spot_img
Home Blog Page 7189

କରୋନା ବିରୋଧୀ ଯୁଦ୍ଧ: ଓଡ଼ିଶାରେ ହସ୍ପିଟାଲରେ ରୋବର୍ଟ ଯୋଗାଇବ ଆବଶ୍ୟକୀୟ ସାମଗ୍ରୀ !

କଟକ: କରୋନାକୁ ନେଇ ସମସ୍ତେ ଚିନ୍ତାରେ  । କେମିତି ଏହି ରୋଗକୁ ମାତ୍ ଦିଆଯିବ ସେନେଇ ଚାଲିଛି ପ୍ରୟାସ । ଏବଂ ଏଥିପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଲକଡାଉନର ସାହାରା ମଧ୍ୟ ନେଇଛନ୍ତି ।

 ଭାରତ କରୋନାକୁ  ଯଦିଓ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିଛି  । ତଥାପି ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଦେଖାଦେଇଛି । ତେବେ ଏହି ପରିସ୍ଥିତିରେ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆଯାଉଛି ।

ଏହାକୁ ନଜରରେ ରଖି କଟକରେ ତିଆରି ହୋଇଛି ରୋବର୍ଟ । ରୋବର୍ଟ ହସ୍ପିଟାଲରେ ଥିବା ରୋଗୀଙ୍କ ପାଖକୁ ଯାଇ ସେମାନଙ୍କୁ ଦରକାରୀ ଜିନିଷ ଯୋଗାଇବାକୁ ସହାୟକ ହେବ । ତେବେ କଟକର ଖପୁରିଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ତିଆରି କରାଯାଇଛି ୨ଟି ରୋବର୍ଟ ।

ଏହି ୨ଟି ରୋବର୍ଟ କୋଭିଡ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ସହଯୋଗ କରିବେ । ପ୍ରତିଷ୍ଠାନର ୫ଜଣ ଶିକ୍ଷକ ଓ ସାକ୍ ବୟୋଟିକ ଲାଵର ଇଂଜିନିୟର ୧୫ଦିନରେ ଏହି ରୋବର୍ଟ ତିଆରି କରି ଦେଖାଇଛନ୍ତି । ଆହୁରି ୨ଟି ରୋବର୍ଟ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଚିମ୍ ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଛି ମସ୍ତି, ଭିଡିଓ ହେଲା ଭାଇରାଲ

ସାଲେପୁର: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମଜା ମଜଲିସ୍‌ । ଏ ଦୃଶ୍ୟ ଦେଖିଲେ ଆପଣ ଜାଣିଯିବେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କଣ ଚାଲିଛି । ଅବଶ୍ୟ ସବୁଠି ନୁହେଁ । କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସନ୍ଦିଗ୍‌ଧ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିବାର ବ୍ୟବସ୍ଥା କରାଯାଇଛି । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କିଛି ନିୟମ ସହ ଲୋକମାନେ ଯେମିତି ସମସ୍ୟାରେ ନପଡ଼ନ୍ତି, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସମସ୍ତ ବ୍ୟବସ୍ଥା କରିବାକୁ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କୁ ଦିଆଯାଇଛି ଦାୟିତ୍ୱ । ଆଉ ଏହାର ଫାଇଦା ଉଠାଉଛନ୍ତି ସରପଞ୍ଚଙ୍କ ସଂପର୍କୀୟ ଓ ସାଙ୍ଗସାଥୀ ।

https://www.facebook.com/NandighoshaTV/videos/658695998258025/

ଏ ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ମହଣ ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ର ଦୃଶ୍ୟ । ଅନ୍ୟ ନିୟମ ତ ଦୂରର କଥା, ସାମାଜିକ ଦୂରତା ରକ୍ଷା କଥା କିଏ ମାନୁଛି ? ୪-୫ ଜଣ ବ୍ୟକ୍ତି ବେଡ୍‌ ଉପରେ ଶୋଇ ମଉଜ କରୁଛନ୍ତି । ଏ ଲୋକମାନଙ୍କ ମଧ୍ୟରେ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ସ୍ୱାମୀ ଓ ଜଣେ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଅଛନ୍ତି । ଏ ଦୃଶ୍ୟ ଏବେ ଭାଇରାଲ୍‌ ହୋଇଛି । ଭିଡିଓ ଭାଇରାଲ୍‌ ପରେ ସଂପୃକ୍ତ ଲୋକମାନେ ଜ୍ୟୋତିରଞ୍ଜନ ମିଶ୍ର ନାମକ ଜଣେ ଯୁବକଙ୍କୁ ଧମକ ଦେଇଛନ୍ତି । ଏନେଇ ଜ୍ୟୋତିରଞ୍ଜନ ଥାନାରେ ଏତଲା ଦେଇଛନ୍ତି । ଘଟଣାକୁ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତି ଅନ୍ୟରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ ଘଟଣାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ଶୁଣନ୍ତୁ, କଣ କହୁଛନ୍ତି ସଂପୃକ୍ତ ଯୁବକ ଜ୍ୟୋତିରଞ୍ଜନ ମିଶ୍ର ଓ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତି ।

ଲକଡାଉନ : ମିଳିଲାନି ମହାପ୍ରୟାଣ ଗାଡି, ଝିଅ ଶବକୁ ବାଇକରେ ନେଇ ଘରକୁ ଫେରିଲେ ବାପା

ଭଦ୍ରକ: ଦୁନିଆକୁ ଭଲରେ ଦେଖିନି ସେ ।  ଦୁନିଆକୁ ବୁଝିବା ଆଗରୁ ଆଖି ବୁଜି ଦେଲା ସେ । ଆଉ ୬ ମାସ ପାଇଁ ବାପା ମାଆ ହୋଇଥିବା ଦୁଇ ମଣିଷକୁ ଛାଡ଼ି ଚାଲି ଯାଇଛି ଅନେକ ଦୂର । ଆଉ ତାର ଶେଷ ଯାତ୍ରାକୁ ଦେଖିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ । ଆମେ କହୁଛୁ ବାସୁଦେବପୁର ଗାଁର ସେଇ ଦମ୍ପତ୍ତିଙ୍କ ୬ମାସର ଶିଶୁକନ୍ୟାଙ୍କ ବିଷୟରେ । ଜିଏ କି ଦୁନିଆକୁ ଭଲରେ ଦେଖିବା ଆଗରୁ ପ୍ରାଣ ହରାଇଛି । ଏବଂ ତାର ସେଇ ଶେଷ ଯାତ୍ରାରେ ବାପାଙ୍କ ବାଇକ୍ ହିଁ ସାହାରା ହୋଇଛି । ମହାପ୍ରୟାଣ ଗାଡ଼ି ନ ଆସିବାରୁ ବାଇକରେ ଯାଇଛି ଝିଅର ଶବ ।

ସୂଚନା ଅନୁସାରେ, ଭଦ୍ରକର ବାସୁଦେବପୁର ବ୍ଲକ ସୁଗୋ ଗାଁରେ ଦିନ ମଜୁରିଆ ଭାବେ କାମ କରନ୍ତି ଅଭିମନ୍ୟୁ ଜେନା । ତାଙ୍କର ୬ମାସର ଶିଶୁକନ୍ୟା ଦେହ ଅସୁସ୍ଥ ଥିବାରୁ ତାକୁ ଭଦ୍ରକର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଅଭିମନ୍ୟୁ । ଏବଂ ଭଦ୍ରକ ମେଡ଼ିକାଲରେ ପହଞ୍ଚିବାର କିଛି ସମୟ ମଧ୍ୟରେ ହିଁ ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିଲା । ଲକଡାଉନ କାରଣରୁ ସବୁ ଗାଡ଼ିର ଜାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଝିଅର ଶବକୁ ଘରକୁ ନେବାକୁ କୌଣସି ସୁବିଧା ନଥିବାରୁ ମହାପ୍ରୟାଣ ଗାଡ଼ିରେ ଝିଅର ଶବକୁ ନେବାକୁ ଗାଡିକୁ ଫୋନ କରିଥିଲେ । କିନ୍ତୁ ଗାଡ଼ି ନଆସିବାରୁ ବାଇକରେ ଝିଅର ଶବକୁ ୨୦କିଲୋମିଟର ଦୂର ନିଜ ଗାଁକୁ ନେଇଥିଲେ ଅଭିମନ୍ୟୁ । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କରୋନା ବିରୋଧୀ ଲଢେଇରେ ଟଙ୍କାର ଅଭାବ ବାଧା ସାଜିବନି

ଭୁବନେଶ୍ୱର: କରୋନା ବିରୋଧୀ ଯୁଦ୍ଧରେ ରାଜ୍ୟ ସରକାରଙ୍କ ନୀତି ହେଉଛି ଲୋକ ପ୍ରଥମେ, ଟଙ୍କା ପଛ । ଏହି ନୀତିକୁ ନେଇ ଓଡ଼ିଶା ସରକାର କରୋନା ବିରୋଧୀ ଯୁଦ୍ଧ ଲଢୁଛନ୍ତି । ବିଦେଶରୁ ଟେଷ୍ଟିଂ କିଟ୍ ମଗାଇବା ହେଉ କିମ୍ବା ଇଂଜିନିୟରଙ୍କୁ ଓଡ଼ିଶା ଆଣିବାରେ ରାଜ୍ୟ ବିମାନର ବ୍ୟବହାର ହେଉ । ରାଜ୍ୟ ହିତ ପାଇଁ ଯାହା ଜରୁରୀ ସେଥିପାଇଁ ଓଡ଼ିଶା ସରକାର ଅର୍ଥ ବ୍ୟୟ କରିବାରେ ପଛଘୁଂଚା ଦେଉନାହାନ୍ତି ବୋଲି ଆଜି ରାଜ୍ୟ ସରକାରଙ୍କ ପ୍ରେସମିଟରେ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଆଜି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ହେମନ୍ତ ଶର୍ମା ରାଜ୍ୟ ସରକାରଙ୍କ ବିଭିନ୍ନ ଅପରେସନର କଥା କହିଛନ୍ତି । କେମିତି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ କଳ ପ୍ରୋଆକ୍ଟିଭ୍ ଭାବେ କରୋନା ଯୁଦ୍ଧ ଲଢୁଛି ସେକଥା ହେମନ୍ତ ଶର୍ମା କହିଥିଲେ ।

ଅନେକ ବାଧା ବିଘ୍ନ ସତ୍ତ୍ୱେ ଚାଇନା, ସିଙ୍ଗାପୁର, ୟୁକେ ଭଳି ଦେଶରୁ ମଗାଯାଉଛି ମେଡିକାଲ ଇକ୍ୟୁପ୍‌ମେଣ୍ଟ ବା ଟେଷ୍ଟିଂ କିଟ୍‌ । ସାରା ବିଶ୍ୱର ଏବେ ମେଡିକାଲ ଉପକରଣର ଅଭାବ ରହିଥିଲେ ମଧ୍ୟ ଓଡ଼ିଶା ସରକାର ଦିନରାତି ଚେଷ୍ଟା ଚଳାଇଛନ୍ତି କଭଳି ଅଧିକରୁ ଅଧିକ ମେଡିକାଲ କିଟ୍‌ ଅଣାଯିବ ଓ ଲୋକଙ୍କୁ କରୋନା ଦାଉରୁ ରକ୍ଷା କରାଯିବ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ହିଁ ଏବେ ସମ୍ପୂର୍ଣ୍ଣ ସକ୍ରିୟ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା

କରୋନା ସହ ଯ଼ୁଦ୍ଧ ପାଇଁ ସବୁ ପ୍ରକାର ବଳ ଆବଶ୍ୟକ । ଧନବଳ, ଜନବଳ, ସାମଗ୍ରୀବଳ ସହ ଜ୍ଞାନ କୌଶଳ ମଧ୍ୟ ଲୋଡା ରହିଛି । ବିଶ୍ୱର ଅନେକ ବଡ଼ ବଡ଼ ଦେଶମାନେ ଏହି ସବୁ ଦିଗରେ ଆଗରେ ରହିଥିଲେ ମଧ୍ୟ ଆଜି ସେମାନେ ନିରାଶ । ହେଲେ ଓଡ଼ିଶା ସରକାର ନିଜର ସମସ୍ତ କଳ ବଳ କୌଶଳ ଲଗାଇଛନ୍ତି କରୋନା ଯୁଦ୍ଧରେ ଜିତିବା ପାଇଁ ବୋଲି କହିଛନ୍ତି ମୁଖପାତ୍ର ସୁବ୍ରତ ବାଗ୍‌ଚୀ ।

ସ୍ୱାସ୍ଥ୍ୟ ବିଭାଗ ପାଇଁ ବଜେଟ୍‌ ଅସୀମିତ

ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବର୍ଷକର ବଜେଟ ହେଉଛି ୬୩୦ କୋଟି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତି ଯୋଗୁଁ ସ୍ୱସ୍ଥ୍ୟ ବିଭାଗର ବଜେଟକୁ ଅସୀମତ କରିଦେଇଛନ୍ତି ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଓଡ଼ିଶା ଆସିବ ୩ କୋବାସ ମେସିନ୍‌

କରୋନା ପାଇଁ ଓଡ଼ିଶାକୁ ଅଧିକ କୋବାସ ମେସିନ ଅଣାଯିବ । ଏହି ମେସିନ୍‌ ବ୍ୟୟବହୂଳ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । ତଥାପି ଓଡ଼ିଶାକୁ ଅଧିକ କୋବାସ ମେସିନ୍‌ ଆଣିବାକୁ ଯୋଜନା ଚାଲିଛି । ପ୍ରଥମେ ୩ ମେଡିକାଲ କଲେଜରେ ଏହି ମେସିନ ସ୍ଥାପନ ହେବାକୁ ଯୋଜନା ରହିଛି । କୋରାପୁଟ, ବଲାଙ୍ଗିର ଓ ବାଲେଶ୍ୱରରେ ସ୍ଥାପିତ ହେବ କୋବାସ ମେସିନ୍ । ଏବେ ରାଜ୍ୟରେ ଗୋଟିଏ କୋବାସ ମେସିନ୍‌ ରହିଛି ।

ନବୀନଙ୍କ ମୋଦିଙ୍କୁ ଫୋନ୍ ପରେ ରାତିରେ ଖୋଲିଥିଲା ବିମାନ ବନ୍ଦର

ଜରୁରୀକାଳିନ ପରିସ୍ଥିତି ପାଇଁ ଖୋଲାଯାଇଥିଲା ନାସିକ୍‌ ବିମାନ ବନ୍ଦର । ଲକ୍‌ଡାଉନ୍‌ ଯୋଗୁ ବିମାନ ଚଳାଚଳ ଉପରେ ଲାଗଥିଲା ରୋକ । କିନ୍ତୁ ମେଡିକାଲ କିଟ୍ ଓଡିଶାରେ ପହଂଚିବା ଜରୁରି ଥିଲା । ଏମିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲ କରିଥିଲେ । ଏହାପରେ ରାତିରେ ଖୋଲିଥିଲା ବିମାନ ବନ୍ଦର । ମେଡିକାଲ କିଟ୍ ନେଇ ଓଡିଶା ଆସିଥିଲା ବିମାନ । ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ ସଚିବ ହେମନ୍ତ ଶର୍ମା

ରାସନ କାର୍ଡ ନଥିଲେ ବି ମିଳିବ ରାସନ୍‌

ମୁଖ୍ୟମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯେ, ରାଜ୍ୟରେ ରାସନକାର୍ଡ ନଥିଲେ ମଧ୍ୟ ଲୋକଙ୍କୁ ରାସନ ଦିଆଯିବ । କୌଣସି ଶ୍ରମିକ ଯେଭଳି ଭୋକିଲା ନରୁହେ ସେଥିପାଇଁ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବାହାରୁ ଓଡ଼ିଶା ଫେରୁଥିବା ସମସ୍ତ ଶ୍ରମିକ ବା ଲୋକ ନିଜର ନାଁ ପଞ୍ଜିକୃତ କରିବା ବାଧ୍ୟତାମୂଳକ । ସେମାନେ ଓଡ଼ିଶା ଆସି ପ୍ରଥମେ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରହିବେ । ଆଉ ସରକାର ସେମାନଙ୍କ ଖାଦ୍ୟ ପାନୀୟର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧୦ ଲକ୍ଷ ଲୋକଙ୍କୁ କାମ

ପୂବର୍ରୁ ମନରେଗା ଯୋଜନାରେ ରାଜ୍ୟରେ ଦିନକୁ ୫ ଲକ୍ଷ ଲୋକଙ୍କୁ କାମ ଦିଆଯାଉଥିଲା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିନକୁ ୧୦ ଲକ୍ଷ ଲୋକଙ୍କୁ କାମ ଦିଆଯିବ । ଅନ୍ୟପଟେ ଖୁବ୍‌ ଶୀଘ୍ର ଦିନକୁ ୧୫ ହଜାର ରକ୍ତ ନମୁନା ପରୀକ୍ଷା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ମୁଖପାତ୍ର ଶ୍ରୀ ବାଗ୍‌ଚୀ ।

https://www.facebook.com/NandighoshaTV/videos/259770372083848/

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରୁଛି କରୋନା ସଂକ୍ରମଣ । ଏଇ କିଛି ଦିନ ଭିତରେ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ରୂପ ନେଇଛି । ଫେରନ୍ତାଙ୍କ ଚିନ୍ତାରେ ପଢ଼ିଛି ସାରା ରାଜ୍ୟ । ପ୍ରତି ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କାରଣ ପଜିଟିଭ ଫେରନ୍ତାଙ୍କ ପାଇଁ ରାଜ୍ୟରେ ବଡ଼ିଛି କରୋନା ସଂକ୍ରମଣ । କିନ୍ତୁ ଏହାରି ଭିତରେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ।

ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ  ଡିସଚାର୍ଜ କରାଯାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାବ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୮ ଜଣ ସୁସ୍ଥ ହୋଇଥିବାବେଳେ ୧୧୮ ଜଣ ସଂକ୍ରମିତ ହୋଇଛନ୍ତି ।

ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ

 

ଆମେରିକା ଆକାଶରେ ଉଡନ୍ତା ଥଳିଆ, ପେଣ୍ଟାଗନ୍ ଜାରିକଲା ୩ଟି ଭିଡ଼ିଓ

ୱାସିଂଟନ: ଆମେରିକାର ପେଣ୍ଟାଗନରେ ଆନୁଷ୍ଠାନିକ ଭାବରେ ଏକ ଭିଡ଼ିଓ ଜାରି କରିଛନ୍ତି । ଯେଉଁଥିରେ ଆକାଶରେ ଏକ ଅଜ୍ଞାତ ୟୁଏଫଓ ଦେଖା ଯାଇଛି । ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ପୂରା ଦୁନିଆ ଆଶ୍ଚର୍ଯ୍ୟ ହୋଇପଡ଼ିଛି । ଏହିଭଳି ୩ଟି ଭିଡ଼ିଓ ଆମେରିକାର ନୌସେନାର ପାଇଲଟଙ୍କ ଦ୍ୱାରା ଜାରି କରାଯାଇଛି । ଯେଉଁଥିରେ ଆକାଶରେ ଏକ ଅଜ୍ଞାତ ବିମାନ ଉଡ଼ୁଥିବାର ଦେଖାଯାଇଛି।

  ଯେଉଁ ଭିଡିଓ ଗୁଡିକ ଜାରି କରାଯାଇଛି ତାହାକୁ ୨୦୦୪ ଏବଂ ୨୦୧୫ରେ ଆକାଶରେ ଫ୍ଲାଇଟ ଉଡାଇବାର ଟ୍ରେନିଂ  ସମୟର ପାଇଲଟମାନେ  ସେନ୍ସର ଟେକ୍ନୋଲୋଜି ମାଧ୍ୟମରେ ଆକାଶରେ କଏଦ କରିଥିଲେ । ପରେ ଏହାକୁ ଆମେରିକାର ନୌସେନା ଦ୍ୱାରା ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିଲା ।

ଏହିମଧ୍ୟରୁ ଦୁଇଟି ଭିଡିଓ କ୍ଲିପକୁ ପ୍ରଥମ ଥର ପାଇଁ ୨୦୧୭ରେ ନ୍ୟୁୟର୍କ ଟାଇମ୍ସରେ ଏବଂ ତୃତୀୟ କ୍ଲିପ୍ ୨୦୧୮ରେ ଷ୍ଟାର୍ସ ଏକାଡେମୀରେ ସ୍ଥାନ ମିଳିପାରିଥିଲା । ପ୍ରତିରକ୍ଷା ବିଭାଗ ଏହି ତିନୋଟି ଅଜ୍ଞାତ ଭିଡିଓକୁ ଜାରି କରିବାକୁ ନୌସେନାକୁ ଅନୁମତି ଦେଇଥିଲା।  ପ୍ରତିରକ୍ଷା ବିଭାଗର ମୁଖପାତ୍ର ସୁଶାନ ଗଫ୍ କହିଛନ୍ତି ଯେ, ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏ ନଭେମ୍ବର ୨୦୦୪ରେ ନିଆଯାଇଥିବାବେଳେ ଦୁଇଟି ଜାନୁଆରୀ ୨୦୧୫ରେ କଏଦ ହୋଇଛି । ଏହି ଭିଡିଓ ୨୦୦୭ ରୁ ୨୦୧୭ ମଧ୍ୟରେ ଲୋକଙ୍କ ପାଖରେ ଅନଅଧିକୃତ ଭାବରେ ଉପଲବ୍ଧ ଥିଲା ।

ଭିଡିଓ ବିଷୟରେ ସୋମବାର ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଭିଡ଼ିଓଗୁଡ଼ିକୁ ‘ଗଭୀର ସମୀକ୍ଷା’ ପରେ ଜାରି କରାଯାଇଛି । ଏହାପୂର୍ବରୁ ଅନୁସନ୍ଧାନରେ ନିଷ୍ପତ୍ତି ନିଆଯାଇଛି ଯେ ଏହି ଅଜ୍ଞାତ ଭିଡିଓରୁ କୌଣସି ପ୍ରକାରର ସମ୍ବେଦନଶୀଳ ସୂଚନା କିମ୍ବା ପ୍ରଯୁକ୍ତିବିଦ୍ୟା ସୂଚନା ନିଆଯାଇ ନାହିଁ ।

ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର

ନୂଆଦିଲ୍ଲୀ:  ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢିବାରେ  ଲାଗିଛି । ଦେଶବ୍ୟାପି କରୋନା ସଂକଟ ଜାରି ରହିଥିବାବେଳେ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଦେଇଛି ଯେ, ପ୍ଲାଜମା ଥେରାପି ଦ୍ୱାରା କରୋନା ଭାଇରସର ସଫଳ ଚିକିତ୍ସା ହୋଇ ପାରିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ,ପ୍ଲାଜମା ଥେରାପିକୁ ନେଇ ସବୁ ଦାବି ଭୁଲ ଅଟେ ଓ ଏହା ଏପର୍ଯ୍ୟନ୍ତ ପରୀକ୍ଷଣ ସ୍ତରରେ ଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଇସିଏମଆର ବକ୍ତବ୍ୟ ଉଧାର କରି କହିଛି ଯେ,ପ୍ଲାଜମା ଥେରାପି ଜରିଆରେ କରୋନାର ଚିକିତ୍ସା ସମ୍ଭବ ନୁହେଁ । ଏହାକୁ ଆଇସିଏମଆର ତରଫରୁ ସ୍ୱୀକୃତି ମିଳନାହିଁ । ଏହାକୁ ଏବେ କେବଳ ଟ୍ରାଏଲ ଓ ରିସର୍ଚ୍ଚ ଭାବେ ବ୍ୟବହାର କରାଯାଇପାରେ

ଲବ୍ ଅଗ୍ରୱାଲ କହିଛନ୍ତି ଯେ, ଏଥିପାଇଁ ଜାରି ଗାଇଡଲାଇନ୍ସକୁ ଠିକ୍ ଭାବେ ପାଳନ ନକରାଗଲେ ସ୍ଥିତ ଗମ୍ଭୀର ହୋଇପାରେ । ଆଇସିଏମଆର ଏହାକୁ ନେଇ ଏବେ ଅନୁସଂଧାନ ଆରମ୍ଭ କରିଛି । ଏବେ ଏହି ପଦ୍ଧତିକୁ ନେଇ ସଠିକ ଭାବେ କିଛି କୁହାଯାଇ ପାରିବ ନାହିଁ

ସ୍ୱାସ୍ଥ୍ୟ ଏବଂ ଗୃହମନ୍ତ୍ରଣାଳୟର ମିଳିତ ପ୍ରେସମିଟରେ ମଙ୍ଗଳବାର ଦିନ  କରୋନା ଭାଇରସକୁ ନେଇ ନୂଆ ତଥ୍ୟ ଦିଆଯାଇଛି । ଏହି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ କରୋନା ଭାଇରସର ୧୫୪୩ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ରିକଭରି ରେଟ୍ ରହିଛି ୨୩.୩ ପ୍ରତିଶତ । ୬୮୪ ଜଣ ଲୋକ ଭଲ ହୋଇ ଘରକୁ ଫେରିଛନ୍ତି ଓ ମୃତ୍ୟୁସଂଖ୍ୟା ୯୩୪ରେ ପଂହଚିଛି  ।

ICUରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇରଫାନ୍ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇରଫାନଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ରଖାଯାଇଛି । ନିକଟରେ ଇରଫାନଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । ତେବେ ଲକଡାଉନ୍ କାରଣରୁ ସେ ମା’ଙ୍କ ଶେଷକୃତ୍ୟରେ ସାମିଲ ହୋଇ ପାରିନଥିଲେ । ଭିଡଓ କଲ ଜରିଆରେ ସେ ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଦୁଇ ବର୍ଷ ତଳେ ମାର୍ଚ୍ଚ ୨୦୧୮ରେ ଇରଫାନ ଅଚାନକ ଅସ୍ୱସ୍ଥ ହୋଇପଡିଥିଲେ । ଇରଫାନ୍ ଏସମ୍ବନ୍ଧରେ ନିଜେ ଟ୍ୱିଟ୍ କରିଥିଲେ । ଟ୍ୱିଟ୍ କରି ସେ ଫ୍ୟାନଙ୍କୁ ତାଙ୍କୁ ହୋଇଥିବା ରୋଗ ସମ୍ବନ୍ଧରେ ସୂଚିତ କରିଥିଲେ ।  ସେତେବେଳେ ସେ ଲେଖିଥିଲେ ଯେ, ଜୀବନରେ ଅଚାନକ ଏମିତି କିଛି ହୋଇଥାଏ, ଯାହା ଆପଣଙ୍କୁ ଆଗକୁ ନିଏ । ମୋ ଜିବନର ଗତ କିଛିଦିନ ଏହିଭଳି । ମୋତେ ନ୍ୟୁରୋ ଇଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଛି ।

୫୫ ବର୍ଷିୟ ଇରଫାନ ୨୦୧୯ରେ ବିଦେଶରେ ଚିକିତ୍ସିତ ହେବା ପରେ ଭାରତ ଫେରିଥିଲେ । ସେତେବେଳେ ତାଙ୍କୁ ଏୟାରପୋର୍ଟରେ ହ୍ୱିଲଚେୟାରରେ ଦେଖିବାକୁ ମିଳିଥିଲା । ବିଦେଶରୁ ଫେରିବା ପରେ ତାଙ୍କ ପ୍ରଥମ ଫିଲ୍ମ ଥିଲା ଇଂଲିଶ ମିଡିୟମ । ତେବେ କରୋନା କାରଣରୁ ଏହି ଫିଲ୍ମକୁ ବ୍ୟବସାୟିକ ସଫଳତା ମିଳିପାରିନାହିଁ

ମୋର ଅଧିକା ଗୋଟିଏ ଇଟିଲି ଦରକାର… ଏମିତି କହି ସପ୍ତମ ମହଲାରୁ ଡେଇଁ ପଡ଼ିଲେ କରୋନା ରୋଗୀ

ବାଙ୍ଗାଲୋର: ‘ମୁଁ ବହୁତ ଭୋକିଲା ଅଛି ଦୟାକରି ମୋତେ ଖାଇବାକୁ ଆଉ ଗୋଟେ ଇଟିଲି ଦିଅ । ‘ ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ କର୍ଣ୍ଣାଟକରେ କରୋନା ପଜିଟିଭ ରୋଗୀ ସଂଖ୍ୟା  ୪୬୬ଙ୍କର ଏହାଥିଲା ଶେଷ ଶବ୍ଦ ।  ସୋମବାର ଦିନ ଜଣେ କରୋନା ପଜିଟିଭ ରୋଗୀ ବାଙ୍ଗାଲୋରର ଭିକ୍ଟୋରିଆ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ଆଉ ଇଟିଲି ମାଗିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଜଳଖିଆ ପରିବେଷଣ କରୁଥିବା ବ୍ୟକ୍ତି

ଦକ୍ଷିଣ ବାଙ୍ଗାଲୋରର ତିଲକନଗର ଅଞ୍ଚଳର ଜଣେ ୫୦ବର୍ଷ ବୟସ୍କ ଅଟୋ ଡ୍ରାଇଭର ଖାଇବାକୁ ଜଦିଓ ଅଧିକ ପସନ୍ଦ କରୁନଥିଲେ। କିନ୍ତୁ ସେ ତାଙ୍କ ଜଳଖିଆ ଖାଇବା ସମୟରେ ଅଧିକ ଆଉ ଗୋଟିଏ ଇଟିଲି ମାଗିଥିଲେ, ଡାକ୍ତରଖାନାରେ ଜଳଖିଆ ପରିବେଷଣ କରୁଥିବା ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୪୬୬ତମ ରୋଗୀ କୌଣସି ପ୍ରକାରେ ହସ୍ପିଟାଲର କର୍ମଚାରୀଙ୍କୁ ତାଙ୍କଠାରୁ ଦୂରେଇ ଦେବାକୁ ଚାହୁଁଥିଲେ । ତାହା ମଧ୍ୟ ହୋଇଥିଲା ।  ସେ ବ୍ୟକ୍ତି ଜଣଙ୍କ ଇଟିଲି ଆଣିବାକୁ ଯିବାର  କିଛି କ୍ଷଣରେ କରୋନା ରୋଗୀ ଆଇସିୟୁରୁ ​​ବାହାରି ଆସି ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଡାକ୍ତରଖାନା କର୍ମଚାରୀମାନେ କିଛି କରିବା ପୂର୍ବରୁ ରୋଗୀର ମୃତ୍ୟୁ ହୋଇସାରିଥିଲା ।

ମହିଳା କରୋନା ରୋଗୀଙ୍କ ମୃତ୍ୟୁ ପରେ ଏହି ରୋଗୀ ଜଣଙ୍କ ଏମିତି କରିଥିବା ସନ୍ଦେହ କରାଯାଉଛି

ସୂଚନାନୁସାରେ, ଏପ୍ରିଲ୍ ୨୪ରେ ଅଟୋ ଡ୍ରାଇଭର କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ରବିବାର ଦିନ ଆଇସିୟୁରେ ଜଣେ ମହିଳା କରୋନା ରୋଗୀଙ୍କ ମୃତ୍ୟୁ ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରଖାନାର ଜଣେ କର୍ମଚାରୀ କହିଛନ୍ତି ଯେ, ଅଟୋ ଡ୍ରାଇଭର ଏବଂ ୪୫ ବର୍ଷ ବୟସ୍କା ମହିଳା (୪୬୫ ନଂ ରୋଗୀ) ଯାହାଙ୍କ ମୃତ୍ୟୁ ହୋଇସାରିଥିଲା , ଗୋଟିଏ ଦିନରେ ହିଁ  କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଉଭୟ ଗୁରୁତର ଶ୍ୱାସକ୍ରିୟା ସମ୍ବନ୍ଧିୟ ଗମ୍ଭୀର ସଂକ୍ରମଣ (SARI) ଏବଂ ନିମୋନିଆ ସହିତ ଲଢୁଥିଲେ । ଡ୍ରାଇଭର ଜଣଙ୍କ ଦେଖିଥିଲେ ମହିଳାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବରେ ଖରାପ ହେଉଛି ଏବଂ ଏହି କାରଣରୁ ସେ ଅଧିକ ଭୟଭୀତ ହୋଇପଡ଼ି ଥିଲେ ।

‘ମୁଁ ଜାଣେ ମୁଁ ଶୀଘ୍ର ମରିବାକୁ ଯାଉଛି ‘

ଡାକ୍ତରଖାନା କର୍ମଚାରୀ କହିଛନ୍ତି ଯେ, ମହିଳାଙ୍କ ମୃତ୍ୟୁ ପରେ ଚାରିଜଣ କରୋନା ପଜିଟିଭ୍ ଆଇସିୟୁରେ ରହିଥିଲେ ଏବଂ ଉକ୍ତ ମହିଳାଙ୍କ ମୃତ୍ୟୁ ପରେ ଏହି ରୋଗୀମାନେ ତାଙ୍କୁ ମନେପକାଉଥିଲେ । ନିମୋନିଆ ସହିତ ଅଟୋ ଡ୍ରାଇଭରରେ କ୍ରୋନିକ୍ କିଡନୀ ବ୍ୟାଧି, ଉଚ୍ଚ ରକ୍ତଚାପ ଏବଂ ହେପେଟାଇଟସ ସଂକ୍ରମଣ ମଧ୍ୟ ହୋଇଥିଲା । ଏପ୍ରିଲ୍ ୨୫ରେ, ଆଡମିଶନ ହେବା ପରେ ସେ କିଡନୀର ଡାୟଲିସିସ୍ କରିଥିଲେ । ଆଇସିୟୁରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ରୋଗୀ କୁହିଛନ୍ତି ଯେ ଅଟୋ ଡ୍ରାଇଭର କହୁଥିଲା ଯେ ମୁଁ ଜାଣେ ମୁଁ ଶୀଘ୍ର ମରିବାକୁ ଯାଉଛି ।

