ଲକଡାଉନ : ମିଳିଲାନି ମହାପ୍ରୟାଣ ଗାଡି, ଝିଅ ଶବକୁ ବାଇକରେ ନେଇ ଘରକୁ ଫେରିଲେ ବାପା

ଭଦ୍ରକ: ଦୁନିଆକୁ ଭଲରେ ଦେଖିନି ସେ ।  ଦୁନିଆକୁ ବୁଝିବା ଆଗରୁ ଆଖି ବୁଜି ଦେଲା ସେ । ଆଉ ୬ ମାସ ପାଇଁ ବାପା ମାଆ ହୋଇଥିବା ଦୁଇ ମଣିଷକୁ ଛାଡ଼ି ଚାଲି ଯାଇଛି ଅନେକ ଦୂର । ଆଉ ତାର ଶେଷ ଯାତ୍ରାକୁ ଦେଖିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ । ଆମେ କହୁଛୁ ବାସୁଦେବପୁର ଗାଁର ସେଇ ଦମ୍ପତ୍ତିଙ୍କ ୬ମାସର ଶିଶୁକନ୍ୟାଙ୍କ ବିଷୟରେ । ଜିଏ କି ଦୁନିଆକୁ ଭଲରେ ଦେଖିବା ଆଗରୁ ପ୍ରାଣ ହରାଇଛି । ଏବଂ ତାର ସେଇ ଶେଷ ଯାତ୍ରାରେ ବାପାଙ୍କ ବାଇକ୍ ହିଁ ସାହାରା ହୋଇଛି । ମହାପ୍ରୟାଣ ଗାଡ଼ି ନ ଆସିବାରୁ ବାଇକରେ ଯାଇଛି ଝିଅର ଶବ ।

ସୂଚନା ଅନୁସାରେ, ଭଦ୍ରକର ବାସୁଦେବପୁର ବ୍ଲକ ସୁଗୋ ଗାଁରେ ଦିନ ମଜୁରିଆ ଭାବେ କାମ କରନ୍ତି ଅଭିମନ୍ୟୁ ଜେନା । ତାଙ୍କର ୬ମାସର ଶିଶୁକନ୍ୟା ଦେହ ଅସୁସ୍ଥ ଥିବାରୁ ତାକୁ ଭଦ୍ରକର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଅଭିମନ୍ୟୁ । ଏବଂ ଭଦ୍ରକ ମେଡ଼ିକାଲରେ ପହଞ୍ଚିବାର କିଛି ସମୟ ମଧ୍ୟରେ ହିଁ ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିଲା । ଲକଡାଉନ କାରଣରୁ ସବୁ ଗାଡ଼ିର ଜାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଝିଅର ଶବକୁ ଘରକୁ ନେବାକୁ କୌଣସି ସୁବିଧା ନଥିବାରୁ ମହାପ୍ରୟାଣ ଗାଡ଼ିରେ ଝିଅର ଶବକୁ ନେବାକୁ ଗାଡିକୁ ଫୋନ କରିଥିଲେ । କିନ୍ତୁ ଗାଡ଼ି ନଆସିବାରୁ ବାଇକରେ ଝିଅର ଶବକୁ ୨୦କିଲୋମିଟର ଦୂର ନିଜ ଗାଁକୁ ନେଇଥିଲେ ଅଭିମନ୍ୟୁ । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply