spot_img
Home Blog Page 7275

ଚିହ୍ନଟ ହେଲା ଆହୁରି ୨ହଜାର ୫୯୦ ନୂଆ କରୋନା ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି

ଚୀନ୍‌ରେ ଆତଙ୍କ ଖେଳାଇଛି କରୋନା ଭାଇରସ୍‌ । ମୃତ୍ୟୁ ସଂଖ୍ୟା ୩୬୦କୁ ଛୁଇଁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ୍‌ ସରକାରଙ୍କ ଉଦ୍ୟମ ପରେ ବି କରୋନା ନିୟନ୍ତ୍ରଣକୁ ଆସୁନି । ଚୀନ୍‌ରେ ଗତ ୨୪ଘଣ୍ଟା ମଧ୍ୟରେ ପୁଣି ୫୪ଜଣଙ୍କ ମୃତ୍ୟୁ ହୋଇଛି ।

୨ହଜାର ୫୯୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୩୮୦ରେ ପହଞ୍ଚିଛି । ଚୀନ୍‌ର ହୁବେଇ ସହର କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି ।

କରୋନା ଭୟାବହତାକୁ ଦେଖି ଭାରତ ସରକାର ଚୀନରେ ରହୁଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାର ବନ୍ଦୋବସ୍ତ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଚୀନର ଉହାନ ସହରରୁ ୩୨୩ ଜଣ ଭାରତୀୟଙ୍କୁ ଏୟାରଲିଫ୍ଟ କରିଛି ଭାରତ ।

ଦୁଇଟି ପର୍ଯ୍ୟାୟରେ ଚୀନରୁ ଏପର୍ଯ୍ୟନ୍ତ ୬୪୭ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି । କରୋନା ଭାଇରସର ପ୍ରଭାବକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାରା ବିଶ୍ୱରେ ଆଲର୍ଟ ଜାରି କରିବା ସହ ଏହାକୁ ମହାମାରୀ ଘୋଷଣା କରିଛି ।

ଭାରତ ସମେତ ବିଶ୍ୱର ୨୪ଟି ଦେଶ କରୋନା ଭାଇରସ ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଚୀନ୍‌ ଯିବା ନେଇ ଭାରତ ସରକାର ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ଭାରତୀୟଙ୍କୁ ଚୀନ୍‌ ନଯିବା ପାଇଁ ପରାମର୍ଶ ଦିଆଯାଇଛି।…

ରାତି ଅଧରେ ସ୍ପେଶାଲ୍ ସ୍କ୍ୱାର୍ଡର ଚଢାଉ, ଜବତ ହେଲା ବିପୁଳ ପରିମାଣର ବିଦେଶୀ ମଦ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ । ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ଲକ୍ଷ୍ମୀସାଗର ପୋଲିସର ରାତି ଅଧିଆ ଚଢାଉ । ଚଢାଉ ବେଳେ ଷ୍ଟେସନ ବଜାରର ଗୋଟିଏ ଘରୁ ୬୦୦ ବୋତଲ ବିଦେଶୀ ମଦ ଓ ବିପୁଳ ପରିମାଣର ଆସ୍କା ଫଟି ଜବତ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ ।

 

ଜବତ ମଦର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସେପଟେ ମଦ ବିକ୍ରେତାର ପରିଚୟକୁ ଚିହ୍ନଟ କରାଯାଇଛି । ବିକ୍ରେତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ପରୀକ୍ଷା ପାଇଁ ଯାଇଥିବା ୪ଟି ନମୁନା ନେଗେଟିଭ୍

ଭୁବନେଶ୍ୱର: କରୋନା ଭୂତାଣୁ  ସଂକ୍ରମଣ ପରୀକ୍ଷା ପାଇଁ ଯାଇଥିବା ୪ଟି ନମୁନା ନେଗେଟିଭ୍‌ ଆସିଛି । ନଭେଲ କରୋନା ସଂକ୍ରମଣ ଲକ୍ଷଣ ଥିବା ୫ ଜଣ ବ୍ୟକ୍ତିଙ୍କ ସ୍ୱାବ୍‌ ଓ ରକ୍ତ ନମୁନା ପୁନେ ସ୍ଥିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା । ସେଥିମଧ୍ୟରୁ ୪ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ।

