spot_img
Home Blog Page 724

ପୁଣି ଧରାପଡିଲେ ପାକିସ୍ତାନ ସ୍ପାଏ , ଗୁପ୍ତଚର ବୃତ୍ତି ଅଭିଯୋଗରେ ଯଶବୀର ସିଂଙ୍କୁ ଗିରଫ କଲା ପଞ୍ଜାବ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ପୁଣି ଧରାପଡିଲେ ଆଉଜଣେ ପାକିସ୍ତାନ ସ୍ପାଏ। ପାକିସ୍ତାନ ଲାଗି ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବ ପୋଲିସ ଯଶବୀର ସିଂ ନାମକ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି। ଜନ ମହଲ ଚାନେଲର ପରିଚାଳନା କରୁଥିବା ଯଶବୀରଙ୍କ ମୋଟ ସବସ୍କ୍ରାଇବରଙ୍କ ସଂଖ୍ୟା ୧୧ ଲକ୍ଷ। ପଞ୍ଜାବର ରୂପନଗର ଜିଲ୍ଲା ଅନ୍ତର୍ଗତ ମହ୍ଲାଣ ଗ୍ରାମର ବାସିନ୍ଦା ଯଶବୀରଙ୍କୁ ହେପାଜତକୁ ନେଇଛି ରାଜ୍ୟ ସ୍ବତନ୍ତ୍ର ଅପରେସନ୍ସ ସେଲ ବା SSOC। ପୂର୍ବରୁ ପାକିସ୍ତାନ ଲାଗି ଗୁପ୍ତଚରୀ ବୃତ୍ତି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ହରିଆଣାର ଜ୍ୟୋତି ମାଲହୋତ୍ରା। ପୋଲିସ ସୂତ୍ରରୁ କୁହାଯାଇଛି ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ସାକିର ଓରଫ ଜଟ୍ଟ ରନ୍ଧୱାଙ୍କ ସହ ଯୋଗସୂତ୍ରରେ ଥିଲେ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସାକିରର ସମ୍ପର୍କ ଥିବା କୁହାଯାଇଛି। ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ପୂର୍ବତନ କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିସ ସହ ଯଶବୀରଙ୍କ ସମ୍ପର୍କ ଥିଲା। ଗୁପ୍ତଚରୀ ବୃତ୍ତି ଅଭିଯୋଗରେ ଦାନିସଙ୍କୁ ବହିଷ୍କାର କରିଥିଲେ ଭାରତ ସରକାର ।

ସରଣ୍ଡା ଜଙ୍ଗଲରୁ ଆଉ ଏକ ଟନ ବିସ୍ଫୋରକ ସାମଗ୍ରୀ ଜବତ,ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ କମ୍ବିଂ ଜୋରଦାର

ନନ୍ଦିଘୋଷ ବ୍ୟୁରୋ : ବିସ୍ଫୋରକ ଲୁଟ୍ ଘଟଣାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମିଳିତ ଅପରେସନ ବେଳେ ଜବତ ହୋଇଛି ଆଉ ଗୋଟିଏ ଟନ ବିସ୍ଫୋରକ ସାମଗ୍ରୀ। ୨ ତାରିଖରେ ଅଢ଼େଇ ଟନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଟିମ ଦୁଇ ଦିନରେ ସାଢେ ତିନି ଟନ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି। ସରଣ୍ଡା ଜଙ୍ଗଲରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଓଡ଼ିଶା ପୋଲିସ, SOG, COBRA, CRPF ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ଲୁଟ ଘଟଣା ପରେ ସରଣ୍ଡା ଜଙ୍ଗଲରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଓ ରାଉରକେଲା ପୋଲିସ ଜିଲ୍ଲାର ବିସ୍ଫୋରକ ଥିବା ୬୧ଟି ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଅନ୍ୟପଟେ ଗିରଫ ପରେ ଜେଲକୁ ଗଲେ ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରଓ୍ବାଲ।

