କରୋନା ମୁକାବିଲା ନେଇ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ରିଲିଫ୍ ପ୍ୟାକେଜ ଘୋଷଣା
- କରୋନା ମୁକାବିଲା ନେଇ ୧ଲକ୍ଷ ୭୦ ହଜାର ଟଙ୍କାର ଗରିବ କଲ୍ୟାଣ ଯୋଜନାର ଘୋଷଣା କଲେ କେନ୍ଦ୍ର ସରକାର
- ଆସନ୍ତା ୩ ମାସ ଯାଏଁ ମାଗଣାରେ ଦିଆଯିବ ଚାଉଳ ଏବଂ ଡାଲି
- ଏହାଦ୍ୱାରା ୮୦ କୋଟି ହିତାଧିକାରୀ ଲାଭବାନ ହେବେ
- ଜଣଙ୍କ ପିଛା ୫ କିଲୋ ଚାଉଳ କିମ୍ୱା ଗହମ ଦିଆଯିବା
- ପରିବାର ପିଛା ୧ କିଲୋର ଡାଲି ଯୋଗାଇ ଦିଆଯିବ
- ପିଏମ୍ କିଷାନ ଯୋଜନା ବାର୍ଷିକ ଚାଷୀଙ୍କୁ ୬ ହଜାର ଟଙ୍କା ଦିଆଯାଉଛି
- ବର୍ତ୍ତମାନ ପ୍ରଥମ କିସ୍ତି ବାବଦକୁ ୨ ହଜାର ଟଙ୍କା ଦିଆଯିବ
- ଏହା ଦ୍ୱାରା ୮.୬୯ କୋଟି ଚାଷୀ ଉପକୃତ ହେବେ
- ମନ୍ରେଗା ଶ୍ରମିକଙ୍କୁ ମଧ୍ୟ ଅଗ୍ରୀମଭାବେ ଟଙ୍କା ଯୋଗାଇଦିଆଯିବ
- ଦିନକର ମାଜୁରୀ ବାବଦକୁ ୨୦୨ଟଙ୍କା ହିସାବରେ ୨୦୦୦ ଟଙ୍କା ଦିଆଯିବ
- ୨୦ କୋଟି ଜନଧନ ଆକାଉଣ୍ଟଧାରୀଙ୍କୁ ୩ ମାସ ଯାଏଁ ମିଳିବ ୫୦୦ ଟଙ୍କା
- ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ମିଳିବ ଏହି ସୁବିଧା
- ଯୋଜନା ବାବଦକୁ ପାଇବାକୁ ଥିବା ସମସ୍ତ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ
- ୮ କୋଟି ଉଜ୍ଜଳା ହିତାଧିକାରୀଙ୍କୁ ୩ମାସ ଯାଏଁ ମାଗଣା ସିଲିଣ୍ଡର ଯୋଗାଇଦିଆଯିବ
- ୬୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିନଦୟାଲ ଉପାଧ୍ୟାୟ ରୁରାଲ୍ ଲାଇଭଲିହୁଡ୍ ଯୋଜନାରେ ସହାୟତ ଦିଆଯିବ
- ପୂର୍ବରୁ ୧୦ ଲକ୍ଷ ଋଣ ଦିଆଯାଉଥିବା ବେଳେ ବର୍ତ୍ତମାନ ୨୦ ଲକ୍ଷ ଟଙ୍କା ବିନା ବନ୍ଧକରେ ଦିଆଯିବ
- ଇପିଏଫ୍ ପଞ୍ଜିକୃତ ଥିବା କର୍ମଚାରୀଙ୍କ ୧୨% ଅଂଶଦାନ ଏବଂ ନିଯୁକ୍ତିଦାତାଙ୍କ ୧୨% ଅଂଶଧନ ସରକାର ଜମା କରିବେ
- ଉଭୟଙ୍କ ବାବଦକୁ ୨୪% ଅଂଶଧନ କେନ୍ଦ୍ରସରକାର ୩ ମାସ ଯାଏଁ ଜମା କରିବେ
- ମାସିକ ୧୫ ହଜାର ଟଙ୍କାରୁ କମ୍ ଦରମାର ଥିବା କର୍ମଚାରୀ ଏହି ସୁବିଧା ପାଇପାରିବେ
- ପିଏଫ୍ ଜମାରାଶିର ୭୫% ଟଙ୍କା ଜମାକାରୀ ଉଠାଇପାରିବେ, ଏବଂ ଏହାକୁ ଫେରସ୍ତ କରିବାକୁ ପଡ଼ିବ ନାହିଁ
- ଏହି ସୁବିଧା ଯୋଗାଇବାନେଇ ଇପିଏଫ୍ ଆଇନରେ ସଂଶୋଧନ କରାଯିବ
ହାଇ ଆଲର୍ଟରେ ୧୯୫ ଦେଶ, ୨୧ ହଜାର ମୃତ୍ୟୁ, ଆମେରିକାରେ ମୃତ୍ୟୁ ସଂଖ୍ୟା ୧୦୦୦ ପାର
- ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁସାରେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୬୯୧୭୧
- ଇଟାଲୀରେ ଗୋଟିଏ ଦିନରେ ୬୮୩ ମୃତ୍ୟୁ
ବେଜିଂ/ରୋମ/ନୂଆଦିଲ୍ଲୀ: ବିଶ୍ୱର ୧୯୫ ଦେଶ କରୋନା କାୟା ବିସ୍ତାର କରି ସାରିଛି । କରୋନା ୨୧ ହଜାର ୨୦୦ ଜୀବନ ନେଇ ସାରିଲାଣି । ଉହାନରୁ ଆସିଥିବା ଏହି ଭାଇରସ ବିଶ୍ୱ ଅର୍ଥନୀତି ସହ ଦୁନିଆର ଜୀବନଯାତ୍ରା ଉପରେ ବିରାମ ଲଗାଇ ଦେଇଛି । ଆତଙ୍କିତ ଦୁନିଆ ଖୋଜୁଛି କରୋନାର ପ୍ରତିକାର । ୪ ଲକ୍ଷ ୬୮ ହଜାର ୯୦୫ ଜଣ ସଂକ୍ରମିତ ଅନିଶ୍ଚିତ ଭବିଷ୍ୟତ ଆଶଙ୍କା ଭିତରେ ଜିଉଁଛନ୍ତି । ଗୋଟିଏ ବାକ୍ୟରେ କହିବାକୁ ଗଲେ ଦୁନିଆକୁ କରୋନା ଆର୍ଥିକ,ରାଜନୈତିକ ଓ ସାମାଜିକ ସଂକଟ ମଧ୍ୟକୁ ଠେଲି ଦେଇଛି ।
ସଂକ୍ରମିତଙ୍କ ମଧ୍ୟରୁ ୧୪ ହଜାର ୨୧୮ ଜଣ ଠିକ୍ ହୋଇସାରିଛନ୍ତି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିପାଇଁ ଦୁନିଆ ଆତଙ୍କ ଭିତରେ ଯିଇଁବାକୁ ବାଧ୍ୟ । ଦୁନିଆର ଏକ ତୃତୀୟାଂଶ ଜନସଂଖ୍ୟା ଲକ୍ ଡାଉନ୍ ଭିତରେ ରହିଛ । ଭାରତର ୧୩୦ କୋଟି ଜନସଂଖ୍ୟା ସହ ମୋଟ ୨୫୦ କୋଟି ଲୋକ ତାଲାବନ୍ଦ ଅଛନ୍ତି ।
ଏଣେ ହଙ୍ଗେରିରେ ଜଣେ ବ୍ରିଟେନର ଜଣେ ବରିଷ୍ଠ କୂଟନିତିଜ୍ଞଙ୍କ କରୋନାରେ ମୃତ୍ୟୁ ହୋଇଛି । ତାଙ୍କ ବୟସ ୩୭ ଥିଲା । ବୁଦାପେଷ୍ଟ ବ୍ରିଟିଶ ଦୂତାବାସରେ ସେ ଉପ ମୁଖ୍ୟ ଥିଲେ । ହଙ୍ଗେରିରେ ବର୍ତ୍ତମାନ ସୁଧା ୪୬୫ ଜଣ ପ୍ରାଣ ହରାଇଲେଣି ।

ସୁପରପାୱାର ବି ଆତଙ୍କିତ !
ବିଶ୍ୱର ଏକମାତ୍ର ମହାଶକ୍ତି ଆମେରିକାକୁ କରୋନା ଡରାଇ ଦେଇଛି । ଟ୍ରମ୍ପ ପ୍ରଥମେ କରୋନାକୁ ହାଲୁକାରେ ନେଇଥିଲେ । ଏବେ କିନ୍ତୁ ଟ୍ରମ୍ପ୍ ଜାଣି ସାରିଲେଣି ଭାଇରସ ପାଖରେ ଆମେରିକା ଅର୍ଥନୀତିକୁ ଦୋହଲାଇ ଦେବାର ତାକତ୍ ଅଛି । ସତ କହିଲେ ,ଆମେରିକାର ଅର୍ଥନୀତି ଦୋହଲି ସାରିଲାଣି । ଟ୍ରମ୍ପଙ୍କ ଚାଲ ଆମେରିକାକୁ ପୁଣି ମହାନ କରିବା ନାରାକୁ କରୋନା ଟ୍ରାକରୁ ଖସାଇ ଦେଇଛି । ସିଏନଏନ୍ ଅନୁସାରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ହଜାର ପାର କରି ସାରିଲାଣି । ବୁଧବାର ଦିନ ଆମେରିକାରେ ୨୨୩ ଜଣ ପ୍ରାଣ ହରାଇଛନ୍ତି । ଏହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ମଙ୍ଗଳବାର ଦିନ ଆମେରିକାରେ ୧୬୪ ଜଣ ପ୍ରାଣ ହରାଇଥିଲେ । ଆମେରିକାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୬୬ ହଜାର ୪୮ ।
ଜାପାନରେ କରୋନା ପାଇଁ ଟାସ୍କ ଫୋର୍ସ
ଜାପାନ କରୋନା ମୁକାବିଲା ପାଇଁ ନିଜ ଦେଶରେ ଗୋଟିଏ ଟାସ୍କ ଫୋର୍ସ ଗଠନ କରିବ । ଏନେଇ ପ୍ରଧାନମନ୍ତ୍ରୀ ଶିଂଜୋ ଆବେ ଘୋଷଣା କରିଛନ୍ତି । ଜାପାନରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୩୦୭ ରହିଛି । ୪୫ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।
ହଂକଂରେ ବୁଧବାର ୨୪ ନୂଆ ମାମଲା
ବୁଧବାର ଦିନ ହଂକଂରେ ସଂକ୍ରମଣର ୨୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟାକୁ ମିଶାଇ ହଂକଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହେଉଛି ୪୧୦ । ହଂକଂରେ ମୃତ୍ୟୁ ସଂଖ୍ୟା ୪ ରହିଛି । ହଂକଂ ତାର ସୀମକୁ ବନ୍ଦ କରିଦେଇଛି ।

ଇଟାଲୀରେ କ୍ୱାରେଣ୍ଟାଇନ ଉଲ୍ଲଂଘନ କଲେ ଜେଲ
ଇଟାଲୀରେ କରୋନାରେ ଗୋଟିଏ ଦିନରେ ୬୮୩ ମୃତ୍ୟୁ ହୋଇଛି । ଇଟାଲୀରେ ଏପର୍ଯ୍ୟନ୍ତ ସମୁଦାୟ ୭ ହଜାର ୫୦୩ ଜଣ ପ୍ରାଣ ହରାଇଛନ୍ତି । ଇଟାଲୀରେ ୯ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକ୍ ଡାଉନ୍ ୩ ଏପ୍ରିଲରେ ସରିବ । ମଙ୍ଗଳବାର ଦିନ କ୍ୱାରେଣ୍ଟାଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ହୋମ୍ କ୍ୱାରେଣ୍ଟାଇନ୍ ଉଲ୍ଲଂଘନକାରୀଙ୍କୁ ଜେଲ୍ ଓ ଜରିମାନା କଥା କୁହାଯାଇଛି ।

ସ୍ପେନରେ ୨୪ ଘଣ୍ଟାରେ ୬୫୬ ମୃତ୍ୟୁ
ଅନ୍ୟପକ୍ଷରେ ସ୍ପେନରେ ୨୪ ଘଣ୍ଟାରେ ୬୫୬ ଜଣ ପ୍ରାଣ ହରାଇଛନ୍ତି । ସ୍ପେନରେ ମୃତ୍ୟୁସଂଖ୍ୟା ୩ ହଜାର ୬୪୭ ରେ ପହଂଚି ସାରିଲାଣି । ସ୍ପେନରେ ମୃତ୍ୟୁ ସଂଖ୍ୟା ଚୀନଠାରୁ ଅଧିକ ରହିଛି । ସ୍ପେନରେ ଲୋକ ନିଜ ପିତାମାତାଙ୍କୁ ଅସହାୟ ଅବସ୍ଥାରେ ଛାଡି ଦେଉଥିବା ଅଭିଯୋଗ ହେଉଛି । ଏମିତିକି କିଛି ସ୍ଥାନରେ ବରିଷ୍ଠ ନାଗରିକଙ୍କୁ କରୋନା ସନ୍ଦେହରେ ନିଜ ପରିବାର ଲୋକ ହତ୍ୟା କରୁଥିବା କୁହାଯାଉଛି । ସ୍ପେନର କିଛି ସହରରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ପରେ ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ଆଗକୁ ଆସୁ ନାହାନ୍ତି । ତେଣୁ ସେନାକୁ ଅନ୍ତିମ ସଂସ୍କାର କରିବାକୁ ପଡୁଛି । ସ୍ପେନର ଉପ ପ୍ରଧାନମନ୍ତ୍ରୀ କାର୍ମେନ କାଲବୋ କରୋନା ସଂକ୍ରମିତ ହୋଇଛନ୍ତି । ଗତ ଚାରିଦିନ ଧରି ଅସୁସ୍ଥ ଥିବା କାଲବୋ ଘରୁ କାମ କରୁଥିଲେ । ସେ ଅସୁସ୍ଥ ଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଷ୍ଟାଫ ଓ ଅନ୍ୟମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ମିଶର ରାଜଧାନୀ କାଇରୋ ସଟ୍ ଡାଉନ୍
ମିଶରର ରାଜଧାନୀ କାଇରୋକୁ ବୁଧବାର ସଂଧ୍ୟାରୁ ବନ୍ଦ କରି ଦିଆଯାଇଛି । ଦୁଇ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହର ଏବେ ସେନା ଓ ପୋଲିସ ନିୟନ୍ତ୍ରଣରେ । ମିଶରରେ ୪୫୬ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ପ୍ରାଣ ହରାଇଛନ୍ତି ।
ନ୍ୟୁଜଲାଣ୍ଡରେ ଗୋଟିଏ ଦିନରେ ସର୍ବାଧିକ ୭୩ ସଂକ୍ରମିତ !
ନ୍ୟୁଜଲାଣ୍ଡରେ ସଂକ୍ରମର ୭୩ ନୂଆ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ଏତିକି ସଂଖ୍ୟାରେ ସଂକ୍ରମିତ ହେବାର ଏହା ପ୍ରଥମ ମାମଲା । ଏହି ୭୩ ଜଣ ସଂକ୍ରମିତ ନିକଟରେ ବିଦେଶରୁ ଫେରିଥିଲେ ।
ଭାରତୀୟ ବଂଶୋଦ୍ଭବ ପ୍ରଖ୍ୟାତ ସେଫ୍ ଫ୍ଲାୟଡଙ୍କ କରୋନା ମୃତ୍ୟୁ
ଭାରତୀୟ ବଂଶୋଦ୍ଭବ ପ୍ରଖ୍ୟାତ ସେଫ୍ ଫ୍ଲାୟଡ କାର୍ଡେଜଙ୍କର କରୋନାରେ ମୃତ୍ୟୁ ହୋଇଛି । ୧୮ ମାର୍ଚ୍ଚ ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ଯେଉଁଥିରେ ସେ ପଜିଟିଭ୍ ମିଳିଥିଲେ ।
ଲକ୍ ଡାଉନରେ ଦେଶ: ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ୬୫୦ ପାର ସଂକ୍ରମଣ ମାମଲା
- ବୁଧବାର ୩ ମୃତ୍ୟୁ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ତାମିଲନାଡୁରେ ବି କରୋନା ମୃତ୍ୟୁ ।
- ଏହା ପୂର୍ବରୁ ମହାରାଷ୍ଟ୍ରରେ ୮ ଦିନ ଭିତରେ କରୋନା ନେଇଛି ୩ ଜୀବନ ।
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ୨୫ ରାଜ୍ୟକୁ ବ୍ୟାପିଛି । ସଂକ୍ରମିତଙ୍କ ସଂଖ୍ୟା ୬୫୦ ପାର କରିଛି । ୧୬ ଦିନରେ ୧୬ ଜଣ ପ୍ରାଣ ହରାଇ ସାରିଲେଣି । ଜମ୍ମୁକାଶ୍ମୀରରେ କରୋନା ଜନିତ ପ୍ରଥମ ମୃତ୍ୟୁ ମାମଲା ସାମନାକୁ ଆସିଛି । ସେଠାରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ଜଣେ ମହିଳା (୬୫) ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ବୁଧବାର ଦିନ ତାମିଲନାଡୁର ମଦୁରାଇରେ ଜଣେ(୫୪), ମଧ୍ୟପ୍ରଦେଶରେ ଜଣେ (୬୫) ଓ ଗୁଜୁରାଟର ଅହମ୍ମଦାବାଦରେ ଜଣେ ବ୍ୟକ୍ତି (୮୫) ପ୍ରାଣ ହରାଇଛନ୍ତି । ଅହମ୍ମଦାବାଦରେ ପ୍ରାଣ ହରାଇଥିବା ମହିଳା ଜଣକ କିଛିଦିନ ତଳେ ବିଦେଶରୁ ଫେରିଥିଲେ ।

୮ ଜଣ ରୋଗୀଙ୍କୁ ଆଗରୁ ଡାଇବେଟିସ ଥିଲା
ମଦୁରାଇରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଆଗରୁ ଡାଇବେଟିସ ଓ ଅନ୍ୟ ରୋଗ ଥିଲା । ତାମିଲନାଡୁରେ ଏହା କରୋନା ଜନିତ ପ୍ରଥମ ମୃତ୍ୟୁ । ସେହିଭଳି ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୮ ଜଣ ହାଇ ବ୍ଲଡ୍ ପ୍ରେସର ଓ ଡାଇବେଟିସ ଭଳି ପୁରୁଣା ରୋଗ ଥିଲା ।
| ତାରିଖ | ସ୍ଥାନ | ବୟସ | ରୋଗ |
| ୧୦ ମାର୍ଚ୍ଚ | କଲବୁର୍ଗୀ(କର୍ଣ୍ଣାଟକ) | ୭୫ ବର୍ଷ | ଡାଇବେଟିସ |
| ୧୩ ମାର୍ଚ୍ଚ | ଦିଲ୍ଲୀ | ୬୮ବର୍ଷ | ଡାଇବେଟିସ |
| ୧୭ ମାର୍ଚ୍ଚ | ମୁମ୍ବାଇ | ୬୪ ବର୍ଷ | ଡାଇବେଟିସ |
| ୧୮ ମାର୍ଚ୍ଚ | ନୱାଁସହର(ପଂଜାବ) | ୭୦ ବର୍ଷ | ଡାଇବେଟିସ |
| ୨୧ ମାର୍ଚ୍ଚ | ମୁମ୍ବାଇ | ୬୩ ବର୍ଷ | ଡାଇବେଟିସ |
| ୨୧ ମାର୍ଚ୍ଚ | ପାଟନା | ୩୮ ବର୍ଷ | କିଡନି ଜନିତ ସମସ୍ୟା |
| ୨୪ ମାର୍ଚ୍ଚ | ମୁମ୍ବାଇ | ୬୩ ବର୍ଷ | ଡାଇବେଟିସ ଓ ବ୍ଲଡ୍ ପ୍ରେସର |
| ୨୪ମାର୍ଚ୍ଚ | ମଦୁରାଇ | ୫୪ ବର୍ଷ | ଡାଇବେଟିସ ଓ ବ୍ଲଡ୍ ପ୍ରେସର |
ଏପର୍ଯ୍ୟନ୍ତ ୫୦ ବର୍ଷରୁ କମ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି
ସୋମବାର ଦିନ ପଶ୍ଚିମବଙ୍ଗରେ ଜଣେ ୫୭ ବର୍ଷ ବୟସ୍କ ଓ ହିମାଚଳରେ ରହୁଥିବା ଜଣେ ତିବ୍ବତି ନାଗରିକ(ନିକଟରେ ଆମେରିକାରୁ ଫେରିଥିଲେ) ମୃତ୍ୟୁ ହୋଇଯାଇଛି । ଏହାପୂର୍ବରୁ ରବିବାର ଦିନ ମୁମ୍ବାଇରେ ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେହି ଦିନ ବିହାରର ପାଟନାରେ ୩୮ ବର୍ଷୀୟ ସୈଫ କରୋନାରେ ପ୍ରାଣ ହରାଇଥିଲେ । ସୈଫ୍ ଡାଇବେଟିସ ରୋଗି ଥିଲେ । ତାଙ୍କ କିଡନି ମଧ୍ୟ ଖରାପ ଥିଲା । ୫୦ ବର୍ଷରୁ ବୟସରୁ କମ ବୟସରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ ମାମଲା । ମୁଙ୍ଗେରର ସୈଫ୍ ନିକଟରେ କତ୍ତାରରୁ ଭାରତ ଫେରିଥିଲେ । ଏପର୍ଯ୍ୟନ୍ତ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଡାଇବେଟିସ ଥିଲା । ଏଥିରୁ ଜଣା ପଡୁଛି ଯେ, ଡାଇବେଟିସ ରୋଗୀ କରୋନାର ସହଜ ଶିକାର ହେଉଛନ୍ତି ।

ମହାରାଷ୍ଟ୍ରରେ ତିନି ମୃତ୍ୟୁ,ମୁମ୍ବାଇ ଏପିକ୍ ସେଣ୍ଟର ?
ମହାରାଷ୍ଟ୍ରରେ ଗତ ୮ ଦିନ ଭିତରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଏହି ତିନି ମୃତ୍ୟୁ ମୁମ୍ବାଇରେ ହୋଇଛି । ତିନି ଜଣ ରୋଗୀ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

ଦିଲ୍ଲୀରେ ୯୦୦ ଲୋକଙ୍କର ହେବ କ୍ୱାରେଣ୍ଟାଇନ୍
ଦିଲ୍ଲୀରେ ୯୦୦ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ସାଉଦି ଆରବରୁ ଫେରିଥିବା ଜଣେ ମହିଳା ମୌଜପୁରର ମହୋଲ୍ଲା କ୍ଲିନିକରେ ନିଜ ଚିକିତ୍ସା କରାଇଥିଲେ । ମହିଳାଙ୍କଠାରୁ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କୁ କରୋନା ହୋଇଥିଲା । ଡାକ୍ତରଙ୍କ ପତ୍ନି ଓ ଝିଅଙ୍କ ସମେତ ମୌଜପୁର ଅଂଚଳର ୯୦୦ ଲୋକଙ୍କର କ୍ୱାରେଣ୍ଟାଇନ କରାଯିବ ।
କରୋନା ପାଇଁ ରାଜ୍ୟ ବାହାରେ ଫଶି ରହିଛନ୍ତି ୧୦୦ରୁ ଅଧିକ ଦାଦନ, ଘରକୁ ଫେରାଇ ଆଣିବାକୁ ସରକାରଙ୍କୁ କଲେ ଗୁହାରୀ
ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ବାହାରେ ଦାଦନ ଦୁଃଖ । ଲକଡାଉନ ପାଇଁ ଘରକୁ ନଫେରି ସରକାରଙ୍କୁ କରିଛନ୍ତି ଗୁହାରୀ । କାମ କରିବାକୁ କେରଳ ଏର୍ଣ୍ଣାକୁଲମ ନେଟୁର ପାଲ୍ଲୀ ଯାଇଥିଲେ କନ୍ଧମାଳ ଓ ଗଞ୍ଜାମ, ଗଜପତି ଓ ରାୟଗଡାର ୧୦୦ରୁ ଅଧିକ ଯୁବକ । ୮ ମାସ ହେଲା ପରିବାର ଚଳାଇବା ପାଇଁ ସେଠାରେ ରହି କାମ କରୁଥିଲେ । ତେବେ କରୋନା ସଂକ୍ରମଣ ଆଶଙ୍କାରେ ସେମାନେ ଘରକୁ ଫେରିବା ପାଇଁ ମାସକ ପୂର୍ବରୁ ଟିକେଟ୍ ବୁକ୍ କରିଥିଲେ । କିନ୍ତୁ ଜନତା କର୍ଫ୍ୟୁ ପାଇଁ ରେଲ ଚଳାଚଳ ଠପ୍ ହୋଇଯିବାରୁ ଟିକେଟ ଫେରସ୍ତ ହୋଇଥିଲା ।

ଏହାସହ ସେମାନେ ରହୁଥିବା ଭଡାଘରୁ ବାହାର କରିଦେଇଛି ଘରମାଲିକ । ରହିବା ଓ ଖାଇବା ପାଇଁ ସେମାନଙ୍କ ନିକଟରେ ପଇସା ନାହିଁ । ଉଦ୍ଧାର ପାଇଁ ସେମାନେ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ଭିଡିଓ ମାଧ୍ୟମରେ ସେ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ସେହିପରି ଲକ୍ ଡାଉନ ପାଇଁ ୨୫ରୁ ଅଧିକ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି । ଘର ବହୁଡା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏମାନଙ୍କ ମଧ୍ୟରେ ଜୁନାଗଡ, ଗୋଲାମୁଣ୍ଡା, କେସିଙ୍ଗାର ୨୫ ଯୁବକ ରହିଛନ୍ତି ।
ଜାଣନ୍ତୁ ଗର୍ଭବତୀ ମହିଳା ମାନେ କରୋନା ସଂକ୍ରମଣରୁ କିପରି ନିଜକୁ ଦୂରେଇ ରଖିବେ
ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲାମାନଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ବେଶି। ସର୍ବୋପରି ଗର୍ଭବତୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏହି ରୋଗର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଏ ସମୟରେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁର ସୁରକ୍ଷା ଲାଗି ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ଖୁବ୍ କମ୍ ସମୟ ମଧ୍ୟରେ ସମଗ୍ର ପୃଥିବୀରେ ଭୟ ଏବଂ ଦୁଃଖର ବାତାବରଣ ଖେଳାଇ ଦେଇଛି କୋଭିଡ୍-୧୯ ଭୂତାଣୁ ବା କରୋନା ଭାଇରସ୍। ବିଶେଷକରି ସ୍ପର୍ଶ ମାଧ୍ୟମରେ ସଂକ୍ରମିତ ହେଉଥିବା ଏହି ଛୋଟ ଭୂତାଣୁ ଥରେ ସଂକ୍ରମିତ ହେଲେ ନା କେବଳ ଚିକିତ୍ସା କରିବା କଷ୍ଟସାଧ୍ୟ ହୋଇପଡୁଛି ବରଂ ବର୍ତ୍ତମାନ ସୁଦ୍ଧା ଏହା ହଜାର ହଜାର ଜୀବନହାନିର କାରଣ ସାଜିଛି । ତେବେ ସାଧାରଣ ମଣିଷଙ୍କ ତୁଳନାରେ ମଧୁମେହ ରୋଗୀ, ହୃଦ୍ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲା ଏବଂ ସର୍ବୋପରି ଗର୍ଭବତୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏହି ରୋଗର ଆଶଙ୍କା ବେଶି। ଏହି ମହାମାରୀକୁ ରୋକିବା ଲାଗି ସତେଚନତା ଏବଂ ସତର୍କତା ହିଁ ଏକମାତ୍ର ଅସ୍ତ୍ର। ଜାଣି ରଖନ୍ତୁ ଗର୍ଭାବସ୍ଥାରେ କେଉଁ ସବୁ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀଙ୍କୁ ଅତି ଆବଶ୍ୟକ ନ ହେଲେ ଆଦୌ ଘରୁ ବାହାରିବା ଠିକ୍ ନୁହେଁ। ବିଶେଷକରି ନିଜକୁ ଜନଗହଳିଠାରୁ ଦୂରେଇ ରଖିବା ଉଚିତ। ବସ୍ଷ୍ଟାଣ୍ଡ୍, ରେଳ ଷ୍ଟେଶନ ଓ ବିମାନ ବନ୍ଦରକୁ ନ ଯିବା ଭଲ। ଏମିତିକି ସାର୍ବଜନୀନ ଗହଳି ସ୍ଥାନରେ ଯୋଗଦେବା ବି ଠିକ୍ ନୁହେଁ। ଯିବା ନିହାତି ଜରୁରୀ ହେଲେ ମୁହଁ ଓ ନାକରେ ୩ ଲେୟାର ଥିବା ମାସ୍କ ପିନ୍ଧନ୍ତୁ। ତେବେ ସେଠାରେ କୌଣସି ଜିନିଷ ଛୁଇଁବା ଏବଂ ସାଧାରଣ ଜାଗାରେ ପରିବେଷିତ ହେଉଥିବା ଖାଦ୍ୟ ଖାଇବାଠାରୁ ନିଜକୁ ନିବୃତ୍ତ ରଖନ୍ତୁ।
ଗର୍ଭବତୀଙ୍କୁ ଚେକ୍ଅପ୍ ଲାଗି ଡାକ୍ତରଖାନା ଯିବାକୁ ହେଲେ ମାସ୍କ ପିନ୍ଧିବା ସହ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। କାରଣ କରୋନା ରୋଗୀଙ୍କ କାଶ ଏବଂ ଛିଙ୍କ ଦ୍ୱାରା ଡ୍ରପ୍ଲେଟ୍ ସଂକ୍ରମଣ ମାଧ୍ୟମରେ ଲକ୍ଷ ଲକ୍ଷ ଭୂତାଣୁ ସ୍ପ୍ରେଡ୍ ହୋଇ ରୋଗ ଆଶଙ୍କା ବୃଦ୍ଧି କରିଥାଏ। ଗର୍ଭବତୀ ନିଜେ ମଧ୍ୟ କାଶିଲେ, ଛିଙ୍କିଲେ ମୁହଁରେ ରୁମାଲ ବା ଟିସୁ ପେପର ଦେବା ଦରକାର।

କିମ୍ବା ବାହାରୁ ଫେରିବା ପରେ ଭଲ ଭାବେ ଧୋଇହେବା ସହ ପିନ୍ଧିଥିବା ପୋଷାକ ସଫା କରିନିଅନ୍ତୁ।
ସାବୁନ କିମ୍ବା ହ୍ୟାଣ୍ଡୱାଶ୍ରେ ହାତ ଧୋଇବା ଆବଶ୍ୟକ। ଏମିତିକି କବାଟ ହ୍ୟାଣ୍ଡେଲ, ଟେଲିଫୋନ୍, କମ୍ପ୍ୟୁଟର କିବୋର୍ଡ, ଟେବୁଲ ବା କୌଣସି ଜୈବିକ ପଦାର୍ଥର ସଂସ୍ପର୍ଶରେ ଆସିଲେ ମଧ୍ୟ ହାତ ସଫା କରିବା ଆବଶ୍ୟକ। ମୋବାଇଲ ଫୋନ୍ ଅଧିକ ବ୍ୟବହାର ହେଉଥିବାରୁ ଏହା ସାନିଟାଇଜରରେ ପୋଛିବା ଦରକାର।
ପରିବାରରେ ବା ପଡ଼ିଶାରେ କେହି କରୋନା ପ୍ରଭାବିତ ଦେଶରୁ ଫେରିଥାନ୍ତି ତେବେ ସଂକ୍ରମଣର ଆଶଙ୍କା ଦ୍ୱିଗୁଣିତ ହୋଇଯାଏ। ତେଣୁ ଏଭଳି ପରିସ୍ଥିତିରେ ଗର୍ଭବତୀଙ୍କୁ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଆବଶ୍ୟକ।

ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଏହି ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ସାଧାରଣ ଥଣ୍ଡା, ଜ୍ୱର ଭଳି ଲକ୍ଷଣ ଦେଖାଦିଏ। ରୋଗ ବଢ଼ିଲେ ଅତ୍ୟଧିକ ଜ୍ୱର, କାଶ, ଗଳା ଦରଜ, ଛିଙ୍କ, ନାକରୁ ପାଣି ବୋହିବା, କ୍ଳାନ୍ତି, ମୁଣ୍ଡବ୍ୟଥା, ଦେହ ହାତ ଘୋଳା ବିନ୍ଧା, ବାନ୍ତି ହେବା ବା ଲାଗିବା, ଥକିପଡ଼ିବା, ଶୀତ ଲାଗିବା, ପେଟ ଗୋଳମାଳ, ଝାଡ଼ା ଆଦି ଲକ୍ଷଣ ମାନ ଦେଖାଯାଇଥାଏ। ଯଦିଓ ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ଯୋଗୁ ଅନେକଙ୍କଠାରେ ଏଭଳି ସମସ୍ୟା ଦେଖାଦେଉଛି, ତଥାପି ଏଭଳି ଲକ୍ଷଣ ଦେଖାଦେବା ମାତ୍ରେ ଅବହେଳା ନ କରି ମନଇଚ୍ଛା ଔଷଧ ଖାଇବା କିମ୍ବା ଘରୋଇ ଉପଚାର କରିବା ବଦଳରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ଟେଷ୍ଟ କରାଇବା ଆବଶ୍ୟକ।
ଲକଡାଉନକୁ ଖିଲାପ କରୁଥିବା ଲୋକମାନଙ୍କୁ ସାବାଡ଼ କରିବା ପାଇଁ ଲାଠି ସାନିଟାଇଜ କରୁଛି ପୋଲିସ
ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ୍କୁ ନେଇ ଲୋକେ ଭୟଭୀତ ରହିଛନ୍ତି। ସଂକ୍ରମଣ ରୋକିବାକୁ ଭାରତ ସରକାର ୨୧ ଦିନିଆ ଲକଡାଉନ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକଙ୍କୁ ଘରୁ ନ ବାହାରିବାକୁ ମନା କରାଯାଇଥିବାବେଳେ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ସଚେତନ କରିବା ସହ ସେମାନେ କିପରି ସରକାରୀ ନିର୍ଦ୍ଦେଶନାମା ପାଳନ କରିବେ ସେ ନେଇ ପୋଲିସ ପ୍ରଶାସନକୁ ଗୁରୁ ଦାୟିତ୍ୱ ଦିଆଯାଇଛି। ପୋଲିସ ମଧ୍ୟ ନିଜ ଦାୟିତ୍ୱ ସମ୍ପାଦନ କରି ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନନା ବାଣ୍ଟୁଛି।

ନିକଟରେ ସ୍ପେନରୁ ଜାରି ହୋଇଥିବା ଭିଡିଓରେ ଦେଖାଯାଇଥିଲା କେତେଜଣ ପୋଲିସ କର୍ମୀ ବିଭିନ୍ନ ଗଳିରେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ଏ ସବୁ ଭିତରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଜଣେ ପୋଲିସ କର୍ମଚାରୀ ନିଜ ଲାଠିକୁ ସାନିଟାଇଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସବୁ ରାସ୍ତାଘାଟରେ ଜଗି ରହିଥିବା ପୋଲିସ ନିୟମ ନ ମାନି ବାହାରକୁ ଆସୁଥିବା ଲୋକଙ୍କ ଉପରେ ଲାଠି ଚାର୍ଜ କରୁଥିବା ଦେଖାଦେଇଛି। ଲାଠି ଦ୍ୱାରା ମଧ୍ୟ ସଂକ୍ରମଣର ଆଶଙ୍କା ଥିବାରୁ ନିଜେ ସୁରକ୍ଷିତ ରହିବା ସହ ଲୋକଙ୍କୁ ସୁରକ୍ଷା ଦେବାକୁ ପୋଲିସ ଲାଠିରେ ସାନିଟାଇଜର ମାରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।
While #lockdownindia have created problems for some homeless ppl , here are some Police officials taking care of them in these testing times
Doing over and above their duty , for humanity .#Salute #Coronafighters #ChandigarhPolice pic.twitter.com/8mfAlF3GQ6— Pankaj Nain IPS (@ipspankajnain) March 25, 2020
ପଙ୍କଜ ନୈନ ନାମକ ଜଣେ ଆଇପିଏସ୍ ଅଫିସର ଏହି ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି। ଭିଡିଓଟି ଉପରେ ‘ଫୁଲ୍ ତୟାରି’ ବୋଲି ଲେଖାଯାଇଛି। ଏହି ଭିଡିଓରେ ଅନେକ ଲୋକ ସେମାନଙ୍କ କମେଣ୍ଟ ରଖିଛନ୍ତି। ପୋଲିସ, ସମସ୍ତ ସୁରକ୍ଷା କର୍ମୀ, ଡାକ୍ତରମାନଙ୍କୁ ୟୁଜର୍ସମାନେ ଧନ୍ୟବାଦ ଦେଇଛନ୍ତି।
ଅଟକି ଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହେବ… ଆର୍ଥିକ ସଙ୍କଟ ଦେଖାଦେବ
୨୬ ମାର୍ଚ୍ଚ ୨୦୨୦ ମସିହା, ଗୁରୁବାର
ମୀନ ୧୩ ଦିନ, ୧୯୪୧ ଶକାଦ୍ଦ, ୧୪୨୭ ସାଲ୍, ୨୦୭୬ ସମ୍ବତ୍
ଚୈତ୍ର ମାସ, ଶୁକ୍ଲପକ୍ଷା, ଦ୍ୱିତୀୟା ତିଥି, ଅଶ୍ୱିନୀ ନକ୍ଷତ୍ର
ମେଷ
ଅଶ୍ୱିନୀ ମେଷ- ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ହେବ ।
ଦ୍ୱିଜା ନକ୍ଷତ୍ର- ଗୁପ୍ତଶତ୍ରୁ ପରାସ୍ତ ହେବ, ଚାକିରି କ୍ଷେତ୍ରରେ ସମ୍ମାନ ବଢ଼ିବ ।
କୃତ୍ତିକା ନକ୍ଷତ୍ର- ସମୟ ଖରାପ ରହୁଥିବାରୁ ଶରୀର ପ୍ରତି ଦୃଷ୍ଟି ଦିଅନ୍ତୁ ।
ନିଜ ପାଖରେ ୫ ଗୋଟି ଗୁଜୁରାତି ରଖନ୍ତୁ ।
ବୃଷ
କୃତ୍ତିକା ନକ୍ଷତ୍ର- କୌଣସି କାର୍ଯ୍ୟ ହଠାତ୍ ବନ୍ଦ ହୋଇଯିବ ।
ରୋହିଣୀ ନକ୍ଷତ୍ର- କର୍ମକ୍ଷେତ୍ରରେ ନିଜର ବ୍ୟକ୍ତିତ୍ୱ ଓ ପ୍ରତିଷ୍ଠା ବୃଦ୍ଧି ପାଇବ ।
ମୃଗଶିରା- ରଖିଥିବା ଅର୍ଥ ଅଧିକ ଭାବରେ ଖର୍ଚ୍ଚ ହେବ ।
ନିଜ ପାଖରେ ୧୧ଟି ଲବଙ୍ଗ ରଖନ୍ତୁ ।
ମିଥୁନ
ମୃଗଶିରା ନକ୍ଷତ୍ର- ଆକସ୍ମିକ ବିପଦ ରହିଛି, ଶରୀରରେ ଆଘାତ ଲାଗିପାରେ ।
ଆଦ୍ରା ନକ୍ଷତ୍ର- ପରିବାର ସହିତ ସମୟ କାଟନ୍ତୁ, ମନ ସୁସ୍ଥ ରହିବ ।
ପୁନର୍ବସୁ ନକ୍ଷତ୍ର- ମନସ୍ତାପ ମଧ୍ୟରେ ସମୟ କାଟିବେ ।
ନିଜ ପାଖରେ ଲେମ୍ବୁ ରଖିବା ସହ ଶ୍ରୀଗଣେଶଙ୍କୁ ପ୍ରଣାମ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।
କର୍କଟ
ପୁନର୍ବସୁ ନକ୍ଷତ୍ର- ବାହାର ଖାଦ୍ୟ ଠାରୁ ଦୁରେଇ ରହିବା ହିଁ ଭଲ ।
ପୁଷ୍ୟା ନକ୍ଷତ୍ର- ଅନେକ ଦିନରୁ ଅଟକି ଥିବା କାର୍ଯ୍ୟରେ ସଫଳତା ପାଇବେ ।
ଅଶ୍ଲେଷା- କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ।
ନିଜ ପୂଜା ଘରେ ମହାଦେବଙ୍କର ଆରାଧନା କରନ୍ତୁ ।
ସିଂହ
ମଘା ନକ୍ଷତ୍ର- ଅଟକି ଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହେବ ।
ପୂର୍ବାଫାଲଗୁନି- ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଛି ।
ଉତ୍ତରାଫାଲଗୁନି- ଆର୍ଥିକ ସଙ୍କଟ ଦେଖା ଦେଇପାରେ ।
ଅସହାୟ ବ୍ୟକ୍ତିକୁ ଖାଦ୍ୟ ଦାନ କରନ୍ତୁ ।
କନ୍ୟା
ଉତ୍ତରାଫାଲଗୁନି ନକ୍ଷତ୍ର- ଶରୀର ଅସୁସ୍ଥ ରହିପାରେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ହସ୍ତା ନକ୍ଷତ୍ର- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ ।
ଚିତ୍ରା ନକ୍ଷତ୍ର- ମାନସିକ ଦୁଃଶ୍ଚିନ୍ତା ବଢିବ, ଧୈର୍ଯ୍ୟର ସହ କାମ କରନ୍ତୁ ।
ଓଁ ନମଃ ଶିବାୟ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ ।
ତୁଳା
ଚିତ୍ରା ନକ୍ଷତ୍ର- ସାମାଜିକ ସ୍ତରରେ କିଛି କାମ କରିବାର ସୁଯୋଗ ଆସିପାରେ ।
ସ୍ୱାତୀ ନକ୍ଷତ୍ର- ସାଧାରଣ ଘରୋଇ କଳହ କାର୍ଯ୍ୟକୁ ବିଗାଡ଼ି ଦେବ ।
ବିଶାଖା ନକ୍ଷତ୍ର- କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ।
ଶ୍ରୀବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ ।
ବିଛା
ବିଶାଖା ନକ୍ଷତ୍ର- ଆର୍ଥିକ, ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ ।
ଅନୁରାଧା ନକ୍ଷତ୍ର- ଗାଡ଼ି ଧିରେ ଚଳାନ୍ତୁ କାରଣ ଦୁର୍ଘଟଣା ହୋଇପାରେ ।
ଜ୍ୟେଷ୍ଠା ନକ୍ଷତ୍ର- ଆର୍ଥିକ ସମସ୍ୟା ରହିଥିଲେ ସେଥିରେ ସୁଧାର ଆସିବ ।
ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।
ଧନୁ
ମୂଳା ନକ୍ଷତ୍ର- ନିଜ ସହକର୍ମୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ ।
ପୂର୍ବାଷାଢା- ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।
ଉତ୍ତରାଷାଢା- ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ।
ପ୍ରଭୁ ଜଗନ୍ନାଥଙ୍କୁ ନଡ଼ିଆ ଭୋଗ ଲଗାନ୍ତୁ ।
ମକର
ଉତ୍ତରାଷାଢା- ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତୀର୍ଣ୍ଣ ହେବେ ।
ଶ୍ରବଣା- ଆର୍ଥିକ ସଙ୍କଟ ଦେଖାଦେବ ।
ଧନିଷ୍ଠା ନକ୍ଷତ୍ର- ଆର୍ଥିକ ଦିଗରେ କିଛି ଶୁଭ ସମ୍ବାଦ ପାଇବେ ।
ମା’ଲକ୍ଷ୍ମୀଙ୍କୁ ଘରେ କ୍ଷିରୀ ଭୋଗ ଦିଅନ୍ତୁ ।
କୁମ୍ଭ
ଧନିଷ୍ଠା- ପ୍ରଶାସନିକ ସହାୟତା ପାଇବେ ।
ଶତଭିଷା ନକ୍ଷତ୍ର- ଅସ୍ଥିରତା ମଧ୍ୟରେ ସମୟ କାଟନ୍ତୁ ।
ପୂର୍ବଭାଦ୍ର- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ ।
ମହାଦେବଙ୍କୁ ଧ୍ୟାନ କରନ୍ତୁ ।
ମୀନ
ପୂର୍ବଭାଦ୍ର- ସାକ୍ଷାତକାର ପରୀକ୍ଷାରେ ଉତୀର୍ଣ୍ଣ ହେବେ ।
ଉତ୍ତରଭାଦ୍ର- ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଅଧିକ କଷ୍ଟ ପାଇବେ ।
ରେବତୀ ନକ୍ଷତ୍ର- ନୂତନ ଘର ନିର୍ମାଣ ପାଇଁ କିଛି ପ୍ରସ୍ତାବ ଆସିପାରେ ।
ମା’ତାରିଣୀଙ୍କ ପାଖକୁ ନଡ଼ିଆ ପଠାନ୍ତୁ ।

