spot_img
Home Blog Page 746

ମେ ୧୮, RCB ପାଇଁ ଶୁଭ, ଯଦି ଏହି ଭୁଲ୍ ହୁଏ ତାହେଲେ ପ୍ଲେଅଫ୍ ଆଶା ମଉଳିପାରେ..

ନନ୍ଦିଘୋଷ ବ୍ୟୁରୋ: ଭାରତ – ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫ ସ୍ଥଗିତ ରହିଥିଲା । ପୁଣିଥରେ ୧୭ରୁ ମ୍ୟାଚ ଆରମ୍ଭ ହୋଇଥିବାବେଳେ ବର୍ଷା ପାଇଁ ଆରସିବି ଏବଂ କେକେଆର ମ୍ୟାଚରେ ପଏଣ୍ଟ ଭାଗ ହୋଇଥିଲା । ତେବେ ଆଜି ଅର୍ଥାତ ୧୮ ମେରେ ଖେଳାଯିବାକୁ ଥିବା ମ୍ୟାଚ ଆରସିବି ପାଇଁ ବେଶ ଲାଭଦାୟକ ହେବାକୁ ଯାଉଛି । ଏପରିକି ଆରସିବି ଏବେ ପଏଣ୍ଟ ଟେବୁଲରେ ଉପରେ ଥିଲେ ସୁଦ୍ଧା ପ୍ଲେଅଫ ରାସ୍ତାରେ ଆଜିର ମ୍ୟାଚ ମଧ୍ୟ କଣ୍ଟା ସାଜିପାରେ ।

ଆଜି ୨ଟି ମ୍ୟାଚ ଖେଳାଯିବାକୁ ଯାଉଛି । ପ୍ରଥମ ମ୍ୟାଚଟି ପଞ୍ଜାବ କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ସେପଟେ ଦ୍ବିତୀୟ ମ୍ୟାଚରେ ଗୁଜୁରାଟ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ପ୍ରଥମ ମ୍ୟାଚରେ ଯଦି ପଞ୍ଜାବ ବଡ଼ ରନ ବ୍ୟବଧାନରେ ଜିତେ ତାହେଲେ ପଏଣ୍ଟ ଟେବୁଲରେ ଆରସିବି ଉପରକୁ ଯିବ । ସେପଟେ ଦ୍ବିତୀୟ ମ୍ୟାଚରେ ଗୁଜୁରାଟ ଯଦି ଦିଲ୍ଲୀ କ୍ୟାପିଟାଲ୍ସଠାରୁ ଜିତେ ତାହେଲେ ୧୮ ପଏଣ୍ଟ ସହ ଟେବୁଲ ଟପ୍ପର ହେବ । ଆରସିବି ସିଧାସଳଖ ୩ ନମ୍ବରକୁ ଖସି ଆସିବ । ବାକି ମ୍ୟାଚରେ ନିଜେ ଜିତିବା ସହ ଅନ୍ୟମାନଙ୍କ ବିଜୟ ହାରିବା ଉପରେ ନିର୍ଭର କରିବ । ଗତବର୍ଷ ୧୮ ମେରେ ଆରସିବି ପ୍ଲେଅଫରେ ଟିକେଟ ହାତେଇଥିଲା । ଏବେ ପ୍ଲେଅଫ ରେସରେ ୬ଟି ଟିମ ରହିଥିବାବେଳେ ବାକି ମ୍ୟାଚ ଗୁଡିକ ବେଶ ରୋମାଞ୍ଚକର ହେବାକୁ ଯାଉଛି ।

 

ଲୋନ୍ ଟଙ୍କା ନେଇ ମହିଳା ଫେରାର

ନନ୍ଦିଘୋଷ ବ୍ୟୁରୋ: ଲୋନ୍ ଟଙ୍କା ନେଇ ମହିଳା ଫେରାର । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଧୋୟାକଣା ଗ୍ରାମରୁ ଆସିଛି ଅଭିଯୋଗ । ଝିଲି ଦାସ ଗ୍ରାମର ମହିଳାଙ୍କ ନାମରେ ବିଭିନ୍ନ ବ୍ୟାଙ୍କ ଓ ପ୍ରାଇଭେଟ୍ ଫାଇନାନ୍ସରୁ ୫୦ ଲକ୍ଷ ଟଙ୍କା ଲୋନ୍ କରି ଫେରାର୍ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଶନିବାର ବାଲିଛାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା । ଏନେଇ ବାଲିଛାଇ ଫାଣ୍ଡି ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ଠକାମୀର ଶିକାର ହୋଇଥିବା ମହିଳା ବାଲିଛାଇ ଫାଣ୍ଡି ସମ୍ମୁଖରେ ଛିଡ଼ା ହୋଇ ଝିଲି ଦାସକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

 

ତାଳଚେରରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ଅଭିଯୁକ୍ତର ସିନ୍ ରିକ୍ରିଏସନ୍

ନନ୍ଦିଘୋଷ ବ୍ୟୁରୋ: ବହୁ ଚର୍ଚ୍ଚିତ ତାଳଚେର ଷ୍ଟେସନ ଯିବା ବାଟରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଅଟୋ ଚାଳକ ବିଶୁ ଗୋଛାୟତକୁ ଗିରଫ ପରେ ସିନ ରିକ୍ରିଏସନ କରାଉଛି ପୋଲିସ। ଅପରାଧ ଘଟାଇଥିବା ସମସ୍ତ ସ୍ଥାନରେ ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ କରାଉଛି ପୋଲିସ। ଅଟୋରେ ନେଇ ଦୁଷ୍କର୍ମ ପରେ କିଭଳି କରିଥିଲା ହତ୍ୟା, ସନେଇ ପୋଲିସ ଆଗରେ ଗୋଟି ଗୋଟି କରି ବଖାଣୁଛି ଅଭିଯୁକ୍ତ। ସିନ ରିକ୍ରିଏସନ ସମୟରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଘେରାଉ କରିଛନ୍ତି।

 

ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଗଜପତି ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା। ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ଗୁରୁତର ଥିବା ବେଳେ, ୧୦ରୁ ଅଧିକ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଭାରସାମ୍ୟ ହରାଇବାରୁ ବସଟି ପାହାଡକୁ ଧକ୍କା ଦେଇଥିଲା। ବସରେ ପ୍ରାୟ ୨୩ରୁ ଅଧିକ ଯାତ୍ରୀ ଥିଲେ। ଭୁବନେଶ୍ଵରରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ଘଟିଛି ଦୁର୍ଘଟଣା। ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

 

ବିମଳାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ବିମଳାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ମାଲବାହୀ ଟ୍ରେନ୍ ନମ୍ୱର BOSM779 ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଳାଗଡ ପଟକୁ ଯାଉଥିବା ବେଳେ ଡ୍ୟାମ୍ ବସ୍ତି ନିକଟରେ ଲାଇନଚ୍ୟୁତ ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନଥିବା ବେଳେ, ଘଟଣା ସ୍ଥଳରେ ରେଲୱେ କର୍ମଚାରୀ ପହଞ୍ଚି ବଗି ଗୁଡ଼ିକୁ ଟ୍ରାକକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା କାରଣରୁ ଏହି ରୁଟରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି। କେଉଁ କାରଣରୁ ୪ଟି ବଗି ଲାଇନ୍ ଚ୍ୟୁତ୍ ହେଲା, ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ ବିଭାଗ।

ବ୍ରହ୍ମପୁର ଜେଲ ରୋଡ ନିକଟରୁ ୩ଟି ଅଫୁଟା ବୋମା ସହ ୫ ଖଣ୍ଡା ଜବତ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ଜେଲ ରୋଡ ନିକଟରୁ ୩ଟି ଅଫୁଟା ବୋମା ସହ ୫ଟି ଖଣ୍ଡା ଜବତ ହୋଇଛି। ଜବତ କରିଛି ଲାଞ୍ଜିପଲ୍ଲୀ ଫାଣ୍ଡି ଓ ବୈଦ୍ୟନାଥ ପୋଲିସ। ଆଜିଠୁ ଲାଞ୍ଜିପଲ୍ଲୀ ମାଆ ତାରା ଦେବୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ବୋମା ଓ ଖଣ୍ଡା ଜବତ ହୋଇଛି। ଯାତ୍ରା ପୂର୍ବରୁ ଅପରାଧୀଙ୍କ ବଡ଼ ଧରଣର କ୍ରାଇମ ଷଡଯନ୍ତ୍ରକୁ ପଣ୍ଡ କରିଛି ପୋଲିସ।  କିଏ କାହିଁକି ଏଠାରେ ବୋମା ରଖିଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ। କେଉଁ ଗ୍ୟାଙ୍ଗର ଅପରାଧୀକୁ ଅନ୍ୟ ଗ୍ୟାଙ୍ଗ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି। ବୋମା ନିଷ୍କ୍ରିୟ ଟିମ ପହଂଚି ୩ଟି ବୋମାକୁ ନିଷ୍କ୍ରିୟ କରିଛି।

ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ

ନନ୍ଦିଘୋଷ ବ୍ୟୁରୋ: ବଦଳୁଛି ପାଗର ମିଜାଜ। ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ। ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳୁ ଓ କାଳବୈଶାଖୀ ବର୍ଷା । ଆଜି ବି କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଏନେଇ ମାଲକାନଗିରି ,କୋରାପୁଟ, ରାୟଗଡା,ନବରଙ୍ଗପୁର, ଗଂଜାମ , ଗଜପତି, ନୂଆପଡା, ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ, ଢେଙ୍କାନାଳ, ଯାଜପୁର ,କେନ୍ଦୁଝର ଝାରସୁଗୁଡା ଓ ସୁନ୍ଦରଗଡ ଭଳି ୧୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  କାଳବୈଶାଖୀ  ସମୟରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ନେଇ ସମସ୍ତ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣି ଜାରି କରାଯାଇଛି ।