ଅନ୍ୟ ପକ୍ଷରେ ଉହାନ୍‌ ୟୁନିଭରସିଟିରୁ ଫେରିଥିବା ଜନୈକା ଓଡ଼ିଶାର ଛାତ୍ରୀ ଓ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ ତାଲିକାଭୁକ୍ତ କରି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଆଇସୋଲେସନ୍‌ ଓ୍ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ଏ ଦିଗରେ ସତର୍କ ଦୃଷ୍ଟି ରଖାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟକ୍ତିବିଶେଷ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବିଭିନ୍ନ କର୍ମସଂସ୍ଥାନମାନଙ୍କୁ  ୨୦୨୦ ମସିହା ଜାନୁଆରୀ ୧୫ ତାରିଖ ପରେ, ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରୁ ଦେଶକୁ ଫେରିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର କଣ୍ଟ୍ରୋଲ ରୁମ୍‌କୁ  ୦୬୭୪-୨୩୯୦୪୬୬/୯୪୩୯୯୯୪୮/୯୪୩୭୦୪୦୫୬୪ ନମ୍ୱରେ ସୂଚନା ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଆକ୍ରାନ୍ତ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କ ନାମ, ଠିକଣା ଓ ବ୍ୟକ୍ତିଗତ ତଥ୍ୟକୁ ଗୋପନ ରଖାଯିବ । ଏହି ସୂଚନାକୁ ବାଧ୍ୟତାମୂଳକ କରାଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି ।

ପୁଣି ଚିଲିକାରେ ଡଙ୍ଗାବୁଡ଼ି: କଟକଣା ସତ୍ତ୍ୱେ ସୁଧୁରୁନାହାନ୍ତି ଲୋକେ, କ୍ଷମତାଠାରୁ ଅଧିକ ଲୋକେ କରୁଥିଲେ ଯାତ୍ରା

ଖୋର୍ଦ୍ଧା: ପୁଣି ଚିଲିକାରେ ଅଘଟଣ । ଭୋଜି ସାରି ଫେରିଲା ବେଳକୁ ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା । ଖବର ପାଇଁ ଘଟଣାସ୍ଥଳରୁ ସମସ୍ତ ୨୨ ଜଣ ଯାତ୍ରୀଙ୍କୁ ଅନ୍ୟ ଡଙ୍ଗ ଚାଳକ ଓ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ବାଲୁଗାଁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ମାଘ ମାସର ମାନସିକ ଭୋଜି ଯନ୍ତାଳ ପାଇଁ ମତ୍ସ୍ୟଜୀବୀଙ୍କ ପରିବାର । ବଡ଼କୂଳ, ତୋଟାପଡ଼, ସୁବୁଦ୍ଧିପାଟଣାରୁ କିଛି ମତ୍ସ୍ୟଜୀବୀ ସେମାନଙ୍କ ପରିବାର ସହ ଭୋଜି କରିବାକୁ ଯାଇଥିଲେ । ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ଡଙ୍ଗା ବ୍ୟତୀତ ଅନ୍ୟ କୌଣସି ଡଙ୍ଗା ଫେରିବାର ନଥିବାରୁ ଆବଶ୍ୟକଠାରୁ ଅଧିକ ଯାତ୍ରୀ ବସିଥିଲେ । ଏଣୁ ଡଙ୍ଗାଟି ବୁଡ଼ି ଯାଇଥିବା କୁହାଯାଉଛି ।

ଦୁର୍ଘଟଣାପରେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  । ତେବେ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଦାର କରାଯାଇଥିବା କହିଛନ୍ତି ଜିଲ୍ଲପାଳ ସୀତାଂଶୁ ରାଉତ । ଏଥିସହ ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଯାତ୍ରୀମାନେ ଲାଇପ୍‌ ଜ୍ୟାକେଟ୍ ପିନ୍ଧିନଥିଲେ ସୁଦ୍ଧା ସ୍ଥାନୀୟ ଡଙ୍ଗା ଚାଳକ ଓ ମତ୍ସ୍ୟଜୀବୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସୁରକ୍ଷିତ ଉଦ୍ଧାର ହୋଇପାରିଛନ୍ତି ଯାତ୍ରୀ ।  