ସମ୍ବଲପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ,ଗିରଫ ହେଲେ କନେଷ୍ଟବଳ

ନନ୍ଦିଘୋଷ ବ୍ୟୁରୋ : ପୁଣି ଖାକିରେ ଦାଗ। ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ। ବରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିରଞ୍ଚି ମୁଣ୍ଡାଙ୍କୁ ଗିରଫ କରାଯାଇଛି । ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ କନଷ୍ଟେବଳଙ୍କୁ ଗିରଫ କରାଯାଇଥିବା ନେଇ ସମ୍ବଲପୁର ପୋଲିସ ସୂଚନା ଦେଇଛି। ବିରଞ୍ଚି ମୁଣ୍ଡାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ସେପଟେ ଦୁଷ୍କର୍ମ ଉଦ୍ୟମ କରିଥିବା ପୋଲିସ୍ କର୍ମଚାରୀଙ୍କ ଡାକ୍ତରୀ ପରୀକ୍ଷା ପରେ ସମ୍ବଲପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

୬ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ, ମେଡିକାଲରେ ଉତ୍ତେଜନା

କୋରାପୁଟ :  ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ଜଣ ରୋଗୀଙ୍କର ମୃତ୍ୟୁ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଆଇସିୟୁ ସର୍ଜରୀରେ ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୱାର୍ଡରେ ଥିବା ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତକାଲି ୫ ଜଣଙ୍କର ଜୀବନ ଯାଇଥିବା ବେଳେ, ଆଜି ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରୀରେ ଥିବା ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସୂଚନା ଅନୁସାରେ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ଗତକାଲି ୫ ଜଣଙ୍କ ଓ ଆଜି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି।
ଆଇସିୟୁ ସର୍ଜରୀରେ ମୃତ୍ୟୁବରଣ କରିଥିବା ରୋଗୀ ହେଲେ ଭଗବାନ ପରଜା, ଶୁକ୍ରା ମାଝି, ରୁକୁଣି ପେଣ୍ଟିଆ ଓ ଜଗନ୍ନାଥ ପୂଜାରୀ। ସେହିପରି ୱାର୍ଡରେ ମୃତ୍ୟୁବରଣ କରିଥିବା ରୋଗୀ ହେଲେ ବତି ଖରା ଓ ଫୁଲମତି ମାଝି। ଓ୍ବାର୍ଡରେ ୨ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ତାହା ଜଣାପଡିନାହିଁ। ଏହି ଘଟଣାକୁ ନେଇ ହସପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ପରେ ଆଇସିୟୁରେ ରୋଗୀଙ୍କର କିପରି ହେଲା ମୃତ୍ୟୁ, ସେନେଇ ଲୋକେ ପ୍ରଶ୍ନ କରିବା ସହ ଧାରଣାରେ ବସିଛନ୍ତି। ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଆଇସିୟୁରେ ଅପରେସନ ପରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିଲା। ରୋଗୀଙ୍କ ମୃତ୍ୟୁ ନେଇ ପରିବାର ପ୍ରଶ୍ନ ଉଠାଉ ଥିବାରୁ ଶବ ଜବତ୍ କରିଛି ଟାଉନ୍ ପୋଲିସ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ବୋଲି କହିଛନ୍ତି ମେଡିକାଲ ଅଧିକ୍ଷକ । ଅନ୍ୟ ପକ୍ଷରେ ମେଡିକାଲ କଲେଜରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ତାହାକୁ ନଜରରେ ରଖି ପୋଲିସ ମୁତୟନ ହୋଇଛନ୍ତି ।

