କରୋନା ବିରୋଧୀ ଲଢେଇରେ ଟଙ୍କାର ଅଭାବ ବାଧା ସାଜିବନି

1 min read

ଭୁବନେଶ୍ୱର: କରୋନା ବିରୋଧୀ ଯୁଦ୍ଧରେ ରାଜ୍ୟ ସରକାରଙ୍କ ନୀତି ହେଉଛି ଲୋକ ପ୍ରଥମେ, ଟଙ୍କା ପଛ । ଏହି ନୀତିକୁ ନେଇ ଓଡ଼ିଶା ସରକାର କରୋନା ବିରୋଧୀ ଯୁଦ୍ଧ ଲଢୁଛନ୍ତି । ବିଦେଶରୁ ଟେଷ୍ଟିଂ କିଟ୍ ମଗାଇବା ହେଉ କିମ୍ବା ଇଂଜିନିୟରଙ୍କୁ ଓଡ଼ିଶା ଆଣିବାରେ ରାଜ୍ୟ ବିମାନର ବ୍ୟବହାର ହେଉ । ରାଜ୍ୟ ହିତ ପାଇଁ ଯାହା ଜରୁରୀ ସେଥିପାଇଁ ଓଡ଼ିଶା ସରକାର ଅର୍ଥ ବ୍ୟୟ କରିବାରେ ପଛଘୁଂଚା ଦେଉନାହାନ୍ତି ବୋଲି ଆଜି ରାଜ୍ୟ ସରକାରଙ୍କ ପ୍ରେସମିଟରେ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଆଜି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ହେମନ୍ତ ଶର୍ମା ରାଜ୍ୟ ସରକାରଙ୍କ ବିଭିନ୍ନ ଅପରେସନର କଥା କହିଛନ୍ତି । କେମିତି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ କଳ ପ୍ରୋଆକ୍ଟିଭ୍ ଭାବେ କରୋନା ଯୁଦ୍ଧ ଲଢୁଛି ସେକଥା ହେମନ୍ତ ଶର୍ମା କହିଥିଲେ ।

ଅନେକ ବାଧା ବିଘ୍ନ ସତ୍ତ୍ୱେ ଚାଇନା, ସିଙ୍ଗାପୁର, ୟୁକେ ଭଳି ଦେଶରୁ ମଗାଯାଉଛି ମେଡିକାଲ ଇକ୍ୟୁପ୍‌ମେଣ୍ଟ ବା ଟେଷ୍ଟିଂ କିଟ୍‌ । ସାରା ବିଶ୍ୱର ଏବେ ମେଡିକାଲ ଉପକରଣର ଅଭାବ ରହିଥିଲେ ମଧ୍ୟ ଓଡ଼ିଶା ସରକାର ଦିନରାତି ଚେଷ୍ଟା ଚଳାଇଛନ୍ତି କଭଳି ଅଧିକରୁ ଅଧିକ ମେଡିକାଲ କିଟ୍‌ ଅଣାଯିବ ଓ ଲୋକଙ୍କୁ କରୋନା ଦାଉରୁ ରକ୍ଷା କରାଯିବ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ହିଁ ଏବେ ସମ୍ପୂର୍ଣ୍ଣ ସକ୍ରିୟ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା

କରୋନା ସହ ଯ଼ୁଦ୍ଧ ପାଇଁ ସବୁ ପ୍ରକାର ବଳ ଆବଶ୍ୟକ । ଧନବଳ, ଜନବଳ, ସାମଗ୍ରୀବଳ ସହ ଜ୍ଞାନ କୌଶଳ ମଧ୍ୟ ଲୋଡା ରହିଛି । ବିଶ୍ୱର ଅନେକ ବଡ଼ ବଡ଼ ଦେଶମାନେ ଏହି ସବୁ ଦିଗରେ ଆଗରେ ରହିଥିଲେ ମଧ୍ୟ ଆଜି ସେମାନେ ନିରାଶ । ହେଲେ ଓଡ଼ିଶା ସରକାର ନିଜର ସମସ୍ତ କଳ ବଳ କୌଶଳ ଲଗାଇଛନ୍ତି କରୋନା ଯୁଦ୍ଧରେ ଜିତିବା ପାଇଁ ବୋଲି କହିଛନ୍ତି ମୁଖପାତ୍ର ସୁବ୍ରତ ବାଗ୍‌ଚୀ ।