ତେବେ ୨୦୧୮ ମସିହାରେ ମଧ୍ୟ ଚିଲିକାରେ ଡଙ୍ଗାବୁଡ଼ି ଘଟିଥିଲା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ପ୍ରଶାସନ ଓ ସରକାର ସମାଲୋଚନାର ଶରବ୍ୟ ହୋଇଥିଲେ । ଭବିଷ୍ୟତରେ ଏଭଳି ଘଟଣା ଯେଭଳି ନ ଘଟିବ ସେଥିଲାଗି ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଦୁର୍ଘଟଣା ଆଶଙ୍କାକୁ ଏଡାଇବ ଲାଗି ଡଙ୍ଗାର କ୍ଷମତାରୁ ଅଧିକ ଯାତ୍ରୀଙ୍କୁ ନେବାକୁ ବାରଣ କରାଯାଇଛି । ଲାଇଫ ଜ୍ୟାକେଟ ପିନ୍ଧିବାକୁ ବୋଟ୍ ଆସୋସିଏସନ୍‌ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ଲାଇପ୍‌ ଜ୍ୟାକେଟ ସମସ୍ତେ ନପିନ୍ଧିଲେ ଡଙ୍ଗା ଚଳାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କିନ୍ତୁ ଆଜି ଏ ନେଇ ଦେଖାଦେଇଥିଲା ବ୍ୟତିକ୍ରମ । ଡଙ୍ଗାର କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଥିଲେ । ଅଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଥିବାରୁ ଲାଇପ୍‌ ଜ୍ୟାକେଟ ମଧ୍ୟ କମ୍‌ ପଡ଼ିଥିଲା । ତେବେ ଲାଇପ୍‌ ଜ୍ୟାକେଟ୍‌ ଥିବା ସତ୍ତ୍ୱେ କିଛି ଲୋକେ ଜ୍ୟାକେଟ ପିନ୍ଧିନଥିବା ସୂଚନା ରହିଛି । ସୌଭାଗ୍ୟବସତଃ ଏତେ ସବୁ ଅସବାଧନାତା ସତ୍ତ୍ୱେ ଲୋକେ ଏକ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି । ଡଙ୍ଗା ବୁଡ଼ି ଯାଇଛି ହେଲେ ଲୋକେ ବଞ୍ଚିଯାଇଛନ୍ତି । କିନ୍ତୁ ଲୋକଙ୍କ ଏଭଳି ଅସାବଧାନତା ଓ ବିପଦପୂର୍ଣ୍ଣ ଯାତ୍ରା ସାଧାରଣରେ ଚିନ୍ତାରେ କାରଣ ପାଲଟିଛି । ଆଜିର ଦୁର୍ଘଟଣା ଯୋଗୁଁ ଲୋକଙ୍କ ଏଭଳି  ଅସାବଧାନତା ସାମ୍ନାକୁ ଆସିଥିବାବେଳେ ପୂର୍ବରୁ ମଧ୍ୟ ବହୁବାର ଲୋକେ ଏଭଳି ଯାତ୍ରା କରୁଥିବା ଆଶଙ୍କା କରାଯାଉଛି । ଏଭଳି ଦୁର୍ଘଟଣା ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି । ଆଗାମୀ ଦିନରେ ବୋଟେ ଆସୋସିଏସନ୍‌ ଓ ସ୍ଥାନୀୟ ପ୍ରଶାସନ ସହ ଲୋକେ ମଧ୍ୟ ସତର୍କ ହେବାର ଆବଶ୍ୟକତା ରହିଛି । 

