spot_img
Home Blog Page 7093

ରାଜ୍ୟ ସରକାର ଜାରି କଲେ ଲକଡାଉନ୍ ୪.୦ ଗାଇଡଲାଇନ୍: ପଞ୍ଚାୟତସ୍ତରରେ ଜୋନ୍ ଚିହ୍ନଟ, ପବ୍ଲିକରେ ଛେପ ପକାଇଲେ ଫାଇନ୍

ଭୁବନେଶ୍ୱର: ଲକଡାଉନ୍ ୪.୦ର ଆଜି ହେଉଛି ପ୍ରଥମ ଦିନ । ଲକଡାଉନ୍ ୪.୦ରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଜୋନ୍ ଚିହ୍ନଟ ଅଧିକାର ଦେଇଛି । ଏହାରି ଭିତରେ ଆଜି ଓଡ଼ିଶା ସରକାର ଲକଡାଉନ୍ ୪.୦କୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନ୍ ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ପଞ୍ଚାୟତ ଅନୁସାରେ ଜୋନ୍ ସ୍ଥିର ହେବ । ମାସ୍କ, ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ହେବ ।

ଲକଡାଉନ୍ ୪.୦ ଗାଇଡଲାଇନ୍

ଲକଡାଉନ୍ ୪.୦ ଓଡ଼ିଶାରେ କେମିତି ଲାଗୁ ହେବ ସେସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚୀବ କହିଥିଲେ ଯେ, ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେବନାହିଁ । କେବଳ ଏୟାର ଆମ୍ବୁଲାନ୍ସ ଯାଇପାରିବ । ସ୍କୁଲ୍, କଲେଜ ଓ କୋଚିଂ ଅନୁଷ୍ଠାନ ବନ୍ଦ ରହିବ । ଅନଲାଇନ୍ ଶିକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ । ହୋଟେଲ, ରେଷ୍ଟୁରାଣ୍ଟ ସେବା ବନ୍ଦ ରହିବ । ହୋମ୍ ଡେଲିଭରୀ କରିପାରିବେ । ସିନେମା ହଲ୍, ସପିଂ ମଲ୍, ଅଡିଟୋରିୟମ୍ ବନ୍ଦ ରହିବ । ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଷ୍ଟାଡିୟମ ଖୋଲିବ । ଖେଳାଳିମାନେ ଅଭ୍ୟାସ କରିପାରିବେ । କିନ୍ତୁ, କୌଣସି ମ୍ୟାଚ ଖେଳାଯିବ ନାହିଁ । ସଭା, ଶୋଭାଯାତ୍ରାକୁ ଅନୁମତି ନାହିଁ । ଧାର୍ମିକ ଅନୁଷ୍ଠାନରେ ପୂଜାର୍ଚ୍ଚନା ହେବ, କିନ୍ତୁ ଲୋକଙ୍କୁ ଅନୁମତି ନାହିଁ । ଅନ୍ୟ ରାଜରୁ ପାସେଞ୍ଜର ଧରି କ୍ୟାବ ଅନୁମତି ସହ ଆସିପାରିବ । ଆନ୍ତଃରାଜ୍ୟ ବସ୍ ଚଳାଚଳ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ରାଜ୍ୟ ଭିତରେ ସାମାଜିକ ଦୂରତା ରକ୍ଷା କରି ସମସ୍ତ ଗାଡ଼ି ଚାଲିପାରିବ । ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଲୋକାଲ ଅଥରିଟି ଭାବେ ରେଡ୍, ଅରେଞ୍ଜ, ଗ୍ରୀନ୍, କଣ୍ଟେନମେଣ୍ଟ ଓ ବଫର ଜୋନ୍ ଗାଇଡଲାଇନ୍ ଅନୁଯାୟୀ ସ୍ଥିର କରିବେ ।

କଣ୍ଟେନମେଣ୍ଟ ଏରିଆରେ ଜରୁରୀ ସେବାକୁ ବାଦ୍ ଦେଲେ ଅନ୍ୟ କିଛିକୁ ଅନୁମତି ନାହିଁ । କ୍ୱାରେଣ୍ଟାଇନ୍ ସେଣ୍ଟରମାନଙ୍କୁ କଣ୍ଟେନମେଣ୍ଟ ଜୋନ୍ ହିସାବରେ ନିଆଯିବ । ଲକ୍ଷଣ ନଥିବା କୋଭିଡ୍ ସେଣ୍ଟର ଓ କୋଭିଡ୍ ହସ୍ପିଟାଲ କଣ୍ଟେନମେଣ୍ଟ ଜୋନରେ ଆସିବ । ଏହା ଭିତରେ ଖାଦ୍ୟ ଓ ଔଷଧ ଛଡ଼ା ଆଉକିଛି ଅନୁମତି ନାହିଁ ।

ଲକ୍ଷାଧିକ ଓଡ଼ିଆ ଘରକୁ ଫେରିଛନ୍ତି

ଏହା ସହ ପ୍ରବାସୀ ଓଡ଼ିଶାଙ୍କୁ ରାଜ୍ୟକୁ ଫେରାଇ ଆଣିବ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ବାବଦରେ ସୂଚନା ଦେଇ ସେ କହିଥିଲେ ଯେ,   ଏପ୍ରିଲ୍ ୨୯ ପରେ ବାହାରେ ଫସିଥିବା ଲୋକଙ୍କୁ ରାଜ୍ୟକୁ ଆଣିବାର ବ୍ୟବସ୍ଥା କରିଥିଲୁ । ଆଜି ସୁଦ୍ଧା ୧ ଲକ୍ଷ ୭୬ ହଜାର ୩୦୧ ଜଣ ଟ୍ରେନ୍, ବସ୍ ଓ ଅନ୍ୟାନ୍ୟ ମାଧ୍ୟମରେ ରାଜ୍ୟକୁ ଫେରିଛନ୍ତି । ଟ୍ରେନରେ ୮୦ ହଜାର ଲୋକ, ବସରେ ୭୨ ହଜାର ଲୋକ ଓ ଅନ୍ୟାନ୍ୟ ମାଧ୍ୟମରେ ୨୫ ଲକ୍ଷ ଆସିଛନ୍ତି । ଏ ଭିତରେ ୬୨ଟି ଟ୍ରେନ୍ ଆସିଥିବା ବେଳେ ଆଉ ୩୦ରୁ ୪୦ଟି ଟ୍ରେନ୍ ଆସିବ । ଅନ୍ୟରାଜ୍ୟରେ ଥିବା ଓଡ଼ିଆଙ୍କୁ ଆଣିବା ପାଇଁ ସେଠାକାର ପ୍ରଶାସନ ସହ ଆମେ କଥା ହେଉଛୁ  ।

୬ ଲକ୍ଷରୁ ଅଧିକ କ୍ୱାରେଣ୍ଟାଇନ୍ ବେଡ୍

ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଯଥେଷ୍ଟ ସଂଖ୍ୟାରେ କ୍ୱାରେଣ୍ଟାଇନ୍ ବେଡ୍ ସୃଷ୍ଟି କରାଯାଇଥିବା ସେ ସୂଚନା ଦେଇଥିଲେ । ସେ କହଥିଲେ ଯେ, ପ୍ରାୟ ସାଢ଼େ ୬ ଲକ୍ଷ କ୍ୱାରେଣ୍ଟାଇନ୍ ବେଡ୍ କରାଯାଇଛି ରାଜ୍ୟରେ । ୧୫ ହଜାର ଉପରେ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ଗ୍ରାମାଞ୍ଚଳରେ କରାଯାଇଛି । ଏତେ ସଂଖ୍ୟାରେ ଲୋକଙ୍କୁ କ୍ୱାରେଣ୍ଟାଇନ୍ ରଖି ଟେଷ୍ଟିଂ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ଆଗକୁ ହେବାକୁ ଥିବା ଲକଡାଉନରେ ଅର୍ଥନୀତିକୁ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଜାତୀୟ ଏସଓପିରେ ରାଜ୍ୟକୁ କ୍ଷମତା ଦେବାକୁ କହିଥିଲେ । ରାଜ୍ୟରେ କୌଣସି ଶିଳ୍ପ ବନ୍ଦ ହୋଇନଥିବା ବେଳେ ଚାଷ ଓ ପଶୁପାଳନ କାର୍ଯ୍ୟ ଅବ୍ୟାହତ ହୋଇଛି ।

ଦେଶଠୁ ରାଜ୍ୟରେ ମୃତ୍ୟୁହାର କମ୍, ପରୀକ୍ଷା ହାର ଅଧିକ

ହଜାରେ ବସ ଓ ଡ୍ରାଇଭରଙ୍କ ବାବଦରେ ପ୍ରିୟଙ୍କାଙ୍କୁ ତଥ୍ୟ ମାଗିଲେ ଯୋଗୀ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ନେଇ କଂଗ୍ରେସ ଓ ଉତ୍ତର ପ୍ରଦେଶ ସରକାର ମଧ୍ୟରେ ବାକ୍ୟଯୁଦ୍ଧ ତୀବ୍ର ହୋଇଛି । ସୋମବାର ଦିନ ଗାଜିଆବାଦରେ ପ୍ରବାସୀ ଶ୍ରମିକଙ୍କ ଭିଡକୁ ନେଇ ପ୍ରିୟଙ୍କା ଭଦ୍ରା ଯୋଗୀ ସରକାରଙ୍କୁ ଆକ୍ରମଣ କରିଥିଲେ । କଂଗ୍ରେସ ଶ୍ରମିକଙ୍କୁ ନେବା ପାଇଁ ହଜାରେ ବସ ଯୋଗାଡ କରିଥିବା ବେଳେ ଉତ୍ତରପ୍ରଦେଶ ସରକାର ଅନୁମତି ଦେଉନାହାନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ । ପ୍ରିୟଙ୍କାଙ୍କୁ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୧୦୦୦ ବସର ନମ୍ବର ଓ ଡ୍ରାଇଭରଙ୍କ ବାବଦରେ ବିସ୍ତୃତ ବିବରଣୀ ଦେବାକୁ କହିଛନ୍ତି । ଟ୍ୱିଟ୍ ଜରିଆରେ ଯୋଗୀ ପ୍ରିୟଙ୍କାଙ୍କୁ ୪ ପ୍ରଶ୍ନ କରି ଏହା କହିଛନ୍ତି ।

ପ୍ରଥମ ପ୍ରଶ୍ନ:  ଯଦି ଆପଣଙ୍କ ପାଖରେ ବସ ଥିଲା ତେବେ ରାଜସ୍ଥାନ ଓ ମହାରାଷ୍ଟ୍ରରୁ ଟ୍ରକରେ ଭର୍ତ୍ତି କରି ଆମ ସାଥୀଙ୍କୁ କଣ ପାଇଁ ବିହାର,ଉତ୍ତରପ୍ରଦେଶ,ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ପଠାଉଛନ୍ତି ?

ଦ୍ୱିତୀୟ ପ୍ରଶ୍ନ: ଔରୟାରେ ହୋଇଥିବା ସଡକ ଦୁର୍ଘଟଣାକୁ ନେଇ ପୁରା ଦେଶ ମର୍ମହାତ । ଗୋଟିଏ ଟ୍ରକ ପଂଜାବ ଓ ଦ୍ୱିତୀୟ ଟ୍ରକ ରାଜସ୍ଥାନରୁ ଆସୁଥିଲା । କ’ଣ କଂଗ୍ରେସ ଓ ପ୍ରିୟଙ୍କା ଏହାର ଉତ୍ତରଦାୟିତ୍ୱ ନେବେ ? କଣ ସେମାନେ ଏଥିପାଇଁ କ୍ଷମା ମାଗିବେ କି ?

ତୃତୀୟ ପ୍ରଶ୍ନ: ପ୍ରିୟଙ୍କା ଗାନ୍ଧି କହୁଛନ୍ତି ଯେ, ତାଙ୍କ ପାଖରେ ୧୦୦୦ ବସ ଅଛି  । ଏହା ଅଲଗା କଥା ଯେ, ଏପର୍ଯ୍ୟନ୍ତ ସେହି ବସଗୁଡିକର ସୂଚୀ ମିଳିନାହିଁ ।  ବସ ଓ ଡ୍ରାଇଭରଙ୍କ ସୂଚୀ ଉପଲବ୍ଧ କରାନ୍ତୁ ଯେମିତି ତାଙ୍କ କାମ କେବଳ ଟ୍ୱିଟରରେ ନୁହେଁ ତୃଣମୁଳସ୍ତରରେ ନଜର ଆସିବ ।

ଚତୁର୍ଥ ପ୍ରଶ୍ନ: ଦେଶରେ ଯେତିକି ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲିଛି ସେଥିରୁ ଅଧାରୁ ଅଧିକ ଉତ୍ତର ପ୍ରଦେଶ ଆସୁଛି । ପ୍ରିୟଙ୍କା ଗାନ୍ଧିଙ୍କର ଯଦି ଏତେ ଚିନ୍ତା ତେବେ ସେ କଂଗ୍ରେସ ଶାସିତ ରାଜ୍ୟରୁ ଟ୍ରେନ୍ ଦ୍ୱାରା ଆମ ସାଥୀଙ୍କୁ ଏଠାକୁ ପଠାଇବା ବନ୍ଦୋବସ୍ତ କରନ୍ତୁ ।

ଗାଜିଆବାଦରେ ସୋମବାର ଦିନ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ଗହଳି କରିଥିଲେ । ଏହି ଶ୍ରମିକ ଗାଜିଆବାଦରୁ ଟ୍ରେନରେ ଯିବା ପାଇଁ ଏକାଠି ହୋଇଥିଲେ । ଫଳରେ ସାମାଜିକ ଦୂରତାର ଉଲ୍ଲଂଘନ ହୋଇଥିଲା । ଯାହାକୁ ନେଇ ପ୍ରିୟଙ୍କା,ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଥିଲେ । ପ୍ରିୟଙ୍କା କହିଥିଲେ ଯେ,କଂଗ୍ରେସ ଦଳ ଶ୍ରମିକଙ୍କ ପାଇଁ ୧ ହଜାର ବସ ଯୋଗାଡ କରିଥିଲେ ମଧ୍ୟ ଉତ୍ତର ପ୍ରଦେଶ ସରକାର ଏଥିପାଇଁ  ଅନୁମତି ଦେଇନାହାନ୍ତି । ପ୍ରିୟଙ୍କାଙ୍କ ଏହି ଟିପ୍ପଣୀ ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା ।

 

ଦେଶଠୁ ରାଜ୍ୟରେ ମୃତ୍ୟୁହାର କମ୍, ପରୀକ୍ଷା ହାର ଅଧିକ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି । ଏହା ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ତେବେ, ସଂକ୍ରମଣ କ୍ଷେତ୍ରରେ ଦେଶ ଓ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି । ଲକ୍ଷେ ଲୋକରେ ୨୦୮ ଜଣଙ୍କ ଟେଷ୍ଟିଂ ହେଉଛି । ଦେଶରେ ସଂକ୍ରମିତଙ୍କ ମୃତ୍ୟୁହାର ୩.୧୫ ପ୍ରତିଶତ ରହିଥିବା ବେଳେ ରାଜ୍ୟର ଏହା ୦.୪୬ ପ୍ରତିଶତ । ଏହି ମୃତ୍ୟୁହାର ଦେଶରେ ସର୍ବନିମ୍ନ ।

ଦେଶରେ ୨୩.୯୩ ନମୁନା ପରୀକ୍ଷଣରେ ଗୋଟିଏ ପଜିଟିଭ୍ କେସ୍ ଆସୁଛି । ରାଜ୍ୟରେ ୧୦୯ଟି ନମୁନା ପରୀକ୍ଷା ପରେ ଗୋଟିଏ ପଜିଟିଭ୍ କେସ୍ ମିଳୁଛି । ଆଜି ରାତିରେ ଓଡ଼ିଶା ଲକ୍ଷେ ଟେଷ୍ଟ ସମ୍ପୂର୍ଣ୍ଣରେ ସକ୍ଷମ ହେବ । ଦେଶରେ ଏଯାଏଁ ୨୩ ଲକ୍ଷ ଟେଷ୍ଟ ହୋଇଛି । ଖୁସିର କଥା ହେଉଛି- ଭୁବନେଶ୍ୱର ମହାନଗର ନିଗମରେ ଏବେ କେହି କରୋନା ପଜିଟିଭ୍ କେସ୍ ନାହିଁ ।

ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୮୭୬ଟି ସଂକ୍ରମଣ ମାମଲା ଆସିଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଭାରତ ସରକାରଙ୍କ ମାନଦଣ୍ଡ ଠାରୁ କଠିନ ମାନଦଣ୍ଡ ରାଜ୍ୟରେ ଆପଣାଯାଉଛି । ରାଜ୍ୟରେ ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ହୋଇଛି । ୮୭୬ଟି ସଂକ୍ରମଣ ମାମଲାରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୭୫୪ଟି କେସ୍ ଆସିଛି । ୧୨୨ଟି ସଂକ୍ରମଣ ସମ୍ପର୍କରେ ଆସି ହୋଇଛି ।

ଦରମା ମାଗିବାରୁ ଗଲା ଡାକ୍ତରଙ୍କ ଚାକିରି, ଏବେ ଠେଲାରେ ପତ୍ନୀଙ୍କ ସହ ବିକୁଛନ୍ତି ଚା’

କରନାଲ(ହରିୟାଣା): ଲକଡାଉନ୍ ଭିତରେ ବହୁତ ଅଜବ ଖବର ଆସୁଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଡାକ୍ତର ସାଜିଛନ୍ତି କରୋନା ଯୋଦ୍ଧା । ଏଭଳି ଯୋଦ୍ଧା ଏବେ ରାସ୍ତା କଡ଼ରେ ଠେଲା ଧରି ଛିଡ଼ା ହେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କରନାଲ ସହରରେ । ରାସ୍ତା କଡ଼ରେ ଜଣେ ଡକ୍ଟର ନବବିବାହିତା ସ୍ତ୍ରୀଙ୍କ ସହ ଚା ବିକୁଛନ୍ତି । ଡକ୍ଟରଙ୍କ କହିବା କଥା ହେଲା, ସେ ଯେତେବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦରମା ମାଗିଲେ ତ ତାଙ୍କୁ ବିଦା କରି ଦିଆଗଲା । ଚାକିରି ହରାଇଥିବା ଡକ୍ଟର ଜଣଙ୍କ ହେଉଛନ୍ତି ଗୌରବ ବର୍ମା । ଯିଏ କି, ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ୨ ମାସର ଦରମା ମିଳିନଥିଲା । ସେ ଯେତେବେଳେ ଦରମା ମାଗିଲେ ତାଙ୍କୁ ଅନ୍ୟତ୍ର ଟ୍ରାନ୍ସଫର କରିଦିଆଗଲା । ବଦଳିକୁ ବିରୋଧ କରିବାରୁ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଏବେ ନବବିବାହିତ ଡାକ୍ତର ଦମ୍ପତି କରନାଲର ସେକ୍ଟର-୧୩ରେ ଠେଲାରେ ଚା ବିକ୍ରି କରୁଛନ୍ତି । ହସ୍ପିଟାଲ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।

ଏନେଇ ଡକ୍ଟର ଗୌରବ ବର୍ମା, ହସ୍ପିଟାଲର ମୁଖ୍ୟାଳୟ ସହ କଥାବାର୍ତ୍ତା ହୋଇଥିଲେ । କିନ୍ତୁ, କର୍ତ୍ତୃପକ୍ଷ କିଛି ଶୁଣି ନଥିଲେ । ବରଂ ତାଙ୍କୁ ଗାଜିଆବାଦ ବଦଳି କରି ଦିଆଗଲା । ବିବାଦ ତୀବ୍ର ହେବାରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଏଥିରେ ଭାଙ୍ଗି ପଡ଼ିଥିବା ଡକ୍ଟର ଗୌରବ ବର୍ମା ସିଏମ୍ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ, ନ୍ୟାୟ ନମିଳିବାରୁ ଗୌରବ ହସ୍ପିଟାଲ ସମ୍ମୁଖରେ ଏକ ଠେଲାରେ ଚା ବିକ୍ରି କରୁଛନ୍ତି ।

ମାମଲାର ତଦନ୍ତ ଚାଲିଛି

ସିଭିଲ୍ ସର୍ଜନ ଡକ୍ଟର ଅଶ୍ୱିନୀ ଆହୁଜା ତାଙ୍କ ପାଖକୁ ଅଭିଯୋଗ ଆସିଥିବା କହିଛନ୍ତି । ଏହା ସମ୍ବନ୍ଧରେ ଏବେ କିଛି କହିବା ଠିକ୍ ହେବନାହିଁ । ଏହା ତଦନ୍ତ ସାପେକ୍ଷ । ତଦନ୍ତ ସମ୍ପୂର୍ଣ୍ଣ ହେଲା ପରେ ଯାଇ ସବୁକିଛି ସ୍ପଷ୍ଟ ହେବ । ଏବେ ମାମଲାର ଯାଞ୍ଚ ଚାଲିଛି ।

ହସ୍ପିଟାଲର ପକ୍ଷ

ହସ୍ପିଟାଲର କରନାଲ ୟୁନିଟ୍ ମୁଖ୍ୟ ଏହି ମାମଲାରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ଲକଡାଉନ୍ ଯୋଗୁଁ ଦରମା ଦେବାରେ ଅସୁବିଧା ହେଉଥିଲା । ଡକ୍ଟର ଗୌରବ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୂଲ । ସେ ଅନେକଥର ବେଆଇନ୍ କାର୍ଯ୍ୟ କରିଛନ୍ତି । ଯେଉଁଥିପାଇଁ ୩ରୁ ୪ ଥର ନୋଟିସ୍ ଦିଆଯାଇ ଚେତାବନୀ ଦିଆଯାଇଥିଲା । କମ୍ପାନୀର ବରିଷ୍ଠ ଅଧିକାରୀ ତାଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ, ଡାକ୍ଟର ଗୌରବ ଶର୍ମା ଭେଟିବାକୁ ମନା କରି ଦେଇଥିଲେ । ତାଙ୍କର କିଛି ଅସୁବିଧା ଥିଲେ ଏକାଠି ବସି ମାମଲାର ସମାଧାନ କରାଯାଇ ପାରିଥାନ୍ତା ।

ବାତ୍ୟା ସମୟରେ କିଭଳି ରହିବେ ସତର୍କ ? SRC ଦେଲେ ପରାମର୍ଶ…

ଭୁବନେଶ୍ୱର: ଆସୁଛି ମହାବାତ୍ୟା ଅମ୍ଫାନ୍‌ । ରାଜ୍ୟ ସରକାର ଏନେଇ ଉପକୂଳବର୍ତ୍ତୀ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ମହାବାତ୍ୟା ପାଇଁ ଏସ୍‌ଆର୍‌ସିଙ୍କ ପକ୍ଷରୁ ୨୦ଟି ପରାମର୍ଶ ଦିଆଯାଇଛି ।

୧- ପ୍ରଥମେ ନିଜକୁ ଓ ନିଜ ପରିବାରକୁ  ବଞ୍ଚାଇବା । ସେଥିପାଇଁ ଆମକୁ ଛାତ ଘରେ ହିଁ ରହିବାକୁ ହେବ ।

୨- ବାତ୍ୟା ଆଶ୍ରୟସ୍ଥଳକୁ ଯିବା ପୂର୍ବରୁ  ଗୁରୁତ୍ୱପୂର୍ଣ୍ଣ କାବଜପତ୍ରକୁ ସୁରକ୍ଷିତ ରଖନ୍ତୁ ।

୩- ଜରୁରୀ ଔଷଧ, ନଗଦ ଟଙ୍କା ଓ ସୁନାକୁ ସୁରକ୍ଷିତ ରଖନ୍ତୁ ।

୪- ପାଖରେ ଥିବା ଶୁଖିଲା ଖାଦ୍ୟ ନିଶ୍ଚିତ ଭାବେ ସାଙ୍ଗରେ ଆଶ୍ରୟସ୍ଥଳକୁ ନେଇ ଯାଆନ୍ତୁ ।

୫- ବିଦ୍ୟୁତ୍‌ ସରବରାହ ବିଛିନ୍ନ ରହିବା ଆଶଙ୍କା ଥବାରୁ ବାତ୍ୟା ସମ୍ଭନ୍ଧୀୟ ସୂଚନା ପାଇଁ ରେଡିଓକୁ ପାଖରେ ରଖନ୍ତୁ ।

୬- ଘରେ ସୋଲାର ସିଷ୍ଟମ ଥିଲେ ତାକୁ ଚାର୍ଜ କରି ରଖନ୍ତୁ । ପାଖରେ ସୋଲାର ଲ୍ୟାମ୍ପ୍‌ ଓ ଟର୍ଚ୍ଚ ରଖନ୍ତୁ ।