ସ୍ୱାସ୍ଥ୍ୟ ବିଭାଗ ପାଇଁ ବଜେଟ୍‌ ଅସୀମିତ

ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବର୍ଷକର ବଜେଟ ହେଉଛି ୬୩୦ କୋଟି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତି ଯୋଗୁଁ ସ୍ୱସ୍ଥ୍ୟ ବିଭାଗର ବଜେଟକୁ ଅସୀମତ କରିଦେଇଛନ୍ତି ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଓଡ଼ିଶା ଆସିବ ୩ କୋବାସ ମେସିନ୍‌

କରୋନା ପାଇଁ ଓଡ଼ିଶାକୁ ଅଧିକ କୋବାସ ମେସିନ ଅଣାଯିବ । ଏହି ମେସିନ୍‌ ବ୍ୟୟବହୂଳ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । ତଥାପି ଓଡ଼ିଶାକୁ ଅଧିକ କୋବାସ ମେସିନ୍‌ ଆଣିବାକୁ ଯୋଜନା ଚାଲିଛି । ପ୍ରଥମେ ୩ ମେଡିକାଲ କଲେଜରେ ଏହି ମେସିନ ସ୍ଥାପନ ହେବାକୁ ଯୋଜନା ରହିଛି । କୋରାପୁଟ, ବଲାଙ୍ଗିର ଓ ବାଲେଶ୍ୱରରେ ସ୍ଥାପିତ ହେବ କୋବାସ ମେସିନ୍ । ଏବେ ରାଜ୍ୟରେ ଗୋଟିଏ କୋବାସ ମେସିନ୍‌ ରହିଛି ।

ନବୀନଙ୍କ ମୋଦିଙ୍କୁ ଫୋନ୍ ପରେ ରାତିରେ ଖୋଲିଥିଲା ବିମାନ ବନ୍ଦର

ଜରୁରୀକାଳିନ ପରିସ୍ଥିତି ପାଇଁ ଖୋଲାଯାଇଥିଲା ନାସିକ୍‌ ବିମାନ ବନ୍ଦର । ଲକ୍‌ଡାଉନ୍‌ ଯୋଗୁ ବିମାନ ଚଳାଚଳ ଉପରେ ଲାଗଥିଲା ରୋକ । କିନ୍ତୁ ମେଡିକାଲ କିଟ୍ ଓଡିଶାରେ ପହଂଚିବା ଜରୁରି ଥିଲା । ଏମିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲ କରିଥିଲେ । ଏହାପରେ ରାତିରେ ଖୋଲିଥିଲା ବିମାନ ବନ୍ଦର । ମେଡିକାଲ କିଟ୍ ନେଇ ଓଡିଶା ଆସିଥିଲା ବିମାନ । ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ ସଚିବ ହେମନ୍ତ ଶର୍ମା

ରାସନ କାର୍ଡ ନଥିଲେ ବି ମିଳିବ ରାସନ୍‌

ମୁଖ୍ୟମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯେ, ରାଜ୍ୟରେ ରାସନକାର୍ଡ ନଥିଲେ ମଧ୍ୟ ଲୋକଙ୍କୁ ରାସନ ଦିଆଯିବ । କୌଣସି ଶ୍ରମିକ ଯେଭଳି ଭୋକିଲା ନରୁହେ ସେଥିପାଇଁ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବାହାରୁ ଓଡ଼ିଶା ଫେରୁଥିବା ସମସ୍ତ ଶ୍ରମିକ ବା ଲୋକ ନିଜର ନାଁ ପଞ୍ଜିକୃତ କରିବା ବାଧ୍ୟତାମୂଳକ । ସେମାନେ ଓଡ଼ିଶା ଆସି ପ୍ରଥମେ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରହିବେ । ଆଉ ସରକାର ସେମାନଙ୍କ ଖାଦ୍ୟ ପାନୀୟର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧୦ ଲକ୍ଷ ଲୋକଙ୍କୁ କାମ

ପୂବର୍ରୁ ମନରେଗା ଯୋଜନାରେ ରାଜ୍ୟରେ ଦିନକୁ ୫ ଲକ୍ଷ ଲୋକଙ୍କୁ କାମ ଦିଆଯାଉଥିଲା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିନକୁ ୧୦ ଲକ୍ଷ ଲୋକଙ୍କୁ କାମ ଦିଆଯିବ । ଅନ୍ୟପଟେ ଖୁବ୍‌ ଶୀଘ୍ର ଦିନକୁ ୧୫ ହଜାର ରକ୍ତ ନମୁନା ପରୀକ୍ଷା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ମୁଖପାତ୍ର ଶ୍ରୀ ବାଗ୍‌ଚୀ ।

https://www.facebook.com/NandighoshaTV/videos/259770372083848/

Leave a Reply