ସୁରୁଖୁରୁରେ ସରିବ ମହାପ୍ରଭୁଙ୍କ ରଥଯାତ୍ରା,ସମସ୍ତ ସେବାୟତଙ୍କୁ ନେଇ ଚାଲିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : କିପରି ସୁରୁଖୁରୁରେ ସରିବ ମହାପ୍ରଭୁଙ୍କ ରଥଯାତ୍ରା । ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ପ୍ରସ୍ତାବ । ଗତକାଲି ପୁରୀ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ସମସ୍ତ ସେବାୟତଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା । ଆସନ୍ତା ୧୧ ତାରିଖ ଦେବସ୍ନାନ ପୁର୍ଣିମା । ରତ୍ନ ବେଦୀ ଛାଡି ପହଣ୍ଡି ହୋଇ ସ୍ନାନ ବେଦୀକୁ ବିଜେ କରିବେ ଦାରୁଦିଅଁ । ସ୍ନାନ ନୀତି ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ବରିଷ୍ଠ ଦଇତାପତି ସେବାୟତଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ହେବ ସମସ୍ତ ନୀତିକାନ୍ତି । ଗତବର୍ଷ ଆଡପ ମଣ୍ଡପ ପହଣ୍ଡି ତ୍ରୁଟି ଯେପରି ପୁନରବୃତ୍ତି ନହୁଏ ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ପାଉଣାକୁ ନେଇ ଅସନ୍ତୋଷ ବ୍ଯକ୍ତ କରିଥିବାବେଳେ ନିର୍ଦ୍ଧାରିତ ନୀତି ଅନୁଯାୟୀ ସମସ୍ତ କାମ ସୂଚାର ରୂପେ ସାରିବାକୁ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ ।

ଆଜି ଝାଡ଼ଖଣ୍ଡ ବନ୍ଦ ,ଭାରତ ଆଦିବାସୀ ପାର୍ଟି ଓ ବହୁ ଆଦିବାସୀ ସଂଗଠନ ପକ୍ଷରୁ ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡ ସେରୋମଟୋଲି ଅନ୍ତର୍ଗତ କେନ୍ଦ୍ରୀୟ ସରନା ସ୍ଥଳରେ ନବନିର୍ମିତ ରାମ୍ପକୁ ନେଇ ବିବାଦ। ଆଜି ଝାଡ଼ଖଣ୍ଡରେ ବନ୍ଦ ଡାକରା ଦିଆଯାଇଛି । ଏହି ରାମ୍ପକୁ ହଟାଇବା ଦାବିରେ ଆହୂତ ଝାଡ଼ଖଣ୍ଡ ବନ୍ଦ ଡାକରାକୁ ସମର୍ଥନ ଦେଇଛି ଭାରତ ଆଦିବାସୀ ପାର୍ଟି ବା ବିଏପି। ରାଞ୍ଚିର ସେରୋମଟୋଲି ଫ୍ଲାଏଓଭରର ଅଂଶବିଶେଷ ଭାବେ ନିର୍ମିତ ହୋଇଛି ରାମ୍ପ। ବିଏପି ରାଜ୍ୟ ସଭାପତି ପ୍ରେମ ସାହି ମୁଣ୍ଡା କହିଛନ୍ତି- ସରନା ସ୍ଥଳରେ ରାମ୍ପ ନିର୍ମାଣକୁ ବିଭିନ୍ନ ଆଦିବାସୀ ସଂଗଠନ ବିରୋଧ କରୁଛନ୍ତି। ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହା ସହ ରାଜ୍ୟରେ ଧାର୍ମିକ ସ୍ଥଳର ସୁରକ୍ଷା, ପେସା ଆଇନର କାର୍ଯ୍ଯକାରିତା ସମେତ ଅନ୍ୟାନ୍ୟ ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ଆଦିବାସୀମାନେ ଅଭିଯୋଗ କରୁଛନ୍ତି ସେରୋମଟୋଲି ଅନ୍ତର୍ଗତ କେନ୍ଦ୍ରୀୟ ସରନା ସ୍ଥଳରେ ରାମ୍ପ ନିର୍ମାଣ ହେଲେ ଧାର୍ମିକ ସମାଗମ ବାଧାପ୍ରାପ୍ତ ହେବ । ଏହି ଆନ୍ଦୋଳନରେ ନେୃତୃତ୍ବ ନେଉଛି ଆଦିବାସୀ ବଚାଓ ମୋର୍ଚ୍ଚା। ୨.୩୪ କିଲୋମିଟର ଦୀର୍ଘ ଫ୍ଲାଏଓଭରରୁ ୧୩୨ ମିଟର ରେଳଲାଇନ ଉପରେ ଯାଉଛି ।

ଆଜି ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ, ବିଧାନସଭା ନିର୍ବାଚନରେ ପରାଜୟର କାରଣ ନେଇ କରିବେ ସମୀକ୍ଷା