୭- ଆବଶ୍ୟକୀୟ  ଲୁଗାପଟା ସାଙ୍ଗରେ ନେଇ ଆଶ୍ରୟସ୍ଥଳକୁ ଯାଆନ୍ତୁ ।

୮- ବାତ୍ୟାଆଶ୍ରୟ ସ୍ଥଳୀରେ ରହିବା ବେଳେ ଗଣ୍ଡଗୋଳ ସୃଷ୍ଟି କରନ୍ତୁ ନାହିଁ ।

୯- ପ୍ରଥମେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଆଶ୍ରୟସ୍ଥଳରେ ପଂହଚାଇବାକୁ ସାହାଯ୍ୟ କରନ୍ତୁ ।

୧୦- ବାତ୍ୟା ବେଳେ କୌଣସି ପରିସ୍ଥିତିରେ ବି ବାହାରକୁ ବାହାରନ୍ତୁ ନାହିଁ ।

୧୧- ବାତ୍ୟା ସମୟରେ ଫୁଲ ତୋଳିବା, ନଡ଼ିଆ ଗୋଟାଇବା, ଆମ୍ବ ଗୋଟାଇବା ଓ ପାଣି ଆଣିବା ପାଇଁ ବାହାରକୁ ଯାଆନ୍ତୁ ନାହିଁ ।

୧୨- ବାତ୍ୟା ଆରମ୍ଭ ହେବାର ପ୍ରଥମ ଦଲକା ପବନ ପରେ ଭାବନ୍ତୁ ନାହିଁ ବାତ୍ୟା ସରିଗଲା ।

୧୩- ଦ୍ୱିତୀୟ ଦଲକା ପବନ ପରେ ହୁଏତ ପଦାକୁ ବାହାରିପାରିବେ ।

୧୪- ବାତ୍ୟା ବେଳେ ସମୁତ୍ରକୂଳ କିମ୍ବା ନଦୀକୁ ଯାଆନ୍ତୁ ନାହିଁ ।

୧୫- ବାତ୍ୟା ସମୟରେ ଯାନବାହାନ ଚଲାନ୍ତୁ ନାହିଁ ।

୧୬- ଆସନ୍ନ ପ୍ରସବା ମହିଳାଙ୍କୁ ଆଗୁଆ ହସ୍ପିଟାଲରେ ଭର୍ତ୍ତି କରାନ୍ତୁ ।

୧୭- ସାମାଜିକ ଦୂରତା ରକ୍ଷା କରିବା ସହ ଫେସ୍‌ ମାସ୍କ ବ୍ୟବହାର କରନ୍ତୁ ।

୧୮- ବାତ୍ୟା ଆଶ୍ରୟସ୍ଥଳରେ ହାତ ଧୋଇବାକୁ ସାବୁନ, ହ୍ୟ।ଣ୍ଡଓ୍ୱାସ୍‌ ଓ ସାନିଟାଇଜର ରଖନ୍ତୁ ।

୧୯- ଯ଼ଦି ଘରେ ଗୃହପାଳିତ ପଶୁ ଥାଆନ୍ତି ତା’ ହେଲେ ସେମାନଙ୍କୁ ବାନ୍ଧନ୍ତୁ ନାହିଁ ଖୋଲା ରଖନ୍ତୁ ।

୨୦- ପ୍ରଶାସନକୁ ସହଯ଼ୋଗ କରନ୍ତୁ ଓ ଗାଇଡଲାଇନ ମାନନ୍ତୁ ।

ସୁସ୍ଥ ହେଲେ ୫୭ କରୋନା ସଂକ୍ରମିତ: ଭୁବନେଶ୍ୱର, ଜଗତସିଂହପୁର କରୋନା ମୁକ୍ତ!

ଭୁବନେଶ୍ୱର: କ୍ରମାଗତଭାବେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ୫୭ ଜଣ କରୋନା ଆକ୍ରାନ୍ତ ।

ସେମାନଙ୍କ ମଧ୍ୟରୁ ୪୦ ଜଣ ଗଞ୍ଜାମର ହୋଇଥିବା ବେଳେ, ୫ ଜଣ ଜଗତସିଂହପୁରର, ୪ ଜଣ ମୟୂରଭଞ୍ଜର ଏବଂ ୩ ଜଣ ଭୁବନେଶ୍ୱରର ଏବଂ ୨ ଜଣ ବଲାଙ୍ଗୀରର ଏବଂ ସୁନ୍ଦରଗଡ଼, ବାଲେଶ୍ୱର , କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହେବେ ।

ଏଥସହି ରାଜ୍ୟର ମୋଟ ୨୭୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱର ଓ ଜଗତସିଂହପୁର ବର୍ତ୍ତମାନ ଏକ ପ୍ରକାର କରୋନା ମୁକ୍ତ ହୋଇଛି । ଏହି ୨ଟି ସ୍ଥାନରେ ଆଉ କୌଣସି କରୋନା ରୋଗୀ ନାହାନ୍ତି ।

୪୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୮୭୬ରେ ପହଞ୍ଚଲା ସଂକ୍ରମିତଙ୍କ ସଂଖ୍ୟା

 

ଜୁଲାଇ୧ରୁ ୧୫ ଭିତରେ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା, ତାରିଖ ଘୋଷଣା

ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଡେଟ୍ ସିଟ୍ ଜାରି କରିଛି । ଏହି ପରୀକ୍ଷାକୁ କରୋନା କାରଣରୁ ମଝିରୁ ବାତିଲ କରିଦିଆଯାଇଥିଲା । ଦ୍ୱାଦଶ ପରୀକ୍ଷା ୧ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ହେବ । ଏହାସହ ୧ ଜୁଲାଇରୁ ୧୫ ଜୁଲାଇ ଭିତରେ ଉତ୍ତର ପୂର୍ବ ଦିଲ୍ଲୀର ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ  ଦଶମ ଶ୍ରେଣୀ ପରୀକ୍ଷା ଆୟୋଜିତ ହେବ । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଆଜି ଏନେଇ ଡେଟ୍ ସିଟ୍ ଜାରି କରିଛନ୍ତି ।

ଲକଡାଉନ୍ କାରଣରୁ ସିବିଏସଇ ବୋର୍ଡ ପରୀକ୍ଷାକୁ ମାର୍ଚ୍ଚ ମାସରେ ରୋକି ଦେଇଥିଲା । ଏହା ପରେ ଲକଡାଉନ୍ ୨.୦ ବେଳେ ସିବିଏସଇର ଦଶମ ପରୀକ୍ଷା ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା ।  ଦ୍ୱାଦଶ ବୋର୍ଡର ବଳକା ପରୀକ୍ଷାରେ ୨୯ଟି ମୁଖ୍ୟ ବିଷୟରେ ପରୀକ୍ଷା ହେବ ।

ଏହି ମୁଖ୍ୟ ବିଷୟ ସେହି ବିଷୟ ଯାହା ଜରିଆରେ ବିଶ୍ୱବିଦ୍ୟାଳୟରେ ସ୍ନାତକ ସ୍ତରରେ ଆଡମିଶନ ମିଳିଥାଏ । ଅନେକ ବିଶ୍ୱବିଦ୍ୟାଳୟ ଏହି ସବୁ ବିଷୟରେ ମିଳିଥିବା ନମ୍ବର ଆଧାରରେ ଆଡମିଶନ୍ ଦେଇଥାନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଦେଶରେ ଦଶମ ପରୀକ୍ଷା ହେବ ନାହିଁ ଓ  କେବଳ ନର୍ଥ ଇଷ୍ଟ ଦିଲ୍ଲୀର ଛାତ୍ରଙ୍କ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ହେବ ବୋଲି ପୂର୍ବରୁ ସିବିଏସଇ ସ୍ପଷ୍ଟ କରିଦେଇଥିଲା ।

ଅନ୍ୟପକ୍ଷରେ ଯେଉଁ ସବୁ ବିଷୟର ପରୀକ୍ଷା ହୋଇସାରିଛି ତାହାର ମୁଲ୍ୟାଙ୍କନ ସିବିଏସଇ ଆରମ୍ଭ କରିଛି ।

ଲକଡାଉନ୍ : ରାଜ୍ୟଙ୍କୁ ଗାଇଡଲାଇନ୍ ମନେରଖିବାକୁ କହିଲା କେନ୍ଦ୍ର,କଟକଣା କମ କରିପାରିବେନି

ନୂଆଦିଲ୍ଲୀ: ଲକଡାଉନ୍ ୪.୦ ରେ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଅଧିକ ଅଧିକାର ଦେଇଛି ସତ କିନ୍ତୁ ରାଜ୍ୟ ମନଇଛା ନିଷ୍ପତ୍ତି ନେଇ ପାରିବେ ନାହିଁ । ରାଜ୍ୟ ସରକାର ଏକ ସୀମା ଭିତରେ ହିଁ ନିଷ୍ପତ୍ତି ନେଇ ପାରିବେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ଏନେଇ ପତ୍ର ଲେଖିଛି । ପତ୍ରରେ ରାଜ୍ୟଙ୍କୁ କେନ୍ଦ୍ରର ଗାଇଡଲାଇନ୍ କଥା ମନେ ପକାଇ ଦିଆଯାଇଛି । ଲକଡାଉନର ରିହାତି ଦିଆଯାଇଛି ସତ କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡଲାଇନ୍ସକୁ ଏଡାଇଯାଇ ରାଜ୍ୟ ସରକାର ପ୍ରତିବନ୍ଧ କମ କରିପାରିବେ ନାହିଁ ବୋଲି ପତ୍ରରେ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ରବିବାର ଦିନ ମେ’ ୩୧ ପର୍ଯ୍ୟନ୍ତ ଲକଡାଉନକୁ ବଢାଇ ଦେଇଛନ୍ତି । ଲକଡାଉନ୍ ୪.୦ରେ କେନ୍ଦ୍ର ରାଜ୍ୟ ସରକାରଙ୍କ ସ୍ଥାନୀୟସ୍ତରରେ କେଉଁଭଳି ରିହାତି ଦିଆଯାଇ ପାରିବ ସେନେଇ ନିର୍ଣ୍ଣୟ ନେବାକୁ ଅଧିକାର ଦେଇଛି । ରାଜ୍ୟ ସରକାର ନିଜ ହିସାବରେ ଦୋକାନ ଖୋଲିବା ସହ ଅନ୍ୟ ଗତିବିଧି ଉପରେ ନିର୍ଣ୍ଣୟ ନେଇ ପାରିବେ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ଦ୍ୱାରା ଜାରି ଗାଇଡଲାଇନର ବିରୋଧାଚରଣ କରି କୌଣସି ପ୍ରତିବନ୍ଧକ ହଟାଇ ପାରିବେ ନାହିଁ । ଅର୍ଥାତ ରାଜ୍ୟଙ୍କୁ କେନ୍ଦ୍ର ଗାଇଡଲାଇନ୍ ମାନିବାକୁ ପଡିବ ।

କେନ୍ଦ୍ର ଗୃହ ସଚିବ ଏହି ସମ୍ବନ୍ଧରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି ।ଏହି ପତ୍ରରେ କୁହାଯାଇଛି ଯେ, ଲକଡାଉନ୍ ପ୍ରତିବନ୍ଧକରେ ବ୍ୟାପକ ରିହାତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ପ୍ରେଦେଶ ସ୍ୱରାଷ୍ଟ୍ରମ ମନ୍ତ୍ରଣାଳୟର ଗାଇଡଲାଇନ୍ କ୍ରମରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ପାରିବେ ନାହିଁ କିମ୍ବା କମ କରିପାରିବେ ନାହିଁ । ଏହାସହ ଲେଖାଯାଇଛି ଯେ, ରାଜ୍ୟ ଚାହିଁଲେ ଅଲଗା କିଛି ପ୍ରତିବନ୍ଧକ ଲାଗୁ କରିପାରିବେ କିନ୍ତୁ ପ୍ରତିବନ୍ଧକକୁ କମ କରିପାରିବେ ନାହିଁ ।

ନୂଆ ଗାଇଡଲାଇନ୍ କଣ କହୁଛି ?

ଲକଡାଉନ୍ ୪.୦ରର ଘୋଷଣା କରି କେନ୍ଦ୍ର ରାଜ୍ୟଙ୍କୁ ଆଦେଶ ଦେଇଛି ଯେ, ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ଜୋନ୍ ନିର୍ଦ୍ଧାରଣ କରିପାରିବେ । ଦୋକାନ କେମିତି ଖୋଲିବ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପରିବହନ ବ୍ୟବସ୍ଥା କେମିତି କାମ କରିବ ତା’ର ନିଷ୍ପତ୍ତି ରାଜ୍ୟ ନେବେ । କିନ୍ତୁ କେନ୍ଦ୍ର ସରକାର ସିନେମା ହଲ,ମଲ, ଧାର୍ମିକ ଗତିବିଧିଠାରୁ ଆରମ୍ଭ କରି ସ୍କୁଲ କଲେଜ୍ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଯାହା ଉପରେ କେନ୍ଦ୍ର ପ୍ରତିବନ୍ଧକ ଲାଗୁ କରିଛି ତାହା ଉପରେ ରାଜ୍ୟ କୌଣସି ରିହାତି ଦେଇ ପାରିବ ନାହିଁ ।

 

ଉତ୍ତର ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିପାରେ: ଛାତ ଘରେ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରି ଝଡ଼ ଅମ୍ପାନ ଏବେ ସୁପର ସାଇକ୍ଳୋନ୍‌ର ଷ୍ଟର୍ମରେ ପରିଣତ ହୋଇଛି । ଅତି ଭୀଷଣ ସାମୁଦ୍ରିକ ଝଡ଼ରୁ ଆଜି ଦିନ ୧୧ଟା୩୦ ମିନିଟରେ  ସୁପର ସାଇକ୍ଳୋନର ରୂପ ନେଇଛି । ବର୍ତ୍ତମାନ ପାରାଦୀପଠାରୁ ୭୮୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ।

ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଗିତି କରୁଛି । ତେବେ ଆଗକୁ ବଢ଼ିବା ସହ ଏହାର ଗତି କମିବ ଏବଂ କିଛିଟା ଦୁର୍ବଳ ହୋଇ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଲ୍ୟାଣ୍ଡଫଲ୍ ବେଳକୁ ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ ହୋଇ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ କରାଯାଉଥିବା ଅନୁମାନ ଅନୁଯାୟୀ ପଶ୍ଚିମବଙ୍ଗର ଦୀଘା ଏବଂ ପଶ୍ଚିମବଙ୍ଗର ହାତିଆ ଦୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ । ତେବେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ୧୧୦ରୁ ୧୨୦ କିମି ବେଗରେ ପବନ ବହିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିପ୍‌ କମିଶନର ପ୍ରଦୀପ ଜେନା  । ତେବେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବାଲେଶ୍ୱର ଓ ଭଦ୍ରକ ଯାଇ ପ୍ରସ୍ତୁତି ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ଅଭୟ । ଏନ୍‌ଡିଆରଏଫ୍‌ ଏବଂ ଅଗ୍ନିଶମବାହିନୀ ପ୍ରସ୍ତୁତ ଅଛନ୍ତି । ଆଜି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ ।

Pradeep Kumar Jena Archives - OrissaPOST

ଅମ୍ପାନର ପ୍ରଭାବରେ ସୋମବାର ସନ୍ଧ୍ୟାରୁ ଗଜପତି, ଗଞ୍ଜାମ,ପୁରୀ, ଜଗତସିଂହପୁର, କୋରାପୁଟ ଓ ରାୟଗଡ଼ାରେ ସାମାନ୍ୟରୁ ପ୍ରବଳ ବର୍ଷା ଆଶଙ୍କା । ୧୯ରୁ ୨୦ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷ ଆଶଙ୍କା । ବାଲେଶ୍ୱର, ଭ୍ରଦକ, ଜଗତସିଂହପୁର, ମୟୂରଭଞ୍ଜର କିଛି ଅଞ୍ଚଳରେ ବର୍ଷା ହେବ । କଟକ ଓ ପୁରୀରେ ମଧ୍ୟ ବର୍ଷା ହୋଇପାରେ ।  ୧୯ ତାରିଖ ସକାଳ ପରଠାରୁ ପବନର ବେଗ ବଢ଼ିପାରେ  । ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ବଢ଼ିପାରେ । ୨୦ ସକାଳକୁ ବେଳକୁ ଉତ୍ତର ଉପକୂଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ପବନର ବେଗ ବଢ଼ିବ ।

Strong Wind to Hit Morocco Saturday

ଉପକୂଳ ପାଖାପଖି ତାହା ୧୧୦ରୁ ୧୨୦ ବେଗରେ ପବନ ବହିବ । ପାରାଦୀପ, ଧାମରା, ଭିତରକନିବା, ବାଲେଶ୍ୱର ଦୀଘା ନିକଟବର୍ତ୍ତୀ ଅଞ୍ଚଳ ପବନ ବହିବା ଆଶଙ୍କା । କଚ୍ଚା ଘର, ଚାଳ ଘର, ଆଜବେଷ୍ଟ ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଯେଉଁଠାରେ ସମୁଦ୍ର ଜୁଆର ପାଣି ଆସିବାର ଅଛି ଏବଂ ତଳିଆ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ । ଆଜି ଅପରାହ୍ନ ପରଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯିବ । ଆସନ୍ତକାଲିଠାରୁ ସ୍ଥାନାନ୍ତର ପାଇଁ ବିଶେଷ ଧ୍ୟାନ ଦିଆଯିବ । କ୍ୱାରେଣ୍ଟାଇନ ସେଣ୍ଟରରେ ନେଗେଟଭ୍ ଚିହ୍ନଟ ହୋଇଥିବା ଲୋକଙ୍କ ଯଦି ପକ୍କା ଘର ଥିବା ସେମାନଙ୍କୁ ଘରକୁ ପଠାଇଦିଆଯିବ । ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି ।

ଜବରଦସ୍ତ ଧର୍ମାନ୍ତରଣ,ଅପହରଣ,ଜମି କବଜା..ପାକିସ୍ତାନ ହିନ୍ଦୁଙ୍କ ପାଇଁ ଶତ୍ରୁ ତବଲିଗି

ନୂଆଦିଲ୍ଲୀ: ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ପ୍ରଦେଶ ସିନ୍ଧରେ ହିନ୍ଦୁ ଉତ୍ପିଡନର ଏକ ଭିଡିଓ ପୁରା ଦୁନିଆ ଆଗରେ ପାକିସ୍ତାନର ମୁଖା ଖୋଲି ଦେଇଛି । ପାକିସ୍ତାନୀ ତବଲିଗି ଜମାତ୍ ସେଠାରେ କେମିତି ହିନ୍ଦୁଙ୍କ ଉପରେ ଅତ୍ୟାଚାର କରୁଛି ତାହା କହୁଛି ଏହି ଭିଡିଓ । ସିନ୍ଧ ପ୍ରଦେଶର ମଟିଆରି ଜିଲ୍ଲାର ଏହି ଭିଡିଓରେ ଜଣେ ହିନ୍ଦୁ ମହିଳା ଚିତ୍କାର କରି କହୁଛନ୍ତି ଯେ, ଆମେ ମରିବାକୁ ପସନ୍ଦ କରିବୁ କିନ୍ତୁ ଇସ୍ଲାମ ଗ୍ରହଣ କରିବୁ ନାହିଁ ।

ଇସଲାମ ଗ୍ରହଣ କଲେନି ବୋଲି ଜମାତି କଲେ ଅପହରଣ

ପାକିସ୍ତାନୀ ହିନ୍ଦୁ ମହିଳାଙ୍କ ଏହି ଭିଡିଓ ଲୋକଙ୍କୁ ବିଚଳିତ କରୁଛି । ଏହି ଭିଡିଓ କେବଳ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କଥା କହୁନି ଅଧିକନ୍ତୁ ଏହା ଜମାତର ବର୍ବରତା କଥା କହୁଛି । ସିନ୍ଧର ହିନ୍ଦୁଙ୍କ କହିବା ହେଉଛି ତବଲିଗି ଜମାତ ସେମାନଙ୍କ ଉପରେ ଅତ୍ୟାଚାର କରିବା ସହ ସେମାନଙ୍କ ଘରକୁ ମଧ୍ୟ ଧ୍ୱଂସ କରିଦେଇଛି । କେବଳ ଏତିକି ନୁହେଁ ଜଣେ ହିନ୍ଦୁ ନାବାଳକ ଇସଲାମ୍ ଗ୍ରହଣ କରିବାକୁ ମନା କରିଦେବାକୁ ତା’ର ଅପହରଣ ମଧ୍ୟ ହୋଇଛି ।

ଭାଇରାଲ ହେଉଥିବା ଭିଡିଓରେ ଭିଲ ସମ୍ପ୍ରଦାୟର ହିନ୍ଦୁ ବଳପୂର୍ବକ ଧର୍ମାନ୍ତରଣକୁ ବିରୋଧ କରୁଥିବା ଦେଖାଯାଇଛି । ତବଲିଗି ଜମାତ୍ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳା ଓ ଶିଶୁ ହାତ ଲେଖା ପୋଷ୍ଟର ଧରିଥିବା ଦେଖିବାକୁ ମିଳିଛି । ପ୍ରଦର୍ଶନ କାଳରେ ଜଣେ ହିନ୍ଦୁ ମହିଳା ମାଟିରେ ଶୋଇପଡିଥିଲେ ଓ ଚିତ୍କାର କରି କହିଥିଲେ ଯେ, ‘‘ ଆମେ ମରିବାକୁ ପସନ୍ଦ କରିବୁ କିନ୍ତୁ କେବେ ମଧ୍ୟ ଇସଲାମ୍ ଗ୍ରହଣ କରିବୁ ନାହି’’ ହିନ୍ଦୁ ମହିଳା ଜଣକ କହିଛନ୍ତି କି ତାଙ୍କ ସମ୍ପତ୍ତି ଉପରେ ଜବରଦସ୍ତ କବଜା କରାଯାଇ,ତାଙ୍କୁ ମାଡ ମରାଯାଇଛି । ଘରକୁ ଫେରିବାକୁ ଚାହୁଁଥିଲେ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପଡିବ ବୋଲି ଜମାତ୍ ଧମକ ଦେଇଛି ।

ତବଲିଗି ଜମାତକୁ ଦୟା କରିବାକୁ ନିବେଦନ

ମହିଳାଙ୍କ କହିବା ହେଉଛି ତାଙ୍କ ପୁଅକୁ ତବଲିଗି ଅପହରଣ କରି ନେଇଛି । ପୁଅ ଉପରେ ଇସଲାମ ଗ୍ରହଣ କରିବାକୁ ଚାପ ପକାଯାଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନର ଜଣେ ହିନ୍ଦୁ ସାଂସଦ ପୁରା ମାମଲାର ତଦନ୍ତ କରିବାକୁ ଦାବି କରିଛନ୍ତି ।

ଅନେକ ଦିନ ଧରି ଜମାତ୍ ଟାର୍ଗେଟରେ ହିନ୍ଦୁ

ପାକିସ୍ତାନୀ ହିନ୍ଦୁ ଆୟୋଗର ଅଭିଯୋଗ ହେଉଛି ଅନେକ ଦିନ ଧରି ହିନ୍ଦୁଙ୍କ ଧର୍ମାନ୍ତରଣ ପାଇଁ ଜମାତ୍ ଉଦ୍ୟମ କରୁଛି । କେବଳ ଜମାତ୍ ନୁହେଁ ପାକିସ୍ତାନୀ ସ୍କୁଲ ଗୁଡିକରେ ମଧ୍ୟ ହିନ୍ଦୁଙ୍କ ସହ ପାତର ଅନ୍ତର କରାଯାଉଛି । ସ୍କୁଲରେ ହିନ୍ଦୁ ପିଲାଙ୍କୁ ଇସଲାମ ପଢିବା ପାଇଁ ବାଧ୍ୟ କରାଯାଉଛି । ଏପରିକି ହିନ୍ଦୁଙ୍କ ପାଇଁ ଶ୍ମସାନର ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ ନାହିଁ । ପାକ୍ ସୁପ୍ରିମ କୋର୍ଟ ୨୦୧୪ରେ ଧାର୍ମିକ ସହିଷ୍ଣୁତା,ପାଠ୍ୟକ୍ରମରେ ସୁଧାର,ମିଡିଆରେ ଅଭଦ୍ର ଭାଷା ପ୍ରୟୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା ଲାଗୁ ହୋଇନାହିଁ ।