୁକ୍ତି ଦାବି, ୩ୟ ଦିନରେ ପହଁଚିଲା ଆନ୍ଦୋଳନ
ବୌଦ୍ଧ: ଜୋର ଧରିଛି ସ୍ଥାୟୀ ବିଡ଼ିଓ ନିଯ଼ୁକ୍ତି ଦାବି । ୩ୟ ଦିନରେ ପହଁଚିଛି ଆନ୍ଦୋଳନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ସମିତି ସଭ୍ୟ ଓ ସରପଞ୍ଚ ସଂଘ ପକ୍ଷରୁ ଜାରି ରହିଛି ଧାରଣା । ଫଳରେ ବ୍ଲକରେ କାମ ବନ୍ଦ ହୋଇଯାଇଛି । କିଛି ଦିନ ତଳେ ବ୍ୟାପକ ଅନିୟମିତତା ନେଇ ହରଭଙ୍ଗା ବିଡ଼ିଓଙ୍କୁ ନିଲମ୍ବନ କରାଯାଇଥିଲା । ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବିଡ଼ିଓ ନିଯ଼ୁକ୍ତି ହୋଇପାରି ନାହିଁ । ତେଣୁ ତିନି ଦିନ ଧରି ଧାରଣା ଜାରି ରହିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି ।
ଗଗନଯାନରେ ଯିବ ରୋବଟ ବ୍ୟୋମମିତ୍ରା: ମହାକାଶର ତାପମାତ୍ରା ମାପିବା ସହ ହୃଦୟ ସ୍ପନ୍ଦନ ରେକର୍ଡ କରିବ ରୋବଟ
ବାଙ୍ଗାଲୁଗୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ୨୦୨୨ରେ ଗଗନୟାନ ମିଶନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହା ପୂର୍ବରୁ ମାନବ ରୋବୋଟ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି ।
Bengaluru: ISRO's half humanoid 'Vyommitra' to be placed in the first unmanned mission under #Gaganyaan to simulate most of the human body functions. Sam Dayal, ISRO scientist says, "It will try to simulate a human & report back to us. We are doing this as an experiment". pic.twitter.com/tikJJLierO
— ANI (@ANI) January 22, 2020
ବୁଧବାର ବ୍ୟୋମମିତ୍ରାର ଫଟୋ ଏବଂ ଭିଡ଼ିଓ ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଏହା ମଣିଷ ଭଳି ଆଚରଣ ପ୍ରଦର୍ଶନ କରିବାକୁ ସକ୍ଷମ । କେତେକ ପ୍ରଶ୍ନରେ ଏହି ରୋବୋଟ ବିଶ୍ଲେଷଣାତ୍ମକ ସମୀକ୍ଷା କରିପାରିବ ବୋଲି ଇସ୍ରୋ ବୈଜ୍ଞାନିକ ସୈମ୍ ଦୟାଲ ସୂଚନା ଦେଇଛନ୍ତି।
Humanoid for Gaganyaan unveiled. This is the prototype humanoid which will go as trial before #gaganyaan goes with astronauts. This humanoid speaks too and is named Vyom Mitra . pic.twitter.com/TKX6pbLyrb
— PB-SHABD (@PBSHABD) January 22, 2020
୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁଲାଇରେ ରୋବୋଟ ବ୍ୟୋମମିତ୍ରାକୁ ମହାକାଶକୁ ପଠାଯିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି।

ଇସ୍ରୋର ଗଗନୟାନ ମାନବ ମିଶନରେ ସାମିଲ୍ ହେବାକୁଥିବା ୪ ଜଣ ମହାକାଶଚାରୀଙ୍କୁ ଚଳିତ ବର୍ଷ ଜାନୁୟାରୀ ଶେଷ ସପ୍ତାହରେ ତାଲିମ ପାଇଁ ରୁଷିଆ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଗଗନୟାନ ମିଶନ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ବହୁ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ। ଇସ୍ରୋର ଏହି ମିଶନରେ କୌଣସି ମହିଳା ମହାକାଶଚାରୀ ସାମିଲ୍ ହେବେ ନାହିଁ।

ତେବେ ମାନବ ବିହୀନ ମିଶନରେ ମହିଳାଙ୍କ ପ୍ରତିକୃତି ସଦୃଶ ରୋବୋଟ ବ୍ୟୋମମିତ୍ରକୁ ପଠାଯିବ। ଏହା ମହାକାଶର ତାପମାତ୍ରା ମାପିବା ସହିତ ହୃଦୟ ସ୍ପନ୍ଦନ ରେକର୍ଡ କରିବା ଆଦି ବହୁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିବ। ପରେ ଏହାକୁ ମାନବ ମିଶନରେ ମଧ୍ୟ ସାମିଲ୍ କରାଯିବ ବୋଲି ଶିବନ୍ କହିଛନ୍ତି ।