ଆଜି ଲଣ୍ଡନରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ପୁଣି ଇସ୍କନର ମନମାନି । ଆଜି ଲଣ୍ଡନରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀ ଯୋଗଦେବା ପାଇଁ ଅନଲାଇନ ମାଧ୍ୟମରେ ସୂଚନା ଦେଇଛି ଇସ୍କନ । ୟୁଟ୍ୟୁବର ଗୋବିନ୍ଦ କ୍ରୀଷ୍ଣ ଦାସ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେବା ନେଇ ମଧ୍ୟ ସୂଚନା ରହିଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ । ତେବେ ଏହି ଘଟଣାକୁ ନେଇ ପୁରୀରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟକରୁଥିବାକୁ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ବଲଭଦ୍ରଙ୍କ ବାଡ଼ଗ୍ରାହୀ ଏହାକୁ ତୀବ୍ର ବିରୋଧ କରିଥିବାବେଳେ ରଥଯାତ୍ରା ବନ୍ଦ କରିବା ନେଇ ସରକାର ପଦକ୍ଷେପ ନେବାକୁ ମତ ରଖିଛନ୍ତି ।

ଆଜି ସରୁଛି ଭାରତ-ପାକ୍ ଅସ୍ତ୍ରବିରତି ଅବଧି

ନନ୍ଦିଘୋଷ ବ୍ୟୁରୋ: ଆଜି ସରୁଛି ଭାରତ-ପାକ୍ ଅସ୍ତ୍ରବିରତି ଅବଧି। ୧୮ ତାରିଖ ପର୍ଯ୍ୟନ୍ତ ସୀମାରେ ଫାୟାରିଂ ନ କରିବାକୁ ଦୁଇ ଦେଶ ରାଜି ହୋଇଥିଲେ। ଆଜି ଏହି ଡେଡ୍ ଲାଇନ ସରୁଛି। ତା ପରେ କଣ ହେବ ଦୁଇ ଦେଶର ଆଭିମୁଖ୍ୟ, ତାକୁ ନେଇ ସସପେନ୍ସସ ଲାଗି ରହିଛି। ଦୁଇ ଦେଶ ପୁଣି ଥରେ ଏହି ଅସ୍ତ୍ରବିରତି ଚୁକ୍ତିର ଅବଧିକୁ ବୃଦ୍ଧି କରିବେ ନା ପୁଣି ଥରେ ସୀମାରେ ଗର୍ଜିବ ବନ୍ଧୁକ ଗୁଳି, କମାଣ, ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି। ପହଲଗାଁଓ ଆତଙ୍କବାଦୀ ଆକ୍ରମଣ, ତା ପରେ ଭାରତର ଅପରେସନ ସିନ୍ଦୂର ପରେ ସୀମାରେ ପ୍ରବଳ ଫାୟାରିଂ ହୋଇଥିଲା। ଉଭୟ ପଟୁ ପ୍ରବଳ ଗୁଳି ଗୋଳା ବର୍ଷଣ ହୋଇଥିଲା। ୧୦ ତାରିଖରେ ଡିିଜିଏମଓ ସ୍ତରୀୟ ଆଲୋଚନା ପରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଥିଲେ। ଏହାକୁ ୧୮ ତାରିଖ ଅର୍ଥାତ ଆଜି ଯାଏ ବୃଦ୍ଧି କରାଯାଇଥିଲା। ଏବେ କଣ ହେବ, ତାକୁ ନେଇ ଲାଗି ରହିଛି ସସପେନ୍ସ।

ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହେଲା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନୂଆ ଟିମ୍‌ । ପୁନର୍ଗଠିତ ହୋଇଛ ରାଜ୍ୟ କଂଗ୍ରେସ । ୭ ଜଣ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କ ସମେତ ଘୋଷଣା ହୋଇଛି ସୋସିଆଲ ମିଡିଆ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ । ଏହା ଉପରେ ମୋହର ମାରିଛନ୍ତି ଏଆଇସିସି ସଭାପତି । ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ପାଇବାର ଦୁଇ ମାସ ପରେ ନିଯୁକ୍ତି ପାଇଛନ୍ତି ଦଳର କର୍ମକର୍ତ୍ତା । ଉପସଭାପତି ଭାବେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ବିଧାୟକ ସି.ଏସ୍. ରାଜନ ଇକା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ନିଯୁକ୍ତି ପାଇଛନ୍ତି । ନୂଆ କମିଟି ଗଠନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୁପାରିଶ ଆଧାରରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମଞ୍ଜୁରୀ ଦେଇଥିବା ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ.ସି ବେଣୁଗୋପାଳ ଜଣାଇଛନ୍ତି ।