ଏହି ରୋଗୀର କୌଣସି ପରିବାର ସଦସ୍ୟ କେବେ ଫୋନ୍ କରିନାହାଁନ୍ତି

ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ୪୬୬ ନମ୍ବର ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଦିନଠାରୁ ତାଙ୍କର କୌଣସି ପରିବାର ସଦସ୍ୟ ତାଙ୍କ ସହ ଫୋନରେ କଥା ହେବାକୁ ଚେଷ୍ଟା କରିନାହାଁନ୍ତି । ଏହା ଦ୍ୱାରା ସେ ଅଧିକ କଷ୍ଟ ଅନୁଭବ କରୁଥିଲେ । ସେ ପ୍ରତିଦିନ ପଚାରିଥାନ୍ତି ତାଙ୍କୁ ତାଙ୍କ ପରିବାରର କୌଣସି ବ୍ୟକ୍ତି ଫୋନ କରିଛନ୍ତି କି ନାହିଁ । କିନ୍ତୁ ତାଙ୍କ ପରିବାରରୁ କିଛି ଫୋନ ଆସି ନଥିବା ଶୁଣି ସେ ନିରାଶ ହୋଇଯାଆନ୍ତି ।

ମୁନ୍ନାଭାଇ MBBSର ଦୃଶ୍ୟ ମନେ ପକାଉଥିଲେ

କୁହାଯାଏ ଯେ, ଆତ୍ମହତ୍ୟା କରିବାର ରାତିରେ ସେ ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଥିଲେ, ‘ମୁଁ ଅବିବାହିତ  ଏବଂ ବର୍ତ୍ତମାନ ତିଲକନଗରର ସମସ୍ତ ଲୋକ ମୋତେ ଗାଳି ଦେବେ । ମୁଁ କଣ କରିବି ମୁଁ ଆଉ ବଞ୍ଚିବାକୁ ଚାହେଁ ନାହିଁ। ‘ ସେ ପ୍ରାୟତଃ ମୁନ୍ନାଭାଇ ଏମବିବିଏସ୍ ଚଳଚ୍ଚିତ୍ରର ଦୃଶ୍ୟକୁ ମନେ ପକାଉଥିଲେ, ଯେଉଁଥିରେ ଜଣେ ଯକ୍ଷ୍ମା ପୀଡିତ ଜଣେ ବ୍ୟକ୍ତି ଜୀବନ ଜିଇଁବା ପୂର୍ବରୁ ମୃତ୍ୟୁବରଣ କରିଥିଲେ ।

ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହା ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୯,୪୩୫କୁ ବୃଦ୍ଧି ପାଇଛି । ମଙ୍ଗଳବାର ସକାଳ ସୁଦ୍ଧା ୬,୮୬୯ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ମାମଲାରେ ୧୧୧ ବିଦେଶୀ ନାଗରିକ ମଧ୍ୟ ଏଥିରେ ସାମିଲ ଅଛନ୍ତି ।

ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ଅନ୍ୟରାଜ୍ୟରେ ଫସି ରହିଥିବା ଶ୍ରମିକ ଫେରିବା ଏବେ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ କାମ ହରାଇ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ  ଆଲୋଚନା କରିଛନ୍ତି ।  ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନାରେ  ଖାଦ୍ୟ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାରୁ ଯେପରି ବଞ୍ଚିତ ନରୁହନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କଡ଼ା ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗାରେ ଜରିଆରେ ୫ ଲକ୍ଷ ମାନବ ଦିବସକୁ ଦୁଇ ଗୁଣିତ କରି ଦୈନିକ ୧୦ ଲକ୍ଷ ମାନବ ଦିବସ ସୃଷ୍ଟି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ପାଖରେ ରାସନ କାର୍ଡ ନଥିଲେ ମଧ୍ୟ ସେମାନଙ୍କୁ ରାସନ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଓଡ଼ିଶା ଫେରୁଥିବା ଶ୍ରମିକ ମାନଙ୍କର ରାସନ କାର୍ଡ ଥାଉ ବା ନଥାଉ ସେମାନଙ୍କୁ ପରିବାରକୁ ଖାଦ୍ୟ ସାମଗ୍ରୀ ମିଳିବା ସୁନିଶ୍ଚିତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାସନ ପାଇବାରେ  ଯେପରି  ଶ୍ରମିକ  କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ଉପରେ ନଜର ରଖିବାକୁ  ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି  ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟ ହେଉଛି କୋଭିଡ-19 ନିୟନ୍ତ୍ରଣ ।  ଏହା ଅତିରିକ୍ତ  ଦାୟିତ୍ୱ ନୁହେଁ, ସେଥିପାଇଁ ବିଶେଷ ଯତ୍ନବାନ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  । ଆଗାମୀ ୮/୧୦ ଦିନର ଦୃଶ୍ୟପଟ୍ଟକୁ ଦୃଷ୍ଟିରେ ରଖି ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ନମୁନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । କେନ୍ଦୁପତ୍ର ଶ୍ରମିକଙ୍କ ଜୀବନଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।