ବ୍ଳାକ୍‌ କେପସ୍‌ ବିପକ୍ଷ ସିରିଜ୍‌ରେ ଭାରତର ହ୍ୱାଇଟ୍‌ଓ୍ୱାସ୍

ନ୍ୟୁଜିଲାଣ୍ଡ: ବ୍ଳାକ୍‌ କେପସ୍‌ ବିପକ୍ଷ ଟି-୨୦ ସିରିଜ୍‌ରେ ଟିମ୍‌ ଇଣ୍ଡିଆର କ୍ଳିନ୍‌ ସୁଇପ୍‌ । ଓ୍ୱେ ଓଭାଲରେ ଖେଳାଯାଇଥିବା ଅନ୍ତିମ ବା ଶେଷ ଦିନିକିଆକୁ ଜିତିବା ସହ ୫-୦ ସିରିଜି ହାତେଇଛି ଭାରତ । ଅପରପକ୍ଷରେ ଭଲ ଖେଳ ପ୍ରଦର୍ଶନ ସତ୍ତ୍ୱେ ବିଜୟରୁ ବଞ୍ଚିତ ହୋଇଛି କିଓ୍ୱି ଟିମ୍‌ ।

   ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟମ୍‌ ଇଣ୍ଡିଆ । ନିର୍ଦ୍ଧାରିତ ଓଭରରେ ୱିକେଟ୍ ହରାଇ ୧୬୩ ରନ୍ କରିବାକୁ ସକ୍ଷମ ହୋଇଥିଲା ଟିମ୍‌

ବିରାଟ୍ କୋହଲିଙ୍କ ସ୍ଥାନରେ କ୍ୟାପଟେନ୍ ଦାୟିତ୍ୱ ତୁଲାଉଥିବା ରୋହିତ୍ ଟପ୍ ସ୍କୋରର ଭାବେ ସର୍ବାଧିକ ୬୦ ରନ୍ କରିଥିବା ବେଳେ ରାହୁଲ୍ ୪୫ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୨୦ ଓଭରରେ ୱିକେଟ୍ ହରାଇ ୧୫୬ ରନ୍ କରି ପରାସ୍ତ ହୋଇଛି

୧୬୪ ରନର ଲକ୍ଷ୍ୟର ପିଛା କରୁଥିବା କିୱି ଟିମର ଆରମ୍ଭ ବହୁତ ଖରାପ ରହିଥିଲା। ଦଳ ୧୭ ରନରେ ୱିକେଟ୍ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ()ଙ୍କୁ ଯଶପ୍ରୀତ ବୁମ୍ରାଙ୍କ ପ୍ୟାଭିଲିୟନ୍ ପଠାଇଥିବା ବେଳେ କଲିନ୍ ମୁନରୋ (୧୫)ଙ୍କୁ ୱାଶିଂଟନ୍ ସୁନ୍ଦର କ୍ଲିନ୍ ବୋଲ୍ଡ କରିଥିଲେ

ତେବେ ମଧ୍ୟକ୍ରମରେ ଟିମ୍ ସିଫର୍ଟ ରସ୍ ଟେଲର ପୁଣିଥରେ ଦଳ ପାଇଁ ଲଢ଼ିଥିଲେ ଏବଂ ଚତୁର୍ଥ ୱିକେଟ୍ ପାଇଁ ୮୯ ରନର ମଜଭୁତ୍ ପାର୍ଟନରସିପ୍ କରି ଦଳକୁ ବିଜୟ ନିକଟତର କରାଇଥିଲେ। ଏହା ମଧ୍ୟରେ ଶିବମ ଦୁବେଙ୍କ ଗୋଟିଏ ଓଭରରେ କିୱି ବ୍ୟାଟ୍ସମ୍ୟାନ୍ ୩୪ ରନ୍ କରିଥିଲେ, ଯାହା ଭ୍ରମଣକାରୀ ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗି ନବଦୀପ ସାଇନି ମ୍ୟାଚରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ସାଇନି ଉଭୟ ସିଫର୍ଟ ଟେଲରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଏହାପରେ ଭାରତ ନୟନ୍ତ୍ରଣକୁ ଆସିଯାଇଥିଲା ମ୍ୟାଚ୍‌ । ୧୨ ରନ୍‌ ଦେଇ ୩ ଓ୍ୱିକେଟ ନେଇଥିବା ଯଶପ୍ରୀତ ବୁମ୍‌ରାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ବେଳେ ସିରିଜିରେ ସର୍ବାଧିକ ୨୨୪ ରନ୍‌ କରିଥିବା କେଏଲ୍‌ ରାହୁଲ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଥିଲେ । 

