ଯାଜପୁରରେ ହାତୀ ଆକ୍ରମଣରେ ଜଣେ ମୃତ
ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଶାଳୀଜଙ୍ଗା ପଞ୍ଚାୟତର ବେଣାପଟିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସେହି ଗ୍ରାମର ବେଣୁଧର ସିଦ୍ଧୁ।ସୂଚନା ମୁତାବକ ରାତି ପ୍ରାୟ ୧୦ଟାରେ ଏକ ବଣୁଆ ହାତୀ ଗ୍ରାମକୁ ପ୍ରବେଶ କରି ବେଣୁଧରଙ୍କ ବାଡ଼ିରେ ଛଣ କୁଟା ଖାଉଥିଲା।

ଏହା ଦେଖି ବେଣୁଧରଙ୍କ ସ୍ତ୍ରୀ ଡାକ ପକାଇବାରୁ ବେଣୁଧର ବାହାରକୁ ଆସି ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ହାତୀଟି ବେଣୁଧରଙ୍କୁ ଘୋଷାଡ଼ି ଆଣି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଟିକୁ ଘଉଡ଼ାଇବାକୁ ପ୍ରୟାସ ଜାରି ରଖିଛନ୍ତି।
ଆଜିଠାରୁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଦସ୍ତାବିଜ ଛାପା କାମ ଆରମ୍ଭ
ନୂଆଦିଲ୍ଲୀ: ଆଜିଠାରୁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଦସ୍ତାବିଜ ଛାପା କାମ ଆରମ୍ଭ ହେବ । ଏଥିପାଇଁ ପ୍ରଥମେ ହାଲୱା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟମାନେ ଯୋଗଦେବେ । ହାଲୱା ପ୍ରସ୍ତୁତି ପରେ ତାକୁ ନର୍ଥ ବ୍ଲକରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ ହେବ । ପାରମ୍ପରିକ ଉତ୍ସବ ପରେ ବଜେଟ ଛାପା କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ ହେବ ।

ତେଣୁ ପ୍ରାୟ ୧୦ ଦିନ ଧରି ବଜେଟ ଛାପା ସହ ଜଡିତ ଅଧିକାରୀ ଓ କର୍ମଚାରୀ ମାନେ ନର୍ଥବ୍ଲକର ବେସମେଣ୍ଟରେ ରହିବେ । ସଂସଦରେ ବଜେଟ ଉପସ୍ଥାପନ ପରେ ହିଁ ସେମାନେ ସେଠାରୁ ବାହାରିବେ । ବାର୍ଷିକ ବଜେଟ ପ୍ରସ୍ତାବରେ ରଖାଯାଇଥିବା ବିଷୟ ଗୁଡିକ ଲୋକ ଲୋଚନକୁ ନଆସିବା ପାଇଁ ଏହି ସତର୍କତା ଅବଲମ୍ବନ କରାଯାଏ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀ ମାନେ ଆଲୋଚନା କରିବେ । ଏନେଇ ଗତକାଲି ଟ୍ୱିଟ କରି ପ୍ରସ୍ତୁତ ରହିବାକୁ ସୂଚନା ଦେଇଥିଲେ । ପରୀକ୍ଷାରେ ଟାଇମ ମ୍ୟାନେଜମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାଦ୍ଵାରା ସଫଳତା ହାସଲ କରିହେବ ବୋଲି ଟ୍ୱିଟରେ ବାର୍ତ୍ତା ଦେଇଛନ୍ତି । ଆଜି ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚାର ତୃତୀୟ ସଂସ୍କରଣ ଆୟୋଜିତ ହେବ ।

ଏଥିରେ ସମଗ୍ର ଦେଶରୁ ପ୍ରାୟ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ଭାଗନେବାକୁ ଓଡ଼ିଶାରୁ ୨୮ ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଯାଇଛନ୍ତି। ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉପରୁ ଚାପ ଦୂର କରିବାର ଟେକନିକ୍ ସମ୍ପର୍କରେ କହିବେ ।