ନନ୍ଦିଘୋଷ ବ୍ୟୁରୋ : ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ । ହରିୟାଣାର କଂଗ୍ରେସ ସାଂଗଠନିକ ବିନ୍ୟାସ ସମ୍ପର୍କରେ ରାହୁଲ ଆଲୋଚନା କରିବେ ବୋଲି କହିଛନ୍ତି ପିସିସି ସଭାପତି ଉଦୟ ଭାନ । ଏହି ବୈଠକରେ ଏଆଇସିସି ଓ ପିସିସି ପର୍ଯ୍ୟବେକ୍ଷକ ବି ସାମିଲ ହେବେ ବୋଲି ସୂଚନା ମିଳିଛି । ହରିୟାଣାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ଅବକାଶରେ ଏହି ବୈଠକ ଅନୁଷ୍ଠିତ ହେବ । ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରଠାରୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାହାରିକୁ ନିଯୁକ୍ତି ଦିଆଯାଇପାରିନାହିଁ । ଏହି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ଗତବର୍ଷର ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା ସେ ସମ୍ପର୍କରେ ମାନସ ମନ୍ଥନ ଚାଲିଥିଲେ ବି କୌଣସି ନିର୍ଣ୍ଣାୟକ ସ୍ଥିତିରେ ଦଳ ପହଞ୍ଚି ପାରିନାହିଁ । କୁହାଯାଉଛି ଦଳ ଭିତରେ କନ୍ଦଳ ହିଁ ଦଳକୁ ବିପର୍ଯ୍ୟୟ ଆଡକୁ ଟାଣିନେଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା ଓ ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜାଙ୍କ ମଧ୍ୟରେ ତିକ୍ତତା ଦଳ ଲାଗି ଅଧିକ ଆତ୍ମଘାତୀ ସାବ୍ୟସ୍ତ ହେଲା ବୋଲି କୁହାଯାଉଛି । ଦଳ ଭିତରେ ଥିବା କନ୍ଦଳ ଦୂର କରିବା ଲାଗି ରାହୁଲ ଉଦ୍ୟମ କରିବେ ବୋଲି କୁହାଯାଉଛି । ରାହୁଲଙ୍କ ସହ ଉପସ୍ଥିତ ଥିବା 21 ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଭିନ୍ନ ସ୍ତରରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ତେବେ ଦଳୀୟ ବିଧାୟକମାନଙ୍କ ସହ ରାହୁଲ ବୈଠକ କରିବେ ନାହିଁ । ହୁଡା ଓ ଶୈଳଜାଙ୍କ କର୍ମୀଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର କରିବାରେ ରାହୁଲ ସକ୍ଷମ ହେବେ କି ନାହିଁ ସେ ନେଇ ଲାଗି ରହିଛି ଚର୍ଚ୍ଚା ।

ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ, ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ବିରୋଧୀଙ୍କ ଦାବି

ନନ୍ଦିଘୋଷ ବ୍ୟୁରୋ : ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ । ଏପ୍ରିଲ ୨୨ ପହଲଗାଓଁ ହମଲା ଏବଂ ତତପରବର୍ତ୍ତୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ଏହି ବୈଠକ ବସୁଛି । ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଟେରର କ୍ଯାମ୍ପରେ ହମଲା କରିଥିଲା ଭାରତ । ଆତଙ୍କବାଦ ବିରୋଧରେ ଭାରତର ଏହି ଜବରଦସ୍ତ ଅପରେସନରେ ଦେଶର ତିନିବାହିନୀ ଦେଖାଇଥିଲେ ଦମ୍। ଅପରେସନ ସିନ୍ଦୂରକୁ ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ଦାବି କରିଆସୁଛନ୍ତି ବିରୋଧୀ। ଅପରେସନ ସିନ୍ଦୂର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଟାର୍ଗେଟ କରିଆସୁଛନ୍ତି। ସେହପରି ଅସ୍ତ୍ରବିରତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ବି ବିରୋଧୀ ପ୍ରସଙ୍ଗ କରିଆସୁଛନ୍ତି। ଏହା ସହ ଚଳିତ ମାସରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଶେଷ ହେଉଥିବାରୁ ଏହି ପ୍ରସଙ୍ଗରେ ବି ବୈଠକରେ ଆଲୋଚନା ହେବ। ପ୍ରତି ୩ ମାସରେ ଥରେ ମନ୍ତ୍ରୀ ପରିଷଦ ବୈଠକ ବସିଥାଏ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ନୀତି ସମ୍ପର୍କରେ ଆଲୋଚନା ହୋଇଥାଏ।