ଆତଙ୍କବାଦୀଙ୍କୁ ସାମ୍ନା କରିବା ପାଇଁ ଚାଲିଛି ମକ୍‌ଡ୍ରିଲ

ଭୁବନେଶ୍ୱର: ଟ୍ରେନ୍‌ ଭିତରେ ଆତଙ୍କବାଦୀ । ଟ୍ରେନ୍‌ ବାହାରେ ସଶସ୍ତ୍ର ସେନା । ଭୁବନେଶ୍ୱର ରଙ୍ଗମାଟିଆ ରେଳଷ୍ଟେସନ୍‌ ପାଲଟି ଯାଇଥିଲା ପୋଲିସ ଛାଉଣୀ । ଅଟକି ରହିଥିବା ଟ୍ରେନ୍‌ ଭିତରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାଲିଥିଲା ଯବାନଙ୍କ ଅପରସେନ ।

ପ୍ରାୟ ୨୦ ମିନିଟ୍‌ର ଅପରେସନ ପରେ ଟ୍ରେନ୍‌ ଭିତରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଯବାନ। ତେବେ ଟ୍ରେନ୍‌ ଭିତରେ କୈାଣସି ସତସତିକା ଆତଙ୍କବାଦୀ ପଶି ନଥିଲେ ।  ବରଂ ଏଭଳି ପରିସ୍ଥିତି ଉପୁଜିଲେ କେମିତି ଏହାର ମୁକାବିଲା କରାଯିବ ଏବଂ କେମିତି ଯାତ୍ରୀଙ୍କୁ ଉଦ୍ଧାର କରାଯାଇପାରିବ ସେ ନେଇ ଏସଓଜି ଯବାନଙ୍କୁ ନେଇ ଚାଲିଥିଲା ଓଡିଶା ପୋଲିସର ମକ୍‌ ଡ୍ରିଲ୍‌ ।

ଟ୍ରେନ୍‌ରେ ଆତଙ୍କବାଦୀ କିମ୍ବା ନକ୍ସଲ ଆକ୍ରମଣ କଲେ କିମ୍ବା ଯାତ୍ରୀଙ୍କୁ ବନ୍ଧକ ରଖିବାକୁ ଚେଷ୍ଟା କଲେ କେମିତି ଏହାର ମୁକାବିଲା କରାଯାଇପାରିବ ଏବଂ ଯାତ୍ରୀଙ୍କୁ ସୁରକ୍ଷିତ ରକ୍ଷା କରାଯାଇପରିବ ସେନେଇ ମକ୍‌ ଡ୍ରିଲ୍‌ ହୋଇଥିଲା ।

ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ସହ ମିଶି ମଦ ପିଉଛନ୍ତି ଛାତ୍ରୀ, ଦେଖନ୍ତୁ ପୁରା ଭିଡିଓ

ତାଳଚେର: ତାଳଚେରର ଏକ ଶିକ୍ଷାନୁଷ୍ଠାନରେ ମଦ ଆସର ଜମିଥିବା ଦେଖିବାକୁ ମିଳିଛି । ଛାତ୍ରଙ୍କ ସହ ମିଶି ମଦ ପିଉଛନ୍ତି ଛାତ୍ରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ୩ଜଣ ଛାତ୍ରୀ ଓ ଜଣେ ଛାତ୍ର ମିଶି କଲେଜ ୟୁନିଫର୍ମରେ ଥାଇ ମଦ ପିଉଥିବାର ଦେଖିବାକୁ ମିଳିଛି ।

ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାରତୀୟ ସେନା ଉପରେ ଗ୍ରେନେଡ୍‌ରେ ଆକ୍ରମଣ

