spot_img
Home Blog Page 742

ମୋଦି ସରକାରର ୧୧ ବର୍ଷ, ମୋହନ ସରକାରର ଏକ ବର୍ଷ ପାଳନ ପାଇଁ ବିଜେପିର ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରରେ ମୋଦି ସରକାରକୁ ୧୧ ବର୍ଷ ଓ ରାଜ୍ୟରେ ମୋହନ ସରକାରକୁ ବର୍ଷେ ପୂରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖକୁ ନେବାକୁ ଖସଡ଼ା ପ୍ରସ୍ତୁତ କରିଛି ବିଜେପି । ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମାବେଶ କରିବ ବିଜେପି ।  ଜୁନ୍ ୯ରୁ ଜୁନ୍ ୧୯ ଯାଏଁ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ । ଜୁନ୍ ୨୦ରେ ଭୁବନେଶ୍ବର ଜନତା ମଇଦାନରେ ହେବାକୁ ଥିବା ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏସବୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଛି ପ୍ରସ୍ତୁତି ବୈଠକ ।

ବର୍ଷ ଏକ, ଉପଲବ୍ଧି ଅନେକ । ରାଜ୍ୟରେ ପ୍ରଥମ ଥର ପାଇଁ ଆସିଥିବା ବିଜେପି ସରକାର ପାଳିବ ବର୍ଷ ପୂର୍ତ୍ତି । ବର୍ଷକରେ ବିଭିନ୍ନ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ବିଷୟରେ ଲୋକଙ୍କୁ ଜଣାଯିବ । ଏହାସହ କେନ୍ଦ୍ରରେ ମୋଦୀ ସରକାରର ୧୧ ବର୍ଷ ପୂର୍ତ୍ତିକୁ ମଧ୍ୟ ବିଜେପି ଧୂମଧାମରେ ପାଳନ କରିବାକୁ ଯୋଜନା କରିଛି । ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲା ମୁଖ୍ୟାଳୟ ଓ ପ୍ରମୁଖ ସହରରେ କେନ୍ଦ୍ରୀୟ ନେତା ସାମ୍ବାଦିକ ସମ୍ମିଳନୀ କରିବେ । କଟକରେ ମହିଳା ସମାବେଶ, ବାରିପଦାରେ ଯୁବ ସମାବେଶ, ବଲାଙ୍ଗୀରରେ ଚାଷୀ ସମାବେଶ, ଢେଙ୍କାନାଳରେ ଓବିସି ସମାବେଶ କରିବ ବିଜେପି । ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ହୋଇଛି । ବିଧାୟକଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ କାର୍ଯ୍ୟକ୍ରମ ସଫଳ କରିବାକୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଜୁନ୍ ୯ରୁ ଜୁନ୍ ୧୯ ଯାଏଁ ରାଜ୍ୟବ୍ୟାପୀ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ହେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିଛନ୍ତି । ସରକାରଙ୍କ ତରଫରୁ ବିଭାଗଓ୍ବାରୀ ସମୀକ୍ଷା କରାଯାଇ ସଫଳତାର ତାଲିକା ରଖାଯାଉଛି । ନିର୍ବାଚନ ବେଳେ ଦଳ ପକ୍ଷରୁ ୨୨ଟି ସଂକଳ୍ପ ନିଆଯାଇଥିଲା। ଏଥିରୁ ୧୦ଟିରେ କାମ ଆରମ୍ଭ ହୋଇଥିବା ବେଳେ ବାକି ୧୧ଟି ଉପରେ ପଦକ୍ଷେପ ନିଆଯିବ ବୋଲି ବିଜେପି ନେତାମାନେ କହିଛନ୍ତି । ଜୁନ୍ ୨୦ ତାରିଖରେ ବର୍ଷପୂର୍ତ୍ତିର ଉଦଯାପନୀ ଉତ୍ସବ ଭୁବନେଶ୍ବରର ଜନତା ମଇଦାନରେ କରାଯିବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ ସରକାରକୁ ବର୍ଷେ ପୂରୁଥିବା ବେଳେ ଏବେ ବି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ, ପୋଲାଭରମ ଓ ମହାନଦୀ ବିବାଦ, ସୀମା ବିବାଦ ଭଳି ଲୋକଙ୍କ ପ୍ରସଙ୍ଗ ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ବର୍ଷକର ସଫଳତା ସହ ଆଗାମୀ ୪ ବର୍ଷ ଯୋଜନା ବାବଦରେ ଦଳ ରାଜ୍ୟବାସୀଙ୍କ ପାଖରେ ହିସାବ ଦେବାକୁ ପ୍ରସ୍ତୁତ ହେଉଛି ।

ମେ’ରେ ବଜ୍ରପାତ ନେଇଛି ୧୯୯ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢାଇଛି ବଜ୍ରପାତ । ଆକାଶରୁ ନିଆଁ ସାଜିଛି ଖସୁଛି କାଳ । ମେ’ ମାସରେ ସାରାଦେଶରେ ବଜ୍ରପାତ ନେଇଛି ୧୯୯ ନିରୀହ ଜୀବନ । ଏ ନେଇ ସଦ୍ୟ ପ୍ରକାଶ ପାଇଥିବା IMD ରିପୋର୍ଟ ବଢ଼ାଇଛି ଉଦବେଗ ।

ଚଳିତବର୍ଷ ମେ’ ମାସରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସାରା ଦେଶରେ ପାଖାପାଖି ୨୬୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ, କେବଳ ବଜ୍ରପାତରେ ହିଁ ୧୯୯ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଦେଶର ୧୯ଟି ରାଜ୍ୟ ଭିତରେ ଓଡିଶା ବି ରହିଛି । ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଝାଡଖଣ୍ଡ, ବିହାର, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆସାମ, ଗୁଜରାଟ, କେରଳ, ପଞ୍ଜାବ, ଚଣ୍ଡୀଗଡ଼ ସହିତ ଜାମ୍ମୁ ଓ କାଶ୍ମୀର ଏହି ତଥ୍ୟରେ ଅନ୍ତର୍ଭୁକ୍ତ ଅଛି ।

ତେବେ ମେ’ ମାସରେ ମୌସୁମୀ ଜନିତ ବର୍ଷା ପାଇଁ ଲୋକେ ବିଲରେ ଦିନ ସମୟରେ ଚାଷରେ ବ୍ୟସ୍ତ ରହୁଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହେଉଛି । ହେଲେ ବିଜୁଳି ଘଡ଼ଘଡ଼ି ଓ ବଜ୍ରପାତ ହେଲେ କେହି ସୁରକ୍ଷିତ ସ୍ଥାନକୁ ଯିବାକୁ ବେଶୀ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ବଜ୍ରପାତ ଜନିତ ମୃତ୍ୟୁ ଅଧିକ ହୋଇଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି । ତେବେ ଦେଶର ୧୯ଟି ରାଜ୍ୟ ଭିତରୁ ଓଡିଶା ପରିପ୍ରେକ୍ଷୀରେ ଉତ୍ତର ଓଡିଶା, ଦକ୍ଷିଣ ଓଡିଶା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବଜ୍ରପାତ ଜନିତ ମୃତ୍ୟୁ ମାମଲା ଚଳିତବର୍ଷ ସାମ୍ନାକୁ ଆସିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ମହିଳାଙ୍କ ଫେରିବା ବିଳମ୍ବ ହେବାରୁ ନିର୍ବାହୀ ଅଧିକାରୀଙ୍କୁ ମାଡ଼

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ସଦସ୍ୟ ଡେରିରେ ଫେରିବାରୁ ନିର୍ବାହୀ ଅଧିକାରୀଙ୍କୁ ମାଡ଼ । ଘଟଣା ଘଟିଛି ସୁବର୍ଣ୍ଣପୁର ବୀରମହାରାଜପୁର ଅଞ୍ଚଳରେ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।

ଗତ ୭ ତାରିଖରେ ମୁଖୃମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଭିନ୍ନ ଅଞ୍ଚଳରୁ ସାଧାରଣ ଲୋକ, ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ଆସିଥିଲେ । ମୂର୍ଶୁଣ୍ଢି ପଞ୍ଚାୟତର ମାଣିକପୁର ଗାଁରୁ କିଛି ମହିଳା ଗୋଷ୍ଠୀର ସଦସ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯାଇଥିଲେ । ସେମାନେ ବିଳମ୍ବରେ ଫେରିବାରୁ କିଛି ମହିଳାଙ୍କ ସ୍ବାମୀ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଟ୍ରାଫିକ ସମସ୍ୟା ଯୋଗୁଁ ଫେରିବାରେ ବିଳମ୍ୱ ହୋଇଥିବା କହିଛନ୍ତି ପିଇଓ । ଅନ୍ୟପଟେ ସଂପୃକ୍ତ ପିଇଓ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଲିଖିତ ଅଭିଯୋଗ ହୋଇଥିଲେ ବି ପୋଲିସ ଏତଲା ରଖୁ ନଥିବା ଅଭିଯୋଗ ହୋଇଛି ।

ରାଜ କୁଶୱାହାଙ୍କ ଫଟୋ ଭାଇରାଲ, ଯାହା ପ୍ରେମରେ ପଡି ସ୍ବାମୀଙ୍କୁ ହତ୍ୟା କରିଥିଲେ ସୋନମ ..

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ରାଜ କୁଶୱାହାଙ୍କ ଫଟୋ । ଯାହାକୁ ରାଜା ରଘୁବଂଶୀଙ୍କୁ ହତ୍ୟାର ମାଷ୍ଟରମାଇଣ୍ଡ କୁହାଯାଉଛି ।  ସୋନମଙ୍କ ସହ ମିଶି ରାଜା ରଘୁବଂଶୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ରାଜ କୁଶୱାହାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଫଟୋ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତାଙ୍କ ସହିତ ଗିରଫ ହୋଇଥିବା ତିନି ଜଣ ହତ୍ୟାକାରୀଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେମାନେ ହେଲେ ବିଶାଲ ଚୌହାନ, ଆକାଶ ରାଜପୁତ ଏବଂ ଆନନ୍ଦ କୁର୍ମି  ।

ସେମାନେ ରାଜଙ୍କ ନିର୍ଦ୍ଦେଶରେ ରାଜାଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିଲେ। ପୋଲିସ ସେମାନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି । ରାଜ କୁଶୱାହା ସୋନମଙ୍କ ବାପାଙ୍କ ପ୍ଲାଇଉଡ୍ ଦୋକାନରେ ବିଲିଂ କାଉଣ୍ଟରରେ କାମ କରୁଥିଲେ ଏବଂ ସୋନମଙ୍କଠାରୁ ୫ବର୍ଷ ସାନ ଥିଲେ। କିଛି ସମୟ ପାଇଁ ସେ ସୋନମଙ୍କ ଘର ପାଖରେ ମଧ୍ୟ ରହୁଥିଲେ, କିନ୍ତୁ ସେ ଦେଢ଼ ବର୍ଷ ପୂର୍ବରୁ ସେଠାରୁ ଚାଲିଯାଇଥିଲେ। ଏହି ସମୟରେ ସେ ସୋନମଙ୍କ ସହ କଥା ହେଉଥିଲେ। ଗଣମାଧ୍ୟମରେ କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା ଏବଂ ସେମାନେ ବିବାହ ପରେ ହିଁ ରାଜାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ଭୂମିକମ୍ପ ଏବଂ ଭୂସ୍ଖଳନରେ ମଧ୍ୟ ହଲିବନି ଚେନାବ ସେତୁ, ଇଞ୍ଜିନିୟର କଲେ ଦାବି ..

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଦେଶକୁ ମିଳିଛି ଏକ ଅତୁଳନୀୟ ଉପହାର । ଭାରତକୁ ଏକ ନୂଆ ପରିଚୟ ଦେଇଛି ନବନିର୍ମିତ ଚେନାବ ସେତୁ । ଏହି ଐତିହାସିକ ସେତୁ କେବଳ କାଶ୍ମୀର ଉପତ୍ୟକାକୁ ଭାରତ ସହିତ ସଂଯୋଗ କରେ ନାହିଁ, ବରଂ ଶକ୍ତି ଦୃଷ୍ଟିରୁ ମଧ୍ୟ ଅତୁଳନୀୟ। ଏହି ୧୩୧୫ ମିଟର ଲମ୍ବା ସେତୁ ହିମାଳୟ ଭୂମିରେ ଠିଆ ହୋଇଛି। ଭାରତୀୟ ରେଳ ଇଞ୍ଜିନିୟରମାନେ ଦାବି କରିଛନ୍ତି ଯେ ଏହି ସେତୁ ଆଗାମୀ ୧୨୦ ବର୍ଷ ପର୍ଯ୍ୟନ୍ତ ଏହିପରି ଭାବରେ ଠିଆ ହେବ। ୨୦୦୫ ମସିହାରେ ଆରମ୍ଭ ହୋଇଥିବା ଏହି ସେତୁର କାମ ୨୦୨୨ ମସିହାରେ ପୂର୍ଣ୍ଣ-ସ୍ପିଡ୍ ଟ୍ରେନର ସଫଳ ପରୀକ୍ଷଣ ସହିତ ସମାପ୍ତ ହୋଇଥିଲା। ବହୁ ବର୍ଷ ଧରି ଚାଲିଥିବା ଏହି କାମ ଶେଷରେ ୨୦୨୫ ମସିହାରେ ସମାପ୍ତ ହୋଇଥିଲା ଏବଂ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ଇଞ୍ଜିନିୟରମାନେ ଦାବି କରିଛନ୍ତି ଯେ ଏହା ଭୂମିକମ୍ପ କିମ୍ବା ଭୂସ୍ଖଳନରେ ମଧ୍ୟ ଭୁଷୁଡିବ ନାହିଁ।

ଆଇଫେଲ୍ ଟାୱାରଠୁ ବଡ ଚେନାବ ସେତୁ

ଚେନାବ ସେତୁ ନିର୍ମାଣ କରିଥିବା ଇଞ୍ଜିନିୟରମାନେ ଦାବି କରିଛନ୍ତି ଯେ ଏହା ୧୪୮୬ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏବଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ ଏହାର କୌଣସି କ୍ଷତି ହେବନି । ଏହି ସେତୁକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ଘଣ୍ଟା ପ୍ରତି ୨୬୬ କିଲୋମିଟର ବେଗରେ ବହିବା ପବନକୁ ମଧ୍ୟ ସହ୍ୟ କରିପାରିବ ଏବଂ -୨୦ ଡିଗ୍ରୀ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରିବ। ନଦୀ ଗର୍ଭରୁ ୩୫୯ ମିଟର ଉଚ୍ଚରେ ନିର୍ମିତ ଏହି ସେତୁ କଟରା ଏବଂ କାଜିଗୁଣ୍ଡକୁ ସଂଯୋଗ କରେ। ଏହା ଆଇଫେଲ୍ ଟାୱାରଠାରୁ ମଧ୍ୟ ଉଚ୍ଚ।

ଭୂମିକମ୍ପ ଏବଂ ଭୂସ୍ଖଳନ ହେଲେ ହଲିବନି ସେତୁ

୨.୦୮ କିଲୋମିଟର ଲମ୍ବ ଚେନାବ ସେତୁ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ଏଥିରେ ୧୮.୩ ମିଟରର ୯୯ଟି ସ୍ପାନ୍ ଏବଂ ୭୨.୫ ମିଟରର ଏକ ଭୂଲମ୍ବ ଲିଫ୍ଟ ସ୍ପାନ୍ ଅଛି। ଏହି ସେତୁର ଗଠନରେ ୩୩୩ଟି ପାଇଲ୍ ଅଛି ଯାହା ଏହି ସେତୁ ଦୀର୍ଘ ସମୟ ପାଇଁ  ସ୍ଥାୟୀ ରହିବ। ଚେନାବ ସେତୁ ଭୂକମ୍ପୀୟ ଜୋନ୍ ୫ରେ ପଡ଼ିଥାଏ ଏବଂ ଏହା ୮ ତୀବ୍ରତାର ଭୂମିକମ୍ପକୁ ମଧ୍ୟ ସହ୍ୟ କରିପାରିବ।

ଚେନାବ ସେତୁ କେତେ ମଜବୁତ?

ଚେନାବ ସେତୁ ନିର୍ମାଣ ପାଇଁ ୨୫,୦୦୦ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି, ଯେଉଁଥିରେ ୧୪ଟି ସ୍ତମ୍ଭ ରହିଛି। ଏହା ଏତେ ମଜବୁତ ଯେ ଗୋଟିଏ ସ୍ତମ୍ଭ ଭାଙ୍ଗିଗଲେ ମଧ୍ୟ ସେତୁର କିଛି ହେବ ନାହିଁ। ଏହା ବ୍ୟତୀତ, ଏକ ରିପୋର୍ଟ ଅନୁଯାୟୀ, ଏହି ସେତୁ ୪୦ କିଲୋଗ୍ରାମ TNT ବିସ୍ଫୋରଣକୁ ସହ୍ୟ କରିପାରିବ। ଯଦିଓ କୌଣସି କାରଣରୁ କିମ୍ବା ବିସ୍ଫୋରଣ ଯୋଗୁଁ ସ୍ତମ୍ଭ କ୍ଷତିଗ୍ରସ୍ତ ହୁଏ, ଟ୍ରେନଗୁଡ଼ିକ ଚାଲିବାରେ ବାଧାପ୍ରାପ୍ତ ହେବ ନାହିଁ ।

ସୋନମ୍‘ ବେୱଫା ! ତାକୁ ମୃତ୍ୟୁ ଦଣ୍ଡ ମିଳୁ …

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀ ପୋଛିଦେଲା ନିଜ ସିନ୍ଦୂର । ହନିମୁନରେ ଆସି ସ୍ଵାମୀଙ୍କୁ ମର୍ଡର କଲା । ଇନ୍ଦୋର ଦମ୍ପତି ନିଖୋଜ ଘଟଣାର ବଡ ଖୁଲାସା । ୟୁପିରୁ ଧରାପଡ଼ିଲା ସ୍ବାମୀକୁ ହତ୍ୟା କରିଥିବା ପତ୍ନୀ ସୋନମ । ହନିମୁନ୍ ପାଇଁ ମେଘାଳୟର ସିଲିଂକୁ ଯାଇଥିବା ଇନ୍ଦୋର ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀ ନିଖୋଜ୍ ଘଟଣାର ପ୍ରକୃତ କାରଣ ପର୍ଦ୍ଦାଫାସ୍ ହୋଇଛି । ଦମ୍ପତ୍ତି ନିଖୋଜ୍ ହେବା ପରେ ରାଜା ରଘୁବଂଶୀଙ୍କ ମୃତେଦେହ ଏକ ପାହାଡ଼ରୁ ଉଦ୍ଧାର ହୋଇଥିଲା । ଏହାପରେ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ତାଙ୍କ ପତ୍ନୀ କୁଆଡେ ଗଲେ ? ବର୍ତ୍ତମାନ ଏହି ନିଖୋଜ୍ ଘଟଣାର ଉପରୁ ପରଦା ଉଠିଛି । ପ୍ରକୃତରେ କୁହାଯାଉଛି ସ୍ବାମୀର ହତ୍ୟାକାରୀ ଥିଲା ସ୍ତ୍ରୀ ସୋନମ ସୂର୍ଯ୍ୟବଂଶୀ । ଏହି ଅଭିଯୋଗରେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି ।  ସିଲଂରେ ରାଜା ରଘୁବଂଶୀଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହ ପାହାଡ଼ରୁ ମିଳିଥିଲା, ଆଉ ସେତେବେଳେ ସୋନମ ନିଖୋଜ ହୋଇଯାଇଥିଲେ । ହତ୍ୟାକାଣ୍ଡର ୭ ଦିନ ପରେ ୟୁପିର ଗାଜିପୁରରୁ ଗିରଫ କରିଛି ।  ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ ଅପରାଧୀଙ୍କୁ ସୁପାରୀ ଦେଇଥିଲେ । ତେବେ ଘଟଣାର ଖୁଲାସା ହେବା ପରେ ପରିବାରରେ କାହାର କ’ଣ ରହିଛି ପ୍ରତିକ୍ରିୟା ଜାଣନ୍ତୁ ..

ଢାବାକୁ ଆସି ଭାଇକୁ ଫୋନ କରିଥିଲେ ସୋନମ

ଉତ୍ତରପ୍ରଦେଶ ଗାଜିପୁର ଅଂଚଳରୁ ସୋନମଙ୍କୁ ଧରିଛି ପୋଲିସ। ରାତି ଗୋଟାଏ ସମୟରେ ଗାଜିପୁର ଅଂଚଳର ଏକ ଢାବାକୁ ଆସିଥିଲେ ସୋନମ। ଢାବା ମାଲିକଙ୍କୁ ମୋବାଇଲ ମାଗି ତାଙ୍କ ଭାଇକୁ ଆସିବାକୁ ସୂଚନା ଦେଇଥିଲେ। ଢାବା ମାଲିକ ସୋନମଙ୍କ ଭାଇଙ୍କ ସହ କଥା ହୋଇ ସୋନମ ଢାବାରେ ଥିବା କହିଥିଲେ। ଏହାପରେ ସୋନମଙ୍କ ଭାଇ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କହିବା ପରେ ଢାବା ମାଲିକ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ରାତି ପ୍ରାୟ ସାଢେ ୨ଟାରେ ସୋନମଙ୍କୁ ସେଠାରୁ ନେଇଯାଇଥିବା କହିଛନ୍ତି ଢାବା ମାଲିକ । ସେପଟେ ରାଜା ରଘୁବଂଶୀଙ୍କ ଭାଇ କହିଛନ୍ତି ଯାହା ହୋଇଛି ସୋନମ ନିଜେ ସବୁ କିଛି କହିବେ । ଯଦି ଦୋଷ କରିଥିବେ ତାହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।

ସୋନମ ଆତ୍ମସମର୍ପଣ କରିବା କଥା ମିଛ

ସୋନମଙ୍କୁ ଉତ୍ତରପ୍ରଦେଶରୁ ଧରାଯାଇଥିବା କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ। ସେ ସୋନଙ୍କ ଭାଇ ଗୋବିନ୍ଦଙ୍କ ସହ କଥା ହୋଇଥିଲେ। ଗୋବିନ୍ଦ ସୋନମ ୟୁପିରେ ଥିବା ରାଜା ରଘୁବଂଶୀଙ୍କ ଭାଇକୁ ସୂଚନା ଦେଇଥିଲେ। ଉତ୍ତରପ୍ରଦେଶ ପୋଲିସକୁ ସୂଚନା ପରେ ପୋଲିସ ସୋନମଙ୍କୁ ସେଠାରୁ ନେଇଥିଲା। ତେବେ ସୋନମ ଆତ୍ମସମର୍ପଣ କରିବା କଥା ମିଛ ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ । ସୋନମଙ୍କ ଏହି ହତ୍ୟାକାଣ୍ଡରେ ହାତ ସନ୍ଦେହକୁ ଅସ୍ଵୀକାର କରିଛନ୍ତି ରାଜା ରଘୁବଂଶୀଙ୍କ ଭାଇ। ଉଭୟ ବାହାଘରକୁ ନେଇ ଖୁସିରେ ଥିଲେ। ସେମାନେ କେବେବି ଗଣ୍ଡଗୋଳ କରିନଥିବା ଦେଖିନାହିଁ ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ।

ସୋନମଙ୍କୁ ମୃତ୍ୟୁ ଦଣ୍ଡ ମିଳୁ

ପୁଅକୁ ଜୋର ଦବରଦସ୍ତ ମେଘାଳୟ ନେଇଯାଇଥିଲା। ଶିଲଂକୁ ନେଇ ପୁଅକୁ ମାରି ଦେଇଛି ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ମାଆ। ରାଜାଙ୍କ ସ୍ତ୍ରୀ ସୋନମଙ୍କୁ ଆଜି ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁସାରେ ସୋନମଙ୍କ ଅନ୍ୟ କୌଣସି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏହାକୁ ନେଇ ସ୍ଵାମୀଙ୍କୁ ହନିମୁନ ଯିବାକୁ କହି ମେଘାଳୟ ବୁଲିବାକୁ ଯିବାକୁ କହିଥିଲେ ପତ୍ନୀ ସୋନମ। ଏହାପରେ ସେଠାରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଗତ ୨୩ ତାରିଖରେ ମେଘାଳୟରୁ ନିଖୋଜ ହୋଇଯାଇଥିଲେ ଦମ୍ପତି । ଗତ ୨ ତାରିଖରେ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର ହୋଇଥିଲ ।

ମୋ ଝିଅ ନିର୍ଦ୍ଦୋଷ

ସେପଟେ ସୋନମଙ୍କ ବାପା ପ୍ରତିକ୍ରିୟା ରଖି ଏ ସମସ୍ତ ଅଭିଯୋଗ ମିଛ ଏବଂ ନିରାଧାର ବୋଲି କହିଛନ୍ତି। ପୋଲିସ ମିଛ କହୁଛି। ପୋଲିସ ଫସୁଥିବାରୁ ଓଲଟା ଝିଅ ଉପରେ ଦୋଷ ଲଦୁଛି। ମୋ ଝିଅ ସ୍ଵାମୀଙ୍କ ସହ ବୁଲିବାକୁ ଯାଇଥିଲା । ସେ କାହିଁକି ଏମିତି କରିବ ବୋଲି କହିଛନ୍ତି ସୋନମଙ୍କ ବାପା।

 

ରାଜଧାନୀରେ ବେଆଇନ ଗର୍ଭପାତ ! ମେଡ଼ିସିନ ଷ୍ଟୋରରୁ ବେଆଇନ ଗର୍ଭପାତ କିଟ୍ ଜବତ

ଭୁବନେଶ୍ବର: ରାଜଧାନୀରେ ଚାଲିଥିଲା ବେଆଇନ ଗର୍ଭପାତ ! ମେଡ଼ିସିନ ଷ୍ଟୋରରେ ମିଳୁଥିଲା ବେଆଇନ ଗର୍ଭପାତ କିଟ । ବିନା ଡାକ୍ତରୀ ପ୍ରେସକ୍ରିପସନରେ ଏହି କିଟ ବିକ୍ରି କରିବା ନେଇ ଅଭିଯୋଗ । ଅଭିଯୋଗ ପରେ ଆରମ୍ଭ ହେଲା ଚଢ଼ାଉ । ଡ୍ରଗ୍ କଣ୍ଟ୍ରୋଲର ଙ୍କ ପକ୍ଷରୁ ନୟାପଲ୍ଲୀ ଅଞ୍ଚଳରେ ଚଢ଼ାଉ ଜାରି । ନୟାପଲ୍ଲୀ N1 ଅଞ୍ଚଳରେ ଥିବା ଏକାଧିକ ମେଡ଼ିସିନ ଷ୍ଟୋରରେ ଚଢ଼ାଉ । ଚଢ଼ାଉ ବେଳେ କିଛି unwanted kiit ମିଳିଛି ।

ଏସବୁ ବିନା ଡାକ୍ତର ଅନୁମତିରେ ବିକ୍ରି କରିବା ବେଆଇନ ହୋଇଥିବା ବେଳେ ପ୍ରତିଷ୍ଠିତ ମେଡ଼ିସିନ ଦୋକାନ ମାନଙ୍କରେ ବିକ୍ରି ନେଇ ପୂର୍ବରୁ ଖବର ମିଳିଥିଲା । ଖବର ଆଧାରରେ ଆଜି ଚଢ଼ାଉକୁ ବ୍ୟାପକ କରାଯାଇଛି ।

ନକ୍ସଲମାନଙ୍କ ଆଇଡି ବିସ୍ଫୋରଣ ; ଅତିରିକ୍ତ ଏସପି ସହିଦ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ର ସୁକମା ଜିଲ୍ଲା କୋଣ୍ଟା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି । ବିସ୍ଫୋରଣ ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣରେ କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ ଏବଂ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି ।

ପୋଲିସ ଦଳ ପାଟ୍ରୋଲିଂରେ ବାହାରିଥିବା ବେଳେ କୋଣ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ପୋଲିସ ଏବଂ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ଚଳନ୍ତା ଟ୍ରେନରୁ ଖସି ପାଞ୍ଚ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନନ୍ଦିଘୋଷ ବ୍ୟୁରୋ: ଚଳନ୍ତା ଟ୍ରେନରୁ ପଡି ୫ଜଣଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେରେ ଏକ ଲୋକାଲ୍ ଟ୍ରେନ୍‌ରେ । ମୁମ୍ବାଇର ହୃଦସ୍ପନ୍ଦନ କୁହାଯାଉଥିବା ଲୋକାଲ୍ ଟ୍ରେନ୍‌ରୁ ପଡ଼ି ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ୯ଟାରେ ଏଭଳି ଘଟଣା ଘଟିଛି । ଟ୍ରେନ୍‌ରେ ଅଧିକ ଯାତ୍ରୀ ଥିଲେ, ଟ୍ରେନ୍‌ରେ ପାଦ ରଖିବା ପାଇଁ କୌଣସି ସ୍ଥାନ ନଥିଲା। ଯାତ୍ରୀମାନେ ଦ୍ୱାରରେ ଝୁଲି ଯାତ୍ରା କରୁଥିଲେ। ତେଣୁ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ରେଳ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ୧୦-୧୨ ଜଣ ଯାତ୍ରୀ ଖସି ପଡ଼ିଥିବା ସୂଚନା ମିଳିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଏହି ଦୁର୍ଘଟଣା ପାଇଁ ମୁମ୍ବାଇରେ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ରେଳବାଇ କହିଛି ଯେ ଥାନେର ମୁମ୍ବାଇ ରେଳ ଷ୍ଟେସନରେ ସିଏସଏମଟି ଅଭିମୁଖେ ଯାତ୍ରା କରୁଥିବା କିଛି ଯାତ୍ରୀ ଟ୍ରେନରୁ ଖସି ପଡ଼ିଥିଲେ। ଅନୁମାନ କରାଯାଉଛି ଯେ ଟ୍ରେନରେ ଅଧିକ ଯାତ୍ରୀ ଥିଲେ, ତେଣୁ ଏହି ଦୁର୍ଘଟଣା ଘଟିଛି। ରେଳ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ପୁଷ୍ପକ ଏକ୍ସପ୍ରେସରୁ ଯାତ୍ରୀ ଖସିପଡ଼ିଥିବାର ସୂଚନା

କୁହାଯାଉଛି ଯେ କସରା ଯାଉଥିବା ଲୋକାଲ୍ ଟ୍ରେନ୍ ଏବଂ ପୁଷ୍ପକ ଏକ୍ସପ୍ରେସ୍ ସେଠାରୁ ଯାଉଥିଲା। ଏହି ଏକ୍ସପ୍ରେସରୁ ମଧ୍ୟ କିଛି ଯାତ୍ରୀ ମଧ୍ୟ ଖସି ପଡ଼ିଛନ୍ତି। ଅନ୍ୟପକ୍ଷରେ, ଏହି ଦୁର୍ଘଟଣା ସମ୍ପର୍କରେ ଶିବସେନା ସିନ୍ଦେ ଗୋଷ୍ଠୀର ସାଂସଦ ନରେଶ ମହସ୍କେ କହିଛନ୍ତି ଯେ ଏହି ଘଟଣା କିପରି ଘଟିଲା ଏବଂ ଏହାର କାରଣ କ’ଣ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ସରକାର ସବୁବେଳେ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ମଧ୍ୟ ସରକାରଙ୍କର।

ବାପାଙ୍କ ଫ୍ୟାକ୍ଟ୍ରିରେ ସୋନମ୍ ଏଚଆର, ପ୍ରେମିକ ରାଜ୍ ମ୍ୟାନେଜର !

ନନ୍ଦିଘୋଷ ବ୍ୟୁରୋ: ଇନ୍ଦୋର ନିଖୋଜ ଦମ୍ପତି ମାମଲାରେ ବ୍ୟବସାୟୀ ସ୍ୱାମୀ ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ସୋନମ ରଘୁବଂଶୀ ଅନ୍ୟ ତିନି ଜଣଙ୍କ ସହ ମିଶି ରାସ୍ତାରୁ ହଟାଇଥିବା ଜଣାପଡ଼ିଛି । ସୋନମଙ୍କର ଇନ୍ଦୋରର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି ଯୁବକ ଆଉ ଜଣେ ସାଙ୍ଗଙ୍କ ସହ ମିଶିଥିଲେ, ଏବଂ ତା’ପରେ ସେମାନେ ତୃତୀୟ ହତ୍ୟାକାରୀଙ୍କ ସହ ମିଶି ଶିଲଂର ଉପତ୍ୟକାରେ ଏହି ହତ୍ୟାକାଣ୍ଡ କରାଇଥିବା ପୋଲିସ ଦାବି କରୁଛି । ରାଜା ରଘୁବଂଶୀ ସୋନମ-ରାଜା ପ୍ରେମ ସମ୍ପର୍କର ମଝିରେ ଅଜାଣତରେ ଫସି ଜୀବନ ହାରିଥିବା କୁହାଯାଉଛି ।

ଶାଶୂଘର ବୋହୂ ସୋନମ ରଘୁବଂଶୀଙ୍କ ନିରାପଦେ ଫେରିବା ପାଇଁ ପ୍ରାର୍ଥନା କରୁଥିବା ବେଳେ ଏବେ ବୋହୂ ତାଙ୍କ ପୁଅକୁ ହତ୍ୟା କରିଥିବା କଥାକୁ ସହଜରେ ବିଶ୍ୱାସ କରି ପାରୁନାହାନ୍ତି । ନବବିବାହିତା ସୋନମଙ୍କୁ ରାଜା ରଘୁବଂଶୀଙ୍କ ପରିବାର ନିଜ ଝିଅ ଓ ଲକ୍ଷ୍ମୀ ଭାବୁଥିଲେ, କିନ୍ତୁ ସେ କିଛି ଅଲଗା ବାହାରିଲେ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ସୋନମଙ୍କର ଅନ୍ୟ କାହା ସହ ପ୍ରେମ ସମ୍ପର୍କ ଥିଲା, ତେବେ ସେ ପରିବାରକୁ କାହିଁକି କହିଲେ ନାହିଁ ? ଅନ୍ୟପଟେ, ମେଘାଳୟ ପୁଲିସ୍ ୧୬ ଦିନ ପରେ ସୋନମ ରଘୁବଂଶୀଙ୍କୁ ଉତ୍ତରପ୍ରଦେଶର ଗାଜୀପୁରରୁ ଗିରଫ କରିଥିଲା । ଗିରଫ ହେବାବେଳେ ସୋନମ୍ କଳା ଟି-ସାର୍ଟ ପିନ୍ଧିଥିଲେ । ତାଙ୍କ ସହ ଆଉ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଜଣେ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ବୋଲି କୁହାଯାଉଛି ।

ସୋନମ କାହିଁକି ପୋଛିଲେ ନିଜ ସିନ୍ଦୂର ?
ସୂତ୍ରରୁ ଜଣାପଡ଼ିଛି ଯେ, ସୋନମଙ୍କର ନିଜ ଫ୍ୟାକ୍ଟରୀର ଜଣେ କର୍ମଚାରୀ ରାଜ କୁଶୱାହାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି ଫ୍ୟାକ୍ଟରୀ ସୋନମଙ୍କ ପିତା ଦେବୀ ସିଂହ ରଘୁବଂଶୀଙ୍କର ଥିଲା, ଯେଉଁଠି ସୋନମ ଏଚ୍‌ଆର୍‌ ପଦବୀରେ କାର୍ଯ୍ୟ କରୁଥିଲେ । କୁହାଯାଉଛି ଯେ, ରାଜ କୁଶୱାହା ସେହି ମାଇକା ଫ୍ୟାକ୍ଟରୀରେ ମ୍ୟାନେଜର ଭାବେ କାମ କରୁଥିଲେ ଏବଂ ସୋନମଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା । ସୋନମଙ୍କ ପିତା କହିଛନ୍ତି ଯେ, ଘଟଣାର ମାତ୍ର ଦୁଇ ଦିନ ପୂର୍ବରୁ ରାଜ ଫ୍ୟାକ୍ଟରୀରେ ନିୟମିତ କାମ କରୁଥିଲେ ।

ଇନ୍ଦୋର ଓ ଉତ୍ତରପ୍ରଦେଶର ଅଭିଯୁକ୍ତ
ଏହି ମାମଲାରେ ପୁଲିସ୍ ଏପର୍ଯ୍ୟନ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁମାନେ ଦୁଇ ଜଣ ଇନ୍ଦୌରରୁ ଓ ଜଣେ ଉତ୍ତରପ୍ରଦେଶରୁ ଧରାପଡ଼ିଛନ୍ତି । ଏକ ଅନ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି, ଯାହାଙ୍କୁ ଖୋଜିବା ପାଇଁ ପୋଲିସ୍ ଟିମ୍‌ ଲଗାତାର ଚେଷ୍ଟା ଜାରି ରଖିଛି ।