ଏହି କାର୍ଯ୍ୟକ୍ରମରେ ୬୦ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବେ । ଆଜି ଦିନ ୧୧ଟା ସମୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସାରା ଦେଶରେ ଦୁରଦର୍ଶନ ସହ ବିଭିନ୍ନ ଟିଭି ଚ୍ୟାନେଲ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଫେସବୁକ ଏବଂ ୟୁଟ୍ୟୁବ ଚ୍ୟାନେଲ ସହିତ ଇଣ୍ଡିଆ ରେଡିଓରେ ସିଧାପ୍ରସାରଣ କରାଯିବ ।
ନିର୍ଭୟା ଦୋଷୀ ପୱନ ଗୁପ୍ତା ନାବାଳକ କି ନାହିଁ ଏନେଇ ଆଜି ଫଇସଲା କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପୱନ ଗୁପ୍ତା ନାବାଳକ କି ନାହିଁ ? ଆଜି ଏନେଇ ଫଇସଲା କରିବେ ସୁପ୍ରିମକୋର୍ଟ । ନିର୍ଭୟା କାଣ୍ଡ ବେଳେ ୧୮ ରୁ କମ ବୟସ ଥିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ପୱନ ଗୁପ୍ତା । ଜଷ୍ଟିସ ଆର ବାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।

୨୦୧୨ ଡିସେମ୍ବର ମାସରେ ଯେତେବେଳେ ନିର୍ଭୟା କାଣ୍ଡ ଘଟିଥିଲା ସେତେବେଳେ ସେ ନାବାଳକ ଥିଲା । ତେଣୁ ମାମଲାର ବିଚାର ବେଳେ ତାଙ୍କୁ ଜଣେ ନାବାଳକ ଭାବେ ବିଚାର କରିବାକୁ ସେ କୋର୍ଟରେ ଆବେଦନ କରିଥିଲା । ଏହାକୁ ଟ୍ରାଏଲ କୋର୍ଟ ସହ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଖାରଜ କରିଥିଲେ ।
ଆଜିଠୁ ଆରମ୍ଭ ହେବ ‘କୃଷି ଓଡ଼ିଶା-୨୦୨୦’, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୦’ । ଜନତା ମଇଦାନରେ ଆୟୋଜିତ ହେଉଛି ଏହି କାର୍ଯ୍ୟକ୍ରମ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷିକୁ ଗୁରୁତ୍ୱ ଏବଂ କୃଷକଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନକୈାଶଳ ପ୍ରୟୋଗ ପାଇଁ ଉତ୍ସବର ଲକ୍ଷ୍ୟ ରହିଛି ।