ଜମ୍ମୁ-କଶ୍ମୀରରେ ସେନା ଉପରେ ଗ୍ରେନେଡ୍‌ରେ ଆକ୍ରମଣ । ଏଥିରେ ୨ସିଆରପିଏଫ ଯବାନ ଓ ୨ସାଧାରଣ ନାଗରିକ ଆହତ ହୋଇଛନ୍ତି । ଶ୍ରୀନଗରର ଲାଲଚୌକ ନିକଟରେ ଏହି ଆକ୍ରମଣ ଘଟିଛି ।

Image result for terorrist attack on indian soldier in

ତେବେ ଘଟଣା ପାଇଁ କୈାଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇବାକୁ ଆତଙ୍କି ଏଭଳି ଆକ୍ରମଣ କରିଥିବା ସିଆରପିଏଫ୍ ଆଇଜି ସୂଚନା ଦେଇଛନ୍ତି ।

ଉହାନରୁ ୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏୟାରଲିଫ୍ଟ କଲା ଭାରତ  

କରୋନା ଭାଇରସ୍‌ ପାଇଁ ଆକାଶ ମାର୍ଗରେ ଯାତ୍ରୀଙ୍କୁ କରାଗଲା ସ୍ଥାନାନ୍ତର । ଚୀନର ଉହାନ ସହରରୁ ୩୨୩ ଜଣ ଭାରତୀୟଙ୍କୁ ଏୟାରଲିଫ୍ଟ କଲା ଭାରତ । ଆସିଥିବା ଭାରତୀୟଙ୍କୁ ଦିଲ୍ଲୀର ସେନା ହସ୍ପିଟାଲରେ ପରୀକ୍ଷାନିରିକ୍ଷା କରାଯିବ ।

ଆଜି ସକାଳୁ ସ୍ୱତନ୍ତ୍ର ବିମାନରେ ଚୀନରେ ଥିବା ଭାରତୀୟଙ୍କୁ ଭାରତ ଅଣାଯାଇଛି ।

କୋରନା ଭାଇରସରେ ଶିକାର ହୋଇ ଚୀନରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ହଜାରରୁ ଅଧିକ ଶିକାର ହୋଇଛନ୍ତି ।

ଆଜି ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରେ ୭ଜଣ ମାଲଦ୍ୱୀପ ନାଗରିକ ଥିବା ଜଣାପଡ଼ିଛି ।

ସେମାନଙ୍କୁ ମଧ୍ୟ ଦିଲ୍ଲୀର ହସ୍ପିଟାଲରେ ପରୀକ୍ଷା କରାଯିବ । ଶୁକ୍ରବାର ମଧ୍ୟ ଭାରତ ସରକାର ୩୦୦ରୁ ଅଧିକ ଲୋକଙ୍କୁ ଏୟାରଲିଫ୍ଟ କରିଥିଲେ ।

ଇସ୍କନ ବିରୋଧରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏତଲା

ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ । ଯାହା ବିରୋଧରେ ପୁରୀ ସିଂହଦ୍ଵାର ଥାନାରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏତଲା ଦିଆଯାଇଛି । ମୁମ୍ବାଇ ଇସ୍କନ ମୁଖ୍ୟ ସ୍ୱାମୀ ରାଧାକାନ୍ତ ଦାସ ମହାରାଜଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଜଗନ୍ନାଥ ସେନା ।

Image result for iskon devotees in puri

ସେହିପରି ଭାରତରେ ଇସ୍କନକୁ ବ୍ୟାନ ଓ ଇସ୍କନ ଧର୍ମାଲମ୍ବିଙ୍କୁ ପୁରୀରେ ପ୍ରବେଶ ବନ୍ଦ କରିବାକୁ ଏହି ଏତଲାରେ ଉଲ୍ଲେଖ କରାଯାଇଛି । ଅଦିନିଆ ରଥଯାତ୍ରା ଶାସ୍ତ୍ର ଓ ଧର୍ମ ବିରୋଧୀ । ଏଭଳି ଧର୍ମ ବିରୋଧୀ କାର୍ଯ୍ୟ ଇସ୍କନ ବାରମ୍ବାର କରୁଥିବା ବେଳେ ଏହା ଧର୍ମୀୟ ଭାବନାର କୁଠାରଘାତ କରୁଛି ବୋଲି ଦର୍ଶାଇଛନ୍ତି ।