ହଜାରେ ବସ ଓ ଡ୍ରାଇଭରଙ୍କ ବାବଦରେ ପ୍ରିୟଙ୍କାଙ୍କୁ ତଥ୍ୟ ମାଗିଲେ ଯୋଗୀ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ନେଇ କଂଗ୍ରେସ ଓ ଉତ୍ତର ପ୍ରଦେଶ ସରକାର ମଧ୍ୟରେ ବାକ୍ୟଯୁଦ୍ଧ ତୀବ୍ର ହୋଇଛି । ସୋମବାର ଦିନ ଗାଜିଆବାଦରେ ପ୍ରବାସୀ ଶ୍ରମିକଙ୍କ ଭିଡକୁ ନେଇ ପ୍ରିୟଙ୍କା ଭଦ୍ରା ଯୋଗୀ ସରକାରଙ୍କୁ ଆକ୍ରମଣ କରିଥିଲେ । କଂଗ୍ରେସ ଶ୍ରମିକଙ୍କୁ ନେବା ପାଇଁ ହଜାରେ ବସ ଯୋଗାଡ କରିଥିବା ବେଳେ ଉତ୍ତରପ୍ରଦେଶ ସରକାର ଅନୁମତି ଦେଉନାହାନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ । ପ୍ରିୟଙ୍କାଙ୍କୁ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୧୦୦୦ ବସର ନମ୍ବର ଓ ଡ୍ରାଇଭରଙ୍କ ବାବଦରେ ବିସ୍ତୃତ ବିବରଣୀ ଦେବାକୁ କହିଛନ୍ତି । ଟ୍ୱିଟ୍ ଜରିଆରେ ଯୋଗୀ ପ୍ରିୟଙ୍କାଙ୍କୁ ୪ ପ୍ରଶ୍ନ କରି ଏହା କହିଛନ୍ତି ।

ପ୍ରଥମ ପ୍ରଶ୍ନ:  ଯଦି ଆପଣଙ୍କ ପାଖରେ ବସ ଥିଲା ତେବେ ରାଜସ୍ଥାନ ଓ ମହାରାଷ୍ଟ୍ରରୁ ଟ୍ରକରେ ଭର୍ତ୍ତି କରି ଆମ ସାଥୀଙ୍କୁ କଣ ପାଇଁ ବିହାର,ଉତ୍ତରପ୍ରଦେଶ,ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ପଠାଉଛନ୍ତି ?

ଦ୍ୱିତୀୟ ପ୍ରଶ୍ନ: ଔରୟାରେ ହୋଇଥିବା ସଡକ ଦୁର୍ଘଟଣାକୁ ନେଇ ପୁରା ଦେଶ ମର୍ମହାତ । ଗୋଟିଏ ଟ୍ରକ ପଂଜାବ ଓ ଦ୍ୱିତୀୟ ଟ୍ରକ ରାଜସ୍ଥାନରୁ ଆସୁଥିଲା । କ’ଣ କଂଗ୍ରେସ ଓ ପ୍ରିୟଙ୍କା ଏହାର ଉତ୍ତରଦାୟିତ୍ୱ ନେବେ ? କଣ ସେମାନେ ଏଥିପାଇଁ କ୍ଷମା ମାଗିବେ କି ?

ତୃତୀୟ ପ୍ରଶ୍ନ: ପ୍ରିୟଙ୍କା ଗାନ୍ଧି କହୁଛନ୍ତି ଯେ, ତାଙ୍କ ପାଖରେ ୧୦୦୦ ବସ ଅଛି  । ଏହା ଅଲଗା କଥା ଯେ, ଏପର୍ଯ୍ୟନ୍ତ ସେହି ବସଗୁଡିକର ସୂଚୀ ମିଳିନାହିଁ ।  ବସ ଓ ଡ୍ରାଇଭରଙ୍କ ସୂଚୀ ଉପଲବ୍ଧ କରାନ୍ତୁ ଯେମିତି ତାଙ୍କ କାମ କେବଳ ଟ୍ୱିଟରରେ ନୁହେଁ ତୃଣମୁଳସ୍ତରରେ ନଜର ଆସିବ ।

ଚତୁର୍ଥ ପ୍ରଶ୍ନ: ଦେଶରେ ଯେତିକି ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲିଛି ସେଥିରୁ ଅଧାରୁ ଅଧିକ ଉତ୍ତର ପ୍ରଦେଶ ଆସୁଛି । ପ୍ରିୟଙ୍କା ଗାନ୍ଧିଙ୍କର ଯଦି ଏତେ ଚିନ୍ତା ତେବେ ସେ କଂଗ୍ରେସ ଶାସିତ ରାଜ୍ୟରୁ ଟ୍ରେନ୍ ଦ୍ୱାରା ଆମ ସାଥୀଙ୍କୁ ଏଠାକୁ ପଠାଇବା ବନ୍ଦୋବସ୍ତ କରନ୍ତୁ ।

ଗାଜିଆବାଦରେ ସୋମବାର ଦିନ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ଗହଳି କରିଥିଲେ । ଏହି ଶ୍ରମିକ ଗାଜିଆବାଦରୁ ଟ୍ରେନରେ ଯିବା ପାଇଁ ଏକାଠି ହୋଇଥିଲେ । ଫଳରେ ସାମାଜିକ ଦୂରତାର ଉଲ୍ଲଂଘନ ହୋଇଥିଲା । ଯାହାକୁ ନେଇ ପ୍ରିୟଙ୍କା,ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଥିଲେ । ପ୍ରିୟଙ୍କା କହିଥିଲେ ଯେ,କଂଗ୍ରେସ ଦଳ ଶ୍ରମିକଙ୍କ ପାଇଁ ୧ ହଜାର ବସ ଯୋଗାଡ କରିଥିଲେ ମଧ୍ୟ ଉତ୍ତର ପ୍ରଦେଶ ସରକାର ଏଥିପାଇଁ  ଅନୁମତି ଦେଇନାହାନ୍ତି । ପ୍ରିୟଙ୍କାଙ୍କ ଏହି ଟିପ୍ପଣୀ ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା ।

 

Leave a Reply