ମାଆକୁ କରୋନା, ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ: ଶବ ପାଖେ ବସି କାନ୍ଦୁଛି ଛୁଆ

ଚେନ୍ନାଇ: ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ, କୁଟୁମ୍ବ ସମସ୍ତଙ୍କୁ ନେଇ ଆସେ । ଦୁନିଆ ମହାମାରୀ କରୋନା ସହ ଯୁଝୁଥିବା ବେଳେ ତାମିଲନାଡ଼ୁରୁ ସାମନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଦୁନିଆକୁ ଭଲ ଭାବେ ବୁଝିବା ଆଗରୁ ୧୦ ବର୍ଷର ବାଳକ ପେଷି ହୋଇଯାଇଛି ଜୀବନ ଚକ୍ରବ୍ୟୁହରେ । ବାପାଙ୍କ ମୃତଦେହ ପାଖରେ ବସି ସେ ଚାହିଁ ରହିଛି ତା’ନିକଟକୁ କେତେବେଳେ ଆସିବେ କରୋନା ପଜିଟିଭି ମାଆ ଓ ଜେଜେମାଆ । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଟି ପାଇଁ ଜୀବନର ସବୁଠୁ ଖରାପ ଦିନ ହୁଏତ ଆଉ କିଛି ହୋଇନପାରେ ।

ତାମିଲନାଡ଼ୁ ବିଲ୍ଲୁପୁରମ ଜିଲ୍ଲାର ଏ ଘଟଣା ଯିଏ ଶୁଣୁଛି, ସିଏ କହୁଛି ‘ଭଗବାନ ଏମିତି ଦୁଃଖ ଆଉ କାହାକୁ ନଦିଅନ୍ତୁ’ । କିଛିମାସ ତଳେ ଛୁଆର ବାପା ୩୫ ବର୍ଷୀୟ ଅୟାନାର ଦୁର୍ଘଟଣାରେ ଆହତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସମ୍ପୂର୍ଣ୍ଣ ରୂପେ ଶଯ୍ୟାଶାୟୀ ଥିବାବେଳେ ହସ୍ପିଟାଲରେ ଦେଖାଶୁଣା କରୁଥିଲେ ମାଆ ଓ ଜେଜେମାଆ । କିନ୍ତୁ, କରୋନା ପାଇଁ କିଛିଦିନ ତଳେ ଅୟାନାରଙ୍କୁ ଘରକୁ ନେଇ ଆସିଥିଲେ ।

ଘରକୁ ଫେରିବା ପରେ ଜଣାପଡ଼ିଥିଲା ତାଙ୍କ ସ୍ତ୍ରୀ ଓ ମାଆଙ୍କୁ କରୋନା ହୋଇଛି । ଫଳରେ ସ୍ଥାନୀୟ ପ୍ରଶାସନ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାରି ଭିତରେ ବିଛଣାରେ ପଡ଼ି ରହିଥିବା ଅୟାନାରଙ୍କ ଗତ ୮ ତାରିଖରେ ମୃତ୍ୟୁ ହୋଇଥିଲା । ଏହାପରେ କଣ କରିବ କିଛି ବୁଝିପାରି ନଥିଲା ୧୦ ବର୍ଷୀୟ ବାଳକ ଯୁବା । ପିତାଙ୍କ ମୃତଦେହ ନିକଟରେ ବସି କାନ୍ଦୁଥିଲା । ପ୍ରଶାସନ ଏହି ଘଟଣା ଜାଣିବା ପରେ କରୋନା ସଂକ୍ରମିତ ମାଆ ଓ ଜେଜେମାଆଙ୍କୁ ପିପିଇ ପିନ୍ଧାଇ ସତର୍କତାର ସହ ଆଣି ଅନ୍ତିମ ସଂସ୍କାର କରିଥିଲା ।

Leave a Reply