କାର୍ଯ୍ୟକ୍ରମରେ ଯୋଗଦେବେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର କୃଷି ବିଜ୍ଞାନୀ, ବିଶେଷଜ୍ଞ, କୃଷି ଅଧିକାରୀ । ମୃହୋତ୍ସବରେ ଏଥର ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି । ଏଥିରେ ଦେଶ ବିଦେଶରୁ ୧୧୨ଟି କମ୍ପାନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ୨୨ ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀଙ୍କର ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଛି । ଏଥିରେ ରାଜ୍ୟର ପ୍ରାୟ ୫ଶହ ବ୍ୟାଙ୍କ ଅଧିକାରୀ ଯୋଗଦେବ ।
ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଶୃଙ୍ଖଳାକୁ ୨-୧ରେ ଜିତିଲା ଭାରତ
ବେଙ୍ଗଳୁରୁ: ଅନ୍ତିମ ଦିନିକିଆରେ ଭାରତ ଦମଦାର ପ୍ରଦର୍ଶନ । ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ୨୮୭ ରନର ପିଛା କରୁଥିବା ଭାରତୀୟ ଦଳ ୩ ୱିକେଟ୍ ହରାଇ ଏହି ବିଜୟ ହାସଲ କରିଛି । ରୋହିତ ଶର୍ମାଙ୍କ ଦମଦାର ଶତକୀୟ ବଳରେ ଭାରତ ବିଜୟ ଦ୍ଵାରରେ ପହଞ୍ଚିପାରିଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ ସ୍ମିଥ୍ ସର୍ବାଧିକ ୧୩୧ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୪ ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨, ନଭଜିତ ସାଇନ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ବେଙ୍ଗଳୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆକୁ ୭ ୱିକେଟରେ ଭାରତ ବିଜୟୀ । ୩ ଟିକିଆ ଶୃଙ୍ଖଳାକୁ ୨-୧ରେ ଜିତିନେଲା ଭାରତ ।
ବେଙ୍ଗଳୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆକୁ ୭ ୱିକେଟରେ ଭାରତ ବିଜୟୀ । ୩ ଟିକିଆ ଶୃଙ୍ଖଳାକୁ ୨-୧ରେ ଜିତିନେଲା ଭାରତ ।
NHରେ ରାମେଶ୍ୱରରୁ ଚଣ୍ଡିଖୋଲ ଯାଉଛନ୍ତି କି ? ପଢ଼ନ୍ତୁ ଏ ଖବର, ନହେଲେ ଫସିବେ !
ଭୁବନେଶ୍ୱର: ଓଭର ଲୋଡିଂ କରି ଜାତୀୟ ରାଜପଥରେ ଯାଉଛନ୍ତି କି ? ଗାଇଡଲାଇନଠୁ ଅଧିକ ବେଗରେ ଗାଡ଼ି ଚଳାଉଛନ୍ତି କି ? ସଟକଟ୍ ପାଇଁ ରଙ୍ଗରୁଟ୍ରେ ଯାଉନାହାନ୍ତି ତ ? ଯଦି ଏଭଳି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏବେ ସ୍କାନରରେ ରହିବ ଜାତୀୟ ରାଜପଥ । ଖସିପାରିବେନି ନିୟମ ଉଲ୍ଲଂଘନକାରୀ ଡ୍ରାଇଭର । ପୋଲିସ୍ ନ ଜଗିଲେ ବି କଟିବ ଚାଲାଣ । ରଦ୍ଦ ହୋଇପାରେ ପରିମିଟ ସହ ଲାଇସେନ୍ସ ।
ପ୍ରଥମ କରି ପାଇଲଟ୍ ପ୍ରୋଜେକ୍ଟ ଭାବେ ଲାଗିବ ଇଣ୍ଟିଲିଜେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ । ରାମେଶ୍ୱର ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ସିସିଟିଭି ଏବଂ ସେନ୍ସର ଲଗାଇବ ପରିବହନ ବିଭାଗ । ରାଜପଥରେ ଦୁର୍ଘଟଣା କମାଇବାକୁ ଏହି ସିଷ୍ଟମ ଡେଭଲପ କରାଯାଇଛି ବୋଲି ପରିବହନ କମିଶନର କହିଛନ୍ତି ।
ବର୍ଷକରେ ୫୦ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଦୁର୍ଘଟଣା କମିଛି । ୨୦୧୯ ସେପ୍ଟେମ୍ବର ମାସରେ ୧୨ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ କମିଥିବା ବେଳେ ଅକ୍ଟୋବରରେ ୧୮ ପ୍ରତିଶତ କମିଛି । ଆଗକୁ ମଦୁଆ ଡ୍ରାଇଭରଙ୍କ ଗାଡି ଚାଳନା ଉପରେ ବେଶ ଗୁରୁତ୍ୱ ଦିଆଯିବ । ଜାତିୟ ରାଜପଥର ପ୍ରତି ୨୦ କିଲୋମିଟର ମଧ୍ୟରେ ସ୍କ୍ୱାଡ୍ ଜଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି ।
ଏଥିପାଇଁ ଅଧିକ ଅର୍ଥ ପ୍ରଦାନ କରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସଡ଼କ ସୁରକ୍ଷା ସପ୍ତାହ ଉଦ୍ଯାପନୀ ଉତ୍ସବରେ ଇ-ଚେକ୍ଗେଟର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ । ଏହା ଦ୍ଵାରା ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଗାଡି ଅନ୍ଲାଇନ୍ ମାଧ୍ୟମରେ ଟ୍ୟାକ୍ସ ଦେବାର ବ୍ୟବସ୍ଥା କରାଯାଇଛି ।
ଆଜିଠାରୁ ୧୦ଟି ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ, ସବୁ ଜିଲ୍ଲା ପ୍ରଶାସନକୁ ଚିଠି
ଦୁର୍ଘଟଣା ରୋକିବାକୁ କେବଳ ଟେକ୍ନୋଲୋଜି ନୁହେଁ ସାଧାରଣ ଲୋକେ ବି ସାମିଲ ହେବେ । ଆରମ୍ଭ ହେବ ସିଟିଜେନ୍ ରିପୋର୍ଟିଂ । ଏଥିପାଇଁ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯିବ । ଆଇନ୍ ଉଲ୍ଲଂଘନନକାରୀଙ୍କ ତଥ୍ୟ ସାଧାରଣ ଲୋକ ପଠାଇଲେ ବିଭାଗ ଜରିମାନା ଆଦାୟ କରିବ । ଆପରେ ତଥ୍ୟ ଓ ଫଟୋ ଦେଇଥିବା ଲୋକଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯିବ ।
ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଆଖି, ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ

