spot_img
Home Blog Page 71

ଘରୋଇ ସହାୟିକା ରଖୁଥିଲେ ସାବଧାନ: ରାଜଧାନୀରୁ ଧରାପଡ଼ିଲେ ‘ବଣ୍ଟି-ବବଲି’ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ; ଘରୋଇ ସହାୟିକା ରଖୁଥିଲେ ହୋଇଯାଆନ୍ତୁ ସାବଧାନ। ରାଜଧାନୀରୁ ଧରାପଡ଼ିଲେ ‘ବଣ୍ଟି-ବବଲି’ ଦମ୍ପତି। ମିଠା ମିଠା କଥା କହି ଲୋକଙ୍କ ଘରେ କାମ କରନ୍ତି ସ୍ୱାମୀ-ସ୍ତ୍ରୀ। ଆଉ ସୁବିଧା ଦେଖି ଘରେ କଳାକନା ବୁଲାଇ ହୋଇଯାଆନ୍ତି ଫେରାର। ଏମିତି ଏକ ଦମ୍ପତିଙ୍କୁ ବାନ୍ଧିଛି ନୟାପଲ୍ଲୀ ଥାନା ପୋଲିସ।ନୟାପଲ୍ଲୀ ଅଞ୍ଚଳର ଅଭିଯୋଗକାରିଣୀ ରୋଜାଲିନ୍ ମିଶ୍ରଙ୍କ ଲିଖିତ ଏତଲା ଆଧାରରେ ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି। ଅଭିଯୋଗକାରିଣୀ ଏବଂ ତାଙ୍କ ସ୍ୱାମୀ ଚାକିରି କରିଥିବାରୁ ଦିନତମାମ ବାହାରେ ରୁହନ୍ତି। ଘରେ ତାଙ୍କର ବୃଦ୍ଧା ଶାଶୁ ଏକୁଟିଆ ରହୁଥିବାର ସୁଯୋଗ ନେଇ ଅଭିଯୁକ୍ତ ଦମ୍ପତି ଘରୁ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଏବଂ ୪ରୁ ୫ ଭରି ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲେ।

ଏହାସହ ବୃଦ୍ଧାଙ୍କ ପେନସନ୍ ଆକାଉଣ୍ଟର ଏସ୍‌ବିଆଇ ଏଟିଏମ୍ କାର୍ଡ ମଧ୍ୟ ଚୋରି କରିଥିଲେ। ଉକ୍ତ ଏଟିଏମ୍ କାର୍ଡ ମାଧ୍ୟମରେ ୩ରୁ ୪ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପରେ ବ୍ୟାଙ୍କ ପାସ୍‌ବୁକ୍ ଅପଡେଟ୍ କରିବା ପରେ ଠକେଇ ଓ ଚୋରିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ଏନେଇ ସେମାନେ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ।ଅଭିଯୋଗ ପରେ ନୟାପଲ୍ଲୀ ପୋଲିସ ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସର ସହାୟତାରେ ଅଭିଯୁକ୍ତଙ୍କ ଗାଁରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି।

ତୃତୀୟ ଥର ବନ୍ୟା ଆଶଙ୍କା: ବିପଦ ସଂକେତ ଉପରେ ବୈତରଣୀ-ସାଳନ୍ଦୀ, ଭଦ୍ରକରେ ଜଳବନ୍ଦୀ ଜନଜୀବନ

ନନ୍ଦିଘୋଷ ବ୍ୟୁରୋ; ତୃତୀୟ ଥର ପାଇଁ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ହଦଗଡ଼ ଡ୍ୟାମରୁ ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ଭଦ୍ରକ ରାଜଘାଟ ନିକଟରେ ସାଳନ୍ଦୀ ନଦୀ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।

ବନ୍ୟାଜଳ ନିଷ୍କାସନରେ ସମୁଦ୍ର ଜୁଆର ଓ ନିର୍ମାଣାଧୀନ ମାଟିବନ୍ଧ ବାଧକ ସାଜିଛି। ଭଦ୍ରକ ସହରାଞ୍ଚଳର ତଳିଆ ଅଞ୍ଚଳ ସମେତ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ତିହିଡ଼ି ବ୍ଲକର ୫୪ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଅନେକ ବିଦ୍ୟାଳୟରେ ବନ୍ୟାଜଳ ପଶିଛି। ସୁରକ୍ଷା ଦୃଷ୍ଟିରୁ ଆଜି ମଧ୍ୟ ଜିଲ୍ଲାର ୬ଟି ବ୍ଲକର ୨୬୯ଟି ବିଦ୍ୟାଳୟ ଓ ୫୭୬ଟି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ଦୀର୍ଘଦିନ ହେଲା କ୍ଷେତରେ ବନ୍ୟାଜଳ ଲହଡ଼ି ମାରୁଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ଆରଡ଼ି ନିକଟରେ ବୈତରଣୀ ନଦୀ କୂଳ ଲଂଘିବାରୁ ଗତ ୫ ଦିନ ହେଲା ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥ ଉପରେ ୪ରୁ ୫ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଗେଙ୍ଗୁଟି ଓ କୋଚିଳା ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଗାଁ ଦାଣ୍ଡ ସମେତ ଘରେ ମଧ୍ୟ ବନ୍ୟାପାଣି ପଶିଛି।

ରାଜରାସ୍ତାରେ ଶିକ୍ଷକ: ତୃତୀୟ ଦିନରେ ବି ଜାରି ରହିଛି ଗଣଧାରଣା

ନନ୍ଦିଘୋଷ ବ୍ୟୁରୋ; ରାଜରାସ୍ତାରେ ଶିକ୍ଷକ  ରାଜଧାନୀରେ ଚାଲିଥିବା ଶିକ୍ଷକଙ୍କ ବିଶାଳ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ଅହୋରାତ୍ର ଧାରଣାରେ ବସିଛନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଶିକ୍ଷକ ଓ ଅଧ୍ୟାପକ । ଦିନକ ତଳେ ସରକାରଙ୍କ ସହିତ ସଂଘ ଆଲୋଚନା କରିଥିଲା । ହେଲେ ଆଲୋଚନା ବିଫଳ ହୋଇଥିଲା । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଆନ୍ଦୋଳନରୁ ହଟିବେନି ବୋଲି ଚେତେଇ  ଦେଇଛନ୍ତି । ଗତ ୩ ଦିନ ହେବ ହକ୍ ପାଇଁ ରାଜରାସ୍ତାରେ ଶିକ୍ଷକ। ବର୍ଷାରେ ଭିଜିଭିଜି ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦିଆଯାଇଥିବା ଡାକରାରେ ଏକାଠି ହୋଇଛନ୍ତି । ଅଣଅନୁଦାନପ୍ରାପ୍ତ, ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, କର୍ମଚାରୀ । ସେପଟେ ରାସ୍ତାରେ ଶିକ୍ଷକ ଥିବାରୁ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । ପାଳି କରି ଶିକ୍ଷକ ଧାରଣାସ୍ଥଳକୁ ଆସୁଥିବାରୁ ଅଳ୍ପ ଶିକ୍ଷକରେ ପାଠପଢ଼ା ଚାଲିଛି । ଆଉ ମାତ୍ର ମାସେ ପରେ ପରୀକ୍ଷା ଥିବାରୁ ପିଲାଙ୍କ ଭବିଷ୍ୟତ ସହ କାହିଁ ଖେଳ ହେଉଛି ସେ ନେଇ ପ୍ରଶ୍ନ ଉଠିଛି ।

ମୟୂରଭଞ୍ଜରେ ବର୍ଷା ବିପର୍ଯ୍ୟୟ: ରେଳଧାରଣା ଧୋଇଗଲା, ଦ୍ୱିତୀୟ ଦିନରେ ବି ଟ୍ରେନ୍ ବନ୍ଦ

ନନ୍ଦିଘୋଷ ବ୍ୟୁରୋ; ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ବାରିପଦା ଉପକଣ୍ଠ ଶୂନଗଡ଼ିଆ ନିକଟରେ ରେଳଧାରଣା ତଳୁ ମାଟି ଧୋଇଯାଇ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ପରେ ଆଜି ମଧ୍ୟ  ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଦ୍ୱିତୀୟ ଦିନରେ ମରାମତି କାର୍ଯ୍ୟ ଶେଷ ହୋଇନଥିବାରୁ ସୁରକ୍ଷା ଦୃଷ୍ଟିରୁ ରେଳ ବିଭାଗ ପକ୍ଷରୁ ଆଜି ମଧ୍ୟ ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ବାଙ୍ଗିରିପୋଷି-ରୂପସା ମେମୁ ଏବଂ ଭଞ୍ଜପୁର-ଶାଲିମାର ଏକ୍ସପ୍ରେସ ସମେତ ସମସ୍ତ ଟ୍ରେନ୍ ଚଳାଚଳ ବାତିଲ ରହିଥିବା ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟ୍ରାକ୍ ଯାଞ୍ଚ ପାଇଁ ଯନ୍ତ୍ରାଂଶ ନିୟୋଜିତ ହୋଇଛି । ଶୂନଗଡ଼ିଆଠାରେ ଯେତେ ମେଟାଲ ଓ ମାଟି ପକାଗଲେ ମଧ୍ୟ ତଳକୁ ଖସି ଯାଉଥିବାରୁ କାର୍ଯ୍ୟ ଜଟିଳ ହୋଇପଡ଼ିଛି । ଏଥିପାଇଁ ପ୍ରଥମେ ବସ୍ତି ପାର୍ଶ୍ୱ ଖାଲି କରାଯାଇ ଶାଳ ବଲ୍ଲା ମରାଯାଇ ତଳୁ ମାଟିକୁ ସ୍ଥିର ରଖିବା ଲାଗି ବାରିକେଡିଂ ବ୍ୟବସ୍ଥା କରାଯାଉଛି । ଏହି ମରାମତି ସମ୍ପୂର୍ଣ୍ଣ ନହେବା ଯାଏଁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇପାରିବ ନାହିଁ ବୋଲି ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି ।

 

 

ଟ୍ବିନ୍ ସିଟିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଲାଇନ୍ ଅଟୋ-ଟ୍ୟାକ୍ସି ସେବା ବନ୍ଦ

ନନ୍ଦିଘୋଷ ବ୍ୟୁରୋ; ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ବିନ୍ ସିଟିରେ ବନ୍ଦ ରହିବ ବିଭିନ୍ନ ଅନଲାଇନ ସଂସ୍ଥାର ଅଟୋ ଓ ଟ୍ୟାକ୍ସି ସେବା । ଆନ୍ଦୋଳନର ଆହ୍ୱାନ ଦେଲା ରାଜ୍ୟ ଅନଲାଇନ ଚାଳକ ମଞ୍ଚ । ଓଲା, ଉବର, ରାପିଡୋ ଚାଳକମାନଙ୍କୁ କମ୍ପାନୀ ଶୋଷଣ କରୁଥିବା ଅଭିଯୋଗ ଦର୍ଶାଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି । ଏହାର ପ୍ରତିବାଦରେ କଟକ ଏବଂ ଭୁବନେଶ୍ବରରେ ସମ୍ପୂର୍ଣ୍ଣ ସେବା ସ୍ଥଗିତ କରାଯିବ ବୋଲି କହିଛି ସଂଘ । ଏହି ଆନ୍ଦୋଳନ କୌଣସି ଗୋଟିଏ ସଂଗଠନର ନୁହେଁ, ବରଂ ସମଗ୍ର ଅନଲାଇନ୍ ଡ୍ରାଇଭର ସମାଜର ହକ୍, ସ୍ୱାଭିମାନ ଏବଂ ମର୍ଯ୍ୟାଦ ପାଇଁ ଆରମ୍ଭ କରାଯାଇଛି ବୋଲି କହିଛି ସଂଘ ।

 

ହକି ବିଶ୍ୱକପ୍‌ରେ ଆଜି ଭାରତ-ଇଂଲଣ୍ଡ ମହାମୁକାବିଲା, ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ହକି ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ପୁରୁଷ ଦଳ ଇଂଲଣ୍ଡକୁ ଭେଟିବ ।  ଆମଷ୍ଟେଲଭିନ୍‌ର ୱାଗେନର ହକି ଷ୍ଟାଡିୟମ୍‌ ପୁଲ୍‌ ଡିର  ଏହି ମ୍ୟାଚ୍ ଖେଳାଯିବ। ୱେଲ୍ସ ବିପକ୍ଷରେ 3-1 ଗୋଲରେ ବିଜୟ ସହିତ ନିଜର ଅଭିଯାନ ଆରମ୍ଭ କରିବା ପରେ, ଭାରତ  ଇଂଲଣ୍ଡ ଦଳକୁ ଭେଟିବ । ଇଂଲଣ୍ଡ ପ୍ରଥମ ଲିଗ୍ ମ୍ୟାଚରେ ପାକିସ୍ତାନକୁ 4-1 ଗୋଲରେ ପରାସ୍ତ କରି ଏକ ଦୃଢ଼ ଲକ୍ଷ୍ୟରେ ବିଶ୍ୱକପ୍ ଯାତ୍ରା ଆରମ୍ଭ କରିଛି  । ୱେଲ୍ସ ବିପକ୍ଷରେ ଭାରତର ବିଜୟ ପରେ ଦଳ ତାର ପେନାଲ୍ଟି କର୍ଣ୍ଣର ସୁଯୋଗର ସର୍ବାଧିକ ଉପଯୋଗ କରିଥିଲା, ତିନୋଟି ଗୋଲ ସେଟ୍ ପିସ୍ ରୁ ଆସିଥିଲା। ଅଧିନାୟକ ହରମନପ୍ରୀତ ସିଂହ ଚମତ୍କାର ପ୍ରଦର୍ଶନ କରିଥିଲେ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଲିଗ୍ ଷ୍ଟେଜ ରେ ଅପରାଜୟ ରହିବାକୁ ଚେଷ୍ଟା କରିବ ।

କଟକରେ ଲଗାଣ ବର୍ଷା: ଜଳବନ୍ଦୀ ସହର, ଘରେ ପଶିଲା ପାଣି

କଟକ: ଘରେ ପାଣି, ବାହାରେ ବି ପାଣି । ଶିଉଳି ଲାଗି ଖସଡ଼ା ହେଲାଣି ରାସ୍ତା । ଅଳିଆ ଆବର୍ଜନା ଯୋଗୁଁ ନାଳ ଜାମ୍ । ଲଗାଣ ବର୍ଷାରେ ବେହାଲ କଟକ ସହର । ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଘରେ ପଶିଲାଣି ପାଣି । ବିଶେଷ କରି ରାଉସାପାଟଣା, ତେଲେଙ୍ଗାବଜାର, ପୁରୁଣା ସେକ୍ରେଟାରିୟେଟ୍ ଗଳି, ପଟ୍ଟାପୋଲ, ସୂତାହାଟ, ଓଡ଼ିଆ ବଜାର, ସିଦ୍ଧେଶ୍ଵର ସାହିରେ ରାସ୍ତା ଉପରେ ପାଣି ଜମିଛି । କେତେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି । ଘରର ସବୁ ଆସବାବପତ୍ର ଖଟ ଉପକୁ ଟେକି ବସି ରହିଛନ୍ତି ଲୋକେ । ଏଥିପାଇଁ କେଏମସି ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସହରବାସୀ ।

ବନ୍ୟା ଯୋଗୁଁ ନଦୀରେ ବଢ଼ିଛି ପାଣି । ବଡ଼ନାଳ ଭର୍ତ୍ତି ହୋଇ ରହିଥିବାରୁ ନିଷ୍କାସନ ବ୍ୟବସ୍ଥା କଷ୍ଟକର ହୋଇଛି । ଅନେକ ନାଳରେ ଅଳିଆ ଆବର୍ଜନା ଜମି ରହିଥିବା ଯୋଗୁଁ ପାଣି ନିଷ୍କାସନ ହୋଇପାରୁନାହିଁ । ସେପଟେ ମେୟର କହିଛନ୍ତି, ସହରରେ ଜଳ ନିଷ୍କାସନ ପାଇଁ ୨୫୦ ମଟର ଓ ଭଲଭୋ ପମ୍ପ ଲଗାଯାଇଛି । ଜଳବନ୍ଦୀ ର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି । ଅଧିକ ବର୍ଷା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଛାଡ଼ିଗଲେ ପାଣି ବି ଛାଡ଼ିଯିବ ।ଦେଢ ମାସ ହେବ ପଛକୁ ପଛ ଲଘୁଚାପ ଓ ବର୍ଷା ଲାଗି ରହିଛି । ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତେଣୁ ପ୍ରଶାସନ ଆଗୁଆ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

ପ୍ରାକ୍‌ ଶିକ୍ଷାର ବିକଳ ଚିତ୍ର: ନିଜସ୍ୱ ଗୃହ ନଥିବାରୁ ଘର ଘର ବୁଲୁଛି ଅଙ୍ଗନବାଡ଼ି କେନ୍ଦ୍ର

ଆନନ୍ଦପୁର;  ପ୍ରାକ୍ ଶିକ୍ଷାର ବିକଳ ଚିତ୍ର।  ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ଆଜି ୟା ପିଣ୍ଡା ତ କାଲି ତା ବାରଣ୍ଡା । ପୁଣି କେତେବେଳେ କାହା ଘରେ  ଚାଲିଛି ଅଙ୍ଗନବାଡ଼ି ସେଣ୍ଟର । ଏ ଦୃଶ୍ୟ ହେଉଛି କେନ୍ଦୁଝର ହାଟଡିହି ବ୍ଲକ୍ ବଡରମ୍ପାସ ଅଙ୍ଗନବାଡି କେନ୍ଦ୍ରର। ଗାଁ ର ଜଣେ ବ୍ୟକ୍ତିଙ୍କ  ଘରେ ୧୫ ଦିନ ହେବ ଚାଲିଛି ପାଠପଢା । କୋମଳମତି ଶିଶୁଙ୍କ ଶିକ୍ଷାଦାନର ସ୍ଥାନ ଓ ଠିକଣା ଦୈନିକ ବଦଳୁଛି। ସେପଟେ ଘର ନଥିବାରୁ ଅଧିକାଂଶ ସମୟରେ ମଧ୍ୟାହ୍ନ ଭୋଜନ  ବନ୍ଦ। କେହି ଦୟା ଦେଖାଇ ନିଜ ରୋଷେଇଘର ଛାଡିଲେ  ସେହିଠାରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଅଙ୍ଗନବାଡି ସହାୟିକା । ବର୍ଷା ଦିନେ ସ୍ଥିତି ସଂଗୀନ।

ହାଟଡିହି ବ୍ଲକରେ ମୋଟ ୨୧୯ ଟି ଅଙ୍ଗନବାଡ଼ି  କେନ୍ଦ୍ର ରହିଛି । ସେଥିମଧ୍ୟରୁ  ୧୫୦ଟି ଅଙ୍ଗବାଡି କେନ୍ଦ୍ରର ନିଜସ୍ୱ  ଗୃହ ରହିଛି । ହେଲେ ବାକି ୬୯ଟି ର ନିଜସ୍ବ ଗୃହ ନଥିବାରୁ ଅତି ଦୟନୀୟ ଅବସ୍ଥାରେ  ଚାଲିଛି ସେଣ୍ଟର । ନିଜସ୍ବ ଗୃହ ପାଇଁ ପ୍ରଶାସନ  ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ସେପଟେ ଡିପିଆର ଦେଇଛୁ, ଆସିଲେ ସେଗୁଡିକର କାମକରି ଖୁବ୍ ଶୀଘ୍ର  ହସ୍ତାନ୍ତର କରାଯିବ ବୋଲି ହାଟଡିହି ବିଡ଼ିଓ କହିଛନ୍ତି। କୁପୋଷଣରୁ ମୁକ୍ତି ସହ କୋମଳମତି ଶିଶୁଙ୍କ ଶାରୀରିକ ଓ  ମାନସିକ ବିକାଶ ଉଦ୍ଦେଶ୍ୟରେ ଖୋଲା ଯାଇଥିଲା ଅଙ୍ଗବାଡି କେନ୍ଦ୍ର । କିନ୍ତୁ ଏଠାକାର ଚିତ୍ର ଦେଖିଲେ ତାହା କେତେଦୂର କାର୍ଯ୍ୟକାରୀ ହେଉଥିବ ତାହା ସହଜେ ଅନୁମେୟ।

ହର ଘର ଜଳ ଯୋଜନା ଫେଲ୍, ଝରଣା ପାଣି ଭରସାରେ ଧରାକୋଟର ଉପାନ୍ତବାସୀ

ନନ୍ଦିଘୋଷ ବ୍ୟୁରୋ; ଉପାନ୍ତରେ ଫେଲ ମାରିଛି ହର ଘର ଜଳ ଯୋଜନା । ମିଳୁନି ପିଇବା ପାଣି । ପାଣି ଟୋପାଏ ପାଇଁ ଲୋକଙ୍କୁ କରିବାକୁ ପଡୁଛି ସଂଘର୍ଷ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ବର୍ଷା ଦିନରେ ବି ପାନୀୟ ଜଳ ସମସ୍ୟା। ଝରଣାର ଗୋଳିଆ ପାଣି ହିଁ ପାଲଟିଛି ଏକମାତ୍ର ଭରସା । ଦୂଷିତ ପାଣି ପିଇ ରୋଗରେ ହେଉଛନ୍ତି ଆକ୍ରାନ୍ତ। ପ୍ରଶାସନ ନିରବଦ୍ରଷ୍ଟା । ରାତି ପାହିଲେ ପାଣି ଚିନ୍ତା । ଗରା ବାଲଟି ଧରି ଝରଣାକୁ ଧାଉଁଛନ୍ତି ମହିଳା। ବର୍ଷା ଦିନରେ ବି ଜଳକଷ୍ଟ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଉପାନ୍ତ ବେତବଣ ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା। ପାଣି ଟୋପାଏ ପାଇଁ ଲୋକଙ୍କୁ କରିବାକୁ ପଡୁଛି ସଂଘର୍ଷ । ଗାଁରେ ୧୫ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ପାହାଡ଼ ପର୍ବତ ଘେରା ଏହି ଗ୍ରାମବାସୀଙ୍କ ପାଇଁ ଝରଣାର ଗୋଳିଆ ପାଣି ହିଁ ପାଲଟିଛି ଏକମାତ୍ର ଭରସା । ଝରଣାର ଗୋଳିଆ ପାଣି ବ୍ୟହାର କରି ଅନେକ ସମୟରେ ଲୋକେ ଜଳ ବାହିତ ରୋଗରେ ପଡୁଛନ୍ତି। ପ୍ରଶାସନକୁ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ ଉପାନ୍ତ ବାସୀଙ୍କ ଦୁଃଖ କେହି ଶୁଣୁ ନାହାନ୍ତି l କେବଳ ବେତବଣ ଗାଁ ନୁହେଁ ଧରାକୋଟ ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ସମାନ ଅବସ୍ଥା। ନାକ୍ତିରି, ଝିରଝିରା, ଗୁଡୁରୁଗୁମା, ଗୋଛାଗୁଡା, ପୁଞ୍ଜିଆମ୍ଭ, ଧାଡି ଆମ୍ବ,ଅଶୋକ ପଲ୍ଲୀ ଓ ପିଲିପଦର ଆଦି ଗାଁରେ ପାଣି ସମସ୍ୟା। ବର୍ଷା ଦିନେ ଦୂଷିତ ପାଣି ପିଇ ଜ୍ବର, ଝାଡ଼ାବାନ୍ତିରେ ହେଉଛନ୍ତି ଆକ୍ରାନ୍ତ । ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ବି ଏଯାଏଁ ସ୍ଥାୟୀ ସମାଧାନ ହୋଇପାରୁନି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଧରାକୋଟ ବ୍ଲକର ୧୬ ଉପାନ୍ତ ଗାଁରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଚାଲିଛି। ଖୁବଶୀଘ୍ର ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି ।

ଡେରାବିଶ ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନନ୍ଦିଘୋଷ ବ୍ୟୁରୋ; ସୀମା ଟପୁଛି ବିଜେପି ନେତାଙ୍କ ଦାଦାଗିରି। ଆଇନକାନୁନକୁ ନାହିଁ ଖାତିର । ବିଜେପି ସରକାରରେ ଅସୁରକ୍ଷିତ ମହିଳା। ବାଦ ପଡୁନାହାନ୍ତି ସରକାରୀ ଅଧିକାରୀ। ଡେରାବିଶ ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାକୁ ଚାରିଆଡୁ ନିନ୍ଦା। ତେଜିଲା ଆନ୍ଦୋଳନ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି। ନଚେତ କଲମଛାଡ଼ ଆନ୍ଦୋଳନ ଚେତାବନୀ। ଗତ ୨ଦିନ ତଳେ ଡେରାବିଶ ବିଡିଓ ନମିତା ବାରିକଙ୍କ ଅଫିସରେ ପଶି ଅଶାଳୀନ ମନ୍ତବ୍ୟ ସହ ଦୁର୍ବ୍ୟବହାର କରିଥିଲେ ବିଜେପି ନେତା ଉମାକାନ୍ତ ପଟ୍ଟନାୟକ। ତାଙ୍କ ସହ ଅଫିସରେ ପଶିଥିଲେ ପ୍ରାୟ ୪୦ ଜଣ ଦଳୀୟ କର୍ମୀ । ଏଭଳି ଅସଭ୍ଯ ବ୍ଯବହାର କରିଥିଲେ ଯେ, ମହିଳା ବିଡିଓ ଜଣକ ମାନସିକ ଭାରସାମ୍ୟ ହରାଇ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାକୁ ନେଇ ଗତକାଲି ବ୍ଲକ୍ ସଂଘ ପକ୍ଷରୁ ଏତଲା ଦିଆଯାଇଥିଲା। ଦୁର୍ବ୍ୟବହାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ କଲମ ଛାଡ ଅନ୍ଦୋଳନର ଚେତାବନୀ ଦେଇଛି ବ୍ଲକ କର୍ମଚାରୀ ସଂଘ। ଅନ୍ୟପଟେ ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । କ୍ଷମତା ବଳରେ ଅନ୍ଧ ହୋଇ ସରକାରୀ ଦଳ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରୁଛି ବୋଲି କହିଛି । ବିଜେପି ନେତା ଓ କର୍ମୀଙ୍କ ଏଭଳି ଆଚରଣକୁ ସବୁ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ବିଜେପିର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ CPIM ଦାବି କରିଛି।ସଂପୃକ୍ତ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ସରକାରଙ୍କ ଆଭିମୁଖ୍ୟ କଣ ରହୁଛି, ତାହା ଦେଖିବାକୁ ବାକି ରହିଲା ।