IPL 2025 : ଚାମ୍ପିୟନ ହେଲା ବାଙ୍ଗାଲୋର

ଆଇପିଏଲ ଫାଇନାଲ ଟକ୍କରରେ ବାଜି ମାରିନେଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ୧୮ ବର୍ଷ ପରେ ଆରସିବି ହାତେଇଲା ଟ୍ରଫି । ୧୯୧ ରନର ଟାର୍ଗେଟ୍ ଦେଇଥିଲା ଆରସିବି । ୧୮୪ ରନ କରିବାରେ ସକ୍ଷମ ହୋଇଥିଲା ପଞ୍ଜାବ । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ  ଚାମ୍ପିୟନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହା ସହିତ ଆରସିବିର ଦୀର୍ଘ ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି । ଏହା ପୂର୍ବରୁ ଏହି ଦଳ ୩ ଥର ଫାଇନାଲକୁ ଯାଇଥିଲେ ବି ଚାମ୍ପିୟନ ହୋଇପାରିନଥିଲା । ୧୯୧ ରନର ପିଛା କରୁଥିବା ପଞ୍ଜାବ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୪ ରନ କରିପାରିଥିଲା । ଦଳ ପକ୍ଷରୁ ଶଶାଙ୍କ ସିଂ ୬୧ ରନ, ଜୋସ ଇଂଗଲିସ ୩୯ ରନ, ପ୍ରଭସିମରନ ସିଂ ୨୬ ଓ ପ୍ରିୟାଂଶ ଆର୍ଯ୍ୟା ୨୪ ରନ କରିଥିଲେ । ଦଳ ପକ୍ଷରୁ ଭୁବନେଶ୍ବର କୁମାର ଓ କୃନାଲ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ପୁଣି ରୁଷ ଉପରେ ୟୁକ୍ରେନର ବଡ଼ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପୁଣି ରୁଷ ଉପରେ ୟୁକ୍ରେନର ବଡ଼ ହମଲା। ରୁଷ ସହ କ୍ରିମିଆକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ହମଲା କରିଛି ୟୁକ୍ରେନ। ପାଣି ଭିତରେ ଥିବା ବିସ୍ଫୋରକ ଜରିଆରେ ବ୍ରିଜରେ କରିଛି ବିସ୍ଫୋରଣ। ବିସ୍ଫୋରଣ ଲାଗି ନିଜକୁ ଦାୟୀ କରିଛି ସିକ୍ୟୁରିଟି ସର୍ଭିସ ଅଫ ୟୁକ୍ରେନ-SBU। ୨୦୨୨ ପରଠାରୁ ରୁଷର ପ୍ରମୁଖ ଯୋଗାଯୋଗ ବ୍ଯବସ୍ଥା ଉପରେ ଏହା ହେଉଛି ତୃତୀୟ ହମଲା। ରୁଷ ସହ କ୍ରିମିଆକୁ ସଂଯୋଗ କରୁଥିବା କର୍ଚ ବ୍ରିଜ ଉପରେ ଏହି ହମଲା ହୋଇଛି। ବିସ୍ଫୋରଣରେ ୧୧୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହୃତ ହୋଇଛି। ବିସ୍ଫୋରଣରେ ବ୍ରିଜକୁ ସପୋର୍ଟ ଦେଉଥିବା କେତେକ ପିଲାର ନଷ୍ଟ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ବ୍ରିଜ ଉପର ଦେଇ ଟ୍ରାଫିକ ଚଳାଚଳ ବାତିଲ କରାଯାଇଛି।